Unknown

 

 

 

 

 

 

 

 

 

 

 

ଜୀବନ-ନଦୀରେ ଭଉଁରୀ

ଚିନ୍ତାମଣି ମିଶ୍ର

 

ପାଠକମାନଙ୍କୁ ସମର୍ପଣ

 

ଜୀବନକୁ ନଦୀ ସଙ୍ଗେ ଉପମା କରାଯାଏ । ଏ ଉପମାର କାଳର ଗତିରେ ପରିବର୍ତ୍ତନ ନାହିଁ । ଏହା ଯେତିକି ପୁରାତନ ସେତିକି ଆଧୁନିକ, ଚିରନୂତନ । ଉଭୟଙ୍କର ସମ୍ବଳ ଜଳ, ଜଳକୁବି ‘ଜୀବନ’ ବୋଲି କହନ୍ତି । ଉଭୟଙ୍କର ପ୍ରଧାନ ଗୁଣ ଗତି । ନଦୀ ସବୁବେଳେ ଚଞ୍ଚଳ । ଜୀବନବି ସେହିପରି । ଜଳ ଗଡ଼େ । ଗଡ଼ି ଗଡ଼ି ଯାଏଁ ସମୁଦ୍ରକୁ । ସେଠାରେବି ତା’ର ଯାତ୍ରା ସରେ ନାହିଁ । ପୁଣି ବାଷ୍ପ ରୂପରେ ଉପରକୁ ଉଠି ପୁନର୍ଜନ୍ମରେ ପୁଣି ଗଡ଼ିଚାଲେ ସମୁଦ୍ରଯାଏଁ ।

 

ଜୀବନର ଠିକ୍ ସେହିପରି ଗତି–ମୃତ୍ୟୁ ପର୍ଯ୍ୟନ୍ତ । ମୃତ୍ୟୁ ପରେ ଯାଇ ପଞ୍ଚମହାଭୂତରେ ମିଶିଯାଏ, ଅବା ସୂକ୍ଷ୍ମ ଶରୀରରେ ଭଗବତ୍ ପଦାରବିନ୍ଦକୁ ଆଶ୍ରା କରେ, ଅବା ମହାକାଶରେ ବିଚରଣ କରୁଥାଏ । କ୍ରମେ ହିମବିନ୍ଦୁ ବା ବର୍ଷାଟୋପା ରୂପରେ ଭୂମିକୁ ଆସି ବୃକ୍ଷଲତାର ପତ୍ର ଫଳରେ ଆଶ୍ରୟ ନେଇ ସେଇବାଟେ ବୀର୍ଯ୍ୟ ରୂପରେ ଯାଏଁ ମାତୃଗର୍ଭକୁ ପୁଣି ଜନ୍ମ ନେବାକୁ । ପୁରୁଣା ପ୍ରାଣୀ ପୁଣି ନବଜୀବନ ପାଏ । ଏହି ବିବର୍ତ୍ତନ ଚାଲିଥାଏ । କେତେକାଳ ତାହା କହିବା କଷ୍ଟ । ଆମ ସମାଜରେ ବିଶ୍ୱାସ କରାଯାଏ, ପ୍ରାଣୀର ମୁକ୍ତିରେ ପୁନର୍ଜୀବନ ଇତି ହୁଏ । ବୈଜ୍ଞାନିକ ବିଶ୍ୱାସ କରେ, ବିବର୍ତ୍ତନ ଅନନ୍ତ ।

 

ଏ ପୁସ୍ତକରେ ଗୋଟିଏ ବାଳିକାର ଜୀବନର ଗତି ଚିତ୍ରିତ ହୋଇଛି । ତା’ର ଜୀବନ-ନଦୀର ଉତ୍ସ ହିମାଳୟର ପାଦଦେଶରେ ବନ୍ଧୁର ଉଚ୍ଚାବଚ ଭୂମିରେ କେତେ ଭଉଁରୀ ପଡ଼ି ଦୈବାତ୍ ବା ଭଗବତ୍ ଅନୁଗ୍ରହରେ ରକ୍ଷାପାଇ ଗତି କରିଛି ସମୁଦ୍ରକୂଳର ଜଗନ୍ନାଥ ପୀଠକୁ ଓ ସେଇଠାରେ ଜୀବନର ଶାନ୍ତି ପାଇଛି । ଏକ ନାୟିକା ହୋଇ ଶେଷରେ ଜଣେ ନାୟକ ଆସି ୟାକୁ ଆଶ୍ରା କରିଛି-। ଭଗବାନ, ନାୟକର ଭୂମିକାରେ ରହି ରହି ଶେଷରେ ନିଜର ବିଭୂତିର ଅଂଶ ଜଣକୁ ଦେଇ, ଅଂଶ-ଅବତାରରୂପେ ତା’ର ଜିମା ନାୟିକାକୁ ଛାଡ଼ି ନିଜେ ଆଡ଼େଇ ହୋଇଯାଇଛନ୍ତି ଦର୍ଶକାଳୟକୁ-

 

ସୂର୍ଯ୍ୟ ତାପରେ ତୁଷାର ତରଳିଲେ ବା ଋତୁ ପରିବର୍ତ୍ତନରେ ବର୍ଷା ହେଲେ, ନଦୀ ପ୍ରମତ୍ତ ହୁଏ । ଗିରିସ୍ରୋତ ବହୁ ଭଉଁରୀ ସୃଷ୍ଟି କରି ତଳକୁ ଯାଏଁ । ଯାଉ ଯାଉ କେତେ ସମଧର୍ମୀ ଜୁଟନ୍ତି । ଏକଜୁଟ ହୋଇ ଶକ୍ତ ବେଗରେ ଏବଂ କୂଳ ଲଙ୍ଘି ପୃଥ୍ଵୀକୁ ଜଳମୟ କରି ଦେବ ବୋଲି ଆଶଙ୍କା ଜନ୍ମାଏ । ଅଳ୍ପ ସମୟପାଇଁ । ସ୍ରୋତ ଫେରି ଦୁଇ ତୀର ମଧ୍ୟରେ ବାନ୍ଧି ହୋଇଯାଏ । ଅନନ୍ତ ଯାହାକୁ ରଖନ୍ତି ସେ ରହନ୍ତି, ବଳବନ୍ତର ତାପ, ବିପଦ ଆପଦରୁ ସେ ତରିଯାଏ ଏବଂ ପୁଣି ନଦୀ ସ୍ରୋତରେ ଭାସିଯାଏ ତା’ର ଅନ୍ତକୁ । ଏ ସ୍ରୋତରେ ଅନ୍ତ, ଏ ଜୀବନର ଅନ୍ତ; ପଛକୁ ପୁଣି ଜନମ, ପୁଣି ମରଣ । ଆଗରୁ କହିଛି ସ୍ୱାଧୀନତା ମିଳିବା ଦିନୁ ସତେ ଯେପରି ବିପଦ ଆପଦ ଜନଜୀବନ ଉପରେ ଅନବରତ ବର୍ଷୁଛି । ଏ ଉତ୍ପାତର ଘୋରତମ ସମୟରେ ଆମର କଥା ଆରମ୍ଭ । ଅସହାୟା ଅବଳା ଆରମ୍ଭରେ ଯେଉଁ ବିପଦ ମୁହଁରୁ ଉଦ୍ଧାର ପାଇଲା ସେଥିରୁ ଶହକେ ହଜାରକେ ଜଣେବି ବର୍ତ୍ତିବା କଷ୍ଟ । ବସ୍ତ୍ରହରଣବେଳେ ଯେ ଅସହାୟା ଦ୍ରୌପଦୀକୁ ସାହା ହୋଇଥିଲେ ସେ ଏହାକୁ ସାହା ହୋଇଛନ୍ତି ଏବଂ ଥରକୁଥର ନିଜର ଦେବଦୂତମାନଙ୍କୁ ପଠାଇ ବିପଦରୁ ଉଦ୍ଧାର କରିଛନ୍ତି । ଶେଷରେ ସେ ପହଞ୍ଚିଛି ସମତଳ ଭୂମିରେ, ଯେଉଁଠାରେ ସ୍ରୋତ ସାବଲୀଳ, ଭଉଁରୀ ଉପଭୋଗ୍ୟ । ଉଭୟର ଅଭିଜ୍ଞତା ଥିବା ଲୋକ ଓପରମୁଣ୍ଡ ଭଉଁରୀ ଆଉ କେବେ ନ ହେଉ ବୋଲି ଭଗବାନଙ୍କୁ ଡାକିବ, ତଳମୁଣ୍ଡ ଭଉଁରୀ ପଡ଼ିଲେ ପୁନରାବୃତ୍ତି ହେଉ ବୋଲି ଭଗବାନଙ୍କୁ ମାଗିବ ।

 

ଆରୋହଣ-ଅବରୋହଣ କ୍ରମରେ ତାରାର ବିପଦସଙ୍କୁଳ ଯାତ୍ରାର ଅଙ୍କନ କରିବା ପ୍ରସଙ୍ଗରେ ଭାରତର ସମସାମୟିକ ରାଜନୀତିକ ଓ ସାମାଜିକ ଚିତ୍ରର ଶଙ୍କୁ ରହିଯିବାର କଥା । ସେକାଳ ମୋଟାମୋଟି ଏଇ କାଳ । ଗଳ୍ପଟି କିଛିଦିନ ପୂର୍ବରୁ ‘ନବଜୀବନ’ରେ ଧାରାବାହିକରୂପେ ପ୍ରକାଶ ପାଇଥିଲା । ଆଉ ଟିକିଏ ମାଜି ହୋଇଥିଲେ ତାହା ଆଜି ନୂଆ ହୋଇଯାଇଥାନ୍ତା । ବହୁଦିଗରୁ ବିଚାରି ତାହା କରିନାହିଁ ।

 

ଏଥିରେ ମୋଟାମୋଟି ଦେଖାଇଦିଆହୋଇଛି ସ୍ୱାଧୀନତା ଆସିବାମାତ୍ରେ ଦେଶ କିପରି ରକ୍ତସ୍ନାନ ହୋଇଗଲା ଓ ସେଇ ରକ୍ତରେ ସମାଜର ଉପର ସ୍ତରରୁ ଭାରତର ପାରମ୍ପରିକ ସଂସ୍କୃତି ଏକାଥରକେ ଧୋଇ ହୋଇଗଲା । ଯାହା ବା ରହିଥିଲା ତାହା କ୍ରମେ ଏକାବେଳକେ ପୋଛି ହୋଇଯାଉଛି । ଗଣତନ୍ତ୍ର ନାମରେ ବ୍ୟକ୍ତିବିଶେଷ, ଗୋଟିଏ ସଂକୀର୍ଣ୍ଣ ଗୋଷ୍ଠୀ, ହଠାତ୍ ହାତୀ ଆସି ତାଙ୍କ ମୁଣ୍ଡରେ ସୁନାକଲସ ଢାଳିଦେଲାପରି ଅଚାନକଭାବେ ରାଜା ହୋଇଗଲେ ଏବଂ ମନମୁଖୀ ଶାସନ ଲୋକଙ୍କ ଉପରେ ସେଇ ଗୋଷ୍ଠୀ ନାମରେ ଜାରି କରିଦେଲେ । ଯେଉଁମାନେ ବହୁକାଳ ଧରି ଭାଇ ଭାଇ ପରି ରହିଥିଲେ ସେମାନେ ହୋଇଗଲେ ଶତ୍ରୁ । ଭାରତକୁ ଖଣ୍ଡଖଣ୍ଡ କରିଦେଲେ ପଛେ, ନିଜର କ୍ଷୁଦ୍ର ସ୍ୱାର୍ଥରେ ଆକ୍ରାନ୍ତ ହୋଇ ବଡ଼ବଡ଼ିଆ ଜାତିର ମହତ୍ତ୍ୱ ବୁଡ଼ାଇ ଦେଲେ । ବିଜାତୀୟ ସଂସ୍କୃତିର ଚାପରେ ନର-ରାକ୍ଷସ ହୋଇଗଲେ ।

 

ସେମାନଙ୍କ ପ୍ରତିରୋଧ ନ ହୋଇଥିଲେ ଭାରତ ଏତେବେଳକୁ ଭିଏତ୍‌ନାମ ହୋଇଯା’ନ୍ତାଣି । ରୋକାହେଲା ଭାରତୀୟମାନଙ୍କଦ୍ୱାରା ନିଜ ପାରମ୍ପରିକ ଅହିଂସା ରୀତିରେ । ହିଂସା ଦୁରାଚାର, ଦୁର୍ନୀତି ଏସବୁ ହୋଇଗଲା ସେଇମାନଙ୍କ ଅସ୍ତ୍ର, ଯେଉଁମାନେ ମହାତ୍ମା ଗାନ୍ଧୀଙ୍କ ପ୍ରବର୍ତ୍ତିତ ଅହିଂସା, ଅସ୍ତେୟ, ଅପରିଗ୍ରହ ପ୍ରଭୃତି ତ୍ୟାଗ ବ୍ରତରେ ଦୀକ୍ଷିତ ହୋଇଥିଲେ । ଏଇମାନଙ୍କ ଆଦର୍ଶରେ ଏବେ ଦେଶର ଉତ୍ତରପୁରୁଷ ଅମଡ଼ା ମାଡ଼ି ଚାଲୁଛନ୍ତି । ଦେଶକୁ ନିଜ ପାରମ୍ପରିକ ରୀତିକୁ ଫେରାଇବାକୁ ଯେଉଁମାନେ ଚାହୁଁଛନ୍ତି, ସେମାନେ ତାହା କରୁଛନ୍ତି ଅସଙ୍ଗ-ଶସ୍ତ୍ରରେ । ସେମାନଙ୍କର ଫଳାକାଂକ୍ଷା ନାହିଁ । ସେମାନେ କାଳର ରୀତିଗତିକୁ ଦୃଷ୍ଟି ଦେଉନାହାନ୍ତି । ସେମାନଙ୍କର ବିଶ୍ୱାସ, ସେମାନେ ଯେଉଁପରି କୌଳିକ କର୍ତ୍ତବ୍ୟରେ ରହିଛନ୍ତି ସେଇଥିରେହିଁ ଦେଶର ସବୁ ସଜାଡ଼ି ହୋଇଯିବ ।

 

ସେମାନଙ୍କ ବିଶ୍ୱାସରେ ଆସ୍ଥାବାନହେଲେବି ଏ ପୁସ୍ତକରେ ଏତିକି ମାତ୍ର ସୂଚିତ ହୋଇଛି ଯେ, ସେମାନଙ୍କ ସଙ୍ଗେ ଆଧୁନିକ ଯୁଗ ଲୋକ ଯେଉଁ ମାତ୍ରାରେ ମିଶି ପୂର୍ବ ସଂସ୍କୃତିକୁ ପୁଷ୍ଟ କରିବେ ସେହି ମାତ୍ରାରେ ଦେଶର ମହତ୍ତ୍ୱ ଫେରିବ ଏବଂ ଭବିଷ୍ୟତ ଦାୟାଦଙ୍କର ସେତିକି ଶୀଘ୍ର ଓ ସହଜରେ ଅନ୍ଧାନୁକରଣରୁ ଦୃଷ୍ଟି ଫେରିବ । ଏ ଦିଗରେ ଆମ ଯୁଗର କେତେକଙ୍କର ଚିନ୍ତା ଚଳିଲାଣି ବୋଲି ଗଳ୍ପରେ ଦିଶିବାରୁ ଭବିଷ୍ୟତର ଆଶା ଦିଶିଛି ।

 

ଆଉ ଗୋଟିଏ କଥା ପ୍ରତି ଗଳ୍ପର ପ୍ରସଙ୍ଗକ୍ରମେ ଦୃଷ୍ଟି ଆକୃଷ୍ଟ ହୋଇଛି । ତାହା ଗାଁଗହଳର ଅବସ୍ଥା । ସରକାର ଉପର ଆଡ଼ୁ ଗାଁମାନଙ୍କରେ ଯେଉଁ ଉନ୍ନତ ଲଦୁଛନ୍ତି, ତାହା ମଫସଲକୁ ଏକାବେଳକେ ପୋତି ପକାଉଛି । ସରକାରୀ ଚାକିରିଆଙ୍କ ପ୍ରଭାବରେ ଯୁବକ ଯୁବତୀମାନେ ନିଜେ ନିଜ ମୁଣ୍ଡରେ ବୋଝ ହେଉଛନ୍ତି । ଏହାର ପ୍ରତିକାର ହୋଇପାରିବ ଅବସରପ୍ରାପ୍ତ ଶିକ୍ଷିତ ଲୋକେ ସହରର ମୋହ ଛାଡ଼ି ଗାଁକୁ ଫେରି ଲୋକଙ୍କ ସଙ୍ଗେ ମିଶି ନିଜର ଶେଷ ଜୀବନ ତାଙ୍କରି ଭିତରେ କଟାଇବାଦ୍ୱାରା । ଅବସରପ୍ରାପ୍ତ ଲୋକେ ନିଜେ ନିଜକୁ ସଂଘବଦ୍ଧ କରି ଏହା କରିବା ଦରକାର, ସରକାରଙ୍କଠାରୁ ଅଲଗା ବା ସମାନ୍ତରଭାବେ ।

 

ସର୍ବୋପରି ଏ ପୁସ୍ତକଟି ଆମ ପରବର୍ତ୍ତୀ ପୁରୁଷର ଯୁବକ ଯୁବତୀମାନଙ୍କ ହାତରେ ସମର୍ପଣ କରୁଛି; ଏହି ଉଦ୍ଦେଶ୍ୟରେ ଯେ, ସେମାନେ ଉପନ୍ୟାସ ପଢ଼ାର ଆମୋଦ ସଙ୍ଗେ ଏହାର ଅନ୍ତର୍ନିହିତ ଭାବକୁ ବିଚାରକୁ ନେବେ ଏବଂ ସେ ବିଷୟରେ ନିଜର ଚିନ୍ତା ଚଳାଇବେ, ଜାଣି କରି ନହେଲେବି ଅଜାଣତରେ ।

 

ଏ ଖଣ୍ଡିକ ପୁସ୍ତକାକାରରେ ପ୍ରକାଶ କରିବାର ସାମର୍ଥ୍ୟ ମୋର ବର୍ତ୍ତମାନ ନଥିଲା । କେତେକ ବନ୍ଧୁଙ୍କ ପ୍ରେରଣା ଓ ପ୍ରବର୍ତ୍ତନାରେ ଏହା ସମ୍ଭବ ହୋଇଛି । ଯଦି ଏ ପୁସ୍ତକଟି ଆଜିକାଲିର ରାଜମାର୍ଗରେ ପାଠକମାନଙ୍କୁ ଆନନ୍ଦ ଦିଏ ତାହାହେଲେ କୃତଜ୍ଞତା ବନ୍ଧୁମାନଙ୍କର ପ୍ରାପ୍ୟ । ତାଙ୍କ ଭିତରେ ଅଗ୍ରଗଣ୍ୟ ମୋର ବାଲ୍ୟବନ୍ଧୁ ବରଗଡ଼ (ସମ୍ବଲପୁର)ର ଶ୍ରୀ କୃତାର୍ଥ ଆଚାର୍ଯ୍ୟ ।

 

ଚିନ୍ତାମଣି ମିଶ୍ର

Image

 

ପାଠକର ପଦେ

 

ଶ୍ରୀ ଚିନ୍ତାମଣି ମିଶ୍ର ଓଡ଼ିଶାର ଜଣେ ପୁରୁଖା, ଅନୁଭୂତିସମ୍ପନ୍ନ ଲେଖକ । ଫକୀରମୋହନୀୟ ହାସ୍ୟରସ ଓ ବ୍ୟଙ୍ଗ ପରମ୍ପରାକୁ ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ ଓ ଶ୍ରୀ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପରେ ସେ କେବଳ ଅକ୍ଷୁଣ୍ଣ ରଖିନାହାନ୍ତି, ଅଧିକ ଉଜ୍ଜୀବିତ କରିଛନ୍ତି । ତାଙ୍କ ହାସ୍ୟରସ ଉଜ୍ଜ୍ଵଳ, ନିର୍ମଳ, ଶୁଦ୍ଧପୂତ ଗଙ୍ଗାଧାରା । ପ୍ରାଣକୁ ଉତ୍‌ଫୁଲ୍ଲ, ଉଦ୍‌ବେଳିତ କରିବା ସଙ୍ଗେ ସଙ୍ଗେ ଏହା ଉନ୍ନୀତ କରେ । ଉପନ୍ୟାସର ଘଟଣାସବୁ ସତରେ ଘଟିଲା ପରି ଲାଗେ ।

 

ଆମ ସାମାଜିକ ଦୁର୍ବଳତା ସେ ଗୋଟି ଗୋଟି କରି ପଦାରେ ପକାଇ ଦେଇଛନ୍ତି । ହସ ମଧ୍ୟରେ ଫୁଟି ଦିଶେ ଭିତରରୁ ଭିତର–ଗଭୀରତମ କ୍ଷତାକ୍ତ ଅଭ୍ୟନ୍ତର, ଫିକା କରିଦିଏ ସବୁ ମାୟାବୀ ରଙ୍ଗ, ଯାହା ଆଖି ଝଲସାଏ, ବାହାରକୁ ଭାରି ଭଲ, ନିଖୁଣ ନିର୍ଭୁଲ ଦିଶେ । ତା’ର ଭିତରେ ଶ୍ରୀ ମିଶ୍ରେ ଓଡ଼ିଆର ବଡ଼ ଆପଣାର ହୋଇଯାଇଛନ୍ତି, ଓଡ଼ିଶାର–ଗାଁରୁ ସହର ସବୁ ଜାଗାର, ସବୁ ଲୋକଙ୍କର ।

 

‘ଜୀବନର ନଦୀରେ ଭଉଁରୀ’ ଖଣ୍ଡିଏ ଉପନ୍ୟାସ । ‘ଦେବଦେବଙ୍କ ଦୁର୍ଗତି’ ଓ ‘ଦେବୀ ଓ ଦୁର୍ଭଗା’ ପରି ଏହା ହାସ୍ୟରସଭରା ନୁହେଁ । ଭାରତୀୟ ସ୍ୱାଧୀନତାକାଳୀନ ଘଟନାବଳିକୁ କେନ୍ଦ୍ର କରି ଏହା ରଚିତ । ଘଟଣା ଗୁରୁଗମ୍ଭୀର, ଔଚିତ୍ୟର ବିଚାର ପଦେପଦେ । ଭାରତୀୟ ସଂସ୍କୃତିର, ଧର୍ମଧାରଣାର, ଆଚାର ଆଚରଣ ମନୋହର ଆଲେଖ୍ୟ ସେ ଅଙ୍କନ କରିଛନ୍ତି । ଅସ୍ୱାଭାବିକ ମତିଗତି ପ୍ରତି ଏକ ଚେତାବନୀ ମଧ୍ୟ ସେ ଶୁଣାଇଛନ୍ତି । ପାଶ୍ଚାତ୍ୟ ସଂସ୍କୃତି ପ୍ରତି ଧାବିତ ଦୃଷ୍ଟିକୁ ସେ ଫେରାଇ ଆଣିବାକୁ ଚେଷ୍ଟିତ ହୋଇଛନ୍ତି । ଉଚ୍ଚ ମାନବିକତା, ଯୋଗଧର୍ମ ଓ ଦର୍ଶନର ମହତ୍ତ୍ୱ ସେ ଦର୍ଶାଇଛନ୍ତି । ଏକ ମହାନ୍ ଆଦର୍ଶ ସମାଜ ପ୍ରତିଷ୍ଠା କରିବା ତାଙ୍କର ଲକ୍ଷ୍ୟ ।

 

ଉପନ୍ୟାସଟି ଆମୂଳଚୂଳ ସୁଖପାଠ୍ୟ । ସ୍ଥାନେ ସ୍ଥାନେ ପୃଷ୍ଠାଗୁଡ଼ିକ ଆପେଆପେ ଗଡ଼ିଗଲା ପରି ଲାଗେ । ଏହା କାହାରି ଅନୁସରଣ ବା ଅନୁକରଣ ନୁହେଁ–ଏକ ଅନୁଭୂତ ଘଟଣାର ସ୍ୱତଃସ୍ଫୂର୍ତ୍ତ ପ୍ରକାଶ । ଏହାର ନରନାରୀ ରକ୍ତମାଂସର ଦେହ ଘେନି ଥିଲାପରି ଲାଗେ ।

 

ଶ୍ରୀ ମିଶ୍ରେ କଥା କହୁଁ କହୁଁ ହସେଇ ହସେଇ ଗଡ଼େଇଦିଅନ୍ତି । ତାଙ୍କର ଏଇ ଚିତ୍ତାକର୍ଷକ ବ୍ୟକ୍ତିତ୍ୱ ଓ ହାସ୍ୟରସଭରା ରଚନା ଯୋଗୁଁ ଓଡ଼ିଶାରେ ଓଡ଼ିଆ ଉପନ୍ୟାସ ସାହିତ୍ୟ କ୍ଷେତ୍ରରେ ସେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ହେବେ, ନିଶ୍ଚିତ । ‘ଜୀବନ ନଦୀରେ ଭଉଁରୀ’ ଏକ ସାର୍ଥକ ସୃଷ୍ଟି ।

 

ଭାରତୀୟ ଜୀବନ ନଦୀର ଭଉଁରୀଟି ଏବେବି ଭୁଆଁ ବୁଲିଲା ପରି ଲାଗେ । କେବେ ପୁଣି ତା’ର ଧାରା ସ୍ଵଚ୍ଛନ୍ଦ, ସ୍ୱାଭାବିକ ହେବ !

 

(ଲୋକରତ୍ନ ଡକ୍ଟର)

କୁଞ୍ଜବିହାରୀ ଦାଶ

ତା ୨୫/୦୫/୭୮ ପରିଦର୍ଶୀ ଅଧ୍ୟାପକ, ବିଶ୍ୱଭାରତୀ,

ଶାନ୍ତିନିକେତନ

Image

 

(୧)

ଦାସେ ମୋ କଥା ଶୁଣି କହିଲେ, “ଆପଣ ଯାହା କହୁଛନ୍ତି ମୁଁ ତାକୁ ମିଛ ବୋଲି କହୁନାହିଁ । ତେବେ….”

 

ମୁଁ ମୋ ମତକୁ ବଳୁଆ କରିବାକୁ ମୋ ମୁଣିରୁ ଖଣ୍ଡିଏ ହିନ୍ଦୀ ପତ୍ରିକା ବାହାର କରି କହିଲି, “ହେଇଟି ଦେଖନ୍ତୁ, ଏ କାଗଜଟି ନାମ ତ ଶୁଣିଥିବେ; ମାସକୁ ଦେଢ଼ଲକ୍ଷରୁ ବେଶି ପ୍ରଚାରିତ ହେଉଛି । ୟେ କ’ଣ କହୁଛି ଶୁଣନ୍ତୁ; ମୁଁ ଠିକେ ଠିକେ ଓଡ଼ିଆ ତର୍ଜମା କରି କହୁଛି : ବର୍ତ୍ତମାନ ପ୍ରାୟ ସମସ୍ତ ବିଶ୍ୱ ଆସୁରୀ-ଭାବାପନ୍ନ ହୋଇଯାଇଛି । ଲୋକେ କାମ-ଭୋଗ-ପରାୟଣ ହୋଇପଡ଼ିଛନ୍ତି-। ସତ୍ୟ ସଦାଚାରର କୌଣସିଠି ଆଦର ନାହିଁ । ସର୍ବତ୍ର ପ୍ରାୟ ଅସଦାଚାର ଓ ମିଥ୍ୟାଚାର ପୂରିଗଲାଣି । ଏହାର ପରିଣାମ ଅତି ଭୟାନକ ହେବଇ ହେବ…. ।

 

ଦାସେ ବାଧା ଦେଇ କହିଲେ, “ଆପଣ ଯାହା କହୁଥିଲେ ତାହାହିଁ ଭିନ୍ନ ଦୃଷ୍ଟିକୋଣରୁ ଏଥିରେ କୁହାହୋଇଛି । ଆପଣ ଯାହା କହିଛନ୍ତି ଓ ଏଥିରେ ଯାହା ଲେଖାଯାଇଛି, ତାହା ନୂଆ ନୁହେଁ, ବହୁତ ପୁରୁଣା । ଅଧ୍ୟାତ୍ମ ରାମାୟଣର ଉପକ୍ରମଣିକାରେ କ’ଣ ଲେଖା ହୋଇଛି, ଶୁଣନ୍ତୁ–

 

‘ପ୍ରାପ୍ତେ କଳିଯୁଗେ ଘୋରେ ନରାଃ ପୁଣ୍ୟବିବର୍ଜିତାଃ

ଦୁରାଚାରରତାଃ ସର୍ବେ ସତ୍ୟବାର୍ତ୍ତା-ପରାଙ୍‍ମୁଖାଃ ।

ପରାପବାଦନିରତାଃ ପରଦ୍ରବ୍ୟାଭିଳାଷିଣଃ

ପରସ୍ତ୍ର୍ୟାସକ୍ତମନସଃ ପରହିଂସାପରାୟଣାଃ

ମାତୃପିତୃକୃତଦ୍ୱେଷାଃ ସ୍ତ୍ରୀଦେବାଃ କାମକିଙ୍କରାଃ

ଦେହାତ୍ମାଦୃଷ୍ଟୟୋ ମୂଢ଼ାଃ ନାସ୍ତିକାଃ ପଶୁ ବୁଦ୍ଧୟଃ

ସ୍ତ୍ରିୟଶ୍ଚ ପ୍ରାୟଶୋ ଭ୍ରଷ୍ଟା ଭର୍କ୍ରବିଜ୍ଞନନିର୍ଭୟାଃ,

ଶ୍ଵଶୁର ଦ୍ରୋହକାରିଣ୍ୟୋଃ…. ।’

 

ବୁଝିଲେ ? ଅତି ସରଳ ସଂସ୍କୃତ । ଅନୁସ୍ୱାର ବିସର୍ଗ ଛାଡ଼ି ପଢ଼ିଲେ, ସମାନ ଆମ ଓଡ଼ିଆ । ମୁଁ ଆଉଥରେ ବୋଲି ଦେଉଛି, ଶୁଣନ୍ତୁ ।”

 

ମୋର ବୁଝିବାରେ ଅଡ଼ୁଆ ରହିଲା ନାହିଁ । ସେ ପୁଣି କହିଲେ, “ଆଧୁନିକ ପଣ୍ଡିତମାନେ କହୁଛନ୍ତି ଏହା ଛ’ ଶହ ବର୍ଷର ଲେଖା । ହଉ । ଜାଣିଲେ ତ ଆମକୁ ବର୍ତ୍ତମାନ ଯେଉଁ ସମସ୍ୟା ଘୋଟିଛି ତାହା ଛ’ ଶହ ବର୍ଷ ହେଲା ଘାରିଲାଣି ।”

 

ମୁଁ କହିଲି, “ୟା ବୋଲି କ’ଣ ଏହା ସମସ୍ୟା ନୁହେଁ ?”

 

ସେ କହିଲେ, “ସମସ୍ୟା ତ ନିଶ୍ଚୟ, କିନ୍ତୁ ପୁରୁଣା ହୋଇଥିବାରୁ ଘା’ର ରକ୍ତସ୍ରାବ ବନ୍ଦ ହୋଇଯିବା ଉଚିତ । ଆମେ ପ୍ରଥମେ ଯେପରି ଆଲୋଚନା କରୁଥିଲେ, ମନେ ହେଉଥିଲା, ଦେଶ ସ୍ଵାଧୀନ ହେବା ଦିନୁଁ ଆମର ଅଧଃପାତ ହୋଇଛି ଓ କଂଗ୍ରେସ ହଟିଯିବାରୁ ନିର୍ମଳ ଶାସନ ପ୍ରତିଷ୍ଠିତ ହେବାପାଇଁ ସମୟ ଆସିଲାଣି ।”

 

ମୁଁ ତୁନି ରହିଲି । ଅଧ୍ୟାତ୍ମ-ରାମାୟଣରେ ଯେଉଁ ସମାଜ ଚିତ୍ର ଦିଆହୋଇଛି ତାହା ଜଣେ ତ୍ରିକାଳଦର୍ଶୀ ଲେଖକର ଭବିଷ୍ୟତ ଦୃଷ୍ଟି ନା ଅନୁଭବ–ଏ ବିଷୟରେ ବିସ୍ମିତ ହୋଇଥାଏ ।

 

ଦାସେ କହିଲେ, “ଆପଣଙ୍କ ହିନ୍ଦୀ ପତ୍ରିକାର ଓ ଆଧ୍ୟାତ୍ମରାମାୟଣର ଲେଖାରେ ଯେଉଁ ଚିତ୍ର ଦିଆଯାଇଛି ତାହା ସମଗ୍ର ସମାଜର କ୍ଷୁଦ୍ର ବା ବୃହତ୍ ଗୋଟିଏ ଅଙ୍ଗର, ତାହା ବିଚାର କରନ୍ତୁ । ହିନ୍ଦୀ ପତ୍ରିକାର ସମ୍ପାଦକ ‘ପ୍ରାୟ’ ଶବ୍ଦ ଦୁଇଥର ବ୍ୟବହାର କରିବାର ତ ଆପଣ ପଢ଼ିଲେ । ଆଧ୍ୟାତ୍ମ ରାମାୟଣର ଏ ସମ୍ପର୍କୀୟ ଶ୍ଳୋକରେବି ‘ପ୍ରାୟଶଃ’ ଠାଏ ଲେଖା ହୋଇଛି । ଏଇଥିରୁ ତ ସ୍ପଷ୍ଟ ଜଣାଯାଉଛି ଯେ, ସମସ୍ତେ ନଷ୍ଟଭ୍ରଷ୍ଟ ହୋଇ ଗଲେଣି ବୋଲି ୟେ କହିନାହାନ୍ତି ବା ସେ କହିନାହାନ୍ତି-। ଆପଣ କ’ଣ ମନେ କରୁଛନ୍ତି, ଆମ ସମାଜର ନୈତିକ ମୂଲ୍ୟମାନ ଏକାବେଳକେ ନଷ୍ଟ ହୋଇଗଲଣି ?”

 

ଏଥର ମୁଁ ଟିକିଏ ଉଷ୍ମାର ସହିତ କହିଲି, “ମୁଁ ବା ଆପଣ ମନେକରିବାରେ ତ କଥା ନାହିଁ । ଆପଣ ଗୋଟିଏ ଜାଗାରେ ବସିଛନ୍ତି ବୋଲି ଜାଣି ପାରୁନାହାନ୍ତି ସିନା, ମୁଁ ବାରଆଡ଼େ ବୁଲି ଦେଖୁଛି, ସତ୍ୟ, ନ୍ୟାୟ, ସଦାଚାର ଆମ ଦେଶରେ ଆଉ ତିଳେମାତ୍ର ନାହିଁ ।”

 

ଦାସେ ଟିକିଏ ଚିନ୍ତିତ ହୋଇ କହିଲେ, ‘‘ମୁଁ ଗୋଟିଏ ଠା’ରେ ବସିଛି ଏକଥା ସତ, କିନ୍ତୁ ଏ ଯୁଗର ଖବରକାଗଜ ମଣିଷକୁ କ’ଣ ଗୋଟାଏ ଠା’ରେ ବସେଇଦେଉଛି ? ଆଜି ସକାଳୁ ତ ଆମେ ଆମେରିକାଠାରୁ ଆରବ ଦେଶବାଟେ ଭିଏତ୍‌ନାମ ବୁଲି ଆସିଲେଣି !”

 

ଏ ଲୋକଟିଙ୍କ ସାଙ୍ଗରେ ମୋର ମାତ୍ର ଦୁଇଦିନର ପରିଚୟ । ପରିଚୟର ଆୟୁ ଯେତିକି ବଢ଼ୁଛି ୟାଙ୍କ ପ୍ରତି ମୋର ସମ୍ମାନ ସେତିକି ବଢ଼ୁଛି । ନିପଟ ମଫସଲିଆ ଲୋକ; କିନ୍ତୁ ସବୁ ଖବର ରଖନ୍ତି ଓ ଆଧୁନିକ ଉଚ୍ଚଶିକ୍ଷିତଙ୍କ ଢଙ୍ଗରେ ତା’ର ପରିବେଷଣବି କରିପାରୁଛନ୍ତି । ମଫସଲ ଗାଁମାନଙ୍କରୁ କର୍ପୂର ସହରକୁ ଉଡ଼ିଯାଇ ଖାଲି କନା ମାତ୍ର ପଡ଼ିଛି ବୋଲି ମୁଁ ଶୁଣିଥିଲି । ୟାଙ୍କୁ ଦେଖି ସେ ମତରେ ଟିକିଏ ଆଞ୍ଚ ଆସିଲା ।

 

ମୁଁ କହିଲି, “ଆପଣ ତ ନିୟମିତ ଖବରକାଗଜ ପଢ଼ୁଛନ୍ତି । କ’ଣ ଦେଖୁଛନ୍ତି ?”

 

ସେ କହିଲେ, “ଦେଖୁଛି, କୌଣସି ନା କୌଣସି କାରଣରେ, ଖବରକାଗଜବାଲା ଚୋରୀ, ଡକାଇତି, ନାରୀହରଣ ପ୍ରଭୃତି ଖବର ଛାପିବାରେ ଖୁବ୍ ରସିଛନ୍ତି । ପତ୍ରପତ୍ରିକା ଦେଖେ; ସେଥିରେବି ସେଇ କଥା । ଗଳ୍ପ, ଉପନ୍ୟାସରେ ମଣିଷର ମନ୍ଦ ଦିଗଟା ଉପରେ ଖୁବ୍ ଆଖି ପଡ଼ିଛି-। କିନ୍ତୁ... ?”

 

ମୁଁ କହିଲି, “ଆଉ କିନ୍ତୁ କ’ଣ ? ମୋର ତ ମନେ ହେଉଛି, ଆପଣଙ୍କ ଭଳି ଯେଉଁମାନେ ବର୍ଷୀୟାନ ସେମାନେ ନିଜ ଜାତିର ବିପର୍ଯ୍ୟୟ ସହି ନ ପାରି, ଅତୀତରେ ମୁଣ୍ଡ ଗୁଞ୍ଜି ସବୁ ଠିକ୍ ଅଛି ବୋଲି ମନକୁ ବୁଝାଉଛନ୍ତି ।”

 

ଦାସେ ମୁଡ଼ୁକି ମୁଡ଼ୁକି ହସି ଦଣ୍ଡେ ତୁନି ହୋଇ ରହିଲେ । ତା’ପରେ କହିଲେ, “ଏ ବିଷୟରେ ଆପଣଙ୍କର ଆମର ମତଭେଦ ରହିଯିବ ଦେଖୁଛି । ମୋର ମନେ ହେଉଛି, ଆପଣ ଖାଲି ଖବରକାଗଜ ଓ ଗଳ୍ପ ଉପନ୍ୟାସରେ ଦୃଷ୍ଟି ଆବଦ୍ଧ ରଖିଛନ୍ତି; ମୁଁ ତାହା ପଢ଼ିସାରି ଆଖି ଫେରାଇ ନିଜ ଘରକୁ, ସାଇକୁ, ଗାଁକୁ ଓ ପାଖଆଖ ଗାଁମାନଙ୍କୁ ଦେଖୁଛି । ତେଣୁ ବିଶେଷ ନିରାଶ ହେବାର କାରଣ ଦେଖୁନାହିଁ ।

 

ମୁଁ ପ୍ରତିବାଦ କଲି, “ମୁଁ ବି ଗାଁମାନଙ୍କରେ ବୁଲୁଛି ।” କିନ୍ତୁ ଗାଁମାନଙ୍କ ବିଷୟରେ ମୁଁ ପଲ୍ଲବ-ଗ୍ରାହୀ ବୋଲି ମନେମନେ ସ୍ଵୀକାର କରି ଯାଇ କଥା ମୋଡ଼ିଦେଲି–

 

“ସହରମାନଙ୍କ ବିଷୟରେ ଆପଣ ବୋଧହୁଏ ଧାରଣା କରିପାରୁନଥିବେ । ମୁଁ କଟକର ଲୋକ–ମୋର ଉମର ସେଠାରେ କଟିଗଲାଣି । ମୁ ନିର୍ଭରଭାବେ କହିପାରେ ଯେ, ଖବରକାଗଜବାଲା ଆଦୌ ଅତିରଞ୍ଜିତ ନ କରି, ବରଂ ଜଗି ଜଗି ଅବସ୍ଥା ବର୍ଣ୍ଣନା କରୁଛନ୍ତି ।”

 

ସେ ଦବିଗଲା ପରି ଜାଣିଲି; କହିଲେ, “ନିଶ୍ଚୟ, ନିଶ୍ଚୟ; ପ୍ରତ୍ୟକ୍ଷ ଜ୍ଞାନ, ପରୋକ୍ଷ ଅନୁମାନ ଓ ଶାସ୍ତ୍ରବଚନଠାରୁ ନିଶ୍ଚୟ ଅଧିକ ନିର୍ଭରଯୋଗ୍ୟ ହେବାର କଥା । କିନ୍ତୁ ମୋର ଗୋଟିଏ ସନ୍ଦେହ ହେଉଛି । ସେଠାରେ କ’ଣ ଆଉ ମରଦମାନେ କାମଦାମ, ପାଇଟିପତ୍ର କରିବାକୁ ଘରେ ପିଲାମାଇପଙ୍କୁ ଛାଡ଼ି, ଦାଣ୍ଡକୁ ଯାଉନାହାନ୍ତି ? ବିଦେଶ ଗଲେ କ’ଣ ଲୋକେ ସବୁବେଳେ ଆଶଙ୍କା କରୁଛନ୍ତି, ତାଙ୍କ ଅନୁପସ୍ଥିତିରେ ତାଙ୍କ ଘରେ ଅଘଟଣ ଘଟଣ ହେଉଥିବ ?”

 

ସରଳ, ନିଷ୍କପଟ ବୃଦ୍ଧଟି ନ ଜାଣିପାରି ମୋତେ ମାଡ଼େ ମାଇଲା ପରି ଅନୁଭବ କଲି । ମୁଁ କଟକରେ ଛାଡ଼ି ଆସିଛି ମୋ ସ୍ତ୍ରୀଙ୍କୁ ଓ ସାନ ସାନ ପିଲା ତିନୋଟିଙ୍କୁ । ଚାକରବାକର କେହି ନାହାନ୍ତି । ବଡ଼ ଝିଅ, ବୟସ ଚଉଦ ହୋଇଗଲାଣି; ସେଇ ଯାଏଁ ପାଖ ଦୋକାନକୁ ସଉଦାପାଇଁ । ମୁଁ ୧୫ ଦିନ ହେଲା ଘର ଛାଡ଼ିଲିଣି, କିନ୍ତୁ ମୁହୂର୍ତ୍ତକ ପାଇଁ ଘର ବିଷୟରେ ଦୁଶ୍ଚିନ୍ତା କରିନାହିଁ । ମୁଁ ଦବିଗଲି ।

 

ସେ ମୋ ଭାବକୁ ଲକ୍ଷ୍ୟ ନ କରି କହିଚାଲିଲେ, “ମୁଁ ଜାଣେ, କଟକରେ ପ୍ରାୟ ସମସ୍ତେ ଦୋକାନୀଠାରୁ ମାସିକିଆ ସଉଦା ଖାଆନ୍ତି, କାଳିରେ । କେତେ ଦୋକାନୀଙ୍କର କେତେ ଟଙ୍କା ବୁଡ଼ିଯାଉଛି ତାହାର ନିରୀକ୍ଷା କରନ୍ତୁ; ଜାଣିବେ, ସତ୍ୟ ଓ ସଦାଚାର ଅନ୍ତତଃ ଏ ବିଷୟରେ ଅଛି । ସମାଜରୁ ବିଶ୍ୱାସ ଏକାବେଳକେ ଲୋପ ହୋଇଗଲେ, ଦଣ୍ଡେବି ଚଳି ହେବନାଇଁ ବୋଲି ମୁଁ ମନେ କରୁଛି । ହଜାରେବର୍ଷ ବ୍ୟାପୀ ମୁସଲମାନଙ୍କ ଉଗ୍ରଶାସନରେ ଓ ଦୁଇଶହ ବର୍ଷର ଇଂରେଜଙ୍କ ନିର୍ମମ ଶାସନରେ ଯେଉଁ ସମାଜ ଭୁଶୁଡ଼ି ପଡ଼ିନାହିଁ, ତାହା କ’ଣ ଆମେ ନିଜ ଲୋକଙ୍କ କୋଡ଼ିଏବର୍ଷର ମୂର୍ଖତା ଯୋଗୁଁ ଏକାବେଳକେ ଭାଜି ପଡ଼ିବ ? ତେବେ ବର୍ତ୍ତମାନ, ଗୋଟାଏ କୃତ୍ରିମ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ଯୋଗୁଁ… ।”

 

ଏତେବେଳକୁ ସାଇର ପାଞ୍ଚ ସାତଜଣ ପୁରୁଖା ଲୋକ ଆସି ଦାସଙ୍କ ଚଉପାଢ଼ିରେ ବସି ଆମ କଥା ଆଗ୍ରହରେ ଶୁଣୁଥାନ୍ତି । ଦାସଙ୍କ କଥା ବନ୍ଦ ହୋଇଯିବାରେ ସେମାନେ ବିରକ୍ତ ହୋଇ ଚାହିଁଲେ, ତିନିଜଣ ଯୁବକ ଦାଣ୍ଡରେ ସାଇକଲ୍ ଥୋଇଦେଇ ଦୁମ୍‌ଦୁମ୍ ହୋଇ ପାହାଚ ଚଢ଼ି ଆସିଲେ । ସମସ୍ତେ ବେପରବାୟ; ବୟସ୍କ ଲୋକଙ୍କୁ ଦେଖି, ବା ଅପରିଚିତ ମୋତେ ଦେଖି ଟିକିଏବି ଶଙ୍କିଲେ ନାହିଁ । ଦାସେ କିନ୍ତୁ ଟିକିଏ ବ୍ୟସ୍ତ ବା ବିବ୍ରତ ନ ହୋଇ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ସେମାନଙ୍କ ଆଡ଼କୁ ଚାହିଁ ପଚାରିଲେ, “କିରେ ! ତମେ ଶଳେ ଏତେବେଳେ କୁଆଡ଼ୁ ଆସିଲ ? ଏତେ ଉତ୍ପାତ ଯେ, ନମସ୍କାର କରିବାକୁ ମନେ ପଡ଼ୁନାହିଁ । (ମୋ ଆଡ଼କୁ ଚାହିଁ) ଆଗଟି ମୋ ଝିଅର ପୁଅ, ଆର ଦି’ଜଣ ତା’ ସାଙ୍ଗ, ସେଇ ଗାଁର । ତେଣୁ ତିନିହେଁ ନାତି ।”

 

ଯୁବକମାନେ କିଞ୍ଚିତ୍ ଲଜ୍ଜିତ ହୋଇ ସମସ୍ତଙ୍କୁ ନମସ୍କାର କରି ଠିଆ ହେବାରେ ଦାସେ କହିଲେ, “ଯାଅ, ଘର ଭିତରକୁ ଯାଅ, ଗୋଡ଼ହାତ ଧୋଇ କ’ଣ ଯା’ ଖାଇବ; ଘରପୋଡ଼ି-ନିଆଁ ଲିଭେଇ ଆସିଲା ପରି ତ ଦିଶୁଛ ।”

 

ଦାସଙ୍କ ପାରିବାରିକ ବିଷୟରେ ଆମେ କଥାବାର୍ତ୍ତା ଆରମ୍ଭ କରିଛୁ, ତାଙ୍କ ନାତି ଘର ଭିତରୁ ମୁହଁ ପୋଛି ପୋଛି ଆସି ଆମ ଭିତରେ ବସିପଡ଼ି ଆରମ୍ଭ କଲେ, “ଅଜା ! ଆଜି କଣ୍ଟ୍ରୋଲ ଅଫିସ୍‍ରେ ଭାରି କାଣ୍ଡ ହେଲା । ଆମ ପଡ଼ିଶା ଘର ଏଇ ରଘୁ ଭାଇନାକୁ ଆଜି ସିଭିଲ୍‌ ସପ୍ଲାଇ ଅଫିସର ହାଜତକୁ ପଠାଉଥିଲା ।”

 

ରଘୁ ଆସି ବସୁବସୁ କହିଲେ, “ମୋତେ ହାଜତକୁ ପଠାଇଥିଲେ ତା’ ଇଜ୍ଜତ ସାରିଥାନ୍ତି-। ତା’ ଚାକିରି ରହିଥାନ୍ତା କି ନାହିଁ ସନ୍ଦେହ ।”

 

ଦାସେ ପଚାରିଲେ, “ଆରେ ଖବର କ’ଣ ? ଠିକେ ଠିକେ ଦି’ପଦରେ କହିଦିଅ । ଆମର ଗୋଟିଏ କଥା ପଡ଼ିଛି ।”

 

ଶୁଣିଲୁ, ଯୁବକ ରଘୁବାବୁ କଣ୍ଟ୍ରୋଲ ବାବୁଙ୍କଠାରୁ କିଛି ଚିନି ଓ ଗହମପାଇଁ ସ୍ପେଶାଲ ପରମିଟ୍ ପାଇବାକୁ ଖଣ୍ଡେ ଦରଖାସ୍ତ ଦେଇଥିଲେ । ସେଥିରେ ତାଙ୍କ ବାପାଙ୍କ ଶୁଦ୍ଧଘର କାଲି ବୋଲି ଲେଖା ହୋଇଥିଲା । ଯାହାର ବାପାଙ୍କ ଶୁଦ୍ଧଘର କାଲି, ତାଙ୍କ ମୁହଁରେ ଅନ୍ତତଃ ନଅ ଦିନର ଦାଢ଼ି ରହିବା କଥା । କିନ୍ତୁ ଅଫିସ୍‍କୁ ଯିବା ସକାଶେ ପ୍ରସ୍ତୁତ ହେବା ପ୍ରଣାଳୀରେ ସେ ମୁହଁ ଖିଅର ହୋଇ ଆସିଥିଲେ । ତାଙ୍କ ମୁହଁ ଦେଖି କଣ୍ଟ୍ରୋଲ ହାକିମ ତାଙ୍କ ଦରଖାସ୍ତ-ଲିଖିତ କାରଣକୁ ଅବିଶ୍ୱାସ କରି ଚାରିଶ-ବିଶରେ ପକାଇବାକୁ ବସିଥିଲେ ।

 

ଦାସେ ଟିକିଏ ଚିନ୍ତିତ ହୋଇ ରଘୁଙ୍କୁ କହିଲେ, “ନନା ଟାଟାରେ ଅଛନ୍ତି ଟିକି ? ଚିଠି କେବେ ପାଇଥିଲୁ ?”

 

ରଘୁ ଲଜ୍ଜାରେ ମୁହଁ ପୋତୁ ପୋତୁ ଆତ୍ମପକ୍ଷ ସମର୍ଥନ କରି ଦାସେ ଆପଣଙ୍କ ନାତି ଉପେନ୍ଦ୍ରଙ୍କଠାରେ ଅଭିଯୋଗ କଲେ, “ଆଉ, ଅନାମର ଦରଖାସ୍ତ କଥା କହୁନାହୁଁ ?”

 

ଅନାମ, ଉପେନ୍ଦ୍ରଙ୍କ ପିଠିରେ ଟିପ ମାରିବା ସତ୍ତ୍ୱେ ଉପେନ୍ଦ୍ର କହିଲେ–ଅନାମ ତିନିମାସ ତଳେ ନିଜ ପୁଅର ସ୍ୱନକ୍ଷତ୍ର ପାଇଁ ଚିନି, ସୁଜି ଓ ଗହମ ନେଇଥିଲା । ଆଜି ଦରଖାସ୍ତରେ ଲେଖିଥିଲା ନିଜ ବିବାହପାଇଁ ଗହମ, ସୁଜି ଓ ଚିନି ଦରକାର ।

 

ଦାସେ ହସିଲେ, ଆମେ ସମସ୍ତେବି ହସିଲୁ । ଦାସଙ୍କ ଟିପ୍ପଣୀ ଶୁଣି ହସ ଆହୁରି ବଢ଼ିଲା–‘ହାକିମଟା କ’ଣ କୁଣ୍ଡା ଦେଇ ପାଠ ପଢ଼ିଥିଲା ! ପ୍ରଥମ ଭାର୍ଯ୍ୟାର ପୁଅର ସ୍ୱନକ୍ଷତ୍ରର ତିନିମାସ ପରେ ମଣିଷର ପୁନର୍ବିବାହ ହେବାରେ ଅସମ୍ଭବ ଲାଗିଲା କାହିଁକି ?’

 

ଅନାମବାବୁଙ୍କ ଆଡ଼କୁ ଚାହିଁ ସେ କହିଲେ, “କିରେ ମୂଳରୁ ମାଇପ-ନ ଥିବା-ବାଲା ! ପୁଅ ନାଁ ଦେଇଛୁ କ’ଣ ? ଚା’ ଖାଇବାକୁ ଚିନି ଖୋଜୁ ଖୋଜୁ ତ ମାଇପ ମାରି ସାରିଲୁଣି, ଚା’ କରିବ କିଏ ?”

 

ତିନିଜଣଯାକଙ୍କୁ କହିଲେ, “ଏଷ ପୁତ୍ରଃ କୁଳେ ଜାତଃ ଉପରବଂଶ ଲୁପ୍ୟତେ । କୀର୍ତ୍ତିଚନ୍ଦ୍ରଗୁଡ଼ିଏ ତ ! ହଉ, ହଉ, ଆସିବା ହେଉ । ଯାଅ, ଗାଁରେ ବୁଲାବୁଲି କରିବ । ଆମର ୟେ ଭଦ୍ରଲୋକଙ୍କ ସଙ୍ଗେ ଗୋଟାଏ ବିଷୟରେ ଆଲୋଚନା ହେଉଥିଲା ।”

 

ସେତେବେଳକୁ ମୋ ମୁହଁ ଖୁବ୍ ବିଷଣ୍ଣ ହୋଇଥାଏ । ସେ ମୋତେ ଚାହିଁ କହିଲେ, “ଆପଣ ଏ ଟୋକାଙ୍କ ରୀତି ଶୁଣି ବ୍ୟଥିତ ହେଲେ ପରା ?”

 

ମୁଁ ତାଙ୍କୁ କଷ୍ଟ ହେବାର ଆଶଙ୍କା ନକରି ବିଜୟ ଉଲ୍ଲାସରେ କହିଲି, “ନିଜେ ତ ଶୁଣିଲେ-! ଆପଣଙ୍କ ନିଜ ପିଲାଙ୍କ ରବାବ୍ ତ ୟା, ଅନ୍ୟମାନଙ୍କୁ ପଚାରୁଛି କିଏ ? ଆପଣ ସେମାନଙ୍କୁ ଭର୍ତ୍ସନା ନ କରିବାରେ ମୁଁ ବିସ୍ମିତ ହେଉଛି ।”

 

ଦାସେ ଦୋଷ ସ୍ୱୀକାର କଲାପରି କହିଲେ, “ଅଜା ନାତିକୁ ଯେତିକି ଭର୍ତ୍ସନା କରିବାର ଚଳେ, ସେତିକି ଭର୍ତ୍ସନା ତ କରିଛି । ଜାଣିଲେ ବାବୁ, ବୁଢ଼ାମାନେ ଅନେକ ସମୟରେ ନିଜର ଅତୀତକୁ ମନେ ନ ପକାଇ, ପିଲାଙ୍କ କଥାରେ ନାକ ଟେକିବାରୁ ସେମାନେ ଆଡ଼େଇ ହୋଇଯାଉଛନ୍ତି ।”

 

ମହାପାତ୍ରେ କହିଲେ, “ଆମେ ଆମ ପିଲାଦିନେ କୋଉ ମହାପାପ କରି ପକାଇଥିଲେ ଯେ, ମନେ ପକାଉନଥାଇଁ !”

 

ସେ ଦାସଙ୍କର ବାଲ୍ୟ-ସଙ୍ଗୀ । ଦାସେ ଉତ୍ତର ଦେଲେ, “ମନେପଡ଼ୁନଥିବ ହୁଏତ । କଟକରୁ ସେଥର ଗାର୍ଡ଼୍ ସାହେବର ଡବାରେ ବସି ଆସିବା କଥା ମନେ ପଡ଼ୁଛି ?”

 

ଇତିମଧ୍ୟରେ ଆସି ବସିଥିବା, ଦାସଙ୍କ ସଙ୍ଗୀ ମହାପାତ୍ରେ ଠୋଠୋ ହସି କହିଲେ, “ପଚାଶବର୍ଷ ପୂର୍ବର’ ‘ଭଇଁଚକୋଳି’ ଖିଆଟା ମନେପକେଇଲେ ହେଲେ ? ତମ ନନା ତ ସେ ଦିନକୁ ଦଶବର୍ଷ ହେଲା ମରିଥିଲେ, ବୋଉ ତା’ ଆଗରୁ ।”

 

ଦାସେ କହିଲେ, “ଏକା କଥା, ସେଇ ‘ଅଶ୍ଵତ୍‌ଥମା ହତଃ’ । ଆମ ନନା ଆଗରୁ ମରିଥିଲେ ବୋଲି କ’ଣ ଦୋଷ ଲାଗିବ ନାହିଁ ? ‘ନରେ ବା କୁଞ୍ଜରେ ବା’ ଯୋଡ଼ିଥିଲେ ବୋଲି କ’ଣ ଯୁଧିଷ୍ଠିରଙ୍କୁ ନ ଲାଗିଲା ?”

 

ଶ୍ରୋତାମାନଙ୍କ ଜିଜ୍ଞାସା ଚରିତାର୍ଥ କରି ମହାପାତ୍ରେ ଘଟଣାଟି ବର୍ଣ୍ଣନା କଲେ ।

 

ଦାସେ ଓ ମହାପାତ୍ରେ ସେତେବେଳେ ରେଭେନ୍‌ସା କଲେଜର ଛାତ୍ର, ହଷ୍ଟେଲ୍‍ରେ ରହୁଥାନ୍ତି (ଏ ଦୁହିଁଙ୍କୁ ବର୍ତ୍ତମାନ ଦେଖି ଏମାନେ କଲେଜର ଛାତ୍ର ଥିଲେ ବୋଲି ମନରେ ଢୁକୁ ନଥାଏ ।) ଗାଁକୁ ଆସିବେ ବୋଲି ଦୁହେଁ ରାତି ତିନିଟାବେଳେ ଷ୍ଟେସନ୍‌କୁ ଆସି ଦେଖନ୍ତି ତ ଗାଡ଼ି ଛାଡ଼ିଦେଲାଣି । ସାମନାରେ ଗାର୍ଡ଼୍ ସାହେବର ବଖରା ଦେଖି ଦୁହେଁ ତା’ରି ଭିତରେ ପଶିଗଲେ । ମୁଣ୍ଡରେ ରୁପି ହୋଇଥିବାରୁ ଦାସେ ମୁଣ୍ଡ ଖିଅର ହୋଇଥାନ୍ତି । ଗାର୍ଡ଼୍ ସାହେବ ଏମାନଙ୍କ ଧୃଷ୍ଟତାରେ ବିରକ୍ତ ହେଲାବେଳକୁ ଦାସେ କୈଫିୟତ୍ ଦେଲେ, ‘ବାପା ମରିବାର ପନ୍ଦରଦିନବି ହୋଇନାହିଁ । ଆଜି ଟେଲିଗ୍ରାମ୍ ମିଳିଛି ଯେ, ବୋଉର ଅବସ୍ଥା ସାଙ୍ଘାତିକ’ l ଗାର୍ଡ଼୍‍ଟି ପ୍ରୌଢ଼; ଆଙ୍ଗ୍‍ଲୋ-ଇଣ୍ଡିଆନ । ଏ ଦୁଃସମ୍ବାଦ ଶୁଣି ଦାସଙ୍କୁ ନିଜ ଆସନରେ ବସାଇ ମଣିଷର ନଶ୍ୱରତା ଓ ଦୟାମୟ ଯିଶୁଙ୍କ କରୁଣା ବିଷୟରେ ଦୀର୍ଘ ଧର୍ମଉପଦେଶ ଦେଇ ନିଜ ପଇସାରେ ଖୋର୍ଦ୍ଧା ରୋଡ଼୍‍ଠାରେ ଦୁଇଖଣ୍ଡ ଟିକଟ ଅଣାଇ ଦେଇ ବିଦା କଲେ ।

 

ଦାସେ କହିଲେ, “ନିଜ ବେଳକୁ ଏ କଥା ଥିଲା ବାହାଦୁରି । ପିଲାଙ୍କ ବେଳକୁ ଏହା ଦୁର୍ବୃତ୍ତି ହେବ କାହିଁକି ?”

 

ମୁଁ ପ୍ରତିବାଦ କଲି, “ଘଟଣା ଦୁଇଟା, ପ୍ରକାରରେ ଏକା ହେଲେବି, ପ୍ରକୃତିରେ ଏକା ନୁହେଁ ।”

 

ଦାସେ କହିଲେ, “ଆପଣ ଯେପରି ବିଶ୍ଳେଷଣ କରିବାକୁ ବସିଛନ୍ତି, ସେଥିରେ ଘଟଣା ଦୁଇଟା ଉଣିଶବିଶ୍ ହୋଇପାରେ । କିନ୍ତୁ ମୁଁ ଯେ ଦୋଷ କରିଥିଲି ତାହା ନିଃସନ୍ଦେହ । ମୋର ଅଭିଭାବକ ସେ ସମୟରେ ମୋତେ ମୋ ଦୋଷ ଦେଖାଇଦେଇଥିଲେ ।”

 

ମୁଁ କହିଲି, “କିନ୍ତୁ ଆପଣ ତ ଆଜି ଏ ପିଲାଙ୍କ ଦୋଷ ଦେଖାଇଲେ ନାହିଁ ବୋଲି !”

 

ଦାସେ କହିଲେ, “ସେ ଯେଉଁ ରୀତିରେ ଦୋଷ ଦେଖାଇଥିଲେ, ମୁଁ ମୋ ପିଲାଙ୍କୁ ସେଇ ରୀତିରେ ତାଙ୍କ ଦୋଷ ଦେଖାଇବାକୁ ଚେଷ୍ଟା କରି ଆସିଛି । ୟେ ପିଲାଙ୍କ କଥା ସ୍ଵତନ୍ତ୍ର । ଏମାନଙ୍କର ଅଭିଭାବକ ଅଲଗା ଅଛନ୍ତି । ମୁଁ ୟାଙ୍କର ଅଜା–ଆମ ଚଳଣିରେ ମୁଁ ୟାଙ୍କର ସାଙ୍ଗ; ସାଙ୍ଗପରି ତିଆରିବି ସିନା ! ମୁରବିପଣ ଜାହିର କରିବାକୁ ବସିଲେ ସେମାନେ ପାଖ ପଶିବେ କିଆଁ-? ପାଖକୁ ଆସିଲେବି, ସରଳଭାବରେ ସବୁକଥା ପ୍ରକାଶ କରିବେ କିଆଁ ? ଆଜିକାଲିର ଅଭିଭାବକମାନେ କଠୋର ହେବାକୁ ଯାଇ ଆପଣା ପିଲାଙ୍କ ଆଗରେ ମେଘନାଦ ପାଚିରି ଗଢ଼ି ଦେଉଛନ୍ତି ।’’

 

କଥାର ଖିଅ ମୁଁ ଭଲ କରି ଧରି ପାରିଲି ନାହିଁ । ସେ ମୋ ଆଡ଼କୁ ଚାହିଁ କହିଲେ, “ମୋ” ଅଭିଭାବକ ମୋତେ କିପରି ତିଆରିଥିଲେ ଶୁଣିଲେ ଆପଣ କଥାଟାକୁ ବୁଝିପାରିବେ ।

 

“ଆଗରୁ ତ କହିଛି, ମୋ ପିଲାଦିନେ ମୋର ବାପାମା’ ମରିଥାନ୍ତି । ମୋର ଅଭିଭାବକ ଥାନ୍ତି ମୋର ଦଦେଇ–ମୋ ପିତାଙ୍କଠାରୁ ସେ ବୟସରେ ଗୁଡ଼ିଏ ବଡ଼ ଥିବାରୁ ମୁଁ ତାଙ୍କୁ ଗୋସିଁବାପ ବୋଲି ମନେ କରୁଥାଏ । ସେ ଦିନ ରେଳରୁ ଓହ୍ଲାଇ ଘରେ ଆସି ପହଞ୍ଚିବାମାତ୍ରେ ମୋ ବାହାଦୁରି କଥା ବୟାନ କଲି । ପ୍ରତ୍ୟକ୍ଷଭାବେ ଦଦେଇଙ୍କୁ ନ କହିଥିଲେବି ସେ ଶୁଣିଲେ । ଶୁଣି, ଅନ୍ୟମାନଙ୍କ ପରି ଆମୋଦିତ ହେଲେ । ସେଦିନ ସନ୍ଧ୍ୟାବେଳେ ମୋତେ ପାଖରେ ବସାଇ ଏଣୁତେଣୁ ନାନା କଥା ଭିତରେ କହିଲେ, ‘ଆଜି ସେ ଗାର୍ଡ଼୍ ସାହେବକୁ ଯାହା କହିଲୁ, ନ କହିଥିଲେ କ’ଣ କ୍ଷତି ହୋଇଥାନ୍ତା ? ଗାର୍ଡ଼୍ ଡବାରେ ତ ଚଢ଼ି ସାରିଥିଲ । ସେ ଖୋର୍ଦ୍ଧାରୋଡ଼୍ ପର୍ଯ୍ୟନ୍ତ ତା’ ଡବାରେ ଆସିବାକୁ ନ ଦେଇଥିଲେବି ବାରଙ୍ଗ ଯାଏଁ ତ ନିଶ୍ଚୟ ଦେଇଥାନ୍ତା । ତା’ପରେ ତୁମେ ଅନ୍ୟ ଡବାରେ ଆସି ବସିଥାନ୍ତ । ମିଛରେ ସିନା ବାପା ମା’ଙ୍କ ନାମ ବିକିଲୁ ? ସେଇ ଦିନଠାରୁ ମିଛ କହିବାରେ ମୋ’ର ଅସଲ ସ୍ୱାର୍ଥ କେତେ ବିଚାରିବା ଅଭ୍ୟାସ ହୋଇଗଲା । ମିଛ ଆଦୌ କହିନାହିଁ ବୋଲି କହିଲେ ମିଛହେବ, କିନ୍ତୁ ମାତ୍ରା ଖୁବ୍ କମିଗଲା ।”

 

ମୁଁ ମାନିଲି, ଯୁବକମାନଙ୍କୁ ସେଇପରି ଶାସନ କରିବା ବାସ୍ତବିକ ଠିକ୍ ।

 

ଦାସେ କହିଲେ, “ବର୍ତ୍ତମାନ ପରିସ୍ଥିତିରେ ସେତିକି କରିବାକୁବି ଦୋଦୋପାଞ୍ଚ ହେବାକୁ ପଡ଼ୁଛି । ୟେ ପିଲେ ଆସିବା ପୂର୍ବରୁ ମୁଁ କହୁଥିଲି, ଆଜିକାଲି ଯେଉଁ କୃତ୍ରିମ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଯୋଗୁଁ ଅବସ୍ଥା ସମ୍ଭାଳିବା ଅସମ୍ଭବ ହୋଇପଡ଼ିଲାଣି ।”

 

ଦାସେ ପରିସ୍ଥିତିର କେଉଁ ଦିଗଟାକୁ ଲକ୍ଷ୍ୟ କରୁଛନ୍ତି ଜାଣିବାକୁ ଅପେକ୍ଷା କଲି ।

 

ସେ କହି ଚାଲିଲେ, “ଚା’ ଟିକିଏ ଖାଇବାକୁ ବାପ ଶୁଦ୍ଧଘର କରୁଥିବା ଏ ପିଲାଙ୍କୁ ଦେଖନ୍ତୁ । ଏକ ଦିଗରେ ସରକାର ତରଫରୁ ଚା’ ଖାଅ ବୋଲି ପ୍ରଚାର ଚାଲିଛି–ବା ଏପର୍ଯ୍ୟନ୍ତ ଚାଲିଥିଲା । ଏହି ପ୍ରଚାରଫଳରେ ବାପ ମା’ ୨/୩ ବର୍ଷର ପିଲାଙ୍କୁ ଦିଓଳି ଚା’ ପିଆଉଛନ୍ତି । ପିଲାଙ୍କୁ ୧୪/୧୫ ବର୍ଷ ହେଲାବେଳକୁ ଅଫିମ ପରି, ଚା’ ଅଭ୍ୟାସ ହୋଇଯାଉଛି । ଚିନି ଟିକିଏ ନହେଲେ ନ ଚଳେ । ପୁଲିସଙ୍କ ସଙ୍ଗେ ସଲା ହୋଇ ଦୋକାନୀମାନେ ଚିନି ସେରକୁ ଚାରି ଟଙ୍କା କରିଦେଲେଣି । ପୁଣି ଭାତ ନ ଖାଇ ଅଟା ଖାଅ ବୋଲି ସରକାର ପ୍ରଚାର କରିବାଫଳରେ ଦେଶର ଅଧେ ଲୋକ ଅନ୍ତତଃ ଓଳିଏ ରୁଟି, ପରଟା ଖୋଜୁଛନ୍ତି–ୟାକୁ ସବୁ କଳାବଜାରରୁ କିଣିବାକୁ ପଇସା ନାହିଁ । ଏପରି ସ୍ଥଳେ ଯେକୌଣସିମତେ ୟାକୁ ସଂଗ୍ରହ କରିବାରେ, କେହି ଦୋଷ ଦେଖୁନାହାନ୍ତି ।”

 

ମୋତେ ସ୍ଵୀକାର କରିବାକୁ ପଡ଼ିଲା ଯେ, କଳାବଜାରରୁ ଏ ଜିନିସ୍ ସବୁ ସଂଗ୍ରହ କରିବା ଯେଡ଼ିକି ଅନ୍ୟାୟ, ମିଛ ଦରଖାସ୍ତ ଲେଖିବା ତା’ ଠାରୁ ବଡ଼ ଅନ୍ୟାୟ ନୁହେଁ ।

 

ଦାସେ କହିଲେ, “ଚାରିଆଡ଼କୁ ଚାହିଁଲେ ଦେଖିବେ, ସରକାରଙ୍କ ଯୋଗୁଁହିଁ ଲୋକେ ନ୍ୟାୟ ଅନ୍ୟାୟର ଯେଉଁ ବାଛବିଚାର ପାରମ୍ପରିକ ରୀତିରେ କରିଆସୁଥିଲେ ତାହା ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି । ଭାଗଚାଷ ଆଇନଟି କଥା ବିଚାର କରନ୍ତୁ । ଏହାଦ୍ଵାରା ଜମିମାଲିକ ଓ ଭାଗଚାଷୀ ଉଭୟଙ୍କୁ ମିଛ ମକଦ୍ଦମା କରିବାକୁ ପ୍ରଶ୍ରୟ ଦିଆହେଉଛି । ବର୍ଷେ ଖଣ୍ଡେ ହେଲା ଜମି ଚଷୁଥିବା ଭାଗଚାଷୀ କହୁଛି, ସେ ୧୯୫୫ରୁ ଜମି ଧରିଲାଣି । ୧୯୫୫ରୁ ଭାଗ ଲଗାଇଥିବା ଜମିକୁ, ମାଲିକ ଦାବି କରୁଛି ଆରବର୍ଷ ହାତ ଚାଷରେ ରଖିଥିଲା ବୋଲି । ଉଭୟ ପକ୍ଷର ମିଛକୁ ତାଉ ଦେବାପାଇଁ ଓକିଲ ଅଛନ୍ତି ।

 

“ପୁଣି, ଲୋକେ ଆଖିରେ, ଓ ଖବରକାଗଜ ଜରିଆରେ ବଡ଼ବଡ଼ଲୋକଙ୍କର ରୀତି ଦେଖୁଛନ୍ତି । ବିଧବା, ବୟସ୍କା ମହିଳା କ୍ଷମତାରେ ରହି ପରପୁରୁଷଠାରୁ ବହୁମୂଲ୍ୟ ପରିଚ୍ଛଦ ଉପହାର ନେଇ କଥା ପଡ଼ିଲା ବେଳକୁ ଫାଙ୍କୁଛନ୍ତି; କେନ୍ଦ୍ରମନ୍ତ୍ରୀ ବିରଳା କମ୍ପାନୀରୁ ଚୋରାରେ ଦରମା ନେଇ ତାଙ୍କୁ ପରମିଟ୍, ଲାଇସେନ୍‌ସ୍ କରାଇ ଦେଉଛନ୍ତି ବୋଲି ପ୍ରମାଣ କାଗଜପତ୍ରରୁ ବାହାରିଲା ବେଳକୁ, ନିଜେ ନାନାବିଧ ଦୁର୍ନୀତିରେ ଜର୍ଜରିତା ପ୍ରଧାନମନ୍ତ୍ରୀ ସହକର୍ମୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ବସୁଛନ୍ତି । ଯେ ଦୁଇମାସ ହେଲା ଆମ ରାଜ୍ୟରେ ମନ୍ତ୍ରୀ ହୋଇଛନ୍ତି ସେମାନେ ଦୁଇ ହାତରେ ପଇସା ସାଉଁଟିବାରେ ଲାଗିଗଲେଣି । ଏ ପରିସ୍ଥିତିରେ ନ୍ୟାୟ ଅନ୍ୟାୟର ମାପକାଠି ଧରି ପିଲେ ଚଳିବେ ବୋଲି ଆଶା କରିବା ବୃଥା ।”

 

ମୁଁ କହିଲି, “ତେବେ ତ ଆମ ନାତିଙ୍କ ଅମଳରେବି ଦୁର୍ନୀତି ଦୂର ହେବ ନାହିଁ । ଏ ଦେଶର ଅବସ୍ଥା ତେବେ କ’ଣ ବଦଳିବାର ଆଶା ନାହିଁ ?”

 

ଦାସେ କହିଲେ, “ନାତିଙ୍କ ଅମଳରେ କାହିଁକି, ଅଣନାତି ପଣନାତିଙ୍କ ଅମଳରେବି ଦୁର୍ନୀତି ଦେଶରୁ ମୂଳୋତ୍ପାଟିତ ହେବ ବୋଲି ମୁଁ ମନେ କରୁନାହିଁ; ଆମ ଅଣ-ଗୋସିଁ ବାପ, ପଣ-ଗୋସିଁ ବାପଙ୍କ ଅମଳରେବି ଦୁର୍ନୀତି ଥିଲା । ବର୍ତ୍ତମାନ ଏହାର ମାତ୍ରା ବଢ଼ିଯାଇଛି–ଏତିକିମାତ୍ର ପ୍ରଭେଦ ।”

 

ମୁଁ କହିଲି, “ସେଇ ଯୋଗୁଁ ତ ଦେଶ ରସାତଳକୁ ଯାଉଛି ବୋଲି ମୁଁ କହୁଛି ।”

 

ସେ କହିଲେ, “ଦେଶ ରସାତଳକୁ ଯିବା କାହା ହାତରେ ନାହିଁ, ଏହା ବିଧାତାଙ୍କ ହାତରେ–ଏତିକି ବିଶ୍ୱାସ ହେଲେ, ଅବସ୍ଥା ଯେଡ଼େ ଅନ୍ଧାର ଦିଶୁଛି, ସେତେ ଦିଶିବ ନାହିଁ । ଦୁର୍ନୀତି କଲେ ପୋଷାଉ ନାହିଁ ବୋଲି ଯେଉଁ ଦିନ ଦୁର୍ନୀତିଗ୍ରସ୍ତ ଲୋକେ ବୁଝିବେ ସେଇଦିନ ପୁଣି ଦେଶର ଦୁର୍ଗତି ଦୂର ହେବାର ବାଟ ଫିଟିବ । ଯେ ନ ବୁଝିବେ, ସେଇ କେତେଜଣ ମାତ୍ର ରସାତଳକୁ ଯିବେ, ଯେପରି ଆମ ଆଖି ଆଗରେ କଂଗ୍ରେସବାଲା ଯାଇଛନ୍ତି ।”

 

ମୁଁ କହିଲି, “ଯେ ରହିଛନ୍ତି, ସେ ତ ବିରିମାଡ଼ ଦେଖି କୋଳଥ ପରି ଚେପା ହେଉନାହାନ୍ତି-!”

 

ଦାସେ କହିଲେ, “କଂଗ୍ରେସବାଲାଙ୍କ ଦୁର୍ନୀତି ବିରୁଦ୍ଧରେ ଯେଉଁମାନେ ସଂଗ୍ରାମ କରି ଏବେ ହାତକୁ କ୍ଷମତା ନେଇଛନ୍ତି ସେମାନଙ୍କୁବି ତ କଂଗ୍ରେସବାଲାଙ୍କ ରୋଗ ସଂକ୍ରମିବାର ଦେଖାଗଲାଣି । ନିଜେ ରୋଗଗ୍ରସ୍ତ ହୋଇ ଅନ୍ୟମାନଙ୍କ ରୋଗ ଛଡ଼ାଇବାକୁ ବଇଦ ମୁଣି ଧରି ବୁଲିଲେ କିଛି ଫଳ ହେବ ନାହିଁ । ଉପରେ ଥିବା ଲୋକଙ୍କ ଆଚରଣ ଶୁଦ୍ଧି ହେଲେ, ଦୁର୍ନୀତି ଆପେଆପେ ଚପିଯିବ, ଏବଂ ତଳସ୍ତରରେ ଯେଉଁଠାରେ ରହିବା କଥା ସେଇଠାରେ ଯାଇ ରହିବ । ତାହା ନ ହେବା ପର୍ଯ୍ୟନ୍ତ ଜୀବନ ସ୍ରୋତର ଭଉଁରୀରେ ଦେଶ ପଡ଼ି ଶିଙ୍ଗିବୁଡ଼ା ଖାଉଥିବ ।”

 

ମୁଁ କହିଲି, “ସେଇଠି ତ ଶେଷ ।”

 

ସେ ପ୍ରତିବାଦ କଲେ, “ଭଉଁରୀରେ ପଡ଼ିବା ମଣିଷଙ୍କ ଭିତରୁ ଶହେକେ ପଚାଶ ବର୍ତ୍ତିଯାନ୍ତି । ସମଗ୍ର ଦେଶଟା ଶେଷ ହେବ କାହିଁକି ? ଖଣ୍ଡିଆଖାବରା ହୋଇ ଏହା ପୁଣି ବାହାରିବ ଓ ଆଗରେ ଭଉଁରୀରେ ପଡ଼ିବା ପର୍ଯ୍ୟନ୍ତ ପୁଣି ସ୍ରୋତରେ ଭାସି ଆଗେଇବ । ଏଇ ତ ସଂସାରର ରୀତି । ପୂର୍ବେ ଏ ଦେଶ ବହୁତ ଭଉଁରୀରୁ ବର୍ତ୍ତିଛି; ଏ ଭଉଁରୀରୁବି ବର୍ତ୍ତିବ ବୋଲି ବିଶ୍ୱାସ କରିବାଇ ଆମର ଧର୍ମ ।’’

 

ମୁଁ ଏହା ଭଲ କରି ବୁଝି ନ ପାରିଲେବି ତୁନି ହେଲି; ସେତେବେଳକୁ ସନ୍ଧ୍ୟା ଲାଗି ଆସୁଥାଏ ।

 

(୨)

 

ଦାସଙ୍କ ଗାଁରେ ପହଞ୍ଚି ସ୍ଥାନୀୟ ଦେବମନ୍ଦିରରେ ଆହାରର ବ୍ୟବସ୍ଥା କରିବି ବୋଲି ଯୋଜନା କରୁଥିଲି । ମୁଁ ଅନ୍ୟତ୍ର ଖାଇବାକୁ ଇଚ୍ଛାକରେ ନାହିଁ ବୋଲି ବୁଝି ମହାପାତ୍ରେ ମହାଦେବ ମନ୍ଦିରର ପୂଜାରୀଙ୍କ ସଙ୍ଗେ କଥାବାର୍ତ୍ତା କରିବେ ବୋଲି କହିଥିଲେ । ଦାସେ ଏକଥା ଶୁଣି କହିଲେ, ‘ଦେବମନ୍ଦିର ବ୍ୟତୀତ ଅନ୍ୟ କୌଣସିଠାରେ ଆହାର କରିବେ ନାହିଁ ବୋଲି ଯଦି ବ୍ରତ ଥାଏ, ଅଲଗା କଥା । ଆମ ଏଇଠାରେ କୌଣସିମତେ ଗଣ୍ଡେ ଫୁଟେଇବାର ବ୍ୟବସ୍ଥା କଲେ ଆପଣଙ୍କୁ ସୁବିଧା ହେଉ କି ନ ହେଉ, ଆମକୁ ସୁବିଧା ।’

 

ମହାପାତ୍ରେ ଜବାବ ଦେଲେ, ‘ହଁ, ତୁମ ଘର ରୋଷେଇଠାରୁ ଠାକୁର ମନ୍ଦିରରେ ଭଲ ହେବ, ଏଥିରେ ଆଉ ସନ୍ଦେହ କ’ଣ ? ବାରବୁଲାବାବୁ ଯଦି ତୁମ ଘରେ ଖାଇବାକୁ କଷ୍ଟ ସ୍ଵୀକାର କରିବେ, ତେବେ ମୁଁ ମଧ୍ୟ ସଙ୍ଗମେଳରେ ସେ କଷ୍ଟ ସ୍ଵୀକାର କରିବାକୁ ରାଜି । ଆମ ଘରେ ଗୃହିଣୀ ଯେଉଁ ତିନି ତିଅଣ ଚାରିଭଜା କରିବେ, ତାହାର ଲୋଭସମ୍ବରଣ କରିବାକୁ ପଡ଼ିବ ।’

 

ଦାସେ ଖୁବ୍ ହସିଲେ, କହିଲେ, ‘ଆରେ ହଁ ତ, ତୁମର ତ ସୁଖୀ ପରିବାର ! ଏ ଓଳିଟା ଆମ ଏଠାରେ ଚଳିଯାଉ, କାଲି ତୁମ ଗୃହିଣୀଙ୍କ ଆତିଥ୍ୟ ଗ୍ରହଣ କରିବା । ମୁଁ ବି ରନ୍ଧାବଢ଼ାରେ ତାଙ୍କୁ ଟିକିଏ ସାହାଯ୍ୟ କରିବି ।’

 

ପରେ ଜାଣିଲି, ମହାପାତ୍ରେ ବିପତ୍ନୀକ । ସାତବର୍ଷ ହେଲା ତାଙ୍କ ସହଧର୍ମିଣୀ ତାଙ୍କର ଅଗ୍ରଗାମିନୀ ହୋଇ ଆର ପୁରରେ ତାଙ୍କପାଇଁ ବସା ଛଞ୍ଚା ବ୍ୟବସ୍ଥା କରିବାକୁ ଯାଇଛନ୍ତି ବୋଲି ମହାପାତ୍ରଙ୍କଠାରୁ ଶୁଣିଲି । ବିବାହର ଫଳପୁଷ୍ପ ଦୁଇଟି ପୁଅ ଓ ଗୋଟିଏ ଝିଅ । ଝିଅଟି ତା’ ସ୍ୱାମୀ ସଙ୍ଗରେ ଗୋଟିଏ ଚାକିରି ଜାଗାରୁ ଆଉ ଗୋଟିକୁ ବଦଳି ହେବାରେ ଲାଗିଛି । ଗତ ଦେଢ଼ବର୍ଷରେ ତାଙ୍କର ହେଲାଣି ତିନି ଜାଗା । ଏବେ ଯାଇ ପହଞ୍ଚିଛନ୍ତି କୋରାପୁଟର ମାଲକାନଗିରିରେ । ମହାପାତ୍ରେ କହନ୍ତି, ‘ଏଇଥର ତାଙ୍କ ହାଣ୍ଡିରେ କଳା ପଡ଼ିବ । ଏ ସ୍ଥାନକୁ ଲୋଭେଇ କୌଣସି ପ୍ରତିଦ୍ୱନ୍ଦ୍ୱୀ ଭୁବନେଶ୍ଵରରେ କଳ ମୋଡ଼ିବାର ସମ୍ଭାବନା କମ୍ ।’ ବୁଝିଲି, ମହାପାତ୍ରଙ୍କ ଜ୍ଵାଇଁବାବୁଟି ଟିକିଏ ନିରୀହ ହୋଇଥିବାରୁ ମନ୍ତ୍ରୀଙ୍କ ପାର୍ଶ୍ଵଚରଙ୍କୁ ହାତ କରିପାରନ୍ତି ନାହିଁ ।

 

ଆଉ ପୁଅ ଦୁଇଟି–ଦୁହେଁ ବିବାହିତ, ସନ୍ତାନସନ୍ତତି ଯୋଡ଼ିଏ ତିନୋଟି ଲେଖାଏଁ ହେଲେଣି । ବଡ଼ ବୋହୂ ଚାରି ମାସ ଶ୍ୱଶୁରଙ୍କ ସେବା କରିବାକୁ, ଅର୍ଥାତ୍ ଶ୍ୱଶୁରଙ୍କ ସେବା ଗ୍ରହଣ କରିବାକୁ ବଡ଼ କଷ୍ଟରେ ରାଜି ହୋଇଥିଲେ, କିନ୍ତୁ ଚାରିମାସଯାକ ତାଙ୍କ ନିଜ ଦେହ ଭଲ ରହିଲା ନାହିଁ । ନାତିନାତୁଣୀ ଜେଜେଙ୍କ ପାଖ ନ ଛାଡ଼ିବାକୁ ଯେତେ କାନ୍ଦିଲେବି ବାଧ୍ୟହୋଇ ତାଙ୍କୁ ଖଡ଼ଗପୁରରେ ସ୍ୱାମୀଙ୍କ ରେଳବାଇ କଲୋନିରେ ରହିବାକୁ ହେଲା । ବିରକ୍ତିରେ ଦାସେ କହନ୍ତି, “କୋଇଲା ଧୂଆଁଦ୍ୱାରା ବିଶୋଧିତ ବାୟୁ ସେବନ କଲେ ବଡ଼ ବୋହୂଙ୍କର ସ୍ୱାସ୍ଥ୍ୟ ଭଲ ରହେ ।’’ ଆଉ ଦ୍ୱିତୀୟ ବୋହୂ, ସେ ତ ଦିନେହେଲେ ମହାପାତ୍ରେ ବା ମହାପାତ୍ରାଣୀଙ୍କ ପାଖରେ ଚଳିନାହାନ୍ତି-। ମଫସଲ ଗାଁରେ ପାଣିମୁନ୍ଦେ, ପବନ ଟିକେ ମିଳିବ ନାହିଁ, ରହନ୍ତେ କିମିତି ।

 

ମହାପାତ୍ରଙ୍କୁ ନିଜେ ରୋଷେଇ କରିବାକୁ ପଡ଼େ । ମହାପାତ୍ରେ ଆପଣେ ରୋଷେଇ ପ୍ରକ୍ରିୟାକୁ ବଡ଼ ସରଳ କରିଦେଇଛନ୍ତି । ଦିନେ ଗୋଟାଏ ବଡ଼ ହାଣ୍ଡିରେ ଚାରି ତଉଲା ପର୍ଯ୍ୟନ୍ତ ଚାଉଳ ଫୁଟାଇ ଦିଅନ୍ତି । ସେଇ ଓଳିକ ତବତଭାତ ଖିଆ ହୁଏ, ଟିକିଏ ପାଣିଆ ତିଅଣ ସହିତ । ତା’ପରେ ହାଣ୍ଡିରୁ ଭାତ ସରିବା ପର୍ଯ୍ୟନ୍ତ ଚାଲେ ପଖାଳ, ସାଙ୍ଗକୁ ଶାଗଖରଡ଼ା କିମ୍ଵା ଆଳୁ ପୋଡ଼ା-

 

ମହାପାତ୍ରଙ୍କର ପୌତୃକ ଓ ସ୍ଵୋପାର୍ଜିତ ହୋଇ ପ୍ରାୟ ପଚାଶ ଏକର ଜମି–ସବୁ ହାତ ଚାଷ । ପ୍ରତିବର୍ଷ ଅନ୍ତତଃ ଶହେ ଭରଣ ଧାନ ବିକନ୍ତି ।

 

ଏସବୁ ପ୍ରଥମେ ଶୁଣିଲାବେଳେ ୟାଙ୍କୁ ‘ଯଖ’ ବୋଲି ମନେମନେ ବିଚାରିଥିଲି । ପ୍ରଥମେ ମନକୁ ଦଖଲ କରିଥିବା ଧାରଣା ସମୂଳେ ଉପାଡ଼ିବାକୁ ବେଳ ଲାଗୁଛି । କିନ୍ତୁ ଦାସଙ୍କଠାରୁ ଶୁଣିଛି, ଧାନ ବିକ୍ରି ହେବା ବେଳ ହେଲେ ଦୁଇ ପୁଅଯାକ କ୍ୟାଜୁଏଲ ଛୁଟି ନେଇ ଚାଲି ଆସନ୍ତି ଓ ଧାନ ବିକା ଟଙ୍କାତକ ବାଣ୍ଟିକୁଣ୍ଟି ଘେନିଯାନ୍ତି । ଯାହା ବଳକା ରହେ ସେଥିରେ ମହାପାତ୍ରଙ୍କ ଖୁରାକି ଚଳେ ଓ ଚାଷଖର୍ଚ୍ଚ ହୁଏ ।

 

ଏ ଗାଁ ଛାଡ଼ିବାର ଦିନେ ଦୁଇଦିନ ପୂର୍ବରୁ ମହାପାତ୍ରଙ୍କ କୃପଣତାର ଚାକ୍ଷୁଷ ପ୍ରମାଣ ପାଇଲି । ଦାଣ୍ଡକୁ ଭିକାରିଟିଏ ଆସିଲେ, ସେ ପାଟି କରିବାର ଶୁଣିଥାଏ, ‘ଏଗୁଡ଼ାକ ମଣିଷକୁ ବସେଇ ଉଠେଇ ଦେବେ ନାହିଁ । ଟିକିଏ ବନ୍ଧୁମେଳରେ କଥାବାର୍ତ୍ତା ହୋଇ ବସିବ ତ ଦାଣ୍ଡଦୁଆରେ ଆସି ହାଜର ।’ ବିଚରା ଭିକାରିଟିମାନ ପଦେ ଉତ୍ତର ନ ଦେଇ ଚାଲିଯାନ୍ତି । ମହାପାତ୍ରଙ୍କୁ ଲୁଚାଇ ଜଣେ ଦୁଇଜଣଙ୍କୁ ଦୋ-ପଇସି ଗୋଟାଏ ପକେଇ ଦେବାକୁ ମୁଁ ଥରେ ଅଧେ ଚେଷ୍ଟାବି କରିଥାଏ । ମନେମନେ ବିଚାରେ, ‘ଲୋକଟାର କଥାଗୁଡ଼ାକ ଏଡ଼େ ସରସ, କିନ୍ତୁ ମନଟା କେଡ଼େ ସଂକୀର୍ଣ୍ଣ !’ ଅତିଥି ଭଗ୍ନାଂଶ ହୋଇ ଫେରିଯିବା ଯେ ମହାପାପ ! ତାଙ୍କ ମହାପାପ କଥା ଚିନ୍ତା କଲାବେଳେ, ମୋର ଖିଆଲ ନଥିଲା ଯେ ଲୋକଙ୍କୁ ଭଲ କରି ନ ଦେଖି ନ ଚିହ୍ନି, ତାଙ୍କ ବିଷୟରେ ଗୋଟାଏ ଧାରଣା କରିବାର ମହାପାପ ମୁଁ କରି ବସିଛି । ଏ ଯୁଗରେ ୟାକୁ ପାପ ବୋଲି କେହି ବିଚାରୁ ନାହାନ୍ତି । ଇଂରେଜଙ୍କ ଅମଳରେ, ନିଜ କୋଠରୀର ଝରକାବାଟେ ଆମ ଦେଶକୁ ଚାହିଁ ଦେଇ, ମୌଲବୀଙ୍କ ମୁହଁରୁ ଆମ ଶାସ୍ତ୍ରର ତର୍ଜମା ଶୁଣି, ସାହେବ ସିଭିଲିଆନ୍‌ମାନେ ଆମ ଧର୍ମ ଓ ସଂସ୍କୃତି ବିଷୟରେ ପ୍ରକାଣ୍ଡ ପୁସ୍ତକମାନ ଲେଖିଯାଇଥିଲେ, ଯାହାକି ଏବେ ସୁଦ୍ଧା ଆମ ପିଲାଙ୍କର ପାଠ୍ୟପୁସ୍ତକ ହୋଇଛି । ଏବେ ତ ଆମେରିକୀୟ ପର୍ଯ୍ୟଟକମାନେ ଉଡ଼ାଜାହାଜ ଉପରୁ ଓ ଉଡ଼ାଜାହାଜ ଷ୍ଟେସନ୍‍ର ବିଶ୍ରାମଗାରରେ ଭାରତକୁ ଦେଖି, ପ୍ରାମାଣିକ ସନ୍ଦର୍ଭମାନ ଆମ ହିତାର୍ଥେ ପ୍ରକାଶ କରୁଛନ୍ତି । ଏ କଥା ଓ ମୁଁ ଏ ଗାଁ ଛାଡ଼ିଲା ପୂର୍ବରୁ ମହାପାତ୍ରଙ୍କୁ ‘ଆବିଷ୍କାର’ କରିବା କଥା ପଛକୁ ରହୁ ।

 

ସେଦିନ ରାତିଓଳି ଆମେ ଖାଇ ବସିଲୁ ତିନିଜଣ–ଦାସେ, ମହାପାତ୍ରେ ଓ ମୁଁ । ଆମ ଦୁହିଁଙ୍କପାଇଁ ବଢ଼ା ହୋଇଥାଏ ରୁଟି, ତରକାରୀ ଓ ଦୁଧ; କିନ୍ତୁ ଦାସଙ୍କପାଇଁ ବଢ଼ା ହୋଇଥାଏ କଂସାଏ ପଖାଳ ଓ ଗୋଟିଏ ବଡ଼ ଗିନାରେ ଗଅଁଠଗିନେ ସନ୍ତୋଳା । ଖାଦ୍ୟର ପରିମାଣ ଅସ୍ୱାସ୍ଥ୍ୟର ସୂଚନା ଦେଉନଥାଏ । ସନ୍ତର୍ପଣରେ ଏ ପାତ୍ର ଅନ୍ତରର କାରଣ ପଚାରିବାରେ ମହାପାତ୍ରେ କହିଲେ, ‘ପ୍ରାୟ ବର୍ଷେ ହେଲା ଦାସେ ଆପଣେ ଖାଦ୍ୟ ବଦଳାଇଛନ୍ତି । ଆଗେ ରାତିବେଳା ରୁଟି, ପରଟା ବା ଲୁଚି ଖାଉଥିଲେ । ଠା’କୁ ଦି’ଠା ତିଅଣ ହେଉଥିଲା ଦୁଧ ପାଏ ମଧ୍ୟ ପିଉଥିଲେ । ବର୍ତ୍ତମାନ ରାତିଓଳି ପଖାଳ, ସନ୍ତୋଳା, ସକାଳଓଳି ଭାତ ସଙ୍ଗେ ଠାଏ ତିଅଣ ।’

 

ମୁଁ କହିଲି, “ରାତିଓଳି ବୃଦ୍ଧଶରୀର ପକ୍ଷରେ ରୁଟି, ବିଶେଷ କରି ଖଳିରୁଟି ଭଲ ବୋଲି ଡାକ୍ତରମାନେ କହନ୍ତି ।”

 

ଏକଥାର ସମର୍ଥନ ମିଳିଲା ଆମେ ଯେଉଁ ବାରଣ୍ଡାରେ ବସି ଖାଉଥିଲୁ ତାକୁଇ ଲାଗିଥିବା ଘର ଭିତରକୁ “ଯେତେ ଶୁଣିଲେ କ’ଣ ହେଉଛି । ଡାକ୍ତର ତ ୟେ ନିଜେ । ମଣିଷ ବୟସକୁ ଚାହିଁ ସିନା ସବୁ କରେ ! ୟାଙ୍କର ସବୁ ଓଲଟା । ଶୁଣ, ଶୁଣ, ସମସ୍ତେ କ’ଣ କହୁଛନ୍ତି ।”

 

ମହାପାତ୍ରେ ଜବାବ ଦେଲେ, ‘ଭାଉଜ ! ଅଦୃଶ୍ୟ ଥାଇ କାହିଁକି ଶର ନିକ୍ଷେପ କରୁଛ ? ସମ୍ମୁଖ ସମରକୁ ଆସ ।’

 

ଦାସେ କହିଲେ, ‘ୟେ ଯେଉଁ ବାବୁ ଆସିଛନ୍ତି, ୟେ ତୁମ ଝିଅଠାରୁ ଟିକିଏ ବଡ଼ ହୋଇ ପାରନ୍ତି । କିନ୍ତୁ ଜୋଇଁଠାରୁ ନିଶ୍ଚୟ ସାନ । ଦେଖାଦେଲେ କୌଣସି ବିପଦ ନାହିଁ । ପାଟି ତ ଆର ସାଇକୁ ଶୁଭୁଥିବ, ଦେଖା ଦେବାକୁ କୁଣ୍ଠା କାହିଁକି ?”

 

ଭିତରୁ ଜବାବ ଆସିଲା, ମୁଁ ସବୁଦିନେ ଆଉ ବୋହୂ ହୋଇ କୋକିଳ ପରି ଭାଷୀ ପାରିବି ନାହିଁ ।’

 

ମହାପାତ୍ରେ କହିଲେ, ‘ସାଧୁ, ସାଧୁ ! ତୁମେ ବୋହୂ ନ ହୋଇ ଆମ ଆଗକୁ ବାହାରିବା ତ ଆମେ ଚାହୁଁ । କାଲି ତିନିଜଣ ଏକାଠି ହେଲୁ ଚାରିଜଣ ନ ହେବାରୁ ଖେଳ ବାଜିଏ ହୋଇ ପାରିଲା ନାହିଁ । ତୁମେ ପରଦା ପ୍ରଥା ଛାଡ଼ିଲେ ସେ ଅସୁବିଧା ରହନ୍ତା ନାହିଁ ।’

 

ଭିତରୁ ଯେଉଁ ଶବ୍ଦଟା ଆସିଲା ତାହା ଗାଳି ବୋଲି ମନେ ହେଲା । ଉକ୍ତି-ପ୍ରତ୍ୟୁକ୍ତି ଏତିକିରେ ଶେଷ ହେବାରୁ ମୁଁ ପୁଣି ‘ରାତିଓଳି ରୁଟି’ କଥା ପକାଇଲି ।

 

ଦାସେ କହିଲେ, ହଁ, ଶୁଣିଛି, ଡାକ୍ତରମାନେ ରାତିଓଳି ପାଇଁ ରୁଟି-ପଥ୍ୟ ବ୍ୟବସ୍ଥା କରନ୍ତି-। ତଦନୁସାରେ ମୁଁ ବି ଅନେକ ଦିନ ରୁଟି ଖାଇଛି । କିନ୍ତୁ ଗତ ବର୍ଷର ଅଭିଜ୍ଞତାରୁ ଜାଣୁଛି ବୃଥାରେ ରୁଟିପାଇଁ ସମସ୍ତଙ୍କୁ ଦହଗଞ୍ଜ କରୁଥିଲି ।

 

ପୁଣି ଭିତରୁ ଜବାବ ଆସିଲା, “ତୁମେ ନ ଖାଉଛ ବୋଲି ତ ଆଉ କାହାରି କିଛି ଦହଗଞ୍ଜ ନାହିଁ । ପିଲେ ତ ପୁଣି ରୁଟି ଖାଉଛନ୍ତି । ତାଙ୍କ ସଙ୍ଗେ ତୁମେ ଖଣ୍ଡେ ଖାଇ ନ ଦେଇ ବରଂ ଦହଗଞ୍ଜ କରୁଛ ।”

 

ଏ କଥାର ପ୍ରତ୍ୟକ୍ଷ ଉତ୍ତର ନ ଦେଇ ଦାସେ ପୁଣି କହିଲେ, ‘ମୁଁ ଅନୁଭବ କରୁଛି, ଗତ ବର୍ଷକଯାକ ମୋର ସ୍ୱାସ୍ଥ୍ୟ ବେଶ୍ ଭଲ ରହିଛି । ମୁଁ ତ ଅନୁଭବ କରୁଛି, ଆମ ଏ ଦେଶରେ ରାତିଓଳି ପଖାଳ ପୁଞ୍ଜିଏ ଖାଇଲେ ଦେହ ଭଲ ରହୁଛି । ମୋର ବାପ, ଗୋସିଁ ବାପବି ପଖାଳ ଖାଉଥିଲେ ।’

 

ମୁଁ କହିଲି, ‘ପୂର୍ବର ସେ ଖାଦ୍ୟ ଅଭ୍ୟାସ ଆଉ କ’ଣ ଅଛି ? ଆମ ଆଡ଼େ ଖୁବ୍ କମ୍ ଲୋକଙ୍କର ରାତିଓଳି ଭାତ ରନ୍ଧା ହେଉଥିଲା । ଆଜିକାଲି ଦିଓଳି ଭାତ ରନ୍ଧା ହେଉନଥିବା ଘର ଗୋଟିଏବି ନାହିଁ ।’

 

ଦାସେ କହିଲେ, ‘ଏ ପରିବର୍ତ୍ତନର ଫଳ କ’ଣ ହୋଇଛି ? ଲୋକେ ଅଧିକ ସୁସ୍ଥ ବା ସବଳ ହୋଇଥିବାପରି ତ ଆଖିକୁ ଦିଶୁ ନାହିଁ । ଦେଶରେ ଜାଳେଣି କାଠର ଘୋର ଅଭାବ ପଡ଼ିଲାଣି ।’

 

ମହାପାତ୍ରେ କହିଲେ, ‘ଖାଲି କ’ଣ ପଖାଳ ଛାଡ଼ିବାରୁ ରୋଗ ବଢ଼ିଛି ? କାଠ ଯାହା ଖର୍ଚ୍ଚ କରୁଥାଇଁ ସେତକ ଭରଣା କରିବାକୁ ନୂଆ ଗଛ ତ ଲାଗୁନାହିଁ, କାଠ ଆସିବ କୁଆଡ଼ୁ ।’

 

ଦାସେ କହିଲେ, ‘ସେ କଥା ସତ । ମୁଁ କହୁନାହିଁ ଯେ, ଖାଦ୍ୟ ଅଭ୍ୟାସ ବଦଳିବା ରୋଗର ଏକମାତ୍ର କାରଣ । କିନ୍ତୁ ଏହା ଯେ ଗୋଟିଏ ପ୍ରଧାନ କାରଣ, ଠିକ୍ ଭାବରେ ଗବେଷଣା କଲେ ଜଣାଯାନ୍ତା । ମୁଁ ଥରେ ମୋଦ୍ଵାରା ପରିଚାଳିତ ଗୋଟିଏ ସ୍କୁଲ୍‍ରେ ୧୦ ଜଣ ପିଲାଙ୍କୁ ରୁଟି ଓ ଦଶଜଣ ପିଲାଙ୍କୁ ପଖାଳ ଏକାଦିକ୍ରମେ ଦୁଇମାସ ଖୁଆଇଥିଲି । ଦୁଇ ମାସ ପରେ ପରୀକ୍ଷା କରି ଡାକ୍ତର ସ୍ୱୀକାର କରିଥିଲେ ଯେ, ପଖାଳଖିଆ ପିଲାଗୁଡ଼ିକ ରୁଟି ଖିଆଙ୍କ ଅପେକ୍ଷା ଓଜନରେ ବଢ଼ିଥିଲେ ।’

 

ଗବେଷଣାର ରୀତିକୁ ମୁଁ ମନେମନେ ପସନ୍ଦ କଲି । ଆଜିକାଲି ଆମ ଦେଶରେ, କୌଣସି କାର୍ଯ୍ୟର ଫଳ ପରୀକ୍ଷା କରି ଦେଖିବାକୁ କାହାର ଧୈର୍ଯ୍ୟ ନାହିଁ । ମୁଁ ଜାଣେ ମାଗଣା ମିଳୁଛି ବୋଲି ବିଦେଶରୁ ଆସୁଥିବା ଭିଟାମିନ୍‌ ବଟିକା ଆମ ପିଲାଙ୍କୁ ନିର୍ବିଚାରରେ ଦିଆଯାଉଛି । ସେଥିରୁ କେତେ ଅଂଶ ଶରୀର ଗ୍ରହଣ କରୁଛି ଓ କେତେ ଅଂଶ ମଳରେ ବହିର୍ଗତ ହୋଇଯାଉଛି ତାହା ଦେଖିବା କେହି ଦରକାର ମନେକରୁନାହାନ୍ତି । ଯେଉଁ ଅଂଶତକ ଶରୀରରେ ରହୁଛି ତାହା ଉପକାର କରୁଛି କି ଅପକାର କରୁଛି ସେ ସଂଶୟ ତ ମନରେ ନ ହେବାର କଥା । ଖବରକାଗଜ ପଢ଼ୁଥାଇଁ, କଳାବଜାରି ବେପାରୀମାନେ ବିଦେଶୀ ଔଷଧର ନାମ, ଜାଲ କରି ନିଜ ତିଆରି ଦୋଷଯୁକ୍ତ ଓଷଧ ଶିଶିରେ ମାରି ଦେଉଛନ୍ତି; ପୁଣି ପଢ଼ୁଥାଇଁ, ଆମେରିକାରେ ଯେଉଁ ଔଷଧରେ ଦୋଷ ବାହାରୁଛି ତାହା ସେ ଦେଶରେ ବ୍ୟବହାର କରିବାକୁ ନିଷେଧ କରାଯାଇଛି, କିନ୍ତୁ ତାହା ବିଦେଶକୁ ରପ୍ତାନି କରିବାକୁ ମନା ନାହିଁ । ଭିଖ ଚାଉଳ ଗନ୍ଧିଆ କି ଭଲ, ଭିକାରି ଯେପରି ପରୀକ୍ଷା ନ କରି ମୁଣିରେ ପକାଏ, ସେହିପରି ଦାନ ବା କରଜ ସୂତ୍ରରେ ବିଦେଶରୁ ଯାହା ଆସୁଛି ତାହା ଆମେ ଆଗ୍ରହରେ ଗ୍ରହଣ କରୁଥାଇଁ; ସେଭଳି ଔଷଧ ବା ଶିଶୁଖାଦ୍ୟ ବ୍ୟବସ୍ଥା କଲାବେଳେ ଆମ ଡାକ୍ତରମାନେ ଟିକିଏବି ସନ୍ଦିଗ୍‌ଧ ହେଉନାହାନ୍ତି । ଏଇଭଳି ଡାକ୍ତରଙ୍କ ମତକୁ ଦାସେ ଆପଣେ ପସରା ନ କରି ନିଜେ ଖାଦ୍ୟର ଯେଉଁ ପରୀକ୍ଷା ଚଳାଇଛନ୍ତି ତା’ ବିରୁଦ୍ଧରେ ଯୁକ୍ତିଯୁକ୍ତଭାବେ କିଛି କୁହାଯାଇପାରେ ବୋଲି ମୋତେ ଦିଶିଲା ନାହିଁ ।

 

ମୁଁ କେବଳ ଏତିକି କହିଲି, ‘ଆମେ ଯାହା ଖାଉଥାଇଁ ତଦ୍ଦ୍ୱାରା ଶରୀର ରକ୍ଷାର ସମସ୍ତ ଉପାଦାନ ମିଳୁଛି କି ନାହିଁ ତାହା ଦେଖିବା ଉଚିତ ।’

 

ଦାସେ କହିଲେ, ‘ତା’ ସଙ୍ଗେ ଆହୁରି ମଧ୍ୟ ଦେଖିବା ଉଚିତ, ଆମେ ଯାହା ଖାଉଥାଇଁ ତଦ୍ଦ୍ୱାରା ଆମ ଶରୀରର ଯନ୍ତ୍ରଗୁଡ଼ାଏ ଚାପ ଯେପରି ନ ପଡ଼େ । ସେ ଯନ୍ତ୍ର ସ୍ଵଚ୍ଛନ୍ଦରେ ପୁଣି ଆମ ଖାଦ୍ୟର ଉପଯୋଗ କରିପାରୁଛି କି ନାହିଁ ସେଥିପ୍ରତି ଧ୍ୟାନବି ଥିବା ଦରକାର ।’

 

ସେ ଠିକ୍ କ’ଣ କହିଲେ ସମଜି ନପାରି ମୁଁ ତୁନି ରହିଲି । ମହାପାତ୍ରେ କହିଲେ, ‘ଯଦି ବା ଚାପ ପଡ଼ିଲା ତେବେ ଡାକ୍ତର ତ, ସଜନାଗଛର ସଂବାଳୁଆ ପରି, ସାଲୁ ସାଲୁ ହେଲେଣି, ତାଙ୍କ ପରାମର୍ଶ ନେବାକୁ ହେବ । ତୁମେ ଜାଣଟି, ଆମ ଗୁରୁଦେବ ୮୦ ବର୍ଷ ବୟସରେବି ଶରୀର ରକ୍ଷାପାଇଁ ପ୍ରତ୍ୟହ ଗୋଟିଏ ଲେଖାଏଁ କୁକୁଡ଼ା ପାଞ୍ଚଟଙ୍କାରେ ଖାଉଛନ୍ତି; ତଦ୍ଦ୍ଵାରା ଶରୀର ଉପରେ ଯେଉଁ ଚାପ ପଡ଼ୁଛି ତାହା ଦୂର କରିବାପାଇଁ ପ୍ରତ୍ୟହ ସାତ ଟଙ୍କାର ଔଷଧ ଘେନୁଛନ୍ତି । ଅଙ୍ଗପ୍ରତ୍ୟଙ୍ଗ ଚଳୁନାହିଁ, ମସ୍ତିଷ୍କ ବିକୃତ ହୋଇଗଲାଣି, କିନ୍ତୁ ଦେହ ବେଶ୍ ହୃଷ୍ଟପୁଷ୍ଟ ଅଛି ।’

 

ଦାସେ ମୁଡ଼ୁକି ମୁଡ଼ୁକି ହସିଲେ, କିନ୍ତୁ କଥାଟାକୁ ବାଆଁରେଇ ଦେଇ କହିଲେ, ‘ମୁଁ ତୁମକୁ ସେଥର ରେଳରେ ଦେଖିଥିବା ଆମେରିକାନ୍ ସାହେବଙ୍କ କଥା କହିଛି ବୋଧହୁଏ ।’

 

ମହାପାତ୍ରେ ହଁ କଲେ । ମୁଁ ସେକଥାଟା ଶୁଣିବାକୁ ଆଗ୍ରହୀ ହେବାରେ ଦାସେ ଆପଣେ କହିଲେ, ‘ଅନେକ ଦିନ ହୋଇଗଲାଣି–ମୋର ଚାକିରି ବେଳର କଥା । ମୁଁ ଦିଲ୍ଲୀରୁ ଆସୁଥାଏ । ଧାନବାଦ ଷ୍ଟେସନ୍‍ରେ ଜଣେ ଆମେରିକାନ ସାହେବ ମୋ କାମରାକୁ ଉଠିଲେ; ସେତିକିବେଳେ ଟ୍ରେନ୍‌ର ଭୋଜନାଳୟରୁ ଲୋକ ଆସି ଚା’ ଯାଚିଲା । ମୁଁ ବରାଦ କଲି, ଆମ ଦୁହିଁଙ୍କପାଇଁ ଚା’ ଓ ଟୋଷ୍ଟ, ଆଗନ୍ତୁକ ଭଦ୍ରଲୋକଙ୍କର ମତ ନ ନେଇ । ଖାଦ୍ୟ ସରଞ୍ଜାମ ଆସିବାରେ ସେ ଖାଇସାରିଛନ୍ତି ବୋଲି ଆଗ ନାହିଁ କଲେ । କିନ୍ତୁ ଅବଶେଷରେ ଭଦ୍ରତା ଖାତିରରେ ଚା’ କପେ ମାତ୍ର ଗ୍ରହଣ କରିବେ ବୋଲି କହିଲେ । ମୁଁ ତାଙ୍କପାଇଁ ଚା’ ତିଆରି କରିବାକୁ ବସିବାରେ କହିଲେ, ମୁଁ ଖାଲି ନାଲି ଚା’ ଟିକିଏ ଖାଇବି । ଖୁବ୍ ଅଳ୍ପ ଚିନି ଦେବେ । ଦୁଧ ଖାଉ ନାହିଁ ।’ ୟାରି ଉପରେ ଆଲୋଚନା ପ୍ରସଙ୍ଗରେ ସେ କହିଲେ, ମୋତେ ହେଲାଣି ବାସ୍ତରିବର୍ଷ । ଶରୀରର ଯନ୍ତ୍ରଗୁଡ଼ିକର ଅବସର ନେବା ବେଳ ହୋଇଗଲାଣି । ଆପଣମାନଙ୍କ ପ୍ରୟୋଜନ ବା ମୋର ପ୍ରଯୋଜନରେ, ମୁଁ ସିନ୍ଧ୍ରିସାର କାରଖାନାର ବିଶେଷଜ୍ଞ ଇଞ୍ଜିନିଅର୍‍ଭାବେ ପୁନର୍ନିଯୁକ୍ତ ହୋଇଛି ସିନା, ମୋ’ ଶରୀରର ଯନ୍ତ୍ରପାତି ତ ଆଉ ତାଜା ହୋଇ ନାହାନ୍ତି । ସେମାନେ ଚାହାନ୍ତି, ତାଙ୍କ ଉପରେ ଚାପ, ଯେତେ ଦୂର ସମ୍ଭବ କମ୍ ହେଉ । ଦୁଧ ଖାଇଲେ ସେ ଚାପ ବଢ଼ିବ । ପାକଯନ୍ତ୍ର ଯେତେ ଶ୍ରାନ୍ତ ହେବ ସେଥିରେ, ଶରୀର ପୁଷ୍ଟ ହେବା ପରିବର୍ତ୍ତେ ଅଧିକ ଅନିଷ୍ଟ ହେବ ସିନା ।’

 

‘ଭଦ୍ରଲୋକଙ୍କର ସ୍ଵାସ୍ଥ୍ୟ ବେଶ୍ ଭଲ ଥାଏ । ମୁଁ ସେ କଥା ସୂଚାଇବାରେ ସେ କହିଲେ, ‘ଶରୀରର ଯନ୍ତ୍ରପାତିକୁ ମୁଁ ଖୁବ୍ ଅବସର ଦେଉଛି ବୋଲି ସୁସ୍ଥ ରହିଛି ।’ ଟିକିଏ ତୁନି ରହି ପୁଣି କହିଲେ, ‘ତା’ପରେ, ଦୁଧ ପିଲାଙ୍କର ଖାଦ୍ୟ, ତାଙ୍କର ହାଡ଼ ଟାଣ ହେବାକୁ ଦୁଧ ଦରକାର । ଆମର ଆଉ ଶରୀର ଗଠନର ବେଳ ନାହିଁ । ଆମେ ସୁଆଦ ଲାଗୁଛି ବୋଲି ଦୁଧ ଖାଉଁ । ତହିଁରୁ କେତେ ମଳ ସାଙ୍ଗେ ବାହାରିଯାଏ ଜାଣିବା ଦରକାର ।’ ‘ତାଙ୍କ ସଙ୍ଗେ କଥାବାର୍ତ୍ତା ହୋଇ ମୋ ମନରେ କେତେ କଥା ଖୋଲିଗଲା । ମୋ ଆଖିରେ ପଡ଼ିଲା, ଆମ ଦେଶରେ ମୋଟରେ ଯେତେ ଦୁଧ ଉତ୍ପନ୍ନ ହେଉଛି ତହିଁରେ ବେଶି ଭାଗ ଆମ ଦେଶର ବୁଢ଼ାମାନେ, ପିଲାଙ୍କପାଇଁ ନ ରଖି, ଚା’ରେ ପିଇଦେଉଛନ୍ତି । ଭଦ୍ରଲୋକ କହିଲେ, ‘ଆମେରିକାରେ ମୋ’ ବୟସର ଲୋକେ ଚା’ରେ ପ୍ରାୟ ଦୁଧ ଖାନ୍ତି ନାହିଁ ।’

 

ମହାପାତ୍ରେ କହିଲେ, ‘ତୁମେ ତ ସେଇଦିନୁଁ ଏକାବେଳକେ ଚା’ ଛାଡ଼ିଦେଇଛି ।’

 

ଦାସେ କହିଲେ, ‘ମୁଁ ବି ଅନୁଭବ କଲି ଯେ, ଶୀତପ୍ରଧାନ ଦେଶ କଥା ଯାହା ହେଉ ଆମ ଦେଶରେ ଅକାଳେସକାଳେ ଗରମ ଚା’ଗୁଡ଼ାଏ ଗିଳି ପାକସ୍ଥଳୀ ଉପରେ ଉପଦ୍ରବ ହେଉଛି । ଏଣେ ଏଇ ଚା’ ଟିକକପାଇଁ ସପ୍ଲାଇ ଅଫିସ୍‍ରେ ମିଛ ପର୍ଯ୍ୟନ୍ତ ଦରଖାସ୍ତ ଦେବାକୁ ପଡ଼ୁଛି । ମୁଁ ତ ଚା’ ଛାଡ଼ିବାର ପ୍ରାୟ ଦେଢ଼ବର୍ଷ ହେଲାଣି । କିଛି କ୍ଷତି ହେବାର ଲକ୍ଷ୍ୟ କରୁଛ ?’

 

ମହାପାତ୍ରେ କହିଲେ, ‘କ୍ଷତିର କଥା ଦୂରେ ଥାଉ, ଏଠାରେ ଯେତେ କପ୍ ବିତରଣ ହେଉଛି, ସେଇତକ ଯଦି ତୁମ ଚା’ ଛାଡ଼ିବା ସାଙ୍ଗେ ବନ୍ଦ ହୋଇଥାନ୍ତା ତେବେ ମାଣେ କୁଣେ ଜମି କିଣି ସାରନ୍ତୁଣି ।’

 

ଉତ୍ତର ଆସିଲା ଅଦୃଶ୍ୟରେ ଥିବା ଦେବୀଙ୍କଠାରୁ, ‘ଆପଣାର ତ ତିନିଟା ପାଳଗଦା ଫି ବର୍ଷ ମରାହେଉଛି, ମାଣେ କାହିଁକି, ବାଟିଏ ଲେଖେଁ କିଣିପକାଉନାହିଁ ? ଚାଲୁଣି କହୁଛି ଛୁଞ୍ଚିକୁ !’

 

ଦାସେ କହିଲେ, ‘ଏ କଥାକୁ ସମର୍ଥନ କରିବାକୁ ପଡ଼ୁଛି । ମହାପାତ୍ରେ ପଇସାଟିଏ ସଂଚିକରି ରଖିବାକୁ ପାପ ବୋଲି ମନେ କରନ୍ତି । କବାଟ ଆର କଣରୁ ଏ ରୀତିକୁ ନିନ୍ଦା କଲାପରି ଯେଉଁ ଇଙ୍ଗିତ ମିଳିଲା ତାହା କିନ୍ତୁ ମୁଁ ସମର୍ଥନ କରୁନାହିଁ ।’ ମହାପାତ୍ରେ କହିଲେ, ‘ଭାଉଜଙ୍କର ମୁହଁରେ କଥେ, ମନରେ କଥେ । ସେ ନିଜେ ଯେତେ ସମ୍ପତ୍ତି ବିଲି କରି ଦିଅନ୍ତି, ତା’ ତୁଳନାରେ ଆମେ ପାସଙ୍ଗରେ ପଡ଼ିବୁ ନାହିଁ ।’ ଦାସେ କହିଲେ, ‘ଏ ଦୁହିଁଙ୍କର ଯେପରି ବଚନିକା ଚାଲିଲାଣି, ହାତରେ ସଙ୍କୁଡ଼ି ଶୁଖିଯିବ । ଚାଲନ୍ତୁ ହାତ ଧୋଇବା ।’

 

ହାତ ଧୋଇସାରି ଦାଣ୍ଡଦୁଆର ଚାନ୍ଦିନୀକୁ, ଯିବା ବାଟରେ ଦାସେ କହିଲେ, ‘ବୁଝିଲେ ବାବୁ, ଗାଁରେ ରହିଲେ ଗାଁ ଲୋକଙ୍କ ଚଳଣିରେ ଚଳିବାକୁ ହେବ । ନହେଲେ, ସେମାନେ ହାଁ କରିଦେବେ । ହାଁ କରିଦେଲେ ଲୋକେ ନିଜେ ମରନ୍ତି, ନଚେତ୍‌ ଯାହାକୁ ଦେଖନ୍ତି ତାକୁ ମାରି ମିଶନ୍ତି । ତାଙ୍କ ସଙ୍ଗେ ଚଳିବାକୁ ହେବ, ପୁଣି ତାଙ୍କ ଭିତରେ ଯେ ଅପାରିବାର ତାଙ୍କ ଭଲ-ମନ୍ଦ ଆଡ଼କୁ ଟିକିଏ ନଜର ଦେବାକୁ ହେବ ।’

 

ମୁଁ କିଛି ଉତ୍ତର ନ ଦେଇ ଏଇ କଥାକୁ ମନରେ ପାଞ୍ଚିଲି । ବର୍ତ୍ତମାନ ଦେଶରେ ଯେଉଁ ସମସ୍ୟା ଉପୁଜିଛି, ତା’ ଏଇ କଥାଟି ଅନ୍ୟଥା ହେବାରୁ ନୁହେଁ ତ ?

 

(୩)

 

ମୁଁ ଦାସଙ୍କ ଘରେ ରହିବାର ସେ ଦିନକୁ ସାତ ଦିନ ହୋଇଗଲାଣି । ପାଞ୍ଚଦିନ ପରେ ଥରେ କଥା ଉଠାଇଥିଲି ଗାଁରୁ ଏକାବେଳକେ ବିଦାୟ ନେଇ ଅନ୍ୟତ୍ର ଯିବାକୁ । ଲୋକଙ୍କର ଚଳଣି ଦେଖିବାକୁ ମୋତେ ଏଠାରେ ଯେଉଁ ସୁଯୋଗ ମିଳୁଥାଏ, ସେଥିରେ ମନ ଥାଏ, ଏଇଠାରେ ବର୍ଷେ ଖଣ୍ଡେ କଟାଇ ଦିଅନ୍ତି । କିନ୍ତୁ ଦାସଙ୍କ ଆତିଥ୍ୟର ବୋଝ ମୁଣ୍ଡରୁ ଓହ୍ଲାଇବାର ଅନ୍ୟ ଉପାୟ ନ ଦେଖି, ଅନ୍ତତଃ କେତେ ଦିନପାଇଁ ଏଠାରୁ ଅନ୍ୟତ୍ର ଚାଲିଯିବାକୁ ପ୍ରସ୍ତାବ କରିଥିଲି । ତହିଁଆରଦିନ ସକାଳୁ ଏହାର ଯେଉଁ ପ୍ରତିକ୍ରିୟା ହେଲା ତା’ପରେ ମୋର ପ୍ରସ୍ତାବ ସାମୟିକ ହେଲେବି ମୁଲତବୀ ରଖିବାକୁ ହେଲା ।

 

ଆମେ ସମସ୍ତେ ସକାଳେ ଗାଧୋଇ ପାଧୋଇ–ଅଧିକାଂଶ ନିତ୍ୟକର୍ମ କରି ମଧ୍ୟ ସକାଳ ନଅଟାରେ ଏକତ୍ରିତ ହେଲୁଁ; କେବଳ ମହାପାତ୍ରେ ଆସି ନ ଥାନ୍ତି । ସେଦିନ ତାଙ୍କର ରୋଷେଇ ପାଳି । ଅନ୍ଦରମହଲରୁ ମହାପାତ୍ରଙ୍କ ପାଖକୁ ଓ୍ୟାରଣ୍ଟ ଗଲା ଓ ଚାନ୍ଦେନୀରେ ଆସି ଚା’ର ସରଞ୍ଜାମ ରଖାହେଲା । ଭିତରୁ ହୁକୁମ ଆସିଥାଏ, ଆଜି ଦାସଙ୍କୁ ଚା’ ଖାଇବାକୁ ହେବ । ସେ ନ ଖାଇବାରୁ ‘ବାରି’ ବାବୁ ଚା’ ଖାଉନାହାନ୍ତି, ଆଉ ଯିବାକୁ ଜିଦ୍‌ କରୁଛନ୍ତି ।

 

ମହାପାତ୍ରେ ଚୁଲିରୁ ଜାଳ କାଢ଼ିଦେଇ ଆସି ପହଞ୍ଚି ମନ୍ତବ୍ୟ ଦେଲେ, “ଦେଖୁଛି, ଆଜି ମନକାମନା ପୂରଣ ହେବ । ଦାସେ ଚା’ ଛାଡ଼ିଦେବାରୁ ମୁଁ ଛାଡ଼ିବି ଛାଡ଼ିବି ହେଉଥିଲି ସିନା ଆତ୍ମାକୁ କାଟୁଥାଏ । ବୁଝିଲେ ଆଜ୍ଞା, ଏଇ ଚା’ଟା ଯୋଗୁଁ ଦୁର୍ବିସହ ଜୀବନଟା କୌଣସିମତେ ଧରି ରଖିବାକୁ ହେଉଛି । ଏକମାତ୍ର ପାନୀୟ, ଯାହାକି ଖରା, ବର୍ଷା, ଶୀତ ସବୁ ଋତୁରେ ସମାନଭାବେ ଆଦୃତ । ଦେଖିନାହାନ୍ତି ଷ୍ଟେସନ୍‍ମାନଙ୍କରେ ‘ଗରମ ଚା’ ଶୀତ ଦିନେ ବିଶେଷ ଗରମ, ଖରାଦିନେ ବିଶେଷ ଥଣ୍ଡା ?”

 

ନାୟକେ ଯୋଗ କଲେ “ଏବଂ ବର୍ଷାଦିନେ ଦିହକୁ ଗରମ ଓ ପେଟକୁ ଥଣ୍ଡା ।”

 

ଦାସେ କହିଲେ, “ଯାହାହେଉ, ଦିହରୁ ପେଟଟା ଆଜି ଭିନେ ହେଲା ।”

 

ବାହିନୀପତି ମନ୍ତବ୍ୟ କଲେ, “କିଛି ବିଚିତ୍ର କଥା ନୁହେଁ । ବାପଠାରୁ ତ ପୁଣି ପୁଅ ଭିନେ ହେଉଛନ୍ତି । ମହାପାତ୍ରେ ଆପଣେ ଯାହା କହିଲେ, ତାହା ଯଥାର୍ଥ ଶାସ୍ତ୍ରସମ୍ମତ । ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି–

 

‘ନ ଚା-ଭାବୟତଃ ଶାନ୍ତି ର୍ନ ଚା-ଯୁକ୍ତସ୍ୟ ଭାବନା ।’

 

ଚା’ କାହିଁକି ଆସୁନାହିଁ ବୋଲି ଭାବୁଥିଲାଯାକ ମନରେ ଶାନ୍ତି ନ ଥାଏ; ଚା’ ମିଳିଗଲା ତ ମନରେ କୌଣସି ଭାବନା ରହେ ନାହିଁ; କାରଣ, ଶାନ୍ତ ମନ ଭାବନା କରିବାରେ ଅସଙ୍ଗତିଦୋଷତ୍ଵାତ୍ ।”

 

ସମସ୍ତେ ହସିଲେ, ମୁଁ ବି । ଏତିକିବେଳେ ଘରୁ ଲୋକ ଆସିଲା ଚା’ କେଟଲ୍ ନେଇ ଚୁଲିରେ ବସାଇବାକୁ । ମହାପାତ୍ରେ ଚା’ କେଟଲ୍‌ଟି ହସ୍ତଗତ କରି କହିଲେ, “ମୋ ଚୁଲିରେ ଭାତ ନକେଇ ହୋଇଯିବ । ପିଇବ ଯେବେ ପିଅ, ନହେଲେ ଏତକଯାକ ଅଜାଡ଼ି ଦେଇ ମୁଁ ଭାତ ଗାଳିବାକୁ ଯିବି ।”

 

ଦାସେ ମୁରୁକି ମୁରୁକି ହସି କହିଲେ, “ଶେଷୋକ୍ତ ପ୍ରସ୍ତାବରେ ମୁଁ ସମ୍ମତ । କିନ୍ତୁ ବାରବୁଲା ଆଗ ଗୋଟିଏ କପ୍‌ ପିଅନ୍ତୁ । ସେ ନ ପିଇଲା ପର୍ଯ୍ୟନ୍ତ ମୋ ଉପରେ ଚା’ ପିଇବାକୁ ହୁକୁମନାମା କାଏମ ରହୁଛି ।”

 

ମହାପାତ୍ରେ କହିଲେ, “ତମେ ଏବେ ଟିକିଏ ଆଜି ପିଇଦେଉନ । କ’ଣ ରାଣ୍ଡଏକାଦଶୀ ବ୍ରତ ହୋଇଚି ।”

 

ଦାସଙ୍କୁ ଚା’ ପିଇବାକୁ ବାଧ୍ୟ ନ କରି ମୁଁ ଟିକିଏ ପିଇଦେବାକୁ ପ୍ରସ୍ତୁତ ଥିଲି । ମୁଁ ଏଠାକୁ ଆସିବା ଦିନୁଁଇ ଚା’ ଛାଡ଼ିଛି–ନିୟମିତ ଖାଏ ନାହିଁ ବୋଲି ମିଛ କହି । କିନ୍ତୁ ମୁଁ ସେ କଥା କାର୍ଯ୍ୟରେ କରିବା ଦୂରେ ଥାଉ, ପ୍ରସ୍ତାବ କରିବା ପୂର୍ବରୁ ଦାସେ ସମସ୍ତଙ୍କ ପାଇଁ ଚା’ ଢାଳିସାରି ଆପଣାପାଇଁବି ଗୋଟିଏ କପ୍ ଢାଳିଲେ ।

 

ଚା’ ପିଆ ଚାଲିବା ଭିତରେ ଦାସେ କହିଲେ, “ଖାଲି ଏ ଦୁରଭ୍ୟାସ ଚା’ ବିଷୟରେ ନୁହେଁ, ବିଳାସ ସାମଗ୍ରୀ ବ୍ୟବହାରରେ ନୁହେଁ, ନିଜର ନିତ୍ୟପ୍ରୟୋଜନ ବିଷୟରେ ମଧ୍ୟ ସଂଯତ ହେବାର ବେଳ ଆସିଲାଣି । ଧର, ଭାତ ସାଙ୍ଗକୁ ଡାଲି–”

 

ମହାପାତ୍ରଙ୍କ ଆଡ଼କୁ ଚାହିଁ ଦାସେ କହିଲେ, ‘‘ଡାଲିର ଦାସତ୍ୱରୁ ତ ତୁମେ ମୁକ୍ତ, ଯାଅ ଭାତଟା ଗାଳି ଦେଇ ଆସିବ ।’’

 

ମହାପାତ୍ରେ କହିଲେ, “ଆସିଛି ଯେତେବେଳେ, ମୋ’ ଉପାୟ ମୁଁ କରି ଆସିନାହିଁ ? ଆମ ହାଣ୍ଡିରେ ଭାତ ଦିପହର ଯାଏଁ ଗଡ଼ିଲେ ମଧ୍ୟ ନକେଇ ହେବ ନାଇଁ କି ପେଜଛାପରା ହେବ ନାଇଁ । ନିଆଁ ଡହକରେ ସେମିତି ଉଷୁମ ହୋଇ ରହିଥିବ । ଡାଲି ବିଷୟରେ କ’ଣ କହୁଛ କହ । ଶତ୍ରୁ ବିଷୟରେ ଶୁଣିବାକୁ କିଏ ନ ଚାହେଁ ?”

 

ବାହିନୀପତି ଆରମ୍ଭ କଲେ, “ଭାଗବତରେ କହିଛନ୍ତି…”

 

ନାୟକେ ରୋକିଲେ, “ହଉ ଥାଉ, ଗୀତାରେ ତ ଭଗବାନ୍ ଚା’ର ବ୍ୟବସ୍ଥା କଲେ, ଭାଗବତରେ କ’ଣ ଅଫିମ ?”

 

ବାହିନୀପତି କହିଲେ, “ଏମିତି ଡଙ୍କଭଙ୍ଗା କରିଦେଲେ ମୁଁ ନାଚାର । ମୁଁ କ’ଣ ଭାଗବତରେ କୃଷ୍ଣ କହିଛନ୍ତି ବୋଲି କହିଲି ? ନାରଦ କହିଛନ୍ତି ।”

 

“ହଉ ଥାଉ, ଥାଉ, ସେ ବି ଭାରି ଭଲଲୋକ । ଡାଲି ବିଷୟରେ କ’ଣ ପଡ଼ିଛି ଶୁଣ । କୁଆ ବୋବାଇଲାଠାରୁ ତ ଏତେବେଳ ଯାଏଁ କୃଷ୍ଣ, ନାରଦଙ୍କ ସଙ୍ଗେ କଥାବାର୍ତ୍ତା ହେଲ, ଆଉ କାହିଁକି ?”

 

ବଚନିକା ଦିପହର ଯାଏଁ ଏମିତି ଚାଲିବ ବୋଲି ଆଶଙ୍କା କରି ମୁଁ କହିଲି, “ନିତ୍ୟ ପ୍ରୟୋଜନ ବିଷୟରେ ସଂଯତ ହେବାକୁ ଯାହା କହିଲେ–”

 

ଦାସେ ଆରମ୍ଭ କଲେ, “ଡାଲିର ଉଦାହରଣ ଦେଉଥିଲି । ଆପଣ କହିବେ, ଡାଲିର ଯେଉଁ ଖାଦ୍ୟସାର ତାହା ସ୍ୱାସ୍ଥ୍ୟପାଇଁ ଦରକାର । ତାକୁ କମେଇଲେ ଦେହରକ୍ଷାରେ ବ୍ୟାଘାତ ଆସିବ–ନା ?”

 

ମୁଁ ସେଇକଥା ବିଚାରୁଥିଲି ବୋଲି ମୁଣ୍ଡ ଟୁଙ୍ଗାରିଲି ।

 

ଦାସେ କହିଲେ, “ଦେହରକ୍ଷା ପାଇଁ କେଉଁ ପଦାର୍ଥରୁ କେତେ ହେଲେ ସୁଷମ ହେବ ତାହାର ତାଲିକା ଆମ ଦେଶରେ ବହୁତ ପ୍ରଚାର ହୋଇଛି । କିନ୍ତୁ ଯେ ପ୍ରଚାର କରୁଥିଲେ ସେ ଏବେ ଜଣପିଛା ପାଏ ଚାଉଳବି ଦେଇପାରୁନାହାନ୍ତି । ଜଣେ ତ କହୁଥିଲେ ଚାଉଳ ନ ଖାଇ କଦଳୀ ଖାଅ । ସେଇ କଦଳୀ ବିଷୟରେ ଟାପରା କରି ଲୋକେ ତାଙ୍କୁ ନିର୍ବାଚନରେ ହରାଇଲେ । ଯେ କଦଳୀ ଖାଦ୍ୟ ବ୍ୟବସ୍ଥା କରୁଥିଲେ ତାଙ୍କ ମୁଣ୍ଡରୁ ସୁଷମ ଖାଦ୍ୟ ଚିନ୍ତା ବହୁଦୂରରେ ଥିଲା । ଗିରାନି ସମୟରେ ଯେ କୌଣସି ମତେ ପ୍ରାଣଧାରଣ କରିବାକୁ ସେ କହୁଥିଲେ ।”

 

ନାୟକେ କହିଲେ, “ତା’ ନୁହେଁ କ’ଣ ? ମହାପାତ୍ରେ ଉଠାଇଥିଲେ ଷ୍ଟେସନ୍‍ରେ ଚା’ ବିଜ୍ଞାପନ କଥା । ଏବେ ତ ଠାଏ ଶୁଣୁଥିଲି, ସରକାର କହୁଛନ୍ତି, ଚା’ ଖାଇବା ବନ୍ଦ କର, ବେଶି ଚା’ ପତ୍ର ବିଦେଶକୁ ପଠାଇଲେ ବେଶି ବିଦେଶୀ ମୁଦ୍ରା ମିଳିବ, ବିଦେଶରୁ କଳକବଜା କିଣିବାକୁ ।”

 

ମହାପାତ୍ରେ–ସବୁ କଳକବଜା ଆଗରେ ଏବେ ଉଦର-ଯନ୍ତ୍ରପାଇଁ ଖାଦ୍ୟଶସ୍ୟ ବିଦେଶରୁ ଆଣିବା ଜରୁର୍ ହେଲାଣି ।

 

ଦାସେ ଟିକିଏ ଗମ୍ଭୀର ସ୍ଵରରେ କହିଲେ, “ଆଜି ସମସ୍ତେ ବଡ଼ ଖୁସ୍‌ ମେଜାଜ୍‌ରେ ଅଛ; ସବୁ କଥା ରହସ୍ୟରେ ଉଡ଼ାଇ ଦେଉଛ ।”

 

ମହାପାତ୍ରେ କହିଲେ, “ମେଜାଜ୍‌ ଖୁସ୍ ନ ହେବ କାହିଁକି ଯେ ? ଡାଲି କିଲୋ ମାତ୍ର ଦୁଇ ଟଙ୍କା କୋଡ଼ିଏ ପଇସା । ବାହିନୀପତିଙ୍କର ପ୍ରତ୍ୟହ ଏକ କିଲୋ, ମୋର ଦୁଇ କିଲୋ, ନାୟକଙ୍କର କେତେ ଟି ?–ପାସୋରି ଦେଇଛି ।”

 

ନାୟକେ କହିଲେ, “ଆମର ଯେଉଁ ଗୋଟିଏ କିଲୋ ସେତିକି । ଜଣେ କିଲୋକୁ, ଜଣେ ହଇଏ । କାଲି ରାତିରେ ଏ ଘରୁ ଯାଇଥିଲା ଟିକିଏ ଡାଲି । ଆମ କିଲୋ କହିଲେ ଆମର ରାତିଓଳି ଭାତ ରନ୍ଧା ହୁଏ ବୋଲି ନିଧିବୋଉ ଜାଣିଛନ୍ତି ପରା !”

 

ଦାସେ କହିଲେ, “ଆମର ସେ କଥା ପଡ଼ିଥିଲା, ଡାଲି ପଠାଇବାବେଳେ । ରାଇ ହେଲା, ମେଞ୍ଚାମେଞ୍ଚା ହୋଇଛି, ପଖାଳ ସାଙ୍ଗକୁ ଭଲ ହେବ ।”

 

ନାୟକେ ସମର୍ଥନ କଲେ, “ବେଶ୍ ହେଲା । କାଲି ଦି’ଗୁଣ୍ଡା ଅଧିକବି ଚଳିଗଲା । ମୁଁ ତ ଘରୁ ଶୁଣୁଥିଲି–ଦାସେ ଆଜିକାଲି ଡାଲି ପ୍ରାୟ ଖାଉନାହାନ୍ତି ।”

 

ମହାପାତ୍ରେ କହିଲେ, “କିଲୋରୁ ଶୁଣିଲ ବୋଲି କହୁନାଅଁ ? ଦାସେ ରାତିଓଳି ପଖାଳବି ଖାଉଛନ୍ତି ତୁମରି ପରି, ବାଡ଼ି ପରିବା ସାଙ୍ଗେ । କିନ୍ତୁ ତୁମ କଞ୍ଚା ପିଆଜ, କାକୁଡ଼ି ଓ କଷି ଜହ୍ନି ସଙ୍ଗେ ନୁହେଁ ।”

 

ବାହିନୀପତି କହିଲେ, “ନାୟକଙ୍କ ପିତୃ ପିତାମହ ଶାଖାମୃଗ ବୋଲି ପରା ଗୋଟାଏ ଶାସ୍ତ୍ରରେ ଲେଖାହୋଇଛି ।”

 

ସମସ୍ତେ ହସିଲେ, ନାୟକେ ମଧ୍ୟ । ନାୟକଙ୍କ ପିତା ଲେଖାଯୋଖାରେ ବାହିନୀପତିଙ୍କର ଅଜା । ହସ ଥମ୍ବିଯିବାରେ ସମସ୍ତେ ଟିକିଏ ଥୟ ହେଲେ । ଦାସେ କହିଲେ, “ମୋ ପିଲାଦିନେ ଆମ ଏ ଗାଁରେ ଗୋଟେ ଦି’ଟା ଘର ବ୍ୟତୀତ ଆଉ କେଉଁଠି ପ୍ରତ୍ୟହ ଡାଲି ହେଉ ନଥିଲା । ସେତେବେଳେ ଡାଲି ସେରକ ଥିଲା, ଛ’ ପଇସା । ଛ’ ପଇସା ଖର୍ଚ୍ଚ କରିବାନାହିଁ ବୋଲି ଯେ ଲୋକେ ଡାଲି ଖାଉ ନଥିଲେ ତାହା ତ ନୁହେଁ । ଆମ ଦଦେଇ କହିବାର ଶୁଣିଛି, ଯାହା ନିଜେ କରୁ ନ ଥାଇଁ ବା ନିଜ ଗାଁରେ ହେଉନାହିଁ ତାହା ଖାଇବା ପାପ । ମୁଁ ବୁଝିଛି, ଯାହା ଆମ ପାଖଆଖରେ ଲୋକେ ପାଉ ନାହାନ୍ତି ତାହା ଖାଇବା ପାପ ନହେଲେବି ଅସାମାଜିକ କାର୍ଯ୍ୟ । ଆମ ପାଖରେ ପଇସା ଅଛି ବୋଲି ଆମେ ଯଦି ଭଲ ଖାଇବା, ଭଲ ପିନ୍ଧିବା, ତେବେ ନ ପାଇବା ଲୋକଙ୍କ ମନରେ ଯେଉଁ ବିକ୍ଷୋଭ ଜାତ ହେବ ତଦ୍ଦ୍ଵାରା ସମାଜ ଶୃଙ୍ଖଳା ଭାଜିଯିବ । ଲୋକଙ୍କର ବିକ୍ଷୋଭ ଦୂର ହେବାକୁ ହେଲେ ଚଳଣିରେ ସମତା ଦରକାର ।”

 

ମୁଁ କହିଲି, “କିନ୍ତୁ ମୋର ଯଦି ବେଶି ରୋଜଗାର, ତେବେ କ’ଣ ଆପଣ କହୁଛନ୍ତି, ପଇସା ଜମେଇ ରଖିବି, ଆଉ ଦରିଦ୍ରଙ୍କ ସଙ୍ଗେ ସମାନ ହୋଇ ଚଳିବି ?”

 

ଦାସେ ଉତ୍ତର ଦେଲେ, “ରୋଜଗାରର ଯେଉଁ ଅସମାନତା କଥା ଆପଣ କହୁଛନ୍ତି, ସେକଥା ଟିକିଏ ଭଲ କରି ଚିନ୍ତା କରନ୍ତୁ । ଆଗ ରୋଜଗାର କରିବା ପ୍ରବୃତ୍ତି, ନା ପଡ଼ିଶା ଘରଠାରୁ ଭଲରେ ଚଳିବାର ଆକାଂକ୍ଷା ?–କେଉଁଟା ଆଗ ହୁଏ ବିଚାରନ୍ତୁ ଦେଖି ।”

 

ମୁଁ କହିଲି, “ନିଜ ଅବସ୍ଥା ଭଲ କରିବା ଆକାଂକ୍ଷା ମଣିଷର ସହଜାତ ।”

 

ଦାସେ–‘‘ସେ ବିଷୟରେ ମୋ’ର ସନ୍ଦେହ । ତଥାପି ଆପଣଙ୍କ ମତ ସ୍ୱୀକାର କରାଯାଉ-। ମଣିଷର ଏହି ସହଜାତ ସ୍ଵାର୍ଥପରତା ନ ରୋକିଲେ ସମାଜର ଅବସ୍ଥା କ’ଣ ହେବ ବିଚାରନ୍ତୁ-।”

 

ନାୟକେ କହିଲେ, “ତେବେ କ’ଣ ତମେ କହୁଛ, ପଡ଼ିଶା ଘରର ଯଦି ଗୋଦରଗୋଡ଼ ହୋଇଛି, ତେବେ ନିଜର ମଧ୍ୟ ଲାଗିପଡ଼ି ଗୋଦର ଗୋଡ଼ଟାଏ କରିବାକୁ ପଡ଼ିବ । ଆମର ଭଲ ଗୋଡ଼ଟା ଦେଖି ଗୋଦରାର ତ ମନରେ କ୍ଷୋଭ ହେବା ସ୍ଵାଭାବିକ ।”

 

ସମସ୍ତେ ହସିଲେ । ଦାସେ ମୁଡ଼ୁକି ମୁଡ଼ୁକି ହସି କହିଲେ, “କଥାଟା ଏକାବେଳକେ ହସରେ ଉଡ଼ାଇ ଦେବାର ନୁହେଁ । ଆଚ୍ଛା, ନିଜ ସ୍ତ୍ରୀର ଯଦି ବାତଜ୍ଵର ହୁଏ, ତେବେ ?”

 

ନାୟକେ–ତେବେ କ’ଣ ନିଜର ବାତଜ୍ଵର ହେଉ ବୋଲି ଦିଅଁଙ୍କୁ ମୁଣ୍ଡିଆ ମାରିବ ?

 

ଦାସେ କହିଲେ, “ତା’ ଅପେକ୍ଷା ଅନ୍ୟ କୌଣସି ପନ୍ଥା ଅଛି କି ନାହିଁ ଟିକିଏ ଭାବ । ନିଜର ଗୋଦର ଗୋଡ଼ ହେଉ ବୋଲି ମୁଣ୍ଡିଆ ନ ମାରି, ସ୍ତ୍ରୀର ଗୋଦର ଗୋଡ଼ଟା କିମିତି ସରୁ ହେବ ତା’ପାଇଁ ତ ଚେଷ୍ଟା କରିବ ? ନିଜର ଖର୍ଚ୍ଚରୁ କାଟି ତା’ପାଇଁ ବାତଜ୍ଵର ପ୍ରତିଷେଧକ ଔଷଧ କିଣିବ । ରାତିରେ ନ ଖାଇଲେ ଭଲ ବୋଲି ଯଦି ଚିକିତ୍ସକ କହନ୍ତି ତେବେ ଆପେ ବେଳ ଥାଉଁଥାଉଁ ଖିଆ ସାରିଦେବ । ଅନିୟମିତ ଆଚରଣ ଯେପରି ନହୁଏ, ସେଥିକୁ ନିଜେ ସଂଯତ ହେବ । ଏହାଦ୍ଵାରା ଉଭୟ ଆଡ଼ୁ ଲାଭ–ସ୍ତ୍ରୀର ରୋଗ ବଢ଼ିବାର ବାଟ ବନ୍ଦ ହେବ ଓ ନିଜର ରୋଗ ନ ହେବାର ବାଟ ଫିଟିବ ।”

 

ନାୟକେ ତୁନି ହେଲେ । ମୁଁ ଏ କଥାର ମର୍ମ ବୁଝିବାକୁ ଚେଷ୍ଟା କରୁଥାଏ ।

 

ଦାସେ ପୁଣି କହିଲେ, “ନିଜ ସ୍ତ୍ରୀ ପିଲାଙ୍କ ବିଷୟରେ ଯେଉଁ ବିଚାର, ପଡ଼ିଶାଘର ପାଇଁ ସେଇ ବିଚାର କରିବାକୁ ହୁଏ । ଗାଁରେ ବାତଜ୍ଵର ବଢ଼ିଲା ତ, ସର୍ବପ୍ରଥମେ ଉଦ୍ୟମ କରିବାକୁ ହେବ, କୌଣସିମତେ ପ୍ରତିକାର ବ୍ୟବସ୍ଥା କରିବାକୁ । ସେତକ ନ କଲେ ନିଜର ବାତଜ୍ଵର ହେବାର ସମ୍ଭାବନା ଅଛି । ଗାଁରେ ସମସ୍ତେ ଯଦି ବାତଜରୁଆ, ତେବେ ସେ ଗାଁରେ ତୁମେ ରହିବାବି ଚଳିବ ନାହିଁ । ବାତଜରୁଆ ନ ତଡ଼ିଲେବି ନିଜକୁ ପଳାଇବାକୁ ପଡ଼ିବ । ଆଜିକାଲି ଗାଁର ଚାକିରିଆଙ୍କ ଭିତରୁ ଅନେକେ, ଏଇଥିପାଇଁ ଅବସର ନେବା ପରେବି ଗାଁ ଛାଡ଼ି ସହରକୁ ଚାଲିଯାଉଛନ୍ତି ।”

 

ମୋ ମନରେ ସଂଶୟ ହେଲା । ମୁଁ କହିଲି, “ଯେଉଁମାନେ ପାଣି, ପବନ, ଚିକିତ୍ସାଦି ଭଲ ପାଇବେ ଓ ପିଲାଙ୍କର ପଢ଼ିବାର ସୁବିଧା ହେବ ବୋଲି ସହରରେ ଯାଇ ରହୁଛନ୍ତି, ସେମାନେ କ’ଣ ଭୁଲ୍ କରୁଛନ୍ତି ବୋଲି ଆପଣ ଭାବୁଛନ୍ତି ।”

 

ଦାସେ କହିଲେ, “ସେମାନେ ଭୁଲ୍ କରୁଛନ୍ତି କି ଠିକ୍ କରୁଛନ୍ତି ତାହାର ପରୀକ୍ଷା ବେଳ ତ ଆସି ପହଞ୍ଚିଗଲଣି । ସହରରେ ଯେଉଁମାନେ ଯାଇ ରହୁଛନ୍ତି ସେମାନେ ସହରର ଆଦିମ ବାସିନ୍ଦାଙ୍କ ସଙ୍ଗେ ମିଶିପାରୁନାହାନ୍ତି, ଗାଁରୁ ସମ୍ପର୍କ ଛାଡ଼ି ଦେଇଛନ୍ତି । ଅସଲ ଆକଟବେଳେ ଉଭୟ ସ୍ଥାନ ତାଙ୍କ ପକ୍ଷରେ ପ୍ରତିକୂଳ ହୋଇଯିବ । ସହରର ଜନତା ସାଙ୍ଗେ ମିଶି ହଟ୍ଟଗୋଳ କରିପାରିବେ ନାହିଁ କି ଗାଁରେ ଆସି ଲୋକଙ୍କର ଶ୍ରଦ୍ଧାର ଆଢ଼ୁଆଳରେ ନିରାପଦ ହୋଇ ରହିପାରିବେ ନାହିଁ । ଅଭାବ ଅନାଟନବେଳେ ଯେଉଁ ଜନବିକ୍ଷୋଭ ଜାଗିଉଠିବ, ଏଇମାନେ ପ୍ରଥମେ ହେବେ ତା’ର ଶିକାର । ସେଇ ସମ୍ଭାବନାରେ, ଲୋକେ ନିଜ ଗୋଷ୍ଠୀ ଭିତରେ ସମସ୍ତଙ୍କ ସଙ୍ଗେ ସମାନ ହୋଇ ଚଳନ୍ତି । ସମସ୍ତେ ସମାନ ହୋଇ ରହିବା, ସମାନ ଖାଦ୍ୟ ଖାଇବା, ସମାନ କାର୍ଯ୍ୟରେ ସମସ୍ତେ ସହଯୋଗ କରିବା ବୋଲି ବେଦକାଳରୁ ଯେଉଁ ନିର୍ଦ୍ଦେଶ ଅଛି, ତା’ର ମୂଳରେ ଏଇ ତତ୍ତ୍ଵ ଥିବାର ମୁଁ ମନେ କରୁଛି ।”

 

ଦାସେ ଯାହା କହିଲେ ତାହା ବୁଝିଲି ଓ ଯାହା ନ କହିଲେ ତାହା ମୋର ଅଭିଜ୍ଞତାରୁ ମିଶାଇଲି । ମୋର ମନେ ହେଲା, ନକ୍‌ସଲବାଡ଼ିରେ ଯେଉଁ ହାଣକାଟ ଚାଲିଲା, ଶିଳ୍ପପତିଙ୍କ ବିରୁଦ୍ଧରେ ଯେଉଁ ବିକ୍ଷୋଭ ଚାଲିଛି–ସେ ସବୁର ମୂଳରେ ଏଇ ଏକକଥା–ନିଜ ବେଷ୍ଟନୀରେ ନିଜକୁ ଖାପ ଖୁଆଇ ନ ଚାଲିବାରୁ ନିଜର ପଡ଼ିଶାଙ୍କଠାରୁ ଅଧିକ ସୁଖରେ ରହିବାକୁ ଆକାଂକ୍ଷୀ ହେବାରୁ, ସମାଜର ଉଚ୍ଚସ୍ତରରେ ଯେଉଁମାନେ ଅଛନ୍ତି ସେମାନେ ନିଜ ମୁଣ୍ଡ ଉପରକୁ ବିପଦ ଡାକି ଆଣୁଛନ୍ତି ଓ ତଳସ୍ତରରେ ଯେଉଁମାନେ ଅଛନ୍ତି ସେମାନଙ୍କ ହୃଦୟରେ ଏପର୍ଯ୍ୟନ୍ତ ସୁପ୍ତ ହୋଇ ରହିଥିବା ଦୁଷ୍ପ୍ରବୃତ୍ତିକୁ ଉସ୍କାଇ ଦେଉଛନ୍ତି ।

 

ମୁଁ ପଚାରିଲି–

 

“ଆପଣ କ’ଣ ବିଚାରୁଛନ୍ତି, ଏ ଅବସ୍ଥାର ସମାଧାନ ହେବ, ନା ଏଇପରି ମାନବ ସଭ୍ୟତା ଲୋପ ପାଇଯିବ ?”

 

ଦାସେ କହିଲେ, “ୟେ ତ ଆଉ ଗୋଟିଏ ନୂଆ ପ୍ରଶ୍ନ । ଏହାର ବିଚାର ପଛକୁ ରହୁ । ମାନବ ସଭ୍ୟତା ବୋଲି ଆପଣ ଯାହାକୁ କହୁଛନ୍ତି ତା’ କ’ଣ ସତେ ‘ସଭ୍ୟତା’ ? ୟେ ଯେତେ ଶୀଘ୍ର ଲୋପ ହେବ, ସେତେ ଶୀଘ୍ର ସୁସ୍ଥ ସମାଜ ଗଢ଼ି ଉଠିବାର ଅବକାଶ ଆସିବ ବୋଲି ମୁଁ ବିଚାରୁଛି । କିନ୍ତୁ ଏ ବିଷୟରେ ଆଲୋଚନା ପଛକୁ ରହୁ । ବର୍ତ୍ତମାନ ଆଉ ଚଷୁ କୁଟିଲେ, ସମସ୍ତଙ୍କ ହାଣ୍ଡିଶାଳରେ ବିପ୍ଳବର ଅଙ୍କୁରୋଦ୍‌ଗମ ହେବ ।”

 

ମହାପାତ୍ରେ କହିଲେ, “ଆମକୁ ସେ ଆଶଙ୍କାରୁ ରିହାତି ମିଳିଛି ।”

 

ବାହିନୀପତି ଉଠୁ ଉଠୁ କହିଲେ, “ତୁମ ହାଣ୍ଡିଶାଳରେ ନହେଲେବି ବାଡ଼ିଆଡ଼େ ବିପ୍ଳବ ଆରମ୍ଭ ହୋଇଯିବଣି, ଯାଅ ଦେଖିବ । ମୁଁ ଆସିଲାବେଳେ ଲକ୍ଷ୍ୟ କରିଥିଲି, ତୁମ ଅତିଥି କେତେ ଜଣ ତୁମ ବାଡ଼ିରେ ପଶୁଥିଲେ ।”

 

ପରେ ଜାଣିବାକୁ ପାଇଥିଲି, ମହାପାତ୍ରେ ପ୍ରତ୍ୟହ ସକାଳ ଓଳି ବାଡ଼ିଦୁଆରେ ଦୁଇଚାରିଜଣଙ୍କୁ ଅନ୍ନଦାନ କଲା ପରେ ଯାଇ ନିଜେ ଖାନ୍ତି ।

 

ସମସ୍ତେ ଯିବା ପରେ ମୁଁ ଦାସଙ୍କ ସଙ୍ଗେ ତାଙ୍କ ଘର ଭିତରକୁ ଯାଉ ଯାଉ କହିଲି, “ମୋତେ କିନ୍ତୁ ଗୋଟିଏ କଥା ଅଡ଼ୁଆ ଅଡ଼ୁଆ ଲାଗୁଛି । ଆପଣ ନିଜେ ଠାଏ ତିଅଣ ସଙ୍ଗେ ଭାତ ଖାଉଛନ୍ତି, ମୋ’ପାଇଁ ହେଉଛି ଚାରି ତିଅଣ ପାଞ୍ଚ ଭଜା ।”

 

“ଓଃ, ୟେ ପୁଣି ଗୋଟିଏ ଚିନ୍ତାର ବିଷୟ ! ଆପଣ ଯେପରି ଖାଦ୍ୟରେ ଅଭ୍ୟସ୍ତ ବୋଲି ଆମ ଗୃହଣୀ କଳ୍ପନା କରିଛନ୍ତି, ସେଇଆ ଦେଉଛନ୍ତି । ଯେଉଁ ଦିନ ଲକ୍ଷ୍ୟ କରିବେ ଯେ ଆପଣ ମୋ ପନ୍ଥୀ, ସେଦିନ ସମବ୍ୟବସ୍ଥା ହେବ ।”

 

ଗୃହାଭ୍ୟନ୍ତରରୁ ଉତ୍ତର ଆସିଲା, “ହଉ ସେତିକି ଥାଉ, ଦାଣ୍ଡରେ ହୋହୋ ହୋଇ ମନବୋଧ ହୋଇନାଇଁ ପରା, ଘର ଭିତରେ ସଭା କରିବାକୁ ଆରମ୍ଭ କରିଦେଲ । ପୂଜା ବଢ଼ାହେଲାଣି, ବେଗେ ଗୋଡ଼ହାତ ଧୁଅ । ଆଜି ସେମିତିଗୁଡ଼ାଏ ଚାଖି ବାହାର କଲେ ଦେଖିବ ।” ପରିଣାମ ଦେଖିବାକୁ ମୁଁ ବି ଗୋଡ଼ହାତ ଧୋଇବାକୁ ବାହାରିଲି ।

 

(୪)

 

ଦାସଙ୍କର ଅଭ୍ୟାସ, ଦିଅଁ ପୂଜା କରି ସାରି ଦାଣ୍ଡଦୁଆରକୁ ଯାଇ ମୁହୂର୍ତ୍ତେ ଠିଆ ହୁଅନ୍ତି; କେହି ଭିକ୍ଷାଶୀ ମିଳିଲେ ତାଙ୍କର ଖାଇବା ବ୍ୟବସ୍ଥା କରି ସାରିଲା ପରେ ନିଜେ ଖାଇ ବସନ୍ତି । ତାଙ୍କଠାରୁ ଶୁଣିଛି, ଏହା ତାଙ୍କ ଘରେ ପୁରୁଷାନୁକ୍ରମେ ଚଳି ଆସୁଛି । ତିନିପୁରୁଷ ପୂର୍ବେ ପ୍ରାୟ ସମସ୍ତଙ୍କର ଏଇ ନୀତି ଥିଲା । କାଳକ୍ରମେ, ଅଭାବ ଯୋଗୁଁ ବା ଅଭାବବୋଧ ପ୍ରବଳ ହେବା ଯୋଗୁଁ, ଏହା ଲୁପ୍ତ ହେବା ଉପରେ ! ତଥାପି ମୁଁ ଏ ଗ୍ରାମରେ ଲକ୍ଷ୍ୟ କରୁଛି ପୂର୍ବର ସଂସ୍କାରଫଳରେ ଆତିଥେୟତା କିଞ୍ଚିତ୍ ମାତ୍ରାରେ ହେଲେବି ରହିଛି । ଦାସଙ୍କ ସାଇକୁ ଯେତେ ଭିଖାରି ଦିନ ଭିତରେ ଆସନ୍ତି ଆଉ କେଉଁଠି ସେତେ ଦେଖି ନାହିଁ । ଚକୁଳିଆ ପଣ୍ଡା, ନାଥ ଯୋଗୀ, ସବାଖିଆ କେଳା, ସାଧାରଣ ଦୁଃଖୀ ରଙ୍କୀ ସକାଳୁ ଛାଇ ଗଡ଼ିବା ଯାଏଁ ଧାଡ଼ି ଲାଗିଥାନ୍ତି; କିଏ ମୁଠିଏ ଖାଇବାକୁ ଦିଏ, କିଏ ବା ଦି’ଟା ଚାଉଳ ପକାଇଦିଏ । ଶୁଣିଲି ଆଜିକାଲି ବେଶି ଗୃହସ୍ଥ କାହାକୁ ପୁଞ୍ଜିଏ ପେଟପୂରା ଖାଇବାକୁ ଦେଉନାହାନ୍ତି । ଦାସଙ୍କ ପିଲାଦିନେ ଏତେ ଲୋକ ମାଗି ବୁଲୁ ନଥିଲେ; କିନ୍ତୁ ଯେ ଖାଇବାକୁ ପୁଞ୍ଜିଏ ମାଗୁଥିଲା ସେ କ୍ୱଚିତ୍ ନିରାଶ ହେଉଥିଲା ।

 

ଏଇ ପ୍ରସଙ୍ଗରେ ଦାସେ ତାଙ୍କ ଜେଜେବାପାଙ୍କ କଥା କହିଥିଲେ । ସେ ପ୍ରତ୍ୟହ ପୂର୍ବାହ୍ଣରେ ପୂଜା କରିସାରି ଦାଣ୍ଡଦୁଆରକୁ ଆସି ଦଣ୍ଡେ ଠିଆ ହୁଅନ୍ତି–ଗୋଦୋହନ ମାତ୍ର ସମୟ ଭିକ୍ଷାଶୀଙ୍କୁ ପ୍ରତୀକ୍ଷା କରିବ ବୋଲି ପରା ଶାସ୍ତ୍ରରେ ଅଛି । ତା’ପରେ ଖାଇବାକୁ ଘର ଭିତରକୁ ଆସନ୍ତି । ସେ ଖାଇବା ସମୟରେ ଦାଣ୍ଡଦୁଆରେ ଯଦି ଭିଖାରି ଡାକିଲା ତେବେ ସେ ଖାଇବାଠାରୁ ଉଠିଯାନ୍ତି । ସନ୍ଧ୍ୟା ପୂର୍ବରୁ ଆଉଥରେ ଖାଇ ବସିବେ ନାହିଁ–ତେଣୁ ଉପବାସରେ ରହିବାକୁ ହୁଏ । ଦାସଙ୍କ ବୋଉ, ଶଶୁରଙ୍କପାଇଁ ଠା’ ପିଢ଼ା କଲାବେଳେ ଦାସଙ୍କୁ ବରଗି ଦିଅନ୍ତି ଦାଣ୍ଡଦୁଆରେ ଯାଇ ବସିବାକୁ । ଯଦି କିଏ ଭିଖ ମାଗି ଆସିଲା, ତେବେ ତାଙ୍କୁ ଅନୁନୟ ବିନୟ କରି କହନ୍ତି, ‘ବାପା ଖାଉଛନ୍ତି, ତୁ’ ପାଟି କରନା; ବୋଉ ଏଇଲେ ତୋ’ପାଇଁ ଖାଇବାକୁ ଦେବ’ । ବହୁ ଦିନ ବୁଢ଼ା ଖାଇକରି ଉଠିଲା ବେଳକୁ ଦାସେ ଦାଣ୍ଡଦୁଆରେ ଏକାଧିକ ଭିକ୍ଷାଶୀଙ୍କୁ ଆଗୁଳିକରି ବସାଇଥାନ୍ତି । ଦିନେ ସାଇମୁଣ୍ଡରେ ସାପଖେଳା ହେଉଥିଲା, ଦାସେ ସେ ଆକର୍ଷଣ ଏଡ଼ି ପାରିଲେ ନାହିଁ । ସାପଖେଳାରୁ ଫେରିଲା ବେଳକୁ ତୁମୂଳ କାଣ୍ଡ । ଭିଖାରିଟିଏ ବାରମ୍ବାର ‘ଭିଖ ଦିଅ’ ‘ଭିକ ଦିଅ’ ବୋଲି ପାଟି କରିବାରେ ଦାସଙ୍କ ଜେଜେବାପା ଖାଇବାଠାରୁ ଉଠି ପଡ଼ି ରାଗରେ ଭାତ ତରକାରୀପୂର୍ଣ୍ଣ ଥାଳି ଗିନା ଆଣି ଭିଖାରିଟି ଉପରେ କୁଢ଼େଇଦେଲେ । ଦାସେ ଚୋରପରି ଘରେ ଆସି ପଶିଲା ବେଳକୁ, କ୍ଷଣକୋପୀ ବୁଢ଼ାଙ୍କର କ୍ରୋଧ ଶାନ୍ତ ହୋଇଥାଏ । ସେ ପାଣି ଗଡ଼େଇ ଦେଉଥାନ୍ତି, ଭିଖାରି ଦେହରୁ ଅଇଁଠା ଧୋଇବାକୁ । ଦାସଙ୍କ ବୋଉ ତାଙ୍କୁ ଶାସ୍ତି ଦେବାକୁ ବସିଲା ବେଳକୁ ବୁଢ଼ା ବାରଣ କଲେ, “ପିଲାଲୋକ, ସାପଖେଳା ଦେଖିବାକୁ ଚାଲିଗଲା ତ କ’ଣ ହେଲା ? ଏତେ ରାଗ ହେଉଛୁ କାହିଁକି ? ମୁଁ ଅଧାରୁ ବେଶି ଖାଇଦେଇଛି ଯେ !” ପ୍ରକୃତରେ ସେ ମାତ୍ର ଗୁଣ୍ଡେ ଦି’ଗୁଣ୍ଡା ଖାଇଥାନ୍ତି ।

 

ଭିଖାରି ବୁଢ଼ାଟି ଆକଟ କରି କହିଲା, “ଗୋସାଇଁ, ବୋହୂଙ୍କୁ ରାଗହୋ’ ନା’ ବୋଲି ତ କହୁଛ, ତମେ ଇଲେ କ’ଣ କଲ ? କେତେ ଅନ୍ନ ଫୋପାଡ଼ିଦେଲ କହିଲ ? ମୁଁ ତମ ଉଚ୍ଛିଷ୍ଟ ପୁଞ୍ଜେବି ପାଇ ପାରିଲିନାହିଁ ।” ଭିଖାରି ବୁଢ଼ା ତଳେ ବୁଣି ଯାଇଥିବା ଭାତ ଗୋଟାଇ କାନିରେ ବାନ୍ଧୁଥାଏ ।

 

ଜେଜେବାପା ହସି ହସି କହିଲେ, “ଆଉ ଟିକିଏ ଗଲାରୁ ତ ପୁଅ ବୋହୂ ମୋତେ ଆକଟ କରିବେ ରାଗିଲି ବୋଲି । ମୂଳରୁ ତୁ’ ଚଣ୍ଡାଳ ଆକଟ କଲୁଣି । ଖାଇଲା ବେଳଟାରେ ଏମିତି ରଡ଼ି ଛାଡ଼ୁଥିଲୁ କାହିଁକି ? ହଉ, ଥାଉ, ତଳୁ ଭାତ ଗୋଟାନା । ବୋହୂ ତୋ’ପାଇଁ ଭାତ ଆଣିଲାଣି ।”

 

ସେତେବେଳକୁ ଦାସଙ୍କ ବୋଉ କବାଟ କଣରେ ଆସି ଠିଆ ହୋଇଥାନ୍ତି ଭିଖାରିପାଇଁ ଭାତ ତରକାରୀ ଧରି । ବୁଢ଼ା ଅଗଣା କଦଳୀ ଗଛରୁ ପତ୍ର ଖଣ୍ଡେ କାଟି ଦାଣ୍ଡ ଚାନ୍ଦେନୀରେ ପକାଇ ଦେଲେ, ପାଣି ଢାଳେ ଆଣି ଥୋଇ, ଭିଖାରିପାଇଁ ଭାତ ବାଢ଼ିଦେଲେ । ଭାତର ପରିମାଣ ବେଶି ହୋଇଯାଉଛି ବୋଲି ଭିଖାରି ଆପତ୍ତି କରିବାରୁ କହିଲେ, “ତୋ’ ପାଖରୁ ଫେରେଇ ନେଇ ୟାକୁ କରିବୁ କ’ଣ ? ଦେ’ ଦେ’ ଖାଇଦେ, ଥାଳି ମଙ୍ଗଟା ଦିହେରେ ବାଜିଥିଲେ ରକ୍ତସ୍ନାନ ହୋଇଯାଇଥାନ୍ତୁ । ତୁ ଡାକିଲୁ ବୋଲି ମୁଁ ରାଗିନାଇଁମ, ୟେ ଛତରା ଟୋକାଟା ଉପରେ ରାଗିଗଲି–ଦୁଆରୁ କୁଆଡ଼େ ପଳାଇଲା ବୋଲି ।”

 

ଭିଖାରିଟି କହିଲା, “ନାଇଁ, ମାହାପୁରୁ, ତମର ଦୋଷ ନୁହେଁ କି ଟୋକା ଗୋସାଇଁଙ୍କର ଦୋଷ ନୁହେଁ । ଭାରି ଭୋଖ ହେବାରୁ ମୁଁ ବଡ଼ ପାଟି କରିଦେଲି । ଆଜି ଅକଲ ପାଇଲି ମାହାପୁରୁ, ଆଉ ଦିନେ କାହା ଦୁଆରେ ଏମିତି ବେଳରେ ପାଟି କରିବି ନାଇଁ ।”

 

ଦାସେ ଏ କଥାଟି କହି ମନ୍ତବ୍ୟ ଦେଇଥିଲେ, “ସେ କାଳ ଗଲାଣି । ଆଜି ଭିଖାରି ଡାକିଲା ବୋଲି କେହି ଖାଇବା ଥାଳିରୁ ଉଠିଯିବେ ନାହିଁ; ଭିଖାରି ମଧ୍ୟ ରାଗ ସହିବେ ନାହିଁ । ଆଜିର ଭିଖାରି ମୋ ଜେଜେଙ୍କୁ କହିଥାନ୍ତା, ‘ନ ଦେବ ତ ନାଇଁ, ଏଡ଼େ ରାଗ କାହିଁକି ?”

 

ଦାସଙ୍କଠାରୁ ଏକଥା ଶୁଣିଲାବେଳେ ମୋର ମନେ ହେଉଥିଲା, ଆଜିକାଲି ଆମେ ବାହାର ଭଦ୍ରତା ଦେଖାଉଁ ଦେଖାଉଁ ମନର ସମସ୍ତ ଆନ୍ତରିକତା ହରାଇ ଦେଉଥାଉଁ । ବାସ୍ତବିକ ‘ଭଦ୍ରତା’ ଜିନିଷଟାହିଁ ପରସ୍ପର ମଧ୍ୟରେ ମସ୍ତ ଏକ ବାଡ଼ ସୃଷ୍ଟି କରୁଛି । ଆମେ ଭଦ୍ରତା ଦେଖାଏ ପରକୁ, କିନ୍ତୁ ଭଦ୍ରତା ଅଭଦ୍ରତାର ବିଚାର ନ ରଖି ସ୍ଵଚ୍ଛନ୍ଦ ବ୍ୟବହାର କରେ ଆପଣାର ଲୋକ ସଙ୍ଗେ । ଆପଣାର ଲୋକକୁ ଯେମିତି ରାଗ ହୁଏ, ସେମିତି ଆହା ବୋଲି କହେଁ । ସେ ଯାହାହେଉ, ଦାସଙ୍କ ସଙ୍ଗେ ଯେଉଁ କେତେଦିନ ଚଳିଲିଣି, ତା’ ଭିତରେ ଦେଖିଛି ସେ ପର ଆପଣା ଭେଦ ନ ରଖି ଦାଣ୍ଡଲୋକଙ୍କ ସଙ୍ଗେବି ବ୍ୟବହାର କରନ୍ତି । ଏହା ପିତୃପୁରୁଷଙ୍କ ସୁକୃତରୁ ହୋଇଛି ବୋଲି ମୋର ବିଶ୍ଵାସ ।

 

ଯେଉଁ ଦିନ କଥା କହୁଛି ସେ ଦିନ ପୂଜା ସାରି ଦାଣ୍ଡକୁ ବାହାରୁଛନ୍ତି, ଦାଣ୍ଡରୁ ନାୟକଙ୍କ ପାଟି ଶୁଭିଲା, “ଦାସେ, ପୂଜା କରି ସାରିଲଣି ? ତୁମପାଇଁ ଗୋଟାଏ ଅତିଥି ଦେବତା ଆଣିଛି । ମହାପାତ୍ରଙ୍କ ଆତିଥ୍ୟ ଅବଜ୍ଞା କରି ୟେ ଆସିଛି । ତୁମ ଦଶା କ’ଣ ହେଉଛି ଦେଖ ।” ମୁଁ ବି ଦାଣ୍ଡଦୁଆରକୁ ଆସିଲି ।

 

ନାୟକେ ହସି ହସି ଆଗନ୍ତୁକ ଅତିଥିଦେବତା ଜଣେ ସ୍ତ୍ରୀଲୋକକୁ ଦେଖାଇ କହିଲେ, “ୟେ ବିଚାରୀ ଯାଇ ପହଞ୍ଚିଲା ଅନ୍ୟମାନଙ୍କ ସଙ୍ଗେ ମହାପାତ୍ରଙ୍କ ବାଡ଼ିଆଡ଼େ । ତାଙ୍କର ଆଜିର ସମ୍ଭାର ତ ପେଜଛାପରା ଭାତ ସାଙ୍ଗକୁ ଖଟା ଓ ଲୁଣ ଲଙ୍କା । ୟାପାଇଁ ଗୋଟାଏ ପତ୍ର ପଡ଼ିଲା; ଦୁଇ ଦିନ ହେଲା ଖାଇନାହିଁ ବୋଲି କହିବାରୁ ବେଶି ପୁଞ୍ଜିଏବି ବଢ଼ାହେଲା । କିନ୍ତୁ ତିଅଣ ନ ଥିବାରୁ ୟେ ସେଠାରୁ ଉଠିଆସିଛି । ‘ତିଅଣ ଟିକିଏ କରି ଦେବି’ ବୋଲି ମହାପାତ୍ରେ କହୁ କହୁ ୟେ ଉଠି ଚାଲି ଆସିଛି; ‘ମୁଁ କ’ଣ କୁକୁର ଯେ ୟାକୁ ଖାଇବି ?’ ମହାପାତ୍ରେ କ’ଣ ଆଜି ସରିକି ଜାଣିଲି; ତୁମେ କ’ଣ ଦେଖାଯାଉ ଦେଖି । ମୁଁ ଆସୁଥିଲି ଭାଉଜଙ୍କଠାରୁ ଟିକିଏ ତିଅଣ ନେଇ ଦେବାକୁ । ମହାପାତ୍ରେ କହିଲେ, ‘ସ୍ଵଦେହରେ ୟାକୁ ନେଇଯାଅ । ମାଗି ଆଣିଲା ତିଅଣରେ ୟାର ଚଳିଲାପରି ଲାଗୁନାହିଁ’ । ସେ ଆସିଥାନ୍ତେ ଯେ ଅଭ୍ୟାଗତଙ୍କ ଲଟରା ଏପର୍ଯ୍ୟନ୍ତ ଲାଗିଛି । ପୁଣି ବିଚରା ନିଜେବି ଖାଇନାହାନ୍ତି । ଆସିଲେ ତୁମେ ତାଙ୍କୁ ଜବରଦସ୍ତି ଖୋଇବ ବୋଲି ସେ ରହିଲେ, ଖାଇସାରି ଆସିବେ ।”

 

ଦାସେ ଆଗନ୍ତୁକାକୁ ବସିବାକୁ କହି ପଚାରିଲେ, “ମହାପାତ୍ରେ ଆଜି ଆମ ଦୁଆରେ ସକାଳଯାକ ବସିଯିବାରୁ ତିଅଣ ଫିଅଣ କିଛି କରିପାରିଲେ ନାହିଁ ପରା ?”

 

ନାୟକେ କହିଲେ, “ସେ ଯେଉଁ ଫିଅଣ କରନ୍ତି, ତା’ କ’ଣ ୟାକୁ ରୁଚିଥାନ୍ତା ? ତାଙ୍କର ପ୍ରତ୍ୟହ ବାଇଗଣ ବା ଜହ୍ନି ପୋଡ଼ାଟାଏ । ଆଜି ତା’ ବଦଳି ଚଳିବ କଞ୍ଚା ପିଆଜ ଓ ତୁମ ଘରୁ ଯାଇଥିବା ଆଚାର । ଭୟରେ ପାଣି ପୂରେଇ ଖାଇଲେ ଆଉ ତିଅଣ କାହିଁକି ଦରକାର ?”

 

ମୁଁ କହିଲି, “ୟେ ତ ସ୍ଥାନୀୟ ପରି ଜଣାଯାଉ ନାହିଁ । ଏ ବୋଧେ ପଞ୍ଜାବୀ କିମ୍ବା ଦିଲ୍ଲୀ ଆଗ୍ରା ତରଫରୁ ସ୍ତ୍ରୀଲୋକ । ତିଅଣ ଖୋଜି ଖୋଜି ଏତିକି ବାଟ ଆସିଗଲାଣି !”

 

ଦାସେ ଓ ନାୟକେ ଉଭୟେ ହସିଲେ । ଦାସେ କହିଲେ, “ଜାଣିଲେ, ଦେଶକେ ଫାଙ୍କ, ନଈକେ ବାଙ୍କ । ରାଜ୍ୟରୁ ରାଜ୍ୟ ଚଳଣିରେ ଯେପରି ଛାଡ଼ୁଛି, ମଣିଷକୁ ମଣିଷ ରୁଚିରେ ସେହିପରି ପୃଥକ୍ । ହୁଏତ ବଡ଼ଲୋକର ଝିଅ ବୋହୂ ହୋଇଥିବ, ପିଲାଦିନୁ ଯେପରି ଖାଇଆସିଛି ସେ ଅଭ୍ୟାସ ଛାଡ଼ିପାରୁନାହିଁ ।”

 

ଏତିକିବେଳେ ଆମ ପଛଆଡ଼ୁ ଓପର ଘରର କବାଟ କୋଣରୁ ଆବାଜ ଆସିଲା, “ଯେମିତି ତୁମେ ଭଡ଼ର ଭଡ଼ର ହେବା ଛାଡ଼ି ପାରୁନାହଁ । ଧନ୍ୟ କହିବା ତୁମକୁ । ସକାଳୁ ଏତେବେଳଯାଏଁ ଗପିଲଣି, ମୁଣ୍ଡ କିଛି ହେଉନାହିଁ...ମୁଁ ତ ବିଚାରୁଛି, ଗୁଡ଼ାଏ ଗପିବାରୁ ତୁମର ଅକଲ ଉଭେଇଗଲାଣି । ମାଇକିନିଆ ଝିଅଟିଏ ଭୋକରେ ପୁଞ୍ଜେ ଖାଇବାକୁ ମାଗୁଛି, ହେଲା ଏବେ ତିଅଣ ଟିକିଏ ଜହ ନହେଲେ ଖାଇ ନ ପାରୁଛି; ଏଇତିପାଇଁ ତମେ ବୁଢ଼ା ମିଣିପିଗୁଡ଼ିଏ ତାକୁ ବେଢ଼ି ଯାଇ ଶାସ୍ତ୍ରଚର୍ଚ୍ଚା କରୁଛ ! ବିଦେଶୀ ଲୋକ ତମ କଥା ବୁଝୁ ନ ଥିବ; ଦୈବାତ୍ ଯେବେ ବୁଝୁଥିବ ?”

 

ଆଗନ୍ତୁକାର ସ୍ୱର ଫିଟିଲା, “ମୁଁ ତମ କଥା ବୁଝିପାରୁଛି ମା ! ତମ ଏଇ ଦେଶରେ ମୁଁ ଦଶବର୍ଷ ରହିଲିଣି । ଏଠେଇ ତ ଦୁଆରେ ବସିବାକୁ ଦେଉଛନ୍ତି; ଖାଇବାକୁ ଯାଚୁଛନ୍ତି । ପାଖଆଖ ଗାଁମାନଙ୍କରେ ପିଲେ ବସେଇ ଉଠେଇ ଦେଉନାହାନ୍ତି ।”

 

ମା’ ଆଦେଶ ଦେଲେ, “ହଉ, ତୁ ଏଇବାଟେ ଆ ବାଡ଼ିଆଡ଼କୁ । ଏମାନେ ଖାଇ ସାରନ୍ତୁ କି ତୁ ଖାଇବୁ, ଆମେ ସବୁ ଖାଇବୁ ।”

 

ସ୍ତ୍ରୀଲୋକଟି ପୋଷା କୁକୁର ପରି ମା’ଙ୍କ ସ୍ୱର ଲକ୍ଷ୍ୟ କରି ଚାଲିଲା । ଆମେ ଯାଇ ଖାଇ ବସିଲୁ ପାଣିରେ ଭିଜି ଯାଇଥିବା ବିରାଡ଼ି ପରି । ନାୟକେ ଖାଇ ସାରିଥିଲେ; ଆମ ପାଖରେ ଆସି ବସିଲେ ।

 

ଆମେ ଦୁହେଁ ନୀରବରେ ଖାଇଲୁ । ଦାସେ କହନ୍ତି, ବାରବର୍ଷ ନୀରବରେ ବସି ଖାଇଲେ ସ୍ୱର୍ଗଲୋକ ମିଳେ । ସ୍ୱର୍ଗର ଭୌଗୋଳିକ ସ୍ଥିତି ମୋତେ ତ ଜଣାନାହିଁ, ଆଉ କାହାକୁ ଜଣାଅଛି ବୋଲି ମନେ ହେଉନାହିଁ । କିନ୍ତୁ ନୀରବରେ ଖାଇବା ଅଭ୍ୟାସ କଲେ ଭାତ ତିଅଣକୁ ଖୁଣିବା ବନ୍ଦ ହେବାରୁ ଘର ସ୍ୱର୍ଗ ପାଲଟିଯାଉଥିବ ବୋଲି ମୋର ମନେ ହେଉଛି । ଦାସେ ତ ଭାତ ତିଅଣ ବିଷୟରେ ଆଲୋଚନା କରନ୍ତି ନାହିଁ; ମୁଁ ବା ନାୟକେ କିଛି କଥାବାର୍ତ୍ତା ହୋଇଥାନ୍ତୁ, ଅନ୍ଦରମହଲର କଶାଘାତ ଭୟରେ ତୁନି ଥାଉଁ ।

 

କିନ୍ତୁ ସମସ୍ତଙ୍କ ମନରେ ଯେ ସେଇ ସ୍ତ୍ରୀଲୋକଟି ଥିଲା ସେ କଥା ଖାଇସାରି ଦାଣ୍ଡଦୁଆରେ ଯାଇ ବସିବାମାତ୍ରେ ଜଣାପଡ଼ିଲା । ସେତେବେଳକୁ ମହାପାତ୍ରେ ଆସି ପହଞ୍ଚିଥାନ୍ତି । ସେ କଥା ଆରମ୍ଭ କଲେ–ଭାଉଜ, ଅଭ୍ୟାଗତାର ଚର୍ଚ୍ଚା କରୁଛନ୍ତି ତ ? ତା’ର ଦୋହଦ ଲକ୍ଷଣ ଦେଖି ତମ ଆଡ଼କୁ ବାଗେଇ ଦେଲି ।

 

ନାୟକେ କହିଲେ, “ଆମ ଦୃଷ୍ଟିରେ ତ ଏ କଥା ପଡ଼ିନାହିଁ । ଯାହା ନଜର ସିନା ଯହିଁରେ-! ଆଉଜି ଯାଇଥିଲେ ତ ଭଲ ହୋଇଥାନ୍ତା । ତମର ସେମିତି ଜଣେ ଦରକାର । ଥରେ ସିନା ଡାଲମା ଟିକିଏ କରିବାକୁ ପଡ଼ିଥାନ୍ତା, ପ୍ରତ୍ୟହ ବସି ପଞ୍ଜାବୀ ତିଅଣ ହାପୁରୁଥାନ୍ତି, ଚୁଲି ଫୁଙ୍କାରୁ ରକ୍ଷା ମିଳିଥାନ୍ତା ।”

 

ମହାପାତ୍ରେ କହିଲେ, “ତମରବି ପିହଲ ପଡ଼ିଥାନ୍ତା । ବାହିନୀପତି ପ୍ରାୟଶ୍ଚିତ୍ତ ବ୍ୟବସ୍ଥା କରିଥାନ୍ତେ, କ୍ଷୀରୀପିଠା ଖାଇଥାନ୍ତ ।”

 

ନାୟକେ କହିଲେ, “ସୂକ୍ଷ୍ମ ବିଧିରେ ହାତଗଣ୍ଠିଟା ପକେଇ ମଧ୍ୟ ବକ୍ତେ ଦି’ ବକ୍ତ ମିଳିଥାନ୍ତା-।”

 

ବାହିନୀପତିଏ ଦାଣ୍ଡଦୁଆରକୁ ବାହାରିଥିଲେ, ନିଜ ନାମ ପଡ଼ିବାରୁ ସେଇଠାରୁ ପାଟି କରି କରି ଆସିଲେ, “କିଏ ମହାପାତ୍ରେ ! ଆମ ନାମ କାହିଁକି ପଡ଼ିଲା ? କ’ଣ ଆମେ ପ୍ରାୟଶ୍ଚିତ୍ତ ବ୍ୟବସ୍ଥା ଦେଇ ତଣ୍ଡିଥାନ୍ତୁ ।” ଘଟଣାଟାର ଇସାରା ପାଇ କହିଲେ, “ହାତଗଣ୍ଠି ଯଦି ପଡ଼ିଯାନ୍ତା, ତେବେ ଆଉ ପ୍ରାୟଶ୍ଚିତ୍ତ କାହିଁକି ? ଅନୁଲୋମ ବିବାହ ତ ଶାସ୍ତ୍ରସମ୍ମତ । ସ୍ତ୍ରୀ ରତ୍ନଂ ଦୁଷ୍କୁଳାଦପି । କନ୍ୟା ଦେଖିବା ଆମ ଭାଗ୍ୟରେ ଜୁଟିଲା ନାହିଁ ଯାହା ।”

 

ମହାପାତ୍ରେ କହିଲେ, “ଭାଗ୍ୟ ଥିଲେ ଜୁଟିପାରେ । ପକ୍ଷୀଟି ଉଡ଼ିଯାଇ ନାହିଁ । ବର୍ତ୍ତମାନ ଦାସିଆଣୀ ଭାଉଜଙ୍କର ଆତିଥ୍ୟ ଉପଭୋଗ କରୁଛି ବୋଧହୁଏ ।”

 

ନାୟକେ କହିଲେ, “ଯଦି ସ୍ଥାୟୀ ଆତିଥ୍ୟ ହୋଇଯାଏ ତେବେ ତ ଅନ୍ଦରମହଲରେ ଅସୂର୍ଯ୍ୟଂପଶ୍ୟା ହୋଇଯିବ; ନାହିଁ ଯଦି କ୍ଷଣସ୍ଥାୟୀ ତେବେ ତ ବାଡ଼ିବାଟେ ବିଦା । ଏଠେଇ ବସି ଦେଖିବ କ’ଣ ? ବାଡ଼ିପଟ କନ୍ଦିକୁ ଚାଲିଯାଅ ।”

 

ଦାସେ କଥାର ଗତିକୁ ଲେଉଟାଇ ଦେଲେ, “ଆଲୋଚନାଟା କ୍ରମେ ଲଘୁତର ହୋଇଯାଉଛି । ଖାଇବା ପୂର୍ବରୁ ଆମର ଘରଆଡ଼ୁ ଯେଉଁ ତିକ୍ତ ମନ୍ତବ୍ୟ ମିଳିଥିଲା ତାହା ଏକାବେଳକେ ଅଯଥାର୍ଥ ନୁହେଁ ।”

 

ମହାପାତ୍ରେ କହିଲେ, “ଖାଇବା ପୂର୍ବରୁ ତିକ୍ତ ମିଳିଥିଲା ? କହନ୍ତି ପରା ‘ଅନ୍ତେ ତିକ୍ତ’ !”

 

ବାହିନୀପତି କହିଲେ, “ଅସଂଗତି କ’ଣ ହେଲା କି ? ଖାଇବା ପୂର୍ବରୁ ତିକ୍ତ ଖାଇଲେ ସିନା ସେ ଅନ୍ତକୁ ଆଗ ଯିବ, ତା’ ଉପରେ ସ୍ୱାଦିଷ୍ଟ ଜିନିଷ ପଡ଼ିବ; ଶେଷରେ ଦନ୍ତେ ଲୁଣ–ଅର୍ଥାତ୍, ତୋଟିରେ ଗଳିବାକୁ ଆଉ ସ୍ଥାନ ନ ଥିବା କାରଣ, ଲୁଣ ବିଚାରାକୁ ଦାନ୍ତରେହିଁ ଆଶ୍ରୟ ନେବାକୁ ହେବ । ତେବେ ଆମ ପକ୍ଷେ ଏହା ଅବାନ୍ତର, ବେଦାନ୍ତୀ ହୋଇଥିବାରୁ ।” ସମସ୍ତେ ହସିଲେ । ସରସା ଦାନ୍ତ ଯୋଗୁଁ ବାହିନୀପତିଏ ଯୌବନରୁ ବେଦାନ୍ତୀ ।

 

ଦାସେ କହିଲେ, “ଲଘୁତରରୁ ‘ତମ’କୁ ଚାଲିଲା । ମୁଁ କ’ଣ କହୁଥିଲି କି…..” ସମସ୍ତେ ତୁନି ହୋଇଗଲେ । ଦାସେ କହି ଚାଲିଲେ, “ଦେଖୁଥାଇଁ, ଏକକଣକିଆ ହୋଇ ପଡ଼ିଥିବା ଆମ ଗାଁକୁ ମଧ୍ୟ ବଙ୍ଗାଳୀ, ହିନ୍ଦୁସ୍ଥାନୀ, ତେଲେଙ୍ଗା ମାଇକିନିଆ ଭିଖ ମାଗିବାକୁ ଆସୁଛନ୍ତି । କିନ୍ତୁ ଆମ ରାଜ୍ୟର ମାଇକିନିଆ ପେଟପାଇଁ ଦେଶାନ୍ତର ଯିବା ତ ଦେଖାନାଇଁ ।

 

ବାହିନୀପତି କହିଲେ, “ତମେ ସିନା ଭାରତବର୍ଷର ଚାରିଆଡ଼େ ବୁଲିଛ, ଦେଖିଛ; ଆମର ତ ଏଇଠାରେ ଆରମ୍ଭ, ଏଇଠାରେ ଶେଷ ।”

 

ଦାସେ କହିଲେ, “ତୁମେ କ’ଣ ଗୟାଶ୍ରାଦ୍ଧ, ଗଙ୍ଗାସ୍ନାନ କରିବାକୁ ଯାଇନାହଁ, ଗୋଦାବରୀ ସ୍ଥାନକୁ ପରା ଏବେ ଚୁଡ଼ାମଣି ଯୋଗରେ ଯାଇଥିଲ ? ବୟସଥିବା ଓଡ଼ିଆ ମାଇକିନିଆ ସେଠି କେଉଁଠି ଭିଖ ମାଗିବାର ଦେଖିଛ ?”

 

ମୁଁ ଭାବି ହେଲି । ମୁଁ ତ ଚାରିଆଡ଼େ ବୁଲିଆସିଲିଣି; ନିରାଶ୍ରିତା ଓଡ଼ିଆ ସ୍ତ୍ରୀଲୋକ ରାଜ୍ୟାନ୍ତରରେ ଏଭଳି ବୁଲିବାର କେଉଁଠି ହେଲେ ଦେଖିନାହିଁ । ଓଡ଼ିଆ ପୁରୁଷ ଲୋକେ ପେଟପାଇଁ ସିମିଳାଠାରୁ ରେଙ୍ଗୁନ୍ ଯାଏଁ ଯିବାର ଦେଖିଛି, କିନ୍ତୁ ଓଡ଼ିଆ ମାଇକିନିଆ ତ ପ୍ରାୟ ଘରୁ ଗୋଡ଼ କାଢ଼ନ୍ତି ନାହିଁ ଏକୁଟିଆ । ବିଦେଶରେ ଓଡ଼ିଆ ଲୋକେ ସେଠାରେ ସ୍ତ୍ରୀଲୋକଙ୍କୁ ପ୍ରବାସପତ୍ନୀ କରି ରଖିବାର ଦେଖିଛି, କିନ୍ତୁ ଏ ରାଜ୍ୟରେ ଆସି ବାସ କରିଥିବା ପରଦେଶୀ ଲୋକେ ଓଡ଼ିଆ ମାଇକିନିଆ ରଖିବାର କ୍ଵଚିତ୍ ଆଖିରେ ପଡ଼ିଛି । ୟାର କାରଣ କ’ଣ ? ଅନ୍ଧାରରେ ବାଡ଼ି ବୁଲେଇଲା ପରି କହିଲି, “ହୁଏତ ଆମ ସ୍ତ୍ରୀଲୋକେ ଅଶିକ୍ଷିତା ହୋଇଥିବାରୁ ଘରକୋଣରେ ପଡ଼ି ରହିବାକୁ ପସନ୍ଦ କରନ୍ତି ।”

 

ଦାସେ ଚିନ୍ତିତ ହେଲା ପରି କହିଲେ, “ଆପଣ କ’ଣ ମନେ କରୁଛନ୍ତି, ଏ ଯେଉଁ ଟୋକୀଟି ଆସିଛି, ଏହା ତା’ର ଶିକ୍ଷାର ଆଧିକ୍ୟ ଯୋଗୁଁ ?”

 

ମୋର ନିଦାନ ଭୁଲ୍ ବୋଲି ବୁଝିଯାଇ ମୁଁ ତୁନି ହେଲି ।

 

ଦାସେ ନିଜକୁ ନିଜେ ପଚାରିଲା ପରି କହିଲେ, “ଆଉ କ’ଣ ଦାରିଦ୍ର୍ୟ ଯୋଗୁଁ ? ଦରିଦ୍ର ବୋଲି ତ ଆମେ ଭାରତବର୍ଷରେ ସାର୍ଟିଫିକେଟ୍ ହାସଲ କରିଥାଉଁ । ଆଖିକୁ ମଧ୍ୟ ଦିଶୁଛି ଆମର ଚାରିପଟେ ସ୍ତ୍ରୀଲୋକେ ଦିନକୁ ପେଟପୂରା ବକ୍ତେବି ପାଉନାହାନ୍ତି ।”

 

ମହାପାତ୍ରେ କହିଲେ, “ଦରିଦ୍ର ହେଲେ କ’ଣ ଲୋକେ ଘରର ଇଜ୍ଜତ ଦାଣ୍ଡରେ ପକାନ୍ତି-?”

 

ଦାସେ କହିଲେ, “ସେ କଥା ସତ । ଲୋକେ–ବିଶେଷ କରି ସ୍ତ୍ରୀଲୋକେ, ଭୋଖରେ ପଛେ ରହନ୍ତି, ସହଜରେ ଦାଣ୍ଡକୁ ବାହାରନ୍ତି ନାହିଁ ।”

 

କିଛି ସମୟ ତୁନି ହୋଇ ବସି ସେ ପୁଣି କହିଲେ, “ଆଜିକାଲି ସାମାଜିକ ନିରାପତ୍ତା ବୋଲି ଗୋଟାଏ ଶବ୍ଦ ବାହାରିଛି । ଯେଉଁ ସମାଜରେ ସଂହତି ଅଛି, ଯେଉଁଠି ଲୋକେ ପଡ଼ିଶା ଘରର ସୁଖ ଦୁଃଖରେ ଅଳ୍ପ ବହୁତେ ଭାଗୀ ହୁଅନ୍ତି, ସେଠାରେ ସ୍ତ୍ରୀଲୋକେ ଗୋଷ୍ଠୀ ଛାଡ଼ି ବାହାରକୁ ଚାଲିଯିବା ବେଶି ନ ଦେଖାଯିବାର କଥା ।”

 

ମୁଁ ପଚାରିଲି, “ସାମାଜିକ ନିରାପତ୍ତା କ’ଣ ଖାଲି ଏଇ ସଙ୍ଗତିରେ ଦେଖିବା ?”

 

ଦାସେ କହିଲେ, “ନା, ଯେଉଁଠି ସାମ୍ପ୍ରଦାୟିକ ସଂଘର୍ଷ ଅଧିକ ସେଠାରେ ସାମାଜିକ ନିରାପତ୍ତା କମ୍ ହେବଇ ହେବ । ଏ ଯେଉଁ ପଞ୍ଜାବ, ଶହ ଶହ ବର୍ଷ ହେଲା ସେଠାରେ ଭିନ୍ନ ଭିନ୍ନ ସଂସ୍କୃତିର ସଂଘର୍ଷ ଲାଗି ପରସ୍ପରର ସ୍ନେହ ସୌହାର୍ଦ୍ଦ୍ୟ ହୁଏତ କମିଯାଇଛି । ହିନ୍ଦୁ ବା ଶିଖର ମୁସଲମାନ ସଙ୍ଗେ ବୈରଭାବ ଯୋଗୁଁ, କ୍ରମେ ତାହା ଆପସୁଖୀପଣରେ ରୂପାନ୍ତରିତ ହୋଇଥିବ ।”

 

ଏ କଥାଟା ମୋ ମନକୁ ପାଇଲା । ଘୃଣା ଓ ବିଦ୍ୱେଷ ଆଗ ଶତ୍ରୁ ପ୍ରତି ହୁଏ । ସେହି ତାମସିକ ବୃତ୍ତି ହୃଦୟର ସଦ୍‌ବୃତ୍ତି ସବୁକୁ ବହିଷ୍କାର କରିଦେବାଫଳରେ ଶତ୍ରୁ ପ୍ରତି ହୋଇଥିବା ବିଦ୍ୱେଷ କ୍ରମେ ନିଜର ଭାଇ ଉପରକୁ ସଂକ୍ରମି ଯାଏଁ ବୋଲି ମୋର ବିଶ୍ୱାସ । ଯେଉଁଠି ସାମ୍ପ୍ରଦାୟିକ ବିଦ୍ୱେଷ ବେଶି, ସେଠାରେ ଏକାନ୍ନବର୍ତ୍ତୀ ପରିବାରର ସଂଖ୍ୟା କମ୍ ବୋଲି ତ ଦେଖାଯାଏ । ମୋର ଏ ଧାରଣା ମୁଁ ପ୍ରକାଶ କଲି ।

 

ମହାପାତ୍ରେ କହିଲେ, “ଉତ୍ତର ଭାରତରେ ସିନା ହିନ୍ଦୁ ମୁସଲମାନ ସଂଘର୍ଷରେ ପରିବାର ଓ ସମାଜ ଭାଙ୍ଗି ଯାଇଛି, ଦକ୍ଷିଣ ଭାରତରେ ତ ତାହା ନାହିଁ !”

 

ଦାସେ କହିଲେ, ସେଠାରେ ଆଉ ଗୋଟାଏ ସଂଘର୍ଷ–ଉଚ୍ଚନୀଚ ଜାତି ଭିତରେ ସମଜାତିର ଅଭାବ । ତେଲେଙ୍ଗା ଦେଶରୁ ଯେ ଏତେ ଲୋକ ପଳାଇ ଆସୁଛନ୍ତି, ତାହାର କାରଣ କ’ଣ ? ଭିଖାରି କହ, ରିକ୍ସାବାଲା କହ–ଏମାନେ ସମସ୍ତେ ପ୍ରାୟ ନୀଚ ଜାତିର ଲୋକ । ସେଠାରେ ସେମାନଙ୍କ ପ୍ରତି ଭ୍ରାତୃଭାବ ଥିଲେ, ଘର ଛାଡ଼ି ପଳାଇ ଆସନ୍ତେ କାହିଁକି ?”

 

ମୁଁ କହିଲି, “ଆମ ଏଠାରୁ ତ ପୁଣି ମୂଲିଆ ଶ୍ରେଣୀର ଲୋକେ କଲିକତା, କାଳିମାଟି ଯାଉଛନ୍ତି, ରେଙ୍ଗୁନ୍ ଯାଉଥିଲେ !”

 

ଦାସେ କହିଲେ, “ଆଗରୁ ତ ଏ ବିଷୟ ପକାଇଥିଲେ । ପୁରୁଷ ଲୋକେ ଯାଉଛନ୍ତି କିନ୍ତୁ ତାଙ୍କ ସ୍ତ୍ରୀ ପିଲାଙ୍କୁ ଛାଡ଼ି । ସେମାନଙ୍କର ଗାଁରେ ସାମାଜିକ ନିରାପତ୍ତା ଓ ପ୍ରତିବେଶୀର ସହଯୋଗ ମିଳୁଥିବା ଭରସାରେ ତାଙ୍କର ସ୍ୱାମୀ ଓ ବାପ ଭାଇ ନିଶ୍ଚିନ୍ତରେ ଦାଣ୍ଡକୁ ଯାଉଛନ୍ତି । ସେଇତକ ଯେଉଁଦିନ ଅଭାବ ହେବ, ସେ ଦିନ ତେଲେଙ୍ଗା ରିକ୍ସାବାଲାଙ୍କ ପରି ଏମାନେ ଘରଦ୍ୱାର ଛାଡ଼ି, ପିଲା ମାଇପ ଧରି ପଳାଇବେ ।”

 

ମହାପାତ୍ରେ କହିଲେ, “ପୁଣି ଗାଁରେ ଘର ଖଣ୍ଡିଏବି ଥିବାର ଚାହିଁ । ଆମ ରାଜ୍ୟରେ ଅଘରବାସୀଙ୍କର ସଂଖ୍ୟା ଖୁବ୍ କମ୍ । କଟକ ପ୍ରଭୃତି ସହରମାନଙ୍କରେ ଢେଙ୍କାନାଳ, ବାଙ୍କୀ, ଦଶପଲା ପ୍ରଭୃତିରୁବି ଲୋକେ ଆସୁଛନ୍ତି, ରିକ୍ସା ଟାଣିବାକୁ–ସମସ୍ତେ ପ୍ରାୟ ଘରେ ପିଲାଙ୍କୁ ଛାଡ଼ି ଆସନ୍ତି ।”

 

ଦାସେ ଯୋଡ଼ିଦେଲେ, “ଯେଉଁମାନେ ବିଦେଶ କରି ଯା’ନ୍ତି, ସେମାନଙ୍କର ମଧ୍ୟ ଭରସା ଥାଏ, ଦୁଇ ଚାରି ମାସ ଘରକୁ ଟଙ୍କା ନ ପଠାଇ ପାରିଲେ, ପିଲେ କାଳି ବାସି କରି, କାଢ଼ିଆ କରି, କ୍ଵଚିତ ମଗାଯଚା କରି ମଧ୍ୟ ଚଳିଯିବେ । ଏଭଳି ଅନେକ ଘଟଣା ମୋ ଦୃଷ୍ଟିକୁ ଆସିଛି ।”

 

ନାୟକେ କହିଲେ, “ଖାଲି ଦୃଷ୍ଟିକୁ ଆସିଛି ବୋଲି କହୁଛ କାହିଁକି ! ଏଭଳି କେତେ ଲୋକଙ୍କ ଗରଜ ତୁମେ ନିଜେ ମେଣ୍ଟାଅ କହୁନାହଁ ? ମହାପାତ୍ରଙ୍କର ତ ଏଇଆ ବୃତ୍ତି ।”

 

ମହାପାତ୍ରେ ଖେଙ୍କାରି ମିଶିଲେ, “ଖାଲି ଦାସେ, ମହାପାତ୍ରେ ତ ସବୁ କରି ପକାଉଛନ୍ତି-? ଖାଲି କ’ଣ ଆମରି ଗାଁ କଥା ପଡ଼ିଛି ? ଓଡ଼ିଶାର ଯହିଁ ଦେଖିବ, ସବୁଠି ଅଳ୍ପ ବହୁତେ ଏପରି ଚାଲିଛି । ମୁଁ ସିନା ଓଡ଼ିଶା ବାହାରକୁ ଯାଇନାହିଁ, ଓଡ଼ିଶାର ପ୍ରାୟ ସବୁ କନ୍ଦି ବିକନ୍ଦି ବିଷୟରେ ମୋର ତ ଧାରଣା ଅଛି ।”

 

ମୁଁ କହିଲି, “କିନ୍ତୁ ଏ ସଂସ୍କୃତିର ପରିବର୍ତ୍ତନ କ୍ଷିପ୍ରଗତିରେ ଚାଲିଛି । ଆଜି ଆଉ ପର ପ୍ରତି ଆପଣାର ହେବା ଲୋକ ବେଶି ଦିଶୁନାହାନ୍ତି । ମଝିରେ ମଝିରେ ଅନାହାର ମୃତ୍ୟୁ ସମ୍ବାଦ ତ ପଢ଼ୁଥିବେ । ଅନାହାରରେ ମରୁଥିବା ଲୋକଙ୍କର ଫଟୋ କାଗଜରେ ବାହାରୁଥିବା ଦେଖୁଥିବେ ।”

 

ବାହିନୀପତି କହିଲେ, “ମୁଁ ସେ ସବୁ ଦେଖି କିଛି ବୁଝିପାରେ ନାହିଁ । ଯେ ଫଟୋ ଉଠାଇବାକୁ ଯା’ନ୍ତି, ସେମାନେ କ’ଣ ଲୋକଟି ଖାଇବାକୁ ନପାଇ ମରିବାଯାଏଁ ଅପେକ୍ଷା କରି ବସିଥାନ୍ତି ? ଫଟୋ ଯନ୍ତ୍ର, ଫଟୋ କାଗଜରେ ଯାହା ପଇସା ଖର୍ଚ୍ଚ ହେଉଛି, ସେତିକିରେ ଖାଦ୍ୟ ଜିନିଷ, ଓଷୁଅ ପତ୍ର କିଣି ତ ବିଚରାକୁ ଦେଲେ ହୁଅନ୍ତା !”

 

ନାୟକେ କହିଲେ, “ସେମିତି ହେଲେ ଆଉ ଫଟୋ ଛାପା ହୁଅନ୍ତା କେମିତି ? ବ୍ୟବସ୍ଥାସଭାରେ ମୁଲତବୀ ପ୍ରସ୍ତାବ ହୁଅନ୍ତା କିମିତି ? ଘୋର ପାଗଳାମି ଚାଲିଛି ଚାରିଆଡ଼େ !”

 

ଦାସେ କହିଲେ, “ୟା ମୂଳରେ କ’ଣ ଅଛି ଜାଣ ? ଜୀବନର ମାନବୃଦ୍ଧି ବୋଲି ଯେଉଁ ଦୁଆ ଏଇଲାଗେ ଉଠିଛି, ତା’ରି ଯୋଗୁଁ ସମାଜର ତଳ ଶ୍ରେଣୀର ଲୋକମାନଙ୍କର ନିର୍ଯାତନା ହେଉଛି । ଶିକ୍ଷିତ ଲୋକେ ନିଜର ଅଭାବ ପୂରଣ କରିବାରେ ଏତେ ବ୍ୟସ୍ତ ଯେ ପାଖରେ ଲୋକ ଖାଇବାକୁ ନପାଇ ମଲେ ମଧ୍ୟ, ତୁଣ୍ଡରେ ଟିକିଏ ଆହା ବୋଲି କହିବା ଠାରୁ ଆଉ ବିଶେଷ କରିପାରିବାକୁ ସମର୍ଥ ହେଉନାହାନ୍ତି । ମୋ ନିଜ ପିଲାଙ୍କର ଏଇ ରୀତିପାଇଁ ଥରେ ମୋତେ ଖୁଣିବାକୁ ପଡ଼ିଥିଲା । ମୋ ବଡ଼ ନାତିଟିର ସ୍ଵନକ୍ଷତ୍ର ବେଳକୁ ପୁଅ ଆମର, ତା’ପାଇଁ ଭଲ ମୋଜା, ଟୋପି ଓ କନାଜୋତା ହଳେ କିଣିକରି ଆଣିଥିଲା । ପ୍ୟାଣ୍ଟ କୁରୁତା ମୂଲିଆ ପିଲେ ପିନ୍ଧିଲେଣି, ମୋ ଆଖିକୁ ଦିଶିଲା ନାହିଁ l ମୋ’ ବାପାଙ୍କ ଆଖିକୁ ଦିଶିଥାନ୍ତା ।”

 

ମୁଁ ପଚାରିଲି “କାହିଁକି ?”

 

ଦାସେ କହିଲେ, “ଆମ ପିଲାଦିନେ ଆମେ ସବୁ ପ୍ରାୟ ପାଞ୍ଚବର୍ଷ ଯାଏଁ ଊର୍ଦ୍ଧ୍ୱ ଲଙ୍ଗଳା ହୋଇ ବୁଲୁଥିଲୁ । ତା’ପରେ ୩।୪ ବର୍ଷ ଖଣ୍ଡେ ଖଣ୍ଡେ କୌପୁନି । ତା’ପରେ ଯାଇ ଲୁଗା ଓ ଗାମୁଛା । ନାତିର ସ୍ଵନକ୍ଷତ୍ର ଦିନ ପୁଅକୁ ଏ କଥା କହି, ତା’ ପୁଅର ଉଲ୍ ମୋଜା, ଟୋପି ଓ ଜୋତାରେ ଅନ୍ତତଃ ଆଉ ଦିଓଟି ପିଲାଙ୍କର ଖଣ୍ଡେ ଖଣ୍ଡେ ପ୍ୟାଣ୍ଟ ହୋଇପାରନ୍ତା ବୋଲି ତାକୁ ହିସାବ ବଢ଼ାଇଦେଲି ।”

 

ମହାପାତ୍ରେ କହିଲେ, “ସେ ଦିନ ମୁଁ ପରା ତୁମ ପାଖରେ ବସିଥିଲି । ସେତିକିରେ କିନ୍ତୁ ରାମିର ଚଳଣି ଏକାବେଳେ ବଦଳିଗଲା ।” ଏକଥା ଶୁଣି ମୋ ମନରେ ଗୁଡ଼ାଏ ପ୍ରଶ୍ନ ଉଦୟ ହେଲା-

 

ସେଦିନ ଓପରଓଳିଠାରୁ ଦାସେ ଗାଁର ଗୋଟାଏ କ’ଣ ସଭାକୁ ଯାଇଥାନ୍ତି ଯେ ରାତି ସାଢ଼େ ଆଠଟା ପର୍ଯ୍ୟନ୍ତ ଫେରି ନଥାନ୍ତି । ସେ ଚା’ ତ ଖାଆନ୍ତି ନାହିଁ, କିନ୍ତୁ ନିୟମିତଭାବେ ସନ୍ଧ୍ୟାବେଳେ ଲେମ୍ବୁପାଣି ଟିକିଏ ପିଅନ୍ତି । ସନ୍ଧ୍ୟାବେଳେ ମୋତେ ଚା’ ଟିକିଏ ମିଳିଲାବେଳେ ମୁଁ ସୂଚାଇଥିଲି, ଲେମ୍ବୁପାଣି ଟିକିଏ ସଭାଠାକୁ ପଠାଇଦେବାକୁ । ଉତ୍ତର ପାଇଲି, ଆଜି ସେ ଲେମ୍ବୁପାଣି ପିଇବେ ନାହିଁ । ଏଥିରେ କୌଣସି ବିଶିଷ୍ଟ କାରଣ ଯେ ଥାଇପାରେ ଏହା ମୁଁ ଅନୁମାନ କରିବାର କଥା ନୁହେଁ । ମହାପାତ୍ରେ ସେତିକିବେଳେ ଆସି ପହଞ୍ଚି ନଥିଲେ ମୋର ଧାରଣା ରହିଯାଇଥାନ୍ତା ଯେ ଆଜି ଦେହରେ ଲେମ୍ବୁପାଣି ଚଳିବ ନାହିଁ ବୋଲି ମନେକରି ସେ ଆଗରୁ ମନା କରି ଦେଇଯାଇଛନ୍ତି ।

 

ମହାପାତ୍ରେ ସେତିକିବେଳେ ଆସି ମୋର ସେ ଆଶଙ୍କା ଦୂର କରି କହିଲେ, “ଦାସେ ପଚିଶ ଜଣକ ସଭାରେ ବସିଥିଲାବେଳେ ପାନଖଣ୍ଡେବି ଲୋଡ଼ନ୍ତି ନାହିଁ ।”

 

ମୁଁ କହିଲି, “ମୁଁ ତ ମନେ କରେ, ସଭାରେ ବସି ପାନ ଖୋଜିବା, ଚା’ ଖାଇବାଦ୍ୱାରା ସଭାର ଗୁରୁତ୍ଵ ନଷ୍ଟ ହୋଇଯାଏ । ଆଜିକାଲି ସଭାସମିତିମାନଙ୍କରେ ଆଲୋଚନାକୁ ସୁକର କରିବାକୁ ଚା’, ବିସ୍କୁଟ୍, ଚିନାବାଦାମ, ଲଙ୍କାଆମ୍ବମଞ୍ଜିଭଜା ପରିବେଷଣବେଳେ ମୁଁ ମନେକରେ ଆଲୋଚ୍ୟ ବିଷୟଟା ମାମୁଲି ହୋଇଯାଉଛି ।”

 

ମହାପାତ୍ରେ କହିଲେ, “ୟେ ତ ବୈଦେଶିକ ସଭ୍ୟତାରୁ ଗୋଟାଏ ଆହରଣ । ଶ୍ରାଦ୍ଧ, ଧର୍ମଶାସ୍ତ୍ର ପାରାୟଣ ଓ ଆଲୋଚନା ଇତ୍ୟାଦି କର୍ମରେ ଆମର ଓଲଟା ବ୍ୟବସ୍ଥା । ପେଟ ଖାଲି ରହିବା ଦରକାର ଓ ଇନ୍ଦ୍ରିୟମାନେ କର୍ମରେ ଏକାଗ୍ର ହେବା ଦରକାର । ଆଜିକାଲିର ସଭାସମିତି ଯେପରି ଉପରଠାଉରିଆ, ସେଥିରେ ଏତେ ଏକାଗ୍ରତାର କ’ଣ ବା ପ୍ରୟୋଜନ ?”

 

ମୋର ମନେପଡ଼ିଲା ପାର୍ଲାମେଣ୍ଟରେ, ବ୍ୟବସ୍ଥାସଭାରେ ପାନ ଖାଇବାକୁ ମନା ।

 

ମହାପାତ୍ରେ କହିଲେ, “ସବୁ କଥା ପରି, ୟେ ବି ଉପରଠାଉରିଆ ଭାବରେ ମନା । ପାନ କଳରେ ଜାକି ସଭାସଦ୍‍ମାନେ ବାଚସ୍ପତିଙ୍କ ଆଗରେବି ନିଶ୍ଚିନ୍ତ ଶୋଇଥିବାର ଥରେ ମୁଁ ଦର୍ଶକ ଗ୍ୟାଲେରୀରୁ ଦେଖିଛି । ପୁଣି ପାନ, ବିଡ଼ି ଖାଇବାକୁ ଯେ କେହି ଯେତେବେଳେ ଇଚ୍ଛା ସେତେବେଳେ ସଭା ଛାଡ଼ି ‘ଲବି’ବି ଯାଉଥାନ୍ତି । ଏ ପରିସ୍ଥିତିରେ ବ୍ୟବସ୍ଥାସଭାର ଗୁରୁତ୍ଵ ନଷ୍ଟ ହେବାରଇ ତ କଥା । କିନ୍ତୁ ଦାସେ ଏ ବିଷୟରେ ମୋତେ ଅନ୍ୟ ଗୋଟିଏ କାରଣ କହିଥିଲେ ।”

Unknown

 

ମୋର ଶୁଣିବାକୁ ଆଗ୍ରହ ଦେଖି ସେ କହିଲେ, “ମୁଁ ଥରେ ତାଙ୍କ ଆଗରେ ଏଇ କଥା ପକାଇଥିଲି । ମୁଁ କହିଲି, ‘ଆହାର, ବିହାର ଆଦି ବିଷୟରେ ନିୟମ ମାନି ଚଳିବା ମଣିଷର କର୍ତ୍ତବ୍ୟ-। ଖାଇବାବେଳକୁ ଯଦି ସଭା ନ ସରିଲା ତେବେ ସେଇଠାରେ କିଛି ଖାଇଲେ ଦୋଷ କ’ଣ-? ମହାତ୍ମା ଗାନ୍ଧୀ ତ ସଭାରେ ବସିବାବେଳେ ଆହାର କରୁଥିଲେ । ବିନୋବା ବାଭେ ତାଙ୍କ ପଦଯାତ୍ରାବେଳେ ବାଟରେ ଘାଟରେ, ଯେଉଁଠି ଖାଇବା ଟାଇମ୍ ହେଲା ସେଠାରେ ବସିପଡ଼ି ଖାଉଥିଲେ ।’ ଦାସେ ମୋତେ ଉତ୍ତର ଦେଲେ, ନିଜ କଥାକୁ ଜୋର ଦେବାପାଇଁ ବଡ଼ଲୋକଙ୍କ ନାମ ଧରିବା ତୁମର ଗୋଟାଏ ରୋଗ । କଥାଟାର ତାତ୍ତ୍ଵିକ ବିଚାର କଲାବେଳେ ବଡ଼ଲୋକଙ୍କ ଦେହରେ ଆଞ୍ଚ ଲାଗିବାର ଭୟ ହେବ ବୋଲି ତ ମଣିଷ ଶଙ୍କିଯିବ’ ।”

 

ମୁଁ କହିଲି, “ଏଥିରେ କ’ଣ ତତ୍ତ୍ୱ ଅଛି କହୁନାହଁ ? ବଡ଼ଲୋକଙ୍କ ଦେହରେ ଆଞ୍ଚ ଲାଗିବା ଆଳରେ ତୁମେ କଥାଟାକୁ ଉଡ଼ାଇ ଦେବାକୁ ବସିଛ ବୋଲି ମୁଁ ଅଭିଯୋଗ କରେ ?”

 

ଦାସେ କହିଲେ, “ଧର, ସଭାରେ ଶହେ ଜଣ ବସିଥାଇଁ । ତା’ରି ମଝିରେ ଖାଲି ଆମର ଖାଇବା ସମୟ ହୋଇଗଲା ବୋଲି ବିଚାରିଲାବେଳେ, ଭାବିବା ଉଚିତ, ଆଉ କାହାର ମଧ୍ୟ ଖାଇବାବେଳ ଗଡ଼ିଯାଉଥିବ । ଧର, ଠିକ୍ ସେତିକିବେଳେ ପଚାଶ ଜଣଙ୍କର ଖାଇବା ବେଳ । ଏପରି ସ୍ଥଳେ ଦୁଇଟାରୁ ଗୋଟାଏ ପନ୍ଥା ଧରିବାର କଥା । ସମସ୍ତଙ୍କ ପାଇଁ ଖାଇବାର ବ୍ୟବସ୍ଥା କରିବ କିମ୍ବା ଖାଇବା ଅପେକ୍ଷା ସଭାର ଆଲୋଚନାକୁ ଅଧିକ ଗୁରୁତ୍ୱ ଦେଇ ଖାଇବା ସମୟ ଗଡ଼ାଇ ଦେବ । ଯେଉଁମାନେ ଖାଇବା ସମୟ ଗଡ଼ାଇବାକୁ ନାରାଜ ସେମାନେ ଅଇଁଠା ହାତ ଓ ମୁହଁରେ ସଭା କରୁଛନ୍ତି । ଆମର ଦ୍ଵିତୀୟ ପନ୍ଥା । ତୁମେ ଯେଉଁ ତୃତୀୟ ପନ୍ଥାଟା କହୁଛ, ସମସ୍ତେ ଚାହୁଁଥିବେ ଓ ଆମେ ଏକୁଟିଆ ଖାଉଥିବା, ତାହା ଆମ ଦେଶର ସଦାଚାର-ବିଗର୍ହିତ ।”

 

ମୁଁ ଆପତ୍ତି କଲି, “କିନ୍ତୁ ତୁମର ସ୍ୱାସ୍ଥ୍ୟପାଇଁ ସେ ଯଥାସମୟରେ ଲେମ୍ବୁ ପାଣି ଟିକିଏ ଦରକାର !”

 

ସେ ଉତ୍ତର ଦେଲେ, “ସ୍ୱାସ୍ଥ୍ୟପାଇଁ ଯଦି ଏତେ ଲୋଭ, ତେବେ କାମଦାମ ସବୁ ଛାଡ଼ି ଘଣ୍ଟାକୁ ଚାହିଁ ରହିଥିବାକୁ ହେବ, ଲେମ୍ବୁ ପାଣି ବେଳ ହେଲା କି ନାହିଁ ! ସେପରି ହେଲେ ବାପ ଶ୍ରାଦ୍ଧବି ବନ୍ଦ ହୋଇଯିବ, ବିଧବାମାନେ ଏକାଦଶୀ ଉପବାସ ଛାଡ଼ିଦେବେ । ଏ ଦିଗଟା ବିଚାର କରୁନାହଁ ଯେ ?”

 

ମହାପାତ୍ରଙ୍କଠାରୁ ମୁଁ ଏକଥା ଶୁଣି ଚିନ୍ତିତ ହେଲି । ବାସ୍ତବିକ ଆମେ ଆମର ଭଲମନ୍ଦ କଥା ବିଚାର କଲାବେଳେ, ଅନ୍ୟ ଉପରେ ତାହାର କି ପ୍ରତିକ୍ରିୟା ହେଉଛି ତାହା ବିଚାରିବାକୁ ପାସୋରିଯାଏଁ ।

 

ମହାପାତ୍ରେ ପୁଣି କହିଲେ, “ଦୈବାତ୍ ଦାସେ ଓ ମୁଁ ଏକା ଗାଁରେ ଜନ୍ମ । ଖାଲି ସେତିକି ନୁହେଁ, ପିଲାଦିନୁଁ କଲେଜ ଛାଡ଼ିବା ଯାଏଁ ଏକ ସଙ୍ଗେ ରହିଥିଲୁଁ । ଚାକିରି ଜୀବନ ମଧ୍ୟ ଏକାଠି କଟାଇଛୁଁ । ସେ ମୋଠାରୁ ଭଲ ପଢ଼ୁଥିବାରୁ ହେଲେ ଅଫିସର ଓ ମୁଁ ତାଙ୍କ ଅଫିସ୍‍ର କିରାଣି । ମୂଳରୁ ଶେଷ ଯାଏଁ ଦେଖିଆସିଛି ପ୍ରତ୍ୟେକ କାର୍ଯ୍ୟ କଲାବେଳେ, ପ୍ରତ୍ୟେକ ପଦ କଥା କହିଲାବେଳେ ଅନ୍ୟର ମନରେ କି ପ୍ରତିକ୍ରିୟା ହେଉଛି ତାକୁ ଲକ୍ଷ୍ୟ କରି ସେ କାମ କରନ୍ତି, କଥା କହନ୍ତି । ଆମେ ଯେ ତାଙ୍କଠାରୁ କେତେ ତଳେ, ସେ କଥା ସେ କସ୍ମିନ୍‍କାଳେ ଭାବିବାକୁ ଅବସର ଦିଅନ୍ତି ନାହିଁ ।”

 

ମୁଁ ପଚାରିଲି, “ତେବେ ତ ତାଙ୍କର କର୍ତ୍ତବ୍ୟ କରିବାରେ ବାଧା ହେଉଥିବ । ତଳ ପାହିଆର ଲୋକ ତାଙ୍କୁ ମାନୁନଥିବେ !”

 

ମହାପାତ୍ରେ କହିଲେ, “କିନ୍ତୁ ପ୍ରକୃତ ଫଳ ହୁଏ ଠିକ୍ ଓଲଟା । ସେ ଆମ ସଙ୍ଗେ ମେଳାପି ଆଚରଣ କଲାବେଳେ, ଦୈବାତ୍ ଯେଉଁ ଦିନ ଆମେ ଆମ କର୍ତ୍ତବ୍ୟରେ ଖିଲାପ କରିଥାଉ ସେଦିନ ଆମେ ଆତ୍ମଗ୍ଳାନିରେ ସଢ଼ିଯାଉ । ମୋର ମନେ ଅଛି, ଥରେ ଚାକିରିବେଳେ ମୁଁ ମୋ ବାକିଆ କାମ ରଖି ସନ୍ଧ୍ୟାବେଳେ ଯାଇ ତାଙ୍କ କୋଠିରେ ଅଡ଼୍‌ଡ଼ା ମାରୁଥିଲି । ହସଖୁସିରେ ସମୟ କଟୁଥାଏ । ହଠାତ୍ ମୋର ମନେହେଲା, ମୁଁ ୟାଙ୍କ ସଙ୍ଗେ ମେଳାପ କରିବାର ପାତ୍ର ନୁହେଁ । ସମୟ ଉଣ୍ଡି ଘରକୁ ପଳାଇଗଲି ଓ ରାତିରାତି ମୋର କାମ ସାରି ଅବହେଳାର ପ୍ରାୟଶ୍ଚିତ୍ତ କଲି ।”

 

ଟିକିଏ ବେଳ ତୁନି ରହି ସେ ପୁଣି କହିଲେ, “ଏବେ ତ ଆଉ ଚାକିରି ବେଳ ନାହିଁ । ମୁଁ ସିନା ୟାଙ୍କ ପାଖେ ଚାକିରି କରୁଥିଲି, ନାୟକେ ଓ ଅନ୍ୟମାନେ ତ ୟାଙ୍କ ଅଧୀନରେ ଚାକିରି କରି ନଥିଲେ । ସମ୍ପତ୍ତିରେ ବାହିନୀପତି ଆମ ସମସ୍ତଙ୍କୁ ଏକା ଢୋକରେ ଗିଳିଦେବେ । କିନ୍ତୁ ଦାସଙ୍କ ପ୍ରତି ସମସ୍ତଙ୍କର କି ସମ୍ଭ୍ରମ ଆପଣ ତ ଲକ୍ଷ୍ୟ କରୁଥିବେ । ଏହା ଧନ, କ୍ଷମତା ବା ପାଣ୍ଡିତ୍ୟ ଯୋଗୁଁ ନୁହେଁ । ଏହା ତାଙ୍କର ବ୍ୟକ୍ତିତ୍ଵ ଯୋଗୁଁ ।”

 

ମୁଁ ଆପତ୍ତି କଲି, “କିନ୍ତୁ ବ୍ୟକ୍ତିତ୍ଵ ଯେ ଧନ, କ୍ଷମତା ଓ ବିଦ୍‌ବତ୍ତା ବଳରେ ଗଢ଼ି ଉଠେ ।”

 

ମହାପାତ୍ରେ କହିଲେ, “ୟେ ସେଇ ପାଶ୍ଚାତ୍ୟ ଦାର୍ଶନିକଙ୍କ ବିକୃତି । ବ୍ୟକ୍ତିତ୍ଵର ମୂଳରେ ଶୁଦ୍ଧ ହୃଦୟ । ଆମେ ସମସ୍ତେ ଯେ ଆଜୀବନ ତାଙ୍କୁ ଛାଡ଼ିପାରୁନାହୁଁ ତାହା ତାଙ୍କର ସେଇ ଅମାୟିକ ଭାବ ଯୋଗୁଁ । ପର ଆପଣା ଭେଦ ତାଙ୍କର ନାହିଁ । ପରର ଅଭାବ ଅସୁବିଧାକୁ ସେ ନିଜର ପରି ଯେ ଖାଲି ମନେ କରନ୍ତି ତାହା ନୁହେଁ । ନିଜର ଅସୁବିଧା ହେଲେବି ପରର ସୁବିଧା କରିବାକୁ ସେ ସବୁବେଳେ ତତ୍ପର । ଏଇ କାରଣରୁ ତାଙ୍କୁ ସମସ୍ତେ ମାନୁ । ଦୁଃଖ ଲାଗେ, ଆଜିକାଲିର ପିଲେ ତାଙ୍କୁ ଚିହ୍ନିପାରୁନାହାନ୍ତି । ତାଙ୍କ କଥା ଅନେକ ସମୟରେ ମାନୁ ନାହାନ୍ତି ।”

 

ମୁଁ କହିଲି, “ଆଜିକାଲି ସବୁଠି ସେଇ ଏକ କଥା । ଜଣେ ସମାଜବିଜ୍ଞାନୀ ଏବେ ଗୋଟାଏ ନୂଆ ତତ୍ତ୍ଵ ବାହାର କରିବାର ଶୁଣିଲି । ସେ କହୁଛନ୍ତି, ଆଦିମକାଳରେ ଥିଲା ରାଜା-ପ୍ରଜା ସଂଘର୍ଷ, ତା’ପରେ ହେଲା ମାଲିକ-ମୂଲିଆ ସଂଘର୍ଷ, ତା’ପରେ ଥିଲାବାଲା ଓ ନଥିଲାବାଲାଙ୍କ ସଂଘର୍ଷ । ଏବେ ଆରମ୍ଭ ହୋଇଛି ପିଲା ଓ ବୁଢ଼ାଙ୍କ ସଂଘର୍ଷର ବେଳ । ପିଲାମାନେ ବୁଢ଼ାଙ୍କ ହାତରୁ ସମାଜ-ନିୟନ୍ତ୍ରଣର ସମସ୍ତ କ୍ଷମତା ଛଡ଼ାଇ ନେବାକୁ ବର୍ତ୍ତମାନ ବଦ୍ଧପରିକର ।”

 

ମୁଁ ଏ ବିଷୟରେ ଆଲୋଚନା ଆରମ୍ଭ କରିଛି, ଦାସେ ଆସି ପହଞ୍ଚିଲେ; ଘର ଭିତରକୁ ଯାଇ ଗୋଡ଼ ଧୋଇ ଦାଣ୍ଡକୁ ଆସିବା ପୂର୍ବରୁ ଘର ଭିତରୁ ଗୃହିଣୀଙ୍କ ସ୍ଵର ଶୁଣାଗଲା, “ଦେଖ, ଦେଖ, ତୋ ବାପାଙ୍କର ରୀତି । ଯେତେବେଳେ ଭଦ୍ରଲୋକୀରେ ଗଲେ ସେତେବେଳେ କିଛି ନା କିଛି ତଣ୍ଡ ପଡ଼ିଲେ ।”

 

ଦାସେ ନମ୍ର ସ୍ଵରରେ ପ୍ରତିବାଦ ଶୁଣାଉଥାନ୍ତି, “ତୁ ବି ୟାଙ୍କ ଢଙ୍ଗ ଦେଖୁଥା’ଲୋ ମା’ ! ମୋତେ ବାପା ଡାକିବାକୁ ତୋତେ ଶିଖାଇ ସାରିଲେଣି । କକା ଡାକିଲେ ହୁଅନ୍ତା, ମଉସା ଡାକିଲେ ହୁଅନ୍ତା । ମୁଁ ଯଦି ତୋ’ର ବାପା ହେଲି ତେବେ ତୋ’ ମା’ର ମୁଁ କ’ଣ କହିବୁଟି ।”

 

ଯାହାଙ୍କୁ ଏକଥା କୁହାଗଲା ସେ କିଛି ଉତ୍ତର ନ ଦେଇ ଦାସଙ୍କ ପାଖେ ପାଣିଢ଼ାଳ ଓ ଗାମୁଛା ଥୋଇ ଦେଇ ଭିତରକୁ ଚାଲିଯିବାର ଦାଣ୍ଡରୁ ମୋତେ ଦିଶୁଥାଏ । ୟେ ଗୋଟିଏ କିଏ ନୂଆ ଲୋକ ଏ ଘରେ ଆସି ଢୁକିଲାଣି ବୋଲି ମନେମନେ ବିଚାରିଥିଲି, ପରେ ଜାଣିଲି ୟେ ସେଇ ପଞ୍ଜାବୀ ସ୍ତ୍ରୀଲୋକଟି ଯେ ଚାରି ପାଞ୍ଚ ଦିନ ପୂର୍ବେ ଏ ଘରେ ଆଶ୍ରୟ ପାଇଛି ।

 

ଦାସେ ଘରୁ ବାହାରି ଆମ ଭିତରେ ବସୁ ବସୁ ମହାପାତ୍ରେ ପଚାରିଲେ, “କାହାର ନ୍ୟାୟ ପଡ଼ିଥିଲା କି ଆଜି ? ତମେ ତ ଦିପହରୁ ଗଲଣି ?”

 

ଦାସେ କହିଲେ, “ଗୁଡ଼ାଏ ଚଷୁ କୁଟିବାକୁ ପଡ଼ିଲା । ସେଇ ଜେନା ଘର ପିଲା ଯୋଡ଼ାକ-। ତିନିଦିନ ହେଲା କଳି ଲଗାଇଥିଲେ, ଭିନେ ହେବାକୁ । ଦିହିଁଙ୍କ ଭିତରେ କଳି କରୁ କରୁ ଆପଣା ବୁଢ଼ୀମା’ଟାକୁ ଦୁହେଁ ମିଶି ନିସ୍ତୁକ୍ ଛେଚିଛନ୍ତି ବୋଲି କାଲି ଆମ ଗୃହିଣୀଙ୍କଠାରୁ ଶୁଣି ଯାଇଥିଲି-। ଯୋଡ଼ାକଯାକ ଅତି ଅବୁଝା । ଚାରିଦିନ ହେଲା ପଡ଼ିଆ ହୋଇ ଯେତିକି ମଜୁରି ହରାଇଲେଣି, ତାହା ତାଙ୍କ ସମ୍ପତ୍ତିଠାରୁ ଅଧିକ ।”

 

ମହାପାତ୍ରେ ପଚାରିଲେ, “ଏବେ ତୁଟିଗଲାଟି ?”

 

ଦାସେ କିଛି କହିବା ପୂର୍ବରୁ ବାହିନୀପତି ଗାଁ ସେ ମୁଣ୍ଡରୁ ଅନର୍ଗଳ ପାଟିକରି ଆସୁଥିବାର ଲକ୍ଷ୍ୟ କଲୁ଼ଁ । ସମସ୍ତେ ସେଇ ଆଡ଼କୁ ଚାହିଁ ରହିଲୁ । ବାହିନୀପତି କହୁଥାନ୍ତି, “ଏ ପିଲାଗୁଡ଼ାକ କେଡ଼େ ଅସଭ୍ୟ ହୋଇଛନ୍ତିହେ ! ୟାଙ୍କ ଆଖିକୁ ଆଉ ମଣିଷ ଦିଶୁନାହାନ୍ତି । ଧନ୍ୟ ବୋଲିବା ୟାଙ୍କ ବାପ ମା’ଙ୍କୁ । ବାପେ ଆସିଲେ ଏଠାରେ ଆଜ୍ଞା ଆଜ୍ଞା ବୋଲି ଭୂଇଁରେ ଲୋଟିଯାନ୍ତି, ପିଲାଙ୍କ ଢଙ୍ଗକୁ ଦେଖ । ବାପା ମା’ ଆକଟ କରୁଥିଲେ ୟା ହୁଅନ୍ତା ?”

 

ଦାସେ ପଚାରିଲେ, “ୟା ହୁଅନ୍ତା ବୋଲି ପଚାରିଲେ ଆମେ କ’ଣ ସମାଧାନ କରିବୁ କହିଲ ! ଘଟଣାଟା କ’ଣ ଆଗ କହ । ତା’ପରେ ଭଲ କି ମନ୍ଦ ଟିପ୍ପଣୀ କରିବ । ତମେ ତ କୋଉ ବିରୁଡ଼ି ଘରାରେ ହାତ ମାରିଦେଲା ପରି ଜଣା ପଡ଼ୁଛି ।”

 

ବାହିନୀପତି ଅଭିମାନରେ ପାଟି କରି ଉଠିଲେ, “ତମେ କୌଣସି ସମାଧାନ କରିବା ଆମର ଦରକାର ନାହିଁ । ହେଇଟି କହୁଛି ଶୁଣ–ଆଜିଠାରୁ ଯଦି କୌଣସିଠିକୁ ଭଲଲୋକୀ କରି ଯିବ ତେବେ ଦେଖିବ । କାୟକ୍ଳେଶ, ଅର୍ଥହୀନ, ଶେଷକୁ ପୁଣି ମନଃପୀଡ଼ା । କାହିଁକିହେ, ତମ ଦାଣ୍ଡଦୁଆରେ ତମେ ବସ । ଆଜିକାଲି ଯେଉଁ ଛତରାଗୁଡ଼ାକ ଉତୁରୁଛନ୍ତି, ୟାଙ୍କ ପାଖେ ମୂକ ନିଷ୍କ୍ରିୟ ହୋଇ ରହିବାଇ ଶ୍ରେୟଃ । ଦର୍ଦ୍ଦୁରା ଯନ୍ତ୍ର ବକ୍ତାରଃ…. ।”

 

ବାହିନୀପତି ଯେଉଁ ଆଡ଼ୁ ଆସିଥିଲେ ସେଇପଟୁ ଭୀଷଣ ପାଟି ଶୁଣାଗଲା । ଫୌଜଦାରି ଆରମ୍ଭ ହୋଇଗଲା ବୋଧହୁଏ । ମରିଗଲିଲୋ ବାପା, ମାରି ପକାଇଲାଲୋ ବୋଉ ବୋଲି ଗୋଟାଏ ଚିତ୍କାର ଶୁଭିଲା । ଆମେ ସମସ୍ତେ ଧାଇଁ ଗଲୁଁ–ମହାପାତ୍ରେ ଓ ମୁଁ ସମସ୍ତଙ୍କ ଆଗରେ, ଦାସେ ସବାପଛରେ । ଗୋଟାଏ ଟୋକା ଠେଙ୍ଗା ଉହୁଞ୍ଚାଇ ପାଟି କରୁଥାଏ, “ଆସ ତମ ଲଫଙ୍ଗା ଦଳର ସମସ୍ତଙ୍କୁ ଗୋଟି ଗୋଟି କରି ଆଜି ଶୁଆଇ ଦେବି । ଶଳା, ବୁଢ଼ାଙ୍କୁ ଗାଳି ଦେଇ ମୁହଁ ବଢ଼ି ଯାଇଛି, ନା ? ବୁଢ଼ା ସିନା ମୁହଁ ପୋତି ଚାଲିଯିବେ, ନାଗ ସାପ ଲାଙ୍ଗୁଡ଼ରେ ହାତ ମାରିଲେ ସମ୍ଭଳା ପଡ଼ିବ !” ସେତେବେଳକୁ ଆଉ ଗୋଟେ ଟୋକା ଠେଙ୍ଗାଧରି ବକ୍ତାଙ୍କର ପୃଷ୍ଠପୋଷକ ହୋଇ ରହି ଯାଇଥାଏ ।

 

ଦାସେ ଆଗକୁ ଆସି କହିଲେ, “କିରେ ବଳିଆ, ରଘୁଆ, ଘର କଳି ତୁଟିଗଲା ବୋଲି କ’ଣ ଦୁହେଁ ବାହାରି ପଡ଼ିଛ, ଗାଁଯାକ ସମସ୍ତଙ୍କୁ ପିଟି ଦେବ ? କଥା କ’ଣ ? ଠେଙ୍ଗାବାଡ଼ି କାରବାର ହୋଇଛି କାହିଁକି ?”

 

ମହାପାତ୍ରଙ୍କଠାରୁ ଜାଣିଲି, ଏଇ ଦୁହେଁ ଜେନା ଦୁଇ ଭାଇ । ୟାଙ୍କରି ଅଳିଆ ତୁଟାଇବାକୁ ଦାସେ ଆଜି ଦିନ ତମାମ ଲାଗିଥିଲେ । କୃଷ୍ଣାର୍ଜୁନ ପରି ଦୁହେଁ ଯେପରି ଠିଆ ହୋଇଥାନ୍ତି, ତାହା ଦେଖି କିଏ କହିବ, ଏ ଦୁହିଁଙ୍କର ଝଗଡ଼ା ଲାଗିଥିଲା ବୋଲି ।

 

ଏତିକିବେଳେ ଦାସଙ୍କର ଦୃଷ୍ଟି ପଡ଼ିଲା ତଳେ ପଡ଼ିଥିବା ଯୁବକ ଉପରେ । ତା’ର ସାଙ୍ଗଙ୍କ ଭିତରୁ ଅଧିକାଂଶ ଭୟରେ ପଳାଇଥାନ୍ତି । ଖଣ୍ଡେ ଦୂର ଛାଡ଼ି ଠିଆ ହୋଇଥାନ୍ତି ଚାରି ପାଞ୍ଚଜଣ । ରାଗରେ ତମତମ ହେଉଥାନ୍ତି । ଜଣେ କହିଲା, “ଆପଣ ଆମକୁ ମାଡ଼ ମରାଇଛନ୍ତି । ୟାକୁ ଆମେ ନେଇ ଡାକ୍ତର ମାଇନା କରାଇବୁ । ଆପଣଙ୍କୁ ମୁଦାଲା କରି ମକଦ୍ଦମା ଚାଲିବ ।”

 

ଦାସେ କାବା ହୋଇ ବକ୍ତାଙ୍କ ଆଡ଼କୁ ଚାହିଁଛନ୍ତି, ପାଖ ଘରୁ ଜଣେ ବାହାରି ପଡ଼ିଲା–ଯୁବକ କିନ୍ତୁ ଖଞ୍ଜ ଓ ରୁଗ୍‌ଣ । ସେ ପାଟି କଲା, “ତୁମେ ସବୁ ମାଡ଼ ମୂଲାଉଛ । ଆଜ୍ଞା ଠିଆ ହୋଇ ନ ଥାନ୍ତେ କି ବଳିଆକୁ କହନ୍ତି ୟାକୁବି ସାବାଡ଼ କରିବାକୁ ।”

 

ବଳିଆ ଠେଙ୍ଗା ଫୋପାଡ଼ି ଦେଇ ଦାସଙ୍କ ଆଗରେ ଢୁକିନି ମୁଣ୍ଡିଆଟିଏ ମାରି କହିଲା “ସାଆନ୍ତେ, ତମେ ଏଠିକୁ ଆସିଲ କାହିଁକି ? ମହାପାତ୍ର ସାଆନ୍ତ ଆସିଲେ କାହିଁକି ? ଆପଣମାନେ ଚଉପାଢ଼ିକୁ ଚାଲିଯାନ୍ତୁ । ରଘୁଆର ମୋର ଏ ଗୋଷ୍ଠୀଙ୍କୁ ପାନେ ଦେଇ ଦେଉ । ମକଦ୍ଦମା ତ ହବ, ଭଲ କରି ହେଉ । ଶଳାଙ୍କର କେଡ଼େ ସାହସ !”

 

ଲକ୍ଷ୍ୟ କଲି ମହାପାତ୍ରେ ଓ ବାହିନୀପତି ଉଭୟେ ପାଚି ଗଲେଣି । ମୁଁ ବାହାର ଲୋକ, ତଥାପି ମୋ’ର ମଧ୍ୟ ଦିହ ତାତି ଯାଉଥାଏ । ଦାସଙ୍କୁ ଅପମାନ ଦେଇଥିବା ପିଲାକୁ ମୁଁ ରକ୍ତଚକ୍ଷୁରେ ଚାହୁଁଥାଏ । ଦାସେ ତା’ ଆଡ଼କୁ ଚାହିଁ କହିଲେ, “କିଓ ଧୀର ! ମକଦ୍ଦମା କରିବ ବୋଲି କ’ଣ ଆପଣା ସାଙ୍ଗକୁ ଏମିତି ଭୂଇଁରେ ଗଡ଼ାଇ ମାରିଦେବ । ଆଗ ତାକୁ ଧରି ମୋ ଦୁଆରକୁ ଆଣ । ଯଦି ଗୁରୁତର ଆଘାତ ହୋଇଥିବ ମୁଁ ଶଗଡ଼ ଦେବି, ତାକୁ ଡାକ୍ତରଖାନାକୁ ନେଇ ମାଇନା କରାଇ ଏତଲା ଦେବ । ଆଗ ତା’ର ପ୍ରାଥମିକ ଚିକିତ୍ସା ହେଉ ।”

 

ପାଖ ଘରର ଖଞ୍ଜ ଯୁବକ ଏତିକିବେଳେ ଦୁର୍ବିନୀତ ଯୁବକର କାନ ଧରି ପକାଇ କହିଲା, “ଆବେ, ଆଗ ଯାଇ ଆଜ୍ଞାଙ୍କ ଗୋଡ଼ ଧରି ମାଫି ମାଗ । ତମେ ସବୁ ଯେମିତି ହେଉଛ, ସେଇ ଜଣକ ନଥିଲେ ସମସ୍ତେ ମାମୁଘରେ ଘଣା ପେଡ଼ୁଥାନ୍ତ ।” ଯୁବକଟି ଛେଳି ପରି ନିର୍ଦ୍ଦେଶ ମାନିଲା । ମାଡ଼ ଖାଇ ତଳେ ପଡ଼ିଥିବା ଯୁବକଟିକୁ ନେଇ ସମସ୍ତେ ଦାସଙ୍କ ଚଉପାଢ଼ିକୁ ଗଲୁ । ମାଡ଼ ମାତ୍ର ପାହାରେ ଦୁଇ ପାହାର ହୋଇଥାଏ । ଆଘାତ ବିଶେଷ କିଛି ନୁହେଁ । ଜେନା ଟୋକାର ଭୀମମୂର୍ତ୍ତି ଦେଖି ସେ ଭେଟଣା ହୋଇ ଯାଇଥାଏ ମାତ୍ର । ସେ କଲେଜ ପଢ଼ୁଆ ଟୋକା । ମୁହଁ ଫିଟା ସିନା ହୋଇଛି, ଦେହରେ କଡ଼ାଟାକର ବଳ ନାହିଁ । ଜେନା ଟୋକା ଦୁହେଁ ମାଟିର ମଣିଷ, ଖାଟି ଖାଟି ଦିହରେ ବଳ ଅର୍ଜିଛନ୍ତି । କୁନ୍ଦି ଦେଲା ପରି ଦିହ, ମାଂସପେଶୀ ସବୁ ସୁଗଠିତ, ମୁହଁରେ ମିତାଚାରର ଛାପ । ମାଡ଼ ଖାଇଥିବା ଟୋକାଟାର ଥାନ-ମୁଣ୍ଡା ପଡ଼ିଗଲାଣି ।

 

ସେ ଟିକିଏ ଆଶ୍ଵସ୍ତ ହୋଇ ବସିବା ପରେ ମକଦ୍ଦମା ବିଚାର ଆରମ୍ଭ ହେଲା । ସେତେବେଳକୁ ଗାଁର ବହୁ ଲୋକ ଆସି ଜମା ହୋଇଥାନ୍ତି; ବେକାର ଟୋକା ଦଳକୁ ମଧ୍ୟ ଟଣାଟଣି କରି ଆଣିଥାନ୍ତି । ମହାପାତ୍ରେ ପଚାରିଲେ ବଳିଆ ଜେନାକୁ, “କିରେ ଟୋକା ! ମଣିଷ ମାରି ଫାଶୀ ଖୁଣ୍ଟରେ ଚଢ଼ିବାକୁ ମନ ହେଉଛି, ନା ? ଏ ମହିଆକୁ ମାଇଲୁ କାହିଁକି ?” ବଳିଆ ମୁହଁ ପୋତି ଠିଆ ହୋଇଥାଏ, ଉଁଚୁ କିଛି କହୁ ନ ଥାଏ ।

 

ଖଞ୍ଜ ଟୋକାଟି କହିଲା, “ଆଜ୍ଞା, ତାକୁ କାହିଁକି ପଚାରୁଛନ୍ତି । ସେହି ମହିଆକୁ ପଚାରନ୍ତୁ ସେ ମାଡ଼ ମୂଲାଉଥିଲା କାହିଁକି ?”

 

ଆଉ ଜଣେ ବାହାରି ପଡ଼ି କହିଲା, “ସେ କ’ଣ କହିବ ଯେ ? ମୁଁ ହୋଇଥିଲେ ତା’ ମୁହଁକୁ ଡିହେ ଦେଇ ଦାନ୍ତ ପୁଞ୍ଜେ ଝାଡ଼ି ଦେଇଥାନ୍ତି । ଯେଉଁ ତୁଣ୍ଡରେ ଆଜ୍ଞାଙ୍କ ନାଁ ଧରିଥିଲା ସେଇ ତୁଣ୍ଡରେ ଡିହେ ପାଇଥିଲେ ଅସଲ ପ୍ରାୟଶ୍ଚିତ୍ତ ହୋଇଥାନ୍ତା ।”

 

ଦାସେ କହିଲେ, “କିରେ ହରିଆ, ତୁ ତ କଳିଗୋଳର ମୂଳ କଥା ଜାଣିଛୁ, ତୁ କହ । ବଳିଆ କି ମହିଆ କହିବା ଦରକାର ନାହିଁ । ଦୁହେଁ ନିଜ ଲାଜରେ ନିଜେ ତୁନି ହୋଇଗଲେଣି ।”

 

ହରି କହିଲା, “ଆପଣ ଠିକ୍ ଠଉରେଇଛନ୍ତି, ସାଆନ୍ତ ! ମତେବି ଏ କଥା କହିବାକୁ ଲାଜ ମାଡ଼ୁଛି । ଏ ଟୋକାସବୁ ଯେମିତି ହେଉଛନ୍ତି, ଆମ ଗାଁର ଲୋକ ମୁଣ୍ଡ ଟେକି ଦାଣ୍ଡରେ ଚାଲି ପାରିବେ ନାଇଁ ।”

 

ଖଞ୍ଜ ଟୋକାଟି କହିଲା, “ସମସ୍ତଙ୍କୁ ଇମିତି ଲାଜ ମାଡ଼ିବାରୁ ତ କଥା ଏଠା ପର୍ଯ୍ୟନ୍ତ ଗଲାଣି । ଦିଅଁଙ୍କୁ ଖାଉ ଖାଉ ଏ ପିଲେ ଖଟୁଳିକି ଖାଇବାକୁ ବସିଲେଣି । ଆଜି ସବୁ କଥା ପଡ଼ିଯାଉ ।”

 

ହରିଆ କହିଲା, “କଥା ପଡ଼ିବ ଯେବେ କହୁଛି, ଆଜ୍ଞା ! ଆପଣ ଜେନା ଘରକୁ ଯାଇ ଦି’ ଭାଇଙ୍କର କଳି ତୁଟାଇବାକୁ ତାଙ୍କୁ ଗୋଟାଏ ଛଡ଼ା ଦାନ କରିଦେଇ ଆସିଲେ । ୟେ ଟୋକା ପଞ୍ଝାକ ସେ କଥା ଶୁଣି ‘ଦାସେ ଯାଇଥିଲେ ଫାଣ୍ଡିକି’ ବୋଲି ଗୋଟାଏ ଅସଭ୍ୟ ଢଗ ବଡ଼ ପାଟିରେ ବିଚ୍ ବଜାର ଉପରେ ଗାଇ ବୁଲିଲେ । ଆମ ସମସ୍ତଙ୍କୁ ଭାରି କାଟୁଥାଏ । ୟାଙ୍କୁ ଡରି ତୁନି ହୋଇ ରହିଲୁଁ ।”

 

ବାହିନୀପତି ପାଟି କରି କହିଲେ, “ଛତରାଗୁଡ଼ାକ ଖୁବ୍ ଢଗ ବୁଝିଛନ୍ତି । ଦାସେ ଆପଣଙ୍କୁ କ’ଣ କିଏ ତଣ୍ଡି କରି ଛଡ଼ାଟା ନେଇଗଲା । ଜେନା ଘରେ ଗୋଟିଏ ଛଡ଼ା । ୟେ କହିଲା ମୁଁ ନେବି, ସେ କହିଲା ମୁଁ ନେବି । ଆଉ କ’ଣ ଛଡ଼ାଟା କଟା ହୋଇ ବଣ୍ଟା ହୋଇଥାନ୍ତା । ଦାସେ ସେମିତି ଲୋକ ବୋଲି ନିଜର ସୁନ୍ଦର ଛଇଲା ଛଡ଼ାଟି ବଡ଼ ଭାଇକି ଦେଇ ଦେଲେ । ତମେ ତ ମଳି ଟିକିଏ ଦେହରୁ କାଢ଼ି କାହାକୁ ଦେବ ନାହିଁ । ମହତ୍ତ୍ଵ ବୁଝିବା କୁଆଡ଼େ ଗଲା, ଢଗ ମେଲୁଛ !”

 

ଦାସେ କହିଲେ, “ଏଇଥିପାଇଁ ଫୌଜଦାରି ହେଲା କାହିଁକି ? ମୁଁ ତ ଘରେ ପଶୁ ପଶୁ ଆମ ଗୃହିଣୀ କଥାଟା ଶୁଣି ଏଇଆ କହିଲେ । ଢଗଟା ଅବଶ୍ୟ ମେଲି ନାହାନ୍ତି । ମନରେ ବିଚାରିଥିବେ ନିଶ୍ଚୟ । ପିଲାଗୁଡ଼ାକ ଅବା ତୁଣ୍ଡରେ କହିଦେଲେ । ଏଥିପାଇଁ ମାଡ଼ ହେଲା କାହିଁକି-?”

 

ଛୋଟା କହିଲା, “ଆଜ୍ଞା, ସେଥିପାଇଁ କ’ଣ ମାଡ଼ ହୋଇଛି ? ଆମେ ଯେ ଶୁଣିଲୁ ଦେହରେ ତାକତ ଥିଲେ ଆମେ ମାରିଥାନ୍ତୁ । ଭଲବି ହୋଇଥାନ୍ତା । ସେତିକିରେ ପୁଅ ବୋଧ ହୋଇ ଯାଇଥାନ୍ତେ । କେହି କିଛି ନ କହିବାରୁ ୟାଙ୍କ ମୁହଁ ବଢ଼ିଗଲା । ତୁଣ୍ଡବି ଆହୁରି ଅଶୁଦ୍ଧ ହୋଇଗଲା । ଯୋଉ ଟୋକା ମାଡ଼ ଖାଇ ପଡ଼ିଥିଲା, ସେ ବଳିଆକୁ ଦେଖି ତୁଣ୍ଡ ଖରାପ କରି କହିଲା, ଦାସଙ୍କୁ ପଟି ଚଢ଼େଇ ଛଡ଼ାଟା ନେଇଗଲ ବୋଲି । ବଳିଆ ଯାଉଥିଲା କାତୁଆ ଧରି ବିଲକୁ । ‘ହାଁ, କାହା ନାଁରେ ଶଳା କ’ଣ କହିଲୁ ବୋଲି ତ କୁକୁର ବାଡ଼ିଆ କରି ଦେଲା । ଆମେ ସବୁ ବାହାରି ପଡ଼ି ନଥିଲେ, ୟେ ଛତରା ସମସ୍ତଙ୍କୁ ସେ ଦୁହାଙ୍ଗି ଦେଇଥାନ୍ତି ।”

 

ଦାସେ ବଳିଆକୁ ଆକଟ କଲେ, “ତୁଣ୍ଡ କଥାରେ କ’ଣ ଦିହ ସରି ଯାଉଥିଲା ଯେ, ତୁ ଏମିତି ପିଟି ପକେଇଲୁ । ଭାଗ୍ୟକୁ ମର୍ମସ୍ଥାନରେ ବାଜି ନେଇଁ । ନହେଲେ ତ ଏଇଲେ ବନ୍ଧା ହୋଇ ଯାଇଥାନ୍ତୁ ।”

 

ସବୁ ଟୋକାଙ୍କ ଆଡ଼କୁ ଚାହିଁ ସେ କହିଲେ, “ତମର ସବୁ ବୃତ୍ତି ନାଇଁ ବୋଲି ସିନା ଏମିତି ହେଉଛ । ଗହୀରରେ ଧାନ ମରି ପଡ଼ିଛି । ବାପ କକା ଏତେବେଳେ ମରିପଡ଼ି ପାଣି ବୋହିବାରେ ଲାଗିଛନ୍ତି । ତମର ଲାଗିଛି ଏଇ କାମ ! ଛି । ଏଡ଼ୁଟିମାନ ହେଲଣି । କାଲି ବାହାସାହା ହେବ । ନିଜ ପିଲାଙ୍କୁ ଏଇ ସଂସ୍କୃତଗୁଡ଼ିଏ ଶିଖେଇବ, ନା ?”

 

ଗୋଟି ଗୋଟି ହୋଇ ସବୁତକ ଟୋକା ମଉଳି ଗଲେ । ଦାସେ ବଳିଆକୁ ଡାକି କହିଲେ, ଆରେ ଟୋକା, ତୋ ଛଡ଼ାଟି ଯା, ଗୁହାଳକୁ ନେଇଯା । ଏତେବେଳେ ପାଳ କୁଣ୍ଡା ଏଡ଼େ ମହରଗ, ତୋ ଛଡ଼ାଟାକୁ ଆମେ ଆଉ ଓଳିଏବି ପୋଷିବୁ ନାହିଁ ।”

 

ନାୟକେ କେତେବେଳୁଁ ଆସି ବସିଥିଲେ ଟିପ୍ପଣୀ କଲେ, “ମୋର ଗୋଟାଏ ଭାଇ ଥାନ୍ତା କି ଗାଈପାଇଁ କଳି ଲଗାଇଥାନ୍ତି । ଆମର ତିନିଟା ଅଛନ୍ତି, ଭାଗ ଛିଡ଼ି ନ ଥାନ୍ତା । ଦାସଙ୍କୁ କୁଣ୍ଡା ନଡ଼ା ସିନା ମହରଗ, ଛଡ଼ା ଭାରି ଶସ୍ତା ହୋଇଛନ୍ତି ।”

 

ସମସ୍ତେ ହସିଲେ । ଗହଳି ଭାଜିଲା ପରେ ମହାପାତ୍ରେ କହିଲେ, “କି ବାରିବାବୁ ! ଆଖିରେ ତ ଦେଖିଲେ, ପିଲାଙ୍କ ଭିତରେ କିମିତି ଏକତା ?”

 

ଦାସେ ମୋ ଆଡ଼କୁ ଜିଜ୍ଞାସୁ ଦୃଷ୍ଟି ପକାଇଲେ ।

 

ମହାପାତ୍ରେ କହିଲେ, “ବାରିବାବୁ ଏଇଲେ ଗୋଟେ ତତ୍ତ୍ଵ ପ୍ରତିପାଦନ କରୁଥିଲେ ଯେ ବର୍ତ୍ତମାନ ପିଲା ଓ ବୁଢ଼ାଙ୍କ ସଂଘର୍ଷ ଆରମ୍ଭ ହୋଇଛି । ପିଲାମାନେ ବୁଢ଼ାଙ୍କର ନେତୃତ୍ୱ ଆଉ ମାନିବାକୁ ପ୍ରସ୍ତୁତ ନୁହନ୍ତି ।”

 

ଦାସେ କହିଲେ, “ଏ କିଛି ନୂଆ କଥା ନୁହେଁ । ଆମ ପିଲାଦିନେ ମଧ୍ୟ ଆମେ ଏଇପରି ଆମ ଅଭିଭାବକଙ୍କ ମତ ବିରୁଦ୍ଧରେ କାମ କରିବାକୁ ଇଚ୍ଛା କରୁଥିଲେ । କିନ୍ତୁ ତାହା ବାଳଚାପଲ୍ୟ ବୋଲି ତ ଏବେ ବୁଝିଲେଣି । ଏ ପିଲେ ସେଇପରି ବୁଝି ଯିବେ । ଚପଳତାରେ ସଂଘବଦ୍ଧ ଆନ୍ଦୋଳନ କ’ଣ ସମ୍ଭବ ?”

 

(୬)

 

ବାଳଚାପଲ୍ୟରେ ସଂଘବଦ୍ଧ ଆନ୍ଦୋଳନ ସମ୍ଭବ ନୁହେଁ ବୋଲି ସେ ଦିନ ଦାସେ ଯାହା କହିଲେ ସେ ବିଷୟରେ ମୁଁ ବହୁତ ଭାବିଛି । ଦାସଙ୍କୁ ଯାହା ଅସମ୍ଭବ ମନେ ହେଉଛି, ମୁଁ ତ ଦେଖୁଛି ତାହା ଆଜିକାଲି ସର୍ବତ୍ର ଘଟୁଛି । ଚାରିଆଡ଼େ ଯୁବକ ଓ ଛାତ୍ରମାନଙ୍କର ଯେଉଁ ଆନ୍ଦୋଳନ ଚାଲିଛି ତାହା କ’ଣ କେହି ବୁଝିବିଚାରି, ବିଗତ ଭବିଷ୍ୟତ ଚିନ୍ତା କରି କରୁଛି ବା କରାଉଛି ? କେତେଜଣ ବାହାର ଲୋକ ନିଜର କୌଣସି ସ୍ଵାର୍ଥସିଦ୍ଧି ଉଦ୍ଦେଶ୍ୟରେ, ବା ନିଜର ଶତ୍ରୁକୁ ସାଧିବାପାଇଁ ଛାତ୍ରମାନଙ୍କୁ ମତାଉଛନ୍ତି । କାହାର ମତାଣ ନ ଥାଇ ଛାତ୍ରମାନେ ଯେତେବେଳେ ମାତୁଛନ୍ତି, ସେତେବେଳେ ତ ଦେଖାଯାଉଛି ବାସ୍ତବ କାରଣ ବହୁ କ୍ଷେତ୍ରରେ ଆଦୌ ନାହିଁ । କିନ୍ତୁ ସେହି ଆନ୍ଦୋଳନର ସମାଜ ଉପରେ ପ୍ରତିକ୍ରିୟା ତ କମ୍ ହେଉ ନାହିଁ ! ଥରେ ଆନ୍ଦୋଳନ କରି ହାରିଲେବି ଛାତ୍ର ବା ଯୁବକମାନଙ୍କର ସଂଘବଦ୍ଧଭାବ ତ ଭାଙ୍ଗିଯାଉନାହିଁ । ପୁଣି ବୃଥା ବା ସାମାନ୍ୟ କାରଣରେ ସମସ୍ତେ ଥରକୁଥର ମାତି ଯାଇପାରୁଛନ୍ତି । ଏ ବିଷୟରେ ଅଧିକ ଆଲୋଚନା କରିବାପାଇଁ ମୁଁ ଆଜି ସେକଥା ଟିକିଏ ଉଁକାରିଦେଲି !

ଦାସେ କହିଲେ, “ସଂଘବଦ୍ଧ ଆନ୍ଦୋଳନ ସମ୍ଭବ ନୁହେଁ ବୋଲି କହିଲାବେଳେ ମୋର ଆଉ ଟିକିଏ ବ୍ୟାଖ୍ୟା କରିବା ଉଚିତ ଥିଲା । ମୁଁ କହିବାକୁ ଚାହୁଁଥିଲି ଯେ ଏପରି ଆନ୍ଦୋଳନ ସଫଳ ହେବ ନାହିଁ; ଅନ୍ତତଃ ସ୍ଥାୟୀ ଫଳ ଫଳିବ ନାହିଁ ।”

ମୁଁ କହିଲି, “ସେ କଥା ମଧ୍ୟ ମୁଁ ଭାବିଛି । ଫଳଟା ବ୍ୟକ୍ତି ବା ଦେଶ ପକ୍ଷରେ ଭଲ ନହେଲେ ସ୍ଥାୟୀଭାବେ ମନ୍ଦ ହେଉଥିବାର ତ ଆଖିରେ ଦେଖିଥାଇଁ ।”

ଦାସେ–ଆପଣ ତାହାହେଲେ ଦି’ଚାରିବର୍ଷ ବା ଦଶପଚିଶବର୍ଷକୁ ଚାହିଁ ଫଳର ସ୍ଥାୟିତ୍ଵ ନିରୂପଣ କରୁଛନ୍ତି । ମୁଁ କୌଣସି କଥାକୁ ସ୍ଥାୟୀ ବୋଲି ମାନିବାକୁ ଟିକିଏ ବେଶି ସମୟ ଲୋଡ଼ୁଛି । ଟିକିଏ ଦୂରକୁ ଚାହିଁ ମୁଁ ଦେଖୁଛି, ଆମେ ପିଲାଦିନେ ଯେଉଁ ଜିନିଷକୁ ଶ୍ରଦ୍ଧା କରୁଥିଲେ, ଭଲ ବୋଲି ବିଚାରୁଥିଲେ, ତାହା ଆଜି ଆଉ ଭଲ ଦିଶୁ ନାହିଁ । ପିଲାଦିନେ ଆମ ଅଭିଭାବକମାନେ ଯାହା ଠିକ୍ ବୋଲି ଆମକୁ ତିଆରୁଥିଲେ, ଆମ ଦୃଷ୍ଟିରେ ଆଜି ତାହାହିଁ ଠିକ୍ ବୋଲି ଜଣାପଡ଼ୁଛି । ତେଣୁ ମୋର ଆଶା, ଆଜି ପିଲାମାନେ ଯାହାକୁ ଭେଲ ବୋଲି ବିଦ୍ରୋହ କରୁଛନ୍ତି, ତାକୁ ତାଙ୍କ ପୁରୁଖାବେଳକୁ ପୁଣି ଭଲ ବୋଲି ମାନି ନେବେ ।

ମୁଁ କହିଲି, “ତେବେ ତ ଆପଣ ମାନୁଛନ୍ତି, ବୁଢ଼ା ବେଳର ଚିନ୍ତା ସଙ୍ଗେ ଟୋକାବେଳର ଚିନ୍ତା ଖାପ ଖାଏ ନାହିଁ । କାଲିର ପିଲା କୋଡ଼ିଏବର୍ଷରେ ବୁଢ଼ା ହୋଇ ଆମର ସ୍ଥାନ ଅଧିକାର କରିବ; ସେହିପରି ଆଜି ମାତୃଗର୍ଭରେ ସ୍ଥାନ ପାଉଥିବା ସନ୍ତାନ କୋଡ଼ିଏବର୍ଷରେ ନବଯବାନ୍ ହୋଇ ଆଜିର ଯୁବକଙ୍କ ସ୍ଥାନ ଦଖଲ କରିବ । ସବୁବେଳେ ବୁଢ଼ା ଟୋକା ହୋଇ ଦୁଇଟା ସ୍ଵତନ୍ତ୍ର ଗୋଷ୍ଠୀ ସମାଜରେ ରହିବଇ ରହିବ । ଦୁଇ ଗୋଷ୍ଠୀର ଦୁଇଟା ମତର ସଂଘର୍ଷ ଚିରନ୍ତନ ହୋଇ ରହିଥିବ ।”

ଦାସେ ଟିକିଏ ଚିନ୍ତିତ ହେଲେ । କିଛି ସମୟ ପରେ କହିଲେ, “ଆପଣ କଥାଟାକୁ ଯେଉଁ ରୂପ ଦେଲେ, ସେଥିରେ ଆପଣଙ୍କ କଥାଟା ପ୍ରମାଣିତ ହୋଇଗଲା ବୋଲି ମନେ ହେଉଥିବ-। ମୋତେ ତ ପ୍ରଥମେ ସେଇପରି ଲାଗିଲା । କିନ୍ତୁ ଏ ଦୁଇ ଗୋଷ୍ଠୀ ଯେ ସ୍ଵତନ୍ତ୍ର ନୁହନ୍ତି-। ଗଛର ଗଣ୍ଡି ଭୂଇଁକୁ ଲାଗି ରହୁଛି, ଡାଳପତ୍ର ଉପରେ ରହି ପବନ ଖାଉଛନ୍ତି । ଗଛଟା ଦୁଇଭାଗ ହୋଇଯାଇଛି ! –ଗୋଟାଏ ଭୂଇଁରେ ଲୋଟିବା ଭାଗ, ଆଉ ଗୋଟେ ପବନ । ଖାଇବା ଭାଗ-? ଗୋଟିଏ ଭାଗ ଭୂଇଁ କାମୁଡ଼ି ନ ରହିଲେ ଅନ୍ୟ ଭାଗଟି ପବନରେ ଦୋଳି ନ ଖେଳି ଭୂଇଁରେ କଚାଡ଼ି ହୋଇ ପଡ଼ିବ । ଆମ ସମାଜରେ ପିଲା ବୁଢ଼ା ଯେଉଁ ଦୁଇ ଦଳ ତାଙ୍କରବି ସେଇପରି ପରସ୍ପର ସଂଯୋଗ । ମୁରବିମାନେ ପିଲାଙ୍କ ଢଙ୍ଗ ରଙ୍ଗରେ ସୁଖୀ ନହେଲେବି ବାତ୍ସଲ୍ୟମମତା ଛାଡ଼ୁ ନାହାନ୍ତି । ସେଇମାନଙ୍କ ଉପରେ ଭରଣପୋଷଣ ପାଇଁ ପୂର୍ଣ୍ଣ ନିର୍ଭରଥିବାରୁ, ପିଲାମାନେ ନିଶ୍ଚିନ୍ତ ହୋଇ କୁହୁଡ଼ି ପହଁରୁଛନ୍ତି । ଆଉ କୋଡ଼ିଏବର୍ଷ ପରେ ଏଇ ପିଲାମାନଙ୍କ ପିଲେ ଯେତେବେଳେ ତାଙ୍କ ପଦାଙ୍କ ଅନୁସରଣ କରିବେ, ସେତିକିବେଳେ ମନ ଘର ଧରିବ-। ସେତେବେଳେ ଆଜିକାଲିର ପିଲା (ସେତେବେଳର ମୁରବି)ଙ୍କର ମନରେ ଆସିବ ଦ୍ୱନ୍ଦ୍ୱ–ବାତ୍ସଲ୍ୟମମତାରେ ପିଲାଙ୍କ ଅଦ୍ୱୈତି ସହିଯିବେ ନା ପିଲାଙ୍କ ବିରୁଦ୍ଧରେ ଉଠିବେ । ବାତ୍ସଲ୍ୟ ଯଦି ସେତେବେଳେ ଦୂର ହୋଇଯିବ ତେବେ ଯାଇ ଅଭିଭାବକ ଓ ତାଙ୍କ ପିଲେ ଦୁଇଟି ସ୍ଵତନ୍ତ୍ର ଦଳ ହୋଇଯିବେ । ବାତ୍ସଲ୍ୟର ଅବଶେଷ ଥିବାଯାଏଁ ଅଭିଭାବକମାନେ ଆଶା କରି ରହିଥିବେ ଯେ ସମୟକ୍ରମେ ପିଲେ ପୁଣି ବାଟକୁ ଆସିବେ । ସେ ଆଶାରେ ପିଲାଙ୍କ ଅଦ୍ୱୈତି ବାଳଚାପଲ୍ୟ ନାମରେ କ୍ଷମା ପାଉଥିବ ।”

 

ମୋ ମନ ତଥାପି ବୁଝିଲା ନାହିଁ । ଅଭିଭାବକମାନେ ଯେ ତାଙ୍କ ଯୁବକ ପିଲାଙ୍କର ଦୋଷକୁ ଆଖି ବୁଜିଦେଉଛନ୍ତି ତାହା ବାତ୍ସଲ୍ୟ ଯୋଗୁଁ ନା ନିଜର ଅସହାୟତା ଯୋଗୁଁ ? ମୁଁ ଏ ପ୍ରଶ୍ନର ଉପଯୁକ୍ତ ଉତ୍ତର ଏଯାଏଁ ପାଇନାହିଁ । ଅନେକ ସ୍ଥଳରେ ଦେଖିଛି, ବୁଢ଼ାବୁଢ଼ୀ ବାପା ମା’ ନିଜର ଭେଣ୍ଡା ପୁଅର ଅଦ୍ୱୈତିରେ ଅସହ୍ୟ ଯନ୍ତ୍ରଣା ପା’ନ୍ତି । ଏଠାରୁ ଆସିବାର ମାତ୍ର ଦୁଇତିନି ଦିନ ପୂର୍ବେ ଦେଖିଥିବା ଗୋଟିଏ ଦୃଶ୍ୟ ମୋ ଆଖି ଆଗରେ ନାଚିଗଲା । ସେ ଦିନ ମୁଁ ରାଣୀହାଟ ହାଇସ୍କୁଲ୍ ସାମନାରେ ଠିଆ ହୋଇଛି ସ୍କୁଲ୍‍ର ଛୁଟି ଘଣ୍ଟା ବାଜିଗଲା । ଛାତ୍ରଛାତ୍ରୀମାନେ ଫାଟକ ବାଟେ ବାହାରି ଆସିଲାବେଳେ ଦେଖିଲି, ଗୋଟିଏ ବୁଢ଼ା ବଡ଼ କାତର ସ୍ୱରରେ ଗୋଟିଏ ପିଲାକୁ ଡାକୁଛି । ପିଲାଟି ରାଗ ତମତମ ହୋଇ ପାଖକୁ ଆସି ପଚାରିଲା, “କ’ଣ ?” ବୁଢ଼ା କହିବାକୁ ଚେଷ୍ଟା କରୁଥାଏ, ସେ ସକାଳୁ କିଛି ଖାଇନାହିଁ । ଅମୁକ ବାବୁ ଟଙ୍କାଟିଏ ଦେବେ ବୋଲି କହିଛନ୍ତି । ତାଙ୍କ ପାଖରୁ ପଇସା ଆଣି ରୋଷେଇ କଲେ ଦୁହେଁ ଖା’ନ୍ତେ । ବୁଢ଼ାର ଚଳିବାକୁ କ୍ଷମତା ନଥିବାରୁ ସେ ଅନୁରୋଧ କରୁଥାଏ, ନବଯୁବକକୁ ଟଙ୍କାପାଇଁ ଯିବା ସକାଶେ । ଟୋକାଟି ମାଗିଲା, ଆଗ ମୋତେ ଆଠଣା ଦେ, ମୁଁ ଜଳଖିଆ କରିବି । ତା’ପରେ ଉଭୟଙ୍କ ଭିତରେ ଯେଉଁ ବାକ୍ୟାଳାପ ହେଲା ତା’ ଏପର୍ଯ୍ୟନ୍ତ ମୋର ମନରୁ ଯାଉନାହିଁ । ପିଲାଟି ତା’ର ଜଣେ ସାଙ୍ଗ ସଙ୍ଗେ ଚାଲିଗଲା; ବୁଢ଼ାଟି ରାସ୍ତା ମଝିରେ ହାହତୋଽସ୍ମି ହୋଇ ବସି ପଡ଼ିଲା । ପରେ ବୁଝିଲି, ବୁଢ଼ାଟି ଟୋକାଟିର ଏକମାତ୍ର ଅଭିଭାବକ–ଜେଜେବାପା । ଦୋକାନ ଖଣ୍ଡିଏ ଡେରି ଚଳୁଥିଲା, ଅସାମର୍ଥ୍ୟ ଯୋଗୁଁ ଦୋକାନଟି ଯାଇଛି । ସ୍କୁଲ୍‍ରୁ ଫେରି ଘଣ୍ଟେ ଲେଖାଏଁ ନାତି ଦୋକାନରେ ବସିଥିଲେ, ଦୁହେଁ ଚଳିଥାନ୍ତେ । ଭିକ୍ଷା କରିଯିବାକୁ ମଧ୍ୟ ବୁଢ଼ା ଗୋଡ଼ରେ ବଳ ନାହିଁ । ବୁଢ଼ାକୁ ଦୁଇ ଚାରିଦିନର ଆହାର ଯୋଗାଇ ତା’ଠାରୁ ବିଦାୟ ନେଇଥିଲି ।

 

ଦାସଙ୍କୁ ଏ ଘଟଣାଟି କହିଲି ! ସେ କହିଲେ, “ଏଭଳି ଦୃଷ୍ଟାନ୍ତ ଆଖି ବୁଲାଇଲେ ଏଇଠାରେବି ଦେଖିବେ । ଯେଉଁ ବୁଢ଼ା କଥା କହିଲ, ତା’ ସଙ୍ଗେ ହୁଏତ ଆଉଥରେ ଦେଖା ହେଲେ ଶୁଣିବ, ଚାରିଦିନକୁ ତାକୁ ଯାହା ଦେଇ ଆସିଥିଲ ତାହା ସେଇ ରାତିରେ ସେ ନାତିକୁ ଦେଇଛି ଓ ସେତକଯାକ ତହିଁ ଆରଦିନ ସକାଳ ସୁଦ୍ଧା ସବୁ ଶେଷ ହୋଇଛି । ବୁଢ଼ାର ଅଭାବରେ ଅଭିଭୂତ ହୋଇ ହୁଏତ ଅନୁସନ୍ଧାନ କରିନାହିଁ, ବୁଢ଼ା କେତେ ଆଶାରେ ସେଇ ପିଲାର ଭବିଷ୍ୟତ୍‌କୁ ଚାହିଁ ରହିଛି । ସେଇ ଆଶାରେ ସେ ଗାଳି ଦେଉଛି; ପର ମୁହୂର୍ତ୍ତରେ ସେଇ ଆଶାରେ ତାକୁ ଜାବୋଡ଼ି ଧରୁଛି । ଏ କ୍ଷେତ୍ରରେ ସଂଘର୍ଷ ଆସିବ କୁଆଡ଼ୁ ? ବାତ୍ସଲ୍ୟ ଓ ଶାସନ ବାରିହେବ କେମିତି ? ଶାରୀରିକ ଅସାମର୍ଥ୍ୟ ଅଭିଭାବକକୁ ବେଶି ଅସହାୟ କରିଛି ନା ଅନ୍ତରର ମମତା ? ଜାଣିବା କେମିତି ?”

 

ଦାସେ ଯାହା କହିବାକୁ ଚାହୁଁଥିଲେ ତାହା କେତେକ ପରିମାଣରେ ବୁଝିଲି ବୋଲି ମନେ ହେଲା । ଏତିକିବେଳେ ଆମର ସବୁଦିନିଆ ସଙ୍ଗୀମାନେ ଆସି ପହଞ୍ଚିଯିବାରୁ ଏ ବିଷୟରେ ଆଉ ଆଲୋଚନା ହୋଇ ପାରିଲା ନାହିଁ ।

 

ସମସ୍ତେ ସୁଖାସନରେ ବସି ଆସର ଜମାଇବା ପୂର୍ବରୁ ଦାସଙ୍କ ଦୁଆରକୁ ଜଣେ ଅଭ୍ୟାଗତ ଉଠିଲେ । ହାତରେ ଦୁଇଚାରି ଖଣ୍ଡ ବହି, କାନରେ ଦି’ପଟ କୁଣ୍ଡଳ । ମୁହଁକୁ ଚାହିଁ ମନେ କଲି, ଗୁଡ଼ାଏ ଅଫିମ ଖାଆନ୍ତି । ଅଫିମ ଉପରେ ଉପଯୁକ୍ତ ଖାଦ୍ୟ ନ ମିଳିବାରୁ ଅଫିମ ଦେହର ରକ୍ତ ଶୋଷି ଦେଉଛି ବୋଲି ପରିଷ୍କାର ଦିଶୁଥାଏ । ତାଙ୍କ ନମସ୍କାର ଗ୍ରହଣ କରିବାମାତ୍ରେ ଦାସେ କହିଲେ, “ଜାଣିଲ ନାୟକେ, ତୁମର ବହୁତ ଆୟୁଷ । ମୁଁ ଏଇଲେ ତମରି କଥା ଭାବୁଥିଲି । ଆଗ ଗୋଟାଏ ପ୍ରଶ୍ନ କରିବଟି ।”

 

ପ୍ରଶ୍ନ କରିବାକୁ ବରାଦ ହେବା ସଙ୍ଗେ ସଙ୍ଗେ ଜ୍ୟୋତିଷ ନାହାକେ ଲଥ୍‍କିନି ତଳେ ବସି ପଡ଼ିଲେ ଓ ଅଣ୍ଟାରୁ ଖଡ଼ି ଗୋଟାଳି କାଢ଼ି ଗୋଟାଏ ଗ୍ରହଚକ୍ର ଭୂଇଁରେ ଟାଣିଦେଲେ । ଗୁଡ଼ୁ ଗୁଡ଼ୁ ହୋଇ କ’ଣଗୁଡ଼ାଏ ବୋଲି ଖଡ଼ି ଗୋଟାଳିଟିକୁ ଗ୍ରହଚକ୍ର ଭିତରେ ଥୋଇ ଆମ ଆଡ଼କୁ ମୁହଁ ଟେକି ଚାହିଁ ପଚାରିଲେ, ବର୍ତ୍ତମାନ ସମୟ କେତେ ହେବ ?

 

ମୁଁ କହିଲି ୫ଟା । ସେ କହିଲେ ଆମ ଏଠା ଟାଇମ୍ ମିନିଟ କମ୍ ହେବ । ଷ୍ଟାଣ୍ଡାର୍ଡ଼୍ ଟାଇମ୍ ଓ ଲୋକାଲ୍ ଟାଇମ୍‌ର ପାର୍ଥକ୍ୟ ୟାଙ୍କୁ ଜଣାଥିବାରେ ମୁଁ ବିସ୍ମିତ ହେଲି । ତା’ପରେ ସେ ପଚାରିଲେ, ଗୋଟିଏ ପକ୍ଷୀର ନାମ କହନ୍ତୁ । ମହାପାତ୍ରେ ସାଙ୍ଗେ ସାଙ୍ଗେ କହିଲେ, କୁଆ ।

 

ନାହାକେ ବିନୀତଭାବେ ହସି କହିଲେ, ‘ଯେ ପ୍ରଶ୍ନ କରିଥାନ୍ତି, ସେଇ ପକ୍ଷୀ ନାମ କହିବା କଥା ।’ ଦାସେ କୁଆ ସଙ୍ଗେ ଅକ୍ଷର ସମାନ ରଖି କହିଲେ, ଶୁଆ । ତା’ପରେ ପୁଣି ଗଣିତ ଚାଲିଲା, ଆଙ୍ଗୁଠି ପବରେ । କିଛି ସମୟ ପରେ ଆସି ପହଞ୍ଚିଥିବା ଗୋଟିଏ ପିଲାଦ୍ୱାରା ଚିତ୍ରରୁ ଖଡ଼ିଟି ଉଠିଆଇ ନାହାକେ କହିଲେ, ଆଜ୍ଞା ! ୟେ ତ ଗୋଟିଏ ଜୀବଚିନ୍ତା !

 

ଦାସେ କିଛି ନାହିଁ । ମହାପାତ୍ରେ କହିଲେ, ‘ବଳଦ ହଜିଥିବ ।’

 

ନାହାକେ କହିଲେ, “ଆଜ୍ଞା, ଖଡ଼ି ତ ଡାକୁଛି ମଣିଷ ବୋଲି । ବହୁତ ଦୂରକୁ ଯାଇଛି । ପୁଣି ଖୁବ୍ ପାଖରେ ଅଛି । ପ୍ରଶ୍ନ ଶୁଭଫଳ ସୂଚାଉଛି । ଗୋଟିଏ ପୁତ୍ରସନ୍ତାନ ଲାଭ ହେବ, ହଜି ଯାଇଥିବା ମଣିଷଟିଏ ଆସି ପହଞ୍ଚିବ । କିନ୍ତୁ ଏ ଫଳ ଟିକିଏ ବିଳମ୍ବରେ ଫଳିବ । ସନ୍ତାନ ନଗଦରେ ହେବ ।”

 

ମହାପାତ୍ରେ କହିଲେ, “କ’ଣ ଦାସେ ଆପଣଙ୍କର ସ୍ୱପତ୍ନୀ ଉଦରରେ ?” ଜ୍ୟୋତିଷ ନାହାକେ କିଛି ନ କହି ନିରୀହ ଭାବରେ ଟିକିଏ ହସିଲେ । ଆମ ନାୟକେ କହିଲେ, “କିହୋ କହୁନାହଁ ? ତମର ପରା ପଞ୍ଚପକ୍ଷୀ ସାଧନା । ପକ୍ଷୀ ତ ସବୁ କହି ଦେଇଥିବଣି !”

 

ନାହାକେ କହିଲେ, “ଆଜ୍ଞା, ଏ ସବୁ ବିଷୟରେ ଆମେ ଟିକିଏ ଯୋଡ଼ିଦେଉ । ଘରେ ପିଲାଟିଏ ହେବ ବୋଲି ପକ୍ଷୀ ଡାକୁଛି । ନିଜର ହବ କି ବୋହୂ ଝିଅଙ୍କର ହବ ତା’ ଆମ ବିଚାରକୁ ଯେମିତି ଦିଶେ ସେମିତି କହିଦେଉଁ ।”

 

ଦାସେ କହିଲେ, “ଏ ବଗୁଲିଆଙ୍କ କଥା ଶୁଣୁଛ କାହିଁକି ? ଠିକ୍ ପ୍ରଶ୍ନ କଲ । ମୁଁ ଯାହା ବିଚାରୁଥିଲି ତମେ ଠିକ୍ ବାରିକରି କହିଲ । ହଉ, ତୁମକୁ ଉଛୁର ହେବ, ଏଥର ଯାଅ ।” ନାହାକେ ଟଙ୍କାଟିଏ, ସେରେ ଚାଉଳ ଓ ଏଣୁତେଣୁ ପରିବାପତ୍ରଗୁଡ଼ିଏ ପାଇ ବିଦା ହେଉ ହେଉ ମହାପାତ୍ରେ ପଚାରିଲେ, “ହଇରେ ପଦିଆ, ପୁଅ ଖବର କ’ଣ ପାଇଲୁ ?”

 

ନାହାକେ କହିଲେ, “ଆଉ ତା’ କଥା ମନକୁ ଆଣୁନାହିଁ । ମହାପାତ୍ରେ ସାଆନ୍ତ ! ପିଲାଦିନୁ଼ଁ ଆଜି ଯାଏଁ ମୋତେ ସାଧିଲା । ମନରେ ଟିକିଏବି ଅସନ୍ତୁଷ୍ଟ ହୋଇନାହିଁ । ଗୋଟିଏ ବୋଲି ପୁଅ; ମା’ଛେଉଣ୍ଡ ! ତା’ ଅଳି ଅର୍ଦ୍ଦଳି ଯେମିତି ସହିଥିଲି, ତା’ ଅଦ୍ୱୈତିବି ସେମିତି ସହିଲି । ବାହାଘର ତ କରିଥିଲି ଶୁଣିଥିବେ । ଗାଁରେ ସମସ୍ତେ ଆଜି ଯାଏଁ ସେ ବୋହୂକୁ ସୁମରୁଛନ୍ତି । ଚଣ୍ଡାଳ ସେପରା ବୋହୂକୁ ଛାଡ଼ି ପଳେଇଲା, ଆଜିକୁ ହେଲା ପାଞ୍ଚବର୍ଷ ।”

 

ଦାସେ ପଚାରିଲେ, “ସେ ବୋହୂ ପରା ଆଉ କୁଆଡ଼େ ଗଲା ଭାରି ?” ନାହାକେ ଆଜ୍ଞା, ତିନି ବରଷ ତକେଇଲା । ତା’ର ମନ ଆଉ ତକେଇଥା’ନ୍ତା । ତା’ ବାପ ଦିନେ ଆସି ପଚାରିଲା, ଝିଅ କ’ଣ ଏଇମିତି ପଡ଼ିଥିବ ? ତାଙ୍କଠାରୁ ଶୁଣିଲି, ତାଙ୍କ ଗାଁ ପାଖରେ ଗୋଟିଏ ଟୋକା ୟାକୁ ନେବାକୁ ରାଜି । ତା’ ଭାର୍ଯ୍ୟା ମରିଯାଇଥାଏ । ମୁଁ ନାହିଁ କଲି ନାହିଁ । ମୋ ଦୁଃଖ ଦେଖି ବୋହୂ ବର୍ଷେ କାଳ ବାପ କଥା ତେଢ଼ିଦେଲା । ଶେଷକୁ ମୁଁ ଜିଗର ଲଗେଇଲି, ସେ ଯାଉ ବୋଲି । ମୁଁ ତ ଆଜ୍ଞା ହେଲିଣି ପାଚିଲା ପତର । ଆଜି କି କାଲି ମୁଁ ଆଖି ବୁଜିଲେ, ମାଇକିନିଆ ପିଲାଟି ଅଥାଥା ହୁଅନ୍ତା । ଏବେ ବର୍ଷେ ହେଲା ସେ ଚାଲିଗଲାଣି । ତା’ କୋଳରେ ଏବେ ପୁଅଟିଏ । ମୁଁ ଯାଇଥିଲି, ପଇସା ଆଠଣା ତା’ ହାତରେ ଦେଇ ଆସିଲି ।”

 

ମହାପାତ୍ରେ କହିଲେ, “ତୋ’ ହାତରେ ପଇସା ରହିଲାଣି ତେବେ ? ଅଫିମ ଖର୍ଚ୍ଚ ତୁଲେଇ ନାତି ହାତରେ ପଇସା ଦେଇପାରୁଛୁଟି ? ଏବେ କେତେ ହଉଚି ?”

ନାହାକେ–ଆଜ୍ଞା, ଯେତେବେଳେ ଯାହା ମିଳିଲା । ଆଜି ହବ ଟଙ୍କେ, କାଲିକି କିଛି ନ ମିଳିଲେ ଚାରି ପଇସା । ଦିନେ ବାଘର ଆହାର ତ, ଦିନେ ମିରିଗର ଆହାର ।”

ଦାସେ ପଚାରିଲେ, ଜମି ଖଣ୍ଡେ ପରା ଅଛି ?”

ନାହାକେ–ଆଜ୍ଞା, ହଁ, ଅଢ଼େଇ ଏକର ହେବ । ସେତକ ପୁଅ ନାଁରେ କରିଦେଇଛି । ସେ ତ ସାବାଳକ, ମୁଁ ବିକି ଭାଙ୍ଗି ପାରିବି କୁଆଡ଼ୁ ? ବାରବର୍ଷ ଯଦି ତା’ର ଖବର ନ ମିଳିବ ତେବେ ଆପଣଙ୍କ ସଙ୍ଗେ ପୁଣି ମସୁଧା କରିବି ।

ଦାସେ କହିଲେ, “ବାଃ, ଭଲ ଲମ୍ବା ପ୍ରୋଗ୍ରାମ୍ ତ । ପୁଅ ପାଞ୍ଚବର୍ଷ ହେଲା ଯାଇଛି, ଆଉ ସାତବର୍ଷ ପରେ ଯାଇ ଆମ ସଙ୍ଗେ ମସୁଧା କରିବ ? ଆମେ ପୁଣି ସାତବର୍ଷ ରହିବା ଦରକାର ।”

ବାହିନୀପତିଏ କହିଲେ, “ହଁ, ମସୁଧା କରିବା ବାଲାବି ଥିବା ଦରକାର । ଅହିଫେନ ପ୍ରସାଦରେ ମୁହଁ ଯେମିତି ହେଲାଣି, ସେ ଆପେ ତ କହୁଛି, ଆଜି କି କାଲି !”

ମହାପାତ୍ରେ କହିଲେ, “କାଲି କଥା କାହିଁକି ଉଠାଉଛ ? ଯେମିତି ଅନ୍ଧାର ହେଲାଣି, ତାଙ୍କ ଗାଁମୁଣ୍ଡ କଇଁଆ ଗଛଟା ଆଜି ପାର ହେଉ ଆଗ ! କିରେ ପଦିଆ, ସେ ଗଛରେ ଯେ ଥିଲା ସେ ଅଛିଟି ?”

ନାହାକେ କହିଲେ, “କେତେଦିନ କଥା ମନେରଖିଛ ସାଆନ୍ତ ! ସେ କୁଆଡ଼େ ଯିବ ? ମୁଁ କ’ଣ ମୁହଁ ଅନ୍ଧାର ହେଲେ ତା’ ତଳେ କେଭେଁ ଯିବି ? ନୂଆସାଇ ପାଖେ ଯାଇ ବସିବି, ସାଙ୍ଗ ମିଳିଲେ ଯିବି ।”

 

ଦାସେ କହିଲେ, “ଏତେ ଦହସତ କାହିଁକି ? ଆଜି ଆମ ଏଠି ରହିଗଲେ ?”

 

ନାହାକେ–ଆଜ୍ଞା, ରହିବାର ହେଇଥିଲେ ମୁଁ ତ ମୋ ଆଡ଼ୁ କହନ୍ତି । ଚାରିଗୋଡ଼ିଆ ଯୋଡ଼ିଏ ପରା ଅଛନ୍ତି । ମୋତେ ଚାହିଁ ଦାଣ୍ଡଦୁଆରେ ପଡ଼ିଥିବେ ।” ନାହାକେ ତରତର ହୋଇ ବାହାରି ଗଲେ ।

 

ମହାପାତ୍ରେ କହିଲେ, “ପ୍ରଶ୍ନ କଥାଟା ତ ପଡ଼ିଲା ନାଇଁ ! ଦାସେ ଆପଣଙ୍କର ଘର ଆଡ଼େ କ’ଣ ଅସୁବିଧା କଥା ନାହାକ କହିଲା ? ଦାସେ ତ କହନ୍ତି, ଏ ନାହାକ କଥା ଲାଖ ବାଜେ । ମୁଁ ଗୁଡ଼ାଏ ଦିନ ହେଲା ଭାଉଜଙ୍କୁ ଦେଖି ନାହିଁ ।”

 

ଦାଣ୍ଡଦୁଆର ପଛ ଆଡ଼ୁ ଶବ୍ଦ ଶୁଭିଲା, “ଏ ମୁହଁରେ ମାଛିଆ ପାତକ ଯାହା ନ ହେଉଛି-!”

 

ନାୟକେ କହିଲେ, “ଶୁଚିମନ୍ତ ଲୋକଙ୍କ ଆଶୀର୍ବାଦ କ’ଣ ନ ଫଳିବ ? ନାହାକ କହିଲା ପରି, ଆଜି ନହେଲେ କାଲି ।”

 

ଦାସେ କହିଲେ, “ବାଜେ କଥା ବନ୍ଦ କର । ଆଜି ସକାଳୁ ମୁଁ ଏଇ ତାରା କଥା ବିଚାରୁଛି (ଯେଉଁ ଶିଖ୍‌ ରମଣୀଟି ପ୍ରାୟ ତିନିମାସ ହେଲା ଆସି ଦାସଙ୍କ ଘରେ ଆଶ୍ରା ନେଇଛି, ତା’ରି ନାଁ ତାରା) । ବିଚାରୀ ଖଡ଼ଗପୁରରେ ଆସି ଆମରି ଓଡ଼ିଆ ଲୋକଟିଏକୁ ବିଭା ହୋଇଥିଲା । ଦୁଇ ତିନି ବରଷ ବେଶ୍ ସୁଖରେ ରହିଲା । ଆଜିକୁ ଛଅମାସ ହେଲା ତା’ ଗେରସ୍ତ କୁଆଡ଼େ ଗଲା ଯେ ଖୋଜ୍‍ଖବର ନାଇଁ । ଆଜି ସକାଳୁ ବିଚାରୁଛି ସେଇ କଥା । ଲୋକଟା କୁଆଡ଼େ ଗଲା, ଆସି ପହଞ୍ଚନ୍ତା କି ? ଏଇଟା ଉଲୁବୁଲିଟେ; ତିନିବରଷ ଯାହା ସଙ୍ଗେ ଘର କଲା ତା’ ନାଁଟାବି ଭଲକରି ଜାଣିନାଇଁ । ପୁଣି ପନ୍ଦର ଦିନରେ ୟାରବି କ’ଣଟିଏ ହେବ । ସେଇ କଥା ବିଚାରୁଥିଲି । ନାହାକ ତ ଠିକ୍‌ ଲାଖ ବଜେଇଲା ।”

 

ମୁଁ କହିଲି, “ଆପଣ କ’ଣ ଫଳିତ ଜ୍ୟୋତିଷରେ ବିଶ୍ୱାସ କରନ୍ତି ? ଗଣିତ ଜ୍ୟୋତିଷ ସିନା ବିଜ୍ଞାନ । ଗ୍ରହ ନକ୍ଷତ୍ରମାନଙ୍କର ଗତି ଓ ସ୍ଥିତି ନିରୂପଣ କରିବା ଗଣିତସାପେକ୍ଷ; କିନ୍ତୁ ଅମୁକ ଗ୍ରହ ଅମୁକ ସ୍ଥାନରେ ରହିଲେ ଅମୁକ ଫଳ ହେବ ୟାର ପ୍ରମାଣ କ’ଣ ?”

 

ଦାସେ କହିଲେ, “ପଦିଆ ନାହାକ ଯେଉଁ ପ୍ରଶ୍ନ କଲା ସେଥିରେ କ’ଣ ଗ୍ରହ ନକ୍ଷତ୍ରର ସ୍ଥିତି ବା ଫଳାଫଳର ବିଶେଷ ପ୍ରୟୋଜନ ହେଲା ? ଯେଉଁ ସମୟରେ ମୁଁ ପ୍ରଶ୍ନ ପଚାରିଲି ତାକୁଇ ଧରି ସେ ଯାହା କହିଲା ତା’ତ ଦେଖିଲ, ଠିକ୍ ବାଜିଲା । ଫଳିତ ଜ୍ୟୋତିଷ ତ ୟା’ଠାରୁ ଆଉ ଟିକିଏ ପାଠ ଓ ବିଚାର ଲୋଡ଼େ ।”

 

ମୁଁ କହିଲି, “ମୋର କହିବାର କଥା, ସେ ବିଚାର ମୂଳରେ ନିର୍ଭର-ଯୋଗ୍ୟ ପ୍ରମାଣ ତ କିଛି ନାହିଁ । ଶନି ଅନିଷ୍ଟ କରିବେ, ବୃହସ୍ପତି ଇଷ୍ଟ କରିବେ ୟା ମୂଳରେ ସତ୍ୟତା କେତେ ?”

 

ବାହିନୀପତି କହିଲେ, “ଯେଉଁ ଗ୍ରହ ମଙ୍ଗଳ କରୁଛି ତା’ ନାଁ ବୃହସ୍ପତି ଓ ଯେ ଅନିଷ୍ଟ କରୁଛି ତା’ ନାଁ ଦେଇଛନ୍ତି ଶନି । ମଙ୍ଗଳ ଅମଙ୍ଗଳର ସମ୍ଭାବ୍ୟତା ବହୁ ଦିନର ଅଭିଜ୍ଞତାରେ ନିରୂପିତ ହୋଇଛି ।”

 

ମୁଁ କହିଲି, “ତା’ତ ବୁଝୁଛି । କିନ୍ତୁ ଏ ଅଭିଜ୍ଞତା କ’ଣ ସବୁବେଳେ ନିର୍ଭରଯୋଗ୍ୟ । ସ୍ୱାତୀ ନକ୍ଷତ୍ରରେ ବା ବୃହସ୍ପତି ଚଳନରେ ବର୍ଷା ହୁଏ ବୋଲି ତ କହନ୍ତି । କିନ୍ତୁ ତା’ କ’ଣ ସବୁବେଳେ ଫଳେ ? ମାସଫଳରେ ବାହାରିଥିଲା ମୋ ସିଂହରାଶିରେ ଏ ମାସରେ ଫଳ, ଭ୍ରମଣ । କିନ୍ତୁ ଏ ମାସକଯାକ ମୁଁ ଏଇଠାରେ ବସିଛି । ଏଥିରେ ଲାଭ କ’ଣ ?”

 

ଦାସେ କହିଲେ, “ଫଳିତ ଜ୍ୟୋତିଷରେ ଫଳ ଫଳିବା ‘ଭୋଦେବା’ କଥା । କିନ୍ତୁ ଏଥିରେ ଯେ ଲାଭ ଅଛି, ତାହା ଆଖିରେ ଦେଖୁଥାଇଁ । ଧର, ଜଣେ ଲୋକ ପ୍ରତିକୂଳ ପରିସ୍ଥିତିରେ ପଡ଼ି ଘାଣ୍ଟି ହେଉଚି । ଏତିକିବେଳେ ଯଦି ଜ୍ୟୋତିଷ ନାହାକ କହେ ଯେ ତା’ର ମାସେ ଦୁଇମାସ ପରେ ଗ୍ରହ ନକ୍ଷତ୍ର ଭଲ ପଡ଼ିବ, ଅବସ୍ଥାର ଉନ୍ନତି ହେବ, ତେବେ ଉପସ୍ଥିତ ବିପଦକୁ ସହିଯିବା ପାଇଁ ତା’ ମନରେ ବଳ ନିଶ୍ଚୟ ଆସିବ । ସେହିପରି ଜଣେ ଲୋକ ନିଜର ଧନ ମାନରେ ଭାରି ଉଦ୍ଧତ ହୋଇ ପଡ଼ିଛି । ଏତିକିବେଳେ ଯଦି ସେ ଶୁଣେ ଯେ କିଛିଦିନ ପରେ ତା’ର ମନ୍ଦଗ୍ରହ ଆସିବ ତେବେ ସେ ଔଦ୍ଧତ୍ୟ ଛାଡ଼ି ନିଜର ଭାବୀ ବିପଦ ଏଡ଼ିବାପାଇଁ ଦିଅଁଦେବତାଙ୍କର ଆଶ୍ରା ନବ । ଆଜି ତ ଦେଖିଲେଇଁ ତାରାର ଭବିଷ୍ୟତ ବିଷୟରେ ମୋ ମନ ଭାରି ଉଶ୍ୱାସ ହୋଇଗଲା । ତା’ର ପିଲାଟିଏ ହେବ, ଓ କିଛିଦିନ ବିଳମ୍ୱରେ ତା’ର ସ୍ୱାମୀ ଆସିବ ବୋଲି ମନରେ ତ ଧାରଣା ହେଉଛି-।”

 

ମୁଁ କହିଲି, “ଆପଣ କ’ଣ ଏଥିରେ ବିଶ୍ୱାସ କଲେ ?”

 

ଦାସେ କହିଲେ, “ପ୍ରଥମେ ତ ମୋର ମନର କଥା ନାହାକ ଠଉରେଇ ଦେବାରୁ ତା’ ବିଦ୍ୟାରେ କିଛି ମୂଲ୍ୟ ଅଛି ବୋଲି ଧାରଣା ହେବାର କଥା । ମୋ କଥା ଛାଡ଼ । ଯାହାଙ୍କପାଇଁ ମୁଁ ଏ ପ୍ରଶ୍ନ କରିଥିଲି ତାଙ୍କ କଥା ଭାବ । ତାରାର ମଉଳି ଯାଉଥିବା ଆଶା ନିଶ୍ଚୟ ସତେଜ ହେବ । ମୋ ଗୃହିଣୀଙ୍କର ତ ଦୃଢ଼ବିଶ୍ୱାସ ଯେ ପଦିଆ ନାହାକ ଯାହା କହେ ତାହା ଧ୍ରୁବ ସତ୍ୟ । ତାଙ୍କର ପ୍ରଥମ ପୁଅ ହେବାର ଦୁଇମାସ ଆଗରୁ ସେ କହିଥିଲା, ନିଶ୍ଚୟ ପୁଅ ହେବ । ପୁଅ ଜନ୍ମ ହେବାପରେ ତା’ର ଜାତକ ସାଧି ଯାହା ଭବିଷ୍ୟତ ଗଣନା କରିଛି ତାହାବି ଅଳ୍ପବହୁତେ ସତ ହେଉଛି ।”

 

ନାୟକେ କହିଲେ, “ପଦିଆକୁ ଯେ ପ୍ରତ୍ୟହ ଅଫିମ ମିଳୁଛି, ଏହା ତ ତା’ ବିଦ୍ୟାର ସାର୍ଥକ ପ୍ରମାଣ ।”

 

ମହାପାତ୍ରେ କହିଲେ, “ୟେ ତାରା ବିଷୟରେ ଗୋଟାଏ ବିଜ୍ଞାପନ ଖବରକାଗଜରେ ଦେଲେ କେମିତି ହୁଅନ୍ତା ?”

 

ଦାସେ କହିଲେ, “ସେଥିପାଇଁ ତ ତା’ ସ୍ୱାମୀର ନାମଧାମ ଖୋଜୁଥିଲି । ଠାସ୍‍କୁ ମାରି ଗୋଟାଏ କ’ଣ ସମ୍ବାଦ ବା ବିଜ୍ଞାପନ ଦେବ ଯଦି ଦିଅ । ଯେଉଁ ଚଣ୍ଡାଳ ୟାକୁ ଛାଡ଼ି ଦେଇ ପଳାଇଛି ସେ କ’ଣ ବିଜ୍ଞାପନ ଦେଖିଲେ ଆସିବ ?”

 

(୭)

 

ବୟସ ଥିବା ମାଇକିନିଆ ଏକୁଟିଆ ହୋଇ ଆମ ସହରମାନଙ୍କରେ ଯେଭଳି ଭିଖ ମାଗି ବୁଲୁଛନ୍ତି, ଦେଖିଲେ ମୋତେ ବଡ଼ ବିରକ୍ତ ଲାଗେ । ପଞ୍ଜାବଠାରୁ ଆରମ୍ଭ କରି ରାମେଶ୍ୱର ପର୍ଯ୍ୟନ୍ତ ସବୁ ଆଡ଼ର ମାଇକିନିଆଙ୍କୁ ମୁଁ କଟକରେ ଭିଖ ମାଗିବାର ଦେଖିଛି । ଆମ ଓଡ଼ିଶାର ମାଇକିନିଆ ଓଡ଼ିଶା ବାହାରେ ଯାଇ ବୁଲିବା ତ ଦୂରର କଥା, ନିଜ ଗାଁ ବାହାରକୁ ମଧ୍ୟ କ୍ୱଚିତ ଯା’ନ୍ତି । ନିଜ ଦୁଃଖ ମୁଣ୍ଡରେ ମୁଣ୍ଡାଇ ଘରକୋଣରେ ପଡ଼ି ରହିବା ନିଜ ପ୍ରତି ଓ ସମାଜ ପ୍ରତି, ସ୍ତ୍ରୀଲୋକମାନଙ୍କର କର୍ତ୍ତବ୍ୟ–ଏହା ମୋର ଦୃଢ଼ ଧାରଣା ହୋଇଥିବାରୁ, ଯେଉଁମାନେ ବାହାରେ ଏକୁଟିଆ ବୁଲୁଛନ୍ତି ସେମାନେ ଆମ ଜାତିର ଗୋଟାଏ କଳଙ୍କ ବୋଲି ମୁଁ ବିଚାରେ–ଦାସଙ୍କ ଘରେ ଆସି ଆଶ୍ରୟ ପାଇଥିବା ଏ ତାରାଟି ବିଷୟ ଭଲଭାବେ ଜାଣିବା ପୂର୍ବରୁ ମୁଁ ଏଇପରି ବିଚାରୁଥିଲି ବୋଲି କହିଲେ ଠିକ୍‌ ହେବ ।

 

ପ୍ରଥମେ ସେ ଯେଉଁ ଦିନ ଆସି ପହଞ୍ଚିଲା ସେ ଦିନ ତା’ ପ୍ରତି ମୋର ଅସୂୟା ହୋଇଯାଇଥିଲା, ଭଲ ତିଅଣ ନଥିବାରୁ ଭାତ ଖାଇବାକୁ ଅସୁକେଇ ସେ ମହାପାତ୍ରଙ୍କ ଘରୁ ପଳାଇ ଆସିଲା ବୋଲି । ପରେ ଶୁଣିଲି, ମହାପାତ୍ରେ ଆପଣେ ସଦାବ୍ରତ ଦେବାର ସେ କାହାଠାରୁ ଶୁଣିଥିଲା, କିନ୍ତୁ ସେଠାରେ ଜମା ହୋଇଥିବା ଭିଖାରିଙ୍କ ଭିତରେ ଜଣେବି ସ୍ତ୍ରୀଲୋକ ନ ଦେଖି, ସେ ପୁରୁଷଙ୍କ ସଙ୍ଗେ ଖାଇବ ନାହିଁ ବୋଲି ସେଠାରୁ ବାହାରି ଆସିଥିଲା । ପରେ ଜାଣିଲି, ଯେଉଁ ଘରେ ସ୍ତ୍ରୀଲୋକ ନ ଥାନ୍ତି ସେ ଘରେ ସେ ପଶେ ନାହିଁ । ମହାପାତ୍ରଙ୍କ ଘରେ ନ ଖାଇ ଚାଲି ଆସିବାର ପ୍ରଧାନ କାରଣ ସେଇଆ । ଏ କଥା ଦାସଙ୍କଠାରୁ ଶୁଣି ମୋ ମନରେ ପୂର୍ବପ୍ରତିଷ୍ଠିତ ଭାବ ଟିକିଏ ଦୋହଲି ଯାଇଥିଲା । ପରେ ତା’ର ବ୍ୟବହାର ଲକ୍ଷ୍ୟ କରି ବାରବୁଲୀ ମାଇକିନିଆ ବିଷୟରେ ମୋର ମନ ବଦଳିବାକୁ ଆରମ୍ଭ କରିଥାଏ ।

 

ଦିନେ ସେ କଥା ଦାସଙ୍କ ଆଗେ ପକାଇବାରେ ସେ କହିଲେ, “ଆମେ ଅନ୍ୟମାନଙ୍କ ବିଷୟରେ ରାୟ ଦେଲାବେଳେ, ପ୍ରାୟଶଃ ଆମ ମନରେ ବଦ୍ଧମୂଳ ଧାରଣାଦ୍ୱାରା ସେମାନଙ୍କ କାର୍ଯ୍ୟାକାର୍ଯ୍ୟକୁ ତଉଳିଥାଉଁ । ଭ୍ରାନ୍ତ ଧାରଣାର ମୂଳ ଏଇ । ଯେଭଳି ଅବସ୍ଥାରେ ଆମେ ପଡ଼ିନଥାଇଁ, ଏପରି କି ଯାହା ଆମେ କସ୍ମିନ୍‌କାଳେ କଳ୍ପନାବି କରି ନ ଥାଇଁ, ସେ ଭଳି ଅବସ୍ଥାରେ ପଡ଼ି ମଣିଷ କ’ଣ କରିବା ଉଚିତ ଅନୁଚିତ, ତାହା ବିଚାର କରିବାକୁ ନିରପେକ୍ଷତା ଦରକାର । ତାହା ମୋଠାରେବି ନଥିଲା । ଆପଣଙ୍କର ଧାରଣା ଯାହା ମୋରବି ସେଇ ଧାରଣା ଥିଲା । ସ୍ତ୍ରୀମାନେ ଦାଣ୍ଡକୁ ବାହାରିପଡ଼ିଲେ ସମାଜର ସ୍ଥିତି ଦୋହଲିଯାଏ–ଏକଥା ସତ । କିନ୍ତୁ ସ୍ତ୍ରୀଲୋକ ତ ସହଜରେ ଦାଣ୍ଡକୁ ବାହାରନ୍ତି ନାହିଁ । ଯେଉଁ ବିଦେଶୀ ସ୍ତ୍ରୀଲୋକମାନେ ଆମ ଏଠାରେ ଭିଖ ମାଗୁଛନ୍ତି, ସେମାନଙ୍କର ଇତିହାସ ଗୋଟି ଗୋଟି ଅନୁସନ୍ଧାନ କଲେ ବହୁତ କଥା ଜଣାପଡ଼ନ୍ତା । ଏଇ ଗୋଟିଏ ଟୋକୀର ଇତିହାସ ଶୁଣି ମୁଁ ତାଜୁବ ହୋଇଯାଇଛି । ସମସ୍ତେ ଜାଣନ୍ତୁ ବୋଲି ତାହା ଲେଖାଇ ଦେଇଛି । ଆପଣ ପଢ଼ିବେ ?”

 

ତାରାର ଇତିହାସ କେବଳ ଲେଖା ହୋଇ ସାରିଲାଣି ଶୁଣି ମୁଁ ତାଜୁବ ହେଲି । ଆହୁରି ତାଜୁବ ହେଲି ଯେ, ଏହା ଲେଖିଛି ନିଜେ ତାରା, ପୁଣି ଓଡ଼ିଆ ଭାଷାରେ । ଦାସେ ଆପଣେ କହିଲେ, “ଏ ଖଣ୍ଡ ଆପଣ ଟିକିଏ ସଂଶୋଧନ କରିଦେବେ । ଭାଷା ବେଶ୍ ସୁନ୍ଦର–ପ୍ରାଣର ଭାଷା, କିନ୍ତୁ ବହୁତ ବର୍ଣ୍ଣାଶୁଦ୍ଧି ରହିଛି । ପିଲାଟି ନିଜ ଚେଷ୍ଟାରେ ଆମ ଭାଷା ବେଶ୍‌ ଆୟତ୍ତ କରିଛି, ଅକ୍ଷର ପୁଞ୍ଜିକବି ଖୁବ୍‌ ସୁନ୍ଦର । ମୁଁ ବିଚାରିଛି ଯଥାସମୟରେ ଏଖଣ୍ଡି ଛପାଇ ଦେବା । ଆପଣ ସେ ଭାର ନେବେ ।”

 

ପାଣ୍ଡୁଲିପିଟି ମୁଁ ପାଇବାମାତ୍ରେ ଏକଲୟରେ ପଢ଼ିଗଲି, ତା’ପରେ ସଂଶୋଧନ ଆରମ୍ଭ କଲି । ମହାପାତ୍ରେ ଓ ବାହିନୀପତି କେତେକ ସ୍ଥାନରେ ପରିବର୍ଦ୍ଧନ ଓ ପରିବର୍ତ୍ତନ କରାଇଥାନ୍ତି, ସେଇ ତାରା ହାତରେ । ପ୍ରେସ୍‌ପାଇଁ ପ୍ରସ୍ତୁତ ହୋଇଥିବା ପ୍ରତିଲିପିଟି ଦାସଙ୍କ ଆଗରେ ପହୁଞ୍ଚାଇବାରେ ସେ ତାଙ୍କର ସାଙ୍ଗସାଥୀଙ୍କୁ ଡାକି, ମୋତେ ପଢ଼ିବାକୁ କହିଲେ । ମୁଁ ପଢ଼ିଲି–

 

ଆମ ଗାଁ ମୁଲତାନିଆ ଗୋଟିଏ ଅତି ଛୋଟ ପଲ୍ଲୀ ଗାଁ, ଲାହୋରଠାରୁ ପଶ୍ଚିମକୁ ପ୍ରାୟ କୋଡ଼ିଏ ମାଇଲ ହେବ । କିନ୍ତୁ ମୁଁ ଚିରକାଳ ପାଇଁ ଗାଁ ଛାଡ଼ିବା ଦିନ ଯାଏଁ, ଲାହୋର ଦେଖି ନଥିଲି; ଆମ ଗାଁର, ଜଣେ ଦି’ ଜଣକୁ ଛାଡ଼ି ଆଉ କେହିବି ଦେଖି ନଥିଲେ । ମୋ ପିଲାଦିନେ ବାପା ଲାହୋରରୁ ଫେରି ସେ ସହର ବିଷୟରେ ଘରେ ଓ ଚଉପାଢ଼ିରେ ଅଦ୍ଭୁତ ବର୍ଣ୍ଣନାମାନ କରନ୍ତି । ସମସ୍ତେ ଶୁଣନ୍ତି, ତାଜୁବ ହୁଅନ୍ତି, କିନ୍ତୁ ଶୁଣିଲାବାଲା କେହି ଲାହୋର ଯିବାକୁ ଆଗ୍ରହୀ ହୁଅନ୍ତି ନାହିଁ-। ମୋର ଜେଜେବାପା କହନ୍ତି, ଲାହୋରରେ ମଣିଷ ମଣିଷକୁ ଠକେ, ମଣିଷ ମଣିଷ ନାଁରେ ମକଦ୍ଦମା କରେ, ମଣିଷ ମଣିଷକୁ ମଟର ଗାଡ଼ି ଚପାଇ ମାରିଦିଏ । ଯାହାଙ୍କ ପାଖରେ ବେଶି ଧନ, ସେମାନେ ଦରିଦ୍ର ଲୋକଙ୍କର କଂସା ବାସନ, ଗାଈ ଗୋରୁ ନେଇଯା’ନ୍ତି । ଆମେ ଏକଥା ଶୁଣି ସମସ୍ତେ ଭୟରେ ବାପ ମା’ଙ୍କ କୋଡ଼ରେ ଲୁଚିଯାଉ । କେବେହେଲେ ଲାହୋର ଯିବାକୁ ନ ପଡ଼ୁ ବୋଲି ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରୁଁ ।

 

ସହରର ବାବୁମାନେ ଆସି ଆମ ଗାଁର ଘରଦ୍ୱାର, ବିଲବାଡ଼ି ସବୁଥିରେ ଦୋଷ ଦେଖାନ୍ତି । ନପଢ଼ି ଆମେ ମୂର୍ଖ ହୋଇ ଯାଉଚୁ ବୋଲି କହନ୍ତି । ଆମ ଗାଁକୁ ଭଲ ରାସ୍ତା ନଥିବାରୁ ଆମର ଅବସ୍ଥା ଖରାପ ହୋଇଛି ବୋଲି କହନ୍ତି । କେମିତି, ଆମେ ଜାଣି ପାରୁ ନ ଥାଉଁ । ଜେଜେବାପା କହନ୍ତି, ସହରୀ ଜାଲମଗୁଡ଼ାକ ଏମିତି କହି ଆମକୁ ସହରକୁ ନେଇଯିବାକୁ ଫିକର କରିଛନ୍ତି । ଆମେ ଗଲେ, ଆମକୁ ଚାକରବାକର–କରି ରଖିବେ । ଆମ ମଇଁଷିଗୁଡ଼ାକ, ଲୁଗାପଟା ଅତର ସାବୁନ ଦେଇ, ଠକି ନେଇଯିବେ । ସହରୀ ଲୋକ ଆସିଲେ ତାଙ୍କୁ ଆମେ ଦହି ଦୁଧ, ଫଳମୂଳ ଖାଇବାକୁ ଦେଇ ବିଦା କରିଦେଉଁ, ତାଙ୍କ କଥାରେ କେବେ ପଡ଼ୁନାଇଁ ।

 

ଆମ ଗାଁର ହିନ୍ଦୁ ଶିଖ ହୋଇ ମାତ୍ର ଦଶୋଟି ଘର । ବାକି ସମସ୍ତେ ମୁସଲମାନ ପ୍ରାୟ ତିରିଶ ଘର ହେବେ । ହିନ୍ଦୁ, ଶିଖ ଓ ମୁସଲମାନ ଭିତରେ ପ୍ରଭେଦ କ’ଣ ମୁଁ ଜାଣି ନଥିଲି । ଆମର ଅଲଗାଅଲଗା ନାମ ପରି, ୟେ ଏକ ଜାତିର ଅଲଗାଅଲଗା ନାମ ବୋଲି ମୁଁ ଜାଣିଥିଲି । ଗାଁଯାକ ସମସ୍ତଙ୍କର ଏକ ବୃତ୍ତି, ଏକ ରକମ ଚଳଣି । ପ୍ରତ୍ୟେକେ ଗୋଟିଏ ଦୁଇଟି ଲେଖାଏଁ ମଇଁଷି ରଖିଥାନ୍ତି । ତାଙ୍କରି ଦୁଧ, ଦହି ଓ ଘିଅ ବିକି ଚଳନ୍ତି । ଜଣେ ଦୁଇଜଣଙ୍କର ବେଶି ଜମି ଥାଏ; ସେଇମାନେ ଗହମ ଓ ମକା କରନ୍ତି । ଅଧିକାଂଶଙ୍କର ଏକରେ, ଅଧଏକରେ ଲେଖାଏଁ ଜମି; ବାଜରା କରନ୍ତି–ବାଜରା ରୁଟି ହୁଏ, ବାଜରା ଡାଙ୍ଗ ମଇଁଷି ଖାନ୍ତି । ଗହମ, ଲୁଣ, ତେଲ ବାହାରୁ ଆସେ, ମଝିରେ ମଝିରେ ଲୁଗାପଟାବି ଆସେ ।

 

ଗାଁଯାକ ସମସ୍ତେ ଗୋଟିଏ ଘର ପରି ଚଳୁଥାନ୍ତି, କେବଳ ପାଣି ଓ ରୋଟି ବ୍ୟତୀତ ଆଉ କୌଣସି ବିଷୟରେ ବାଛବିଚାର ନ ଥାଏ । ମୁସଲମାନମାନେ ଆମ ହାଣ୍ଡିଶାଳ ଛଡ଼ା ଆଉ ସବୁ ଘରକୁ ଅବାଧରେ ଆସନ୍ତି । ଆମେବି ତାଙ୍କ ଘରକୁ ଯାଉଁ । ଆମ ପଡ଼ିଶା ଘର ଅବ୍‌ଦୁଲ ଚାଚାଙ୍କର । ସେ ମୋ ବାପାଙ୍କୁ ବଡ଼ଭାଇ, ଓ ମୋ ମା’ଙ୍କୁ ଭାଉଜ ମାନ୍ୟ କରନ୍ତି । ତାଙ୍କ ପିଲାଙ୍କୁ ମୋ ବାପା ବୋଉ ନିଜ ପିଲା ପରି ଆଦର କରନ୍ତି । ଆମର ଦିନଟିମାନ ସୁରୁଖୁରୁରେ କଟିଯାଉଥାଏ । ଖରା ପରେ ବର୍ଷା ଦିନକୁ ଆମେ ଯେମିତି ଆଗ୍ରହରେ ଚାହିଁରହୁ, ବର୍ଷା ପରେ ଶୀତକୁ ଓ ଶୀତ ପରେ ପୁଣି ଖରାଦିନକୁ ସେଇମିତି ଆଗ୍ରହରେ ପ୍ରତୀକ୍ଷା କରି ରହୁଁ । ବର୍ଷକୁ ବର୍ଷ ଆମେ ପିଲାମାନେ ବଡ଼ ହେଉଥାଉଁ ଓ ବୁଢ଼ାମାନେ ବୁଢ଼ା ହୋଇ ଜଣ ଜଣ ହୋଇ ଆମକୁ ଛାଡ଼ିଯାଉଥାନ୍ତି । ଗୋଟି ଗୋଟି ହୋଇ ମଣିଷ ମରିବା, ମରିବା ପରି ଜଣା ପଡ଼ୁ ନଥାଏ । ଯେଉଁମାନେ ମରି ଯାଉଥାନ୍ତି ତାଙ୍କର ସ୍ମୃତି ଆମ ଭିତରେ ଜିଇ ଉଠୁଥାଏ; ସେମାନେ ଜିଇଥିଲାବେଳେ ଆମ ମନରେ ଯେତେ ଜିଅନ୍ତା ଥିଲେ ତହିଁରୁ ଅଧିକ ଜିଅନ୍ତା ହେଉଥାନ୍ତି । ମୋ ଜେଜେବାପା ମରିବା ପରେ ଆମ ମନରେ ସେଇପରି ଜିଇ ଉଠିଲେ । ସେ ବଞ୍ଚିଥିବାଯାକ ବାପା ତାଙ୍କୁ କଥା କହନ୍ତି ନାହିଁ; ତାଙ୍କ ବଞ୍ଚିରହିବାଟା ସତେ ଯେପରି ଆମ ସମସ୍ତଙ୍କ ଦୃଷ୍ଟିରେ ଅତି ମାମୁଲି କଥା ହୋଇଯାଇଥାଏ । ଦିନେ ଖଣ୍ଡେ ବେମାର ପଡ଼ି ସେ ମରିଗଲେ । ତା’ପରେ ଗାଁଯାକ ସମସ୍ତଙ୍କ ମୁହଁରେ ଶୁଣାଗଲା ତାଙ୍କରି କଥା । ବାପା ମୋତେ ବସାଇ ତାଙ୍କରି କଥା କେତେ କହନ୍ତି, କହୁ କହୁ କାନ୍ଦି ପକାନ୍ତି; ମା’ବି କାନ୍ଦନ୍ତି । ଜେଜେ ମୋର ମରିଛନ୍ତି ବୋଲି ମୋର ମନରେ ହୁଏ ନାହିଁ । ଦାଣ୍ଡଦୁଆରେ, ଚଉପାଢ଼ିରେ, କୂଅ ମୂଳେ, ଗୁହାଳରେ ସେ ସବୁବେଳେ ମୋ ଆଖିରେ ପଡ଼ୁଥାନ୍ତି । ପିତୃପୁରୁଷଙ୍କୁ ଏଇପରି ପୂଜା କରିବା ହିନ୍ଦୁ, ମୁସଲମାନ, ଶିଖ ସମସ୍ତଙ୍କ ମଧ୍ୟରେ ସମାନ ଭାବରେ ଥାଏ ।

 

ଆଉ ଗୋଟିଏ ବିଷୟ ମଧ୍ୟ ସମସ୍ତେ ପାଳନ୍ତି । ଜଣେ ଯଦି ବେମାର ପଡ଼ିଯାଏ, କୌଣସି ପ୍ରୟୋଜନରେ ବିଦେଶ ଚାଲିଯାଏ, ତେବେ ତା’ ମଇଁଷିକୁ ଖୋଇବା, ଗାଧୋଇ ଦେବା, ତା’ର ପିଲାମାଇପଙ୍କ କଥା ବୁଝିବା ଗାଁର ସମସ୍ତଙ୍କର କାମ ହୋଇଯାଏ । ପଡ଼ିଶା ଘରର ମୁରବି ତ ଏହା ସାଧାରଣତଃ କରନ୍ତି, ତଥାପି ଗାଁର ଅନେକେ ଆସି ତା’ର ସବୁ କାମ ଠିକ୍ ଚାଲିଛି କି ନାହିଁ ବୁଝିଥାନ୍ତା । ସେ ଗାଁରେ ଥିଲାବେଳେ ତା’ର ଜନ୍ତୁ ଓ ପିଲାପିଲି ଯେତିକି ଯତ୍ନ ଆଦର ପାନ୍ତି, ଅନୁପସ୍ଥିତ ଥିଲାବେଳେ ତହିଁରୁ ଅଧିକ ଯତ୍ନ ମିଳେ ।

 

ଆମର ପଡ଼ିଶାଘର ଅବ୍‌ଦୁଲ ଚାଚା ଓ ଆତ୍ମାରାମ ଜେଠା । ଚାଚା ଆମକୁ ବେଶି ସାହାଯ୍ୟ କରନ୍ତି । ମୋ ପିଲାଦିନରେ ମୁଁ ତାଙ୍କରି ମଇଁଷି ଉପରେ ବସି କେତେ ଆଡ଼େ ବୁଲିଛି । ମୁଁ ଥରେ କ’ଣ ଗୋଟାଏ ଦୁଷ୍ଟାମି କରିବାରୁ ଜେଠା ମୋତେ ଦି’ଟା ଚାପୁଡ଼ା ମାରିଥିଲେ; ଅବ୍‌ଦୁଲ୍‌ ଚାଚାଙ୍କର ତାଙ୍କର, ମୋରି ଯୋଗୁଁ ଖୁବ୍‌ ଝଗଡ଼ା ହେଲା; ଶେଷରେ ବାପା ଆସି ଅବ୍‌ଦୁଲ ଚାଚାଙ୍କୁ ଦାବିଲେ ଓ ଦୁହେଁ ଜେଠାଙ୍କୁ ଦୋଷ ମାଗି ବୋଧ କଲେ । ସବୁ ଗୋଳମାଳ ଏଇଭଳି ତୁଟେ । ଆମର ବିବାଦ ମିଟାଇବାକୁ ଆମେ ସହରକୁ ଯାଉ ନ ଥାଉଁ, କି ଆମର ଦୁଃଖଦୁର୍ଦ୍ଦଶା ଦୂର କରିବାକୁ ଆମେ ସହରର କାହାକୁ ସାହାଯ୍ୟ ମାଗୁ ନ ଥାଉଁ ।

 

କ୍ରମେ ସହରବାଲା ଓପରେ ପଡ଼ି ଆମକୁ ସାହାଯ୍ୟ କରିବାକୁ ଆସିଲେ । ସେଇଠାରୁ ଆରମ୍ଭ ହେଲା ଆମର ବିପତ୍ତି । ଆଗ ସେମାନେ ଆସି ଆମ ଗାଁରେ ଗୋଟେ ସ୍କୁଲ୍ ବସାଇଲେ–ଆମ ଆଖି ଖୋଲିବାକୁ ଏହା ସର୍ବପ୍ରଥମେ ଦରକାର ବୋଲି ସେମାନେ କହିଲେ । ସ୍କୁଲ୍ ଯୋଗୁଁ ଆମର ପ୍ରଥମ ବିଭେଦ ଆରମ୍ଭ ହେଲା । ଆମେ ପଢ଼ିଲୁ ହିନ୍ଦୀ, ମୁସଲମାନ ପିଲେ ଊର୍ଦ୍ଦୁ ଓ ଶିଖ ପିଲେ ଗୁରୁମୁଖୀ । ଏ ତିନିଭାଷା ପଢ଼ାଇଲେ ତିନିଜଣ ହିନ୍ଦୀ, ଊର୍ଦ୍ଦୁ ଓ ଗୁରୁମୁଖୀ ଶିକ୍ଷକ । ଆମେ ସବୁ ପିଲେ ଗୋଟିଏ ଭାଷାରେ ସ୍କୁଲ୍ ବାହାରେ କଥାବାର୍ତ୍ତା ହେଉଥାଉଁ । ତାହା ହିନ୍ଦୀ, ଊର୍ଦ୍ଦୁ ଓ ଗୁରୁମୁଖୀ ମିଶା ଖେଚେଡ଼ି । କିନ୍ତୁ ସ୍କୁଲ୍ ଭିତରେ ତିନି ଜଣଙ୍କର ତିନି ଅଲଗା ଭାଷା । ଏଥିରୁ କେଉଁ ଭାଷାଟା ଭଲ ସେ ବିଷୟରେ ତିନି ଜଣଯାକ ମାଷ୍ଟର ଖୁବ୍ ଝଗଡ଼ା କରନ୍ତି । ଏ ଝଗଡ଼ା ଆଗେ ଆମ ଗାଁର ବୁଢ଼ାମାନେ ଥାପଡ଼ାଥାପଡ଼ି କରି ତୁଟାଉଥିଲେ । ପରେ ଏହା ଏତେ ବଡ଼ ଆକାର ଧଇଲା ଯେ ଏହାକୁ ତୁଟାଇବାକୁ ଲାହୋରରୁ ମଣିଷ ଆସିଲେ । ତାଙ୍କ ନାଁ ନେତା । ସେମାନଙ୍କ ଯୋଗୁଁ କ୍ରମେ ଆମମାନଙ୍କ ଭିତରେ କଥାବାର୍ତ୍ତାବି ବନ୍ଦ ହୋଇଗଲା । ଗାଁରେ ଦୁଇଦଳ ହୋଇଗଲା–ହିନ୍ଦୁ, ଶିଖ ଗୋଟାଏ ପଟ, ମୁସଲମାନ ଆଉ ଗୋଟାଏ ପଟ । ମୁସଲମାନଙ୍କ ସଂଖ୍ୟା ବେଶି ହେଲେବି ହିନ୍ଦୁ ଶିଖଙ୍କ ପାଖେ ବେଶି ଜମି ଥିବାରୁ ସେମାନେ ଡରି କରି ରହିଥାନ୍ତି । ମଝିରେ ମଝିରେ ତାଙ୍କର ନେତାମାନେ ଆସି ତାଙ୍କର ଭୟ ଭାଙ୍ଗୁଥାନ୍ତି; ଆମ ଗାଁରେ ତାଙ୍କର ସଂଖ୍ୟା ବେଶି ହୋଇଥିବାରୁ ସେମାନେଇ ଗାଁ ମାଲିକ ବୋଲି ହେମତ ଦେଉଥାନ୍ତି ।

 

ମୁସଲମାନ ନେତାମାନେ ଆସି ପ୍ରଚାର କରିବା ପୂର୍ବରୁ ହିନ୍ଦୁ ନେତାମାନେ ଆସି ସ୍ୱରାଜ୍ୟ ଆନ୍ଦୋଳନ ଆରମ୍ଭ କରିଥାନ୍ତି । ଏଥିରେ ପ୍ରଥମେ ହିନ୍ଦୁ, ମୁସଲମାନ, ଶିଖ ସମସ୍ତେ ମିଶୁଥିଲେ । କିନ୍ତୁ କେତେ ବର୍ଷ ପରେ ମୁସଲମାନ ନେତାମାନେ ଆସି ବୁଝାଇଲେ ଯେ ସ୍ୱରାଜ୍ୟ ଅର୍ଥ ହିନ୍ଦୁମାନଙ୍କ ରାଜ୍ୟ–ହିନ୍ଦୁମାନେ ଚାହାନ୍ତି, ଇଂରେଜମାନେ ଆମ ଦେଶରୁ ଯିବା ପରେ ହିନ୍ଦୁ ରାଜା ହେବେ, ମୁସଲମାନଙ୍କୁ ହିନ୍ଦୁ କରିବେ । ଯେ ହିନ୍ଦୁ ନ ହେବେ ତାଙ୍କୁ ଆଫଗାନିସ୍ଥାନକୁ ଘଉଡ଼ିଦେବେ । ଏ କଥା ସତ ବୋଲି ମୁସଲମାନମାନେ ବିଶ୍ୱାସ କରିବାର କଥା । ଆମ ଗାଁ ପାଖର ସ୍ୱାମୀ ଦୟାନନ୍ଦ ସରସ୍ୱତୀ କେତେ ମୁସଲମାନଙ୍କୁ ହିନ୍ଦୁ କରିଥିଲେ । ମହାତ୍ମା ଗାନ୍ଧୀ ରାମଧୁନ ଗାଇ ସଭା କରନ୍ତି ବୋଲି ସମସ୍ତେ ଶୁଣିଥାନ୍ତି । ଏଇ କଥାକୁ ମୁସଲମାନ ନେତାମାନେ ନାନାପ୍ରକାର ଫଳାଇ କରି ବୁଝାଇଲେହେଁ ଆମ ପଲ୍ଲୀର ମୁସଲମାନ ଭାଇମାନେ ବିଶେଷ ବିଚଳିତ ହେଉ ନ ଥାନ୍ତି । ଧର୍ମ ବିଷୟରେ ଆମ କାହାର ବିଶେଷ କିଛି ଧାରଣା ନ ଥାଏ । ଭଗବାନ ଯାହା ଦେଇଛନ୍ତି ସେତିକିରେ ସନ୍ତୁଷ୍ଟ ହୋଇ ଶାନ୍ତିରେ ରହିବାଠାରୁ ଧର୍ମ ବିଷୟରେ ଆମ ଗାଁରେ କେହି ଅଧିକା କିଛି ବୁଝି ନଥିଲେ ।

 

କ୍ରମେ ସହରିଆ ନେତାଙ୍କର ପ୍ରଚାର ଯେତିକି ବଢ଼ିଲା, ଆମ ଗାଁରେ ହିନ୍ଦୁ ମୁସଲମାନ ଓ ଶିଖଙ୍କର ଏକଘରିଆ ଢଙ୍ଗ ସେତିକି ବଢ଼ିଲା । ମୁସଲମାନମାନେ ଆମକୁ ଅବିଶ୍ୱାସ କଲାପରି ଚଳିଲେ; ଶିଖମାନେ ଆମ ଦୁହିଁଙ୍କଠାରୁ ଆଡ଼େଇ ହେଲା ପରି ରହୁଥାନ୍ତି । କିନ୍ତୁ ଅବଦୁଲ ଚାଚାଙ୍କ ସାଙ୍ଗେ ସମ୍ପର୍କରେ ବିଶେଷ କିଛି ବ୍ୟାଘାତ ହେଲା ନାହିଁ । ଅବ୍‌ଦୁଲ ଚାଚା ସମସ୍ତଙ୍କ ଆଗରେ ମୋ ବାପାଙ୍କ ସଙ୍ଗେ କଥାବାର୍ତ୍ତା ହେଉ ନ ଥାନ୍ତି; ବାପା ମଧ୍ୟ ତାଙ୍କ ଦୁଆରକୁ ଯିବା ବନ୍ଦ କରିଦେଲେ । କିନ୍ତୁ ମୁଁ ଯାଏଁ, ଅବଦୁଲ ଚାଚାଙ୍କର ସାନ ପୁଅ ରହିମ୍‌, ମୋର ସମବୟସ, ଆମ ଘରକୁ ଆସେ । ବାଡ଼ି ପଟେ ମୋ ମା’ ଓ ତା’ ମା’ଙ୍କର କଥାବାର୍ତ୍ତା ଚାଲେ ।

 

ଶେଷକୁ ୟାବି ବନ୍ଦ ହୋଇଗଲା । ଅବଦୁଲ ଚାଚାଙ୍କ ବଡ଼ ପୁଅ ସଫିଲିଗ୍‌ରେ ମେମ୍ୱର ହେଲା । ସେ ସଭାରେ କହିଲା ଯେ, ମୁଲତାନିଆ ମୁସଲମାନ ରାଜ୍ୟରେ ମିଶିବ । କାଫେରମାନେ ଏଠାରୁ ତଡ଼ାହେବେ, ନହେଲେ କତଲ ହେବେ । ବାପା ଓ ଆତ୍ମାରାମ ଜେଠା ହେରିକା ୟା ଶୁଣି ହସିଲେ । ସାତପୁରୁଷର ଘରଡ଼ିହରୁ କିଏ କିମିତି ତଡ଼ିବ, କିଏ ବା କାହିଁକି ଯିବ ବୋଲି କହି ଜେଠା କହିଲେ, “ଏ ସହରିଆ ଲୋକଗୁଡ଼ାକ ସଫିର ମୁଣ୍ଡ ବିଗାଡ଼ି ଦେଲେଣି ।” ହିନ୍ଦୁ ମୁସଲମାନଙ୍କର ଗୋଟାଏ ମିଳିତ ସଭା ସେ କରିବାକୁ ଲାଗି ପଡ଼ିଲେ । କିନ୍ତୁ ସଭା ହୋଇ ପାରିଲା ନାହିଁ ।

 

ଦିନେ ରାତିରେ–ଅଧରାତି ହେବ–ଚାଚି ବାଡ଼ି ପଟେ ଆମ ଘରକୁ ଆସି ମୋ ମା’ଙ୍କୁ ଉଠାଇଲେ । ମୋତେ ସେତେବେଳକୁ ୧୨ ବର୍ଷ । ମା’ଙ୍କ ସାଙ୍ଗେ ମୁଁ ବି ଉଠି ପଡ଼ିଲି । ଚାଚି ମା’ଙ୍କୁ କହିଲେ, “ସଫି ଆସି କହୁଛି, ମୁଲ୍‌ତାନିଆ ମୁସଲମାନ ମୁଲକ ହେଇଗଲା । ତମେ ସବୁ ଯଦି ସାଙ୍ଗେ ସାଙ୍ଗେ ନ ପଳେଇବ ତେବେ ହାଣକାଟ ଲାଗିଯିବ । ତା’ ବାପା ଠାକୁରଙ୍କ ସଙ୍ଗେ କ’ଣ କଥାବାର୍ତ୍ତା ହେବେ ବୋଲି ହେଇଟି ସେଠି ଠିଆ ହୋଇଛନ୍ତି । ଠାକୁରଙ୍କୁ ଶୀଘ୍ର ଉଠାଇଦିଅ ।”

 

ମୋ ବାପା ଭାରି ନିଘୋଡ଼ ନିଦ ଶୁଅନ୍ତି । ତାଙ୍କୁ ଉଠାଇବା ପାଇଁ ମା’ ଓ ମୁଁ ଖୁବ୍‌ ଚେଷ୍ଟା କଲୁ । ବହୁ କଷ୍ଟରେ ତାଙ୍କର ନିଦ ଭାଜିଲା । ସେ ଆଖି ମଳି ମଳି ସବୁ ଶୁଣିଲେ, କିନ୍ତୁ ପୁଣି ଶୋଇବାକୁ ଉଦ୍ୟମ କରି କହିଲେ, “ମୁସଲମାନ ମୁଲକ ହେଲେ ହେଉ, ଆମର କ’ଣ ଅଛି ? ଆଗ ତ ମୁସଲମାନ ମୁଲକ ଥିଲା, ଏବେ ଶହେଖଣ୍ଡେ ବର୍ଷ ହେଲା ଫିରଙ୍ଗି ମୁଲକ ହୋଇଛି । ପୁଣି ଯଦି ମୁସଲମାନ ମୁଲକ ହେବ ହେଉ ।”

 

ଏତିକିବେଳେ ଆମ ଗାଁମୁଣ୍ଡେ ଗୋଟେ ଘୋ ଶୁଭିଲା । ପ୍ରାୟ ହଜାରେ ହେବ ଲୋକ ବିକଳରେ ପାଟି କରି ଆମ ଗାଁ ଭିତରେ ପଶି ଆସିଲେ । ତାଙ୍କ ପଛରୁ ମୁସଲମାନ ତାଙ୍କୁ ଘଉଡ଼ୁଥାନ୍ତି । ସେମାନେ ଆସି ଗାଁ ମଝିରେ ପହଞ୍ଚିବାର ଅଧଘଣ୍ଟାକ ଭିତରେ ଆମେ ସମସ୍ତେ ଗାଁ ମଝି ଚଉପାଢ଼ିରେ ଯାଇ ରୁଣ୍ଡ ହୋଇଗଲୁ । ବାହାର ଗାଁର ଗୋଟେ ମୁସଲମାନ ଚଉପାଢ଼ି ଉପରକୁ ଯାଇ ପାଟି କଲା, “ଏଠାରେ ହିନ୍ଦୁ ବା ଶିଖ ରହିପାରିବେ ନାହିଁ । ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସମସ୍ତେ ଏଠାରୁ ଛାଡ଼ି ଚାଲିଯିବାକୁ ହେବ । ପିନ୍ଧିବା ଲୁଗା ବ୍ୟତୀତ କେହି କିଛି ନେଇ ପାରିବେ ନାହିଁ । ଟିକିଏ ପାଟିତୁଣ୍ଡ କଲେ ହେଇଟି ଦେଖ” ବୋଲି କହି ସେ ତା’ର କାତି ଦେଖାଇଲା ।

 

ବାବା ରଘୁବୀର ସିଂହ ତାକୁ ତେଢ଼ି କରି କ’ଣ କହିବାକୁ ବାହାରୁଥିଲେ । ବାପା ତାଙ୍କୁ ରୋକି କରି କହିଲେ, “ବିନା କାରଣରେ ଭାଇ ଭାଇ ଲଢ଼ିବା ଦରକାର ନାହିଁ । ସେ ଯାହା କହୁଛନ୍ତି ସେଇଆ ହେଉ । ଆମେ ଚାଲିଯିବୁ କିନ୍ତୁ ଆମ ଗାଈ ମଇଁଷିକୁ ଆମ ସାଙ୍ଗରେ ନେବାକୁ ଦିଅ । ସ୍ତ୍ରୀ ପିଲା ଆମକୁ ଯେମିତି ପ୍ରିୟ, ସେମାନେ ସେମିତି ।”

 

ମୁସଲମାନଟା କହିଲା, “ସ୍ତ୍ରୀ ପିଲାଙ୍କୁ ନେଇ ନିରାପଦରେ ଯାଇ ପାରୁଛ କି ନାଇଁ ଆଗ ଦେଖ; ଗାଈ ମଇଁଷିଙ୍କୁ ପଛେ ସ୍ତ୍ରୀ ପିଲା କରିବ । ନିଜ ନିଜ ପ୍ରାଣ ନେଇ ପଳାଅ । ତୁମ ଭଲକୁ କହୁଛି । ବେଶି ବକର୍‌ବକର୍‌ ହେଲେ ସମସ୍ତଙ୍କୁ ଏଠି ମାଟିରେ ମିଶାଇଦେବି ।”

 

‘କ’ଣ କହିଲୁ ?’ ବୋଲି ବାବା ରଘୁବୀର ସିଂହ କାତି କାଢ଼ି ବାହାରି ପଡ଼ିଲେ; ଆମ ଗାଁରେ ସେ ସବୁଠାରୁ ବୁଢ଼ା; ଅଶୀବର୍ଷ ବୋଲି ସମସ୍ତେ କହନ୍ତି । ଧଳା ବାଳ ଓ ଦାଢ଼ି ଭିତରେ ତାଙ୍କର ନାଲିଆଖି ସବୁବେଳେ ଦାଉଦାଉ ହେଉଥାଏ । ଅନ୍ଧାରରେ ତାଙ୍କୁ ମୁଁ ଦେଖିପାରି ନଥିଲି । ମୁଁ ଆମ ଦାଣ୍ଡଦୁଆରେ ମା’କୁ ଧରି ଠିଆ ହୋଇଥାଏ ।

 

ମା’ ଚିତ୍କାର କରି ଉଠିଲେ, ଚଣ୍ଡାଳ କ’ଣ କଲା ? ମୁଁ ଚାହିଁ ଦେଲା ବେଳକୁ ଦେଖିଲି ବାବା ରଘୁବୀର ଚଉପାଢ଼ି ତଳକୁ ପଡ଼ି “ଜୟ ଗୁରୁ ଗୋବିନ୍ଦ ସିଂହ” ବୋଲି କହୁଛନ୍ତି । ଶିଖମାନେ ପ୍ରାୟ ପାଞ୍ଚଜଣ ମୁସଲମାନଙ୍କୁ ମାରିଦେଇଥିଲେ ବୋଲି, ପରେ ଶୁଣିଲି । ମୁସଲମାନଙ୍କ ସଂଖ୍ୟା ବହୁତ ବେଶି । ସେମାନେ ଆମ ଗାଁର ସବୁ ଶିଖଙ୍କୁ ପଦାକରି ଦେଲେ । ମୋର ସାଙ୍ଗ ପିଲା ବଚନ ଏକୁଟିଆ ବଞ୍ଚିଥିଲା । ତାକୁ ଜଣେ ମୁସଲମାନ ଗୁଣ୍ଡା ମାରିବାକୁ ଗୋଡ଼ାଇ ଆସିଲା ବେଳକୁ ଚାଚି ତାକୁ ଘର ଭିତରକୁ ଟାଣି ନେଇଗଲା । ମୋ ବାପା ଉଭୟ ପକ୍ଷକୁ ନିବର୍ତ୍ତାଇବାକୁ ମେଳି ଭିତରେ ପଶି ଯାଇ ହାତ ଟେକି ହାଁ ହାଁ କହିଲା ବେଳକୁ ତାଙ୍କ ହାତକୁ ଗୋଟାଏ ମୁସଲମାନ ଦି’ଗଡ଼ କରିଦେଲା । ମା’ ଏହା ଦେଖି ‘ଚଣ୍ଡାଳ କ’ଣ କଲା ?’ ବୋଲି କହି ଗଛ କାଟିଲା ପରି ଭୂଇଁରେ ପଡ଼ିଗଲେ । ତା’ପରେ ଆଉ ସେ ଉଠିଲେ ନାହିଁ ! ମୁଁ ତାଙ୍କୁ କୁଣ୍ଢାଇ ପଡ଼ିଯାଇ କାନ୍ଦୁ କାନ୍ଦୁ ଶୋଇ ପଡ଼ିଲି । ଫକୁଆ ଉଠିଲା ବେଳକୁ ଭୋଖ ହେବାରୁ ନିଦ ଭାଜିଗଲା ।

 

ଦାଣ୍ଡଯାକ ମୁର୍ଦାର ପଡ଼ିଥାନ୍ତି । ଆତ୍ମାରାମ ଜେଠା ମୋ ହାତ ଧରି ମୋତେ ବାପାଙ୍କ ପାଖକୁ ନେଇଗଲେ । ତାଙ୍କର ବାଁ ହାତଟା ଖୁଆଠାରୁ କଟି ଯାଇଥାଏ । ସେ ଯେଉଁଠାରେ ପଡ଼ିଥାନ୍ତି ତା’ ଚାରିପାଖ ରକ୍ତରେ ଜୁଡ଼ୁସୁଡ଼ୁ ହୋଇଥାଏ । ଆଲୁଅ ହେବାରେ ମାଛି ଆସି ବସୁଥାନ୍ତି-। ବାପାଙ୍କ ପାଖରେ ମୁଁ ଯାଇ ପହଞ୍ଚିବାରୁ ସେ ଅତି ଧୀରେ ଧୀରେ ତାଙ୍କ ଡାହାଣ ହାତ ମୋ ଉପରେ ପକାଇ କହିଲେ, “ତାରା ! ତୋ ଜୀବନରେ ଏଡ଼େ ପିଲାଦିନୁ ଦୁଃଖ ପଡ଼ିଯିବାରୁ ବଡ଼ କାଟୁଛି । ମୋ ହାତର କଷ୍ଟ ମୋତେ ଜଣା ପଡ଼ୁନାହିଁ । ତୋ ମା’ କଥା ଆତ୍ମାରାମ ଭାୟାଙ୍କ ଠାରୁ ଶୁଣିଲି । ମୋତେ ଜଣାପଡ଼ୁଛି ଅଳ୍ପ ସମୟରେ ମୁଁ ତା’ ପାଖକୁ ଚାଲିଯିବି । ଆତ୍ମାରାମ ଭାୟାଙ୍କୁ ଗୋଡ଼ ଧରି କହିଛି ସେ ବଞ୍ଚିଥିବାଯାକ ତୋର ହେପାଜତ ନେବେ । ଭଗବାନଙ୍କ ଠାରେ ନିଘା ରଖିଥିବୁ । ମା’ ! ଯାହା ହେଲା ସେ କାହିଁକି କରାଇଛନ୍ତି ତାଙ୍କୁ ଜଣା ।”

 

ଜେଠା କହିଲେ, “ଡାକ୍ତରଖାନାକୁ ନେଲେ ତୋ ବାପା, ବଛରାଜ ଜିଅନ୍ତା । କିନ୍ତୁ ନେବି କେମିତି ?”

 

ବାପା କହିଲେ, “ଭାୟା ! ସେ କଥା ଆଉ ମନକୁ ଆଣ ନାହିଁ । ନିଜେ ତୁମେ କେମିତି ବଞ୍ଚିବ ମୁଁ ଭାବୁଛି । ତୁମ ପୁଅ ତ ହେଇଟି ମୋ ପାଖରେ ମରି ପଡ଼ିଛି । ମୁଁ ତାକୁ ଜଗି ଏଠାରେ ରହିଲି । ତୁମେ ନିରାପଦ ଜାଗାକୁ ଚାଲିଯାଅ ।”

 

ଜେଠା କହିଲେ, “ବଚା ! ଯମାଳୟ ବ୍ୟତୀତ ନିରାପଦ ସ୍ଥାନ ଆଉ ଆମପାଇଁ କାହିଁ ? ଦି’ ଥର ମନେକଲିଣି, ଆତ୍ମହତ୍ୟା କରିବାକୁ । କିନ୍ତୁ ତାହା ପାପ ବୋଲି ନିବର୍ତ୍ତିଛି । ତାରା ସାଙ୍ଗକୁ ମୋ ବୋହୂଟାବି ରହିଛି ମୋର ନ୍ୟାସ ହୋଇ । ରାକ୍ଷସ ଅବଦୁଲ୍ଲାକୁ କହି ଯାଇଛି, ସନ୍ଧ୍ୟା ପୂର୍ବରୁ ଯେପରି କୌଣସି ହିନ୍ଦୁ ବା ଶିଖ ଏ ଗାଁରେ ନ ରହନ୍ତି ।”

 

ବାପାଙ୍କ ପ୍ରାଣବାୟୁ ଓପରଓଳି ଚାରିଟାରେ ଉଡ଼ିଗଲା । ଜେଠା ତାଙ୍କ ପୁଅ, ମୋ ମା’, ବାପା ଓ ଆମ ଗାଁର ଆଉ ଚାରି ପାଞ୍ଚ ଜଣ ହିନ୍ଦୁଙ୍କୁ ଏକା ଜୁଇରେ ଲଦିଦେଇ, ଆମ ଘରୁ ଓ ତାଙ୍କ ଘରୁ ଯେତେ ଯାହା କାଠ ଓ କାଠ ଜିନିଷ ପାଇଲେ ନିଆଁ ଉପରେ ଖଞ୍ଜି ଦେଲେ । ନିଆଁ ଜଳୁଥାଏ; ସନ୍ଧ୍ୟା ହେବାରୁ ମୋତେ ଓ ଭାବୀକୁ ଆଗରେ ଚଲାଇ ପଛେ ବଗଳାମୁଖୀ ସ୍ତୋତ୍ର ଗୁଣି ଗୁଣି ଚାଲିଲେ । ମଝିରେ ମଝିରେ କହୁଥାନ୍ତି, “ମା, ଲଡ଼କୀ, ତୁମେ ଦୁହେଁ ଟିକିଏ ଗୋଡ଼ ଫିଟେଇ ଚାଲ-। ପୂର୍ବଦିଗକୁ ଯେତେ ଅଧିକ ଚାଲିଯିବା ସେତିକି ନିରାପଦ ।” ବୁଢ଼ା ଆମ ପଛରେ ଲାଗିପାରୁନଥିବାରୁ ଆମେ ଥିର ଥିର ଚାଲୁଥାଉ । ଭାବୀ ଆଖିରୁ ଅଜସ୍ର ଲୁହଧାର ବହୁଥାଏ, ମୋ ଆଖିରେ ପାଣି ନ ଥାଏ ।

 

ରାତି ଘଡ଼ିଏ ହେବ । ଅନ୍ଧାରପକ୍ଷ । ଆମେ ଗୋଟାଏ ଆମ୍ୱତୋଟାରେ ଟିକିଏ ବିଶେଉଛୁ, ଅବଦୁଲ୍‌ ଚାଚା ଆସି ପହଞ୍ଚିଲେ । ଜେଠାଙ୍କୁ ମୁଣ୍ଡିଆ ମାରି ଭୋ ଭୋ କାନ୍ଦି କହିଲେ, “ଭାୟା ! ମୁଁ ବଡ଼ ଅପରାଧୀ । ମୋରି ଯୋଗୁଁ, ମୋରି ପୁଅ ଓ ମୋରି ଜାତି ଯୋଗୁଁ ଆଜି ତୁମର ଏ ଦଶା । ଜାହାନାମ୍‌କୁ ଗଲେ ମୁଁ ଶାନ୍ତି ପାଇବି ।”

 

ଜେଠା କହିଲେ, “ଅବ୍‌ଦୁଲ୍ଲା ! ତୋର ଏଥିରେ କିଛି ଦୋଷ ଅଛି ବୋଲି ମୁଁ ଆଦୌ ବିଚାରି ପାରୁନାହିଁ । ଏ ସବୁ ଖୋଦାର କାମ । ମଣିଷକୁ ସେଇ ଭଲ ବୁଦ୍ଧି ଦିଏ ପୁଣି ମନ୍ଦବୁଦ୍ଧି ଦିଏ-। ତୁ ଯା ! ଆମପାଇଁ ତୋର କିଛି ବିପତ୍ତି ନ ହେଉ ।”

 

ଚାଚା ଉଠି ହାତ ଯୋଡ଼ି କରି କହିଲେ, “ଭାୟା, ମୋ ଉପରେ ଯଦି କିଛି ରାଗ ନାହିଁ ତେବେ ସାନଭାଇର ଏ ଭେଟି ଗ୍ରହଣ କର ।” ଏହା କହି ସେ କାଗଜର ଗୋଟିଏ ପୁଟୁଳା ତଳେ ଥୋଇଦେଲେ । ଜେଠା ତାକୁ ଚାହିଁଲେ, ଛୁଇଁବେ କି ନାହିଁ ବୋଲି ଥାଥା ମାମା ହୋଇ ପୁଟୁଳାଟି ଉଠାଇ ନିଜ ଚପକନ୍‌ର ଭିତର ପକେଟରେ ରଖି କହିଲେ, “ଉଠରେ ପିଲେ, ଚାଲ ଯିବା ।”

 

(୮)

 

ତାରାର ଜୀବନକାହାଣୀ ଶୁଣିବାକୁ ନାୟକେ ଓ ବାହିନୀପତି ତହିଁ ଆରଦିନ ସନ୍ଧ୍ୟାବେଳେ ଆସି ଦାସଙ୍କ ଚଉପାଢ଼ିରେ ବସିଥାନ୍ତି । ମହାପାତ୍ରେ ତାଙ୍କ ଦୁଆରମୁହଁରୁ ଡାକ ଦେଲେ, “ମୁଁ ଗୋରୁ ବାନ୍ଧି ସଞ୍ଜ ବସାଇ ଯାଉଛି ଆରମ୍ଭ କରି ନଥାଅ ।’ ଆମେ ତାଙ୍କୁ ଅପେକ୍ଷା କରିଥାଉଁ, ଏଇ ସମୟର ଗାଁର ସବୁଠାରୁ ବଡ଼ ବୁଢ଼ା ଦକ୍ଷିଣକବାଟ ତମତମ ହୋଇ ଆସି ପହଞ୍ଚିଲେ । ବୁଢ଼ାଙ୍କ ମୁହଁ ଉତ୍ତେଜନାରେ ଲାଲ ପଡ଼ିଯାଇଥାଏ । ସେ ସମସ୍ତଙ୍କୁ ଜେଜେ ହୋଇ ଦାସଙ୍କୁ ଲକ୍ଷ୍ୟ କରି କହିଲେ, “ଆପଣେ ! ଆପଣଙ୍କୁ ଏ ପାଞ୍ଚ କୋଶରେ କିଏ ନ ଚିହ୍ନେ ? ଆପଣ ଥାଉଁଥାଉଁ ଏ ଗାଁରେ ଯେଉଁ ଘଟଣା ସବୁ ଘଟୁଛି ତାକୁ ଶୁଣୁଛନ୍ତିଟିକି ? ମୋର ଦେହ ନ ସହିବାକୁ ଆଜି ଆସିଛି ।”

 

ଦାସେ କହିଲେ, “ସେମିତି ଗୋଟାଏ ଗୁରୁତର ଘଟଣା ନ ଘଟିଥିଲେ ତୁମେ ଅଡ଼ଙ୍ଗରୁ ଗଡ଼ନ୍ତ ନାହିଁ ବୋଲି ଜାଣୁଛି । କାଲି ପୁଅଙ୍କୁ ପଚାରୁଥିଲି; ସେ କହିଲେ, ବାପା ଆଉ ଚାଲିପାରୁନାହାନ୍ତି । ପଞ୍ଚାଅଶୀ ପୂରିଗଲାଣି ପରା ?”

 

ଦକ୍ଷିଣକବାଟେ କହିଲେ, “ହଁ ଛୟାଅଶୀ ଅଧିକରୁ ବେଶି ହୋଇଗଲାଣି । ଚାଲିବାକୁ କଷ୍ଟ ହେଉଛି ଯେ, ପୁଅ ଯୋଗ୍ୟ ହୋଇଥିଲେ ସିନା ଆରାମ କରି ବସନ୍ତି ! ଆଜିର ଘଟଣା ଶୁଣି ତାଙ୍କ ଦିହରେ ତ କାହିଁକି ଛଳ ପଶିଲା ନାହିଁ ! ବାଧ୍ୟ ହୋଇ ଆସିଲି ।”

 

ଆମେ ସମସ୍ତେ ଉତ୍ସୁକ ହୋଇ ଚାହିଁଲୁ । ଦାସେ କହିଲେ, “ଘର ଭିତରକୁ ଯିବା ? କ’ଣ ଗୁପ୍ତ କଥା ନିଶ୍ଚୟ ?”

 

ଦକ୍ଷିଣକବାଟ କହିଲେ, “ନାଇଁ, ଗୁପ୍ତ କ’ଣ ? କଥା ତ ବଜାରରେ ପଡ଼ି ସାରିଲାଣି, ଲୁଚାଇ ଲାଭ କ’ଣ ? (ମୋ ଆଡ଼କୁ ଚାହିଁ) ଯେ ଆପଣ କୁଳୁଆଁ ପରା ?”

 

ଦାସେ ମୋର ପରିଚୟ ଦେବାରେ ସେ କହିଲେ, “ତେବେ ତ ୟେ ଶୁଣିବାର କଥା । ଶୁଣନ୍ତୁ, ସଂସାରରେ ବର୍ତ୍ତମାନ ଯେଉଁ ରବାବ୍ ଦେଖାଯାଉଛି, ତା’ର ଫଇସଲା କିମିତି ହେବ କହନ୍ତୁ-। ପଣ୍ଡିତମାନଙ୍କଠାରୁ, ପଚିଶ ଜାଗା ଦେଖିଥିବା ଲୋକଙ୍କଠାରୁ ନ ଶୁଣିଲେ କାହାଠଉ ଶୁଣିବା-? ତାଙ୍କ ଆଗରେ ନିଜର ଦୁଃଖ ନ କହିବା ତ କାହା ଆଗେ କହିବା ?”

 

ଏତିକିବେଳେ ମହାପାତ୍ରେ ଆସି ପହଞ୍ଚିଲେ । ତାଙ୍କୁ ଦେଖି ଦକ୍ଷିଣକବାଟେ କହିଲେ, “ବେଶ୍, ମହାପାତ୍ରେ ତ ଆସି ପହଞ୍ଚିଗଲେଣି ! ମୁଁ ତମକୁ ନ ଦେଖି ବିଚାରୁଥିଲି, ବୋଧହୁଏ ପୁଅଙ୍କ ପାଖକୁ ଯାଇଛନ୍ତି ଭାରି ।”

 

ମହାପାତ୍ରେ ନିଜର ଦୁଃଖସୁଖ କହି କୈଫିୟତ୍ ଦେବା ପରେ ଦାସେ କହିଲେ, “ସାଆନ୍ତେ ! କ’ଣ କହିବ ପରା, କହ ।”

 

ଦକ୍ଷିଣକବାଟେ ସାଆନ୍ତ ଘର । ନାମ ବ୍ୟତୀତ ଆଉ ବିଶେଷ କିଛି ନାହିଁ, ବାଘୁଆ ନିଶ ଦି’ପଟାକୁ ଛାଡ଼ି । ସାଆନ୍ତ ବୋଲି ସମ୍ବୋଧନ କରିଦେଲେ, ତାଙ୍କର ହାତ ସ୍ୱତଃ ନିଶ ଉପରକୁ ଚାଲିଥାଏ । ନିଶକୁ ଆଉଁସି ଦେଇ ସେ କହିଲେ, “ଆପଣେ ! କହିବାକୁ ଲାଜ, ନ କହିଲେ କୁଳ ସରିଯାଉଛି । ମୋ ନାତୁଣୀଟା ଜାଣିଲେ, ଆପଣଙ୍କ ଏ ଇସ୍କୁଲ୍‍ରେ ପଢ଼ୁଥିଲା । କ’ଣ ଗୋଟାଏ ପରୀକ୍ଷା ଦେବାକୁ ସେ ଯାଇଥିଲା ଖୋରଧା । ସେଠେଇ ଯୋଉ ଅଘଟଣ ଘଟିଲା, କାହାକୁ କହିବି-? ମୋ ନାତୁଣୀ, ତା’ ସାଙ୍ଗେ ଆଉ ଗୋଟେ ଟୋକୀ ଗୋଟେ ଘରେ ବସି କଥାବାର୍ତ୍ତା ହେଉଛନ୍ତି, ଯୋଡ଼ାଏ ଭେଣ୍ଡିଆ ସେ ଘରେ ପଶିଯାଇ ଭିତରୁ ଦୁଆର କିଳିଦେଲେ । ମୋ ନାତୁଣୀ ପାଟି କରିବାକୁ ଇସ୍କୁଲ୍‍ଯାକର ଗୋଠେ ମାଷ୍ଟ୍ର ଓ ପିଲା ଆସି ସେଠି ଜମାହେଲେ; ତେବେ ଯାଇ ସେ ଟୋକା ଦି’ଟା ଗଲେ । ମୁଁ କହୁଛି କ’ଣ ଜାଣିଲେଟିକି ? ୟେ ଯୁ ଟୋକା ଯୋଡ଼ାକ, ତାଙ୍କୁ କେହି ପଦେ କହିଲେ ନାଇଁ, ପୁଲିସ୍ ହାକିମ ଏତେ ଏତେ ଅଛିନ୍ତି, କେହି କିଛି କଲେ ନାହିଁ ! ଇମିତିରେ ଚଳିବା କେମିତି ଭଲା ?”

 

Unknown

ଦାସେ କିଛି କହିବା ପୂର୍ବରୁ ବାହିନୀପତି କହିଲେ, “ଜାଣିଲ, ଦକ୍ଷିଣ କବାଟେ, ପାଠ ଲେଖିଛି, ‘କଳୌ ଚ କେବଳଂ କର୍ତ୍ତା ଫଳଭୁକ୍ ପାପପୁଣ୍ୟ‌‍ୟୋଃ’ । ପିଠିରେ ପଡ଼ିବାକୁ କେହି ନାହିଁ । ନିଜ ଇଜ୍ଜତ ନିଜେ ରଖିବାକୁ ହେବ । ଏତେ ମାଇକିନିଆ ପିଲା ଇସ୍କୁଲ୍‍ରେ ପଢ଼ୁଛନ୍ତି, ତମ ପିଲା ଉପରେ ଏମିତି ଅଦ୍ୱୈତି ହେଲା କାହିଁକି ? ଯଦି ହେଲା, ତେବେ ତମ ପିଲା ତା’ର ପ୍ରତିକାର ସେଠେଇ ନ କଲା କାହିଁକି ? ଗାଁରୁ ସତରଜଣ ମାଇକିନିଆ ଝିଅ ପରୀକ୍ଷା ଦେବାକୁ ଯାଇଥିଲେ, ଏ ପିଲା ଯୋଡ଼ିକ ଅଲଗା ହୋଇ ଗୋଟିଏ ଘରେ ରହୁଥିଲେ କିଆଁ ? ମୁଁ ଆମ ପିଲାଙ୍କଠାରୁ ସବୁ କଥା ଶୁଣିଛି । ସେ ଟୋକା ଦି’ଟା ସମସ୍ତଙ୍କୁ କ୍ଷମା ମାଗିବାରୁ ଛାଡ଼ ପାଇଲେ । ତମ ପିଲା ସାଙ୍ଗରେ ଆଉ ଯେଉଁ ଟୋକୀଟା ଥିଲା ସେ ତା’ ଗୋଡ଼ରୁ ଚଟି କାଢ଼ି ଗୋଟାଏ ଟୋକାକୁ ନିସ୍ତୁକ୍‍ ପିଟିଛି । ତା’ ମୁହଁରେ ଯୋଡ଼ାଏ ଚିହ୍ନ ରହିଯାଇଛି, ବର୍ଷକରେ ଗଲେ ଗଲା ପରି ।”

 

ଦକ୍ଷିଣ କବାଟେ କହିଲେ, “ଆମ ପିଲା ଗୋଡ଼ରେ ଚଟି ଥିଲେ ସେ କ’ଣ ଛାଡ଼ିଥାନ୍ତା ? ପୁଣି, ତାକୁ ଯେଉଁ ଟୋକାଟା ଧରିଥିଲା ସେଉଟା ଗୋଟେ ମାଷ୍ଟ୍ର, ମାଷ୍ଟ୍ରଟାକୁ ମାରନ୍ତା ବା କେମିତି-? ନହେଲେ ସେ ଯେଉଁ ଘରର ପିଲା, ଛାଡ଼ିଥାନ୍ତା ପରା ?”

 

ଦାସେବି ଟିକିଏ ମୁଡ଼ୁକି ହସିଲେ । ପରେ ମହାପାତ୍ରଙ୍କଠାରୁ ଶୁଣିଲି, ତାଙ୍କ ନାତୁଣୀଟିର ଆଚରଣ ବିଷୟରେ ଗାଁରେ ବହୁତ କଥା ଶୁଣାଯାଏ । ନାୟକେ କହିଲେ, “ଟୋକା ଯୋଡ଼ାକ ହାତଗୋଡ଼ ଧରିବାକୁ ଯେ ଛାଡ଼ି ଦେଇଛନ୍ତି ସେ ଭଲ କରିଛନ୍ତି । ଏଭଳି କଥାଗୁଡ଼ାଏ ଘଣ୍ଟାଚକଟା କଲେ ଟୋକାଙ୍କର ଯେତେ ଅନିଷ୍ଟ ହୁଅନ୍ତା, ତହିଁରୁ ଅଧିକ ହୁଅନ୍ତା ତୁମ ପିଲାଟିମାନଙ୍କର । ପିଲା ଦିନର ଏ ସବୁ ଭଲମନ୍ଦ ପରେ ତ ପୁଣି ଏମାନେ ଯାଇ ଘରଦ୍ୱାର କରିବେ । ଆଜିର ଏ ବିପରୀତ ଯୁଗରେ ଆମେ ସାହେବୀ ଢଙ୍ଗରେ ପିଲାଙ୍କୁ ପାଠ ପଢ଼ାଉଥାଉଁ ସିନା, ବିଭାଘର ବେଳକୁ ଆରମ୍ଭ ହେବ ମରହଟ୍ଟିଆ କଥା, କେତେ ଛୁଞ୍ଚି ମାଛି ପରୀକ୍ଷା ହେବ, ସେ କଥାକୁ ମନରେ ରଖି ଚଳିବା ଦରକାର ।”

 

ଦକ୍ଷିଣ କବାଟଙ୍କ ମୁହଁ କବାଟ ପରି ହେବାର ଲକ୍ଷ୍ୟ କରି ଦାସେ କହିଲେ, “ସେ କଥା ସତ ଯେ, ବାଉଁଶକୁ ଚାହିଁ ପୋଲ । ପୁରୁଣା ଘରମାନଙ୍କର ପିଲାଙ୍କୁ କାଳ କ’ଣ କରିବ ? ଦେଖିଲ ନାହିଁ, ସାଆନ୍ତଙ୍କ ପିଲା ବୋଲି ସିନା ସେ ଦିନ ନିଜର ଇଜ୍ଜତ ବଞ୍ଚାଇ ଆସିପାରିଲେ । ଅନ୍ୟ ଘରର ପିଲା ହୋଇଥିଲେ ସମ୍ଭଳା ପଡ଼ିଥାନ୍ତା ? ଯାହାହେଉ, ମୋତେ ଏ କଥାଟା କହିଲ ଭଲ କଲ । ମୁଁ କାଲି ଯାଇ ଏ ବିଷୟରେ କଥାବାର୍ତ୍ତା ହୋଇ ଆସିବି ।”

 

ଦକ୍ଷିଣ କବାଟଙ୍କ ମୁହଁ ପ୍ରସନ୍ନ ହୋଇଗଲା । ସେ ବିଦାୟ ନେବାକୁ ଉଠିଲା ବେଳକୁ ଦାସେ, ଚା’ ଟିକିଏ ଖାଇକରି ଯାଅ ବୋଲି ଅନୁରୋଧ କଲେ । ମହାପାତ୍ରେ କହିଲେ, ଆମର କାଲି ଯେଉଁଠି ରହିଥିଲା, ସେଇଠୁ ପଢ଼ନ୍ତୁ, ବାରିବାବୁ !”

 

ମୁଁ ଆରମ୍ଭ କଲି :–

 

–ଆମେ ଯେଉଁଠାରେ ବସିଥିଲୁ ତାହା ଜଙ୍ଗଲ ଭିତରେ ପଡ଼ିଥିବା ଡଗର ଠାରୁ ଅଳ୍ପ ଦୂର । କେଜାଣି ସେବାଟେ କିଏ ଆସିବ, ହୁଏତ ଆମ ଉପରେ ତା’ ଦୃଷ୍ଟି ପଡ଼ିବ; ଯଦି ଆମ ଉପରେ ଆକ୍ରମଣ ହୁଏ, ତେବେ ନିଜକୁ ରକ୍ଷା କରିବାକୁ ଆମର ବଳ ନାହିଁ । ଆତ୍ମାରାମ ଜେଠା ହାତରେ ଗୋଟାଏ ପଞ୍ଚହତା ବାଡ଼ି ଧରିଥାନ୍ତି; କିନ୍ତୁ ସେ ଖଣ୍ଡ ଉଠାଇବାକୁ ତାଙ୍କର ବଳ ପାଇ ନ ପାଇ ହେଉଥାଏ । ଆମେ ଦୁହେଁ ତ ମାଇକିନିଆ, କାଲି ରାତିର ଘଟଣା ଦେଖି ମୁଁ ତାଟକା ହୋଇଯାଇଥାଏ, ଭାବୀ ଏକାବେଳେ ପାଗଳ ପରି ହୋଇଯାଇଥାନ୍ତି । ‘ଉଠ, ଚାଲ, ଆଉ ଖଣ୍ଡେ ବାଟ ବାହାରି ଯିବା, କେଜାଣି ବା ମୁଣ୍ଡ ଗୁଞ୍ଜିବାକୁ ଆଗରେ ଥାନ ଟିକିଏ ମିଳିବ’ ବୋଲି ଜେଠା ଯେତେ କହିଲେବି ଭାବୀ ଉଠୁନଥାନ୍ତି, କି ତାଙ୍କ ଆଡ଼କୁ ଚାହୁଁ ନଥାନ୍ତି ।

 

–ସେତିକିବେଳେ ପଶ୍ଚିମ ଦିଗରେ ଦୁଇ ଜାଗା ଘରପୋଡ଼ି ଆଲୁଅ ହଠାତ୍ ପଶିଗଲା । ଦୂରରୁ ଲୋକଙ୍କର ଚିତ୍କାର, ରାତି ଯୋଗୁଁ, ପରିଷ୍କାର ଆମ ପାଖକୁ ଭାସି ଆସୁଥାଏ । ଭାବୀ ପଳାଇବାକୁ ଅସମର୍ଥ ଜାଣି ଜେଠା କହିଲେ, “ଆରେ ପିଲେ, ଚାଲ, ଜଙ୍ଗଲ ଭିତରକୁ ଆଉ ଦଶ କୋଡ଼ିଏ ହାତ ପଶିଯିବା କି ଟିକିଏ ବିଶେଇବା । ସଡ଼କ ପାଖରେ ରହିଲେ ଚଣ୍ଡାଳଗୁଡ଼ାକ ଆସି ହାବୁଡ଼ିପାରନ୍ତି । ଜଙ୍ଗଲରେ ବାଘ ଭାଲୁ ୟାଙ୍କ ପରି ଏଡ଼େ ଭୟଙ୍କର ନୁହନ୍ତି । ଡର ନାହିଁ ।”

 

–ଆମେ ଗହଳିଆ ଗଛ ଉହାଡ଼କୁ ଯାଇ ବସିଛୁ କି ନ ବସିଛୁ, ପଛ ଆଡ଼ୁ କୋଳାହଳ ମାଡ଼ି ଆସିଲା । ଆଗରେ ଦୁଇ ଚାରିଟି ଲୋକ ପ୍ରାଣ ବିକଳରେ ଧାଇଁଥାନ୍ତି, ତାଙ୍କ ପଛରେ ପଛରେ ଗୋଡ଼ାଇଥାନ୍ତି ପାଞ୍ଚ ସାତଜଣ ମୁସଲମାନ । ଆଗ ଦଳରୁ ଜଣେ, ବୟସ ହୋଇଯାଇଥିବା ସ୍ତ୍ରୀଲୋକର ପାଟି ପରି ବୋଧ ହେଉଥାଏ, ବିକଳ ହୋଇ କହୁଥାଏ, “ଭାଇ ! ଆମକୁ ଗୋଡ଼ାଇବା ଦରକାର ନାହିଁ । ଆମେ ତ ଘରଦ୍ୱାର ଛାଡ଼ି ଚାଲିଆସିଲୁ । ଗେରସ୍ତକୁ ତ ମାଇଲ, ମୋ ପୁଅକୁ ତ ମାଇଲ, ମାଇପିଗୁଡ଼ାଙ୍କୁ ହନ୍ତସନ୍ତ କରି ଲାଭ କ’ଣ ? ଆମକୁ ଯିବାକୁ ଦିଅ । ତମ ରାଇଜ ତମର ଆଉ, ଆମ ସମ୍ପତ୍ତିବାଡ଼ିବି ତୁମର ହେଉ । ମୋ ପିଲାଙ୍କୁ କଲବଲ କର ନାଇଁ ।”

 

–ଏହାର ଉତ୍ତରରେ ପଛରେ ଗୋଡ଼ାଇଥିବା ଲୋକଗୁଡ଼ାକ ଠୋଠୋ ହସି କହୁଥାନ୍ତି, “ତୋ ସାନ ପିଲାଟିକୁ ଦେ, ଆଉ ସମସ୍ତଙ୍କୁ ଆମେ ଛାଡ଼ି ଦେବୁ । ଇମାନ୍‍ସେ କହୁଛୁ, ଆମ କଥା ମାନେ ।”

 

ଆମେ ଯେଉଁଠାରେ ଲୁଚୁଥିଲୁଁ ତା’ରି ସିଧା ଉଭୟ ଦଳ ଭେଟାଭେଟି ହୋଇଗଲେ । ଗୋଟିଏ ଟୋକୀର ପାଟି ଶୁଭିଲା, ସେ କହୁଥାଏ, “ମା’ ! ତୁ ଆଉ ଜିଦ୍ କରନା । ସେମାନେ ମୋତେ ତ ଚାହୁଁଛନ୍ତି, ମୋତେ ନିଅନ୍ତୁ, ତମେ ସବୁ ଯାଅ । ତୁମେ ଲାହୋରରେ ଯେମିତି ନିର୍ଭୟରେ ପହଞ୍ଚିବ, ସେଥିପାଇଁ ସେମାନେ ଜବାବ ଦିଅନ୍ତୁ । ମୁଁ ତ ବିଭା ହୋଇ ନାହିଁ, ମୋପାଇଁ ଚିନ୍ତା କରନା । ମୋ ନାନୀର, ମୋ ଭାଉଜର ଇଜ୍ଜତ ଆଗ ରକ୍ଷା ହେଉ ।”

 

–ତା’ପରେ କ’ଣ ହେଲା ଭଲ କରି ବୁଝି ପାରିଲି ନାହିଁ । ତୁନିତାନି ହୋଇ ଆଗ ଦଳ ଆଗକୁ ଗଲେ, ପଛରେ ଥିବା ଗୁଣ୍ଡାମାନେ ଫେରିଗଲେ । ତାଙ୍କ ଭିତରେ ପାଟିତୁଣ୍ଡ ଶୁଭୁଥାଏ, ବୋଧହୁଏ ଟୋକୀଟାକୁ କିଏ ନେବ ସେଇଥିପାଇଁ ସେମାନେ କଳି ଲଗାଇଥାନ୍ତି । ମୋ ଦେହ ଶୀତେଇ ଗଲା, ଭାବୀ ଚେହେକା ହୋଇ ବସିଲେ, ଜେଠା କହିଲେ, “ବାଃ, ୟାଠାରୁ ବଳି ଆଉ ମଣିଷ କେଡ଼େ ତ୍ୟାଗ କରିପାରେ । ପ୍ରଭୁ, ବିଚାରୀ ମାଇକିନିଆ ତିନୋଟିଙ୍କୁ ନିରାପଦରେ ରଖନ୍ତୁ ହେଲେ !”

 

–ଟିକିଏ ବେଳ ତୁନି ହୋଇ ଜେଠା ମୋତେ କହିଲେ, ‘ତାରା ! ଆମେ ଗାଁରୁ ଚାରିମାଇଲ ଆସିଲେଣି । ଆଉ ଷୋଳ ମାଇଲରେ ଲାହୋର । ବଡ଼ ସହର, ପୁଲିସବାଲା ବହୁତ, ସେଠାରେ ବୋଧହୁଏ ହାଣକାଟ ହେଉନଥିବ I ପୁଲିସ ସାହାଯ୍ୟ କଲେ ଆମେ ରେଳରେ ଦିଲ୍ଲୀ ଯାଏଁ ଯାଇପାରିବା । ଭାବୀକୁ କହ, ସେ ଉଠ, ଏ ସ୍ଥାନରୁ ଯେତେ ଆଗକୁ ପଳାଇବା ସେତେ ଭଲ-। ରାତି ବେଶି ହୋଇଗଲାଣି । ଏଥର ଗୁଣ୍ଡାଗୁଡ଼ାକ ଘରୁ ବାହାରିବେ ନାହିଁ ।”

 

–ଭାବୀ ସେତେବେଳକୁ ଉଠି ଠିଆ ହୋଇ ସାରିଥାନ୍ତି । ଆମେ ଗୋଟିଏ ଗୋଟିଏ ଆଗେଇ ଚାଲିଲୁ । ବାଟରେ ଜେଠା ଅତି ଥିରି ଥିରି କହି ଚାଲିଥାନ୍ତି, “ପିଲେ ! ମୋ ଜୀବନରେ ଏମିତି ଦଶା ଘଟିବ ବୋଲି କେଭେ ଆଶଙ୍କା କରି ନଥିଲି । ପିଲାଦିନେ ମୋର ଗୋସିଁ ବାପା ମୁସଲମାନଙ୍କ ଦୌରାତ୍ମ୍ୟ କଥା କେତେ କହନ୍ତି । ତାଙ୍କ ଭୟରେ ସେକାଳେ ବେଳ ନ ବୁଡ଼ୁଣୁ ତାଟି କବାଟ ପଡ଼ିଯାଉଥିଲା । ସରକାର ପକ୍ଷରୁ କଡ଼ା ପୁଲିସ୍‌ ପହରା ରହିଥାଏ । ଧରା ପଡ଼ିଲେ ଜବର ଶାସ୍ତି ମିଳେ । ତଥାପି ଝିଅ ବୋହୂଙ୍କ ଇଜ୍ଜତ ରହେ ନାହିଁ । ଆମରି ଗାଁର ଗୋଟିଏ ଝିଅ, ଗୋସିଁ ବାପେ କହୁଥିଲେ, ସକାଳେ ଗାଧୋଇ ଯାଉଥିଲା, ବାଟରୁ ମୁସଲମାନ ସିପାହୀ ଦି’ ଜଣ ତାକୁ ଟେକିନେଇ ଘୋଡ଼ାରେ ଚମ୍ପଟ ଦେଲେ । ସେ ଟୋକୀକୁ ନେଇ ତାଙ୍କ ନବାବଙ୍କୁ ଭେଟି ଦେଲେ । ନବାବ ତାକୁ ରଖିଲେ ଓ ତା’ର ବାପ ମା’ଙ୍କୁ ଗୁଡ଼ାଏ ଜମିବାଡ଼ି ଦେଲେ । ଗାଁ ଲୋକେ ତାଙ୍କୁ ଜାତି ବାସନ୍ଦ କରିଦେବାରୁ ବଂଶଯାକ ମୁସଲମାନ ହୋଇଗଲେ । ଆମରି ପାଖ ଗାଁରେ ତାଙ୍କ ନାତିମାନେ ଏବେ ଅଛନ୍ତି । ସେତେବେଳର ରାଗ ଏମାନେ ଆଜି ଶୁଝାଇବାକୁ ମଉକା ପାଇଛନ୍ତି । ଇମିତି କେତେ ଗାଁରେ, ଆମରି ଭିତରୁ ମୁସଲମାନ ହୋଇଥିବା ଲୋକ ଅଛନ୍ତି । ସେମାନେ ଏତେବେଳେ ସମ୍ଭାଳି ହେବେ ନାଇଁ । ଇଂରେଜ ବାହାଦୁର ତାଙ୍କୁ ଚପେଇ କରି ରଖିଥିଲେ । ଆଜି ନିଜର ଯିବା ବେଳ ପଡ଼ିବାରୁ ସେଇମାନଙ୍କୁ ଉସକାଇ ଦେଇଛନ୍ତି । ଏତେବେଳେ ଆଉ ରକ୍ଷା ପାଇଲା ପରି ଲାଗୁ ନାଇଁ । ଭଗବାନ ଭରସା !”

 

ରାମନାମ ଗୁଣିଗୁଣି ଜେଠା କେତେବାଟ ଚାଲିଲେ । ତା’ପରେ ‘ହେ ରାମ’ ବୋଲି କହି ଦୀର୍ଘ ନିଃଶ୍ଵାସ ଛାଡ଼ି ଠାଏ ବସିପଡ଼ି କହିଲେ, ‘ପିଲେ ! ଏଇଠି ଟିକିଏ ବସିବା । ମୁଁ ଆଉ ଚାଲି ପାରୁନାହିଁ । ଏମିତି ପରିଶ୍ରମ ପଡ଼ିବ ବୋଲି କିଏ ଜାଣିଥିଲା ? ମୋର ଆଉ ବଳ ନାଇଁମ ପିଲେ ! ତାରା, ତୋ ବାପକୁ ମୁଁ ପିଲାଦିନେ କାଖେଇଥିଲି । ତା’ ଠାରୁ ବାର ଚଉଦବର୍ଷ ବଡ଼ ହେବି । ବିଚରାକୁ ଷାଠିଏ ପୂରିଥିଲା କି ନଥିଲା । ଗଣ୍ଡଗୋଳ ଶାନ୍ତ କରିବାକୁ ସେ ମୋରି ଆଗରେ ପ୍ରାଣ ଦେଇଦେଲା । ମହାପ୍ରଭୁ ! ତା’ରି ରକ୍ତରେ ସବୁ ଥଣ୍ଡା ପଡ଼ିଯାନ୍ତା କି ହେଲେ !”

 

–ଦଣ୍ଡେ ବିଶ୍ରାମ ନେଲା ପରେ ଆମେ ପୁଣି ଚାଲିଲୁ । ବାଟରେ ସେଇ ବୁଢ଼ୀଟି ସଙ୍ଗେ ଦେଖା ହେଲା, ଯେ ସାନ ଝିଅଟିକୁ ମୁସଲମାନ ଗୁଣ୍ଡାଙ୍କୁ ଦେଇ ବଡ଼ ଝିଅ ଓ ବୋହୂଙ୍କୁ ମୁକୁଳେଇଥିଲା । ଏ ଦୁହେଁ ବିଚାରୀକୁ ବହୁତ ଜଙ୍ଘାସି କରି କହୁଥାନ୍ତି । ବୁଢ଼ୀ କହୁଥାଏ, “ଆଲୋ ପୋଡ଼ାମୁହିଁ ଯୋଡ଼ାକ, ରକ୍ଷା ପାଇଲଣି ବୋଲି ବିଚାରି ଏଡ଼େ ଉତ୍ପାତ କାହିଁକି ହେଉଛ ? ଆଗ ଦିଲ୍ଲୀ ପହୁଞ୍ଚ, ମୋ ଭାଇ ଘରେ ନିର୍ବିଘ୍ନରେ ପହଞ୍ଚି ସାର, ମୋତେ ମାରିବ କି ଗାଳି ଦେବ । ସେଇ ଜଙ୍ଗଲରେ ସମସ୍ତଙ୍କୁ ହାଣମୁହଁରେ ଦେଇଥିଲେ ନିଶ୍ଚିନ୍ତ ହୋଇଥାନ୍ତି ।”

 

–ଜେଠାଙ୍କ ସହିତ ବୁଢ଼ୀର ବହୁତ ଦୁଃଖସୁଖ ପଡ଼ିଲା । ଆମେ ପିଲା ଚାରିଟା ଗତ ଦିନେ ଦୁଇଦିନର ଘଟଣା କଥାବାର୍ତ୍ତା ହୋଇ ଛଳଛଳ ଆଖିରେ ପଛରେ ଚାଲିଥାଉ । କୁଆଁତାରା ଉଇଁଲା, ଶୀତ ପବନରେ ଦିହ ଥରିଯାଉଥାଏ, ଜେଠା କହିଲେ, ଲାହୋର ଆଉ ଅଳ୍ପବାଟ । ସେତିକିବେଳେ ଆଗରେ ଶୁଭିଲା ହୋହା । ଆମର କଲିଜା ଆହୁରି ଥରି ଉଠିଲା । ଦଶ କି ପନ୍ଦର ଚୋଟ ଗୁଳି ଫୁଟିବାର ଶବ୍ଦ ହେଲା । ଜେଠା କହିଲେ, “ପୁଲିସ୍ ଫଉଜ, ମୁସଲମାନଙ୍କୁ ଜବତ କରୁଛନ୍ତି, ଆଉ ଭୟ ନାଇଁ, ଚାଲ, ପାଦ ବଢ଼େଇ ବଢ଼େଇ ଚାଲ । ରେଳ ଷ୍ଟେସନ୍‍ ଆଉ ମାଇଲିଏ ଦୂରରେ । ସେଇଠି ପହଞ୍ଚିଗଲେ ରକ୍ଷା ପାଇଯିବା ।”

 

–ଆମେ ଯୋଉ ବାଟରେ ଯାଉଥିଲୁ ସେଇ ବାଟରେ ଲୋକ ଆମ ଆଡ଼କୁ ଧାଉଁଥାନ୍ତି । ଆମେ ବାଟରୁ ଆଡ଼େଇ ହୋଇଗଲୁଁ । ସବୁଗୁଡ଼ାକ ପଠାଣ । ସେମାନେ ଏଡ଼େ ଅସ୍ତବ୍ୟସ୍ତ ହୋଇ ଧାଇଁଥାନ୍ତି ଯେ ଆମ ଆଡ଼କୁ ଚାହିଁବାକୁ ତାଙ୍କର ବେଳ ନ ଥାଏ । ତାଙ୍କ ପଛରେ ପୁଲିସ ଫଉଜ ରହି ତାଙ୍କୁ ଘଉଡ଼ୁଥାନ୍ତି । ପୁଲିସ୍‌ଙ୍କ ପଛରେ ଧାଉଁଥାନ୍ତି ପଞ୍ଝେ ହିନ୍ଦୁ ଓ ଶିଖ । କାହା ହାତରେ ବନ୍ଧୁକ, କାହା ହାତରେ କାତି । ପୁଲିସଙ୍କ ଆଗୁଳା ନ ମାନି ସେମାନେ ମାଡ଼ି ଆସୁଥାନ୍ତି ପଳାଉଥିବା ମୁସଲମାନଙ୍କୁ ବାଡ଼େଇବାକୁ ।

 

ଘୋଡ଼ାରେ ଚଢ଼ିଥିବା ଚୋରା ପୁଲିସ ସାହେବଙ୍କ ଆଗରେ ହାତ ଯୋଡ଼ି ଠିଆ ହେଲାରୁ ସାହେବ ପାଞ୍ଚମିନିଟ ଘୋଡ଼ା ଅଟକାଇ ଜେଠାଙ୍କଠାରୁ ସବୁ ଶୁଣିଲେ ଓ ୫-୭ ଜଣ ବନ୍ଧୁକଧାରୀ ପୁଲିସଙ୍କୁ ହୁକୁମ କଲେ ଆମକୁ ନେଇ ରେଳରେ ଭର୍ତ୍ତି କରିଦେବାକୁ । ପୁଲିସ୍ ଘେରରେ ଆମେ ଗଲୁ । ଯେଉଁ ବଖରାରେ ଆମେ ପଶିଲୁଁ ସେଥିରେ ମଣିଷ ଚୁଣ୍ଟାଚୁଣ୍ଟି ହୋଇଥାନ୍ତି । ତଥାପି ସେମାନେ ଆମକୁ ଆଗ୍ରହରେ ଭିତରେ ପଶିବାକୁ ଦେଲେ । ଦୁଇ ଚାରିଜଣ ଭେଣ୍ଡିଆ ଲୋକ ପ୍ଲାଟ୍‍ଫର୍ମ୍‍ରୁ ପାଣି ଆଣି ପିଇବାକୁ ଦେଉଥାନ୍ତି, ଓପରକୁ ପାଣି ଫୋପାଡ଼ୁଥାନ୍ତି । ବାହାରେ ଏତେ ଶୀତ ହେଉଥିଲା, କିନ୍ତୁ ରେଳଡ଼ବା ଭିତରୁ ଗରମରେ ବାମ୍ଫ ଉଠୁଥାଏ ।

 

–ପ୍ଲାଟ୍‍ଫର୍ମ୍‍ରେ ଶହେ ପର୍ଯ୍ୟନ୍ତ ବନ୍ଧୁକଧାରୀ ପୁଲିସ ପଇଁତରା କରୁଥାନ୍ତି । ପ୍ଲାଟ୍‍ଫର୍ମ୍‍ ବାହାରେ ଗୁଡ଼ାଏ ମୁସଲମାନ ଗୁଣ୍ଡା ଜମା ହୋଇ ହୋହୋ ହେଉଥାନ୍ତି । ଗାଡ଼ି ଛାଡ଼ିବାକୁ ନେଳି ପତକା ଦେଖା ହେଲା । ଗାଡ଼ି ୧୦-୧୫ ଚକ ଯାଇଛି କି ନାଇଁ ଗୁଡ଼ୁମ୍ ଗୁଡ଼ୁମ୍ ବନ୍ଧୁକ ଫୁଟିଲା । ଗାଡ଼ି ଅଟକି ଗଲା । ପରେ ଶୁଣିଲି ବାହାରୁ ଗୁଣ୍ଡାମାନେ ଗୁଳିମାରି ଇଞ୍ଜିନ୍ ଡ୍ରାଇଭର ଓ ତାଙ୍କର ସାହାଯ୍ୟକାରୀ ଦୁଇଜଣଙ୍କୁ ମାରିଦେଲେ । ଅଧଘଣ୍ଟା ପରେ ନୂଆ ଡ୍ରାଇଭର ଆସି ଗାଡ଼ି ଚଳାଇଲା-। ପ୍ରତି କାମରାର ଦୁଆର ଆବୋରି ପୁଲିସ୍ ରହିଥାନ୍ତି ।

 

–ଲୋକ ଗହଳି ଭିତରେ ମୋତେ ନିଦ ହୋଇଗଲା । କେତେବେଳେ ଶୋଇଲି କେଜାଣି ? ଉଠିଲା ବେଳକୁ ଜେଠା ମୋ ମୁଣ୍ଡରେ ହାତ ମାରୁଥାନ୍ତି । ମୁଁ ଆଖି ମେଲାଇବାରୁ କହିଲେ, ‘ମା’, ଦିଲ୍ଲୀ ଆସି ହୋଇଗଲା । ଆମେ ଦିଲ୍ଲୀର ସବା ବଡ଼ ଷ୍ଟେସନ୍‍ରେ ଓହ୍ଲାଇବା ବୋଲି ପୁଲିସବାବୁ କହୁଛନ୍ତି । ସେଠାରେ ସମସ୍ତଙ୍କର ରହିବାକୁ ଯୋଗାଡ଼ କରିବାକୁ ତାର ହୋଇଛି । ଏଥର ଉଠ, ଓହ୍ଲାଇବାକୁ ତିଆର ହୁଅ ।’

 

–ଦିଲ୍ଲୀ ଷ୍ଟେସନ୍‍ରେ ଗାଡ଼ି ଯାଇ ପହଞ୍ଚିଲା ବେଳକୁ ସେଠାରେ ହାଣକାଟ, ଗୁଳିଗୁଳାର ଆବାଜରେ ପ୍ଲାଟ୍‍ଫର୍ମ୍ ଦୁଲୁକି ଉଠୁଥାଏ । ପୁଲିସ ଗୋଟାଏ ପାଖେ ଶାନ୍ତି ରକ୍ଷା କରି ଆର ପାଖରୁ ଗଣ୍ଡଗୋଳ ଶୁଣି ସେଆଡ଼େ ଗଲାବେଳକୁ, ଏଆଡ଼େ ପୁଣି ଗୋଳମାଳ । ହିନ୍ଦୁ ଗୁଣ୍ଡା ପଞ୍ଝେ ପ୍ଲାଟ୍‍ଫର୍ମ୍‍ରେ ପଇଁତରା ମାରି କାହାକୁ ଧମକଚମକ ଦେଉଥାନ୍ତି, କାହାକୁ ଆଶ୍ଵାସନା ଦେଉଥାନ୍ତି, କାହାର ଗଣ୍ଠିଲିପନ୍ତ୍ର ହରଣଚାଳ କରୁଥାନ୍ତି । ଡକାୟତ କଲାବେଳେ ହିନ୍ଦୁ ମୁସଲମାନର ବିଚାର ନ ଥାଏ । ଜେଠାଙ୍କ ମୁଣ୍ଡ ଉପରେ ଗୋଟାଏ ହିନ୍ଦୁ ଟୋକାର ଲାଠି ଢୁକିନି ପଡ଼ିଲା । ସେ ବସିପଡ଼ିଲେ ଓ ସାଙ୍ଗେ ସାଙ୍ଗେ ବେହୋସ ହୋଇଗଲେ । ଗୋଟାଏ ଟୋକା ମୋତେ ଭିଡ଼ି ପକାଇଲା ବେଳକୁ ଆଉ ଗୋଟେ ଭାବୀଙ୍କୁ ଟାଣି ପକାଇଲା । ଭାବୀଙ୍କର ସେତେବେଳେ କି ରଣଚଣ୍ଡୀ ମୂର୍ତ୍ତି ! ମୁଣ୍ଡରୁ ଲୁଗା ଖସି ତଳେ ଘୁଷୁରୁଥାଏ । ସେ ଟୋକାକୁ ଧରି ଭିଣିଭିଣା କରି ପକାଇଲେ । ଟୋକାଟା ତାଙ୍କ ମୁହଁକୁ ଚାହିଁ ଏପରି ଅବଶ ହୋଇଯାଇଥାଏ ଯେ, ଖାଲି କାବାହୋଇ ବାଲୁବାଲୁ ଚାହିଁଥାଏ । ଭାବୀଙ୍କ ମୁହଁଙ୍କୁ ଚାହିଁ ମୋରବି ସାହସ ଆସିଲା, ମୁଁ ଜୋରକିନି ମୁଖିଟେ ମୋତେ ଧରିଥିବା ଟୋକା ମୁହଁରେ ମାରିଦେଲି ଯେ ତା’ର ଦାନ୍ତମୂଳରୁ ରକ୍ତ ବାହାରିପଡ଼ିଲା । ପାଖରେ ଠିଆ ହୋଇଥିବା ଲୋକେ ତାଟକା ହୋଇ ଚାହିଁ ରହିଥାନ୍ତି । ପଛକୁ କ’ଣ ହୋଇଥାନ୍ତା କେଜାଣି ଏତିକିବେଳେ ଜଣେ କଳା ସାହେବ ଓ ଚାରି ପାଞ୍ଚଜଣ ପୁଲିସ ଆସି ପହଞ୍ଚିଲେ; ଜେଠାଙ୍କ ଚାରିପଟେ ଘେର କରିଦେଲେ; ଘେର ଭିତରେ ଆମେ ଦୁହେଁବି ରହିଲୁଁ ।

 

ଦକ୍ଷିଣକବାଟେ ଚା’ ଟିକିଏ ପିଇ ପାକୁଆ ପାଟିରେ ପାନ ଛେଚାଟିକିଏ ପୂରାଇ ଦୁଇ ଆଣ୍ଠୁକୁ ଦୁଇ ହାତର ବନ୍ଧନ ଭିତରେ ପୂରାଇ ବସିଥାନ୍ତି । ଘୁମାଉଥାନ୍ତି ବୋଲି ଆମେ ବିଚାରୁଥାଉଁ । ଏଇଠାରେ ସେ ହାଠାତ୍‌ ଚେଁଚାଇ ଉଠିଲେ, “ବାଃ, ଅସଲ ଛତ୍ରୀ ମାଇକିନିଆ ଦି’ପଟ । ମାଇପେ ଏଇମିତି ହେଲେ ସିନା ଇଜ୍ଜତ ରଖିବେ ! ପଢ଼ ବାବୁ, ସେଠଉ କ’ଣ ହେଲା ପଢ଼ ।”

 

ପଢ଼ା ଚାଲିଲା–

 

–ସାଙ୍ଗେ ସାଙ୍ଗେ ଡାକ୍ତରଖାନା ଗାଡ଼ି ଗୋଟେ ଆସିଲା । ଜେଠାଙ୍କୁ ତା’ ଭିତରେ ଶୁଅଇ ଆମେ ଦୁହେଁ ଦୁଇପଟ ତାଙ୍କ ଦେହକୁ ଲାଗି ବସିଥାଉଁ । ଡାକ୍ତରଖାନାରେ ଆମ ଗାଡ଼ି ପହଞ୍ଚିଲା ବେଳକୁ ସେଇ ସାହେବ ଆସି ପହଞ୍ଚିଥାନ୍ତି । ନହେଲେ ଅବା ଡାକ୍ତର ଡେରି କରିଥାନ୍ତେ । ସାଙ୍ଗେ ସାଙ୍ଗେ ଡାକ୍ତରମାଇନା ହେଲା; ଦୁଇଟା ଇଞ୍ଜେକ୍‌ସନ୍ ଦିଆହେଲା । ଜେଠା ଟିକିଏ ଆଖି ମେଲେଇ ମୋ ଆଡ଼କୁ ଚାହିଁଲେ; ଭାବୀ ଆରପଟେ ବସିଥିବାରୁ ତାଙ୍କ ଆଡ଼କୁ ମୁହଁ ବୁଲେଇ ଚାହିଁପାରୁନଥାନ୍ତି । ମୁଁ ଠାରିବାରେ ଭାବୀ ମୋ ପଟକୁ ଆସିଲେ । ଆମକୁ ଆଶୀର୍ବାଦ କଲାପରି ଜେଠା ଟିକିଏ ହାତ ଉଠାଇଲେ । ମୋତେ କହିଲେ ତାଙ୍କ ଚପକନରୁ କାଗଜ ପୁଟୁଳିକୁ ନେବାକୁ । ମୁଁ ତାକୁ କାଢ଼ି ଭାବୀଙ୍କ ହାତକୁ ବଢ଼ାଇଲା ବେଳକୁ ତାଙ୍କ ଆଖି ପଡ଼ିବାରେ ସେ ଉହୁଁ, ଉହୁଁ, କହିଲେ । ବୋହୂ ଉଲୁବୁଲୀ, ତେଣୁ ତା’ ହାତରେ କିଛି ଦାମିକା ବା ଦରକାରୀ ଜିନିଷ ଦେବା ଠିକ୍ ନୁହେଁ ବୋଲି ସେ ମୋତେ ଆଗରୁ ଥରେ କହିଥିଲେ । ମୁଁ ତାଙ୍କ ଆଦେଶ ମାନି ପୁଟୁଳିଟି ମୋର ଲୁଗା ଭିତରେ ଲୁଚାଇ ରଖିଲି । ତା’ଭିତରେ କ’ଣ ଅଛି ଜାଣିବାକୁ ମୋର ଭାରି ଇଚ୍ଛା ହେଉଥାଏ । ଜେଠା ଶୋଇବାରେ ମୁଁ ଗାଧୁଆଘରକୁ ଯାଇ ଭିତରୁ ଦୁଆର ଦେଇ ପୁଟୁଳିଟା ଫିଟାଇଲି । ଯାହା ଦେଖିଲି ସେଥିରେ ମୋ ଆଖି ଖୋସିହୋଇଗଲା । ଗଣିଲି, ଶହେ ଟଙ୍କିଆ ନୋଟ୍ ପଞ୍ଚତିରିଶ ଖଣ୍ଡ ଓ ଦଶଟଙ୍କିଆ ନୋଟ୍ ପଚାଶଟା । ଅବଦୁଲା ଚାଚା ଏତେ ଟଙ୍କା ଆମକୁ ସିମିତି ଦେଇ ଦେଲେ ! କାହିଁକି ଦେଲେ ? ଆମକୁ ସେ ଯାହା ଦେଲେ ତା’ ବଦଳରେ ସେ ପାଇବେ କ’ଣ ? ଏକଥା ମୁଁ ଓ ଭାବୀ ବହୁତ କଥାବାର୍ତ୍ତା ହେଲୁଁ । ତାଙ୍କୁ ଭଗବାନ ଏହାର ମୂଲ୍ୟ ଦେବେ ବୋଲି ଭାବୀ କହିଲେ । ଆମକୁ ଆଜି ଯେଉଁ ଦୁଃଖ ଓ ନିର୍ଯାତନା ମିଳୁଛି ତାକୁ କ’ଣ ଭଗବାନ ଦେଇଛନ୍ତି, ନା ମଣିଷ ? ଯେଉଁ ମଣିଷ ଆମକୁ ତା’ ଜୀବନର ସବୁ ସଞ୍ଚିତ ଧନ ବଢ଼େଇଦେଲା, ତା’ରି ପରି ମଣିଷ ପୁଣି ଆମକୁ ବାପ ମା’ଛେଉଣ୍ଡ, ବିଧବା ଓ ନିଃସ୍ଵ କରିଦେଇଛି !

 

–ଜେଠା ମଝିରେ ଥରେ ମାତ୍ର ଚେତା ପାଇଥିଲେ । ତା’ରି ଭିତରେ ମୋ ହାତକୁ ଟଙ୍କା ପୁଟୁଳାଟି ବଢ଼ାଇଦେଲେ, ଓ ଥଙ୍ଗେଇ ଥଙ୍ଗେଇ ଅସ୍ପଷ୍ଟ ସ୍ଵରରେ ଆମକୁ ସାନ୍ତ୍ୱନା ଦେଇ କହିଲେ, “ମା’, ଲଡ଼କି ! ତମର ସମସ୍ତେ ଯାଇଛନ୍ତି, ବାକି ରହିଛି ମୁଁ । ମୋ’ ଉପରେ ନିର୍ଭର ରଖ ନାହିଁ; ଭଗବାନଙ୍କଠାରେ ଆତ୍ମସମର୍ପଣ କର । ସେ ଦେଇଛନ୍ତି ଦୁଃଖ, ବିଚାରିଲେ ସେଇ ପୁଣି ତୁମକୁ ଶାନ୍ତି ଦେବେ ।”

 

–ଏକଥା ଶୁଣି ଆମର ମନରେ ଘୋର ଆତଙ୍କ ଆସିଲା । ଭାବୀଙ୍କ ସଙ୍ଗେ ପରାମର୍ଶ କରି ମୋର ଅଣ୍ଟାରେ ବାନ୍ଧି ଲୁଚାଇ ରଖିଥିବା ଟଙ୍କାରୁ ଗୋଟିଏ ଶହେ ଟଙ୍କିଆ ନୋଟ୍ କାଢ଼ି ଜେଠାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଏକାନ୍ତରେ ଦେଲୁଁ ଓ ଓଷୁଅ ପତ୍ର ଜେଠାଙ୍କୁ ଦେଇ କୌଣସିମତେ ରୋଗମୁକ୍ତ କରିବାକୁ ନେହୁରା ହେଲୁ ।

 

–ସେ ‘ଥାଉ, ଥାଉ ଟଙ୍କାର ପ୍ରୟୋଜନ ନାହିଁ’ ବୋଲି କହି ନୋଟ୍ ଖଣ୍ଡିକ ପକେଟରେ ରଖୁ ରଖୁ କହିଲେ, “ୟାଙ୍କପାଇଁ ଯାହା ଓଷୁଅ ଦରକାର, ମୁଁ ତା’ର ବ୍ୟବସ୍ଥା କରୁଛି । ଆଉ ଯାହା ଦରକାର ତାହା ବଡ଼ ସାହେବ, ଆମ ଏଠାର ଡେପୁଟି କମିଶନର୍ ଦେଉଛନ୍ତି । ପ୍ରତିଦିନ ସେ ଦୁଇ ତିନି ଥର ଟେଲିଫୋନ୍‌ କରୁଛନ୍ତି ଓ ଥରେ ତ ଆସି ନିଜେ ଦେଖିଯାଉଛନ୍ତି, ତୁମେ ଜାଣ । ତୁମମାନଙ୍କଠାରେ ତାଙ୍କର ଖୁବ୍ ଶ୍ରଦ୍ଧା । ତୁମଠାରୁ ମୁଁ ପଇସା ରଖିଲି ବୋଲି ଜାଣିଲେ ମୋର ଚାକିରି ଯିବ ।”

 

ଡାକ୍ତରବାବୁ ଯେଉଁ ସାହେବଙ୍କ କଥା କହିଲେ ସେ ରେଳର ପ୍ଲାଟ୍‍ଫର୍ମ୍‍ରେ ଆମକୁ ଦେଖିବାଦିନୁଁ ନିୟମିତ ଆମର ଖବର ରଖୁଥାନ୍ତି । ତାଙ୍କ ଘରକୁ ଯିବାକୁ ଆମକୁ ଦୁଇ ଚାରି ଥର ଡାକିଥାନ୍ତି ମଧ୍ୟ । ସେ ଆମକୁ ପ୍ରତିଶ୍ରୁତି ଦେଇଥାନ୍ତି ଯେ, ଜେଠା ଭଲ ହୋଇଗଲା ପରେ ସେ ଆମପାଇଁ ଗୋଟିଏ ଘର ବନ୍ଦୋବସ୍ତ କରିଦେବେ ଓ ସରକାରରୁ ସାହାଯ୍ୟ କରାଇଦେବେ । ଜେଠା ଡାକ୍ତରଖାନାରୁ ନ ଉଠିବା ପର୍ଯ୍ୟନ୍ତ ଆମେ ତାଙ୍କ ଖଟପାଖରୁ ଆଉ କୁଆଡ଼େ ଯିବୁ ନାହିଁ ବୋଲି କହିବାରୁ ସେ ଆମପାଇଁ ଖାନା ଅଣାଇଦେବାର ବନ୍ଦୋବସ୍ତ କରିଦେଇଥାନ୍ତି । ତାଙ୍କୁ ତୁଣ୍ଡ ଫିଟାଇ କିଛି କହିବାକୁ ମୋର ସାହସ ହେଉ ନ ଥାଏ । ଭାବୀ ତ କାହା ଆଡ଼କୁ ଟେକି ଚାହିଁନଥାନ୍ତି, କିନ୍ତୁ ଆମ ଦୁହିଁଙ୍କ ହୃଦୟରେ ତାଙ୍କପ୍ରତି ଗଭୀର କୃତଜ୍ଞତା ଥାଏ । ଏଡ଼େ ବଡ଼ଲୋକ, ଆମ ପ୍ରତି ତାଙ୍କର ଏତେ ଶ୍ରଦ୍ଧା ! ତାଙ୍କ ତୁଳନାରେ ଆମେ କେଡ଼େ ଛାର !

 

–କ୍ରମେ ତାଙ୍କ ବ୍ୟବହାର ଆମକୁ କିମିତି ଲାଗିଲା । ପ୍ରତିଦିନ ସନ୍ଧ୍ୟାରେ ସେ ଜେଠାଙ୍କ ଖଟିଆ ପାଖକୁ ଆସନ୍ତି, ସେଠାରେ ଅଧଘଣ୍ଟେ ଖଣ୍ଡେ ବସି ଏଣୁତେଣୁ କେତେ କଥା କହନ୍ତି । କିନ୍ତୁ ସେଇ ଖଟିଆ ପାଖରେ ଜେଠାଙ୍କ ପରି କେତେ ରୋଗୀ ପଡ଼ିଥାନ୍ତି, ତାଙ୍କ ପାଖକୁ ଟିକିଏ ହେଲେ ଯାନ୍ତି ନାହିଁ, ଚାହାନ୍ତିବି ନାହିଁ । ଏହା ଦେଖି ନର୍ସମାନେ ଆମକୁ ଥଟ୍ଟା କରିବାକୁ ଆରମ୍ଭ କଲେ । ଅସହଣି ଲୋକଙ୍କର ଏ ଥଟ୍ଟାରେ ଆମେ ବିବ୍ରତ ହୋଇନଥାନ୍ତୁ । ସାହେବ ସବୁବେଳେ ମୋ ଆଡ଼କୁ କଡ଼େଇ କଡ଼େଇ ଚାହିଁବାକୁ ମୋତେ ଭାରି ଅଡ଼ୁଆ ଲାଗୁଥାଏ । ଭାବୀ ତାଙ୍କର ଏ ରୀତି ଲକ୍ଷ୍ୟ କରି ଥରେ ମୋତେ କହିଲେ, “ତାରା ! ଏ ଲୋକଟା ଭଲ ବୋଲି ଆମେ ଭୁଲ୍‍ରେ ବିଚାରୁଥିଲେ, ଏଇଟା ଖରାପ ଲୋକ । ଏ ଆମର ମଙ୍ଗଳ କାମନା କରୁନାହିଁ ।” ଭାବୀଙ୍କର ଏ କଥାକୁ ମୁଁ ସେତେବେଳେ ଗରୁକରି ଧରି ନଥିଲି । ଭାବୀ ବେଳେବେଳେ ବାୟାଣୀ ପରି କଥାବାର୍ତ୍ତା ହେଉଥାନ୍ତି ।

 

–ଏହାର ତିନି ଚାରିଦିନ ପରେ ଜେଠାଙ୍କ ଅବସ୍ଥା ବେଶି ଖରାପ ହୋଇଗଲା । ଡାକ୍ତରଙ୍କୁ ଆମେ ବହୁତ ନେହୁରା ହେଲୁ, ଆହୁରି ଟଙ୍କା ଯାଚିଲୁ । ସେ ଆମକୁ କିଛି ନ କହି ଚାଲିଗଲେ । ଜେଠାଙ୍କ ଭାରରେ ଥିବା ନର୍ସ ମୋତେ ଡାକି ତୁନି କରି କହିଲା, ‘ଏ ଡାକ୍ତରକୁ ପଇସାଟିଏବି ଦିଅ ନାଇଁ । ୟେ ଡାକ୍ତର ନୁହେଁ, କଂସେଇ । ବଡ଼ ସାହେବର କଥାରେ ପଡ଼ି ସେ ଯାହା କରୁଛି, ସେଥିପାଇଁ ଏଠେଇ ସିନା କେହି କିଛି କରି ପାରିବେ ନାଇଁ । ଆରପୁରରେ ୟାକୁ ବାସ ମିଳିବ ନାଇଁ ।’ ମୁଁ ଏ କଥାର ମର୍ମ ସେତେବେଳେ ବୁଝିପାରି ନଥିଲି ।

 

(୯)

 

ତତ୍‌ପରଦିନ ତାରାର ବୃତ୍ତାନ୍ତ ପଢ଼ିବାକୁ ମୁଁ ପ୍ରସ୍ତୁତ ହେବାର ଅଧଘଣ୍ଟାକ ଆଗରୁ ଦକ୍ଷିଣକବାଟେ ଆସି ଦୁଆରେ ବସିଥାନ୍ତି । ଦାସେ ଓ ମୁଁ ଘରୁ ବାହାରିବାମାତ୍ରେ ସେ ସମ୍ଭାଷଣ ଆରମ୍ଭ କଲେ, “ନମସ୍କାର ଦାସେ ଆପଣେ, ନମସ୍କାର କୁଳୁଆଁବାବୁ ! କାଲିର ସେଇ ପୁରାଣ ଶୁଣିବାପାଇଁ ମୁଁ ଶୋଇକରି ଉଠିଲା ସଙ୍ଗେ ସଙ୍ଗେ ଆସିଛି । ଜାଣିଲେ ! କାଲି ରାତିରେ, ଆଜି ଦିପହରେ, ମୁଁ ଖାଲି ସେଇ କଥା ସପନ ଦେଖୁଛି । ସତେ କ’ଣ ଏମିତି ହୋଇଥିଲା ? ଆମ ଗାଁରେ ତ ଆମେ ଶହ ଶହ ବର୍ଷ ହେଲା ପଠାଣଙ୍କ ସଙ୍ଗେ ରହିଥାଇଁ । ପାଇକ ମେଳିବେଳେ ତ ମୁସଲମାନ ଆମ ପଣଗୋସିଁ ବାପଙ୍କୁ ଧରେଇଦେଇ ନଥିଲେ ! ଧରେଇଥିଲେ ଆମ ନିଜ ଲୋକେ-। ଇମାନ୍‌କୁ ଜଗି, ନିମକ୍‍କୁ ମନେପକାଇ ସେମାନେ ଆମ ପଣଗୋସିଁ ବାପଙ୍କୁ ଥରେ ହାଣମୁହଁରୁ ରକ୍ଷା କରିଥିଲେ । ଶୁଣିଛଟି, ଦାସେ ! ତମ ପଣଗୋସିଁ ବାପେ, ଆମ ପଣଗୋସିଁ ବାପେ, ଏମିତି ବିଶାଶହେ ଜଣ ପାଇକମେଳିବେଳେ ଏକାଦିନକେ ଫାଶୀଦିଆବରରେ କେମିତି ଫାଶୀପାଇଥିଲେ-। ୟାଙ୍କ ଭିତରେ ଆମ ଇସାଦ୍ ଖାଁର ପଣଗୋସିଁ ବାପବି ଥିଲା ! ସେଇକଥା ମୋର ଗଲା ଚାରିପହର ହେଲା ଖାଲି ମନେ ପଡ଼ୁଛି । ହଇଏ, ସେଗୁଡ଼ାକ ପରା ଆମର ନିଜ ଲୋକ; କେତେବେଳେ କିମିତି ପଠାଣ ସୁବେଦାରର ନୌକରି କରି ଜାତିଜାମ୍ ହୋଇଥିଲେ-। ସେ ଦେଶରେ ଟିକିଏ ରକ୍ତର ଟାଣ ରହିଲା ନାହିଁ, ଟିକିଏ ମୁହମତ ମୁଲଇଜା ରହିଲା ନାହିଁ ! ହଉ, ହଉ, ସେଠଉ କ’ଣ ହେଲା କହିବଟି । ବୁଢ଼ାଟାକୁ କ’ଣ ପୋଡ଼ପାଡ଼ ଡାକ୍ତର ମାରିଦେଲା ?”

 

ମହାପାତ୍ରେ ଓ ନାୟକେ ଆସିବାକୁ ଅପେକ୍ଷା କରି ରହିବା ଅବସରରେ ଦାସେ ମୋତେ ପାଇକ ବିଦ୍ରୋହ କଥା ଓ ଦକ୍ଷିଣକବାଟଙ୍କୁ ଭାରତ ବିଭାଗ ବେଳର ହିନ୍ଦୁ ମୁସଲମାନ ଦଙ୍ଗା କଥା କହୁଥାନ୍ତି । ମହାପାତ୍ରେ ଆସିଲେ ସବାଶେଷକୁ । ସେ ପାହାଚ ଉଠିଲାମାତ୍ରେ ଆଗରୁ ଆସି ପହଞ୍ଚିଥିବା ବାହିନୀପତି ଓ ନାୟକେ ଏକ ସ୍ଵରରେ କହିଲେ, “ମହାପାତ୍ରେ ! ତମର ଗରହାଜିର ପଡ଼ିଲାଣି । ଏ କଥା ସରିଲେ ତୁମ ଜୋରିମାନା ଦାଖଲ କରିବ ।” ମହାପାତ୍ରେ ଉତ୍ତର ଦେବା ଆଗରୁ ମୁଁ ଆରମ୍ଭ କଲି–

 

“ଜେଠା ବେହୋସ ହୋଇ ତିନିଦିନ କାଳ ଖଟିଆରେ ପଡ଼ି ରହିଲେ । ଆମେ ତାଙ୍କ ମୁହଁଙ୍କୁ ଚାହିଁ ରହିଥାଉ । ଭାବୀ ତାଙ୍କ ଗୋଡ଼ ପାଖେ ବସି ପାଦ ମଚାଳୁଥାନ୍ତି । ମୁଁ ମୁଣ୍ଡ ପାଖେ ବସି କେତେବେଳେ ତାଙ୍କ ନାକ ଆଗରେ ହାତ ରଖୁଥାଏ, କେତେବେଳେ ମୁହଁ ପଣତ କାନିରେ ପୋଛିଦେଉଥାଏ, କେତେବେଳେ ତାଙ୍କ ହାତର ନାଡ଼ିରେ ଟିପ ଦେଉଥାଏ । ତାଙ୍କ ଦେହରେ ଉଷୁମ ଥାଏ, ନାଡ଼ିର ଗତିବି ବାରି ହେଉଥାଏ, ନାକର ନିଃଶ୍ୱାସ ହାତକୁ ଜଣାଯାଉଥାଏ ।

 

“ସାହେବ ପ୍ରତିଦିନ ସନ୍ଧ୍ୟାବେଳେ ଆସନ୍ତି; ସେ ଆସିଲାବେଳେ ଡାକ୍ତରବି ଆସନ୍ତି, ଦିହେଁ କ’ଣ କଥାବାର୍ତ୍ତା ହୁଅନ୍ତି, ଡାକ୍ତର ଗୋଟେ ଇଞ୍ଜେକ୍‍ସନ୍ ଦିଏ । ଆଉ ଅନ୍ୟ ସମୟରେ ଡାକ୍ତର ଆଦୌ ଆସନ୍ତି ନାହିଁ । ନର୍ସଟି ମାତ୍ର କେତେବେଳେ ପାଖ ଛାଡ଼େ ନାହିଁ । ଆମଠାରେ ତା’ର କେମିତି ଗୋଟାଏ ମାୟା ଲାଗିଥାଏ । ଦିନେ ମୁଁ ତା’କୁ କହିଲି, ‘ମା’ ! ଏ ଡାକ୍ତରକୁ ଆମର ସନ୍ଦେହ ହେଉଛି । ତମେ ଟଙ୍କା ନିଅ, ଆଉ ଭଲ ଓଷୁଅ କିଣିଦେବାର ବନ୍ଦୋବସ୍ତ କର ।’

 

“ସେ ଉତ୍ତର ଦେଲେ, ‘ନାଇଁଲୋ ମା’ ! ସେ କଥା କରିବାକୁ ମୋର ଜୁ ନାଇଁ । ହେଇଟି ପରା ଓଷୁଅ ତାଲିକା । ୟାଙ୍କୁ ଯୁ ଓଷୁଅ ଦିଆହେଉଚି, ତା’ ଠାରୁ ଭଲ ଓଷୁଅ ବଜାରରେ ମିଳିବ କୁଆଡ଼ୁ ? ମୁଁ ପଚିଶବର୍ଷ ହେଲା ଏ କାମ କଲିଣି । ଏ ଓଷୁଅ ବୋଲି କରୁନାଇଁ ଦେଖି ମୁଁ ତାଜୁବ ହେଉଚି । ବାଡ଼ିପଡ଼ା ସାଇବ, ଆସିଲାବେଳେ ଯୋଉ ଇଞ୍ଜେକ୍‍ସନ୍‍ଟା ଦେଉଚି ତାକୁଇ ମୋର ଭୟ । ଇଞ୍ଜେକ୍‍ସନ୍ ସିରିଞ୍ଜ୍‍ଟା ମୋ ହାତକୁ ଦିଅନ୍ତା କି ? ସିଆଡ଼ୁ ଓଷୁଅ ପୂରାଇ ଆଣୁଚି, ଇଞ୍ଜେକ୍‍ସନ୍ ଦେଇ ସାରିଲେ ସିରିଞ୍ଜ୍‍ଟା ଆପେ ନେଇଯାଉଚି । କିଛି କହିବାକୁ ସାହସ ହେଉ ନାଇଁଲୋ ମା’ ! ସାଇବଟା ପରା ଆମ ଏ ଦିଲ୍ଲୀର ସବା ବଡ଼ ସାଇବ । ତା’ରି ହାତରେ ଆମ ଚାକିରି, ତା’ରି ହାତରେ ଆମ ପ୍ରାଣ ।’

 

“ତୃତୀୟ ଦିନ ସନ୍ଧ୍ୟାରେ ଡାକ୍ତର ଜେଠାଙ୍କ ଦେହରେ ଇଞ୍ଜେକ୍‍ସନ୍ ଫୋଡ଼ିବାବେଳେ ମୁଁ ଆପତ୍ତି କଲି, ‘ଫଳ ତ କିଛି ନାହିଁ, ଇଞ୍ଜେକ୍‍ସନ୍ ଦେବା ଦରକାର କ’ଣ ?” ଭାବୀ କହିଥାନ୍ତି, ‘ଇଞ୍ଜେକ୍‍ସନ୍ ଦେବାର ପହରେ ପର୍ଯ୍ୟନ୍ତ ପାଦ ଭାରି କାଲୁଆ ହୋଇଯାଉଚି । ପୁଣି ଆସ୍ତେ ଆସ୍ତେ ଉଷୁମ ଆସୁଛି ।’ ନର୍ସ କହିଥାଏ, ‘ଇଞ୍ଜେକ୍‍ସନ୍‍ଟା କ’ଣ ରୋଗୀର କାର୍ଡ଼ରେ କାହିଁକି ଲେଖାହେଉନାଇଁ’ ବୋଲି ପଚାରିବ । ମୁଁ କଥା ପଦକ କହିବାମାତ୍ରେ ଡାକ୍ତର ମୋତେ ମିଶି ଆସିଲା । ସାହେବ ମୋ ପିଠି ଉପରେ ହାତ ପକାଇ କହିଲେ, ‘ତୁମେ ଚିନ୍ତା କରିବାର କାରଣ ନାଇଁ, ମୁଁ ସବୁ କଥା ନିଜେ ବୁଝି କରାଉଛି । ଡାକ୍ତର ଆମପାଇଁ ଯେପରି ଖଟୁଛନ୍ତି, ସେଥିସକାଶ ତାଙ୍କଠାରେ ଆମେ କୃତଜ୍ଞ ହେବା କଥା ।’

 

“ସେ ଏପର୍ଯ୍ୟନ୍ତ ମୋ ଦେହରେ ହାତ ମାରି ନଥିଲେ । ମୋ’ ଦେହ ଶୀତେଇ ଗଲା । ମୁଁ ସନ୍ତର୍ପଣରେ ଦି’ହାତ ଘୁଞ୍ଚିଗଲି । ଭାବୀ ରାଗରେ ତମତମ ହୋଇ ତାଙ୍କ ଆଡ଼କୁ ଦଣ୍ଡେ ଚାହିଁ ରହିଲେ । ଡାକ୍ତର ସବୁଦିନ ପରି ଇଞ୍ଜେକ୍‍ସନ୍ ଦେଲେ । ଗଲାବେଳେ ନର୍ସକୁ କହିଲେ, ‘ଆଜି ରାତିକ ପରୀକ୍ଷାର ସମୟ । ସାବଧାନ ରହିବ । ଯଦି ଅବସ୍ଥା ଖରାପ ହେବାର ଦେଖିବ ମୋତେ ସାଥେସାଥେ ଟେଲିଫୋନ୍ କରିବ । କାଲି ସକାଳ ଯାଏଁ ଯଦି ରୋଗୀ ଥକିଯାଏ, ତେବେ ଆଉ ଚିନ୍ତା ନାହିଁ ।’

 

“ସେ ଦିନର ରାତି ପାହିଲା ନାହିଁ । ପାହାନ୍ତିଆ ପହରକୁ ଜେଠାଙ୍କ ଦେହ କାଲୁଆ ହୋଇଗଲା । ନିଃଶ୍ଵାସ ପ୍ରଶ୍ଵାସର ଗତି ବାରି ପାରିଲି ନାହିଁ । ମୁହଁ କିମିତି ବିଭଙ୍ଗ ହୋଇଗଲା । ଭାବୀ କାବା ହୋଇ ଚାହିଁ ରହିଥାନ୍ତି । ମୁଁ ନର୍ସଙ୍କ ପାଖକୁ ଦଉଡ଼ି ଯାଇ ଡାକ୍ତରଙ୍କୁ ଡକାଇବାକୁ କହିଲି । ସେ ଯିବାକୁ ଉଠୁ ଉଠୁ କହିଲେ, ତାକୁ ଡାକି ଲାଭ ନାଇଁଲୋ ମା’ ! ସେ ତ ଏ କାଣ୍ଡ କରିଚି । ତାକୁ ଡାକିବା ବ୍ୟତୀତ ମୋର ଚାରା ନାହିଁ । ସେ ଏ ହାସପାତାଳର ବଡ଼ ଡାକ୍ତର ନ ହୋଇଥାନ୍ତା କି, ବଡ଼ ସାହେବ ୟା ଭିତରେ ନ ଥାନ୍ତେ କି ଦେଖନ୍ତୁ, ଲଳିତା ନର୍ସର କରାମତି ! ୟେ ଡାକ୍ତର ଫାଶୀକାଠରେ ଚଢ଼ିଥାନ୍ତା ।’

 

“ଡାକ୍ତର ଆସିଲେ, ଟିକିଏ ଛାତି ପରୀକ୍ଷା କରି ରୋଗୀ କାର୍ଡ଼ରେ ଗୋଟାଏ ନାଲି ଛକ ପକାଇ ବାହାରି ଗଲା ବେଳକୁ ମୁଁ ତାଙ୍କ ପଛେ ପଛେ ଗୋଡ଼ାଇ କହିଲି ‘ବାବୁ, ଜେଠାଙ୍କପାଇଁ ଆଉ କିଛି କରାଯାଇପାରିବ ନାହିଁ ? ଆମର ସେ ଏକମାତ୍ର ଆଶ୍ରୟ ।’ ନିର୍ମମ ଭାବରେ ସେ କହିଲେ, ‘ଯାହା କରାଯାଇପାରନ୍ତା, ସବୁ କରାହୋଇଛି । ଆଉ ମୋ ହାତରେ କ’ଣ ହେଇପାରେ ? ସାହେବଙ୍କୁ ଟେଲିଫୋନ୍‌ କରୁଛି, ବାକି କଥା ସେ ବୁଝିବେ । ତୁମର ଭାଗ୍ୟ, ତୁମର ଭାର ନେବାକୁ ଦିଲ୍ଲୀର ସର୍ବଶ୍ରେଷ୍ଠ ବ୍ୟକ୍ତି ଅଛନ୍ତି ।’

 

“ମୁଁ ତାଙ୍କ ପାଖରେ ଠିଆ ହୋଇଛି ସେ ଟେଲିଫୋନ୍‌ କଲେ । ସେ ଆଡ଼ୁ ଅଟ୍ଟହାସ୍ୟର ଶବ୍ଦ ଶୁଣାଗଲା । ମୋର ରୋମ ଟାଙ୍କୁରି ଗଲା । ନର୍ସ ଯାହା କହୁଥିଲା ତାହା ତେବେ ସତ ? ମୋ ଜେଠାଙ୍କୁ ଜାଣି ଜାଣି ମାରିଦିଆଯାଇଛି ତେବେ ? ଭାରି ରାଗ ଲାଗିଲା । କିନ୍ତୁ ମାଇକିନିଆଙ୍କ ରାଗରେ ଫଳ କ’ଣ ? କାନ୍ଦି କାନ୍ଦି ଖଟିଆ ପାଖକୁ ଫେରିଲି । ଭାବୀଙ୍କ ଆଖିରୁ ଲୁହ ବାହାରୁ ନ ଥାଏ । ସେ କାବଡ଼ା ପରି ବାଲୁବାଲୁ କରି ଚାହୁଁ ଥାନ୍ତି ।

 

“ଦିପହରକୁ ସବୁ ଶେଷ । ମୋର ଆପତ୍ତି ସତ୍ତ୍ଵେ ମ୍ୟୁନିସିପାଲଟି ମେହନ୍ତର ଜେଠାଙ୍କୁ ଘେନିଗଲେ । ସାହେବ କହିଲେ, ‘ନିଜର ଜାତି ଲୋକ ପାଇବା ବର୍ତ୍ତମାନ ପରିସ୍ଥିତିରେ ମୁସ୍କିଲ୍ । ସବୁବେଳେ ହାଣକାଟ ଲାଗିଛି । କାଲି ହିନ୍ଦୁ ମରିଛନ୍ତି ପ୍ରାୟ ଚାରିଶହ । ସମସ୍ତଙ୍କୁ ଦାହ କରାଇବା କାଠିକର ପାଠ ହେଲାଣି । ସ୍ୱଜାତି ମଡ଼ାସାଙ୍ଗିଆ ମିଳିବା ଅସମ୍ଭବ ।’

 

“ଜେଠା ଚାଲିଗଲେ । ଭାବୀଙ୍କୁ ଧରି କୁଆଡ଼େ ଯିବି କିଛି ଠିକଣା କରି ପାରୁ ନ ଥାଏ । ନର୍ସକୁ କହିଲି । ସେ କହିଲେ, ‘ମା’ ! ତୋ ଭାଉଜ କଥା ତ ଏଇଲେ ହେଲାଣି ବଡ଼ ଗହନ । ସେ ବାଇଆଣୀ ହୋଇଗଲା ପରି ଲାଗୁଛି । ତାକୁ ଡାକ୍ତରଖାନାରେ ରଖେଇ ଦେବା । ତୁ ଆ ମୋ ଘରେ ରହିବୁ । କିନ୍ତୁ ସେ ବାଡ଼ିପଡ଼ା ସାହେବ କ’ଣ ତୋତେ ମୋ ପାଖେ ରଖେଇଦେବ ? ତୋରି ଏଇ ପୋଡ଼ା ରୂପ ଯୋଗୁଁ ବାଡ଼ିପଡ଼ା ଫି ଦିନ ଧାଇଁଛି ପରା !’

 

“ମୋ ମୁଣ୍ଡ ଘୂରିଗଲା । ମନ ହେଲା, ଜହର ଟିକିଏ ପାଇଲେ ଖାଇଦିଅନ୍ତି । ମୋ ମା’ ଠାରୁ ଶୁଣିଲି, ପୂର୍ବେ ମାଇକିନିଆମାନେ ହୀରାବସା ମୁଦି ପିନ୍ଧୁ ଥିଲେ । ଇଜ୍ଜତ ଉପରେ ଆଞ୍ଚ ଆସିଲେ ତାକୁଇ ଚୁଚୁମି ସଂସାରରୁ ଉଦ୍ଧାର ପାଉଥିଲେ । ନର୍ସକୁ କହିଲି, ‘ମୋ ପାଖେ ବହୁତ ଟଙ୍କା ଅଛି, ସବୁ ନେଇ ମୋତେ ଟିକିଏ କ’ଣ ଦିଅ, ମୁଁ ପାଖରେ ସମ୍ପତ୍ତି କରି ରଖିବି ।’

 

“ନର୍ସ କହିଲେ, ‘ଛି, ମା’ ! ଆତ୍ମହତ୍ୟା ମହାପାପ, ମଣିଷ ମାରିବାଠାରୁବି ଅଧିକ । ସଂସାରକୁ ଡରି ଯଦି ନିଜର ଜୀବନ ନେବୁ, ତେବେ ମଣିଷ ଜୀବନ ପାଇଥିଲୁ କାହିଁକି ? ମନରେ ସାହସ ରଖ, ଦମ୍ଭ ରଖ, କେହି କିଛି କରି ପାରିବେ ନାଇଁ । ମୋ ବଅସବେଳେ ମୋ ସାଙ୍ଗେବି ପଞ୍ଝେ ଲାଗିଥିଲେ । ମୋ ନାଲିଆଖି ଦେଖି ସମସ୍ତେ କିଏ କୁଆଡ଼େ ଲସିଗଲେ । ଦିହକୁ ଟାଣ କର ମା’, ଈଶ୍ଵର ଅନୁଗ୍ରହରେ ସବୁ ଠିକ୍ ହୋଇଯିବ । ହଁ, ଠିକ୍ ଯଦି ହେବାର ଥିବ ହେବ, ନଥିଲେ କିଏ କାହାକୁ ରଖିପାରିବ ।’

 

“ଭାବୀ ଡାକ୍ତରଖାନାରେ ରହିଲେ । ନର୍ସଙ୍କ ଘରେ ପୁଞ୍ଜିଏ ଖାଇ ଦିନ ତମାମ ଭାବୀଙ୍କ ଖଟିଆ ପାଖରେ ବସିଥାଏ । ତାଙ୍କର କୌଣସି ସାହାଯ୍ୟ କେତେବେଳେ ଦରକାର ହୁଏ ନାହିଁ । ସେ ଖାଲି କଡ଼ି ଉପରେ ଆଖି ରଖି ପଡ଼ିଥାନ୍ତି । ଖୁଆଇଲେ ଗୁଣ୍ଡେ ଖାଆନ୍ତି । ବେଶି ବଳେଇଲେ ଦାନ୍ତକୁ ଏପରି ଚିପିଦିଅନ୍ତି ଯେ ମେଲେଇବା ମୁସ୍କିଲ୍‌ ହୋଇଯାଏ । ଡାକ୍ତରବାବୁ ମଝିରେ ମଝିରେ ଆସି ଟିକିଏ ଚାହିଁ ଦେଇ ମୁଣ୍ଡ ହଲାଇ ଚାଲିଯାଉଥାନ୍ତି । ସାତଦିନ ପରେ ଦିନେ ମୋତେ କହିଲେ, ‘ଏ ରୋଗୀକୁ ଏଠାରେ ରଖିବା ଅକାରଣ । ମୁଁ ବିଚାରୁଛି ପାଗଳଖାନାକୁ ୟାଙ୍କୁ ପଠାଇଦେଲେ ଭଲ ହେବ । ତୁମେବି ଏଠାରେ ବୃଥାରେ ସମୟ ନଷ୍ଟ କରୁଛ । ତୁମ ବିଷୟ ସାହେବ କାଲି ପଚାରୁଥିଲେ । ତୁମର ବସବାସ ପାଇଁ ସେ ଭଲ ବନ୍ଦୋବସ୍ତ କରିଦେବାକୁ ଚାହାନ୍ତି । ପୁଣି ମୁଁ ଶୁଣୁଛି ତୁମେ ନର୍ସ କ୍ଵାଟର୍‍ରେ ରହୁଛ । ବାହାର ଲୋକ ସେଠାରେ ରହିବା ବେଆଇନ । ସେଠାରୁ ନ ଗଲେ ବିଚାରୀ ନର୍ସର ଚାକିରି ଯାଇପାରେ ।’

 

“ଭାବୀଙ୍କପାଇଁ ଚିନ୍ତା ଅପେକ୍ଷା ନର୍ସଙ୍କପାଇଁ ମୋର ଚିନ୍ତା ବଳିପଡ଼ିଲା । ବିଚାରୀ ମୋର ଭଲମନ୍ଦ ଖୁବ୍ ବୁଝନ୍ତି । ପଇସା ଯାଚିଲେ କୁଦର୍ଥ ନେବାକୁ ରାଜି ହୁଅନ୍ତି ନାଇଁ । ଶହେ ଟଙ୍କିଆ ନୋଟ୍ ଖଣ୍ଡେ ଦିନେ ରାଣନିୟମ ପକାଇ ତାଙ୍କୁ ଦେଇଥିଲି । ସେ କହିଲେ, “ଆଲୋ ଅଭାଗୀ ! ତୋର ତ ସବୁ ଯାଇଛି, ଏ ଟଙ୍କା ପୁଞ୍ଜାକ ରଖିଥା । ତୋ ଭାବୀପାଇଁ କ’ଣ ଦରକାର ହେବ କେଜାଣି ? ମୋର ତ ଗୋଡ଼ହାତ ଚାଲିଛି, ପେଟ ବୋଇଲେ ଚାଖଣ୍ଡେ । ମୋର ଅଭାବ ବୋଇଲେ କିଛି ନାହିଁ । ତୁ ପୁଞ୍ଜେ ଖାଉଛୁ ବୋଲି ମୁଁ ପଇସା ନେବି ?” ମୁଁ ବହୁତ ଲଗାଇବାରୁ ସେ ପଇସା ରଖିଥିଲେ ।

 

“ସେ ଦିନ ରାତିରେ ସେ ମୋତେ କହିଲେ, ‘ଆଲୋ ମା’ ! ସେ ବାଡ଼ିପଡ଼ା ସାହେବ ପୁଣି ତୋ ସଙ୍ଗେ ଲାଗିଲାଣି । ଆଜି ଡାକ୍ତର ମୋତେ ଧମକେଇଲା, ତୁ ଯଦି ମୋ ଘରେ ରହୁ ସେ ମୋ’ ନାଁରେ ରିପୋର୍ଟ କରିବ । ମୁଁ କହିଦେଇଛି, ରିପୋର୍ଟ କର । ଚାଖଣ୍ଡେ ବୋଲି ପେଟକୁ ମୁଁ ଏତେ ଡରିବି କାହିଁକି ଯେ ?’

 

“ମୋତେ କିନ୍ତୁ ଭାରି ଡର ମାଡ଼ିଲା । ମୋ ଯୋଗୁଁ ସେ କାହିଁକି ହଇରାଣ ହେବେ ? ରାତି ପାଇବା ପୂର୍ବରୁ କୁଆଡ଼େ ପଳାଇବି ବୋଲି ମନେମନେ ସ୍ଥିର କଲି । ପୁଣି ବିଚାରିଲି, ଭାବୀଙ୍କୁ ଛାଡ଼ି ଯିବି କିମିତି ?

 

“ତହିଁ ଆରଦିନ ସକାଳେ ଡାକ୍ତର ବରାଦ କରିଦେଲେ, ଭାବୀ ପାଗଳଗାରଦକୁ ଯିବେ । ମୁଁ ଆପତ୍ତି କଲି । ସେ କହିଲେ, ‘ତୁମେ ତାଙ୍କର କେହି ନୁହ । ତାଙ୍କର ନିଜ ଲୋକ, ଶଶୁର ବା ସ୍ୱାମୀ ଥିଲେ, ତାଙ୍କର ଆପତ୍ତି ହୁଏତ ଶୁଣାଯା’ନ୍ତା । ବର୍ତ୍ତମାନ ତୁମର ଓ ତାଙ୍କର ଅଭିଭାବକ ସରକାର, ଅର୍ଥାତ୍ ଡେପୁଟି କମିଶନର ସାହେବ । ତାଙ୍କୁ ଜଣାଇ ମୁଁ ପାଗଳଗାରଦରେ ସିଟ୍ କରାଇଛି । ତୁମେ ୟାଙ୍କର ଆପଣାର ଲୋକ ହୋଇଥିଲେ, ଆପତ୍ତି କରିବା ପରିବର୍ତ୍ତେ ୟାଙ୍କପାଇଁ ପାଗଳଗାରଦରେ ସିଟ୍ କରାଇବାକୁ ଅନୁରୋଧ କରନ୍ତ । ତୁମେ ପିଲା ଲୋକ, ପାଗଳାମି ବିଷୟରେ କିଛି ଜାଣ ନାହିଁ ବୋଲି ଆପତ୍ତି କରୁଛ । ସାହେବ ଓପରଓଳି ଆସିବେ ବୋଲି କହିଛନ୍ତି-। ତାଙ୍କ ସଙ୍ଗେ କଥାବାର୍ତ୍ତା ହୋଇ ଯାହା କରିବା ।’

 

“ସାହେବ ଆସିଲେ ଓ ପୁଣି ମୋ ପିଠିରେ ହାତ ପକାଇ ମୋତେ ବୁଝାଇ ବସିଲେ । ମୁଁ ଲାଜ ଓ ବିତୃଷ୍ଣାରେ ଲସି ଯାଉଥାଏ । ସେ କହିଲେ, ‘ତୁମର ମଙ୍ଗଳପାଇଁ ମୁଁ ବ୍ୟବସ୍ଥା କରୁଛି । ଡାକ୍ତରଙ୍କ ପରାମର୍ଶ, ରୋଗିଣୀକୁ ପାଗଳଗାରଦକୁ ନେବା ବ୍ୟତୀତ ଅନ୍ୟ ବାଟ ନାହିଁ । ସେଠାରେ ସୁଚିକିତ୍ସା ପାଇଁ ସବୁ ପ୍ରକାର ବନ୍ଦୋବସ୍ତ ମୁଁ ନିଜେ କରାଉଛି ।’ ତା’ପରେ ଟିକିଏ ତୁନି ରହି ସେ କହିଲେ, “ହଁ, ପାସୋରି ଯାଉଥିଲି ! ତୁମେ ଏ ନର୍ସ କ୍ୱାଟର୍‌ରେ ରହିବା ଆଇନ ବିରୁଦ୍ଧ ବୋଲି ଡାକ୍ତର ସାହେବ କହୁଛନ୍ତି । ପାଗଳଗାରଦରେ ତୁମର ସାହଚର୍ଯ୍ୟ ଦରକାର ହେବ ନାହିଁ । ତୁମକୁ ଗୋଟାଏ ବାଳିକା ବିଦ୍ୟାଳୟର ଛାତ୍ରାବାସରେ ରଖାଇ ପାଠ ପଢ଼ିବାର ବ୍ୟବସ୍ଥା କରୁଛି । ବର୍ତ୍ତମାନ ହପ୍ତେ ଖଣ୍ଡେ ତୁମେ ମୋ କୋଠିରେ ରହିପାର । ମୋ ସ୍ତ୍ରୀକୁ ପଚାରିଛି, ତାଙ୍କର କିଛି ଅସୁବିଧା ହେବ ନାହିଁ ।’

 

“ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍‌ସ୍ ଗାଡ଼ିରେ ପୂରାଇ ଭାବୀଙ୍କୁ ପାଗଳଖାନାକୁ ନିଆହେଲା । ତାହା କେଉଁଠି ବୁଝିବାକୁବି ମୋତେ ସୁଯୋଗ ମିଳିଲା ନାହିଁ । ଭାବୀଙ୍କୁ ଏଭଳି ନେଇଯିବେ ବୋଲି ଯଦି ମୁଁ ଆଗରୁ ଜାଣିଥାନ୍ତି, ତେବେ କାଲି ପାହାନ୍ତିଆରେ କୁଆଡ଼େ ପଳାଇ ଯାଇଥାନ୍ତି । ଆଜି ରାତିରେ ପଳାଇବି ବୋଲି ମନେମନେ ବିଚାରି, ସାହେବଙ୍କୁ କହିଲି, ‘କାଲି ମୁଁ ଆପଣଙ୍କ କୋଠିକୁ ଯିବି ।’ ସେ କହିଲେ, ‘ବର୍ତ୍ତମାନ ଗଲେ ତ ମୋର ଆପତ୍ତି ନାହିଁ । ଏଠାରେ ରହି ବିଚାରୀ ନର୍ସକୁ କାହିଁକି ଅଡ଼ୁଆରେ ପକାଇବ ? କାର୍ଯ୍ୟରେ ହେଳା କରେ ବୋଲି ଡାକ୍ତରଙ୍କର ତା’ ବିରୁଦ୍ଧରେ ଅଭିଯୋଗ ଅଛି । ଏ ଅଭିଯୋଗ ମିଶିଲେ, ବିଚାରୀର ଚାକିରି ଯିବା ନିଶ୍ଚିତ ।’

 

‘ୟା ପରେ ମୋର ଆଉ ଉଁଚୁ ହେବାର ବାଟ ନଥିଲା । ନ‌ର୍ସ କ୍ୱାଟର୍‌ରୁ ମୋର ଲୁଗାପଟା ଆଣି ମୁଁ ସାହେବଙ୍କ ମଟରରେ ଆସି ବସିଲି । ଡ୍ରାଇଭର ଗାଡ଼ି ଚଳାଉଥାଏ; ପଛ ସିଟ୍‍ରେ ସାହେବ ମୋ ପାଖରେ ବସିଥାନ୍ତି । ବେଳେବେଳେ ମୋ ଆଡ଼କୁ ଘୁଞ୍ଚି ଆସୁଥାନ୍ତି, କେତେବେଳେ କିମିତି ମୋର ପିଠିରେ, ଜଙ୍ଘରେ ହାତ ଲଗାଇ ଦେଉଥାନ୍ତି । ମୁଁ ଶିହରି ଉଠୁଥାଏ । କିନ୍ତୁ ପଳାଇବି କୁଆଡ଼େ ? କରିବି କ’ଣ ?

 

“ତାଙ୍କ କୋଠି କେତେ ଦୂରରେ କେଜାଣି ? ଘଣ୍ଟାକରୁ ବେଶି କଟିଲା ପରି ଲାଗିଲା । ଗାଡ଼ି ଅଟକୁ ନ ଥାଏ । ଯମୁନା କୂଳେ କୂଳେ ବହୁତ ବାଟ ଚାଲିଲୁ । ମୋର ମନେ ହେଉଥାଏ, ଆମେ ଦିଲ୍ଲୀ ଛାଡ଼ି ଆଉ କୁଆଡ଼େ ଯାଉଛୁ । ମଝିରେ ମଝିରେ କ୍ଷେତବାଡ଼ି ପଡ଼ୁଥାଏ । କେତେ ସମୟ ପରେ ଗାଡ଼ି ଅଟକିଲା, ଆଗ୍ରାର ତାଜମହଲ ଆଗରେ । ସାହେବ କହିଲେ, ‘ତୁମେ ବୋର୍ଡ଼ିଙ୍ଗରେ ରହିଲେ, ଏଠାକୁ ଆସିବାକୁ ସମୟ ପାଇବ ନାହିଁ । ଆସ ଏଠାରେ ଟିକିଏ ବୁଲି କରି ଯିବା । ଚାନ୍ଦନୀ ରାତିରେ ଦିଲ୍ଲୀର ଜଞ୍ଜାଳରୁ ମୁକ୍ତି ପାଇ ଏଠାରେ ଘଣ୍ଟେ କଟାଇଲେ ମୋତେ ବଡ଼ ଆନନ୍ଦ ଲାଗେ ।’

 

“ତାଜମହଲ କଥା ଆମ ପଢ଼ାବହିରେ ଥିଲା । ଆଖିଆଗରେ ତାହା ଦେଖି ମନରେ ଲୋଭ ହେଲା ବୁଲି ଦେଖିବାକୁ । କିନ୍ତୁ ତକ୍ଷଣେ ଜେଠା ମନେ ପଡ଼ିଲେ, ଭାବୀ ମନେ ପଡ଼ିଲେ, ମୋର ସବୁ ଦୁଃଖର ମୂଳରେ ଏଇ ସାହେବଟା ବୋଲି କେଜାଣି କାହିଁକି ମୋର ଦୃଢ଼ ଧାରଣା ହୋଇଥାଏ । ମୁଁ ଜବାବ ଦେଲି, ‘ମୋର ମୁଣ୍ଡ ବଥାଉଛି, ମୁଁ ବର୍ତ୍ତମାନ ବୁଲି ପାରିବି ନାହିଁ ।’

 

“ସାହେବ ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ, ‘ଆଚ୍ଛା, ହେଉ, ହେଉ । ମୋ ନିଜ ମନର ଆନନ୍ଦ କଥା ଭାବି ମୁଁ ତୁମର ଦେହପା କଥା ଏକାବେଳକେ ପାସୋରି ଦେଇଛି । ମୋର ଗୋଟାଏ ଧାରଣା ଯେ ଯୌବନରେ ଦେହ ଖରାପ ହୁଏ ନାହିଁ । ଆଚ୍ଛା, ଚାଲ, ଚାଲ, ଯିବା କୋଠିକୁ ।’

 

କୋଠିକୁ ଫେରିବା ବାଟରେ ଗୋଟାଏ ବଡ଼ ପୋଷାକ ଦୋକାନ ଆଗରେ ଗାଡ଼ି ଅଟକାଇ ସେ କହିଲେ, ‘ଟିକିଏ ଓହ୍ଲାଅ । ସ୍କୁଲ୍‍କୁ ଯିବାକୁ ଉପଯୁକ୍ତ ପୋଷାକ ତୁମର ନାଇଁ । ଏଠାରେ ଟିକିଏ ମାପ ଦେଇଗଲେ ସେ ପୋଷାକ ପଠାଇଦେବ ।’ ଦୋକାନବାଲା ସାହେବଙ୍କୁ ଖୁବ୍ ସମ୍ମାନ ଦେଖାଇଲା । ଖୁବ୍ ଦାମିକା ସେରୱାନି ଓ ପଞ୍ଜାବୀ ଦେଖାଇଲେ, ଦୋପଟା ଦେଖାଇଲା । ଆମ ଗାଁରେ ମାଇକିନିଆ ସେରୁୱାନି ପଞ୍ଜାବୀ ପିନ୍ଧନ୍ତି ନାହିଁ । ଆମର ପିନ୍ଧନ୍ତି ଶାଢ଼ି ଓ ବ୍ଲାଉଜ୍ । ମୋତେ ଏଡ଼େ ଖରାପ ଲାଗୁଥାଏ ଯେ, ମୁଁ କିଛି ନ କହି ମଲା ପରି ଠିଆ ହୋଇ ରହିଲି । ମାପ ନେବାବାଲା ମୋ ଦେହରେ ଅଭଦ୍ରଭାବେ ହାତ ମାଇଲା, ଶୀତେଇଗଲି କିନ୍ତୁ ପାଟି ଫିଟାଇଲି ନାହିଁ ।

 

“କୋଠିରେ ଯାଇ ପହଞ୍ଚିଲା ବେଳକୁ ରାତି ପହରେ ହେବ । ମୋପାଇଁ ଗୋଟାଏ ବଖରା ଆଗରୁ ସଜଡ଼ା ହୋଇ ରହିଥାଏ ପରି ମନେହେଲା । ସାହେବ ଗୋଟିଏ ବୁଢ଼ୀକୁ ଅଗଡ଼ ମଗଡ଼ କରି କ’ଣ କହିଲେ । ପରେ ଜାଣିଲି, ସେ ଓଡ଼ିଆ ଭାଷା । ବୁଢ଼ୀ ମୋତେ ନେଇ ସେ ବଖରାରେ ରଖାଇଦେଲା । ସେଇ ଘରେ ମୋତେ ଖାଇବାକୁ ଦିଆହେଲା । ମୋତେ ଖାନା ରୁଚିଲା ନାହିଁ । ମୁଁ ଦୁଇଗ୍ଲାସ୍ ଥଣ୍ଡା ପାଣି ପିଇ ନିଘୋଡ଼ ନିଦରେ ଶୋଇପଡ଼ିଲି ।

 

“ଅଧରାତିରେ ନିଦ ଭାଙ୍ଗିଲା । ମୁଁ ଖୁଡ଼୍‍କିନି ଅଜଣାରେ ଟିକିଏ ଶବ୍ଦ କରିଦେବାରେ ବୁଢ଼ୀ ଆସି ମୋ ପାଖେ ପହଞ୍ଚିଲା ଓ କଡ଼ମଡ଼ିଆ ହିନ୍ଦୀରେ ଏଣୁତେଣୁ କେତେ ଗପିଲା । ତା’ଠାରୁ ଶୁଣିଲି, ତା’ ଘର ଓଡ଼ିଶାରେ । ଆଠବର୍ଷ ହେଲା ୟାଙ୍କ ପାଖରେ ଅଛି । ତାକୁ ଆଗ ପଦେ ହେଲେ ହିନ୍ଦୀ ଆସୁ ନଥିଲା । ଏବେ ବେଶ୍ ଗଡ଼ଗଡ଼ କରି କହିଲାଣି । ବେଳେବେଳେ ଓଡ଼ିଆ ଭାଷା ମିଶିଯାଉଛି । ଏ ସାହେବଙ୍କର ପ୍ରଥମ ଭାର୍ଯ୍ୟା ସାଙ୍ଗେ ସେ ଆସିଥିଲା । ସେ ମରିଯିବାରେ ସାହେବ ଆଉ ଗୋଟେ ବିଭା ହେଲେ । ତାକୁ ଚଳାଇବାକୁ ସାହେବ କହିବାରୁ ବୁଢ଼ୀ ରହିଗଲା । କିନ୍ତୁ ଦୁଇବର୍ଷ ପରେ ସେ ଭାର୍ଯ୍ୟାକୁ ସାହେବ ଛାଡ଼ି ଦେଇ, ନୂଆ ଭାର୍ଯ୍ୟା ଆଣିଛନ୍ତି । ୟେକୁ ସିନେମାରେ ନାଚୁଥିଲା । ଦୁଇ ତିନିବର୍ଷ ୟା ସାଙ୍ଗେ ସାହେବ ଭଲରେ ଚଳିଲେ, ଏବେ ଆଦୌ ପଚାରୁ ନାହାନ୍ତି । ବିଚାରୀ ଏଇ ଘରେ ଅଛି ସିନା ସାଇବ ତା’ ପାଖ ପଶନ୍ତି ନାହିଁ । ସେ ବି ତା’ କାମରାରୁ ବାହାରେ ନାହିଁ । ସାହେବ ଛାଡ଼ପତ୍ର ଦେବେ ବୋଲି ତ ଶୁଣା ଯାଉଛି । ମୋର ବିନା ପଚରାରେ ଏ ସବୁ ଗପି ବୁଢ଼ୀ କହିଲା, “ଆଲୋ ମା’ ! ବଡ଼ଲୋକଙ୍କ କଥା ମୋ ମଗଜରେ ପଶେ ନାଇଁ । ଆରେ ୟେ ଯାହାକୁ ଯେ ! ଦୈବ ଘଟସୂତ୍ରରେ ଯାହା କପାଳକୁ ଯିଏ ମିଳିଛି, ତାକୁ ଧରି ସନ୍ତୋଷରେ ଚଳିଲେ ସିନା ହେବ ? ୟାଙ୍କର ତ ଘଡ଼ିକେ ଘୋଡ଼ା ଛୁଟୁଛି । ମୋ ଗେରସ୍ତ ଥିଲା ଯେ ଆମେ ଚାଳିଶବର୍ଷ ଘରକଲୁଁ । ଦିନେ ଆଉ କାହାକୁ ଅନେଇ ନେଇଁ । ୟାଙ୍କର ତ ଦିନକେ ମାଇକିନିଆ ପୋରିହାଁ ହୋଇଯାଉଛନ୍ତି ।’

 

“ବୁଢ଼ୀ ଭଲଲୋକ ବୋଲି ମନେ ହେବାରୁ ମୁଁ ତା’ ସଙ୍ଗେ ସେ ଦିନ ରାତିରେ ଓ ତା’ପରେ କେତେ କଥାବାର୍ତ୍ତା ହେଲି । ତା’ଠାରୁ ଓଡ଼ିଆ ଶିଖିଲି । ହପ୍ତେ ଖଣ୍ଡେ ଭିତରେ ମୁଁ ତା’ ସାଙ୍ଗେ ଓଡ଼ିଆରେ କଥାବାର୍ତ୍ତା ହେବାର ଦେଖି ବୁଢ଼ୀ ଆନନ୍ଦରେ କହି ପକାଇଲା, ‘ଝୁଅ ! ତୁ ଆର ଜନ୍ମରେ ଆମରି ରାଇଜରେ ଜନ୍ମ ହୋଇଥିଲା ପରି ନାଗୁଛି !’

 

“ବୁଢ଼ୀଠାରୁ ଶୁଣିଲି, ସାହେବବି ଓଡ଼ିଆ ଲୋକ । ‘ଛତିଶପାଟକରେ ରଜା’ ବ୍ରାହ୍ମଣ କୁଳରେ ଜନ୍ମ ହୋଇଥିଲେ । ବିଲାତି ଯିବାକୁ ଟଙ୍କା ପାଇବା ଲୋଭରେ ବୁଢ଼ୀର ଜାତିର ଗୋଟେ ଟୋକୀକୁ ବିଭା ହେଲେ । ବିଲାତ ଯାଇ ବଡ଼ ଚାକିରି ପାଇଲେ ସିନା ଆଉ ନିଜ ଗାଁକୁ କି ନିଜ ରାଇଜକୁ ଗଲେ ନାଇଁ । ବଡ଼ ଚାକିରି କଲେ, ବହୁତ ଟଙ୍କା କମେଇଛନ୍ତି, ହେଲେ କ’ଣ ହେବ, ବ୍ରାହ୍ମଣେ ତାଙ୍କୁ ଆପଣାର କଲେ ନାଇଁ, କି ଚଷାଙ୍କୁ ଆପଣାର କରିବାକୁ ସେ ଚାହିଁଲେ ନାଇଁ । ବିଚରା ଚାକିରି ଜାଗାରେ ଏକୁଟିଆ ରହି, ଖୁସାମତିଆଙ୍କ ହଜୁର ଡାକ ଶୁଣି, ଯାହା ଯେତେବେଳେ ମନରେ ବିଚାରୁଛନ୍ତି ସେଇଆ ପାଠ ବୋଲି ଭ୍ରମି ହେଉଛନ୍ତି । ସାହେବଙ୍କର ଦୋଷ ସବୁ ବୁଢ଼ୀକୁ ଦିଶୁଥିଲେହେଁ କିମିତି ଗୋଟାଏ ମାୟା ଲାଗିଯାଇଛି ଯେ, ବୁଢ଼ୀ ତାଙ୍କୁ ଛାଡ଼ି ଯାଇ ପାରୁନାହିଁ । ମୋରବି ବୁଢ଼ୀଠାରେ ମାୟା ଲାଗିଗଲା । ତା’ ଢଙ୍ଗ, ତା’ ରୂପ, ତା’ କାନର ନୋଳି, ବେକର କୁରୁଜାତକ ମାଳ–ସବୁ ମୋତେ ସୁନ୍ଦର ଦିଶିଲା । ତା’ରି ସାଙ୍ଗେ ରହି ମୁଁ ମୋର ନିଜ ଦୁଃଖଦୁର୍ଦ୍ଦଶା ପାସୋରି ଦେଲି । କିନ୍ତୁ ଏ ଭାଗ୍ୟ ବେଶି ଦିନ ରହିଲା ନାଇଁ ।

 

“ଦୁଇଦିନ ପରେ ମୋର ନୂଆ ପୋଷାକ ଆସି ପହଞ୍ଚିଲା–ଭାରି ରଙ୍ଗଢ଼ଙ୍ଗିଆ । ସାହେବ ନିଜେ ଆସି ତାହା ଦେଇଗଲେ ଓ ମୁଁ ଯେପରି ତାହା ପିନ୍ଧେ ସେଥିପାଇଁ ବୁଢ଼ୀକୁ ତାଗିଦ କରିଦେଇଗଲେ । ମୁଁ ସେ ପୋଷାକ କେଭେ ପିନ୍ଧିବି ନାଇଁ ବୋଲି ଜିଦ୍ ଧରିବାରେ ବୁଢ଼ୀ ମୋତେ ବୁଝାଇଲା, ‘ମା’ ! ଏ ସାଇବଟା ବାୟା ହାତୀ, ତା’ କଥା ଅନୁସାରେ ନ ଚଳିଲେ ସେ କେତେବେଳେ କ’ଣ କରିବ ଠିକଣା ନାହିଁ । ତା’ ହାବୁଡ଼ରେ ଯେତେବେଳେ ପଡ଼ିଛୁ ତା’ କଥା ଅମାନ୍ୟ କରନା ।’ ମୁଁ ବାଧ୍ୟ ହୋଇ ନୂଆ ପୋଷାକ ପିନ୍ଧିଲି । ବୁଢ଼ୀ ଦେଖି କହିଲା, ‘ଓଃ ! କେତେ ରୂପ ତୋତେ ପ୍ରଭୁ ଦେଇନାହାନ୍ତି ସତେ ? ତୋ’ ମଇଳା କପଡ଼ାରେ, ନିଆଁ ପାଉଁଶରେ ଘୋଢ଼େଇ ହେଲା ପରି ହୋଇଥିଲା ।’ ମୁଁ ତ ଏଇ ରୂପକୁ ଡରି ପୋଷାକ ପିନ୍ଧିବାକୁ ନାହିଁ କରୁଥିଲି ।’

 

“ଏ ଘରେ ରହିବାର ସାତ ଦିନ ହୋଇଯାଇଥିଲେବି ସାହେବଙ୍କ ଆଡ଼ୁ ମୋ ଉପରେ ବିଶେଷ ନଜର ନ ପଡ଼ିବାର ଦେଖି ମୋ ମନରେ ଗୋଟାଏ କେମିତି ବିଶ୍ୱାସ ହୋଇଯାଇଥାଏ ଯେ ବୋଧହୁଏ ମୁଁ ଯାହା ଡରୁଥିଲି ତା’ ନୁହେଁ । ମୁଁ ସ୍ୱଚ୍ଛନ୍ଦରେ କୋଠି ଭିତରେ ବୁଲାବୁଲି କରିବାକୁ ଆରମ୍ଭ କଲି । ସାହେବାଣୀ ଯେଉଁ ପଟେ ଥାନ୍ତି ସେ ପଟକୁ ଯିବାକୁ ବୁଢ଼ୀ ମୋତେ ମନା କରିଥାଏ-। ଦିନେ ଚାଲ ଚାଲ ହୋଇ ଯାଉ ଯାଉ ମୁଁ ସେପଟକୁ ଚାଲିଗଲି । ଦୂରରୁ ମୋତେ ଦେଖି ମୋ ଭାବୀ ବୟସର ଜଣେ ସ୍ତ୍ରୀ ମୋତେ ଆସ ବୋଲି ଡାକିଲେ ।

 

(୧୦)

 

ସନ୍ଧ୍ୟା ଲାଗିବାର ଘଡ଼ିକ ଭିତରେ ଆମେ ସମସ୍ତେ ଏକାଠି ହୋଇଯାଇଥାଉ । ମହାପାତ୍ରଙ୍କର ପ୍ରାୟ ଡେରି ହୁଏ, ତାଙ୍କର ସାନ୍ଧ୍ୟକର୍ମ ସାରି ଆସିବାକୁ । ସେ ନାୟକଙ୍କ ପଛେ ପଛେ ଆସି ପହଞ୍ଚିବାରୁ, ଦାସେ ପଚାରିଲେ, “ଆଜି ମହାପାତ୍ରଙ୍କର ସବୁ ସଂକ୍ଷିପ୍ତରେ ହୋଇଗଲା ପରା !” ମହାପାତ୍ରେ କହିଲେ, “ଆମ ସୁରଭି ଆଜି ସବୁ ସଂକ୍ଷିପ୍ତ କରିଦେଲେ । ଆଜି ଆଉ ଦହଡ଼ କରିବାକୁ ପଡ଼ିଲା ନାହିଁ । ଗୋଠରୁ ଆସୁ ଆସୁ ଶ୍ରୀମନ୍ତିନୀ ବାଡ଼ି ଭିତରେ ପଶି ତୋଡ଼ାଣି କୁଣ୍ଡରେ ମୁହଁ ମାରିଦେଲେ ସେ ଉଠାଇବାକୁ ନାରାଜ । ତରବରରେ କୁଣ୍ଡା ଦି’ଡ଼ିବା ନେଇ ଗୋଳାଇଦେଲି । ସାଧାରଣତଃ ଯେତିକି ଖାଏ, ତା’ର ଦେଢ଼ା ହୋଇଗଲା । ତା’ ଦେଖି ମୁଁ ମଧ୍ୟ ପଖାଳ ପୁଞ୍ଜିଏ ହାଣ୍ଡିରୁ ଆଣି ସଦ୍ୟପ୍ରାପ୍ତ ତେନ୍ତୁଳି ଫଡ଼ାକର ସହାୟତାରେ କଂସାଟିଏ ମାରିଦେଲି ।”

 

ବାହିନୀପତିଏ କହିଲେ, “ସଅଳର କାରଣ ସିନା କହିଲ । କିନ୍ତୁ ଆଚରଣ ଅଶାସ୍ତ୍ରୀୟ ହୋଇଗଲା । ଗୋମାତା ଅତ୍ୟାହାର କଲେ ଗୃହସ୍ଥ ଗୁହାଳରେ ଜାଗ୍ରତ ରହି ତାଙ୍କର ଅବସ୍ଥା ଲକ୍ଷ୍ୟ କରିବା ଉଚିତ । ପେଟ ଫାମ୍ପୁ ଫାମ୍ପୁ ତାଙ୍କର ଇହଲୀଳା ସାଙ୍ଗ ହେବାର ଭୟ ଅଛି ।”

 

ମହାପାତ୍ରେ କହିଲେ, “ବ୍ୟବହାରକୁ ଦୃଷ୍ଟି ନ ଦେଇ ଖାଲି ଶାସ୍ତ୍ରକୁ ଧରି ବସିଲେ ପାଣ୍ଡିତ୍ୟ ଓ ମୂର୍ଖତା ଭିତରେ ପାର୍ଥକ୍ୟ ଲୋପ ହୋଇଯାଏ । ଦହଡ଼ ଖାଇଲେ ପେଟ ଫାମ୍ପିବାର ସମ୍ଭାବନା ଅଛି ସିନା, କାଲୁଆ ଖାଇଲେ ସେ ପ୍ରଶ୍ନ ଅବାନ୍ତର । ଗୋରୁର ଯେମିତି, ମଣିଷର ସେମିତି ।”

 

ନାୟକେ କହିଲେ, ‘ପୁଣି, ଖାଇବା ବିଷୟରେ ଯେମିତି ଅନ୍ୟ ସବୁ ବିଷୟରେ ସେମିତି-।”

 

ଦାସେ କହିଲେ, “ଭୁଜ୍ ଧାତୁର ଅର୍ଥ ବଡ଼ ବ୍ୟାପକ । ଭୋଗ ପୁଣି ସୁଖରେ ଆବଦ୍ଧ ନୁହେଁ । ଦୁଃଖକୁବି ଭୋଗ କରିବାକୁ ହୁଏ । ସବୁ ଭୋଗ–ଆମର ଏ ଗଳ୍ପରେ, ତାରାର ଯେମିତି ଭୋଗ, ବଡ଼ ସାଇବ ଇତ୍ୟାଦି ସମସ୍ତଙ୍କର ସେମିତି ଭୋଗ ।”

 

ବାହିନୀପତିଏ କହିଲେ, “ଭୋଗମାତ୍ରେ ଦୁଃଖବାହୀ ବୋଲି କୁହାଯାଏ । ଧନଧାନ୍ୟର ସଂଗ୍ରହରେ ଯେଉଁ ସୌଭାଗ୍ୟ, ତାହା ପରିଣାମର ଦୁର୍ଭାଗ୍ୟ ଆଣି ଥୋଇଥାଏ, ପଣ୍ଡିତଙ୍କ ପୁଅ ମୂର୍ଖ ନ୍ୟାୟରେ ।”

 

ଦାସେ ସମ୍ମତ ସୂଚାଇଲେ । ମୁଁ, କାଲି ଆମର କଥା ଯେଉଁଠି ରହିଥିଲା ସେଇଠୁ ପଢ଼ିବାକୁ ଆୟୋଜନ କରୁଛି, ମହାପାତ୍ରେ କହିଲେ, “ମୋତେ ତ ସମସ୍ତେ କାଲି ତକେଇଥିଲ । ପଶ୍ଚିମକବାଟଙ୍କଠେଇ ପାତରଅନ୍ତର ହୋଇନପାରେ ।”

 

ବେଶି ବେଳ ଅପେକ୍ଷା କରିବାକୁ ପଡ଼ିଲା ନାହିଁ । ପଶ୍ଚିମକବାଟେ ସଶବ୍ଦେ ଆସି ପହଞ୍ଚିଲେ । ସେ ବଡ଼ ପାଟିରେ ଦାଶଙ୍କ ଉଦ୍ଦେଶ୍ୟରେ ଶୁଣାଉଥାନ୍ତି, “ଆଉ ଏ ଗାଁରେ ରହି ହେବ ନାହିଁ । ଓଃ କି ଅନ୍ୟାୟ ! ତୁ ଗର୍ହିତ କାମ କଲୁ, ମୁଁ ଦୋଷ ଦେଲି, ମୁହଁରେ ଜବାବ୍ ଦେଉଛୁ, ଆଗକୁ ପୁଣି ଏଇ ଦୋଷ କେଜାଣି ହେବ, ଆଉ ପାଞ୍ଚ ଟଙ୍କା ରଖିଥାଅ ।”

 

କଥାଟା ବୁଝାଇ ନାୟକେ କହିଲେ, “ମୁଁ କଥାଟା ଶୁଣିଛି, ଫଇସଲାବି ଶୁଣିଛି । ସେ ଯେଉଁ କେଉଟ ଟୋକାଟା ଏବେ ସାଇବ ହୋଇ ଫେରିଛି, ସେ ଆଜି ସନ୍ଧ୍ୟାବେଳେ, ଗଉରା ଭାର୍ଯ୍ୟାର ଦେହରେ ହାତ ମାରି ଦେଇଥିଲା । ପଶ୍ଚିମକବାଟେ ତାକୁ ପାଞ୍ଚଟଙ୍କା ଜୋରିମାନା କଲେ-। ସେ କହିଲା, “କେଜାଣି ଏ ଦୋଷ ଆଉଥରେ ହୋଇଯିବ, ଆଉ ପାଞ୍ଚଟଙ୍କା ରଖିଥାଅ-।” ଟୋକାଗୁଡ଼ିକ ଉତ୍ତେଜିତ ହୋଇଗଲେ; ଆଗତୁରା ଯଦି ଜୋରିମାନା ଦେବୁ ପାଖରେ ଯାହା ଅଛି ସବୁଦେ ବୋଲି ତା’ ପକେଟରୁ ସବୁତକ ଟଙ୍କା ବାହାର କରୁ କରୁ ଗୁଡ଼ାଏ ମାଇଲେ-। ପଶ୍ଚିମକବାଟେ ଦୋଷୀର ପକ୍ଷରେ ବାହାରି ତା’ର ସବୁତକ ଟଙ୍କା ତାକୁ ଫେରାଇ ଦେଲେ ଓ ତାକୁ ସଭାରେ ମୁଣ୍ଡିଆ ମରାଇଲେ ।”

 

ଦାସେ କହିଲେ, ‘‘ମୁଣ୍ଡିଆ ମାଇଲାଟି ? ଗାଁରେ ରହି ହେବ ନାହିଁ କାଇଁକି ? ଏଠାରେ ତ ଦୋଷୀ ତା’ ମନକୁ ମୁଣ୍ଡିଆ ମାରୁଛି । ଦିଲ୍ଲୀରେ କ’ଣ ହେଉଥିଲା ବୋଲି କାଲି ଶୁଣୁଥିଲ ?’’

 

ପଶ୍ଚିମକବାଟେ ସାଙ୍ଗେ ସାଙ୍ଗେ ଲେଉଟି ପଡ଼ି କହିଲେ, “ହଁ ! ହଁ ! ପଢ଼ିବଟି କୁଳୁଆଁବାବୁ ! ତାରା ତ ଯାଇ ସାହେବଙ୍କ ବିବିଙ୍କ ପାଖରେ ପହଞ୍ଚିଲା, ସେଠୁ ? ମୁଁ ଏଇ କଥା ଭାବି ଭାବି ଆସୁଥିଲି । ଛତରା କେଉଟ ଟୋକାଟା ମନଟାକୁ ବିଗାଡ଼ି ଦେଲା ।”

 

ମୁଁ ପଢ଼ିବାକୁ ଲାଗିଲି, ତାରାର ଆତ୍ମବୃତ୍ତାନ୍ତ–

 

“ଭଦ୍ରମହିଳାଙ୍କୁ ଦେଖିଲାମାତ୍ରେ ମୁଁ ଜାଣି ପାରିଲି, ୟେ ସାହେବଙ୍କ ସାହେବାଣୀ । ୟାଙ୍କୁ ପୁଣି ସେ ଚାହୁଁ ନାହାନ୍ତି ! କେଡ଼େ ସୁନ୍ଦର ଚେହେରା, ଭୟରେ, ଆତଙ୍କରେ ଆଖି ଯୋଡ଼ିକ ହରିଣୀ ଆଖି ପରି ଛନଛନ, ନାକ ଆଡ଼କୁ ଢଳି ହୋଇ ରହିଛି । ଓଠ ଦୁଇଟି କମ୍ପି ଉଠୁଛି, କ’ଣ ଗୋଟେ କହିବାକୁ । ମୁଁ କିଛି ନ କହି ତାଙ୍କ ପାଖକୁ ଲାଗି ସୋଫାରେ ବସିପଡ଼ିଲି ଓ ନ ଜାଣିଲା ପରି ତାଙ୍କ ଗୋଡ଼ରେ ହାତ ମାରିଦେଲି । ସେ ମୋତେ ଜାକି ପକାଇ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ତୁନି ରହି କହିଲେ, ‘ମୋ ବିଷୟରେ କ’ଣ ସିଦ୍ଧାନ୍ତ କରିଛ ? ମୋତେ ଗୁଡ଼ାଏ ଦିନ ଏମିତି କଲବଲ କରିବ ନାଇଁ, ମୋ ସୁନାଭଉଣୀଟି ପରା !’

 

“ଏ କଥାର ମର୍ମ ବୁଝିଲେବି ପ୍ରତିବାଦ କଲି, ‘ମୋତେ ଏମିତି କାହିଁକି କହୁଛନ୍ତି ? ମୁଁ ତ ଆସିଛି ଆପଣଙ୍କ ସାହାଯ୍ୟରେ ନିଜର ସଦ୍‌ଗତି ପାଇଁ ! ମୋତେ ଆପଣଙ୍କର ଭଉଣୀ ବୋଲି ଗ୍ରହଣ କରନ୍ତୁ । ମୋର ଅଳି ଏତିକି ।’

 

“ମେମ୍ ସାହେବଙ୍କ ମୁହଁ ମୁହୂର୍ତ୍ତେ ତମତମ ହୋଇଗଲା । ସେହିକ୍ଷଣି ପୁଣି ତାଙ୍କ ବଙ୍ଗାଳୁଣୀ ମନ ମୋ ପ୍ରତି ସୌହାର୍ଦ୍ଦ୍ୟରେ ପୂରିଗଲା । ସେ ମୋତେ ଜାକିଧରି କହିଲେ, ‘ତୋତେ ଦେଖିଲା ବେଳୁ ଭଉଣୀ ବୋଲି ଗ୍ରହଣ କରିଛିମ; କିନ୍ତୁ ମୋଠାରୁ ଶ୍ରୀ ତୁଟିଯାଇଛି । ମୁଁ ପ୍ରଥମେ ଏଠିକୁ ଆସିଲାବେଳେ ୟାଙ୍କ ପୂର୍ବ ଭାର୍ଯ୍ୟାଙ୍କୁ ମୋର ବଡ଼ ନାନୀ ବୋଲି ମାନ୍ୟ ଦେଖାଇଥିଲି । ୟାଙ୍କର ସମସ୍ତ ସମ୍ପତ୍ତି ତାକୁ ଅର୍ପିଦେବାକୁ ବସି, ଜୀବନ ତମାମ ତାଙ୍କର ଦାସୀ ହେବାକୁ କହିଥିଲି-। କିନ୍ତୁ ମାଇକିନିଆ ମନ କ’ଣ ଖାଲି ପେଟକୁ ଖାଇଲେ ବୋଧ ହୁଏ ? ସେ ମୋତେ ପଦେ କିଛି ନ କହି ରାତିଅଧରେ କୁଆଡ଼େ ପଳାଇଲେ ଯେ, ଏପର୍ଯ୍ୟନ୍ତ ଟେର ପାଇନାହିଁ । ମୋର ମନେ ହେଉଛି, ତାଙ୍କୁ ପାଆନ୍ତି କି ତାଙ୍କର ସାଙ୍ଗରେ କୋଉଠି ମୁଣ୍ଡ ଗୁଞ୍ଜି ରହିଯାଆନ୍ତି ।

 

“ମୁଁ ତାଙ୍କ ଆଖିକୁ ବଲବଲ କରି ଚାହିଁ ରହିଲି । ସେ କହି ଚାଲିଲେ, ‘ସିନେମାରେ ହେଉ, ନାଟକରେ ହେଉ, କି ସୁଆଙ୍ଗରେ ହେଉ, ଅଭିନେତ୍ରୀ ହେଲେ ମାଇକିନିଆର ମନରେ ଘୁଣ ଧରିଯାଏ । ମୁଁ ଏଠାକୁ ପହିଲେ ଆସିଲାବେଳେ ତୋ’ପରି ଏମିତି ନିଷ୍ପାପ ନଥିଲିଲୋ ଭଉଣୀ ! ମନରେ କେତେ ଲୋକଙ୍କୁ ପତି ବୋଲି ବରଣ କରି ସାରିଥିଲି; କାର୍ଯ୍ୟରେ ମଧ୍ୟ କୌଣସି ପୁରୁଷଙ୍କୁ ଆପଣାର କରି ନଥିଲି ବୋଲି କହିପାରୁନାଇଁ । କିନ୍ତୁ ୟାଙ୍କର ମୋ ଉପରେ ନଜର ପଡ଼ିଲା ଦିନୁଁ ଆଶା କରିଥିଲି, ୟାଙ୍କୁଇ ଦେବତା ବୋଲି ପୂଜାକରି ମୋ ପୂର୍ବ ପାପର ପ୍ରାୟଶ୍ଚିତ୍ତ କରିବି । କିନ୍ତୁ ତା’ କ’ଣ ହୁଏ ? ପାପ କରିବା ସିନା ନିଜ ହାତରେ, ପ୍ରଭୁ କୃପା ନହେଲେ ପ୍ରାୟଶ୍ଚିତ୍ତ କରିବାର ସୌଭାଗ୍ୟ ମିଳିବ କୁଆଡ଼ୁ ?’

 

“ତାଙ୍କ ମୁହଁରେ କିମିତି ଗୋଟାଏ ଦୀପ୍ତି ଖେଳିଗଲା । ମୋର ମନେ ହେଲା, ଯଦି ବା ପୂର୍ବେ ୟାଙ୍କର କିଛି ପାପ ଥିଲା, ତା’ର ଲେଶମାତ୍ର ଆଉ ଏତେବେଳକୁ ନାଇଁ । ଜେଠା ତ କହନ୍ତି, ପ୍ରାୟଶ୍ଚିତ୍ତ କରିବାକୁ ମନରେ ଆକାଂକ୍ଷା ଜାଗିବାମାତ୍ରେ ମଣିଷ ନିଷ୍ପାପ ହୋଇଯାଏ । ମେମ୍ ସାଇବ ମୋର ଓଠ ଧରି କହିଲେ, ‘ଭଉଣୀ ! ମାଇକିନିଆର ଜୀବନଟା ବୃଥା ଜୀବନ । ଦେହରେ ପୋଡ଼ପାଡ଼ ମାଇପି ଲକ୍ଷଣ ଫୁଟିଉଠିବାମାତ୍ରେ ପୁରୁଷଙ୍କର ମନହୁଏ, ପିଲାଙ୍କ ପରି, ଫୁଲଟାକୁ ବୃନ୍ତରୁ ଛିଡ଼ାଇ ପକାଇ କେତେକେତା କରି ଗୋଡ଼ରେ ଦଳି ଦିଅନ୍ତେ । ମୋତେ ଛିଣ୍ଡାଇ ଦେବାକୁ ପ୍ରଥମେ ବସିଲେ ମୋର ଗୁରୁ, ଯେ ମୋତେ ଗୀତ ଶିଖାଉଥିଲେ । ପଙ୍କରେ ଯେ ମୁଁ ଲଟପଟ ହୋଇଯାଇଛି ତାହା ପ୍ରଥମ କେଇ ବର୍ଷ ଜଣାପଡ଼ିଲା ନାଇଁ । ମନ ଉତଳା ହୋଇଗଲା । ବାପାଙ୍କ ମାନମର୍ଯ୍ୟାଦା, ବୋଉର ସ୍ନେହ ସବୁ ଗୋଡ଼ରେ ଦଳି ଦେଇ ତାଙ୍କରି ସାଙ୍ଗେ ବମ୍ବେ ପଳାଇଗଲି । ପାପର ଭାଗ ଯେତିକି ବଢ଼ିଲା, ମୋର ଗୁରୁ, ମୋତେ ଚାକର ପରି ଦିଶିଲେ । ସିନେମାରେ ମାଲିକଙ୍କର ସ୍ନେହ ମିଳିବାରେ, ଗୁରୁଙ୍କୁ ମୋର ଚାକର ପରି ବ୍ୟବହାର କଲି । ସେ ଘରେ ତାଙ୍କର ପିଲା ମାଇପଙ୍କୁ ଛାଡ଼ି ଯାଇଥାନ୍ତି, ମୋ’ଠାରୁ ହତାଦର ପାଇଲେବି ମୋର ହୁକୁମ ତାମିଲ କରିବାରେ ମୋରି ବାହାର ଘରେ ଜୀବନ କଟାଇଦେବାକୁ ତିଆର ହୋଇଗଲେ । ଆଜି ସେ ହେଲେ ଥାନ୍ତେ ! ତାଙ୍କରି ଗୋଡ଼ ତଳେ ପୁଣି ବସି, ମୋର ଅସମ୍ପୂର୍ଣ୍ଣ ହୋଇଥିବା ବିଦ୍ୟା ପୂର୍ଣ୍ଣ କରିଥା’ନ୍ତି ।’

 

“ମୁଁ ତାଙ୍କ ମୁହଁକୁ ସେମିତି ଚାହିଁ ରହିଥାଏ । ପ୍ରତି ପଦ କଥା କହୁ କହୁ ସେ ମୋ ମନରେ ଉଚ୍ଚତର ଆସନକୁ ଉଠୁଥାନ୍ତି । ସେ ପୁଣି କହିଲେ, ସିନେମାରେ ଅଭିନେତ୍ରୀକୁ ଆଜିକାଲିର ସମାଜରେ ଯେଉଁ ସମ୍ମାନ ମିଳୁଛି, ତା’ ମୂଳରେ ବିଦ୍ୟାର ଆଦର ନାଇଁ ବୋଲି ଆଜିକୁ ବୁଝିଲିଣି । ମୋତେ ରାଷ୍ଟ୍ରପତିଙ୍କ ଆଗକୁ ଅଣାଗଲା । ରାଷ୍ଟ୍ରପତି ବ୍ରହ୍ମର୍ଷି ବୋଲାଉଥିଲେ ସିନା, ପୁରୁଷର ସ୍ଵଭାବଗତ ଦୋଷ ତାଙ୍କୁ ଛାଡ଼ି ନ ଥାଏ । ସେ ଯେ ମୋତେ ସ୍ଵର୍ଣ୍ଣପଦକ ଉପହାର ଦେଲେ ତାହା ନୃତ୍ୟଗୀତ ବା ଅଭିନୟରେ ମୋର ବ୍ୟୁତ୍ପତ୍ତିପାଇଁ ନୁହେଁ । ଆଜି ଜାଣୁଛି, ସେ ପୂଜା କରିଥିଲେ ମୋର ଏ ଦେହର ଚେହେରାକୁ, ମୁହଁର ଝଳିକୁ । ତାଙ୍କ ମନର କଥା ମନରେ ସିନା ରହିଗଲା ତାଙ୍କ ବୟସ ଯୋଗୁଁ, ତାଙ୍କ ପ୍ରତିଷ୍ଠା ଯୋଗୁଁ । ତାଙ୍କର ସେକ୍ରେଟାରୀ ଥିବା ୟାଙ୍କର ତ ଉଦ୍ଦାମ ଯୌବନ; ମୂଳରୁ, ବଡ଼ ଚାକିରି ଲୋଭରେ, ନାରୀକୁ ପାଦର ନିଶୁଣି ବୋଲି ମନେ କରିଥାନ୍ତି । ଗୋଟିଏ ଅଶିକ୍ଷିତା ଶୂଦ୍ର କନ୍ୟାକୁ ପତ୍ନୀରୂପେ ଗ୍ରହଣ କରି ଭ୍ରାନ୍ତ କନ୍ୟାପିତାଠାରୁ ବହୁତ ଟଙ୍କା ପାଇ ବିଲାତ ଯାଇଥିଲେ ଆଇ.ସି.ଏସ୍‌ ଚାକିରି ପାଇବାକୁ । ଚାକିରି ମିଳିବାର ବର୍ଷକ ଭିତରେ ନିଶୁଣିକୁ ଗୋଡ଼ରେ ଫୋପାଡ଼ି ଦେଇ ନିଜ କ୍ଷମତାବଳରେ ନାରୀର ନାରୀତ୍ଵ ଧର୍ଷଣ କରିବାକୁ ମନ କରିଥାନ୍ତି । ମୋ ବିକୃତ ମନବି ତାଙ୍କରି ଆଡ଼କୁ ଆକୃଷ୍ଟ ହେଲା, ସମାଜରେ ଆହୁରି ପ୍ରତିଷ୍ଠା ପାଇବାକୁ । ମୁଁ ରେଜିଷ୍ଟ୍ରିଖାନାରେ ୟାଙ୍କୁ ବିଭା ହୋଇ ଘରକୁ ଆସିଲି ଓ ଅଗ୍ନିକୁ ସାକ୍ଷୀ କରି ଯେ ୟାଙ୍କର ସହଧର୍ମିଣୀ ହୋଇଥିଲେ ତାଙ୍କୁ ଏ ଘରୁ ନିକାଲିଦେଲି ।’

 

“ମୁଁ କହିଲି, ‘ତୁମର ଦୋଷ କ’ଣ ଦିଦି ? ତୁମେ ତ ତୁମ ସଉତୁଣୀଙ୍କର ଦାସୀ ହୋଇ ରହିବାକୁ ଇଚ୍ଛା କରିଥିଲ ?’ ସେ କହିଲେ, ‘ଏଇଲେ ସିନା ସେମିତି ଲାଗୁଛି । ପ୍ରକୃତରେ ଯଦି ମୋର ତାଙ୍କ ପ୍ରତି ସଦ୍‍ଭାବ ଥାନ୍ତା, ତେବେ ସେ ମୋତେ ଲୁଚି ପଳାଇ ଯାଇଥାନ୍ତେ କାହିଁକି ?’ ମୁଁ କହିଲି, ‘ସେ ତ ମକଦ୍ଦମା କରିଥିଲେ, ତାଙ୍କ ଅଧିକାର ଫେରି ପାଇଥାନ୍ତେ ?’ ଦିଦି ଦୀର୍ଘନିଃଶ୍ଵାସ ଛାଡ଼ି କହିଲେ, ‘ଭଉଣୀ ‘ ! ମକଦ୍ଦମାରେ ଜିଣିଲେ କ’ଣ ନାରୀର ଅଧିକାର ଫେରିଆସେ ? ପେଟକୁ ଦାନା ହୁଏତ ମିଳିଥାନ୍ତା ! କିନ୍ତୁ ମନ ମରିଗଲେ ପେଟର ଦାନା କ’ଣ ଜୀର୍ଣ୍ଣ ହେବ ? ମୋତେବି ଏବେ ଜଣେ ସହାନୁଭୂତି ଦେଖାଇ କହି ଯାଇଛି ୟାଙ୍କ ନାଁରେ ମକଦ୍ଦମା କରିବାକୁ, କିନ୍ତୁ ତା’ ମୁଁ ପାରିବି ନାହିଁ । ଯାହାଙ୍କୁ ଦିନେ ଦେବତା ବୋଲି ଏ ପାପ ମନରେ ଥାନ ଦେଇଥିଲି, ମକଦ୍ଦମା କରି ତାଙ୍କୁଇ ସମାଜରେ ଲାଞ୍ଛିତ କରିବି ? ନାଇଁ ଭଉଣୀ ! ତା’ ମୁଁ ପାରିବି ନାଇଁ । ତୋ’ରିଠାରେ ଏବେ ତାଙ୍କର ମନ ଲାଖିଛି । ତୁ ତାଙ୍କୁ ସୁଖ ଦେ । ମୁଁ ତୋତେ ଆଶୀର୍ବାଦ କରିବି । ଭଗବାନ ତୋର ମଙ୍ଗଳ କରିବେ । ମୋର ବଡ଼ ସଉତୁଣୀ ମୋତେ ଏଇ ଆଶୀର୍ବାଦ ଦେଇଥିଲେ-।’ ମୋ ମନ ବିଦ୍ରୋହୀ ହୋଇ ଉଠିଲା । ମୁଁ କହିଲି, ‘ତମେ କ’ଣ ବିଚାରିଛ, ନିଆଁରେ ପତଙ୍ଗ ପୋଡ଼ି ମଲାପରି, ଆମେ ପୁରୁଷର କାମନାରେ ନିଜକୁ ଝାସ ଦେବା ?’ ସେ କହିଲେ, ‘ନାରୀର ତ ସେଇଥିରେ ଆନନ୍ଦ, ନିଆଁରେ ପତଙ୍ଗର ଯେପରି ।’ ମୋ ମନ ମାନିଲା ନାଇଁ । ତାଙ୍କ ମନରେ ପତ୍ନୀର ଭାବ । କିନ୍ତୁ ମୁଁ ଏ ସାଇବଙ୍କର ପତ୍ନୀ ହେବି ? ଅସମ୍ଭବ ! ମୋ ଜେଠାଙ୍କୁ ୟେ ମାରିଛନ୍ତି ବୋଲି ମୋ ମନରେ ବିଶ୍ଵାସ ଦୃଢ଼ତର ହେଲା । କିନ୍ତୁ ସାଇବଙ୍କ ପ୍ରତି ମୋ ମନରେ ଯେତିକି ଘୃଣା ହେଉଥାଏ, ଏ ନାରୀ ମୂର୍ତ୍ତିଟି ପ୍ରତି ମନରେ ସେତିକି ଭକ୍ତି ଜାତ ହେଉଥାଏ । ସାହେବଙ୍କ କୋଠିରେ ବନ୍ଦିନୀ ହୋଇ ରହି, ସବୁବେଳେ ମୋ ଅସହାୟ ଅବସ୍ଥା କଥା ବିଚାରି, ମୋ ମନ ଯାହା ଦବି ଯାଉଥିଲା, ମେମ୍‍ସାହେବଙ୍କ ସଙ୍ଗେ ପରିଚୟ ଓ ଆଳାପ ହେବାରେ ତାହାର ପରିବର୍ତ୍ତନ ହେଲା । ମୋ ମୁହଁରୁ ଅବସାଦ ବହୁମାତ୍ରାରେ ଦୂର ହୋଇଗଲା ଓ ତାହାର ସୂଚନା ମୋ ମୁହଁରେ ଦିଶିଲା । ଦର୍ପଣରେ ମୋ ମୁହଁ ଦେଖି ମୁଁ ଏହା ବାରି ପାରିଲି । ଚାକରାଣୀ ବୁଢ଼ୀ ଦିନେ ମୋ ମୁହଁକୁ ଚାହିଁ ବିଷାଦ ସଙ୍ଗେ ଆନନ୍ଦ ମିଶା ସ୍ଵରରେ ମୋତେ କହିଲା, ‘ଆଲୋ ମା’, ଆମ ଦେଶରେ ଲୋକେ କହନ୍ତି, ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଓଟାରି ତେଣିକି ଯାଇ । ମନଟାକୁ ବୁଝାଇଦେଲୁ, ଭଲ କଲୁ । ଏ କଥାର ଅର୍ଥ ମୁଁ ବୁଝିଲି, କିନ୍ତୁ ପ୍ରତିବାଦ କଲି ନାହିଁ । କ୍ରମେ ସାହେବଙ୍କ ପ୍ରତି ମୋର ଘୃଣା କମିଗଲା । ମେମ୍‍ସାହେବଙ୍କୁ ତ ମୋ ମା’ ପେଟର ଭଉଣୀ ବୋଲି ଭାବିଥାଏ । ତାଙ୍କର ମନ୍ଦ ପାଞ୍ଚନ୍ତି କିପରି ? ସେ ମୋର ଭିଣେଇ ବୋଲି ଭାବିବା ବେଳୁ ତାଙ୍କ ପ୍ରତି ମୋର ମମତା ବଢ଼ିଲା । ସେ ମୋ ଜେଠାଙ୍କ ପ୍ରତି ଯେଉଁ ଅପରାଧ କରିଛନ୍ତି ବୋଲି ମୋର ଧାରଣା ହୋଇଥିଲା ତାହା କ୍ରମେ ଅପସରିଗଲା । ମୋର ମନରେ ହେଲା, ଆମର ଯେଉଁ ଦୁର୍ଦ୍ଦଶା ହୋଇଛି ତାହା ଆମ ପୂର୍ବକର୍ମର ଫଳ । ଭଗବାନଙ୍କଠାରେ ଅଳି କଲି, ସାହେବଙ୍କର ମନ ବଦଳୁ, ସେ ମୋ ନାନୀଙ୍କ ସଙ୍ଗେ ପୂର୍ବପରି ଚଳନ୍ତୁ । ନାନୀ ମୋର ଭବିଷ୍ୟତର ବାଟ କରିବେ ।

 

ଏଇ ବିଚାର ମୋ ମନରେ ଯେତେ ଦୃଢ଼ ହେଲା, ସାହେବଙ୍କ ପ୍ରତି ମୋର ବ୍ୟବହାର ସେତିକି ବଦଳିଲା । ସେ ଦିନକୁ ଥରେ ଦୁଇଥର ମୋ କୋଠରୀକୁ ଆସି ମୋର ଭଲମନ୍ଦ ବୁଝି ଯାନ୍ତି । ସେ ଆସିଲେ ମୁଁ ଆଗେ ମୁହଁକୁ ଭାର କରି ରହୁଥିଲି । ସେ ତିନିପଦ ପଚାରିଲେ ପଦେ ଉତ୍ତର ଦେଉଥିଲି । କ୍ରମେ ତାଙ୍କ ସଙ୍ଗେ ଆଳାପ ହେଲା, ଥରେ ଦି’ଥର ତାଙ୍କ ସଙ୍ଗେ ଏକା ଟେବୁଲରେ ଖାଇଲି; ସେ ବି ମୋ ସାଙ୍ଗେ କଥାବାର୍ତ୍ତାବେଳେ ମେମ୍ ସାହେବଙ୍କ ସୁଖ ଦୁଃଖ କଥା ପଚାରିଲେ । ମୁଁ ବିଚାରିଲି, ବୋଧହୁଏ ଏ ଦୁହିଁଙ୍କର ମିଳାମିଶା ନିକଟରେ ହୋଇଯିବ । ଏଇ ଆଶାରେ ମୁଁ ସାହେବଙ୍କ ସଙ୍ଗେ କେତେବେଳେ କେମିତି ଟିକିଏ ରହସ୍ୟବି କରିଦିଏ, ଶାଳୀ ବୋଲି-

 

“ସାହେବ, ମେମ୍ ସାହେବଙ୍କ ବିଷୟରେ ଭଲ କଥା କିଛି କହିଲେ ମୁଁ ମେମ୍ ସାହେବଙ୍କୁ କହିଦିଏ; ମନ୍ଦ କଥା କହିଲେ, ପରିହାସରେ କହୁଛନ୍ତି ବୋଲି ବିଚାରି ତା’ର ଭଲ ଅର୍ଥ କରି ବସେ । ମେମ୍ ସାହେବ ମୋଠାରୁ ସବୁ ଶୁଣି ଯେତେବେଳେ ଗମ୍ଭୀର ହୋଇଯା’ନ୍ତି, ମୋତେ ଡର ମାଡ଼େ । ମୁଁ ବିଚାରେ, ସେ ବୋଧହୁଏ ମୋତେ ସନ୍ଦେହ କରୁଛନ୍ତି । ଯେତେବେଳେ ସେ ଟିକିଏ ହସହସ ହୋଇଯାନ୍ତି, ମୋତେ ଭାରି ଆନନ୍ଦ ଲାଗେ । ମୁଁ ବିଚାରେ, ବୋଧହୁଏ ଈଶ୍ଵରଙ୍କ ଅନୁଗ୍ରହରୁ ମୋ କାମନା ପୂରିବ । ମେମ୍ ସାହେବଙ୍କ ମୁହଁରେ ହସ ସବୁବେଳେ ଲାଗି ରହିବ । ହସହସ ହେଲେ ତାଙ୍କ ମୁହଁ ଚାରିଗୁଣ ସୁନ୍ଦର ହୋଇଯାଏ ସତେ !

 

“ସେ ଦିନ ସନ୍ଧ୍ୟାବେଳକୁ ମୁଁ ମେମ୍ ସାହେବଙ୍କ ପାଖେ ଯାଇ ବସିଲି ରାତି ଦଶଟା ପର୍ଯ୍ୟନ୍ତ । ତାଙ୍କ ମନରେ ସୁଖ ନଥାଏ । ସେ ସବୁଦିନ ପରି ମୋ ସାଙ୍ଗେ ଆଳାପ ନକରି ଗୁମ୍ ହୋଇ ବସି ରହିଥାନ୍ତି । ତାଙ୍କ ମନ ଆନମାନ କରିବାକୁ ମୁଁ ସାନଭଉଣୀ ପରି କେତେ ବାଆଁରାବାଆଁରି କଲି, କିଛି ଫଳ ହେଉନଥାଏ । ଦୁହେଁ ଏକ ସଙ୍ଗେ, ଏକ ଥାଳିରୁ ଖାଇଲୁ । ମୋତେ ଖୁଆଇବା ପାଇଁ ସେ ନିଜ ପାଟିକୁ ଗୁଣ୍ଡା ନେଉଥାନ୍ତି ମାତ୍ର । ସବା ଶେଷରେ ମୋତେ କହିଲେ, ‘ଭଉଣୀ ! ଦୋଦୋପାଞ୍ଚ ହୋଇ ରହିବାରୁ ଦିନଗୁଡ଼ାକ ସରୁ ନାହିଁ । ମୋ ବିଷୟରେ ଶୀଘ୍ର ଗୋଟାଏ କିଛି ଫଇସଲା କର । ତୋ’ର ସୁଖରେ ମୁଁ ଅନ୍ତରାୟ ହେବାକୁ ଚାହୁଁନାଇଁ । ମୋ ଦୁଃଖରେ ମୋତେ ଯିବାକୁ ଦେ ।’

 

“ମୋ ମନ ବିଦ୍ରୋହୀ ହୋଇ ଉଠିଲା । ମୁଁ ଅଭିମାନରେ ଫୁଲିଫୁଲି କାନ୍ଦି ପକାଇ ମୋ କୋଠରୀକୁ ଯିବାକୁ ବାହାରିଲି । ସେ ମୋ ମୁହଁକୁ ଚାହିଁଥିଲେ ଶେଷ ପଦ କହି ନଥାନ୍ତେ ବୋଧହୁଏ । ମୁହଁକୁ ତଳକୁ ପୋତି ସେ କହିଲେ, ‘ଆଜି ରାତିରେ ସାହେବଙ୍କୁ କହି କାଲି ସକାଳୁ ମୁଁ ଏ ଜେଲ୍‍ଖାନାରୁ ଯେପରି ମୁକ୍ତ ହେବି ତା’ର ବ୍ୟବସ୍ଥା କର । ମୋ ସୁନା ଭଉଣୀ ପରା !’ ଦୁଃଖ ସଙ୍ଗେ ମୋ ମନରେ ଭାରି ରାଗ ହେଲା । ୟେ ମଧ୍ୟ ତେବେ ବିଶ୍ଵାସ କରନ୍ତି, ସବୁ ଦିନ ରାତିରେ ମୁଁ ସାହେବଙ୍କ ସଙ୍ଗେ ରହେ ! ୟାଙ୍କ ପ୍ରତି ଯେଉଁ ଶ୍ରଦ୍ଧା ହୋଇଥିଲା, ତାହା ସମୂଳେ ନଷ୍ଟ ହେଲା କି ନାହିଁ କେଜାଣି ? ସମୁଦାୟ ରାଗ ଯାଇ ସାହେବଙ୍କ ଉପରେ ପଡ଼ିଲା । ସେ ମୋର ଯେଉଁ ଅନିଷ୍ଟ କରିଛନ୍ତି ତାହା ବିକଟାଳ ରୂପ ଧରି ମୋ ଆଗରେ ଠିଆ ହେଲା । ମୁଁ ତମତମ ହୋଇ ଉଠି ଆସିଲି-

 

“ମୋ କୋଠରୀରେ ଆସି ପହଞ୍ଚିଲାବେଳକୁ ବୁଢ଼ୀ ଚାକରାଣୀ ମୋତେ ଡାକିବାକୁ ମେମ୍ ସାହେବଙ୍କ କାମରା ଆଡ଼କୁ ମୁହାଁଇଥାଏ । ସେ ମୋତେ ଦେଖି କହିଲା, ‘ମା’ ! ସେଆଡ଼େ ଏତେଗୁଡ଼ାଏ ବେଳ ରହିଲ କାହିଁକି ? ୟେ ଏଣେ ଗୋଟାକ ସାତୁଟା ହେଲେଣି । ମୋତେ ଏଇଲେ କହୁଥିଲେ, ସେ ନାଚନେବାଲୀ ସଙ୍ଗେ ଏତେ ଆଳାପ କରିବାକୁ ମୁଁ ତୁମକୁ ଛାଡ଼ୁଛି କାହିଁକି-? ଏ ସାହେବଟା ବାୟା ହାତୀ ପରା ! ୟାକୁ ଏମିତି ବିଗାଡ଼ନା । ୟେ ବିଚାରିଲେ ତୁମକୁ ରାଜାରାଣୀ କରିଦେବ, ବିଚାରିଲେ ମାଟିରେ ଲେସିଦେବ । ମୋ ମା’ଟି ପରା ! ସବୁ ଆଡ଼କୁ ଦେଖିଚାହିଁ ଚଳ ।’

 

“ମୋ ମନରେ ଯେଉଁ ରାଗ ଘୋଟିଥିଲା ତାହା ଆହୁରି ଜମାଟ ବାନ୍ଧିଲା । ମୁଁ ଦୁମ୍‍ଦୁମ୍ ହୋଇ ମୋ କୋଠରୀରେ ପଶିଯାଇ ଦେଖିଲି, ସାହେବ ସୋଫା ଉପରେ ବସି ଗୋଟାଏ କ’ଣ ବହି ପଢ଼ୁଛନ୍ତି । ତାଙ୍କ ପାଖରେ ଗୋଟିଏ ଛୋଟ ଟେବୁଲ ଉପରେ ସୋଡ଼ା ଓ ମଦ ବୋତଲ ଦୁଇଟା ଥୁଆ ହୋଇଛି । ତା’ ପାଖରେ ଗୋଟାଏ ଗ୍ଲାସ୍ । ସେ ମୋତେ ଚାହିଁ ଦେଇ, ଭିତରର ଅସହିଷ୍ଣୁତାକୁ ଚାପି ରଖି କୃତ୍ରିମ ହସ ହସି କହିଲେ, ସଖୀଙ୍କ ସଙ୍ଗେ ଆଳାପ କରିବାରେ ଗୁଡ଼ାଏ ସମୟ କଟାଉଛ । ଆସ, ଆସ । ଏହା କହି ସେ ସୋଫାର ଗୋଟାଏ କଡ଼କୁ ଘୁଞ୍ଚିଯାଇ ମୋପାଇଁ ଜାଗା କଲେ । ମୁଁ କିଛି ଉତ୍ତର ନ ଦେଇ ଅଲଗା ଗୋଟିଏ ଚଉକି ଉପରେ ବସି କୈଫିୟତ୍ ଦେଲି, ‘ଏକୁଟିଆ ଲାଗୁଛି ବୋଲି ତାଙ୍କ ପାଖକୁ ଯାଏଁ ।’

 

“ସେ କହିଲେ, ‘ଏକୁଟିଆ ଲାଗିଲେ, ମୋ ପାଖକୁ ଆସ । ଯେଉଁ ଘୋଡ଼ା ଜିଣି ପାରିବ ନାହିଁ ବୋଲି ଜାଣୁଛ, ତା’ ଉପରେ ବାଜି ରଖିବା ମୂର୍ଖତା ମାତ୍ର । ଗୋଟାଏ ଭୁଲ୍ କରି ସେ ଦାରୀଟାକୁ ଆଣି ଘରେ ପୂରାଇଥିଲି । ସେ ଶତଶଯ୍ୟାର ନାୟିକା । ଗୁରୁ କରୁ କରୁ ଯେଉଁ ଲୋକଟାକୁ ସେ ପତି କରିଥିଲା ସେ ଏବେ ଏଇ ଦିଲ୍ଲୀର ରାଇସିନା ହୋଟଲରେ ଚାକିରି କରୁଛି । ତା’ ଠାରୁ ୟାର ସବୁ ଗୁଣଗ୍ରାମ ମୁଁ ଜାଣିଲା ଦିନୁଁ, ୟାର ମୁହଁ ଦେଖିବି ନାହିଁ ବୋଲି ସ୍ଥିର କରିଛି । ତୁମ ପରି ନାରୀ ଯାହାର କରଗତ ସେ ୟେ ଖାନ୍‌କୀକୁ ବା ପଚାରିବ କାହିଁକି ?

 

“ମୋର ତାଳୁଠାରୁ ତଳିପା ପର୍ଯ୍ୟନ୍ତ ପାଚିଗଲା । ମୁଁ ସମ୍ଭାଳି ନ ପାରି ଉତ୍ତର ଦେଲି, ‘ଆଉ ଯେଉଁ ଲୋକ ସ୍ତ୍ରୀମାନଙ୍କୁ ଫୁଲପରି ଶୁଙ୍ଘି ସାରି ଗୋଡ଼ରେ ଦଳିଦିଏ, ତା’କୁ ସ୍ତ୍ରୀଲୋକ ପଚାରିବେ ବୋଲି କାହିଁକି ମନେ କରୁଛନ୍ତି ?

 

“ସେ ହସି ହସି କହିଲେ, ‘ବେଶ୍ ସାହସ ତ ! ତୁମର ସାହସକୁ ମୁଁ ତାରିଫ କରୁଛି । ସ୍ତ୍ରୀ ଜାତିର ଏଇଭଳି ସାହସ ମୋତେ ସୁଖ ଲାଗେ । ମୁଁ ଜବାବ୍ ଦେଲି, ‘ଯଦି ଆପଣଙ୍କୁ ମୋର ସାହସ ସୁଖ ଲାଗୁଛି, ତେବେ ମୋର ଏତିକି ମାତ୍ର ଅନୁରୋଧ, ଆପଣ ଅନୁଗ୍ରହ କରି ମୋତେ ଏ ସ୍ଥାନରୁ ମୁକ୍ତ କରନ୍ତୁ ।’ ସେ କହିଲେ, ‘କୁଆଡ଼େ ଯିବ, ଶୁଣି ପାରିବି ? ମୁଁ ତ ଜାଣେ ତୁମର ନିଜର ହୋଇ ଏଠାରେ କେହି ନାହାନ୍ତି ।’

 

“ମୁଁ କହିଲି, ‘ଯାହାର କେହି ନାହାନ୍ତି ସେ ଏଠାରେ ବା ରହିବ କାହିଁକି ? ଏଠାରେ ଯାହାର ସମସ୍ତେ ଅଛନ୍ତି, ଯାହାର ଏଠାରେ ରହିବାର ଅଧିକାର ଅଛି, ସେ ତ ଏଠାରେ ରହିବାକୁ ଚାହାଁନ୍ତି ନାହିଁ ! ମୁଁ ରହିବି କାହିଁକି ?’

 

“ସାହେବ ହୁଁ ବୋଲି କହି ଟିକିଏ ତୁନି ହେଲେ । ତା’ପରେ ଠିଆ ହୋଇ ପଡ଼ି ମୋ ଆଡ଼କୁ ଦୁଇ ପାହୁଣ୍ଡ ଅଗ୍ରସର ହୋଇ କହିଲେ । ମୁଁ ବି ଠିଆ ହୋଇ ପଡ଼ିଲି । ସେ କହିଲେ, ‘ତାରା ଦେବୀ ! ତୁମେ ନାରୀ । ମୁଁ ଭଲ କରି ଜାଣିପାରୁଛି ତୁମେ ସାଧାରଣ ନାରୀଙ୍କଠାରୁ ଢେର୍ ଉଚ୍ଚରେ–ରୂପରେ ଓ ଗୁଣରେ । ତୁମ ଆଖିର ତେଜକୁ ଡରି ମୁଁ ମୋର ମନର ନିବେଦନ ଏପର୍ଯ୍ୟନ୍ତ କରିପାରିନାହିଁ । ଆଜି କିନ୍ତୁ ମୋର ମନର କଥା କହିବି ବୋଲି ମୁଁ ଏଠାରେ ଦୁଇ ଘଣ୍ଟା ହେଲା ଆସି ଅପେକ୍ଷା କଲିଣି । ତୁମେ ମୋର ନିବେଦନ ଗ୍ରହଣ କର । ମୁଁ ତୁମର ଅଯୋଗ୍ୟ ହେବି ନାହିଁ-। ତୁମ ପ୍ରତି କୌଣସି ଅସତ୍ ଉଦ୍ଦେଶ୍ୟ ଥିଲେ ମୁଁ ଆଜି ଯାଏଁ ତୁନି ହୋଇ ରହି ନ ଥାନ୍ତି-। ମୋର ଏ ଘରର ଶ୍ରୀ ତୁମେଇ ଫରାଇ ଆଣି ପାରିବ ବୋଲି ମୋର, ତୁମକୁ ଦେଖିଲା ଦିନୁଁ ଧାରଣା ହୋଇଛି ।’ ଏହା କହି ସେ ମୋ ଆଡ଼କୁ ଆଗେଇ ଆସି ମୋତେ ଜାକି ପକାଇବାକୁ ବସିଲା ବେଳକୁ ମୁଁ ଦୁଇ ହାତରେ ଖୁବ୍ ଜୋରରେ ତାଙ୍କ ଛାତିକୁ ଧକ୍କାଟାଏ ଦେଲି ଓ ମୋରି ହାତର ଜୋର ପିଛାଡ଼ି ମାରିବାରେ, ଧଡ଼କିନି ମୋର ଚଉକି ଉପରେ ପଡ଼ିଗଲି । ସେ ଚିତ୍ ହୋଇ ଠେଙ୍ଗା ପରି ପଡ଼ିଗଲେ ଭୂଇଁରେ । ଯେଉଁ ସାନ ଟେବୁଲରେ ମଦ ଥୁଆହୋଇଥିଲା ତାହାର ଆଂଶରେ ତାଙ୍କର ମୁଣ୍ଡ ପିଟି ହୋଇଗଲା; ଟେବୁଲ ଅଣେଇ ହୋଇ ମଦ ଓ ସୋଡ଼ା ବୋତଲ ଦୁଇଟା ତଳେ ପଡ଼ି ଭାଙ୍ଗି ଗଲା । ମୁଁ କାବା ହୋଇ, ଉଠିବାକୁ ସାହସ କରି ପାରିଲି ନାହିଁ ।

 

“ସେ କିନ୍ତୁ ଧଡ଼ପଡ଼ ହୋଇ ଉଠିପଡ଼ି ମୋ’ ପାଖେ ଆସି ଠିଆ ହେଲେ, ତାଙ୍କ ମୁଣ୍ଡ କଟିଯାଇ ରକ୍ତ ବାହାରୁଥାଏ । ମୋର ଦୟା ହେଉଥିଲା, କ୍ଷମା ମାଗିଥାନ୍ତି । କିନ୍ତୁ ସେ ଆସି ମୋ ଆଗରେ ଠିଆ ହୋଇଯିବାରୁ ମୋତେ ଏତେ ଭୟ ହୋଇଗଲା ଯେ ମୁଁ ପାଟି ଫିଟାଇ ପାରିଲି ନାହିଁ । ସେ ମୋ ଉପରକୁ ଝୁଙ୍କି ପଡ଼ି ମୋର ଦୁଇ କାନ୍ଧରେ ହାତ ରଖି ମୋତେ କହିଲେ, ‘ତୁମେ ଯେଉଁ ବ୍ୟବହାର କଲ ତାହା ଅନ୍ୟ କେହି କରିଥିଲେ ତିନି ପାଞ୍ଜିରୁ ଯାଇଥାନ୍ତା । କିନ୍ତୁ ମୁଁ ଜାଣେ ପ୍ରାଣୀଜଗତରେ ପ୍ରଣୟର ପୂର୍ବରାଗ ଏଇପରି ସଂଘର୍ଷରେ ଆତ୍ମପ୍ରକାଶ କରେ । ତୁମେ ଯାହା କଲ ସେଥିରେ ମୋର ତୁମପ୍ରତି ଶ୍ରଦ୍ଧା ଆହୁରି ବଢ଼ିଯାଇଛି ।’ ତା’ପରେ ସେ ମୋର ଖୁଆ ମୂଳ ଧରି ମୋତେ ଚଉକିରୁ ଉଠାଇ ଠିଆ କରିଦେଲେ ଓ ମୋ ମୁହଁରେ ମୁହଁ ଘଷିବାକୁ ଆରମ୍ଭ କଲେ । ମୁଁ ବାୟାଣୀ ହୋଇ ତାଙ୍କ ଗାଲରେ ଖୁବ୍ ଜୋରରେ ଚାପୁଡ଼ାଏ ପକାଇଲି । ସେ ଖୁବ୍ ଚଟିଯାଇ, ‘ରାକ୍ଷସୀ’ ବୋଲି ଚିତ୍କାର କରି ମୋତେ ନେଇ ସୋଫା ଉପରେ ପକାଇଦେଲେ ମୋ ଉପରେ ପଡ଼ିଗଲେ । ମୁଁ ତାଙ୍କର ମୁହଁ ଓ ହାତକୁ ଦୁଇ ହାତରେ ରାମ୍ପୁଡ଼ି ପକାଇଲି ଓ ତାଙ୍କ ବାହାକୁ ଜୋରରେ କାମୁଡ଼ିଦେଲି । ସେତେବେଳକୁ ବୁଢ଼ୀ ଚାକରାଣୀ ଆସି ମୋ କାମରାରେ ପଶିଯାଇଥାଏ ।

 

“ସାହେବ ସଂଯତ ହୋଇ ଠିଆ ହେଲେ ଓ ମୋତେ ଘୋଷାରି ଘୋଷାରି ନେଇ ସେଇ କାମରାର ପାଖରେ, ଆଉ ଗୋଟେ ଛୋଟ କାମରାରେ ପକାଇଦେଲେ । ସେତେବେଳକୁ ମୋର ଶାଢ଼ି ଦେହରୁ ଖସିଯାଇଥାଏ । ଦେହରେ ଗୋଟେ ଥାଏ ଖାଲି ସାୟା ଓ ବ୍ଲାଉଜ୍ । ମୁଁ ନୋଟ୍ ବିଡ଼ାଟା ପେଟରେ ଗୋଟେ ପାତଳା ତଉଲିଆରେ ବାନ୍ଧିଦେଇଥିଲି । ସାୟା ଉପରେ ତାହା ଟୁମା ହୋଇ ତାଙ୍କ ଆଖିରେ ପଡ଼ିଯିବାରୁ ସେ ଅଟ୍ଟହାସ୍ୟ କରି କହିଲେ, ‘ମଲ୍ଲିମା ! ଦେଖ, ଦେଖ, ଏ ସତୀ ସାଧ୍ଵୀ ମାଇକିନିଆକୁ । ପେଟରେ ବୋଧହୁଏ ତିନି ଚାରିମାସର ପିଲା ରହିଲାଣି’ । ମଲ୍ଲିମା ମୋ ଆଡ଼କୁ ଚାହିଁ କହିଲା, ‘ମା’ଲୋ, ଖାନ୍‌କୀର କେଡ଼େ ଚାତର ଦେଖ ।’

 

“ସାହେବ ହୁକୁମ ଦେଲେ, ଏଇ ପହାନ୍ତିଆରେ ମୋତେ ଗୋଟେ ଜରୁର କାର୍ଯ୍ୟରେ ଯିବାକୁ ହେବ । ମୁଁ ଫେରିଲେ ୟାକୁ ଦେଖିବି । ମୁଁ ଘରେ ତାଲା ପକାଇ ଦେଇ ଯାଉଛି । ସବୁ ଝରକା ବନ୍ଦ କରିଦେ । ଖାଲି ଭିତରୁ ଗାଧୁଆଘରକୁ ବାଟ ଥାଉ । ଏ ଘରେ ଆଉ କ’ଣ ଜିନିଷପତ୍ର ଅଛି ସବୁ କାଢ଼ି ଆଣ । ପାଣି ଟୋପେବି ଦେବାକୁ ହେବ ନାଇଁ । ପାଇଖାନା ପାଇପ୍‍ରୁ ପାଣି ପିଇ ବଞ୍ଚୁ । ୟାର ସବୁ ଟାଣପଣ କେତେବେଳ ରହିବ ଦେଖିବା । ବ୍ୟଭିଚାରିଣୀଟାକୁ ମୁଣ୍ଡରେ ବସାଇବାକୁ ବସିଥିଲି’ !

 

“ବାହାରୁ ଦୁଆର କିଳା ହେଲା । ମୁଁ ଚଟାଣରେ ସେମିତି ପଡ଼ିଥାଏ । ଶାଢ଼ିଟା ପାଇଁ ଆଖି ବୁଲାଇଲି । ଏଇ ଘରର ଦୁଆରମୁହଁରେ ତାହା ମୋ ଦେହରୁ ପୂରା ଖସିଯାଇଥିଲା ବୋଲି ଖିଆଲ ଥାଏ । ଦୁଆରମୁହଁକୁ ଚାହିଁଲି । ବୋଧହୁଏ ଚାକରାଣୀଟା ତାକୁ ଗୋଟାଇ ନେଇଯାଇଛି । ଇଲେକ୍‌ଟ୍ରିକ୍ ଲାଇଟ୍‌ଟା ଜଳୁଥାଏ । ଉଠି ସୁଇଚ୍ ଟିପିବାକୁ ମନ ହେଲା ନାହିଁ । ଘର ନିର୍ଜନ ହୋଇଯିବାରେ ମୋ ପିଲାଦିନ କଥା ମନେ ପଡ଼ିଲା, ବାପା ମା’ ମନେ ପଡ଼ିଲେ, ଜେଠା ମନେ ପଡ଼ିଲେ, ଭାବୀ ମନେ ପଡ଼ିଲା । ଆଖିରୁ ଲୁହ ବୋହିଯାଉଥାଏ । ମନର ଅବସାଦ ସାଙ୍ଗକୁ ଦେହର କ୍ଳାନ୍ତି ମିଶି ମୁଁ ନିଶ୍ଚେଷ୍ଟ ହୋଇଗଲି । ଆଖିର ଲୁହ ପୋଛିବାକୁବି ହାତ ଚଳିଲା ନାହିଁ । ଏଇପରି କେତେବେଳ ପଡ଼ିବା ପରେ ମୋତେ ନିଦ ହୋଇଗଲା ।

 

(୧୧)

 

ସନ୍ଧ୍ୟା ଲାଗିବା ପୂର୍ବରୁ ଦକ୍ଷିଣକବାଟେ ଆସି ପହଞ୍ଚିଥାନ୍ତି । ଦାସେ ଦାଣ୍ଡଦୁଆରକୁ ବାହାରି ତାଙ୍କୁ ଦେଖି ଅନ୍ୟମାନଙ୍କୁ ଡକାଇ ଆଣିବା ସକାଶ ଲୋକ ପଠାଉ ପଠାଉ କହିଲେ, ଆଜି ତ ସମସ୍ତଙ୍କ ଆଗରୁ ଆସି ପହଞ୍ଚି ଯାଇଛ ?’

 

ଦକ୍ଷିଣ କବାଟେ କହିଲେ, ‘କ’ଣ କି ଦାସେ ଆପଣେ ! କାଲି ରାତିଟାଯାକ ମତେ ନିଦ ହେଲା ନାହିଁ । ବିଚାରୀ ମାଇକିନିଆ ଝିଅଟି ଗୋଟାଏ ନିଛାଟିଆ ଘରେ ତାଲାବନ୍ଦି ହୋଇ ରହିଲା । ସେଇଠି ଆମର ପଢ଼ାଟା ବନ୍ଦ କରିଦେବା ଠିକ୍ ହେଲା ନାହିଁ । ଆପଣ ତ ଜାଣନ୍ତି, ପୁରାଣ ହେରିକା ଲାଗିଥିବାବେଳେ ପ୍ରତିଦିନ ଗୋଟାଏ ଭଲ ଠା’ରେ ପୁରାଣ ବନ୍ଦ ରହେ । ପୁରାଣର ଯେ ବଡ଼ ପୁରୁଷ ବା ନାରୀ ତାଙ୍କୁ ଚିନ୍ତାର୍ଥୀ କରି ବା ବନ୍ଦୀ କରି ବା ଦୁଃଖରେ ରଖି ପଢ଼ା ବନ୍ଦ କରାଯାଏ ନାହିଁ । କାଲି ସେ କୋଠରୀରୁ ତାରା ବାହାରିବା ପର୍ଯ୍ୟନ୍ତ ପଢ଼ିଥିଲେ ଭଲ ହୋଇଥାନ୍ତା ।

 

ଦାସେ ମୁଡ଼ୁକି ହସି ମୋ ଆଡ଼କୁ ଚାହିଁ କହିଲେ, ‘କି, ବାରିବାବୁ ! ଦକ୍ଷିଣ କବାଟଙ୍କୁ କୈଫିୟତ ଦିଅ ।’

 

ମୁଁ ତ ତାରାର ଜୀବନ କାହାଣୀ ଆଦ୍ୟପ୍ରାନ୍ତ ପଢ଼ି ସାରିଥାଏ । ଦକ୍ଷିଣକବାଟେ ଜାଣି ନ ଥାନ୍ତି, କିନ୍ତୁ ଆମେ ସମସ୍ତେ ଜାଣିଥାଉଁ ଯେ ତାରା ଆମରି ଅତି ନିକଟରେ ଅଛି; କେବଳ ଗର୍ଭ କଷ୍ଟ ବ୍ୟତୀତ ଅନ୍ୟ କୌଣସି କଷ୍ଟ ତାହାର ଆପାତତଃ ନାହିଁ । ତେଣୁ ଦକ୍ଷିଣକବାଟଙ୍କ ଉତ୍କଣ୍ଠାର କାରଣ ଯଥାର୍ଥ ବୋଲି ବିଚାରି ମୁଁ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲି, ‘ଜାଣିଲେ ଆପଣେ ! ତାରା ବର୍ତ୍ତମାନ ସିନା ବନ୍ଦିଶାଳାରେ ଅଛି ବୋଲି ଆପଣ ଭାବିତ ହେଉଛନ୍ତି, ସେଥିରୁ ମୁକ୍ତ ହେଲେ ସୁଖ ପାଇବ କି ଦୁଃଖ ପାଇବ, ତା’ କେମିତି ଜାଣିବା ? ୟା ପରେ ଯଦି ସେ ଦୁର୍ବୃତ୍ତଙ୍କ ହାବୁଡ଼େ ପଡ଼େ ତେବେ ତ ପୁଣି ବିଚାରିବା, ବିଚାରୀ ବନ୍ଦିଖାନାରେ ସବୁବେଳେ ପଡ଼ିଥିଲେ ଭଲ ହୋଇଥାନ୍ତା । ସୀତାଙ୍କ କଥା ବିଚାରନ୍ତୁ । ରାମଚନ୍ଦ୍ର ଆସି ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କଲେ ସିନା, ସୀତାଙ୍କର ବା ରାମଙ୍କର କ’ଣ ଦୁଃଖ ସରିଲା ? ଲଙ୍କାରେ ସୀତାଙ୍କର ଅଗ୍ନିପରୀକ୍ଷା, ତା’ପରେ ଅଯୋଧ୍ୟାରେ ରାଜରାଣୀ ହୋଇ କିଛିଦିନ ରହିବା ପରେ ନିର୍ବାସନ ଓ ଶେଷରେ ପାତାଳ ପ୍ରବେଶ ବନାମ୍ ଆତ୍ମହତ୍ୟା । ରାମଚନ୍ଦ୍ର ବଣରେ ଯେପରି ଥିଲେ ଅଯୋଧ୍ୟାରେ ତହିଁରୁ କୁ ଅଧିକା ସୁଖ ପାଇଲେ ? ବଣରେ ସୀତାଙ୍କୁ ହରାଇଥିଲେ ସିନା, ଅଯୋଧ୍ୟାରେ ସୀତାଙ୍କୁ ହରାଇଲେ, ଲକ୍ଷ୍ମଣଙ୍କୁ ହରାଇଲେ । ଶେଷ ବେଳକୁ କମ୍ ମନସ୍ତାପ ହୋଇନଥିବ ? ଏସବୁ ବିଚାରିଲେ, ଅଶୋକବନରେ ସୀତା ଥିବାତ ସୁଖର କଥା ବୋଲି ମନେ ହେଉଛି । ରାବଣ ସସମ୍ମାନେ ସୀତାଙ୍କୁ ରଖିଥିଲା ଓ ସୀତାଙ୍କୁ ପାଇବେ ବୋଲି ରାମଙ୍କରବି ଆଶା ଥିଲା ।’

 

ଦକ୍ଷିଣକବାଟେ ତୁନି ହୋଇ ଶୁଣୁଥିଲେ । କଥା ଶେଷରେ ହୁଁ ବୋଲି ବଡ଼ ପାଟିରେ କହିଲେ । ବୋଧହୁଏ ରାମଚନ୍ଦ୍ରଙ୍କ ଜୀବନୀ ଇତର ଲୋକର ଜୀବନୀ ବର୍ଣ୍ଣନା କଲାପରି କରିବାରୁ ତାଙ୍କୁ ସୁଖ ଲାଗିଲା ନାହିଁ । ଯାହାହେଉ, ସେତେବେଳକୁ ମହାପାତ୍ର, ନାୟକେ ଓ ବାହିନୀପତିଏ ପ୍ରମୁଖ ଆସି ପହଞ୍ଚିଯିବାରୁ ଦାସେ କହିଲେ, “ଏଥର ତାରାର ବୃତ୍ତାନ୍ତ ପଢ଼ନ୍ତୁ ।”

 

ମୁଁ ଆରମ୍ଭ କଲି–

 

“ନିର୍ଜନ କୋଠରୀରେ ମୋ ନିଦ ଭାଜିଲା ବେଳକୁ ରାତି କି ଦିନ ଜାଣି ହେଉନଥାଏ । ଇଲେକ୍‌ଟ୍ରିକ୍ ଆଲୁଅର ଉଗ୍ର ତେଜ ଆଖିକୁ କାଟିବାରୁ ଉଠି ତାକୁ ଲିଭାଇଦେଲି । ଚାରିଆଡ଼ ଅନ୍ଧାର ହୋଇଯିବାରୁ ଜଣାପଡ଼ିଲା ରାତି ସରି ନାହିଁ । ସେଇ ଅନ୍ଧାରରେ ଗାଧୁଆଘରକୁ ଯାଇ ଧୁଆଧୋଇ ହେଲି । ସେ ଘରର ଲାଇଟ୍ ସୁଇଚ୍ କେଉଁଠି, ଅନ୍ଧାରରେ ଜଣାପଡ଼ୁନଥାଏ । ମୋରବି ଆଲୁଅ ଦରକାର ନଥାଏ । ମୋର ଅର୍ଦ୍ଧ ଉଲଗ୍ନ ଦେହକୁ ନିଜେ ଦେଖିବାକୁ ମଧ୍ୟ ଲାଜ ମାଡ଼ୁଥାଏ ।

 

“ଅଣ୍ଟାର ନୋଟ୍ ବିଡ଼ାଟା ଫିଟାଇ ପାଇଖାନାରେ ଗଳାଇ ପକାଇବାକୁ ମନ ହେଲା । ୟାରି ଯୋଗୁଁ ସାହେବ ମୋର କେତେ କଳଙ୍କ ପ୍ରଚାର କରିନଦେଲେ ? ପୁଣି ବିଚାରିଲି ଭଲ ହୋଇଛି । ହୁଏତ ଏଇ କଳଙ୍କ ଯୋଗୁଁ ସେ ମୋତେ ଛୁଇଁବାକୁ ଘୃଣା କରିପାରନ୍ତି । ତାଙ୍କ ସ୍ନେହରେ ଯେଉଁ ବିପଦର ମୁହଁରେ ପଡ଼ିଥିଲି, ତାଙ୍କ ଘୃଣାରେ ଯଦି ସେଥିରୁ ରକ୍ଷା ମିଳେ ତେବେ ଯଥାଲାଭ ।

 

“ଏ ଟଙ୍କାର ବା ଦୋଷ କ’ଣ ? ପାଖରେ ଥିଲା ବୋଲି ସିନା ଜେଜେଙ୍କପାଇଁ ଶହେ ଟଙ୍କା ଖର୍ଚ୍ଚ କଲି । ଭାବୀ ଯଦି ପାଗଳଗାରଦରୁ ଫେରନ୍ତି ତେବେ ତ ଟଙ୍କା ଦରକାର ହୋଇପାରେ-। ମୁଁ ଯଦି ଏଠାରୁ ମୁକ୍ତି ପାଏ, ତେବେ ପାଖରେ ଟଙ୍କା ଥିଲେ ହୁଏତ ଅଧିକ ନିରାପଦ ରହିପାରିବି-। ସେତେବେଳେ ଜାଣିପାରି ନଥିଲି ଯେ, ଅସହାୟା ସ୍ତ୍ରୀ ପାଖରେ ଯାହା କିଛି ସବୁ ବିପଦର କାରଣ–ରୂପ, ଯୌବନ, ଅଳଙ୍କାର, ଟଙ୍କାପଇସା ସବୁ । ଯାହା ହେଉ ନୋଟ୍‍ଗୁଡ଼ାକ ସଜାଡ଼ି ଅଣ୍ଟାରେ କନା ପଟିଟା ଟାଣ କରି ଗୁଡ଼ାଇଦେଲି । ପେଟରେ ବୁଜୁଳା ହୋଇ ଯାହା ବାହାରିପଡ଼ିଥିଲା, ତାହା ସାୟାତଳେ ଲୁଚିଗଲା । ସେମିଜକୁ ଛାତି ଉପରେ ଟିକିଏ ହୁଗୁଳା କରି ସଜାଡ଼ିଦେଲି । ମୋତେ ଦେଖି ଅଲାଜୁକ ବୋଲି କହିବାକୁ କେହି ନଥିଲେବି ନିଜ ଦିହକୁ ନିଜେ ଯଥାସମ୍ଭବ ସଜାଡ଼ି ଦେଇ ପୁଣି ଆସି ସେଇ କୋଠରୀଟିରେ ବସିଲି ।

 

“ବସୁ ବସୁ କେତେ କଥା ମନେ ପଡ଼ିଲା । ବାପା ମା’ଙ୍କୁ ମନେପକାଇ ମନରେ ଯେଉଁ କ୍ଷୋଭ ଆସିଲା ସେଥିରେ ପ୍ରତି ଛୋଟ ଛୋଟ କଥାପାଇଁ ମଧ୍ୟ ଲୁହ ଗଡ଼ୁଥାଏ । ଅତୀତ କଥା ସ୍ମରଣ କରିବାଫଳରେ ବର୍ତ୍ତମାନ ଯେଉଁ ବିପଦରେ ପଡ଼ିଛି ତାହା ବେଶି ବାଧୁନଥାଏ ।

 

“ଏଇମିତି କେତେବେଳ ଗଲା କେଜାଣି ? ଶେଷରେ ପୁଣି ଗାଧୁଆଘରକୁ ଯାଇ ଧୁଆଧୋଇ ହୋଇ ଆସି ବସିଛି, କୋଠରୀର ଏକମାତ୍ର ଜଳାବାଟେ ଚାକରାଣୀ ବୁଢ଼ୀର ଆବାଜ ଆସିଲା, ଆଲୋ ଟୋକୀ, ଆଉ ବସି ସକେଇଲେ କ’ଣ ଫଳ ପାଇବୁ ? ନାଗ ସାପ ଲାଙ୍ଗୁଡ଼ରେ ତ ହାତ ମାରିଛୁ, ବହନରୁ ବର୍ତ୍ତିବୁ କେମିତି ? ନେ, ଦାନ୍ତକାଠି ଖଣ୍ଡ ନେ । ଏଇବାଟେ ଚା’ ଟିକିଏ ବଢ଼ାଇଦେବି ପିଇବୁ ।’ ମୋର ଦାନ୍ତ ଘଷିବା ପ୍ରୟୋଜନ ନ ଥାଏ, ଚା’ ଖାଇବାକୁବି ମନ ନ ଥାଏ । କିନ୍ତୁ ଚାକରାଣୀଟିର କଥା ଶୁଣିବାକୁ ମନ ହେଉଥାଏ । ସେ ନିଷ୍ଠୁର ଭାଷାରେ ଯାହା କହିଲା, ସେଥିରେ ସ୍ନେହବୋଳା ହେଲା ପରି ମୋତେ ଲାଗୁଥାଏ । ସତେ ମୋତେ କିଏ ଠେଲିଲା ପରି ମୁଁ ଜଳା ପାଖକୁ ଗଲି ଓ ଦାନ୍ତକାଠି ଆଣିଲାବେଳେ ଆରପଟକୁ ଟିକିଏ ଚାହିଁଲି, କେଜାଣି ବୁଢ଼ୀ ମୁହଁ ଦିଶିବ ବୋଲି । ମୋତେ ଏ କୋଠରୀଟା ବଡ଼ ନିଛାଟିଆ ଲାଗୁଥାଏ ।

 

“ଟିକକ ପରେ ପୁଣି ଜଳାମୁହଁରୁ ଶବ୍ଦ ଆସିଲା, ‘ଆଲୋ, ଦାନ୍ତ ଘଷିଲୁ ? ସାହେବ କାହିଁକି ଡାକୁଛନ୍ତି, ମୁଁ ଯାଉଛି । ଆସିଲେ ତୋତେ ଚା’ ଦେବି । ଆଜି ସକାଳୁ ବାୟା ହାତୀଙ୍କ ମନ କ’ଣ ହେଇଚି କେଜାଣି ? ସାହେବଙ୍କ ମନ ମୋ ପ୍ରତି କଠୋର କି କୋମଳ ହୋଇଛି ସେଥିକୁ ମୋର ଖାତିର ନଥାଏ । ଖାଲି ବୁଢ଼ୀ ତୁଣ୍ଡରୁ କଥା ଶୁଣିବାର ଆଗ୍ରହରେ ମୁଁ ଏ ସବୁ ଶୁଣିଲି ଓ ବୁଢ଼ୀ କଥା ମାନି ଦାନ୍ତ ଘଷିବାକୁ ଗାଧୁଆଘରକୁ ଗଲି ।

 

“ଅଧଘଣ୍ଟାକ ପରେ ବୁଢ଼ୀ ଆସି ସେଇ ଜଳାବାଟେ ମୁନ୍ଦିଏ ଚା’ ଓ ଦି’ଖଣ୍ଡ ପାଉଁରୁଟି ବଢ଼ାଇଦେଲା । ମୁଁ ତାକୁ ଆଣି ଏପଟେ ଥୋଇଦେବାର ଅନୁମାନ କରି ସେ କହିଲା, ‘ବୃଥାରେ ଦେହକୁ କଷ୍ଟ ଦେ’ନା । ମୋ ରାଣ, ଖାଇଦେ ଖାଇଦେ । କେତେଦିନ ଏମିତି ଏଠେଇ ପକେଇ ରଖିବ କେଜାଣି ? କେଡ଼େ ସାହସ କରି ମାଗିଲି ଏ କୋଠରୀର ଚାବିଟା ମୋ ହାତରେ ଦେବାକୁ-। ମୋତେ ରଟମଟ କରି ଚାହିଁ ଚାଲିଗଲା । ତୁ ଆଗ ଖାଇବୁଟି, ତତେ ଗୋଟେ କଥା ନ ପଚାରିଲେ ଆତ୍ମା ଶୀତଳ ହେବନାଇଁ । କାଲି ରାତିଟାଯାକ ତୋରିପାଇଁ ମୋତେ ନିଦ ହୋଇନାହିଁ-। ଆଗ ଖାଇଦେ’ ।

 

“ତା’ କଥାରେ ମୁଁ ବାଧ୍ୟ ହୋଇ ଖାଇଲି । ଖାଇଲୁ କି ନାହିଁ ବୋଲି ବାରମ୍ବାର ପଚାରୁଥାଏ । ମୁଁ ଖାଇସାରି ମୁହଁ ହାତ ଧୋଇବାର ଜାଣି ସେ ମୋତେ ଜଳାମୁହଁକୁ ଡାକି ପଚାରିଲା, “ଆଲୋ ଏ ପୋଡ଼ାମୁହିଁ ! ତୋତେ ଗୋଟେ କଥା ପଚାରିବି ଯେ ତୁ ସତ କହିବୁଟି ? ତତେ ମୋ ରାଣ, ସତ କଥା ମୋତେ କହ । ମୁଁ ତୋର ଇଷ୍ଟ କରିପାରିବି ନାଇଁ କି ଅନିଷ୍ଟ କରିପାରିବି ନାଇଁ, ଖାଲି ମନରେ ଗୋଟାଏ ଓରିମାନ ରହିଯାଉଛି, ଟିକିଏ ଶୁଣିଲେ ଥୟ ହୁଅନ୍ତି’ ।

 

“ମୁଁ ତା’ କଥାରେ କିଛି ଉତ୍ତର ନ ଦେବାରୁ ସେ ପୁଣି କହି ଚାଲିଲା, ‘ଆଲୋ ଏ ହୀନକପାଳୀ, ପାଟିରୁ କଥା ପଦେ ନ ବାହାରୁଛି କିଆଁ ? ମୁଁ ଯାହା ପଚାରିବି ସତ ସତ କହିବୁଟି ?

 

“ତା’ର ପୋଡ଼ାମୁହିଁ, ହୀନକପାଳୀ ସମ୍ବୋଧନ ଶୁଣି ରାଗ ଲାଗିବା ପରିବର୍ତ୍ତେ ମୋତେ ସୁଖ ଲାଗୁଥାଏ । ସେ ବହୁତ ଲଗାଇବାରୁ ମୁଁ ହୁଁ ବୋଲି ଉତ୍ତର ଦେଲି । ସେ କହିଲା, ‘ଆଲୋ, ମୋର ଏ ପୋଡ଼ା ମାଇକିନିଆ ଜନମ ଆଜିକୁ ସତୁରିବର୍ଷ ହେଲାଣି । କେତେ ଟୋକୀଙ୍କୁ ଦେଖିଛି, ଭଲ ଦେଖିଛି, ମନ୍ଦ ଦେଖିଛି । ଆଜିଯାଏଁ ମୁଁ ବଡ଼େଇ କରୁଥିଲି ଯେ, ମୁଁ ଯାହା ବାରେ ସେଥିରେ ଉଁଚୁ କରିବାକୁ କେହି ସଖ୍ୟ ହୁଅନ୍ତି ନାଇଁ । ତୋ ଆଖି ଯୋଡ଼ିକ ଦେଖି ମୁଁ ବାରିଥିଲି ତୋ ଠେଇ ମରଦ ହାତ ବାଜିନାଇଁ । କାଲି ସାଇବ ଏଡ଼େ ବଡ଼କଥା କହିଦେବାରୁ ମୋତେ ମେଘରୁ ପଡ଼ିଲା ପରି ଲାଗିଲା । ରାତିଯାକ ଭାବି ଭାବି ଗୋଟାଏ କଥା ଠଉରେଇଚି, କହିଲୁ ଭଲା, ତୋ’ର କ’ଣ ମାସ ଗଡ଼ିଯାଇଚି ? ମୁଁ ତୋ’ର ଆଈ ପରି, ମୋତେ ବିଶ୍ଵାସ କରି ସବୁକଥା କହ ।

 

“ମୁଁ ଉତ୍ତେଜିତ ହୋଇ କହିଦେଲି, ଏସବୁ ମିଛ କଥା ।’ ସେ ସାଙ୍ଗେ ସାଙ୍ଗେ ଉତ୍ତର ଦେଲା, ‘ତୋ କଥା ମୋତେ ସତ ପରି ଲାଗୁଛି । ମୁଁ ଯାହା ବିଚାରିଚି ସେ କଥା ତେବେ ସତ । ହଉ ମୋ ମୁଣ୍ଡରୁ ଗୋଟେ ବୋଝ ଓହ୍ଲେଇଗଲା । ଆଉ ହେଇଟି ଝୁଅ ! ସାଇବ ଆସିଲେ ଆଉ ତାଙ୍କ ସଙ୍ଗେ ମାଡ଼ଗୋଳ କରିବୁନାଇଁ । ସେ ବଡ଼ଲୋକ । ଆମେ କର୍ମ ଆଦରି ରହିଲେ ସିନା ହେବ । ହଉ, ତୁ ଯା ଟିକିଏ ଶୋଇପଡ଼ । ତୋ’ ଶାଢ଼ିଟା ମୁଁ ଦୁଆରମୁହଁରୁ ଗୋଟେଇ କରି ଥୋଇଛି, ହେଇଟି ଏ କଣାବାଟେ ଗଳେଇଦେଉଚି, ନେ ।’

 

ଶାଢ଼ିଟି ପାଇ ମୁଁ ସାଙ୍ଗେ ସାଙ୍ଗେ ପିନ୍ଧି ପକାଇବାରୁ ବଡ଼ ଆରାମ ଲାଗିଲା । ବୁଢ଼ୀର କଥା ଶୁଣି ଟିକିଏ ସୁଖ ଲାଗୁଥାଏ, ଯଦିଓ ସାଇବଙ୍କ ପ୍ରତି ସଦ୍‍ଭାବ ଦେଖାଇବାକୁ ସେ ଯାହା କହିଲା ସେ କଥା ମୋ ମନକୁ ଆଦୌ ପାଉ ନ ଥାଏ । ମୁଁ ମନେମନେ ଠିକ୍ କରିଥାଏ, ଏଥର ଯଦି ସେ ମୋ ସାଙ୍ଗେ ଲାଗିବ, ତେବେ ମରିବି ପଛେ ତାଙ୍କୁ ପ୍ରଶ୍ରୟ ଦେବି ନାହିଁ । ଜେଠାଙ୍କ ଯୋଗୁଁ ଭାବୀଙ୍କ ଯୋଗୁଁ ଓ ମେମ୍ ସାହେବଙ୍କ ଯୋଗୁଁ ମୋର ତାଙ୍କ ପ୍ରତି ଘୃଣା ପୂରି ରହିଥାଏ । ବେଳେବେଳେ ମେମ୍ ସାହେବଙ୍କ ପ୍ରତି ମୋ ମନରେ ଟିକିଏ ଦରଦ ଜାତ ହେଉଥାଏ । ତାଙ୍କ ମନ ଘର ଧରନ୍ତା କି ? ଯୌବନ ପାର ହୋଇଗଲେବି, ସେ ଯାହା ନୂଆ ମାଇକିନିଆ ଖୋଜିବାରେ ଲାଗିଛନ୍ତି ତାହା ଛାଡ଼ନ୍ତେ କି ? ମେମ୍ ସାହେବଙ୍କ ମୁହଁରେ ହସ ଉକୁଟନ୍ତା । ତାଙ୍କର ମୁହଁରେ ହସ ଦେଖିଲେ ମୁଁ ଖୁସି ମନରେ ଏ ଘରୁ ବିଦା ହୋଇଯାନ୍ତି । ଏଇମିତି କେତେ କଥା ବିଚାରି ମୁଁ ଶୋଇପଡ଼ିଲି । ଦେହରେ ଶାଢ଼ିଟି ଗୁଡ଼ାଇ ହେବାରୁ ମୋତେ ନିଘୋଡ଼ ନିଦ ହୋଇଗଲା ।

 

“ନିଦରେ ସ୍ଵପ୍ନ ଦେଖିଲି : ମେମ୍ ସାହେବ ଭାବୀଙ୍କୁ ସଙ୍ଗରେ ଧରି ମୋ କୋଠରୀ ଭିତରକୁ ଆସି ମୋତେ ଚାହିଁଛନ୍ତି । ମୋ ଦେହରେ ସାୟା ଖଣ୍ଡ ଓ ବ୍ଲାଉଜ୍‍ଟି ବ୍ୟତୀତ ଆଉ କିଛି ନାହିଁ । ମୁଁ ତାଙ୍କୁ ବାଲୁବାଲୁ ହୋଇ ଚାହୁଁଛି, କିନ୍ତୁ ଚିହ୍ନିପାରୁନାହିଁ । ଭାବୀ କହୁଛନ୍ତି, ‘ତାରା, ମୋତେ ଚିହ୍ନିପାରୁନାହଁ ?’ ମେମ୍ ସାହେବ କହୁଛନ୍ତି, ମୋତେବି ଚିହ୍ନିପାରୁନାହଁ ? ତା’ପରେ ଦୁହେଁ କଥାବାର୍ତ୍ତା ହେଉଛନ୍ତି, ‘ବିଚାରୀ ବାୟାଣୀ ହୋଇଗଲା ।’ ଭାବୀ କହୁଛନ୍ତି ଏତେ ଦୁଃଖରେ ବାୟାଣୀ ନ ହୋଇ ମଣିଷ କ’ଣ ହେବ କହିଲ ! ମୁଁ ବିଚାରୁଛି ବାୟାଣୀ ହେଲେ ଭଲ । ଦୁଃଖ ଦୁଃଖପରି ଜଣାପଡ଼ିବ ନାଇଁ । ଫାଙ୍କା ମନରେ ମଣିଷ ପିଲାପରି ଚଳିବ ।’ ସାହେବାଣୀ କହୁଥାନ୍ତି, ‘ସତେମ ଭାବୀ ! ଭାଗ୍ୟରେ ଥିଲେ ମଣିଷ ବାୟାଣୀ ହୁଏ । ମୁଁ ତ ବିଚାରେ ବାୟାଣୀ ହୋଇଗଲେ ମୁଁ ରକ୍ଷା ପାଇଯାନ୍ତି । ନହେଲେ ପ୍ରାଣ ହେଲେ ଚାଲିଯାନ୍ତା । ବାୟାଣୀ ହେବାଠାରୁ ସେ ଆହୁରି ନିଶ୍ଚିନ୍ତିଆ କଥା । ଛି ମା’ ଏମିତି କହନ୍ତି ?’ ବୋଲି ଚାକରାଣୀ ବୁଢ଼ୀ କୁଆଡ଼ୁ ଆସି ପହଞ୍ଚି ପାଟିକଲା । ‘ଯାହାର ଯେତିକି ଦିନ ଷଠିଦୁସି ଆୟୁଷ ଦିଅନ୍ତି ସିଏ ସେତିକିରେ ଯାଏଁ । ଆମେ କାନ୍ଦିଲେ ବୋବେଇଲେ ବିଧିର ବିଧାନ କିଏ ଆନ କରିବ କହିଲ ?’ ବୁଢ଼ୀର ପାଟି ଶୁଣି ଚାଉଁକିନି ମୋ ନିଦ ଭାଙ୍ଗିଗଲା ।

 

“ମୁଁ ଆଖି ମେଲେଇ ଦେଖିଲି ମେମ୍ ସାହେବ ମୋ ପାଖରେ ଠିଆ ହୋଇଛନ୍ତି ବୁଢ଼ୀ ତାଙ୍କ ପଛରେ ଲସରପସର ହେଉଛି । ମେମ୍ ସାହେବଙ୍କ ଆଖି ରଙ୍ଗ ଦିଶୁଥାଏ । ତାଙ୍କ ମୁହଁରେ ଦୁଃଖ ବୋଳି ହେଲା ପରି ଦିଶୁଥାଏ । ସେ କିଛି ନ କହି ଖାଲି ଏଣେତେଣେ ତର୍ଚ୍ଛି କରି ଚାହୁଁଥାନ୍ତି । ବୁଢ଼ୀ ମଝିରେ ମଝିରେ ପାଟି କରୁଥାଏ । ଓଃ ! ଏପରା ମଣିଷର କପାଳେ ପୁଣି ୟା ଲେଖାଥିଲା ? ମାହାପୁରୁ ଆମର ଗତି କ’ଣ ହେବ ? ତାଙ୍କରି ଯୋଗୁଁ ସିନା ମୁଁ ଏଠେଇ ଠା ପାଇଥିଲି, ଏବେ ଯିବି କୁଆଡ଼େ ? ଏଇମିତି ବାହୁନି ହୋଇ ସେ ମୋ ଦିହକୁ ଲାଗିଯାଇ ମୋ ଅଣ୍ଟାଠାରୁ ବେକ ପର୍ଯ୍ୟନ୍ତ ଚାରିଆଡ଼େ ହାତ ବୁଲେଇଗଲା । ମୋ ଅଣ୍ଟାରେ ବନ୍ଧା ହୋଇଥିବା କନାରେ ହାତ ବୁଲାଇ ନୋଟ୍ ପୁଟୁଳାଟାକୁ ଆଉଁସି ପକାଇ ପାଟି କରି କହିଲା କାଲି ରାତିରେ ପରା ମୁଁ ଏଇଆ ଅନୁମାନ କରିଥିଲି । ଏତେ କାଳ ବଞ୍ଚିଲିଣି ମୁଁ ମଣିଷ ଚିହ୍ନି ପାରିବି ନାହିଁ ? ବୁଢ଼ୀର ବିଚିତ୍ର କାରବାରରେ ମୁଁ ବିରକ୍ତ ହେଲେବି କଥାଟା କ’ଣ ଜାଣିବା ଉତ୍କଣ୍ଠାରେ ତାକୁଇ ପଚାରିଲି, ଏମିତି ବାଇଆଣୀ ପରି କାହିଁକି ହେଉଚ । କଥା କ’ଣ ? ସେ ମୋ କଥା ନ ଶୁଣିଲା ପରି କହି ଲାଗିଲା, ଆହା ବିଚରା ଏଇତକ ହେଲେ ଜାଣି କରି ଯାଇଥାନ୍ତେ...... ।’

 

“ବୁଢ଼ୀ ଆଡ଼କୁ ବାଲୁବାଲୁ କରି ଚାହିଁ ମେମ୍ ସାହେବ ମୋ ଆଡ଼କୁ ଲାଗି ଆସିଲେ ଓ ହାତ ଧରି କହିଲେ ‘ଆସ ମୋ କାମରାକୁ ଯିବା ।’ ବୁଢ଼ୀକୁ ନ ଡାକିଥିଲେବି ସେ ଏକୁଟିଆ ରହି ନ ପାରି ଆମରି ପଛେ ପଛେ ଆସିଲା । ମେମ୍ ସାହେବଙ୍କ କାମରାରେ ଆମେ ଯାଇ ବସିଛୁ କି ନାହିଁ ସାହେବଙ୍କ ଅଡ଼ର୍‍ଲି ପିଅନ ଆସି ମେମ୍ ସାହେବଙ୍କୁ ସଲାମ କରି କହିଲା, ହଜୁର ଟେଲିଫୋନ୍ ଆସିଛି । ମେମ୍ ସାହେବ ଚପରାସି ସଙ୍ଗେ ଚାଲିଗଲେ । ବୁଢ଼ୀ ମୋ ମୁହଁକୁ ଖାଲି ଚାହୁଁଥାଏ, ମୁହଁରୁ ଆଖି ନେଇ ଉପରକୁ ଚାହୁଁଥାଏ । ଏଇପରି ଦି’ ଚାରିଥର କରି ସେ ବାହୁନି ବସିଲା, ‘ଧର୍ମ ନାଇଁ ବୋଲି ଯେ ମନେ କରୁଛନ୍ତି, ତାଙ୍କରି ଏଇ ଦଶା ନ ହେବ ତ ଆଉ କାହାର ହେବ ? ନିର୍ଦ୍ଦୋଷୀ ପିଲାଟି ଦେହରେ ହାତ ଲଗେଇଲ ସାଙ୍ଗେ ସାଙ୍ଗେ ଫଳ ଫଳିଲା । ମୁଁ ସବୁ କଥା ସାନ ସାଇବାଣୀକୁ କହିଦେଇଛିଲୋ ମା’ । ମୁଁ ଏଥିତୁ କିଛି ବୁଝି ନ ଥାଏ । କିଛି ପଚାରିବାକୁବି ମନ ହେଉ ନ ଥାଏ । ବୁଢ଼ୀ ମୁହଁକୁ ଖାଲି ଚାହିଁ ରହିଥାଏ ମାତ୍ର ।

 

“ସାଇବଙ୍କ ଅଫିସ୍ ସାହାଲାରୁ ଆସି ମେମ୍ ସାହେବ ମୋ ପାଖକୁ ଲାଗି କରି ବସିଲେ-। ତାଙ୍କ ଆଖିରୁ ପୁଣି ଲୁହ ଗଡ଼ିବାକୁ ଲାଗିଲା । ସେ ମୋ ହାତକୁ ଟାଣି ନେଇ ତାଙ୍କ ହାତରୁ ଗୋଟି ଗୋଟି କରି ସୁନା କାଚ ମୋ ହାତରେ ଭରିଦେଲେ । ଦୁଇ ହାତରୁ ଲୁହା କାଚ ଦି’ପଟି କାଢ଼ି ସୋଫା ତଳକୁ ପକାଇଦେଲେ । ମୁଁ ପଚାରିଲା ପରି ତାଙ୍କ ମୁହଁକୁ ଚାହିଁଲି । ତାଙ୍କ ମୁହଁରେ ବିସ୍ମୟ ଦେଖାଦେଲା । ସେ ବୁଢ଼ୀ ଆଡ଼କୁ ବିରକ୍ତ ହେଲା ପରି ଚାହିଁ ମନକୁ ମନ ଗୁଣୁଗୁଣୁ କରି କହିଲେ, ‘ସବୁକଥା ମତେଇ ବଖାଣିବାକୁ ପଡ଼ିବ’ । ମୁଁ ଆଉ କିଛି ଜାଣିବାକୁ ନ ଚାହିଁ ତଳକୁ ମୁହଁ ପୋତିଲି-। ବୁଢ଼ୀ ଆମପାଇଁ କ’ଣ ଖାଇବାକୁ ବରାଦ କରିବା ସକାଶେ ଗଲା । ସେତେବେଳକୁ ଦିନ ଦୁଇଟା ହୋଇଥାଏ ।

 

“ମେମ୍ ସାହେବଙ୍କ ପାଖରେ ମୁଁ ସେଇ ସୋଫାରେ ରାତି ଏଗାରଟା ଯାଏଁ ବସିଲି । ତା’ପରେ ଶୋଇବାପାଇଁ ତାଙ୍କୁ ସମଗ୍ର ସୋଫାଟା ଛାଡ଼ି ଦେଇ ମୁଁ ସୋଫାତଳକୁ କାର୍ପେଟ୍ ଉପରେ ଶୋଇଲି । ମଝିରେ ମଝିରେ ତାଙ୍କ ମୁହଁରୁ ଖାପଛଡ଼ା ହୋଇ ଯେଉଁ ପଦେ ଦି’ପଦ କଥା ବାହାରୁଥାଏ ତାକୁ ଯୋଡ଼ା କରି ମୁଁ ବୁଝିଲି, କାଲି ସକାଳ ସାତଟାବେଳେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଡକରା ପାଇ ସାହେବ ଯାଇଥିଲେ । ମୁସଲମାନଙ୍କ ବଡ଼ ମସଜିଦ ଜୁମା ମସଜିଦରେ ବହୁତ ହିନ୍ଦୁ ଆଶ୍ରୟ ନେଇଥାନ୍ତି । ପ୍ରଧାନମନ୍ତ୍ରୀ ଆଦେଶ ଦେଲେ, ଯେ କୌଣସି ଉପାୟରେ ହିନ୍ଦୁମାନଙ୍କୁ ଜୁମା ମସଜିଦ ହତା ଭିତରୁ ନିକାଲି ଦେବାକୁ ପଡ଼ିବ । ମୁସଲମାନ ନେତାମାନେ ପ୍ରଧାନମନ୍ତ୍ରୀଙ୍କ ପାଖେ ଆପତ୍ତି କରିଥାନ୍ତି ଯେ, ବିଧର୍ମୀ ଲୋକେ ମସଜିଦରେ ରହିବାରୁ ତାହା ଅପବିତ୍ର ହେଉଛି । ମସଜିଦରେ ହିନ୍ଦୁଙ୍କ ସଙ୍ଗେ ଅନେକ ଶିଖବି ଥାନ୍ତି । ତାଙ୍କ ଭୟରେ ମୁସଲମାନମାନେ ପ୍ରାର୍ଥନା କରିବାକୁ ମସଜିଦ ଭିତରେ ପଶି ପାରୁନଥାନ୍ତି । ଶିଖମାନେ ଜିଦ୍ କରୁଥାନ୍ତି, ପାକିସ୍ତାନରେ ସେମାନେ ମୁସଲମାନଙ୍କ ଯୋଗୁଁ ଯେଉଁ ଘରଦ୍ଵାର ଛାଡ଼ି ଆସିଛନ୍ତି ତା’ରି ବଦଳରେ ଏଇ ଜୁମାମସଜିଦଟା ନେଇ ଏଥିରେ ବାସ କରିବେ । ୟାପରେ ଆଗ୍ରାରେ ତାଜମହଲଟା ମଧ୍ୟ ନେବେ-। ପାକିସ୍ଥାନରେ ହିନ୍ଦୁ ଓ ଶିଖମାନେ ଯଦି ରହି ନ ପାରିବେ, ତେବେ ଭାରତବର୍ଷରୁ ମୁସଲମାନଙ୍କୁ ନିକାଲିବାକୁ ହେବ ବା ବିନିସୋତ ନିକାଶ କରିଦେବାକୁ ପଡ଼ିବ । ପାକିସ୍ଥାନର ଶାସକମାନେ ମୁସଲମାନଙ୍କ ଧର୍ମାନ୍ଧତାକୁ ପ୍ରଶ୍ରୟ ଦେଉଥାନ୍ତି; କିନ୍ତୁ ଆମର ଶାସକମାନେ ପାରୁପର୍ଯ୍ୟନ୍ତ ଚେଷ୍ଟା କରୁଥାନ୍ତି, ହିନ୍ଦୁ ଓ ଶିଖମାନଙ୍କୁ ରୋକି ମୁସଲମାନମାନଙ୍କ ପ୍ରତି ଉଦାରତା ଦେଖାଇବାକୁ । ହିନ୍ଦୁ ଓ ଶିଖ ସରକାରୀ ଚାକିରିଆମାନଙ୍କର କିନ୍ତୁ ଭିତରେ ମତଲବ ଥାଏ, ଭାରତରୁ ମୁସଲମାନ ଲୋପ ହୁଅନ୍ତୁ; ଅନ୍ତତଃ ଦିଲ୍ଲୀରେ ସେମାନଙ୍କର ଚିହ୍ନବର୍ଣ୍ଣ ନ ରହୁ । ସେମାନେ ତେଣୁ ହିନ୍ଦୁଙ୍କୁ ଆକଟ କରୁନଥାନ୍ତି; ହିନ୍ଦୁଙ୍କୁ ଦବାଇବା ଆଳରେ ଯାଇ ସେମାନଙ୍କୁ ତେଜି ଦେଉଥାନ୍ତି । ଫଳରେ ଦିଲ୍ଲୀରେ ହଜାର ହଜାର ମୁସଲମାନ ହାଣ ଖାଉଥାନ୍ତି । ଏକଥା ପ୍ରଧାନମନ୍ତ୍ରୀଙ୍କୁ ଜଣାଥାଏ । ସେ ଆଉ ମଧ୍ୟ ସନ୍ଦେହ କରୁଥାନ୍ତି ଯେ, ତାଙ୍କର ଜଣେ ପ୍ରଧାନ ସହଯୋଗୀ ମନ୍ତ୍ରୀଦପ୍ତରରୁ ଗୁପ୍ତ ନିର୍ଦ୍ଦେଶ ହିନ୍ଦୁ ଓ ଶିଖ ଅଫିସରଙ୍କୁ ଦେଇ ମୁସଲମାନଙ୍କ ବିରୁଦ୍ଧରେ ଲଗାଇଥାନ୍ତି । ପ୍ରଧାନମନ୍ତ୍ରୀ ଏଥିଯୋଗୁଁ ଖୁବ୍ ଉତ୍ତ୍ୟକ୍ତ ଥିଲେ । ‘ତୁମେମାନେ କାମରେ ଖିଲାପ କରୁଛ’ ବୋଲି ଆମ ସାହେବଙ୍କୁ ସେ ଦୁଇଚାରି ଦିନ ତଳେ ଉର୍ତ୍ସନା କରିଥିଲେ । ତେଣୁ ଆଜି ନିଜେ ବଡ଼ ସାହେବ ପୁଲିସ ଓ ସୈନ୍ୟ ବଳ ଧରି ଜୁମା ମସଜିଦ ଉପରେ ଚଢ଼ାଉ କରିବାକୁ ସକାଳୁ ସକାଳୁ ଯାଇଥିଲେ । ସେ ପ୍ରଥମେ ଯାଇ ଜୁମା ମସଜିଦର ଅଗଣାରେ ହିନ୍ଦୁ ଓ ଶିଖ ବାସ୍ତୁହରାମାନଙ୍କୁ ଏକାଠି କରି ବହୁତ ବୁଝାଇଲେ-। ସେମାନଙ୍କ ପକ୍ଷରୁ ଦାବି ହେଲା, ଆମପାଇଁ ଅନ୍ୟ ବାସସ୍ଥାନ ଠିକଣା କଲାପରେ ଯାଇ ଆମେ ଏ ସ୍ଥାନ ଛାଡ଼ିବୁଁ । ସାହେବ ଚଟିଯାଇ କହିଲେ, ‘ତୁମେମାନେ ମଇଦାନର ମାଟିରେ ରହିପାର, କିନ୍ତୁ ଏଠାରେ ରହିବାକୁ ଦେବି ନାହିଁ । ପାଞ୍ଚ ମିନିଟ୍ ଭିତରେ ତୁମେମାନେ ଏ ମସଜିଦ ନ ଛାଡ଼ିଲେ ମୁଁ ବଳପ୍ରୟୋଗ କରି ନିକାଲି ଦେବି’ । ଏତିକିବେଳେ ଜଣେ ଶିଖ ଟୋକା ଠିଆ ହୋଇ ପଡ଼ି ‘ଓଃ, ତୁ ବି ନିକାଲି ଦେବୁ ? ମୁସଲମାନ୍‌କା ବଚ୍ଚା !’ କହି ତାଙ୍କ ସାମନାକୁ ଆସି ଗୁଳି ଫୁଟାଇ ଦେଲା-। ତତ୍‌କ୍ଷଣାତ୍‌ ସାହେବଙ୍କର ପ୍ରାଣବାୟୁ ଉଡ଼ିଗଲା । ତା’ପରେ ପୁଲିସ୍ ଓ ସୈନ୍ୟମାନେ ଧୈର୍ଯ୍ୟ ହରାଇ ହିନ୍ଦୁଙ୍କ ଉପରେ ଗୁଳି ଲାଛିଲେ । ହିନ୍ଦୁମାନେ ଛିନ୍‌ଛତର ହୋଇ ମସଜିଦରୁ ବାହାରି ନିକଟବର୍ତ୍ତୀ ପଠାଣ ବସ୍ତିରେ ନିଆଁ ଲଗାଇଦେଲେ ଓ ପଠାଣମାନଙ୍କୁ ହାଣି ମାରିବାରେ ଲାଗିଲେ । ଦିନ ଏଗାରଟା ବେଳକୁ ଗଣ୍ଡଗୋଳ ଥମ୍ବିଲା । ସେତେବେଳକୁ ପ୍ରାୟ ପାଞ୍ଚଶହ ଲୋକ ମରି ପଡ଼ିଥାନ୍ତି; ତାହାର ଦୁଇଗୁଣ ଖଣ୍ଡିଆଖାବରା ହୋଇ ଡାକ୍ତରଖାନାକୁ ଯାଇଥାନ୍ତି-। ସକାଳ ୧୦ଟାରେ ଜଣେ ସରକାରୀ ଅଫିସର ଆସି ସାଇବାଣୀଙ୍କୁ ଖବର ଦେଇଥିଲେ । ଦୁଇଟା ବେଳକୁ ଟେଲିଫୋନ୍‌ରେ ଖବର ଆସିଲା, ଡାକ୍ତର ସାର୍ଟିଫିକେଟ୍ ଦେଇସାରିଲେଣି, ଅନୁମତି ଦେଲେ ତାଙ୍କର ଦାହ କାର୍ଯ୍ୟ ହେବ । ସାଇବାଣୀ ହୁକୁମ ଦେଲେ, ବ୍ରାହ୍ମଣମାନଙ୍କ ଦ୍ଵାରା ଦାହ କରାଇଦିଆଯାଉ । ଏତେ ଲୋକ ମରିଥିବା ସ୍ଥଳେ ୟାଙ୍କପାଇଁ ଶବ ଶୋଭାଯାତ୍ରା ପ୍ରୟୋଜନ ନାହିଁ କି ଶବ ଏଠାକୁ ଆଣିବା ପ୍ରୟୋଜନ ନାହିଁ ।

 

“ଶବସତ୍କାର କଥା ପଡ଼ିଲାବେଳେ ସେ ଅଧୀରଭାବେ କଇଁକଇଁ ହୋଇ ମତେ କହିଲେ, ‘ତାଙ୍କ ଶବକୁ ଜାବୁଡ଼ି ଧରି ମୁଁ କାନ୍ଦିଲିନାଇଁ ବୋଲି, ତାଙ୍କ ଚିତା ପାଖରେ ଲଙ୍ଗଳାମୁକୁଳା ହୋଇ ଠିଆ ହେଲି ନାହିଁ ବୋଲି ଲୋକେ କହିପାରନ୍ତି, ମୋର ତାଙ୍କ ପ୍ରତି ମମତା ନଥିଲା । ଏବେ ତାଙ୍କର ମୋର ଯେଭଳି ସମ୍ପର୍କ ଥିଲା ଜାଣି ତୁ ବି କହିପାରୁ; ଏହା ସ୍ୱାଭାବିକ । କିନ୍ତୁ ଭଉଣୀ ! ମୁଁ ଜାଣେ; ଭଗବାନ୍ ଜାଣନ୍ତି, ମୁଁ ସମ୍ପୂର୍ଣ୍ଣରୂପେ ତାଙ୍କରିଠାରେ ଆତ୍ମସମର୍ପଣ କରିଥିଲି । ସେ ମୋତେ ଗୋଡ଼ରେ ପିଙ୍ଗିଦେଲେ ସିନା ! ମୁଁ ତାଙ୍କୁ ପ୍ରଥମ ଦିନ ପରି ଏବେବି ମୁଣ୍ଡରେ ବସାଇଛି । ସେ ମୋତେ ତଡ଼ିଦେଇଥିଲେ ମୁଁ ଯାନ୍ତି; କିନ୍ତୁ ଗଲେବି ମୋର ପ୍ରେମରୁ କାଣିଚାଏବି ଊଣା ହୋଇନଥାନ୍ତା । ମୁଁ ଚାହୁଁଥିଲି, ସେ ତୋତେ ଧରି ବା ଆଉ ଯାହାକୁ ଧରି ସୁଖରେ ରହନ୍ତୁ; ମୁଁ ଦୁଃଖ ଦୌନ୍ୟରେ ଗଛମୂଳରେ ପଡ଼ିବି ତାଙ୍କର ସୁଖରେ ସୁଖୀ ହୋଇଥାନ୍ତି ।

 

“ମୋ ମନ ବୋଧହୁଏ ଟିକିଏ ବିଗିଡ଼ିଗଲା । ତାକୁ ଲକ୍ଷ୍ୟ କରି ସେ କହିଲେ, ‘ଭଉଣୀ’-! ଆଜି ସକାଳେ ବୁଢ଼ୀଠାରୁ ସବୁ ଶୁଣିଛି । ଏ ବୁଢ଼ୀଟି ପାଠଶାଠ ନ ପଢ଼ିଥିଲେ କ’ଣ ହେଲା, ୟାର ତାଙ୍କ ପ୍ରତି ଗୋଟାଏ କିମିତି ପୁତ୍ରସ୍ନେହ ଅଛି । ଦୁର୍ଘଟଣା କଥା ଶୁଣି ସେ ମୋ ପାଖକୁ ଧାଇଁ ଆସିଲା । ସାହେବ ମୋତେ ଛାଡ଼ରା କଲା ଦିନୁଁ ସେ କେବେହେଲେ ମୋ ଖୁଆଡ଼ ମାଡ଼େ ନାହିଁ-। ଧାଇଁ ଆସି ସେ ମୋତେ କହିଲା, ‘ମା’ ! ସେ ଟୋକୀଟା ଉପରେ ବିଗିଡ଼ି ବାୟା ହାତୀ ତାକୁ ଗୋଟାଏ ଘରେ ତାଲା ଠୁଙ୍କି ଚାବିଟା ନେଇ ଚାଲିଯାଇଛନ୍ତି । ଆଗ ସେ ଟୋକୀଟାକୁ ମୁକୁଳାଇ ଦିଅ । ଯଦି ହାକିମ କିଏ ଆସି ଏକଥା ଜାଣେ, ତେବେ ତାଙ୍କର ନିନ୍ଦା ରଟିବ । ଶତ୍ରୁମାନେ କିଏ କେତେ କଥା କହିବେ ।’ ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, ‘କାହିଁକି ?’ ସେ କହିଲା, ‘ଏତିକି ଜାଣି ପାରୁନାହଁ ? ସେ ଟୋକୀଟା ଭଲ ମଣିଷ । ତୁମକୁ ତ ବଡ଼ ନାନୀ ବୋଲି ମାନେ । ସାହେବଙ୍କୁ ସୁଖ ପାଇଲେ ତୁମଠାରେ ଦୋରେହା ହେବ, ଆପେ ଅଧର୍ମରେ ବୁଡ଼ିବ ବୋଲି ସେ ସାହେବଙ୍କ ପାଖ ପଶେ ନାହିଁ । ତା’ ଉପରେ ବଳାତ୍କାର କରିବାକୁ ଯିବାରୁ ସେ ପେଲିଦେଲା । ୟେ ତ ଗୁଡ଼ାଏ ମଦ ସବୁବେଳେ ପିଇ କଣ୍ଟା ହୋଇଗଲେଣି; ସମ୍ଭାଳି ନ ପାରି ପଡ଼ିଗଲେ । ଟୋକୀର ଏଇ ଦୋଷ-।’ ସାହେବାଣୀ ମୋତେ କହିଲେ, ଏକଥା ଶୁଣିବାମାତ୍ରେ, ମୁଁ ସାହେବଙ୍କ ଖାସ୍ କାମରା ଭିତରେ ପଶି ସବୁ ଦରଣ୍ଡାଦରଣ୍ଡି କଲି, ଚାବିଟା ପାଇବାପାଇଁ । ପାଇଲି ନାହିଁ । ମୋ ନିଜ କାମରାରେ ମୁଠାଏ ପୁରୁଣା ଚାବି ଥିଲା । ତାକୁ ନେଇ କେଞ୍ଚାକେଞ୍ଚି କରୁ କରୁ ଗୋଟାଏ ଲାଗିଗଲା-। ତୋତେ ଫିଟାଇଲି । ପରେ ଟେଲିଫୋନ୍‍ରେ ପୁଲିସ୍ ସାହେବ କହିଲେ, ‘ପଶ୍ଚିମ ପଟର ବାକ୍‌ସରଖା କାମରାରେ ଜଣକୁ ସେ ବନ୍ଦ କରି ଆସିଛନ୍ତି ବୋଲି ସାହେବ ଶେଷ ନିଃଶ୍ଵାସ ଛାଡ଼ିବାର ମୁହୂର୍ତ୍ତକ ଆଗରୁ କହିଲେ, ‘ପକେଟରେ ଚାବି ଅଛି ବୋଲି ଇସାରା ଦେଲେ । ଏକଥା କ’ଣ ଆପଣ ଜାଣନ୍ତି-? ମୁଁ ଉତ୍ତର ଦେଲି, ‘ବୋଧହୁଏ ବାଉଳିଚାଉଳି ହୋଇ ସେ ଏପରି କହିଛନ୍ତି-। ମୁଁ ଜାଣେ ଆମର କୌଣସି ଘର ବନ୍ଦ ନାହିଁ ।’ ୟା ପରେ ପୁଲିସ ସାହେବ ଚାବିଟା ନିଜେ ଆଣି ଆମ ମେମ୍ ସାହେବଙ୍କୁ ଦେଇ ଗଲେ ବୋଲି ମଧ୍ୟ ଶୁଣିଲି ।

 

“ଏ ଘା’ ଶୁଖିବାର ଅନେକ ଦିନ ପରେ ମୁଁ ଥରେ ପଚାରିଥିଲି, ‘ଦିଦି ! (ସାହେବାଣୀ ନ ଡାକି ଦିଦି ବୋଲି ଡାକିବାକୁ ସେ ମୋତେ ହୁକୁମ ଦେଇଥାନ୍ତି), ଯେଉଁ ସ୍ତ୍ରୀଲୋକମାନେ ଥିଏଟର ଓ ସିନେମାରେ ଅଭିନୟ କରନ୍ତି, ସେମାନଙ୍କର କୌଣସି ଜଣେ ପୁରୁଷ ପ୍ରତି ଏକାନ୍ତ ମମତା ଜାତ ହେବା ସମ୍ଭବ ନୁହେଁ ବୋଲି ମୁଁ ଶୁଣିଥିଲି । କିନ୍ତୁ ତୁମକୁ ଦେଖି ତାହା କେଡ଼େ ଭୁଲ୍ ଜାଣିପାରୁଛି ।’ ସେ ଉତ୍ତର ଦେଲେ, ‘ତାରା, ଯାହା ଶୁଣିଛୁ, ତାହା ହୁଏତ ସତ, କିନ୍ତୁ ମୋତେ ଲାଗୁଛି, ଅଭିନୟ କରୁଥିଲେବି ମୋ ହୃଦୟ ଅଭିନେତାଙ୍କ ଭିତରେ ଖୋଜି ହେଉଥିଲା ଏପରି ଜଣେ ଲୋକ, ଯାହାଠାରେ ମୁଁ ହୃଦୟ ସମର୍ପି ଦେଇପାରିବି । ଏଇପରି ଖୋଜିବାରେ ମୁଁ ଥରେ ଖାଲରେ ପଡ଼ିଯାଇଥିଲି । ଏଭଳି ଜଣେ ଲୋକକୁ ଧରି ପକାଇଥିଲି, ଯେ କି ମୋ ରୂପକୁ ଚାହୁଁଥିଲେ କିନ୍ତୁ ମୋ ମନକୁ ନୁହେଁ । ଭୁଲ୍ ହୋଇଛି ବୋଲି ଜାଣିବାମାତ୍ରେ ମୁଁ ନିଜକୁ ସମ୍ଭାଳି ନେଇଥିଲି । ଲୋକଙ୍କ ବିଚାରରେ ମୁଁ ନିଶ୍ଚୟ ଦୋଚାରୁଣୀ । କିନ୍ତୁ ମୋ ନିଜ ବିଚାରରେ ମୁଁ ମୋର ଭୁଲ୍ ବୁଝି ପ୍ରାୟଶ୍ଚିତ୍ତ କରି ସାରିଛି ।’

 

“ମୋ ମନରେ ସନ୍ଦେହ ରହିଗଲା ବୋଲି ଠଉରାଇ ସେ ପୁଣି କହିଲେ, ‘ତୁ ବିଚାରୁଥିବୁ, ତୋର ଏ ସାହେବଙ୍କୁ ପାଇ ମଧ୍ୟ ମୁଁ ଠିକ୍ ଲୋକକୁ ପାଇ ନଥିଲି । ସେ ହୁଏତ ମୋର ରୂପକୁ ଚାହୁଁଥିଲେ, ମନକୁ ନୁହେଁ । ହୋଇଥିବ । ୟାଙ୍କ ହତାଦର ପାଇଲା ବେଳକୁ ମୋ ମନରେ ପରିବର୍ତ୍ତନ ହୋଇଥାଏ । ମୁଁ ବିଚାରୁଥାଏ, କୌଣସି ପୁରୁଷ ନାରୀର ମନକୁ ଖୋଜନ୍ତି ନାହିଁ । ଖୋଜନ୍ତି ତା’ର ରୂପକୁ, ଚାହାନ୍ତି ଫୁଲଟିକୁ ହାତରେ ଟିକିଟିକି କରି ଫୋପାଡ଼ି ଦେବେ । ସେଇପରି ଯେଉଁ ଲୋକର ବଳାଜୋରିକୁ ନାରୀ ଅନ୍ତରର ସହିତ ସ୍ଵାଗତ କରେ, ସେଇ ଲୋକଟି ତା’ର ସବୁ । ସେଇ ଲୋକର ତୁଷ୍ଟିପାଇଁ ନାରୀର ତପସ୍ୟା । ୟାଙ୍କ ପ୍ରତି ମୋର ସେ ଭାବ ଆସିଯାଇଥିଲା । ମୁଁ ମନେମନେ ୟାଙ୍କୁ ମୋର ଦେବତା ବୋଲି ମାନିଯାଇଥିଲି । ଯାହାକୁ ଦେବତା ବୋଲି ମାନିଗଲେ, ସେ ଦେବତା କି ନୁହ ପଚାରିବା କାହିଁକି ?’ ମୋ ମନର ସଂଶୟ ଦୂର ନ ହୋଇ ବଢ଼ିଲା । ମୁଁ କହିଲି, ‘ପ୍ରଥମେ ଯେଉଁ ଜଣକ ତୁମକୁ ଅକ୍ତିଆର କରିଥିଲା, ତା’ରିଠାରେ ମନକୁ ବିକିଦେଇଥିଲେ ତ ଯାଇଥାନ୍ତା । ତା’ର ଯେଉଁ ଦୋଷ ଦେଖି ତାକୁ ସେତେବେଳେ ଛାଡ଼ିଥିଲ, ୟାଙ୍କର ସେଇ ଦୋଷ ପ୍ରତି ଅନ୍ଧ ହୋଇଯାଇ ୟାଙ୍କୁ ଦେବତା ଆସନରେ ବସାଇଦେଲ ବୋଲି ମୋତେ ଲାଗୁଛି ।’ ସେ ଟିକିଏ ତୁନି ରହି କହିଲେ, ‘ବୟସରେ ତୁ ବହୁତ ସାନ ହେଲେବି ତୋ’ କଥାର ଉତ୍ତର ମୁଁ ଦେଇପାରୁନାହିଁ ଦେଖୁଛି । ହୁଏତ ତୁ ଯାହା କହୁଛୁ ସେ କଥା ସତ । ଖାଲି ଏ ବିଷୟରେ କାହିଁକି, ସଂସାରର ସବୁ ବିଷୟରେ ମନକୁ ଧରି ଗୋଟାଏ ଖୁଣ୍ଟରେ ବନ୍ଧିଦେଲେ ମନ ବୁଝିଯାଏ । ଆମ ପୂର୍ବପୁରୁଷମାନେ ଏକଥା ବୁଝିଥିଲେ ବୋଲି ଧରିବାନ୍ଧି ଗୋଟାକୁ ନେଇ ଗୋଟାକ ସାଙ୍ଗେ ଛନ୍ଦିଦେଉଥିଲେ । ଆମେ ମନକୁ ସ୍ଵାଧୀନ ରଖିବାକୁ ଆଗ ଉଚ୍ଛୃଙ୍ଖଳତାକୁ ପ୍ରଶ୍ରୟ ଦେଉଥାଇଁ ଏବଂ ଶେଷରେ ଯାଇ ଗୋଟାଏ ଖୁଣ୍ଟିମୂଳେ ମନକୁ ବେକ ଦେଖାଇ ଦେଉଥାଇଁ ।’ ମୁଁ ତୁନି ହେଲି ।

 

“ୟେ ତ ବହୁଦିନ ପରର କଥା । ସେ ରାତିରେ ଦୁହେଁ ଏକାଠି ଶୋଇଲୁଁ–ସେ ସୋଫା ଉପରେ ଓ ମୁଁ ତାଙ୍କରି ସୋଫା ପାଖରେ, ତଳେ । ବୁଢ଼ୀ ଆସି ଦୁଆରମୁହଁରେ ଶୋଇଲା । ଘରର ଅନ୍ୟ ଚାକରବାକର କେଉଁଠି ଥିଲେ ମୁଁ ଜାଣିନାହିଁ । ଏତିକି ଜାଣିଛି, ବାହାର ଘରେ ୫।୭ ଜଣ ପୁଲିସବାଲା ରହିଥାନ୍ତି ଓ ମଝିରେ କୋଠି ଚାରିପଟେ ବୁଲୁଥାନ୍ତି । ତହିଁ ଆରଦିନ ସକାଳୁ ସାଇବାଣୀ ଘରର ଚାକରମାନଙ୍କୁ ଡକାଇ କିଛି କିଛି ବାଟଖର୍ଚ୍ଚ ଦେଇ ବିଦା କରିଦେଲେ । ନିଜ ଦିହଲଗା ଚାକରାଣୀକୁ କହିଲେ, “ମୁଁ ଦିଲ୍ଲୀ ଛାଡ଼ି ଚାଲିଯିବା ପର୍ଯ୍ୟନ୍ତ ରହ’ । ବୁଢ଼ୀକୁ କହିଲେ, ‘ମଲ୍ଲୀମା, ତୁମେ ଏ ଘରର ଲୋକ । ମୋ ପୂର୍ବରୁ ତ ତୁମେ ଏଠି ଅଛ । ତୁମର ଯେତେଦିନ ମନ, ମୋ ପାଖରେ ରହ । ଦିଦିଙ୍କ ପାଖରେ ଯଦି ରହିବ ସେଠାରେ ନେଇ ଛାଡ଼ି ଦେଇ ଆସିବି, ଦେଶକୁ ଯଦି ଯିବ ତେବେ ତା’ରବି ବ୍ୟବସ୍ଥା କରିବି ।’ ବୁଢ଼ୀ ସାଙ୍ଗେ ସାଙ୍ଗେ ଉତ୍ତର ଦେଲା, ‘ମା’ ! ଆଗ ନିଜ କଥା ବିଚାର, ମୋ କଥାରେ କ’ଣ ଅଛି ? ତମେ ଥୟ ହୋଇ କୋଉଠି ନ ରହିବା ପର୍ଯ୍ୟନ୍ତ ମୁଁ ଛାଡ଼ିକରି କେମିତି ପଳେଇବି କହିଲ ?’ ବୁଢ଼ୀ ଏଇ ପଦେ କଥାରେ ସମସ୍ତଙ୍କର ମୁରବି ହୋଇଗଲା ।

 

“ଘଟଣାର ପରଦିନ ସକାଳ ୯ଟା ହେବ । ଚାକରବାକରଙ୍କୁ ବିଦା କରି ଦେଇ ସାରି ସାହେବାଣୀ ତୁନି ହୋଇ ବସି କ’ଣ ଭାବୁଥାନ୍ତି, ମୁଁ ପାଖରେ ରହି ତାଙ୍କ ମୁହଁକୁ ଚାହିଁ ବସିଥାଏ । ମଲ୍ଲୀମା ଆସି ତୁନି ତୁନି କହିଲା, ‘ମା’, ! ଦୁଇ ତିନିଜଣ କିଏ ବୈଠକଖାନାରେ ଅପେକ୍ଷା କରୁଛନ୍ତି-। ତାଙ୍କୁ କ’ଣ କହିବି ? ତାଙ୍କ ଭିତରୁ ଜଣଙ୍କୁ ଡାକି ଆଣିବାକୁ ମେମ୍ ସାହେବ ହୁକୁମ ଦେଲେ-। ସେ ଆସି ନମସ୍କାର କରି କହିଲେ, ‘ଆପଣଙ୍କ ସଙ୍ଗେ କେତୋଟି ଗୁରୁତର ବିଷୟରେ କଥାବାର୍ତ୍ତା ହେବାକୁ ଥିବାରୁ ମୁଁ ଆସିଛି । ମୁଁ ପ୍ରଧାନମନ୍ତ୍ରୀଙ୍କ ସେକ୍ରେଟାରୀ ।’ ମେମ୍ ସାହେବ ପ୍ରତିନମସ୍କାର କରି ଉତ୍ତର ଦେଲେ, ‘ଆପଣଙ୍କର ଯାହା କହିବାର କଥା, ଆପତ୍ତି ନଥିଲେ ଏଇଠାରେ କହିପାରନ୍ତି-। (ମୋତେ ଦେଖାଇ) ୟେ ମୋର ଭଉଣୀ, ୟାର ଉପସ୍ଥିତିରେ ମୋର କଥାବାର୍ତ୍ତା ହେବାରେ ମୋର ତ କୌଣସି ଆପତ୍ତି ନାହିଁ, ଆପଣଙ୍କରବି ନ ଥିବ ।’ ଆଗନ୍ତୁକ କହିଲେ, “ମୋ ସାଙ୍ଗରେ ମୋର ସହକାରୀ ଓ ଅର୍ଥବିଭାଗର ସଚିବ ଅଛନ୍ତି । ସେମାନଙ୍କୁ ଡାକିପାରେ ?’ ମେମ୍ ସାହେବ ତାଙ୍କୁ ଡାକି ଦେବାକୁ ଓ ସମସ୍ତଙ୍କ ପାଇଁ ଚା’ ଆଣିବାକୁ ମଲ୍ଲୀମାକୁ ବରାଦ କରି, ମୋ ସାହାଯ୍ୟରେ ସମସ୍ତଙ୍କ ପାଇଁ ବସିବାର ଆୟୋଜନ କଲେ ।

“ସମସ୍ତେ ବସିଲା ପରେ ପ୍ରଧାନମନ୍ତ୍ରୀଙ୍କ ସେକ୍ରେଟାରୀ ପକେଟରୁ ଖଣ୍ଡିଏ ଚିଠି ବାହାର କରି ମେମ୍ ସାହେବଙ୍କ ହାତକୁ ବଢ଼ାଉ ବଢ଼ାଉ କହିଲେ, ପ୍ରଧାନମନ୍ତ୍ରୀ ଏ ଚିଠି ଖଣ୍ଡକ ନିଜ ହାତରେ ଲେଖି ଦେଇଛନ୍ତି । ଆପଣଙ୍କ ଶୋକରେ ସେ ଅତିଶୟ ବ୍ୟଥିତ । ଆପଣଙ୍କ ସୁବିଧା ସୁଯୋଗ ଦେଖି ସେ ନିଜେ ଆପଣଙ୍କ ପାଖକୁ ଆସି ସମବେଦନା ଜ୍ଞାପନ କରିଯିବାକୁ ଇଚ୍ଛା କରନ୍ତି-।’

“ମେମ୍ ସାହେବ ଚିଠି ଖଣ୍ଡି ଫିଟାଇ ବହୁ ସମୟ ଆଖି ଆଗରେ ମେଲାଇ ରଖିଲେ । ତା’ପରେ ଧୀରେ ଧୀରେ ତାକୁ ଚଉତି ପୁଣି ପୁଲିନ୍ଦା ଭିତରେ ଭର୍ତ୍ତି କରି ନିଜର ବ୍ୟାଗ୍ ଭିତରେ ରଖି କିଞ୍ଚିତ୍ ବିଦ୍ରୂପମିଶା ସ୍ୱରରେ କହିଲେ, ‘ଏ ଚିଠିଟିପାଇଁ ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ମୋର କୃତଜ୍ଞତା ଜଣାଇଦେବେ । ମୋର ବର୍ତ୍ତମାନ ଅବସ୍ଥାରେ କାହା ପାଖକୁ ଚିଠି ଦେବାକୁ ମୋର ଅବସର ନାହିଁ କି ଇଚ୍ଛା ନାହିଁ ।’ ସେକ୍ରେଟାରୀ ପଚାରିଲେ, ‘ଆଉ କ’ଣ କହିବି ?’ ମେମ୍ ସାହେବ ସ୍ୱଚ୍ଛନ୍ଦଭାବେ କହିଲେ, ‘ନିତାନ୍ତ ଯଦି କିଛି କହିବା ଦରକାର, ତେବେ କହିବେ–ମୋ’ର ସ୍ଵାମୀ ଦେଶପାଇଁ ପ୍ରାଣ ଦେଲେ ବୋଲି ସେ ଯାହା ଲେଖିଛନ୍ତି, ତାହା ନୁହେଁ । ମୁଁ ମନେ କରୁଛି, ଜଣେ ଲୋକର ପଦବୀ ଲୋଭରେ ଏ ଦେଶରେ ହଣାକଟା ଆରମ୍ଭ ହୋଇଛି ଓ ସେଇ ଲୋକର ପ୍ରାଣଭୟ ହେତୁ ମୋ ସ୍ଵାମୀ ପ୍ରାଣ ହରାଇଲେ । ଜୁମା ମସଜିଦରେ ଯେଉଁମାନେ ଆଶ୍ରୟ ନେଇଥିଲେ ସେମାନେ ମନଖୁସିରେ ସେଠାକୁ ଆସି ନଥିଲେ । କିମିତି ବେଗେ ପ୍ରଧାନମନ୍ତ୍ରୀ ହୋଇଯିବି ବୋଲି ଯେ ଭାରତକୁ ଦୁଇଖଣ୍ଡ କରାଇଦେଲେ, ସେଇ ନିଜେ ଆସି ସେମାନଙ୍କୁ ବୁଝାଇ ସେଠାରୁ କାଢ଼ିଥିଲେ ହୋଇଥାନ୍ତା ।’

Unknown

“ଆଗନ୍ତୁକମାନେ ପରସ୍ପର ମୁହଁ ଚୁହାଁଚୁହିଁ ହେଲେ । ସେମାନଙ୍କୁ ଚାହିଁ ମୁଁ ଲକ୍ଷ୍ୟ କଲି, ମେମ୍ ସାହେବଙ୍କ କଥାକୁ ସମସ୍ତେ ସମର୍ଥନ କରୁଛନ୍ତି । କାହାରି ପ୍ରଧାନମନ୍ତ୍ରୀଙ୍କ ପ୍ରତି ଟିକିଏ ହେଲେ ଆନୁଗତ୍ୟ ଥିଲା ପରି ମନେହେଉନଥାଏ । ଟିକିଏ ତୁନି ରହି ମେମ୍‌ସାହେବ ପୁଣି କହିଲେ, ମୋତେ ସମବେଦନା ଜଣାଇବାକୁ ପ୍ରଧାନମନ୍ତ୍ରୀ ନିଜେ ଆସିବେ ବା ଝିଅକୁ ପଠେଇବେ ବୋଲି ଯାହା ଲେଖିଛନ୍ତି, ସେ ବିଷୟରେ ତାଙ୍କୁ ସାବଧାନ କରିଦେବେ ଯେ, ତାଙ୍କ ଲାଳସା ଓ ଲୋଭରୁ ଯେଉଁମାନେ ପ୍ରାଣ ହରାଉଛନ୍ତି ସେମାନଙ୍କୁ ସମବେଦନା ଜଣାଇବାରେ ସମୟ ଖର୍ଚ୍ଚ କଲେ ନିଜ କାର୍ଯ୍ୟପାଇଁ ଅନୁତାପ କରିବାକୁ ତାଙ୍କୁ ବେଳ ମିଳିବ ନାହିଁ ।’

“ଏତକ କହି ସେ ଅଫିସରମାନେ ବିଦାୟ ନେବାକୁ ଅପେକ୍ଷା କରି ରହିଲେ । କିନ୍ତୁ ସେମାନେ ବିଦାୟ ନେବାର କୌଣସି ଲକ୍ଷଣ ଦେଖାଗଲା ନାହିଁ । ଅର୍ଥବିଭାଗର ସେକ୍ରେଟାରୀ ଟିକିଏ ଥଙ୍ଗେଇ ଥଙ୍ଗେଇ କହିଲେ, ଆପଣଙ୍କ ସଙ୍ଗେ ଆଉ ଗୋଟିଏ କାମ ଅଛି । ସ୍ଵର୍ଗତ ସାହେବଙ୍କର ଶୁଦ୍ଧାଦି କ୍ରିୟା ସକାଶ ପ୍ରଧାନମନ୍ତ୍ରୀ ନିଜ ହାତପାଣ୍ଠିରୁ କୋଡ଼ିଏ ହଜାର ଟଙ୍କା ମଞ୍ଜୁର କରିଛନ୍ତି । ସେ ଟଙ୍କାଟା ଟ୍ରେଜେରୀରୁ କଢ଼ା ହୋଇ ସାରିଛି । ଆପଣ ତାହା ଗ୍ରହଣ କରନ୍ତୁ ବୋଲି ମୋର ଅନୁରୋଧ ।’

“ମେମ୍ ସାହେବ କହିଲେ, ‘ତାଙ୍କ ଶୁଦ୍ଧାଦି କାର୍ଯ୍ୟପାଇଁ ମୋ ପାଖରେ ଯଥେଷ୍ଟ ଧନ ଅଛି । ମୋର ଅଳଙ୍କାର ସବୁ ବିକ୍ରି କରି ମୁଁ ସେ କାର୍ଯ୍ୟ ଚଳାଇବାକୁ ସ୍ଥିର କରିଛି । ତା’ପରେ ମୋର ଆଉ ଟଙ୍କା ଦରକାର ହେବ ନାହିଁ । ଆପଣଙ୍କ ଏ ଟଙ୍କା ମୋର ଦରକାର ହେବ ନାହିଁ ।’

 

“ସରକାରୀ କର୍ମଚାରୀମାନେ ପରସ୍ପର କଥାବାର୍ତ୍ତା ହେଲେ । ଶେଷ ମସୁଧା କରି ସେମାନେ ଅନୁରୋଧ କଲେ, ‘ଆପଣଙ୍କୁ ଆମମାନଙ୍କର ବ୍ୟକ୍ତିଗତ ଅନୁରୋଧ, ଆପଣ ଏ ଟଙ୍କାଟା ରଖନ୍ତୁ, ଏବଂ ଆପଣଙ୍କ ଇଚ୍ଛା ଅନୁସାରେ ଏହାର ବ୍ୟୟ କରନ୍ତୁ । ଦୁଃଖୀ, ରଙ୍କୀ, ସାଧୁ ସନ୍ନ୍ୟାସୀଙ୍କର ଏ ଦେଶରେ ଅଭାବ ନାହିଁ । ଆପଣ ଏ ଟଙ୍କାଟା ନ ନେଲେ ଦେଶର ଏ ଟଙ୍କାଟା ଯେ ରହିଯିବ ତାହା ନୁହେଁ । ବର୍ତ୍ତମାନ ଯେଉଁମାନଙ୍କ ହାତରେ ରାଜ୍ୟ ପଡ଼ିଛି, ସେମାନେ ନିଜର ବିଳାସବ୍ୟସନରେ ୟାକୁ କାହିଁକି, ଏହାର ଲକ୍ଷେ ଗୁଣ ସହଜରେ ଉଡ଼ାଇ ଦେଇପାରିବେ । ସବୁଠାରୁ ବଡ଼କଥା, ଏ ଟଙ୍କାଟା ଆପଣ ଯଦି ଫେରାଇଦିଅନ୍ତି, ତେବେ ଆମମାନଙ୍କର ସ୍ୱାର୍ଥରେ ବାଧା ପଡ଼ିବ । ଦେଶରେ ଅରାଜକତାର ଲକ୍ଷଣ ଦେଖାଯାଉଛି । ଆପଣଙ୍କ ସ୍ୱାମୀଙ୍କ ପରି କେତେ ଯେ ପ୍ରାଣ ଦେବେ ତା’ର ଠିକଣା ନାହିଁ । ଆପଣଙ୍କର ଟଙ୍କା ଦରକାର ହୋଇନପାରେ, କିନ୍ତୁ ସେମାନଙ୍କର ପିଲାପିଲି ଏ ଟଙ୍କା ନ ପାଇଲେ ଦାଣ୍ଡକୁ ଯିବେ ସିନା ! ଆପଣ ଟଙ୍କା ଫେରାଇଦେଲେ ସେମାନଙ୍କ ଟଙ୍କା ପାଇବାର ବାଟ ବନ୍ଦ ହୋଇଯିବାର ଆଶଙ୍କା ଅଛି ।’

 

“ମେମ୍ ସାହେବ ନିଜର ସମସ୍ତ ଦୁଃଖ ସତ୍ତ୍ୱେ ଟିକିଏ ହସିଦେଲେ; କହିଲେ, ‘ଏ ଯୁକ୍ତି ଗ୍ରହଣ ନ କରୁଥିଲେହେଁ ଆପଣମାନଙ୍କର ସମବେଦନା ମୁଁ ବୁଝୁଛି । ମୋର ସ୍ୱାମୀଙ୍କ ସ୍ମୃତିରେ କିଛି ଗୋଟାଏ କରିବାକୁ ମୁଁ ଏ ଟଙ୍କା ରଖିବି ।’ ଏହା କହି ସେ ଅର୍ଥବିଭାଗ ସେକ୍ରେଟାରୀ ବଢ଼ାଇଦେବା ଖଣ୍ଡେ କାଗଜରେ ଦସ୍ତଖତ କରିଦେଲେ । ସେକ୍ରେଟାରୀଙ୍କ ସହକାରୀ ଗୋଟିଏ ବ୍ୟାଗ୍‍ରୁ ଶହେ ଟଙ୍କିଆ ନୋଟ୍ ଦୁଇ ତାଡ଼ା ଟେବୁଲ୍ ଉପରେ ଥୋଇଦେଲେ । ତା’ପରେ ଆଉ ଖଣ୍ଡିଏ କାଗଜ ବଢ଼ାଇଦେଇ ସେକ୍ରେଟାରୀ କହିଲେ, ‘ଏହା ଆପଣଙ୍କର ପେନ୍‌ସନ୍‌ କାଗଜ । ଆପଣଙ୍କ ବିଷୟରେ ପ୍ରୟୋଜନ ସାର୍ଟିଫିକେଟ୍ ଆଦି ଆମେ ଦେଇ ସାରିଛୁ । ଖାଲି ଆପଣଙ୍କର ଏଇ ଦସ୍ତଖତଟା ଦରକାର ।’ ମେମ୍ ସାହେବ ଗୁଣୁଗୁଣୁ ସ୍ୱରରେ କହିଲେ, ‘ଏହାର ଅଧିକାରୀ ଆଉ ଜଣେ ଅଛି । ଆଚ୍ଛା, ସେ କଥା ମୁଁ ବୁଝିବି’ ବୋଲି କହି ସେ ଦସ୍ତଖତ ଦେଇଦେଲେ ।

 

“ବିଦାୟ ନେବାବେଳେ ପ୍ରଧାନମନ୍ତ୍ରୀଙ୍କ ସେକ୍ରେଟାରୀ କହିଲେ, ‘ଆମେ ଆଉ କ’ଣ କରିପାରୁ କହନ୍ତୁ ।’ ମେମ୍ ସାହେବ କହିଲେ, ‘ଆପଣମାନେ ମୋପାଇଁ ବହୁତ କଷ୍ଟ ସହିଲେଣି । ତେବେ ମଣିଷ ତ ପାଇଲା ଗାଡ଼ିଆ ବୁହାନ୍ତି । ତେଣୁ ଆପଣଙ୍କ ଉପରେ ମୁଁ ଆଉ ଟିକିଏ କାମ ଲଦୁଛି । ଏ କୋଠିରେ ବହୁତଗୁଡ଼ାଏ ଆସବାବପତ୍ର ଅଛି । ଏହା ଶୀଘ୍ର ବିକ୍ରି ହୋଇଯିବା ଦରକାର-। ମୋର ଓ ସାହେବଙ୍କ ନାମରେ ବ୍ୟାଙ୍କ୍‍ରେ ଯେଉଁ ଆକାଉଣ୍ଟ୍‍ଗୁଡ଼ାକ ଅଛି ତାହା ଚୁକ୍ତି କରି ସେ ଟଙ୍କା ମୋତେ ମିଳିବାର ବନ୍ଦୋବସ୍ତ କରିଦେବାକୁ ଅନୁରୋଧ । ସର୍ବୋପରି, ସାହେବଙ୍କ ଅସ୍ଥି ଜଣେ ବ୍ରାହ୍ମଣଦ୍ୱାରା ସଂଗ୍ରହ କରି ମୋତେ ଅଣାଇଦେବେ । ଦଶାହ ଦିନକୁ ମୁଁ ହରିଦ୍ୱାରରେ ଯାଇ ପହଞ୍ଚିବି । ତେଣୁ ଏଇ ଦୁଇ ଚାରିଦିନ ଭିତରେ ଏତକ କାମ କରାଇଦେବାକୁ ଅନୁରୋଧ-। ଆମେ ଏଠାରେ ଦୁଇଟି ମାତ୍ର ସ୍ତ୍ରୀଲୋକ । ଆପଣ ସହାୟ ନହେଲେ ଏ କାମ ପାରିବି ନାହିଁ ।’

 

“ପ୍ରଧାନମନ୍ତ୍ରୀଙ୍କ ସେକ୍ରେଟାରୀ କହିବା ସାଙ୍ଗେ ସାଙ୍ଗେ କାମଗୁଡ଼ିକ ଗୋଟିଏ କାଗଜରେ ଟିପି ସାରିଥାନ୍ତି । ବିଦାୟ ନେବାକୁ ଉଠୁ ଉଠୁ ସେ କହିଲେ, ‘ଏହା ଦୁଇଦିନ ଭିତରେ କରାଇଦେଉଛି । ତଡ଼ବଡ଼ରେ ଏ ଜିନିଷାତ୍ ବିକ୍ରି କରିଦେଲେ, ଦାମ ଟିକିଏ କମ୍ ହୋଇଯାଇପାରେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣଙ୍କର ଯେତେଦିନ ଇଚ୍ଛା ଆପଣ ଏଠାରେ ରହିପାରନ୍ତି ।’ ମେମ୍ ସାହେବ କହିଲେ, ‘ଆଉ ଏଠାକୁ ଫେରିବାକୁ ମୋର ଇଚ୍ଛା ନାହିଁ । ମୁଁ ସ୍ଥାୟୀଭାବେ ହରିଦ୍ୱାରରେ ରହିଯିବି । ପଇସା, ଅଳ୍ପ ହେଉ ବା ବେଶି ହେଉ ଏ ଜିନିଷ ସବୁ ଶୀଘ୍ର ଆଖି ଆଗରୁ ଯିବା ଦରକାର ।’ ହଉ ବୋଲି ଉଠୁ ଉଠୁ ଅର୍ଥ ବିଭାଗ ସେକ୍ରେଟାରୀ କହିଲେ, ଆପଣଙ୍କର ଆପତ୍ତି ନଥିଲେ, ଘରେ କ’ଣ ଆସବାବପତ୍ର ଅଛି, ତା’ର ମୋଟାମୋଟି ଧାରଣା କରିବାକୁ ଆମେ ଟିକିଏ ଦେଖିପାରିବୁ କି ?’ ଆପତ୍ତି ନାହିଁ ବୋଲି କହି, ସବୁ ଘର ଦେଖାଇଦେବାକୁ ମେମ୍ ସାହେବ ହୁକୁମ କଲେ ।

 

“ଆଗନ୍ତୁକମାନେ କୋଠରୀରୁ ବାହାରକୁ ଯିବା ପରେ ମେମ୍ ସାହେବଙ୍କର ମୋ ଉପରେ ଦୃଷ୍ଟି ପଡ଼ିଲା । ସେ ହଠାତ୍ ଉଠିପଡ଼ି ପ୍ରଧାନମନ୍ତ୍ରୀଙ୍କ ସେକ୍ରେଟାରୀଙ୍କୁ ପୁଣି ଡାକି ଆଣିଲେ ଓ ପାଖରେ ବସାଇ ଅନୁନୟ ସ୍ୱରରେ କହିଲେ, ମୋର ସ୍ୱାର୍ଥ ଚିନ୍ତାରେ ମୁଁ ଗୋଟିଏ କଥା ପାସୋରି ଯାଇଛି । ମୋର ଏ ଭଉଣୀର ଭାଉଜକୁ ସାହେବ ନେଇ ପାଗଳଗାରଦରେ ରଖାଇଛନ୍ତି-। ତା’ର ବର୍ତ୍ତମାନ ଅବସ୍ଥା କ’ଣ ମୁଁ ଜାଣେ ନାହିଁ । ତାକୁ ମୁକୁଳାଇ ଦେଲେ ମୁଁ ତାକୁ ମୋ ସାଙ୍ଗରେ ନିଅନ୍ତି ।’ ସେକ୍ରେଟାରୀ କହିଲେ, ‘ଏଇତ ? ମୁଁ ଆଜି ତାହା କରାଇଦେଉଛି । ରୋଗିଣୀର ନାମ କ’ଣ ? ମେମ୍ ସାହେବ ବିବ୍ରତ ହୋଇ ମୋତେ ଚାହିଁଲେ । ମୁଁ କହିଲି, ତାଙ୍କ ନାମ ଦୁର୍ଗା-। କିନ୍ତୁ ତାଙ୍କ ନାମ ପାଗଳଗାରଦର ରେଜିଷ୍ଟ୍ରିରେ ଲେଖାହୋଇନଥାଇପାରେ । ସାହେବ ମୋତେ ନାମ ପଚାରି ନାହାନ୍ତି । ଭାବୀବି ନାମ କହିନଥିବେ ।’ ସେକ୍ରେଟାରୀ କହିଲେ, ‘ତାହାହେଲେ ଆପଣଙ୍କୁ କଷ୍ଟକରି ପାଗଳଗାରଦକୁ ଯିବା ଦରକାର ପଡ଼ିପାରେ । ମୁଁ ଯାଇ ବର୍ତ୍ତମାନ ସବୁ ଠିକ୍‌ଠାକ୍ କରୁଛି-। ଆପଣଙ୍କୁ ଯେତେବେଳେ ସୁବିଧା ହେବ, ଆସି ନେଇଯିବି । କିନ୍ତୁ ଗୋଟିଏ କଥା । ରୋଗିଣୀର ଅବସ୍ଥା ଯଦି ଖୁବ୍ ଖରାପ ଥାଏ, ତେବେ ତାକୁ ସାଙ୍ଗରେ ନେବା କ’ଣ ଠିକ୍ ହେବ ?’

 

“ମେମ୍ ସାହେବ କହିଲେ, ‘ମୋର ବିଶ୍ୱାସ, ପାଗଳଗାରଦରେ ତାଙ୍କର ଯେତିକି ଯତ୍ନ ନିଆହେଉଥିବ, ସେତିକି ଆମେ କରିବାକୁ ସମର୍ଥ ହେବୁ ।’ ସେକ୍ରେଟାରୀ ମୁଡ଼ୁକି ହସି କହିଲେ, ‘ପାଗଳଗାରଦବାଲା ଗୋଟିଏ ରୋଗୀକୁ ମାସେ ଖଣ୍ଡେ ଚିକିତ୍ସା କରିବାକୁ ପାଇଲେ ଆଉ ମଣିଷ କରି ରଖନ୍ତି ନାହିଁ । ୟେ କେତେ ଦିନ ରହିଲେଣି ?’

 

(୧୩)

 

ତାରାର ଜୀବନ ବୃତ୍ତାନ୍ତ ପଢ଼ା ଆମର ପ୍ରାତ୍ୟହିକ କର୍ମ ହୋଇଯାଇଥାଏ । ସନ୍ଧ୍ୟା ଲାଗିବାର ପରେ ପରେ ସମସ୍ତେ ଆସି ଜୁଟିଯାଉଥାନ୍ତି । ପଶ୍ଚିମକବାଟେ ସାଙ୍ଗରେ ଆଜି ଆଣିଥାନ୍ତି ପ୍ରାୟ ସାତ ଜଣ ସାଙ୍ଗ । ପୁରାଣ ଶୁଣିବାଠାରୁ ତାଙ୍କର ଏଥିରେ ଅଧିକ ଆଗ୍ରହ ହେଉଥାଏ ।

 

ମୁଁ ପଢ଼ିବାକୁ ଆରମ୍ଭ କରିବା ପୂର୍ବରୁ ମହାପାତ୍ରେ କହିଲେ, ସେଦିନ ଯେଉଁ ସ୍ତ୍ରୀଲୋକଟି ପୁଞ୍ଜିଏ ଖାଇବାକୁ ଏଠାରେ ଆସି ପହଞ୍ଚିଥିଲା, ତା’ଠାରେ ଏତେ ସାହିତ୍ୟିକ ପ୍ରତିଭା ଥିବାର କିଏ କେମିତି ଅନୁମାନ କରନ୍ତା କହିଲ !’

 

ନାୟକେ ଜବାବ ଦେଲେ, ‘ହଁ ସାହିତ୍ୟିକ ପ୍ରତିଭା ଯା’ଠାରେ ତା’ର କୋଠା, ମଟରଗାଡ଼ି, ବ୍ୟାଙ୍କ୍‍ରେ ମହଜୁଦ୍ ଟଙ୍କା ଥିବାର ଚାହିଁ, ନା ?’

 

ସମସ୍ତେ ହସିଲେ । ଦାସେ କହିଲେ, ‘ସାହିତ୍ୟିକ ପ୍ରତିଭା ତାରାଠାରେ ଯେ ନାହିଁ ତାହା ନୁହେଁ; କିନ୍ତୁ ବାରିବାବୁ ଯାହା ପଢ଼ୁଛନ୍ତି ତାହା ସମ୍ପୂର୍ଣ୍ଣ ତାରାର କୃତି ନୁହେଁ । ସେ ପ୍ରତିଦିନ ଯାହା ଲେଖୁଛି ତାହା ଆମ ଘରୋଇ ବିଭାଗରେ ଆଗ କାଟଛାଟ ହେଉଛି; ତା’ପରେ ତାହା ଆସି ପଡ଼ୁଛି ବାରିବାବୁଙ୍କ ହାତରେ । ସାହିତ୍ୟିକ ରୂପଟା ଦେଉଛନ୍ତି ବାରିବାବୁ । ଅନୁଭୂତି ତାରାର, ଭାଷାରେ ରୂପାୟନ ବାରିବାବୁଙ୍କର ।’

 

ମହାପାତ୍ରେ କହିଲେ, ‘ଆଉ ସାଂସ୍କୃତିକ ସମୀକ୍ଷା ଆମ ଭାଉଜଙ୍କର । ଏହା ତେବେ ଗୋଟିଏ ସମବାୟିକ ଉଦ୍ୟମ !’

 

ପଶ୍ଚିମ କବାଟଙ୍କ ଅଧୀରତା ଲକ୍ଷ୍ୟ କରି ବାହିନୀପତିଏ କହିଲେ, ‘ଚକୁଳି ଖାଇବା ଛାଡ଼ି ବିନ୍ଧ ଗଣି ଲାଗିଛ କାହିଁକି ? ଆଗ ପଢ଼ାଟା ସାରିଯାଉ ।’

 

କାଲି ଯେଉଁଠାରେ ରହିଥିଲା ମୁଁ ସେଇଠାରୁ ଆରମ୍ଭ କଲି :

 

“ପ୍ରଧାନମନ୍ତ୍ରୀଙ୍କ ସେକ୍ରେଟାରୀ ତହିଁ ଆରଦିନ ସାଢ଼େ ଦଶଟାବେଳେ ଆସି ପହଞ୍ଚିଗଲେ-। ତାଙ୍କ ସଙ୍ଗେ ୧୦।୧୫ ଜଣ ଲୋକ–ଅଫିସର ହେବେ ବୋଲି ଅନୁମାନ କଲି–ଆସି ଘରର ଆସବାବପତ୍ର ବଛାବଛି କରି ନେବାକୁ ଆଡ଼େଇଲେ । ଯେ ଯାହା ଦେଲା ମେମ୍ ସାହେବ ତାହା ବିନା ବାକ୍ୟବ୍ୟୟରେ ଗ୍ରହଣ କରୁଥାନ୍ତି । ଏ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସେକ୍ରେଟାରୀ କହିଲେ, ‘ଆପଣଙ୍କର ଦୁଇଖଣ୍ଡ ମଟର ଗାଡ଼ି ଅଛି ମୁଁ ଜାଣେ । ଦୁଇଖଣ୍ଡଯାକ ଦେଇଦେବେ ନା ଖଣ୍ଡେ ରଖିବେ ?’

 

ମେମ୍ ସାହେବ ତାଙ୍କ ଆଡ଼କୁ ଶୂନ୍ୟ ଦୃଷ୍ଟିରେ ଚାହିଁଲେ । ମୁଁ ଲକ୍ଷ୍ୟ କଲି ସତେ ଯେମିତି ତାଙ୍କ ପାଟିରୁ ନାଳ ଗଡ଼ି ପଡ଼ୁଥାଏ । ବୋଧହୁଏ ଖଣ୍ଡିଏ ମଟର ପୁରସ୍କାର ପାଇଯିବା ଲୋଭରେ ସେ ଆମକୁ ସାହାଯ୍ୟ କରିବାରେ ଏତେ ଆଗ୍ରହୀ ହୋଇପଡ଼ିଥାନ୍ତି । ମେମ୍ ସାହେବ ତାଙ୍କୁ ଏ ପ୍ରଶ୍ନର ଉତ୍ତର ନ ଦେଇ ପଚାରିଲେ, ‘ପାଗଳଗାରଦକୁ ଆମକୁ ନେବା କଥା ପାସୋରି ଦେଲେ କି-?’ ସେକ୍ରେଟାରୀ ସାହେବ ଉତ୍ସୁକ ହୋଇ ଉତ୍ତର ଦେଲେ, ‘ଅପରନ୍ତୁ ମୁଁ ପ୍ରଧାନମନ୍ତ୍ରୀଙ୍କ ନିଜ ଚିଠି କାଗଜରେ ଚିଠି ଲେଖି ସୁପରିନ୍‌ଟେଣ୍ଡଣ୍ଟ୍‍ଙ୍କୁ ଜଣାଇ ଦେଇଛି ଯେ ସେ ୧୨ଟାବେଳେ ଆମକୁ ପ୍ରତୀକ୍ଷା କରିବେ ଓ ଆମର ଯାହା ଦରକାର ତାହା କରିବାକୁ ଚେଷ୍ଟିତ ହେବେ । ବାରଟା ଯାଏଁ ଆପଣଙ୍କ ଆସବାବପତ୍ର ପାର କରିବାରେ ଲାଗିବ ବୋଲି ଟେଲିଫୋନ୍ ସାହାଯ୍ୟରେ କାଲି ଅଧରାତି ଯାଏଁ ବିଭିନ୍ନ ଲୋକଙ୍କୁ ଜଣାଇ ଦେଇଥିଲି । ଆଉ ଘଣ୍ଟାକ ଭିତରେ ଅଧାଅଧି ଜିନିଷ ଚାଲିଯିବ, ବାକି ଯାହା ରହିବ ଆପଣ ଫେରିବା ପରେ ବୁଝିବା ।’

 

ମେସ୍ ସାହେବ କହିଲେ, ‘ମୋତେ ଅପେକ୍ଷା କରିବାର ପ୍ରୟୋଜନ ନାହିଁ । ଆପଣଙ୍କର ଜଣେ ବିଶ୍ୱସ୍ତ ଲୋକଙ୍କୁ ଆପଣ ଭାର ଦେଇଦିଅନ୍ତୁ । ସେ ଯାହା ବିକ୍ରି କରିବେ ତା’ର ଦାମ ତାଲିକାଟା ମୋତେ ଦେଇଦେଲେ ଯଥେଷ୍ଟ । ତାଙ୍କୁ କିଛି ପାରିଶ୍ରମିକବି ଦେବାକୁ ମୁଁ ପ୍ରସ୍ତୁତ ।’

 

ପାରିଶ୍ରମିକ କଥା ସତେ ଯେପରି ସେ ସ୍ୱପ୍ନରେ ସୁଦ୍ଧା ନ ଭାବିଥିଲା ପରି କହିଲେ, ‘ନା, ନା, ପାରିଶ୍ରମିକ କଥା ଆପଣ ମନକୁବି ଆଣନ୍ତୁ ନାହିଁ । ଆପଣଙ୍କୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ । ପ୍ରଧାନମନ୍ତ୍ରୀଙ୍କରବି ତାହାହିଁ ଇଚ୍ଛା ।’ ମେସ୍ ସାହେବ କିଛି ଜବାବ ନ ଦେଇ ତା’ର ବ୍ୟବସ୍ଥା କରିବାକୁ ଉଠିଗଲେ । ମୁଁ ଭଦ୍ରଲୋକଟି ସଙ୍ଗେ ଏକୁଟିଆ ରହିଯିବାରୁ ଟିକିଏ ବିବ୍ରତ ହୋଇ ଉଠିଯିବାକୁ ଆଳ ଖୋଜୁଛି, ସେ କହିଲେ, ‘ଆପଣ ମେସ୍ ସାହେବଙ୍କର ଜନ୍ମିତ ଭଉଣୀ, ନା ସମ୍ପର୍କୀୟ ?’ ମୁଁ କିଛି ଉତ୍ତର ନ ଦେଇ ମୁହଁକୁ ତଳକୁ କରି ବସି ରହିଲି । କିଛି ସମୟ ପରେ ସେ ପୁଣି କହିଲେ, ‘ଏକାନ୍ତରେ ମୁଁ ଆପଣଙ୍କ ପରିଚୟ ପଚାରିବାଦ୍ୱାରା ଯେଉଁ ଅସୌଜନ୍ୟ କରିଛି, ସେଥିପାଇଁ କ୍ଷମା ଚାହୁଁଛି ।’ ୟାରବି ମୁଁ କିଛି ଉତ୍ତର ଦେଲି ନାହିଁ । ଅଳ୍ପ ସମୟ ଭିତରେ ମେସ୍ ସାହେବ ଫେରି ଆସିଲେ ଓ କହିଲେ, ‘ମୁଁ ମଟର ମଗାଇ ନେଇଛି । ଚା’ ଟିକିଏ ଖାଇବା ପରେ ବାହାରିପଡ଼ିବା । ବାରଟାକୁ ଆଉ ମାତ୍ର ୧୫ ମିନିଟ୍ ବାକି ଅଛି ।’

 

ବାରଟା ବାଜିବାକୁ ୨।୩ ମିନିଟ୍ ଥାଇ ଆମେ ପାଗଳଗାରଦର ଫାଟକ ପାଖରେ ଯାଇ ପହଞ୍ଚିଲୁ । ସତକୁସତ ସୁପରିଣ୍ଟେଣ୍ଡଣ୍ଟ ଫାଟକର ଅଳ୍ପ ଦୂରରେ ନିଜେ ଆମର ପ୍ରତୀକ୍ଷାରେ ଥାନ୍ତି । ଭାବୀଙ୍କ ବିଷୟ ପଚାରିବାରେ ସେ କହିଲେ, ‘ହଁ, ମୁଁ ଜାଣେ । ବଡ଼ ସାହେବ ତାଙ୍କୁ ଆଣି ଏଠାରେ ୧୦।୧୨ ଦିନ ତଳେ ଛାଡ଼ି ଯାଇଛନ୍ତି । ତାଙ୍କର ନାମ ସେ କହି ନାହାନ୍ତି, କି ରୋଗିଣୀବି କିଛି କହୁ ନାହାନ୍ତି । ମୁଁ ଯେତେଦୂର ପରୀକ୍ଷା କରିଛି, ସେ ପାଗଳ ନୁହନ୍ତି, ମନରେ ଖୁବ୍ ଚୋଟ ଲାଗିଯିବାରୁ ‘ମୂକ ପାଲଟିଯାଇଛନ୍ତି । ମୋର ବିଶ୍ୱାସ, କିଛିଦିନ ବିଶ୍ରାମ ପାଇଲେ ଓ ଟିକିଏ ଅନୁକୂଳ ପରିବେଶରେ ରହିଲେ ସେ ସୁସ୍ଥ ହୋଇଯାଇପାରନ୍ତି ।

 

ସେକ୍ରେଟାରୀ ସାହେବ ମେସ୍ ସାହେବଙ୍କ ସଙ୍ଗେ ଚୁପ୍ ଚୁପ୍ ପରାମର୍ଶ କରି କହିଲେ, ‘ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା, କିଛିଦିନ ଏଇ ମେସ୍ ସାହେବଙ୍କ ସଙ୍ଗେ ତାଙ୍କୁ ରଖାଇବେ । ସମଦୁଃଖୀ ସଙ୍ଗେ ରହିଲେ ତାଙ୍କର ମାନସିକ ଅବସାଦ, ଲଘୁ ହୋଇଯାଇପାରେ । ଫଳ ନହେଲେ ପୁଣି ଆପଣଙ୍କ ପାଖକୁ ଆସିବୁ ।’

 

ମେସ୍ ସାହେବଙ୍କ ପରିଚୟ ପାଇ ସୁପରିଣ୍ଟେଣ୍ଡଣ୍ଟ ସାହେବ ସମବେଦନା ପ୍ରକାଶ କଲେ ଓ କହିଲେ, ‘ପ୍ରଧାନମନ୍ତ୍ରୀଙ୍କ ଆଦେଶରେ ରୋଗିଣୀଙ୍କୁ ଛାଡ଼ିଦେବାରେ ମୋର ଆପତ୍ତି ହୋଇନପାରେ । ଆପଣ ଦୁହିଁଙ୍କୁ ଦୁଇଟା ଦସ୍ତଖତ ମାତ୍ର ଦେବାକୁ ହେବ ।’

 

ପାଞ୍ଚ ମିନିଟ୍ ଭିତରେ ମେସ୍ ସାହେବ ଓ ମୁଁ ଯାଇ ଭାବୀଙ୍କ କୋଠରୀ ଆଗରେ ଠିଆ ହେଲୁଁ । ସେ ତଳକୁ ମୁହଁ ପୋତି, ବସିଥିବା ଖଟର ଶେଯକୁ ଆଉଁସୁଥାନ୍ତି । ‘ଭାବୀ’ ବୋଲି ମୁଁ ଡାକି ଦେବାମାତ୍ରେ ସେ ଚମକି ପଡ଼ି ମୋତେ ଚାହିଁଲେ ଓ ଡେଇଁ ପଡ଼ିଲା ପରି ଖଟରୁ ଓହ୍ଲାଇ ଆସି ମୋତେ କୁଣ୍ଢାଇ ପକାଇଲେ । ତାଙ୍କ ଆଖିରୁ ଲୁହ ଗଡ଼ି ମୋର ଛାତି ଓଦା ହୋଇଗଲା । ମୋ ଆଖିରୁବି ଲୁହ ଗଡ଼ୁଥାଏ । ମେମ୍ ସାହେବଙ୍କ ଆଖି ମଧ୍ୟ ଛଳଛଳ ହୋଇଥାଏ ବୋଲି ପରେ ଲକ୍ଷ୍ୟ କଲି ।

 

ମୋ’ ଠାରୁ ଆଖି ବୁଲାଇ ଭାବୀ ଛନଛନ ହୋଇ ଚାରିଆଡ଼କୁ ଚାହିଁଲେ । ତାଙ୍କ ଆଖିରେ ତ୍ରସ୍ତତାର ଲକ୍ଷଣ ଦିଶୁଥାଏ । ପରେ ଠଉରାଇଲି, ସେ ସେଇ ବଡ଼ ସାହେବଙ୍କୁ ଖୋଜୁଥାନ୍ତି । ସେତେବେଳେ ଏକଥା ମନକୁ ଆସିଥିଲେ ତାଙ୍କୁ ଶୁଣାଇ ଦେଇଥାନ୍ତି । ତାଙ୍କୁ ତୁନି ତୁନି କରି ଆମ ନିଜ ଭାଷାରେ ଶୁଣାଇଦେଲି ଯେ ଆମ ପାଖରେ ଠିଆ ହୋଇଥିବା ମହିଳାଟି ଆମରି ପରି ଦୁଃଖୀ; ହିନ୍ଦୁ ମୁସଲମାନଙ୍କ ଦଙ୍ଗାରେ ନିଜର ପତିକୁ ହରାଇଛନ୍ତି ।

 

ଏହା ଶୁଣିବାମାତ୍ରେ ଭାବୀ ମୋ ପାଖରୁ ଧୀରେ ଧୀରେ ମେମ୍ ସାହେବଙ୍କ ପାଖକୁ ଗଲେ ଓ ତାଙ୍କ ହାତ ଦୁଇଟିକୁ ନିଜର ଦୁଇ ହାତରେ ଧରି ନିଜର ମୁଣ୍ଡରେ ଓ ତା’ପରେ ମେମ୍ ସାହେବଙ୍କ ମୁଣ୍ଡରେ ଲଗାଇଲେ । ଦୁହେଁଯାକ ନୀରବ । ଏତିକିରେ ଦୁଇଜଣଙ୍କ ଭିତରେ କ’ଣ ଗୋଟାଏ ବୁଝାମଣା ହୋଇଗଲା ଯେ ଦୁହେଁ ଯେତେ ଦିନ ଏକାଠି ରହିଲେ ପରସ୍ପର ସଙ୍ଗେ ଯୋଡ଼ି ହୋଇଗଲେ । ମୁଁ ଆଡ଼େଇ ହୋଇ ରହି ଏ ଦୁଇଜଣଙ୍କୁ ତପସ୍ୱିନୀ ପରି ଭକ୍ତିପୂର୍ଣ୍ଣ ପୂଜା କରିବାରେ ଲାଗିଲି ।

 

ସୁପରିନ୍‌ଟେଣ୍ଡେଣ୍ଟ୍‌ ସାହେବଙ୍କଠାରୁ ବିଦାୟ ନେଇ ଆମେ ଆମ ମଟର ପାଖକୁ ଆସିଲୁ-। ମଟର ଭିତରେ ପ୍ରଧାନମନ୍ତ୍ରୀଙ୍କ ସେକ୍ରେଟାରୀ ବସିବାରେ ଭାବୀଙ୍କର ସନ୍ତ୍ରସ୍ତ ଭାବ ପୁଣି ଦେଖାଗଲା । ମେମ୍ ସାହେବ ଏହା ଲକ୍ଷ୍ୟ କରିବାରୁ ଆମେ କୋଠିରେ ପହଞ୍ଚିବା ପରେ ଭାବୀଙ୍କୁ ମୋ ସଙ୍ଗେ ନିଜ କୋଠରୀକୁ ଛାଡ଼ିଦେଇ ମେମ୍ ସାହେବ ବାହାର ବୈଠକଖାନାରେ ସେକ୍ରେଟାରୀଙ୍କ ସଙ୍ଗେ କଥାବାର୍ତ୍ତା ହେବାକୁ ରହିଲେ ।

 

ଭାବୀ ପ୍ରଥମେ କେତେବେଳେ ମୋତେ କିଛି ନ କହି ଖାଲି ମୋର ମୁହଁରେ ଦେହରେ ହାତ ବୁଲାଉଥାନ୍ତି । ମୋର ଇଙ୍ଗିତରେ ମଲ୍ଲୀମା ଖାଇବା ଜିନିଷ ଆଣିଦେଲା । ମୁଁ ତାହା ଭାବୀଙ୍କୁ ଖୁଆଇବାକୁ ଉଦ୍ୟତ ହେବାରେ ସେ ନ ଖାଇ ମୋତେ ଖୁଆଇବାକୁ ଲାଗିଲେ । ମୁଁ ଆପତ୍ତି ନ କରି ଖାଇଲି । ମୋର ମା’ ମନେପଡ଼ିବାରୁ ମୋ ଆଖିରୁ ଲୁହ ଗଡ଼ିବାର ଦେଖି ସେ ନିଜ ପଣତକାନିରେ ଆଖି ପୋଛିଦେଉଥାନ୍ତି । ଏତିକିବେଳେ ମେମ୍‌ସାହେବ ଆସି ପହଞ୍ଚି ଆମ ଦୁଇ ଜଣଙ୍କୁ ଚାହିଁ ଟିକିଏ ଠିଆହେଲେ । ତାଙ୍କ ମୁହଁରେ ତୃପ୍ତିର ଆଭାସ ଲକ୍ଷ୍ୟ କଲି । ମୋର ଆପତ୍ତି ସତ୍ତ୍ୱେ ମୋତେ ଆଉ ଦି’ ଗୁଣ୍ଡା ଖୁଆଇବା ପରେ ମୁଁ ଉଠି ଯାଇ ମୁହଁ ଧୋଇଲି । ମେମ୍ ସାହେବ ଭାବୀଙ୍କ ପାଖରେ ଆସି ବସିଲେ ଓ ସରବତ ମଗାଇ ଗ୍ଲାସେ ଭାବୀଙ୍କ ହାତକୁ ଦେଇ କହିଲେ, ‘ତୁମେ ନ ପିଇଲେ ମୁଁ ପିଇବି ନାହିଁ ।’ ଭାବୀ କିଛି ନ କହିବାରେ ସେ ପୁଣି କହିଲେ, ‘ଆଜିଠାରୁ ତୁମେ ଓ ମୁଁ ସବୁ ଦିନ ଏକ ସଙ୍ଗେ ଖାଇବା । ତୁମେ ନ ଖାଇଲେ, ମୁଁ ବି ଓପାସ ରହିବି ।’ ଭାବୀଙ୍କ ମୁହଁରେ ମୃଦୁହାସ ଦେଖାଗଲା । ସେ ସରବତ ଗ୍ଲାସ୍‍କ ପିଇଲେ । ସେଇ ଦିନଠାରୁ ଏ ଦୁଇଜଣ ଖାଇବା ଶୋଇବା ସବୁ ବିଷୟରେ ଏକାନ୍ତ ସଙ୍ଗୀ ହୋଇଗଲେ ।

 

ଭାବୀ ଶୋଇବା ପରେ ମେମ୍ ସାହେବ ମୋତେ ଡାକି ତାଡ଼ାଏ ନୋଟ୍ ଦେଲେ ଓ କହିଲେ, ‘ଆମର ଦୁଇଟା ମଟରରୁ ଗୋଟାଏ ସେକ୍ରେଟାରୀଙ୍କୁ ଦେଇଦେଲି । ବିଚାରା ସେଇ ଲୋଭରେ ଆମକୁ ସାହାଯ୍ୟ କରିଥିଲା । ମୋତେ ଦାମ୍ ପଚାରିଲା, ମୁଁ କହିଲି, ଆପଣଙ୍କର ଯେତିକି ଦେବାକୁ ମନ, ଦିଅନ୍ତୁ, ସେ ଏତକ ଦେଇଛି ।’

 

ମୁଁ ଗଣିବାକୁ ଆରମ୍ଭ କରନ୍ତେ ସେ କହିଲେ, ‘ଗଣିବା ଦରକାର ନାହିଁ । ବୃଥା ସମୟ ନଷ୍ଟ । ଏ ଟଙ୍କାତକ ସରିଲେ ଆମେ ବଞ୍ଚିବା ।’ ଏତିକିବେଳେ ମଲ୍ଲୀମା ଆସି ଆଉ ବିଡ଼ାଏ ନୋଟ୍ ଦେଲା । ତାକୁବି ମେମ୍ ସାହେବ ମୋତେ ବଢ଼ାଇଦେଲେ । ବୁଢ଼ୀ କହିଲା, ‘ଆଉ କେତେ ବାକି ରହିଛି ବୋଲି ସେ ବାବୁ କହିଲା । ଚାରିଟାବେଳେ ଆଣି ଦେଇଯିବ । ଆମର ସବୁତକ ଜିନିଷ ଚାଲିଯିବାରୁ ଘରଟା ଖାଁ ଖାଁ କରୁଛି ।’

 

ମେମ୍ ସାହେବ କହିଲେ, ‘ସବୁ ତ ଖାଁ ଖାଁ କରୁଛି, ଘରଟା କାହିଁକି ବାକି ରହିବ ? ସେକ୍ରେଟାରୀଙ୍କୁ କହିଛି, ସେ ଦୁଇଜଣ ଜହୁରି ଆଣି ଅଳଙ୍କାରଗୁଡ଼ାକ ବିକ୍ରି କରିଦେବାର ବ୍ୟବସ୍ଥା କରିବେ । ସାମାନ୍ୟ କିଛି ତାରାପାଇଁ ରଖି ବାକି ସବୁତକ ଦେଇଦେବା ।’

 

ମୁଁ କହିଲି, ‘ମେମ୍ ସାହେବ ! ମୋର କିଛି ଅଳଙ୍କାର ଦରକାର ନାହିଁ । ମୋପାଇଁ କିଛି ରଖ ନାହିଁ ।’

 

ବିରକ୍ତ ହୋଇ ମେମ୍ ସାହେବ କହିଲେ, ‘ଅଳଙ୍କାର କଥାରେ ତୋ’ର ମୁଣ୍ଡ ଘୂରାଇବା ଦରକାର ନାହିଁ; କିନ୍ତୁ ଗୋଟିଏ କଥାକୁ ସାବଧାନ ! ତାରା, ଆଉ ଦିନେ ମୋତେ ମେମ୍ ସାହେବ ବୋଲି କହିବୁ ନାହିଁ । ସେ ବେଳ ଯାଇଛି । ମୁଁ ତୋର ଦିଦି । ମୋତେ ଦିଦି ବୋଲି ଡାକିବୁ ଓ ଦିଦି ପରି ମାନିବୁ, ଜାଣିଥା ।’ ମୁଁ କଇଁକଇଁ ହୋଇ କାନ୍ଦି ତାଙ୍କୁ କୁଣ୍ଢାଇ ପକାଇଲି । ସେ ମୋ ମୁଣ୍ଡରେ ହାତ ବୁଲାଉ ବୁଲାଉ କହିଲେ ‘ତୋର ସୁଖ ଦେଖିପାରିଲେ, ମୋର ମନ ବହୁତ ଶୀତଳ ହେବ ।’ ଭାବୀ ମୋ ଆଡ଼କୁ ସନ୍ତୋଷରେ ଚାହିଁଲେ, କହିଲେ, ‘ମୋର ମଧ୍ୟ ସେଇ କାମନା ।’ ମଣିଷର କାମନା ! ମୋର ଭବିଷ୍ୟତ ପାଇଁ ଏତେ ଯନ୍ତ୍ରଣା, ଏତେ ଦହଗଞ୍ଜ ଥିଲା ବୋଲି ସେମାନେ ଜାଣନ୍ତେ କୁଆଡ଼ୁ ? ଭାବୀ ଓ ଦିଦିଙ୍କ ପାଖରେ ଅଲିଅଳ ଝିଅ ହୋଇ ଚଳିବାବେଳେ କିନ୍ତୁ ମୋର ମନରେ ସବୁବେଳେ ଆଶଙ୍କା ଥାଏ, ମୋ ପରି ଅଲକ୍ଷଣୀର ଏତେ ସୁଖ ଭାଗ୍ୟଦେବତା ସହିବ ନାହିଁ ।

 

ଯାହାହେଉ, ଜେଠା ମରିବା ଦିନୁ ମୂକ ହୋଇଯାଇଥିବା ଭାବୀଙ୍କ ତୁଣ୍ଡରୁ ଚାରିପଦ କଥା ଶୁଣି ମୋ’ର ପେଟ ପୂରିଗଲା । ମୁଁ ତାଙ୍କ ସଙ୍ଗେ କଥାବାର୍ତ୍ତା ହେବାକୁ ଚେଷ୍ଟା କଲି । ମୋ ବିଷୟରେ ସେ କ’ଣ ପଚାରି ବୁଝିବେ ବୋଲି ଆଶା କରି ରହିଲି । କିନ୍ତୁ ତୁନି ହୋଇ ରହିବା ଭାବୀଙ୍କ ଅଭ୍ୟାସ ହୋଇଯାଇଥାଏ ପରା ! ଦିଦିଙ୍କ ସଙ୍ଗେ ଖାଲି ଚାହାଣିରେ ତାଙ୍କର କଥାବାର୍ତ୍ତା ହେଉଥାଏ; ଉଭୟେ ଅଧିକାଂଶ ସମୟ ତୁନି ହୋଇ ରହନ୍ତି । ମଝିରେ ମଝିରେ ଦିଦି ମତେ ପଦେ ଦି’ପଦ କହୁଥାନ୍ତି, ଭାବୀ ପ୍ରାୟ ସବୁବେଳେ ସନ୍ତୋଷପୂର୍ଣ୍ଣ ଚାହାଣିରେ ମୋତେ ଟିକିଏ ଚାହୁଁଥାନ୍ତି ମାତ୍ର । ଦିନକେ ପଦେ ଦି’ପଦରୁ ଅଧିକ କଥା ତାଙ୍କଠାରୁ ମିଳେନାହିଁ ।

 

ସାହେବଙ୍କ ମରିବାର ଚତୁର୍ଥ ଦିନ ସନ୍ଧ୍ୟାରେ ଦିଦି ମୋତେ କହିଲେ, ‘ତାରା ! କାଲି ସକାଳୁ ଆମେ ଏଠା ଛାଡ଼ିବା । ମୋ’ର ଲୁଗାପଟା ସବୁ ତ ଦିଆ ହୋଇ ସାରିଲାଣି । ମୋର ଛେଦା ଶାଢ଼ି ୩ ଖଣ୍ଡ ଓ ଭାବୀଙ୍କର ୩ ଖଣ୍ଡ ବ୍ଲାଉଜ୍ ଦୁଇ ଚାରିଟା ଗୋଟିଏ ଛୋଟିଆ ସୁଟ୍‌କେସ୍‌ରେ ରଖିଦେବୁ । ତୋର ଲୁଗାପଟା, ପଇସା ଓ ଜିନିଷପତ୍ର ଗୋଟିଏ ଟ୍ରଙ୍କ୍‍ରେ ରଖିବୁ; ବୁଢ଼ୀକୁ ଗୋଟିଏ ଭଲ ଟ୍ରଙ୍କ୍ ଓ କେତେଖଣ୍ଡ ଶାଢ଼ି ଦେବୁ । ତାଙ୍କ ଜାତିର ବିଧବାବି ଶାଢ଼ି ପିନ୍ଧୁଛନ୍ତି । ଆମେ ଯିବା ଆମ ମଟରରେ । ଡ୍ରାଇଭରକୁ କହିଛି, ସେ ଆମକୁ ହରିଦ୍ୱାରରେ ଛାଡ଼ିଦେଇ ମଟରଟି ନେଇ ଚାଲିଆସିବ । ତା’ର ମନ ସେ ଆମ ପାଖରେ ରହନ୍ତା । କିନ୍ତୁ ଆମର ଏଡ଼େ ବଡ଼ ମଟର କ’ଣ ଦରକାର ? ମୁଁ ୟାଙ୍କ ଘରକୁ ଆଗ ହୋଇ ଏଇ ମଟରରେ ଆସିଥିଲି, ଯିବି ଏଇଥିରେ; ବେଶ୍ ସେତିକି । ଡ୍ରାଇଭର ବିଚରା ଏ ଖଣ୍ଡି ଟ୍ୟାକ୍‌ସି କଲେ ଜୀବନ ତମାମ ଚଳିଯିବ । ଆମେରିକାନ୍ ହଡ଼୍‌ସନ୍ ଗାଡ଼ି, ନୂଆ ପରି ରହିଛି । ଏଖଣ୍ଡ ବିକିଦେଲେବି ଦି’ଖଣ୍ଡ ଦେଶୀ ମଟର କିଣିପାରିବ । ବିଦା କଲାବେଳେ ତାକୁ କିଛି ଟଙ୍କାବି ଦେବା ସାହେବଙ୍କ ପାଖେ ବହୁତ ଦିନରୁ ରହିଛି ।’

 

ତହିଁ ଆରଦିନ ନିର୍ଦ୍ଦିଷ୍ଟ ସମୟରେ ଯାଇ ହରିଦ୍ୱାରରେ ପହଞ୍ଚିଲୁ । ଡ୍ରାଇଭରର ଚେଷ୍ଟାରେ ଗୋଟିଏ ସୁନ୍ଦର ଭଡ଼ାଘର ଗଙ୍ଗାମାତାଙ୍କ କୂଳରେ ଅତି ଅଳ୍ପ ସମୟ ଭିତରେ ମିଳିଗଲା-। ଭଡ଼ା ଖୁବ୍ ବେଶି । କିନ୍ତୁ ଦିଦି କହିଲେ, ‘ସେଥିକୁ ଚିନ୍ତା ନାହିଁ । ଆମେ ତ ବେଶିଦିନ ଏ ଘରେ ରହିବା ନାହିଁ । ଦଶାହ କାର୍ଯ୍ୟ ସରିଲେ ଆମେ ଋଷିକେଶ ବା ଅନ୍ୟ କୌଣସି ଆଶ୍ରମରେ ରହିବା-। ବର୍ତ୍ତମାନ ପ୍ରଥମ କାର୍ଯ୍ୟ ମୋ ଦିଦିଙ୍କୁ ଯାଇ ବାହାର କରିବା । ତାଙ୍କ ସଙ୍ଗେ ମୋର ବହୁତ କାମ-। ପେନ୍‌ସନ୍ କାଗଜଟା ତାଙ୍କ ନାମରେ ଟ୍ରାନ୍‌ସ୍‌ଫର୍ କରିବାକୁ ହେବ । ଶୁଦ୍ଧଘରେ ସେ ମଧ୍ୟ ମୋ ସଙ୍ଗେ ମିଶିବା ଦରକାର ।’

 

ସାହେବଙ୍କଠାରୁ ପ୍ରତିମାସ ଆରମ୍ଭରେ ତାଙ୍କ ପାଖକୁ ୩ ଶହ ଟଙ୍କା ଖୁରାକ ପୋଷାକ ଆସେ । ଯେଉଁ ଠିକଣାରେ ଟଙ୍କା ଆସେ, ସେଇ ଠିକଣାରେ ଯାଇ, ପହଞ୍ଚିବା ଦିନ ଓପରଓଳି ଅନୁସନ୍ଧାନ କଲୁଁ । କିନ୍ତୁ ସେ ଠିକଣାରେ କେହି ନ ଥାନ୍ତି । ଘର ଖାଲି । ପାଖ ପଡ଼ିଶାରେ ପଚରାପଚରି କରି ଘରର ମାଲିକଙ୍କ ପାଖେ ଯାଇ ପହଞ୍ଚିଲୁ । ଦିଦି ତାଙ୍କୁ ତାଙ୍କ ସଉତୁଣୀଙ୍କ ଖବର ପଚାରିବାରେ ସେ କହିଲେ, ‘ଆପଣଙ୍କର ଯଦି କିଛି ଖବର ଦେବାର ଅଛି ତେବେ ଆପଣ ଦେଇ ଯା’ନ୍ତୁ, କିନ୍ତୁ ତାଙ୍କ ସଙ୍ଗେ ବର୍ତ୍ତମାନ ଦେଖା ହେବ ନାହିଁ ।’ ଦିଦି ତାଙ୍କୁ ବିଶେଷ ଅନୁନୟ ବିନୟ କଲେ, ଗୁରୁତର ଖବର ତାଙ୍କୁ ଦେବାକୁ ଅଛି ବୋଲି କହିଲେ, ତାଙ୍କ ସଙ୍ଗେ ଦେଖା କରାଇଦେଲେ ଘର ମାଲିକଙ୍କୁ ପୁରସ୍କାର ଦେବେ ବୋଲି ପ୍ରଲୋଭନ ଦେଖାଇଲେ ଓ ତାଙ୍କର କୌଣସି ଘର ଖାଲି ଥିଲେ ଭଡ଼ାରେ ରହିବେ ବୋଲି କହିଲେ । ୟାଙ୍କ ପ୍ରଲୋଭନରେ ନୁହେଁ, ୟାଙ୍କ ବିକଳଭାବ ଦେଖି ଚୌଧୁରୀଙ୍କ ହୃଦୟ ଟିକିଏ ତରଳିଲା ବୋଧହୁଏ । ସେ ଦିଦିଙ୍କ ମୁହଁକୁ ଚାହିଁ, ମୋ ମୁହଁକୁ ଚାହିଁ ଟିକିଏ ଇତଃସ୍ତତଃ ହୋଇ କହିଲେ ‘ମା’ ! ସେ ସ୍ତ୍ରୀଲୋକଟାକୁ ଖୋଜ ନାହିଁ । ସେ ବିଧବା ହେବ ନାଇଁ କି ତୁମ ସ୍ଵାମୀଙ୍କ ଶୁଦ୍ଧଘରେ ଯୋଗ ଦେବ ନାହିଁ । ସେ ଏଠାରେ ଗୋଟାଏ ଲୋକକୁ ଧରି ରହିଛି । ଆଗେ ଏଇ ଘରେ ଥିଲେ । ବର୍ତ୍ତମାନ ଘରର ଭଡ଼ା ବଢ଼ିଯିବାରୁ ବଡ଼ କଷ୍ଟରେ ତାଙ୍କୁ ଉଠାଇ ଗୋଟିଏ ଛୋଟ ଘରେ ରଖାଯାଇଛି । ତା’ର ଖୋରାକ ଟଙ୍କା ଆସିବାର ଖବର ପାଇଲେ ସେ ଏ ଠିକଣାକୁ ଆସି ମନିଅର୍ଡ଼ର ରଖେ । ତା’ପରେ ଚାଲିଯାଏ-। ଏଥର ତ ଟଙ୍କା ବନ୍ଦ ହୋଇଯିବ, ସେ ଚଳିବ କେମିତି ? ଯେ ତାକୁ ରଖିଛି, ସେ ତ ତା’ ଟଙ୍କାପାଇଁ ରହିଛି । ଅଳ୍ପ ଦରମା ପାଇବା ଚାକିରିଆଟାଏ, ୟାରି ଟଙ୍କାଯୋଗୁଁ ପିଲାପିଲିଙ୍କୁ ଚଳାଇନେଉଥିଲା-।’

 

ଦିଦି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘ତେବେ ସେ ଲୋକଟିର ‘ଭାର୍ଯ୍ୟା ଓ ପିଲାପିଲିବି ଅଛନ୍ତି ।’

 

ଚୌଧୁରୀ ପାକୁଆ ପାଟିରେ ହସି ହସି କହିଲେ, ଭାର୍ଯ୍ୟା ବୋଲି କ’ଣ ବେଦିରେ ହାତଗଣ୍ଠି ପଡ଼ି ଭାର୍ଯ୍ୟା ହେବା କଥା କହୁଛନ୍ତି ? ୟାଙ୍କର ଆଉ ସେପରି ଭାର୍ଯ୍ୟା ଦରକାର କ’ଣ ? ଏଇ ମାଇକିନିଆ ଆଡ଼ୁ ୨ଟା ପିଲା ହେଲେଣି, ଆଉ ଗୋଟାଏ ହେବ କି ହେଲାଣି କେଜାଣି ? ଆପଣ ୟା କଥା ପାସୋରି ଦିଅନ୍ତୁ, ନିଜ କାମରେ ନିଜେ ଯାନ୍ତୁ ।’

 

ଦିଦି ଶହେଟଙ୍କିଆ ନୋଟ୍ ଖଣ୍ଡିଏ ଚୌଧୁରୀ ଆଗରେ ଥୋଇ କହିଲେ, ‘ଆପଣ ଆମପାଇଁ ଯେଉଁ ପରିଶ୍ରମ କଲେ ସେଥିକୁ ଏ କିଛି ନୁହେଁ । ଅନୁଗ୍ରହ କରି ଦିଦିଙ୍କୁ ଖବର ଦେବେ, ସେ ମୋ ସଙ୍ଗେ ଟିକିଏ ଦେଖା କରିବେ ।’ ଏହା କହି ସେ ଆମେ ଭଡ଼ା ନେଇଥିବା ଘରର ଠିକଣା ଖଣ୍ଡେ କାଗଜରେ ଲେଖିଦେଲେ ।

 

ଚୌଧୁରୀ ଶହେ ଟଙ୍କିଆ ନୋଟ୍ ଖଣ୍ଡ ଚଉତୁ ଚଉତୁ କହିଲେ, ‘ମା’ ! ତୁମର ମୁଁ କିଛି କାମ କରି ନାହିଁ; ତୁମ ଦିଦିଙ୍କୁ ତୁମ ଠିକଣା ଦେଲେ ତୁମର ଭଲ ହେବା ଅପେକ୍ଷା ମନ୍ଦ ହେବାର ଆଶଙ୍କା ଅଧିକ । ମୋର ତୁମ ଟଙ୍କା ନେବାର ନୁହେଁ, କିନ୍ତୁ ରୋଗ ତ ଖାଉଛି ।’

 

ରୋଗ ନାମ ଶୁଣି ଦିଦିଙ୍କ ମନରେ ଦୟା ହେଲା । ବୋଧହୁଏ ଆଉ ଦେବାକୁ ବିଚାରି ସେ ଅନୁକମ୍ପାରେ ପଚାରିଲେ, ‘ରୋଗ ! କି ରୋଗ ? ଚୌଧୁରୀ ହସି ହସି କହିଲେ, ‘ଏ ଦେହକୁ ମାମୁଲି ରୋଗ ଛୁଇଁ ପାରିବ ନାହିଁ । ମନର ରୋଗ ମା’ ! ମନର ରୋଗ ! ଶହେ ଟଙ୍କା ତ ବଡ଼କଥା, ଦଶ ଟଙ୍କା ନୋଟ୍ ଖଣ୍ଡେ, ମଇଳାରେ ପଡ଼ିଥିଲେବି ଗୋଟେଇ ନେବାକୁ ମୁଁ ପଛାଏ ନାହିଁ-।’

 

ଦିଦି ବିଷଣ୍ଣ ମନରେ ମୋ ସଙ୍ଗେ ମଟରକୁ ଆସିଲେ; ନିଜ ମନକୁ ମନ କହିଲା ପରି କହିଲେ, ସ୍ତ୍ରୀଲୋକର ମନ ଦେବତାମାନେବି ଜାଣିପାରନ୍ତି ନାହିଁ ବୋଲି ପୂର୍ବରୁ ଲେଖା ହୋଇ ରହିଛି । ଓଲିଆ ଗାଈଙ୍କ ପରି ବାଡ଼ ଡେଇଁବାର ପ୍ରବୃତ୍ତି ତେବେ କ’ଣ ସମସ୍ତଙ୍କର ଅଛି ? ପ୍ରଥମ ଯୌବନରେ ଓଲିଆ ହୋଇ ଏବେ ମୁଁ ଖୁଣ୍ଟମୂଳେ ବନ୍ଧା ନ ହୋଇବି, ଠିଆ ହେବାକୁ ତିଆର, ଆଉ ଦିଦି, ପ୍ରଥମ ଯୌବନରେ ସମାଜର ନିଗଡ଼ରେ ରହି, ପଛରେ ବାଡ଼ ଡେଇଁ ଚାଲିଯାଇଛନ୍ତି । ତଥାପି ତାଙ୍କ ସଙ୍ଗେ ମୋର ଦେଖା ହେବା ଦରକାର । ହୁଏତ ମୋଦ୍ୱାରା ତାଙ୍କର କିଛି ଉପକାର ହୋଇପାରେ ।’ ମୁଁ କିଛି ନ କହି ତୁନି ହୋଇ ତାଙ୍କ ପାଖରେ ବସିଥାଏ । ଏ ବିଷୟରେ ମୋର କହିବାକୁ କିଛି ନ ଥାଏ ।

 

ଦଶାହ ଦିନପାଇଁ ଦିଦି ଭାରି ଆୟୋଜନ କରିଥାନ୍ତି । ହରିଦ୍ୱାରରେ ଯେତେ ସାଧୁ ସନ୍ଥ ସମସ୍ତଙ୍କୁ ନିମନ୍ତ୍ରଣ ହୋଇଥାଏ । ଦୁଃଖୀ ରଙ୍କୀ ମଧ୍ୟ ବହୁତ ଜମିବେ ବୋଲି କଳନା କରି ଦଶ ହଜାର ଲୋକଙ୍କପାଇଁ ପୁରି, ଖେଚୁଡ଼ି ଓ ହାଲୁଆର ବନ୍ଦୋବସ୍ତ ହୋଇଥାଏ । ଜଣେ ପଣ୍ଡା, ଜଣକୁ ଦେଢ଼ ଟଙ୍କା ରେଟ୍‌ରେ ପନ୍ଦର ହଜାର ଟଙ୍କା ନେଇ ଏ ବନ୍ଦୋବସ୍ତ କରିଦେବ ବୋଲି ଭାର ନେଇଥାନ୍ତି । ଆମେ ଯେଉଁ ପ୍ରକାଣ୍ଡ ଘରେ ଥାଉ, ତହିଁରେ ୩୦ଟା ପର୍ଯ୍ୟନ୍ତ ଚୁଲା ଲାଗି ଖାଦ୍ୟ ସାମଗ୍ରୀ ତିଆରି ହେଉଥାଏ । ୟା ବାହାରେ ପ୍ରାୟ ୧୦ ହଜାର ଟଙ୍କାର ଲୁଗା କମ୍ବଳ ଆସି ଗୋଟାଏ ଘରେ ଜମା ହୋଇଥାଏ । ବ୍ରାହ୍ମଣମାନଙ୍କୁ ଦକ୍ଷିଣା ଦେବାରେ ପାଞ୍ଚହଜାର ଖର୍ଚ୍ଚ ହେବ ବୋଲି ଅଟକଳ ହୋଇଥାଏ ।

 

ଦଶାହ ଦିନ ପ୍ରାୟ ଏଗାରଟାବେଳେ, ଦିଦି ଗଙ୍ଗାଦ୍ଵାରକୁ ଯିବାକୁ ପ୍ରସ୍ତୁତ ହେଉଥାନ୍ତି । ଭାବୀ ଓ ମୁଁ ମଧ୍ୟ ତାଙ୍କ ସଙ୍ଗେ ଯିବାକୁ ତିଆର ହେଉଥାଉ । ମଲ୍ଲୀମା ସଁ ସଁ ହୋଇ ଦିଦିଙ୍କ ପାଖକୁ ଆସି କହିଲା, ‘ମା’, ବଡ଼ମା’ ! ଗୋଟାଏ କିଏ ତାଙ୍କୁ ସାଙ୍ଗରେ ଆଣି ଏ ଘର ଭିତରେ ଛାଡ଼ିଦେଇ ବାହାରେ ଟହଲ କରୁଛି । ତାଙ୍କୁ ଡାକିବି ?

 

ଦିଦି କହିଲେ, ‘ସାଙ୍ଗେ ସାଙ୍ଗେ ଡାକି ନ ଆଣି, ମତେ ପଚାରିବାକୁ ଆସୁଛୁ କ’ଣମ ? ମଲ୍ଲୀମା ଚାଲିଗଲା । ମୁଁ ବି ସେ ଘରୁ ଉଠି ଉପରମହଲା ବରଣ୍ଡାକୁ ଗଲିଭାରି ଏ ଦୁହିଁଙ୍କ କଥାବାର୍ତ୍ତାବେଳେ ପାଖରେ ରହିବା ଉଚିତ ହେବ ନାହିଁ ବୋଲି ଭାବି । ଭାବୀ ସେତେବେଳକୁ ଗୋସଲଖାନାକୁ ଯାଇଥାନ୍ତି ।

 

ମୁଁ ବାରଣ୍ଡାରେ ବୁଲୁ ବୁଲୁ ତଳେ ପଇଁତରା ମାରୁଥିବା ଜଣେ ଲୋକ ଉପରେ ଦୃଷ୍ଟି ପଡ଼ିଯିବାରେ କାବାକାଠ ହୋଇଗଲି । ୟେ ତ ପ୍ରଧାନମନ୍ତ୍ରୀଙ୍କ ସେଇ ସେକ୍ରେଟେରୀ ଯେ ଆମକୁ ପାଗଳଖାନାକୁ ନେଇଥିଲେ, ଦିଦିଙ୍କର ସବୁ ଜିନିଷପତ୍ର ବିକାଇ ଦେଇଥିଲେ, ତାଙ୍କ ସାନ ମଟରଟା ନେଲେ । ଘର ଭିତର ଆଡ଼କୁ ପଶି ଆସି ପୁଣି କୌତୂହଳୀ ହୋଇ ଚାହିଁଲି । କିନ୍ତୁ ସେ ତ ଥିଲେ ଦେଖିବାକୁ ଫର୍ସା ଫିଟ୍‌ଫାଟ୍‌; ଆଉ ୟେ କାଳିଆ, ଲୁଗାପଟାର ପରିପାଟୀ ନାହିଁ, ମୁହଁର ଚେହେରାରେ ତେଜ ନାହିଁ–କିମିତି ଚୋର ପରି ଲୁଙ୍ଗୁ ଲୁଙ୍ଗୁ ଢଙ୍ଗ । ମୁଁ ଛପି ଛପି ତାଙ୍କ ଆଡ଼କୁ ଚାହୁଁଚାହୁଁ ଥରେ ତାଙ୍କର ନଜର ମୋ ଉପରେ ପଡ଼ିଗଲା । ମୁଁ ପଛକୁ ଲସିଗଲି, କିନ୍ତୁ ଅନୁଭବ କଲି ସେ ନିର୍ମିମେଷ ଦୃଷ୍ଟିରେ ମୋତେ ଚାହିଁ ରହିଛନ୍ତି । ଲୋକଟାକୁ ମୋର ଯେତିକି ଭୟ ହେଲା, ସେତିକି ଜିଦ୍ ହେଲା ୟାର ଗତିବିଧି ଆହୁରି ଲକ୍ଷ୍ୟ କରିବାକୁ ।

 

ଏତିକିବେଳେ ଦିଦି ମୋତେ ଡାକିବାର ଶୁଣି ମୁଁ ଯାଇ ତାଙ୍କ ପାଖେ ପହଞ୍ଚନ୍ତେ ସେ କହିଲେ, ‘ଯେଉଁ ବଡ଼ ମେମ୍ ସାହେବଙ୍କ କଥା ମୁଁ ତୋତେ କହୁଥିଲି, ୟେ ସେଇ–ତୋ’ର ବଡ଼ ଦିଦି-। ୟାଙ୍କର ଟଙ୍କା ଦରକାର, ଦେ ।’ କେତେ ଟଙ୍କା ନ ଶୁଣି ମୁଁ ଚାହିଁ ରହିଲି ।

 

ଦିଦି ପଚାରିଲେ, ‘ଦିଦି, କେତେ ଦେବି ?’

 

ସେ କହିଲେ, ‘ମୁଁ କ’ଣ କହିବି, ଇଲା ! ତୁ ଯେତେ ଦେଇପାରିବୁ ଦେ । ମୁଁ ଯେଉଁ ଅବସ୍ଥାରେ ପଡ଼ିଛି ଯେତେ ଦେଲେବି କାଲିକୁ ନିଅଣ୍ଟ । ଶହେ ଟଙ୍କା ଦେ ।’ ଟିକକ ପରେ କହିଲେ, ‘ମୋତେ ଲୋଡ଼ି ଭୁଲ୍ କଲୁ । ମୁଁ ଯେଉଁ ରାକ୍ଷସ ହାବୁଡ଼େ ପଡ଼ିଛି, ତା’ର ନଜର ତୋ ଉପରେ ପଡ଼ିଲେ, ତୋର ସର୍ବନାଶ । ଏ ଘର ଛାଡ଼ି କୁଆଡ଼େ ପଳା । ତା’ର ନଜର ଏ ଘର ଉପରେ ପଡ଼ିବଣି ।’

 

ଦିଦି କହିଲେ, ‘ଦିଦି ! ମୋପାଇଁ ଦୁଃଖ କର ନାହିଁ । ମୁଁ ନିଜକୁ ଭଗବାନଙ୍କ ହାତରେ ସମର୍ପି ଦେଇଛି । ମୋର କେହି କିଛି ଅନିଷ୍ଟ କରି ପାରିବେ ନାହିଁ । ତୁମପାଇଁ ମୋର ଚିନ୍ତା । ତୁମେ ମୋ ସଙ୍ଗେ ଗଙ୍ଗାଦ୍ୱାରକୁ ଯିବ ନାହିଁ ?’

 

ସେ କହିଲେ, ‘ଛ’ ମାସ ଆଗରୁ ପଚାରିଥିଲେ ଯାଇଥାନ୍ତି । ମୋ’ର ଦୁର୍ଦ୍ଦଶା ଲୁଚାଇ ଭଲ ମଣିଷ ପରି ମୁଁ ତୋ ସାଙ୍ଗେ ଯାଇଥାନ୍ତି । କିନ୍ତୁ ଆଜି ଆଉ ପାରିବି ନାଇଁ । ମନ ଛି ହୋଇଗଲାଣି । ରାକ୍ଷସ ଦାଣ୍ଡଦୁଆରେ ଠିଆ ହୋଇଥିବ । ଯେଉଁ ତିନୋଟି ପାପର ବୋଝ ମୁଣ୍ଡାଇଛି, ସେ ଘରେ ଅଥୟ ହେବେଣି । ମତେ ଭୁଲି ଯାଆ, ଭଉଣୀ ! ମୁଁ ଆଉ ଆସିବି ନାଇଁ । ମୋତେ ସେ ଯଦି ପୁଣି ଏଠାକୁ ଠେଲିବ, ମୁଁ ଦଉଡ଼ି ଲଗେଇଦେବି । ତୁ ବି ମୋତେ ଆଉ ଖୋଜିବୁ ନାଇଁ ।’

 

ଦିଦି ତାଙ୍କୁ କୁଣ୍ଢେଇ ପକେଇଲେ, କହିଲେ, ‘ଛି, ଏମିତି କଥା ଆଉ ଦିନେ ମନରେ ବିଚାରିବ ନାଇଁ ।’ ମୋତେ ଆଙ୍ଗୁଠିରେ ସଂକେତ ଦେଲେ ତିନିଶହ ଟଙ୍କା ଆଣିଦେବାକୁ ।

 

ବଡ଼ ଦିଦି ଟଙ୍କାକୁ ଦି’ଠା କରି ଅଣ୍ଟାରେ ଖୋସି ତଳକୁ ଓହ୍ଲାଇଗଲେ । ମୁଁ ଦିଦିଙ୍କୁ କିଛି ନ କହି, ବାରଣ୍ଡାକୁ ଚାଲିଗଲି ଲୋକଟାକୁ ଲକ୍ଷ୍ୟ କରିବାକୁ । ଏଇ ତେବେ ସେଇ ରାକ୍ଷସ, ପରସ୍ତ୍ରୀକୁ ଧରି ଘର କରୁଛି ।

 

ବଡ଼ ଦିଦି ତଳକୁ ଓହ୍ଲାଇବାମାତ୍ରେ ସେ ତାଙ୍କ ପାଖରେ ଆସି ପହଞ୍ଚିଗଲା । ଇଙ୍ଗିତରୁ ଜଣାପଡ଼ିଲା, କେତେ ଟଙ୍କା ଆଣିଲୁ ଦେ ବୋଲି ମାଗୁଛି । ବଡ଼ ଦିଦି ଅଣ୍ଟାର ଗୋଟିଏ ଠା’ରୁ ଟଙ୍କା କାଢ଼ି ତା’ ହାତକୁ ବଢ଼ାଇଦେଲେ । ସେ ଦୁଇଟା ‘ଏକ୍‌କା’ ଡାକିଦେଲା । ଗୋଟାକରେ ବଡ଼ ଦିଦିଙ୍କୁ ବସାଇ ଛାଡ଼ିଦେଲା ଓ ଆଉ ଗୋଟାକରେ ଆପେ ବସି ଅନ୍ୟ ଦିଗକୁ ଚାଲିଲା–ମୋର ମନହେଲା ମଦ ଖଟିକୁ ଯାଉଛି । ସେ ଯିବା ପରେ ମୁଁ ଘର ଆଡ଼କୁ ମୁହଁ ଫେରାଇବା ବେଳକୁ ଦେଖିଲି, ଦିଦି ମୋ’ରି ପଛରେ ଠିଆହୋଇ ସେଇ ତା’ରି ଆଡ଼କୁ ଚାହିଁଛନ୍ତି । ଘରକୁ ଫେରିଲା ବେଳକୁ ସେ ଗୋଟାଏ ବଡ଼ ଦୀର୍ଘଶ୍ଵାସ ଛାଡ଼ିଲେ ।

 

(୧୪)

 

କାଲି ଯେଉଁ ପର୍ଯ୍ୟନ୍ତ ପଢ଼ିଥିଲି, ଆଜି ସମସ୍ତେ ଏକାଠି ହେବାମାତ୍ରେ, ଅନ୍ୟ କିଛି ଆଲୋଚନା ନ କରି ସେଠାରୁ ତାରାର ବୃତ୍ତାନ୍ତ ପଢ଼ିବାକୁ ଆରମ୍ଭ କରିଦେଲି ।

 

“ବଡ଼ ଦିଦି ପ୍ରଥମଥର ଟଙ୍କା ନେଇଯିବାର ଚାରିପାଞ୍ଚ ଦିନ ପରେ ପୁଣି ଥରେ ଆସିଲେ-। ଏଥର ତାଙ୍କ ସାଙ୍ଗରେ ଆଉ କେହି ଆସିନାହାନ୍ତି । ତାଙ୍କୁ ଦେଖି ଆମେ ସମସ୍ତେ କାବାକାଠ ହୋଇଗଲୁ । ତାଙ୍କୁ ଚିହ୍ନିବା କଷ୍ଟ ହେଉଥାଏ । ମୁହଁରେ ଦୁଇ ଚାରି ଜାଗା ଚୋଟ ଲାଗିଲା ପରି ଦିଶୁଥାଏ । ମୁହଁ କଳା ପଡ଼ିଯାଇଥାଏ । ଦେହ ଅଧେ ଶୁଖିଯାଇଥାଏ । ଦିଦି କହୁଥିଲେ ୟେ ଦେଖିବାକୁ ଥିଲେ ଭାରି ସୁନ୍ଦର, ତାଙ୍କ ନିଜଠାରୁ କେତେ ନା କେତେ ଗୁଣ ସୁନ୍ଦର । ମୁଁ ଆଜିଯାଏଁ ଯେତେ ମାଇକିନିଆ ଦେଖିଥିଲି ସେ ସମସ୍ତଙ୍କଠାରୁ ଦିଦି ସୁନ୍ଦର ବୋଲି ମୋର ଧାରଣା ହୋଇଥିଲା । ତାଙ୍କଠାରୁ ପୁଣି ଅଧିକ ସୁନ୍ଦର କେହି ହୋଇପାରେ ବୋଲି ମୋର ବିଶ୍ଵାସ ହେଉ ନଥିଲା । ଆଜି ବଡ଼ ଦିଦିଙ୍କୁ ଦେଖି ଏକଥା ସତ ହୋଇଥିବ ବୋଲି ବିଚାରିଲି । ପାଞ୍ଚଦିନ ପୂର୍ବେ ସେ ସେମିତି ଦିଶୁଥିଲେ, ତହିଁରୁ ଶହେ ଭାଗରୁ ଭାଗେ ରୂପବି ତାଙ୍କର ନ ଥାଏ । ପୂର୍ବେ ଦୁଃଖକଷ୍ଟ ସହିତ ମନସ୍ତାପ ଭୋଗି କେତେ ରୂପ ନଷ୍ଟ ହୋଇଥିବ ଅନୁମାନ କଲି ।

 

ଦିଦି ତାଙ୍କୁ ଦେଖିବାମାତ୍ରେ କିଛି ନ କହି ପାଖକୁ ଭିଡ଼ି ନେଇ ବସେଇଲେ । ଦୁହେଁଯାକ ତୁନିହୋଇ ଦଣ୍ଡେ ବସିବା ପରେ ମୁଁ ଓ ଭାବୀ ସେ ଘରେ ଅଛୁ ବୋଲି ବୋଧହୁଏ ତାଙ୍କର ନଜର ପଡ଼ିଲା । ଭାବୀ ଉଠିପଡ଼ି ଅନ୍ୟ ଘରକୁ ଯିବାକୁ ବାହାରୁଥିଲେ । ମୁଁ ବି ବିଚାରୁଥିଲି ଭାବୀଙ୍କ ପଛେ ପଛେ କ’ଣ ଗୋଟାଏ ଆଳରେ ଚାଲିଯିବି । କିନ୍ତୁ ବଡ଼ ଦିଦି ଭାବୀଙ୍କୁ ଠାରିଲେ ବସିବାକୁ । ପୁଣି କିଛି ସମୟ ଗଲାରୁ ସେ ଦିଦିଙ୍କୁ କହିଲେ, “ଇଲା, ଆଉ ସମ୍ଭାଳି ହେଲା ନାହିଁ ବୋଲି ପଳେଇ ଆସିଛି । ସେ ଦିପହରେ ମୋତେ ବାହାରୁ ଶିକୁଳି ଦେଇ କୁଆଡ଼େ ଯାଇଛି । ପଡ଼ିଶାଘରର ଝିଅଟି ଦୁଆର ଫିଟାଇ ଦେଲା । ସେ ଆସି ମୋତେ ଯଦି ନ ଦେଖିବ, ତେବେ ଏଇଠାକୁ ପୁଣି ଆସିପାରେ-। ତୁମେ ଏଠେଇ ରହିଲେ, ମୁଁ ଶାନ୍ତି ପାଇବି ନାଇଁ କି ତୁମେ ନିଶ୍ଚିନ୍ତରେ ରହିପାରିବ ନାହିଁ ।’

 

ଦିଦି କିଛି ବୁଝିନପାରି ବାଲୁବାଲୁ କରି ତାଙ୍କୁ ଚାହିଁଥାନ୍ତି । ମଝିରେ ସେ ମୋତେ ଇଙ୍ଗିତ ଦେଲେ, ଜଳଖିଆ କିଛି ଆଣିବାପାଇଁ । ଘରେ ସବୁବେଳେ କିଛି ସାମଗ୍ରୀ ମହଜୁଦ୍ ରଖିଥାଉଁ । ଅତିଥି ପ୍ରାୟ ସବୁବେଳେ ଆସୁଥାନ୍ତି । ବହୁତ ବଳେଇବାରେ ବଡ଼ ଦିଦି ଦି’ ଚାରିଟା ମିଠା ଓ ନିମିକି ଖାଇ ଏକାଥରକେ ଦୁଇଗ୍ଲାସ୍ ପାଣି ପିଇଲେ । ଟିକକ ପରେ ସାଷ୍ଟାମ ହୋଇ ତାଙ୍କ କଥା କହିଲେ-। ତାଙ୍କଠାରୁ ଶୁଣିଲୁ, ଏବେ ଦୁଇତିନି ଦିନ ହେଲା ରାକ୍ଷସଟା ତାଙ୍କୁ ସବୁବେଳେ ବାଡ଼ଉଛି-। ତା’ର ଜିଦ୍ ବଡ଼ ଦିଦି ପୁଣି ଆମ ଏଠିକୁ ଆସି ଆଉ ପଇସା ନେବେ । ବଡ଼ ଦିଦି ତାକୁ କହିଲେ, ‘ନିତାନ୍ତ ଯଦି ପଇସାପାଇଁ ଯିବି ତେବେ ମାସକେ ଥରେ ଯିବି, ୟେ ତ ନଥିଲେ, ଚଳୁଥିଲା । ୟେ ଆସି ପହଞ୍ଚିଲେ ତାଙ୍କ ମନକୁ ଦୟା କରି କିଛି ଦେଲେ ବୋଲି ଥରକୁଥର ତାଙ୍କୁ ବିରକ୍ତ କରିବା ଭଲ ହେବ ନାହିଁ ।’ ‘ଭଲମନ୍ଦର ତୋର ଏତେ ବିଚାର ! ଯା, ଟଙ୍କା ଆଣ; ନହେଲେ, ତୋତେ ଠିକଣା କରିବି । ତାକୁବି ଠିକଣା କରିବି’ ବୋଲି ସେ ଡରେଇଛି । ଆହୁରି ରାଗବେଳେ କହୁ କହୁ କହିଛି ତା’ର ସାଙ୍ଗ ଦିଲ୍ଲୀରୁ ଆସିଲେ ତା’ ସାହାଯ୍ୟରେ ତୁମର ସବୁ ଲୁଟି ନେଇ ଯିବ । ତା’ ସାଙ୍ଗ ଦିଲ୍ଲୀରେ ଗୋଟାଏ ବଡ଼ଲୋକ ପାଖେ ଚାକିରି କରିଛି । ତା’ର ଝିଅ ସାଙ୍ଗେ ୟାର ଭାରି ଭାବ-। ସେଇ ଯୋଗୁଁ ସେ ଏଡ଼େ ବଢ଼ିଆ ହୋଇଛି ଯେ ହରିଦ୍ୱାରର ପୁଲିସ, ହାକିମ, ଗୁଣ୍ଡାମାନେବି ତା’ ହାତ ମୁଠାରେ ଅଛନ୍ତି ।

 

ଏ ସବୁ କହିସାରି ବଡ଼ ଦିଦି କହିଲେ ‘ଇଲା ! ତୁ ଏ ସ୍ଥାନରୁ କୁଆଡ଼େ ଚାଲି ଯା ।’ ମୋ ଆଡ଼କୁ ଚାହିଁ କହିଲେ, ‘ତାରା, ତୁ ୟାକୁ ଟିକିଏ ବୁଝା, ମା’ ! ୟେ ବଡ଼ ଜିଦ୍‌ଖୋର । ୟାର କାହାକୁ ଭୟ ନାହିଁ । ଆଜିକାଲି ଯେଉଁ କାଳ ହୋଇଛି, ସବୁବେଳେ ଡରିମରି ରହିଲେ ଯାଇ କେଜାଣି ବଞ୍ଚିହେବ । ପୁଣି ତମର ମୁରବି ହୋଇ କେହି ନାହିଁ । ଦିଲ୍ଲୀର ସେ ଲୋକଟାର କଥା ଶୁଣି ମୋର ରକ୍ତ ଶୁଖିଯାଇଛି । ୟା ଭିତରେ ସେଇଟା ଦିନେ ଆସିଥିଲା । ୟା ସାଙ୍ଗେ ଦାଣ୍ଡଦୁଆରେ ବହୁତ ଫୁସ୍‌ଫାସ୍‌ ହୋଇଗଲା ।’ ଏକଥା ଶୁଣି ମୋର ପ୍ରଧାନମନ୍ତ୍ରୀଙ୍କର ସେଇ ସେକ୍ରେଟାରୀ ମନେ ପଡ଼ିଗଲେ । ବଡ଼ ଦିଦି ଯେଉଁ ଦୁର୍ବୃତ୍ତଟାର ହାବୁଡ଼େ ପଡ଼ିଛନ୍ତି ସେକ୍ରେଟାରୀ କ’ଣ ତା’ର କ’ଣ ହୁଅନ୍ତି ! ଦୁଇଜଣଙ୍କ ଚେହେରାରେ ମୁଁ ସାଦୃଶ୍ୟ ଲକ୍ଷ୍ୟ କରିଥିଲି ।

 

ଦିଦି ଟିକିଏ ମାତ୍ର ବିଚଳିତ ନ ହୋଇ କହିଲେ, ‘ଦିଦି, ମୋପାଇଁ କିଛି ଭାବନା କରନାହିଁ-। ମୁଁ ଯେତେଦିନ ଅଛି, ତୁମର ଦୁର୍ଦ୍ଦଶା ଦୂର କରିବାପାଇଁ ଚେଷ୍ଟା କରିବି । ମୋର ଯାହା ଦୁର୍ଦ୍ଦଶା ହୋଇ ସାରିଛି, ତହିଁରୁ ଅଧିକ ଆଉ କ’ଣ ହେବ ଯେ ମୋର ଡର ?’ ମୁଁ ଦିଦିଙ୍କ ମୁହଁକୁ ବଲବଲ କରି ଚାହିଁ ରହିଥାଏ । ୟାଙ୍କର ବୟସ ଅଛି, କିନ୍ତୁ ଭବିଷ୍ୟତ ପାଇଁ ମନରେ ଟିକିଏ ହେଲେ ଭାବନା ନାହିଁ । ଭାବୀ ମଧ୍ୟ ଆନନ୍ଦ ଓ ବିସ୍ମୟରେ ତାଙ୍କ ଆଡ଼କୁ ବହୁତ ସମୟରେ ଚାହାନ୍ତି-। ଦୁହିଁଙ୍କ ଭିତରେ କଥାବାର୍ତ୍ତା ଖୁବ୍ କମ୍ ହୁଏ । ଏଇ ଚୁହାଁଚୁହିଁରେ ସେମାନେ ନିଜ ନିଜର ମନର କଥା କୁହାକୁହି ହୋଇଯାନ୍ତି ।

 

ଦୁଇଶହ ଟଙ୍କା ଆଣିବାକୁ ମୋତେ ଇସାରା ଦେଇ ଦିଦି ବଡ଼ ଦିଦିଙ୍କୁ କହିଲେ, ‘ଦିଦି, ଏଥର ଯେଉଁ ଦିନ ଆସିବ ତୁମ ପିଲାଙ୍କୁ ଏଠାକୁ ଆଣିବ । ପିଲାଟିଏ ଦେଖିଲେ ମୋତେ ବଡ଼ ସୁଖ ଲାଗେ । ଆମର ତ ଯାହା ହେବାର ହେଲାଣି, ଆଗକୁ ଯାହା ଅଛି ହେବ । ପିଲାଟିମାନଙ୍କର ଟିକିଏ ଯତ୍ନ ନେବା ।’ ବଡ଼ ଦିଦି ଟଙ୍କା ନେଇ ଚାଲିଗଲେ ।

 

କ୍ରମେ ଆମ ଘରଟା ସେ ସାଇରେ ସମସ୍ତଙ୍କ ଆଖିରେ ପଡ଼ିଲା । ସେ ଆସି ଭିଖ ପୁଞ୍ଜାଏ ମାଗିଲା, ତାକୁ ଖାଇବାକୁ ମିଳିଲା, ଲୁଗା ମିଳିଲା ଦେଖି ଭିଖାରି ଦୁଆର ଛାଡ଼ିଲେ ନାହିଁ । ଦାଣ୍ଡଦୁଆରେ ନେପାଳୀ ଦରୁଆନ ପାଖରେ ପ୍ରତିଦିନ ପାଞ୍ଚସେର ପର୍ଯ୍ୟନ୍ତ ଅଟା, କିଛି ଚାଉଳ, ପାଞ୍ଚ ସାତଖଣ୍ଡ ଲୁଗା ରଖା ହୁଏ । ସେ ତା’ ବିବେଚନାରେ ୟାକୁ ବାଣ୍ଟେ । ସରିଗଲେ ଆଉ ନିଏ, ନହେଲେ କାଲିକୁ ଆସ ବୋଲି କହି ଫେରାଇଦିଏ ।

 

ଦିନେ ମୋତେ ଡାକି ଦିଦି କହିଲେ, ‘ତାରା, ଗୁଡ଼ାଏ ଟଙ୍କା ପାଖରେ ରହିବାରୁ ଶଙ୍କା ହେବାର କଥା । ୟାକୁ ବେଗେ ସାରିଲେ ଆମେ ରକ୍ଷା ପାଇବା । ଟଙ୍କାତକ ସରିଲେ ଆଉ ବାକି ରହିବ ଇଜ୍ଜତ ରକ୍ଷା କରିବା । ଟଙ୍କା ପାଖରୁ ଗଲେ ଇଜ୍ଜତ ରଖିବାରେ ଭଗବାନ ସହାୟ ହେବେ । ପଇସାକୁ ଯେ ଜାବୁଡ଼ି ବସନ୍ତି, ଭଗବାନ୍ ତାଙ୍କଠାରୁ ଦୂରରେ ରହି, ପଇସାରେ କ’ଣ ହେଉଛି ଦେଖିବାକୁ ଅପେକ୍ଷା କରନ୍ତି । ଆଣିଲୁ, ଆମର ଆଉ କେତେ ଅଛି ଦେଖିବା’ !

 

ତିନିଜଣଯାକ ଗଣାଗଣି କରି ନୋଟ୍‌ଗୁଡ଼ାକ ଥାକଥାକ କରି ରଖିଲୁଁ । ଆଜିଯାଏଁ ଟଙ୍କା ମୁଁ ଗଣି ନଥିଲି କି କେତେ ଟଙ୍କା ଅଛି କଳି ନଥିଲି । ମୁଁ ଅଣ୍ଟାରେ ଗୁଡ଼ାଇ ଯାହା ଆଣିଥିଲି ତାକୁ ଗଣିବାରେ ସେ ହେଲା ଚାରିହଜାର ୮ଶହ । ଆଉ ଦି’ ସେତିକି ସେଥିରେ ମିଶାଇ ଦିଦି କହିଲେ ଏଇତକ ଆମର ନିଜର । ଏତକ ଆମେ ଖର୍ଚ୍ଚ କରି ସାରିଲା ବେଳକୁ ଭଗବାନ୍ ଆମପାଇଁ କାମ ଖଞ୍ଜି ଦେବେ । ୟା ବାଦ୍ ଆଉ ରହିଲା ସତୁରି ହଜାର ଟଙ୍କା । ସେଥିରୁ ପଇଁଚାଳିଶ ହଜାର ଆଡ଼େଇ କରି ରଖି ଦିଦି କହିଲେ, ‘ଦିଦିଙ୍କ ପିଲା ତିନୋଟିଙ୍କ ପାଇଁ ଏତକ ରଖିବା । କିମିତି ରଖିବା ସେ ବିଷୟରେ ଏଠାକୁ ଆସି ଯେଉଁ ଘରବାଲା ସଙ୍ଗେ ଆଗ ଦେଖା ହୋଇଥିଲା ତା’ରି ସଙ୍ଗେ ପରାମର୍ଶ କରିବି । ବାକି ପଚିଶ ହଜାର ସର୍ବସାଧାରଣ ସମ୍ପତ୍ତି । ଏଇଥିରୁ ବଡ଼ଭାଗ ଦିଦିଙ୍କର ବୋଲି ବିଚାରୁଛି ।’

 

ତହିଁ ଆରଦିନ ସକାଳୁ ସେଇ ଶେଠ ପାଖକୁ ଗଲୁ । ସବୁ କଥା ଶୁଣି ସେ କହିଲେ ‘ମା’-! ଏତେଗୁଡ଼ାଏ ଟଙ୍କା ମୋ ପାଖରେ ଥୋଇଦେଇ ଗଲେ ମୋର ଯଦି ଲୋଭ ହୁଏ-? ଯେଉଁ ପିଲାଟିମାନଙ୍କ ପାଇଁ ୟାକୁ ରଖୁଛ ସେ ସାବାଳକ ହେଲେ ଯାଇ ଟଙ୍କା ପାଇବେ । ସେତେବେଳକୁ ମୁଁ ଥିଲେ ତ ! ସେମିତି ହୋଇ ପାରିବ ନାହିଁ । ଯଦି ସରକାରୀ ବ୍ୟାଙ୍କ୍‍ରେ ଟଙ୍କା ନ ରଖିବେ, ତେବେ ମୋର ଇଚ୍ଛା, ଆମ ସମ୍ପ୍ରଦାୟରୁ ସଚାଲୋକ ଦି’ ଜଣ ମୋ ସାଙ୍ଗେ ରଖିବା-। ଆମ ତିନିଜଣଙ୍କ ଜିମା ଟଙ୍କା ରହିବ, ବେପାରରେ ଲାଗିବ । ପିଲାଙ୍କପାଇଁ କିଛି ମୁନାଫା ମଧ୍ୟ ମୂଳ ଟଙ୍କାରେ ବର୍ଷକୁ ବର୍ଷ ମିଶୁଥିବ । ଦୁଇଚାରି ଦିନ ପରେ ମୁଁ ଏକଥା ଠିକଣା କରୁଛି ।’

 

ବଡ଼ ଦିଦି ପିଲାଙ୍କୁ ଯେଉଁ ଦିନ ଆଣିଲେ, ସେଦିନ ତାଙ୍କପାଇଁ ନୂଆ ଜାମା ପେଣ୍ଟ କରାଇ ତାକୁ ଧରି ସମସ୍ତେ ଶେଠଙ୍କ ଗଦିକୁ ଗଲୁ । ଶେଠ ବାକି ଦୁଇଜଣ ବନ୍ଧୁଙ୍କୁ ସାଙ୍ଗେ ସାଙ୍ଗେ ଡକାଇଲେ । ଗୋଟିଏ ଫଟୋଗ୍ରାଫର ଡକାହୋଇ ପିଲାଙ୍କର ଫଟୋ ଉଠିଲା–ଗୋଟାଏ ତିନିଜଣଙ୍କର ଏକାଠି ଓ ବାକି ତିନୋଟି ପ୍ରତ୍ୟେକଙ୍କର ଅଲଗାଅଲଗା । ବଡ଼ ଦିଦିଙ୍କୁ ପଚାରି ପିଲାଙ୍କ ନାମ, ରହିବା ଜାଗାର ଠିକଣା ଇତ୍ୟାଦି ଗୋଟାଏ ଖାତାରେ ଟିପାଗଲା । କ’ଣପାଇଁ ଏସବୁ ହେଉଛି ବଡ଼ଦିଦିଙ୍କୁ ଦିଦି କହୁନଥାନ୍ତି । ଆମେ ସବୁ ବସାକୁ ଫେରିଲୁ । ବଡ଼ଦିଦିଙ୍କୁ କିଛି ଟଙ୍କା ଦେଇ ବିଦାୟ ଦେଲା ପରେ ଦିଦି ମାତେ ସାଙ୍ଗରେ ନେଇ ପୁଣି ଶେଠଙ୍କ ଗଦିକୁ ଗଲେ ଓ ପଇଁଚାଳିଶ ହଜାର ଟଙ୍କା ତାଙ୍କ ଜିମା ଦେଇ ଚାଲି ଆସିଲେ । ଆସିଲାବେଳେ ଶେଠ କହିଲେ, ‘ମା’ ! ତୁମେତ ସଂସାରବାହାର କାମ କରୁଛ । ଖଣ୍ଡେ ରସିଦ ହେଲେ ମୋଠାରୁ ନେଇ ରଖିଥାଅ । ଆଜିକାଲି ଦୁନିଆର ହାଲତ ଖରାପ ।’ ଦିଦି କହିଲେ, ‘ତଥାପି ମୁଁ ବିଶ୍ଵାସ କରୁଛି, ଦୁନିଆରେ ଏପର୍ଯ୍ୟନ୍ତ ଭଲଲୋକ ଅଛନ୍ତି । ମୁଁ ଆପଣଙ୍କୁ ମୋର ବାପ ପରି ବିଶ୍ଵାସ କରୁଛି । ଯଦି ଆପଣ ବିଶ୍ଵାସ ନ ରଖନ୍ତି ତେବେ ସେଇ ପିଲାଙ୍କର ଯାହା କ୍ଷତି ସିନା ହେବ, ମୋର କ’ଣ ହେବ ? ଯଦି ଏଥିରେ ତାଙ୍କର ଦୁଃଖ ନ ଯିବ ତେବେ ଜାଣିବା, ତାଙ୍କ କପାଳରେ ଦୁଃଖଇ ଭଗବାନ୍ ରଖିଥିଲେ ।’ ଶେଠଜୀ କିଛି ନ କହି ଦିଦିଙ୍କୁ ହାତ ଯୋଡ଼ିଲେ, କହିଲେ ‘ମା’ ଯାହାର ମନ ଯେଡ଼େ ତାହାର ପ୍ରଭୁ ତେଡ଼େ । ଏଡ଼େ ସ୍ୱଚ୍ଛରେ ଯେଉଁ ଟଙ୍କା ଥୋଇଦେଇ ଗଲ ତା’ର ଫଳ ନିଶ୍ଚୟ ଫଳିବ । ମଝିରେ ମଝିରେ ଆସି ମୋତେ ଟିକିଏ ଦର୍ଶନ ଦେଉଥିବ । ପିଲାଟିମାନଙ୍କୁ ଧରି ତାଙ୍କ ମା’ ବି ବେଳେବେଳେ ଆସିବେ ।’

 

ଆଉ ଦି’ଚାରି ଦିନ ପରେ ବଡ଼ଦିଦିଙ୍କୁ ଦିଦି କହିଲେ, ତାଙ୍କର ‘ସ୍ଵାମୀ’ଙ୍କୁ ପଠାଇ ଦେବାକୁ । ସେ ଲୋକଟା ଆସିବାରେ ଦିଦି ମୋତେ ଓ ଭାବୀଙ୍କୁ ଅନ୍ୟ ଘରକୁ ଯିବାକୁ କହି ଏକୁଟିଆ ତାଙ୍କ ସଙ୍ଗେ ରହିଲେ । ପ୍ରାୟ ଦୁଇଘଣ୍ଟା ଚାଲିଗଲା । କ’ଣ କଥାବାର୍ତ୍ତା ହେଲା ମୁଁ କିଛି ଜାଣିଲି ନାହିଁ । ଗଲାବେଳେ ଦିଦି କହିଲେ ସୂର୍ଯ୍ୟବାବୁଙ୍କୁ ପଚାଶ ଟଙ୍କା ଦେ । ପ୍ରତି ସୋମବାର ଦିନ ସେ ପଚାଶ ଟଙ୍କା ନେବେ ମୁଁ ତାଙ୍କ ସଙ୍ଗେ ଯେଉଁ ସର୍ତ୍ତ କରିଛି ସେଇ ସର୍ତ୍ତରେ । ଦରୁଆନକୁ କହିଦେ, ୟାଙ୍କର ଯେତେବେଳେ ଇଚ୍ଛା ଆସିବେ ।’ ସୂର୍ଯ୍ୟବାବୁଙ୍କୁ କହିଲେ, ଆପଣ ୟାରବି ହେଲେ ଭିଣେଇ । ଆପଣଙ୍କର ଶଳାଭାଉଜବି ଜଣେ ଅଛନ୍ତି । ତାଙ୍କର ପୂଜାପୂଜି ଲାଗିଥିବ । ଆଉ ଦିନେ ସାକ୍ଷାତ ହେବ । ଗଲାବେଳେ ସୂର୍ଯ୍ୟବାବୁ କହିଲେ, ମା’, ମୁଁ ଶାଳୀ ଲେଖା କରିପାରିବି ନାହିଁ । ତୁମ କଥା ଅନୁସାରେ ଚଳିବାକୁ ଚେଷ୍ଟା କରିବି । ଯଦି ନ ପାରିବି ତେବେ ମୁହଁ ଦେଖାଇବି ନାହିଁ । ତୁମକୁ ନୁହେଁ କି ତୁମ ଦିଦିଙ୍କୁ ନୁହେଁ ।’ ୟା ତୁଣ୍ଡରୁ ଏକଥା ଶୁଣି ମୁଁ ତାଜୁବ ହୋଇଗଲି । ପାଞ୍ଚ ଦଶଦିନ ପରେ ବଡ଼ଦିଦି ଆସି କହିଲେ, ଇଲା ! ୟାଙ୍କୁ ତୁ କ’ଣ ଜଡ଼ିବୁଟି କଲୁ କିଲୋ ? ୟେ ତ ଏକାବେଳକେ ସାଧୁସନ୍ଥ ହୋଇଗଲେଣି । ଦିଦି କହିଲେ, ଯାହା କରିଛି ସେ ଜାଣନ୍ତି ମୁଁ ଜାଣେ । ତମକୁ ଛାଡ଼ି ମୋତେ ଧରି ରହିଯିବାର ଭୟ ଅଛି, ସାବଧାନ ଥାଅ । ବଡ଼ ଦିଦିଙ୍କ ମୁହଁ ହସରେ ଫାଟିଗଲା । ଏଭଳି ନିର୍ମଳ ଆନନ୍ଦ ତାଙ୍କ ମୁହଁରେ ମୁଁ ଦେଖି ନଥିଲି । ସେ କହିଲେ, ସେଇତକ ଅନୁଗ୍ରହ କରନ୍ତୁ କି ଇଲା । ମୁଁ ରକ୍ଷା ପାଇ ଯା’ନ୍ତି । କିନ୍ତୁ ନିଆଁ ସାଙ୍ଗେ କ’ଣ ସେ ଖେଳିପାରିବେ ? ଦିଦି କିଛି ନ କହି ମୁଡ଼ୁକି ମୁଡ଼ୁକି ହସିଲେ । ବଡ଼ ଦିଦିଙ୍କ ସଂସାର ଭଲରେ ଚାଲିଲା ପରି ଲାଗିଲା । ତାଙ୍କ ମୁହଁର ଚେହେରା ବଦଳି ଯାଇଥାଏ । ତାଙ୍କୁ ଦେଖି ଆମ ସମସ୍ତଙ୍କ ମନରେବି ଆନନ୍ଦ ବଢ଼ିଥାଏ । ସୂର୍ଯ୍ୟବାବୁଙ୍କର ପରିବର୍ତ୍ତନ ମୋତେ ବିଚିତ୍ର ଜଣାଯାଉଥାଏ । ଦିଦି ଏହା କିପରି କରାଇଲେ ଜାଣିବାକୁ ମନ ହେଉଥାଏ । କିନ୍ତୁ ପଚାରିବାକୁ ସାହସ ହୁଏ ନାହିଁ । ତାଙ୍କ ମନ ହେଲେ କହିବେ ବୋଲି ଅପେକ୍ଷା କରୁଥାଏ ।

 

ହରଦ୍ଵାରରେ ଆସି ରହିବାର ତିନି ମାସରୁ ବେଶି ହୋଇଗଲା । ଦିନେ ଦିଦି ଆମ ଡ୍ରାଇଭରକୁ ଡାକି କହିଲେ, ରାମଲଗନ୍, ଗାଡ଼ିଟା ତୁମ ନାମରେ ଏଥର ଲାଇସେନ୍‌ସ୍‌ କର । ଟ୍ୟାକ୍‌ସି କରି ଚଳାଅ । ଗାଡ଼ି ତୁମ ନାମରେ ଟ୍ରାନ୍‌ସ୍‍ଫର୍ କରିବାକୁ ଲେଖି ଦେଇଛି । ରାମଲଗନ୍ କହିଲା, ମା’, ମୋ ପ୍ରତି ଏଭଳି ବେଅନୁଗ୍ରହ କାହିଁକି ? ମୁଁ ବର୍ତ୍ତମାନ ଯେପରି ଅଛି, ସେ ମୋତେ ଭଲ । ପିଲାପିଲି ତ ଆସି ଏଠାରେ ରହିଲେ । ତାଙ୍କପାଇଁ କି ମୋପାଇଁ ମୋ ହାତରୁ ପଇସାଟିଏ ପଡ଼ୁନାହିଁ । ତା’ପରେ ମାସକୁ ଦୁଇ ଶହ ଟଙ୍କା ଦେଉଛନ୍ତି ଯେ ତାହା କେଉଁଠି ରଖିବି ଥାନ ନ ପାଇ ତାରା ଦିଦିଙ୍କ ପାଖେ ରଖୁଛି । ଟ୍ୟାକ୍‌ସି କଲେ ଆଉ କ’ଣ ପାଇବି ?

 

ଦିଦି କହିଲେ, ମୁଁ ଏଠାରେ ଥିବା ପର୍ଯ୍ୟନ୍ତ ତୁମେ ସେପରି ରହିବ । କିନ୍ତୁ ମୁଁ ତ ସବୁଦିନେ ଏଠାରେ ରହିବି ନାହିଁ । ମୋର ଜଞ୍ଜାଳ ସବୁ ସରିଛି, ଖାଲି ତୁମର ଓ ତାରାର କିନାରା କରିଦେଲେ ଭାବୀଙ୍କର ମୋର ଆମ ରାସ୍ତା ଧରିବୁ । ରାମଲଗନ୍ ଯେମିତି ଥିଲା ସେମିତି ରହିଲା, ବହୁତ ବଳାଇବାରେ ତା’ ନାଁରେ ଗାଡ଼ି ଟ୍ରାନ୍‌ସ୍‍ଫର୍ କରିବାକୁ ଚିଠିଖଣ୍ଡ ପାଖରେ ରଖିଲା । ତା’ର ଜିଦ୍, ମା’ ହରିଦ୍ୱାର ଛାଡ଼ି ଯୁଆଡ଼େ ଯିବେ ସେ ସିଆଡ଼େ ଯିବ । ଆହା ବିଚାର ! ଦିଦି ଯୁଆଡ଼େ ଯିବେ ସେ ଜାଣନ୍ତା କୁଆଡ଼ୁ ? କିଏବା ଜାଣିଥିଲା ? କିନ୍ତୁ ମୁଁ ତାଙ୍କର ଗୋଟିଏ ଜଞ୍ଜାଳ ଶୁଣି ମୋତେ ଭାରି ଖରାପ ଲାଗିଲା । ମୁଁ ସେ ଦିନଟି ତମାମ ମନ ମାରି ରହିଲି । ତାହା ଲକ୍ଷ୍ୟ କରି ଦିଦି ମୋ ମୁହଁରେ ହାତ ବୁଲାଇ କହିଲେ, ଦୂର ପାଗଳୀ ! ରାମଲଗନ୍ ଉପରେ ଗାଡ଼ିଟି ଲଦିଦେବାକୁ ସେପରି କହିଲି ନା ? ତୋତେ ଛାଡ଼ି କୁଆଡ଼େ ଯିବି ? ଶେଷକୁ ତୁ’ଇ ତ ହୋଇଛୁ ମୋର ସଂସାର । ଶେଷଯାଏଁ ତୋତେ ଛାଡ଼ି ପାରିବି ନାହିଁ । ମୋ ମନ ବୁଝିଗଲା, ଶେଷ କଥାଟା ବାରମ୍ବାର କହିବାରୁ କେମିତି କେମିତି ଲାଗୁଥାଏ ।

 

ଦିନେ ଆହ୍ଲାବାଦରୁ ଦୁଇଜଣ ଲୋକ ଆସି ପହଞ୍ଚିଲେ–ଗାନ୍ଧୀବାଲା, ଖଦଡ଼ ପିନ୍ଧିଥାନ୍ତି, ମୁଣ୍ଡରେ ଗାନ୍ଧୀଟୋପି, କାନ୍ଧରୁ ଗାନ୍ଧୀଝୁଲା ଖଣ୍ଡେ ଖଣ୍ଡେବି ଓହଳିଥାଏ । ବଟମୂଳ ଚଉକ୍‍ରେ ସେଦିନ ଓପରଓଳି ଗୋଟାଏ ସଭା ହେଉଥାଏ । ଆମ ତିନିଜଣଙ୍କୁ ଖୁବ୍ ଲଗାଇବାରୁ ଆମେ ଗଲୁଁ-। ଏଣୁତେଣୁ ବହୁତ ବକ୍ତୃତା ପରେ ଆମପାଖକୁ ଯେଉଁ ଦୁଇଜଣ ଆସିଥିଲେ ତାଙ୍କ ଭିତରୁ ବଡ଼ ଜଣକ ଘୋଷଣା କରିଦେଲେ ଯେ, ଆସନ୍ତା ନିର୍ବାଚନରେ ଏ ନିର୍ବାଚନ ମଣ୍ଡଳୀରୁ ଶ୍ରୀମତୀ ଇଲା ଦେବୀଙ୍କୁ କଂଗ୍ରେସ-ପ୍ରାର୍ଥୀ କରି ଠିଆ କରାଯିବ ବୋଲି ପ୍ରାଦେଶିକ କଂଗ୍ରେସ କମିଟି ସ୍ଥିର କରିଚି-। ସେ ଏଠାରେ ରହି କଂଗ୍ରେସ କାର୍ଯ୍ୟ କରିବାକୁ ପଣ୍ଡିତ ଜବାହାରଙ୍କ ନିର୍ଦ୍ଦେଶରେ ଦିଲ୍ଲୀର ସୁଖସ୍ୱାଚ୍ଛନ୍ଦ୍ୟ ଛାଡ଼ି ଏଠାକୁ ଆସିଛନ୍ତି । ଆଜି ତାଙ୍କୁ ଚିହ୍ନାଇଦେବାକୁ ଏ ସଭା ହୋଇଛି । ଏଥର ଏଣିକି ପ୍ରତି କ୍ଷେତ୍ରରେ ହରିଦ୍ୱାର ଓ ନିକଟବର୍ତ୍ତୀ ଗ୍ରାମମାନଙ୍କର ଲୋକେ ତାଙ୍କୁ ଦେଖିବେ-।’ ଏକଥା ଶୁଣି ଦିଦି ସ୍ତମ୍ଭୀଭୂତ ହୋଇଗଲେ । ନିର୍ବାଚନରେ ଠିଆ ହେବେ, ତା’ ପୁଣି ପଣ୍ତିତ ଜବାହାରଙ୍କ ନିର୍ଦ୍ଦେଶରେ–ଏହା ସେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ବିରକ୍ତ ହୋଇ ସେ ବକ୍ତାଙ୍କୁ ପାଖକୁ ଡାକି ପ୍ରତିବାଦ କଲେ । ବକ୍ତା–ପରେ ଜାଣିଲୁଁ ସେ ପ୍ରଦେଶର ଜଣେ ବଡ଼ କଂଗ୍ରେସ ନେତା–କହିଲେ, ‘ସଭା ସରିବା ପରେ ମୁଁ ଆପଣଙ୍କ ସଙ୍ଗେ ସବୁ ବିଷୟ କଥାବାର୍ତ୍ତା ହେବି-। ଆମେ ବଡ଼ ଅଡ଼ୁଆରେ ପଡ଼ି ଆପଣଙ୍କ ନାମ ପ୍ରସ୍ତାବ କରିଛୁ । ଆପଣଙ୍କର ଯଦି ଅନିଚ୍ଛା ଥାଏ, ପରେ ଲୋକଙ୍କୁ ଜଣାଇଦେବା । ଆଜି ଆମର ମାନ ରଖନ୍ତୁ ।’ ଦିଦି ତୁନି ହେଲେ ଓ ସଭା ସରିବା ପୂର୍ବରୁ ଠିଆ ହୋଇ ମିନିଟିଏ ଦୁଇମିନିଟ ବକ୍ତୃତା ଦେଇ ଦେଶର ମଙ୍ଗଳପାଇଁ ସେ ଜୀବନ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ବୋଲି ଶୁଣାଇ ଦେଲେ । ପୁଣି କହିଲେ, ‘ରାଜନୀତିରେ ଯଦି ଜନସେବା କରିବାର ସୁଯୋଗ ମିଳିପାରିବ ତେବେ ଆପତ୍ତି ନାହିଁ, କିନ୍ତୁ ମୁଁ ବିଚାରୁଛି ଲୋକସେବାର ପ୍ରକୃତ କ୍ଷେତ୍ର ରାଜନୀତିର ବାହାରେ ।’ ସଭାରେ ଘନଘନ କରତାଳି ହେଲା । ସେ ଯାହା କହିଲେ ସେଥିରେ ବିଶେଷ କ’ଣ ଥିଲା ମୁଁ ଧରି ପାରିଲି ନାହିଁ । ମୋର ବିଶ୍ଵାସ ତାଙ୍କର ଚେହେରା, ବିନମ୍ର ବ୍ୟବହାର, ଛେଦା ପିନ୍ଧା ଖଣ୍ଡକ ଓ କଥା କହିବାର ଭଙ୍ଗୀ ଦେଖି ଲୋକେ ମୁଗ୍ଧ ହୋଇଗଲେ-

 

ସଭା ପରେ ଆମ ଘରେ କଂଗ୍ରେସ ନେତା ଶ୍ରୀଯୁକ୍ତ ତ୍ରିପାଠୀ ଦିଦିଙ୍କ ଯୁକ୍ତି ଗ୍ରହଣ କରିବାକୁ ଏକାବେଳକେ ନାରାଜ । ସେ କହୁଥାନ୍ତି, ‘ମୁଁ ଆପଣଙ୍କୁ ଚିହ୍ନି ନଥିଲି । ଖାଲି ଉପରୁ ନିର୍ଦ୍ଦେଶ ପାଇ ଆପଣଙ୍କୁ ସଭାକୁ ନେଇଥିଲି । ବର୍ତ୍ତମାନ ଆପଣଙ୍କ ବକ୍ତୃତା ଶୁଣି ଏବଂ ଆପଣଙ୍କ ସଙ୍ଗେ କଥାବାର୍ତ୍ତା କରି ମୁଁ ଦେଖୁଛି ଆପଣହିଁ ଏ ନିର୍ବାଚନ ମଣ୍ଡଳୀ ପାଇଁ ଏକମାତ୍ର ପ୍ରାର୍ଥୀ ।’ ଦିଦିଙ୍କ ମନ ମାନୁ ନ ଥାଏ । ଶ୍ରୀଯୁକ୍ତ ତ୍ରିପାଠୀଙ୍କଠାରୁ ଜଣାଗଲା ଏ ନିର୍ବାଚନ ମଣ୍ଡଳୀରୁ ପ୍ରଧାନମନ୍ତ୍ରୀଙ୍କ ନିଜ ଭଉଣୀ ପ୍ରାର୍ଥୀ ହେବାକୁ ଲାଳାୟିତ । ପ୍ରଧାନମନ୍ତ୍ରୀ ତାଙ୍କୁହିଁ କରିଛନ୍ତି, କିନ୍ତୁ ତାଙ୍କ ଝିଅଙ୍କର ଇଚ୍ଛା ନୁହେଁ, ପିଉସୀଙ୍କୁ ବ୍ୟବସ୍ଥାସଭାରେ ସ୍ଥାନ ଦେବାକୁ । ତାଙ୍କର ଇଚ୍ଛାରେ ପ୍ରଧାନମନ୍ତ୍ରୀ ଭିତରେ ଭିତରେ ଭଉଣୀଙ୍କର ଜଣେ ପ୍ରତିଦ୍ୱନ୍ଦ୍ୱୀ ଠିଆ କରାଇବାକୁ ଚାହୁଁଛ । ଦିଦିଙ୍କ ନାମ ପ୍ରଧାନମନ୍ତ୍ରୀ ଝିଅଙ୍କ ଆଡ଼ୁ ପ୍ରସ୍ତାବ ହୋଇଛି । ପ୍ରାଦେଶିକ କଂଗ୍ରେସ କମିଟିରେ ଶ୍ରୀଯୁକ୍ତ ତ୍ରିପାଠୀଙ୍କ ଦଳ ସଂଖ୍ୟାଗରିଷ୍ଠ । ନେହେରୁ ପରିବାରର ଆଉ କାହାରିକୁ ପ୍ରଶ୍ରୟ ଦେବା ତ୍ରିପାଠୀଙ୍କ ଦଳର ଇଚ୍ଛା ନୁହେଁ ।

 

କଂଗ୍ରେସର ଏ ସବୁ ଭିତିରି କଥା ଶୁଣି ଦିଦିଙ୍କ ମନ ବିଗିଡ଼ିଲା । ସେ ଶେଷରେ ଶୁଣାଇ ଦେଲେ, ‘ରାଜନୀତିରେ ପଶିବାକୁ ମୋର ଆଦୌ ଇଚ୍ଛା ନୁହେଁ । ଆପଣଙ୍କଠାରୁ ଯାହା ଶୁଣିଲି ସେଥିରେ ମୋର ମନରେ ଆହୁରି ବିତୃଷ୍ଣା ହେଉଛି । ୧୫ଦିନ ଭିତରେ ଆପଣ ନୂଆ ପ୍ରାର୍ଥୀ ଠିକଣା କରି ଯଦି ଘୋଷଣା ନ କରିବେ, ତେବେ ମୋ ଆଡ଼ୁ ମୁଁ ସମ୍ବାଦପତ୍ରରେ ମୋର ଅନିଚ୍ଛା ଜଣାଇ ଦେବି । ଯେଉଁ କାରଣ ଦେବି, ସେ କଥା ଆପଣମାନଙ୍କୁ ସୁଖ ଲାଗିନପାରେ ।’ ଶ୍ରୀଯୁକ୍ତ ତ୍ରିପାଠୀ ଏ କଥାକୁ ଖୁବ୍ ଲଘୁ ଭାବରେ ଗ୍ରହଣ କରି ବିଦାୟ ନେଲେ ।

 

ୟା’ ପରେ ରାଜନୀତିକ ଲୋକଙ୍କର ଧାଉଡ଼ି ଲାଗିଲା । କିଏ ଚାନ୍ଦାପାଇଁ ଆସୁଥାଏ, କିଏ ମଫସଲ ଅଞ୍ଚଳରେ ହେଉଥିବା ନାରୀମାନଙ୍କର ସଭାକୁ ଯିବାପାଇଁ ଡାକୁଥାଏ, କିଏ ଆସି ସରକାରଙ୍କୁ ସୁପାରିସ୍ କରି ତା’ ପୁଅପାଇଁ ଚାକିରି ଖଣ୍ଡେ କରାଇଦେବାକୁ ଲଗାଇଥାଏ । ଦିଦି ମହାଅଡ଼ୁଆରେ ପଡ଼ିଥାନ୍ତି । ପଇସା ଖର୍ଚ୍ଚ କରିବାରେ ସେ ମୁକ୍ତହସ୍ତା ଥିଲେବି ଏମାନଙ୍କୁ ଚାନ୍ଦା ଦେବାକୁ ମନ କରୁ ନ ଥାନ୍ତି । କୌଣସି ସଭାରେ ଯାଇ ବକ୍ତୃତା ଦେବାକୁ ତାଙ୍କର ସ୍ପୃହା ନ ଥାଏ, କାହାପାଇଁ ଚାକିରି କରାଇ ଦେବାକୁ ସରକାରୀ ମନ୍ତ୍ରୀ ବା ହାକିମଙ୍କୁ ନେହୁରା କରିବା ତ ତାଙ୍କ ପକ୍ଷେ ଅସମ୍ଭବ । ଶ୍ରୀଯୁକ୍ତ ତ୍ରିପାଠୀଙ୍କୁ ଦେଇଥିବା ପନ୍ଦର ଦିନିଆ ବାଇଦା କଥା ମନେପକାଇ ସେ ସମସ୍ତଙ୍କୁ ବୋଧସୋଧ କରି ବାହୁଡ଼ାଉଥାନ୍ତି ଓ ଦିନ ଗଣୁଥାନ୍ତି ।

 

ଅନ୍ୟ ସମସ୍ତଙ୍କୁ ବିଦାୟ କରି ଦେଇ ସେ ଆଶ୍ୱସ୍ତ ହେଉଥାନ୍ତି, କିନ୍ତୁ ନ୍ୟାସନାଲ୍ ସେଣ୍ଟିନାଲ୍’ କାଗଜର ସ୍ଥାନୀୟ ସମ୍ବାଦଦାତାଙ୍କ ସଙ୍ଗେ ତାଙ୍କର ଆତ୍ମୀୟତା ହୋଇ ଯାଇଥାଏ । ଏ ମହାଶୟ ଉଚ୍ଚଶିକ୍ଷିତ ଯୁବକ, ଚେହେରା ଖୁବ୍ ଫିଟ୍‌ଫାଟ୍, ବର୍ଣ୍ଣ ଗୋରା ଦକଦକ, ବୟସ ବାଇଶି ତେଇଶି ହେବ । ୟେ ପ୍ରାୟ ପ୍ରତିଦିନ ଆସନ୍ତି । ଦିଦିଙ୍କ ସଙ୍ଗେ ଯାହା ଆଲୋଚନା କରନ୍ତି, ତାହାକୁ ବଡ଼ ସୁନ୍ଦରଭାବେ କାଗଜରେ ପ୍ରକାଶ କରାଉଥାନ୍ତି । ଦିଦିଙ୍କର ପରିଚୟ ନେଇ ଖାଲି ଏତିକି ସୂଚାଉଥାନ୍ତି ଯେ, ଏହିପରି ନାରୀମାନେ ରାଜନୀତିରେ ପଶିଲେ ଯେଉଁ ଉଚ୍ଛୃଙ୍ଖଳାମାନେ ରାଜନୀତିରେ ପଶି ଭାରତୀୟ ନାରୀତ୍ଵର ଅମର୍ଯ୍ୟାଦା କରୁଛନ୍ତି ସେମାନେ ମନକୁ ମନ ଆଡ଼େଇ ହୋଇଯିବେ । ଦିଦି ଏଥିରେ ଆପତ୍ତି କରିଥିଲେ । କହିଥିଲେ ଯେ, ଉଚ୍ଛୃଙ୍ଖଳ ଓ ଉଚ୍ଛୃଙ୍ଖଳାମାନେ ରାଜନୀତିରେ ପଶିବା ଅବଶ୍ୟମ୍ଭାବୀ । ସେ ଯାହାହେଉ ଏ ଯୁବକଟି ପ୍ରତି ତାଙ୍କ ମନରେ ମମତା ଜାତ ହୋଇଥାଏ । ଭାବୀଙ୍କ ମନରେବି ମମତା ହେଉଥାଏ । ମୁଁ ଲକ୍ଷ୍ୟ କରୁଥାଏ, ଯୁବକ ମଝିରେ ମଝିରେ ମୋ ଆଡ଼କୁ କେମିତି ଚାହୁଁଥାନ୍ତି । ସେ ଆସିଲେ, ମୁଁ ଆଡ଼େଇ ହୋଇ ଚାଲିଯିବାକୁ ଚେଷ୍ଟା କରେଁ କିନ୍ତୁ ଦିଦି ଓ ଭାବୀ ତାଙ୍କର ଚର୍ଚ୍ଚା କରିବାକୁ ମୋତେ ବାଧ୍ୟ କରୁଥାନ୍ତି ।

 

(୧୫)

 

ସନ୍ଧ୍ୟା ପୂର୍ବରୁ ପଶ୍ଚିମକବାଟେ ଆସି ବସିଥାନ୍ତି । ଆମର ତାରା-ବୃତ୍ତାନ୍ତ ପଢ଼ିବାରେ ଡେରି ଦେଖି ସେ ବ୍ୟସ୍ତ ହୋଇ କହିଲେ, ‘ଛାଇ ଗଡ଼ିଲାବେଳୁ ମୋ ମନ ଆସି ଏଇଠାରେ ପହଞ୍ଚୁଛି-। ବିଚାରୀଗୁଡ଼ିକ ନିରକ୍ଷ ହୋଇ ହରିଦ୍ୱାରରେ ପଡ଼ିଛନ୍ତି । ସେମାନେ କିପରି ଦୁଷ୍ଟ ଲୋକଙ୍କ ହାବୁଡ଼ରୁ ଉଦ୍ଧାରପାଇଁ ନିଶ୍ଚିନ୍ତ ରହିବେ, ଏଇ କଥା ଶୁଣିବାକୁ, ମନ ବଡ଼ ବିକଳ ହେଉଛି-। ମହାପାତ୍ରେ ତାଙ୍କର ସାନ୍ଧ୍ୟକର୍ମ ଯଥାଶୀଘ୍ର ସାରି ଆସି ପହଞ୍ଚିଗଲେ । ପଢ଼ା ଆରମ୍ଭ ହେଲା :

 

“ସମ୍ବାଦଦାତା ପ୍ରଦୀପବାବୁ ଆମ ଘରକୁ ନିତି, ସମୟ ଅସମୟ ନ ବୁଝି ଆସୁଥାନ୍ତି । କ୍ରମେ ଲକ୍ଷ୍ୟ କଲି, ସେ ଅସମୟରେ ବେଶି ଆସିଲେ । ସନ୍ଧ୍ୟା ଲାଗିଲେ ଭାବୀ ଓ ଦିଦି ଦୁହେଁଯାକ ପୂଜା କରି ବସନ୍ତି–ଘଣ୍ଟାକରୁ ଅଧିକ । ସେତିକିବେଳେ ମୋତେ ବଡ଼ ଏକୁଟିଆ ଲାଗେ । ଅନ୍ୟ ସମୟରେ ଦୁଇଜଣକରୁ ଅନ୍ତତଃ ଜଣେ ମୋ ପାଖେ ରହନ୍ତି । ଏକୁଟିଆ ନ ହେବି ବୋଲି ମୁଁ ବି ପୂଜା କରିବାକୁ ଆରମ୍ଭ କରିଥିଲି; ଭାବୀ ଥଟ୍ଟା କରିବାରୁ ଛାଡ଼ିଲି । ଦିଦି କହିଲେ, ଏକାନ୍ତରେ ବସି ଗୋଟାଏ କିଛି ପଢ଼ । ମୋ କୋଠରୀଟି ଭିତରୁ କିଳି, ପଢ଼ି ବସେ । ପ୍ରଦୀପବାବୁ ଏଇ ସମୟରେ ଆସିବାକୁ ଆରମ୍ଭ କଲେ ଏବଂ ମୋତେ ଡାକି ମୋ ସଙ୍ଗେ ଏତିକିବେଳେ ଆଳାପ ଜମାଇ ବସିଲେ-। ଦିଦିବି କହିଲେ, ଭଦ୍ରଲୋକଙ୍କ ସଙ୍ଗେ କଥାବାର୍ତ୍ତା ନ କରିବା ଅଭଦ୍ରତା ହେବ । ମୁଁ ଭଦ୍ରତା ଜଗି ସଂକୁଚିତଭାବେ ତାଙ୍କ କଥାରେ ହଁ ନାଇଁ ଉତ୍ତର ଦେଉ ଦେଉ ନିଃସଙ୍କୋଚରେ ତାଙ୍କ ସଙ୍ଗେ କଥାବାର୍ତ୍ତା ହେବାକୁ ଆରମ୍ଭ କଲି ଏବଂ ସେ ଭଦ୍ରତା ଭୁଲି ମୋ ସଙ୍ଗେ ଏଣୁତେଣୁ କଥାବାର୍ତ୍ତା ପକାଇ ବସିଲେ । ଦିନେ ନିର୍ଲଜ୍ଜଭାବେ କହି ପକାଇଲେ, ‘ତାରା ଦେବୀ ! ମୁଁ ଅପାତ୍ର ନୁହେଁ-। ଦ୍ଵିତୀୟ ଶ୍ରେଣୀରେ ଏମ.ଏ. ପାସ୍ କରିଛି । ଇଚ୍ଛା କରିଥିଲେ ଆହ୍ଲାବାଦର କୌଣସି କଲେଜରେ ଶିକ୍ଷକତା କରି ପାରିଥାନ୍ତି । ସାମ୍ବାଦିକତା ପ୍ରତି ମୋର ବହୁ ଦିନରୁ ଆକର୍ଷଣ ଥିବାରୁ, ଏହା କରୁଛି-। ସମ୍ପାଦକ ମହାଶୟ ଜବାବ୍ ଦେଇଛନ୍ତି, ଆଉ ଦି’ ମାସ ପରେ ସେ ମୋତେ ତାଙ୍କର ସହକାରୀ କରି ଅଫିସ୍‌ରେ ରଖିବେ । ଦରମାବି ବଢ଼ିବ । ମୁଁ ଏକାକୀ । ମୋ ସଙ୍ଗେ ଜୀବନ ସମ୍ପର୍କ ରଖିଲେ ତୁମର ଅସୁବିଧା ହେବ ନାହିଁ ବୋଲି ମୁଁ ବିଚାରୁଛି । ମୋର ଜୀବନ ସାର୍ଥକ ହୁଅନ୍ତା ।

 

ମୁଁ ଏ ଲମ୍ବା ବକ୍ତୃତା ତୁନି ହୋଇ ଶୁଣିଲି ଓ ସେ କଥା ଶେଷ କରି ମୋ’ ଆଡ଼କୁ ଉତ୍ସୁକ ହୋଇ ଚାହିଁ ରହିବାର, କଣେଇ କଣେଇ ଦେଖି ମଧ୍ୟ ତୁନି ହେଲି । ତାଙ୍କର ସାହସ ବଢ଼ିଲା । ସେ ଗୋଟିଏ ବାକ୍ୟରେ ମୋତେ ପଚାରି ନିର୍ଦ୍ଦିଷ୍ଟ ଉତ୍ତର ଖୋଜିଲେ । ମୁଁ ଉତ୍ତର ଦେଲି ଆପଣଙ୍କ ଇଂରାଜୀ ପଢ଼ାଯୋଗୁଁ ଆପଣ ଏଭଳି ପଚାରୁଛନ୍ତି । କିନ୍ତୁ ମୁଁ ବିଚାରୁଛି, ଏ ପ୍ରଶ୍ନ ମୋତେ ନ ପଚାରି, ଦିଦିଙ୍କୁ ପଚାରିଲେ ଭଲ ହୁଅନ୍ତା । ମୁଁ ଏକାବେଳକେ ଅଭିଭାବକହୀନା ନୁହେଁ । ଏତକ କହି ମୁଁ ଗୋଟାଏ କାମ ବାହାନାରେ ଉଠିଗଲି । ତା’ର ଅଳ୍ପ ସମୟ ପରେ ଦିଦିଙ୍କର ପୂଜା ସରିଲା ଓ ପ୍ରଦୀପବାବୁ ତାଙ୍କ ସଙ୍ଗେ ବହୁତ ସମୟ ଏକାନ୍ତରେ କଥାବାର୍ତ୍ତା ହେଲେ । ମୋର ମନେ ହେଉଥାଏ, ମୋରି କଥା ପଡ଼ିଥିବ । କିନ୍ତୁ ସେ ଦିନ ବା ତା’ପରେ ଅନେକଦିନ ଯାଏଁ ଦିଦି ଏ ବିଷୟରେ ମୋତେ କିଛି କହିଲେ ନାହିଁ । ପ୍ରଦୀପବାବୁଙ୍କ ସଙ୍ଗେ କଥାବାର୍ତ୍ତା ହେବାକୁ ଆଉ ସୁଯୋଗ ଯେପରି ନ ମିଳିବ, ସେଥିପ୍ରତି ମୁଁ ଭାରି ସାବଧାନ ରହିଲି । ସେ ମଧ୍ୟ ଅନଧିକାର ଚର୍ଚ୍ଚା କରିବାକୁ ଉଦ୍ୟମ କଲେ ନାହିଁ । ମୋର ଧାରଣା ହେଲା ଦିଦି ବୋଧହୁଏ ତାଙ୍କୁ ତାଗିଦ୍ କରିଦେଇଛନ୍ତି ।

 

ସେଇ ହପ୍ତା ଭିତରେ ପ୍ରଧାନମନ୍ତ୍ରୀଙ୍କ ସହକାରୀ, ଆମର ପୂର୍ବପରିଚିତ ଭଦ୍ରଲୋକ ଆମ ଘରକୁ ଦୁଇ ତିନିଥର ଆସି ଦିଦିଙ୍କ ସହିତ କ’ଣ କଥାବାର୍ତ୍ତା କରି ଗଲେ । ଦୁଇ ତିନି ଦିନ ଛାଡ଼ି ପୁଣି ଆସିଲେ । ସେ ଦିନ ମୁଁ ଓ ଭାବୀ ଉଭୟେ ଦିଦିଙ୍କ ପାଖରେ ଥାଉ । ଦିଦି ଆମକୁ ଯିବାକୁ କହିଲେ ନାହିଁ, ଓଲଟି ଭାବୀ ଉଠିଗଲା ବେଳକୁ ଦିଦି ତାଙ୍କୁ ବସ ବୋଲି କହିଲେ । ଭଦ୍ରଲୋକ ସାଧାରଣ କୁଶଳ ପ୍ରଶ୍ନ ପଚାରି ଆରମ୍ଭ କଲେ, ‘ଇଲା ଦେବୀ ! ମୁଁ ଆପଣଙ୍କୁ ଯେଉଁ ପ୍ରସ୍ତାବ ଦେଉଛି, ତାହା ଅନ୍ୟ ଯେ କୌଣସି ଭଦ୍ରମହିଳା ସ୍ୱାଗତ କରନ୍ତେ । ୟାଦ୍ଵାରା ଆପଣଙ୍କ ଜୀବନ କର୍ମମୟ ହେବ ଏବଂ ଆପଣଙ୍କ ଯୋଗୁଁ ବହୁ ଅରକ୍ଷିତା ସ୍ତ୍ରୀଲୋକଙ୍କର ଉପକାର ହେବ । ମୁଁ ବିସ୍ତରଭାବେ କହିସାରିଛି, ଆପଣ ଗୋଟିଏ ଦସ୍ତଖତ କରିଦେଲେ ମୁଁ ଏ କାର୍ଯ୍ୟରେ ଅଗ୍ରସର ହୁଅନ୍ତି । ପ୍ରଧାନମନ୍ତ୍ରୀଙ୍କର ଏକାନ୍ତ ଇଚ୍ଛା, ଆପଣ ଏ ଭାରଟି ନେବେ ଏବଂ ଏଇଠାରେ ମହିଳା ଆଶ୍ରମଟି ଆସନ୍ତା ସ୍ୱାଧୀନତା ଦିବସ ପୂର୍ବରୁ ସ୍ଥାପିତ ହେବ । ଆପଣଙ୍କଠାରୁ ଜବାବ୍ ପାଇବାମାତ୍ରେ ମୁଁ ପ୍ରାରମ୍ଭିକ କାର୍ଯ୍ୟପାଇଁ ପଚାଶ ହଜାର ଟଙ୍କା ଆଣିଦେବି, ତା’ପରେ ବାର୍ଷିକ ଖର୍ଚ୍ଚ ସକାଶ ବଜେଟ ତିଆର କରିବି’ ।

 

ଦିଦି କହିଲେ, ‘ଆପଣ ଯେଉଁ ପ୍ରସ୍ତାବ କରିଛନ୍ତି ତାହା ଖୁବ୍ ଭଲ, ମୁଁ ସ୍ଵୀକାର କରୁଛି । କିନ୍ତୁ ମୋପାଇଁ ତାହା ଭଲ ହେବ କି ନାହିଁ ସେ ବିଷୟରେ ମୋ’ର ଅଦ୍ୟାପି ସଂଶୟ ଅଛି । ମୁଁ କୌଣସି କାର୍ଯ୍ୟରେ ବାନ୍ଧିହୋଇ ରହିବାକୁ ଚାହୁଁନାହିଁ । ମୁଁ ଜାଣୁଛି ଆଜିକାଲି ସମୟରେ ପାଞ୍ଚଜଣ ମିଶି କୌଣସି କାମ କଲେ ସଫଳ ହେବା ସମ୍ଭବ ନୁହେଁ । ହୁଏତ ଆମ ଭିତରେ ଜଣେ କେହି କୃତ୍ରିମ କରି ଗୁଡ଼ାଏ ଟଙ୍କା ଖାଇଯିବ । ସେତେବେଳେ ମୁଁ ଓ ଆପଣ ଉଭୟଙ୍କର କି ଅବସ୍ଥା ହେବ, ବିଚାରନ୍ତୁ । ପୁଣି ଭିନ୍ନ ପ୍ରକୃତିର ଗୁଡ଼ିଏ ସ୍ତ୍ରୀଲୋକ ଏକାଠି ଠାଏ ରଖିବା; ତାଙ୍କ ଭିତରୁ ଜଣେ ଦି’ଜଣ କେହି ଅବାଟକୁ ଗଲେ ସମସ୍ତଙ୍କର ନିନ୍ଦା । ଏଇଭଳି ବିଚାର ମୁଁ ଏ କାର୍ଯ୍ୟରେ ପଶିବାକୁ ଭରସି ପାରୁନାହିଁ’ ।

 

ଭଦ୍ରଲୋକ, ପ୍ରବୀରବାବୁ କହିଲେ, ‘ଇଲାଦେବୀ ! ଆପଣଙ୍କ ମନରେ ଏପରି ସଂଶୟ ହେବାରୁହିଁ ଜଣାପଡ଼ୁଛି, ଆପଣଙ୍କ ହୃଦୟ କେଡ଼େ ମହତ୍ । କିନ୍ତୁ ଆପଣ ଭୟ କରନ୍ତୁ ନାହିଁ । ପଇସାପତ୍ରରେ କୌଣସି ଗଣ୍ଡଗୋଳ ହେବ ନାହିଁ । ସେ ଦିଗରେ ମୁଁ ସବୁବେଳେ ସତର୍କ ବୋଲି ପ୍ରଧାନମନ୍ତ୍ରୀ ଜାଣିଥିବାରୁ ମୋତେ ଏତେ ବିଶ୍ୱାସ କରନ୍ତି । ଆଉ ଆଶ୍ରମର ଶୃଙ୍ଖଳା ରଖିବାକୁ ସେ ତାଙ୍କର ବିଶ୍ୱାସୀ କେତେଜଣ ଭଦ୍ର ବ୍ୟକ୍ତି ଓ ଭଦ୍ରମହିଳାଙ୍କୁ ଏ ଅନୁଷ୍ଠାନ ପାଇଁ ବାଛିଛନ୍ତି । ଆପଣ କେବଳ ସଂପାଦିକା ଓ ଆଶ୍ରମର ପରିଚାଳିକା ହେଲେ କାମ ଶେଷ’ ।

 

ଦିଦି କହିଲେ, ‘ଆପଣଙ୍କ କାମ ଶେଷ ହୋଇପାରେ, କିନ୍ତୁ ସେଇଠାରୁ ତ ମୋର କାମ ଆରମ୍ଭ ହେବ ଏବଂ ମୁଁ ନିତ୍ୟ ବହୁ ଜଞ୍ଜାଳରେ ଘାଣ୍ଟି ହେବି । ଆପଣଙ୍କୁ ‘ନାସ୍ତି’ବାଣୀ ଶୁଣାଇ ଦେବାକୁ ମୁଁ ଦୁଃଖିତ, କିନ୍ତୁ ମୋତେ କ୍ଷମା କରନ୍ତୁ’ । ପ୍ରବୀରବାବୁ ବିଦାୟ ନେଲେ କିନ୍ତୁ କହିଗଲେ, ‘ମୁଁ ପୁଣି ହସ୍ତେ ଖଣ୍ଡେ ଛାଡ଼ି ଆସିବି । ସେତେବେଳକୁ ଆପଣ ଏ ବିଷୟରେ ଅଧିକ ଚିନ୍ତା କରିଥିବେ ଓ ମୋ ପ୍ରସ୍ତାବରେ–ମୋର କାହିଁକି, ପ୍ରଧାନମନ୍ତ୍ରୀ ଆପଣଙ୍କ ସକାଶ କରିଥିବା ଏ ପ୍ରସ୍ତାବରେ ରାଜି ହେବେ ।’ ଦିଦିଙ୍କଠାରୁ ଅସମ୍ମତି ଗ୍ରହଣ କରିବାକୁ ସେ ଏକାବେଳକେ ନାରାଜ । ସେ ଯିବା ପରେ ଦିଦି କହିଲେ, ‘ଦିଦିଙ୍କ ବର ସୂର୍ଯ୍ୟବାବୁ ଏ ଲୋକଟିର ପରିଚୟ ଆଗରୁ ମୋତେ ନ ଦେଇଥିଲେ ମୁଁ ଟାଣ ଧରି ପାରି ନ ଥାନ୍ତି’ । ସୂର୍ଯ୍ୟବାବୁଙ୍କ ସଙ୍ଗେ ପ୍ରବୀରବାବୁଙ୍କ ଚେହେରାର ସାଦୃଶ୍ୟ ମୁଁ ଲକ୍ଷ୍ୟ କରିଥିଲି । କିନ୍ତୁ ଅଧିକ ଜାଣିବାକୁ ସେତେବେଳେ କିଛି ପଚାରିଲି ନାହିଁ । ଦିଦିଙ୍କୁ ଉପରେ ପଡ଼ି କିଛି ପଚାରିବାକୁ ମୋର କେଜାଣି କାହିଁକି ଭୟ ହେଉଥାଏ ।

 

ସମ୍ବାଦଦାତା ପ୍ରଦୀପବାବୁ ଦିଦିଙ୍କଠାରୁ ପ୍ରବୀରବାବୁଙ୍କ ବିଷୟ ଶୁଣି ଓ ତାଙ୍କ ପ୍ରସ୍ତାବିତ ମହିଳାଶ୍ରମରେ ଦିଦି ଯୋଗ ନ ଦେବାର କାରଣ ବୁଝି, ବନେଇ ଚୂନେଇ ଗୋଟିଏ ପ୍ରବନ୍ଧ ତାଙ୍କ କାଗଜରେ ଛପାଇଲେ ଓ ତହିଁରେ ସୂଚାଇଲେ ଯେ, ପ୍ରଧାନମନ୍ତ୍ରୀଙ୍କ ସେକ୍ରେଟାରୀ ପ୍ରବୀରବାବୁ ଏଭଳି ବିଷୟରେ ପ୍ରଧାନମନ୍ତ୍ରୀଙ୍କ ନାମରେ ଯେପରି ମୁଣ୍ଡ ପୂରାଉଛନ୍ତି ତା’ଫଳରେ ଭବିଷ୍ୟତରେ ଗଣ୍ଡଗୋଳର ଆଶଙ୍କା ଅଛି । ଆଗରୁ କ’ଣ ସୁରାକ ମିଳିଥିଲା କେଜାଣି, ଏ ଖବର ବାହାରିବାର ଦୁଇ ଦିଦି ଭିତରେ କେନ୍ଦ୍ର ଗୁଇନ୍ଦା ପୁଲିସର ଜଣେ ଅଫିସର ଦିଦିଙ୍କ ସଙ୍ଗେ ଦେଖା କରିବାକୁ ଆସି ପହଞ୍ଚିଲେ । ପରେ ଶୁଣିଲି, ଦିଦିଙ୍କ ଦସ୍ତଖତରେ ପଚାଶ ହଜାର ଟଙ୍କା ଟ୍ରେଜେରୀରୁ ଅଣାହୋଇଛି-। ଆମ ଭାଗ୍ୟକୁ ଦିଦିଙ୍କ ଦସ୍ତଖତ ଜାଲ୍ ବୋଲି ପୁଲିସ୍ ଅଫିସରଙ୍କ ବିଶ୍ୱାସ ହେଲା । ସେ ଦିଦିଙ୍କର ଦଶବାରଟା ଦସ୍ତଖତ ନେଇ ଦିଲ୍ଲୀ ଫେରିଗଲେ । ପ୍ରଦୀପବାବୁ ମଧ୍ୟ ଦିଲ୍ଲୀ ଗଲେ । ତା’ର ଦୁଇ ଚାରିଦିନ ପରେ ପ୍ରଦୀପବାବୁ ତାଙ୍କ କାଗଜରେ ଯେଉଁ ପ୍ରବନ୍ଧ ଛପାଇଲେ ତାହା ପଢ଼ି ସମଗ୍ର ଭାରତରେ ଗୋଟାଏ ଛନକା ପଶିଗଲା ବୋଲି ପ୍ରଦୀପବାବୁଙ୍କଠାରୁ ଶୁଣିଲୁ । ସେଇ ପ୍ରବନ୍ଧରୁ ପଢ଼ିଲୁଁ, ଗୁଇନ୍ଦା ପୁଲିସ ସାଙ୍ଗେ ସାଙ୍ଗେ ପ୍ରବୀରବାବୁଙ୍କ ଘର ଖାନ୍‍ତଲାସ୍ କରି ଦିଦିଙ୍କ ନାମରେ ଉଠା ହୋଇଥିବା ସବୁଟଙ୍କା ହସ୍ତଗତ କଲେ ଏବଂ ଜାଲ୍ ଫରିଆଦୀରେ ସେ ଆହୁରି ବହୁ ଟଙ୍କା ସରକାରୀ ତହବିଲରୁ ମାରି ନେଇଥିବାର ପ୍ରମାଣ ପାଇଲେ । ଦିଦିଙ୍କ ଦସ୍ତଖତ ଜାଲ୍ କିପରି ହୋଇଥିଲା ତା’ରବି ପ୍ରମାଣ ମିଳିଲା । ମଟରଟା ଦିଦି ପ୍ରବୀରବାବୁଙ୍କୁ ହସ୍ତାନ୍ତର କଲାବେଳେ, ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‍ଙ୍କୁ ଯେଉଁ ଦରଖାସ୍ତ କରିଥିଲେ, ସେଇ ଦରଖାସ୍ତର ଦସ୍ତଖତରୁ ଫଟୋ ଉଠାଇ ମୋହର ତିଆରି ହୋଇଥିବାର ଜଣାପଡ଼ିଲା । ବୋଧହୁଏ ପ୍ରଧାନମନ୍ତ୍ରୀଙ୍କ ଝିଅ ସଙ୍ଗେ ସଦ୍‌ଭାବ ଥିବାରୁ ପ୍ରବୀରବାବୁଙ୍କ ନାମରେ ମକଦ୍ଦମା ନ ହୋଇ ଚାପି ଦିଆଗଲା । ପ୍ରବୀରବାବୁଙ୍କୁ ପ୍ରଧାନମନ୍ତ୍ରୀ ଚାକିରିରୁ ବିଦା କରି ଦେଲେ, ବାହାରେ ଦେଖାଇବାକୁ ମାତ୍ର । ତାଙ୍କ କୋଠିକୁ ସେ ଅଦ୍ୟାପି ଯା-ଆସ କରୁଛନ୍ତି ବୋଲି ପ୍ରଦୀପବାବୁଙ୍କଠାରୁ ଶୁଣିଲୁ । ୟାଙ୍କର ପ୍ରବୀରବାବୁଙ୍କ ଉପରେ ଏତେ ରାଗ କାହିଁକି, ବିଚାରି ମୁଁ ବିସ୍ମିତ ହେଉଥାଏ । ଦିଦି ଥରେ ଦି’ ଥର ମୋ ଆଗେ କହିଲେ, ପ୍ରଦୀପ ଜଣେ ସଚ୍ଚାଲୋକ; ଦେଶର ଧନ ବରବାଦ୍ ହେଉଥିବାରୁ ଉତ୍ତ୍ୟକ୍ତ ହୋଇ ଦୁର୍ବୃତ୍ତଙ୍କ ପିଛା ଧରିଛନ୍ତି । ଉଦ୍ଦେଶ୍ୟ ରଖି ମୋ ଆଗେ ପ୍ରଦୀପବାବୁଙ୍କ ପ୍ରଶଂସା କରୁଥାନ୍ତି ବୋଲି ମୁଁ ଅନୁମାନ କରୁଥାଏଁ । ପ୍ରଦୀପବାବୁଙ୍କ କଥା ପଡ଼ିଲେ ଭାବି ଯେମିତି ମୁହଁ କରୁଥାନ୍ତି, ତୃପ୍ତିରେ ହସୁଥାନ୍ତି, ତାହା ଦେଖି ମୁଁ ସନ୍ଦେହ କରୁଥାଏ, ଦିଦି ଓ ସେ ଦୁହେଁ ୟା’ଙ୍କ ବିଷୟରେ କ’ଣ ସିଦ୍ଧାନ୍ତ କରିସାରିଲେଣି ।

 

ଏ କଥା କାହାକୁ କହିନାହିଁ । ନିଜର ବିବେକକୁ ମଧ୍ୟ ଜଣାଇନାହିଁ ଯେ, ପ୍ରବୀରବାବୁଙ୍କୁ ପ୍ରଥମେ ଦିଲ୍ଲୀରେ ଦେଖିଲା ବେଳୁ ତାଙ୍କର ରୂପ ଓ ଆଚରଣରେ ମୁଁ ଆକୃଷ୍ଟ ହୋଇଥିଲି । ସେ ସ୍ୱତଃପ୍ରବୃତ୍ତ ହୋଇ ଦିଦିଙ୍କର ଅଡ଼ୁଆ ନିଷ୍ପତ୍ତି କରିବାରେ ଓ ଭାବୀଙ୍କୁ ପାଗଳଗାରଦରୁ ମୁକ୍ତ କରିବାରେ, ତାଙ୍କ ପ୍ରତି କୃତଜ୍ଞତା ସଙ୍ଗେ ସଙ୍ଗେ ଶ୍ରଦ୍ଧାବି ମୋ ମନରେ ଜାତ ହୋଇଥିଲା । ସେ ମୋ ଆଡ଼କୁ ଚାହିଁବାରେ ଆଗ୍ରହୀ ହେବାରେ ମୋର ମନ ଉଷତ ହେଉଥିଲା । ଆକାଶକୁସୁମ ପରି ମନରେ ଆଶା ଜାଗିଥିଲା, ଯଦି ଭଲବେଳ ଆସେ ଓ ପ୍ରବୀରବାବୁଙ୍କ ଅନୁଗ୍ରହ ହୁଏ, ତେବେ ତାଙ୍କୁଇ ଆଶ୍ରା କରି ଏ ପୋଡ଼ା ଜୀବନଟାରେ ଲେପ ଦେବାକୁ ଚେଷ୍ଟା କରିବି । ସୂର୍ଯ୍ୟବାବୁଙ୍କ ସଙ୍ଗେ ତାଙ୍କୁ ଦେଖି ମନରେ ଖଟକା ଲାଗିଥିଲା; କିନ୍ତୁ ଆଶା ଥାଏ ଯେ, ପ୍ରବୀରବାବୁ ଭଲଲୋକ ବୋଲି ଶେଷରେ ଜଣାପଡ଼ିବ । କିନ୍ତୁ ପ୍ରଦୀପବାବୁଙ୍କ ଅଧ୍ୟବସାୟ ଫଳରେ ତାଙ୍କର ଅସାଧୁତା ଯେ ଖାଲି ପ୍ରକାଶ ପାଇଲା, ତା’ ନୁହେଁ, ତାଙ୍କ ଜନ୍ମ ବିଷୟରେ କଳଙ୍କ ମଧ୍ୟ ରଟିଲା । ପ୍ରଦୀପବାବୁ ପ୍ରବୀରବାବୁଙ୍କ ବିଷୟରେ ଅନୁସନ୍ଧାନ କରି ପ୍ରକାଶ କଲେ ଯେ, ସୂର୍ଯ୍ୟବାବୁଙ୍କ ଘରେ ପ୍ରବୀରବାବୁଙ୍କ ମା’ ଚାକରାଣୀ ହୋଇ ରହିଥିଲେ । ଘରେ ପିଲାକବିଲା କେହି ନ ଥାନ୍ତି । ଆଗ ଜନ୍ମ ହେଲେ ପ୍ରବୀରବାବୁ, ବର୍ଷକ ପରେ ଜନ୍ମ ହେଲେ ସୂର୍ଯ୍ୟବାବୁ । ଉଭୟଙ୍କ ଚେହେରାରେ ସାଦୃଶ୍ୟ ଦେଖି କେତେ ଲୋକ କେତେ ପ୍ରକାର କଳଙ୍କ ରଟାଇଲେ; କିନ୍ତୁ ସୂର୍ଯ୍ୟବାବୁଙ୍କ ମା’ ଭଲଲୋକ ଥିବାରୁ ସେସବୁକୁ କାନ ନ ଦେଇ ଯୋଡ଼ିକଯାକ ପିଲାଙ୍କୁ ସମାନ ସ୍ନେହ କରି ପାଳିଲେ-। ସୂର୍ଯ୍ୟବାବୁଙ୍କ ବାପା ଉଭୟଙ୍କୁ ଉଚ୍ଚ ଶିକ୍ଷା ଦେଲେ, କିନ୍ତୁ ସେମାନଙ୍କ ପାଇଁ କର୍ମସଂସ୍ଥାନ କରାଇବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଗଲା । ପିଲାଦିହେଁ ଅବାଟରେ ଗଲେବି ଦୁହିଁଙ୍କ ଭିତରେ ସୌହାର୍ଦ୍ଦ୍ୟ ଏପର୍ଯ୍ୟନ୍ତ ଥିଲା । ଏ ବିଷୟ ଜାଣିବା ପରେ ମୋର ପ୍ରବୀରବାବୁଙ୍କ ପ୍ରତି ଘୃଣା ହେବା ସଙ୍ଗେ ସଙ୍ଗେ ପ୍ରଦୀପବାବୁଙ୍କ ପ୍ରତି ମଧ୍ୟ ବିରକ୍ତି ଜାତ ହେଲା । ମୋ ମନ ଭିତରେ କିପରି ଗୋଟାଏ ଭାବ ହେଲା ଯେ, ୟାଙ୍କରି ଯୋଗୁଁ ମୋର ବାଲିଘର ଭୁଶୁଡ଼ି ପଡ଼ିଲା ।

 

କିନ୍ତୁ ପ୍ରଦୀପବାବୁଙ୍କର ଆମ ଘରେ ଆଦର ବିଶେଷଭାବେ ବଢ଼ିଯାଇଥାଏ । ମୋ ସଙ୍ଗେ କଥାବାର୍ତ୍ତା କରିବାକୁ ତାଙ୍କୁ ଦିଦି ପ୍ରଶ୍ରୟ ଦେଇଥାନ୍ତି ବୋଲି ମୋର ସନ୍ଦେହ ହେଉଥାଏ । ପ୍ରଥମ କଥାବାର୍ତ୍ତାର ପ୍ରାୟ ମାସେ ଖଣ୍ଡେ ପରେ ଦିନେ ପ୍ରଦୀପବାବୁ ମୋତେ ଏକୁଟିଆ ପାଇ ପୁଣି ସେଇ କଥା ଉଠାଇଲେ । ମୋର ମୁରବି ମୁଁ ନୁହେଁ ବୋଲି କହିବାରୁ ସେ ଫିଟାଇ କହିଲେ, “ମୁଁ ଇତିମଧ୍ୟରେ ଦିଦିଙ୍କ ସଙ୍ଗେ କଥାବାର୍ତ୍ତା କରିଛି, ଭାବୀ ଉପସ୍ଥିତ ଥିଲେ । ମୋର ଜାତିକୁଳ ବିଷୟରେ ପ୍ରମାଣ ଦେଇଛି, ଆହୁରିବି ଦେବାକୁ ତିଆର ଅଛି । ମୁଁ ପ୍ରବୀର ପରି ନୁହେଁ–ଏ କଥା ଶପଥ କରି କହିପାରେ ।’

 

ମୁଁ ଉତ୍ତେଜିତଭାବେ କହିଲି, ‘ତାଙ୍କ କଥା ଉଠାଇବାର କି ପ୍ରୟୋଜନ ? ମୁଁ ତ ତାଙ୍କ ସଙ୍ଗେ କଥାବାର୍ତ୍ତାବି କରି ନାହିଁ ।’

 

ସେ ହସି ହସି କହିଲେ, ‘ତୁମେ କଥାବାର୍ତ୍ତା ହୋଇନାହଁ, ଏକଥା ମୁଁ ଜାଣେ । ଖାଲି ଗୋଟାଏ ସନ୍ଦେହ କେମିତି ହୋଇଯାଇଥିଲା ଯେ ସେ ମୋର ପ୍ରତିଦ୍ୱନ୍ଦ୍ୱୀ । ତୁମର ଉତ୍ତେଜିତ ପ୍ରତିବାଦରୁ ତ ବିଚାରୁଛି, ମୋର ସନ୍ଦେହ ଏକାବେଳକେ ଅମୂଳକ ନୁହେଁ । ଏହାର ମୁଁ ଜବାବ୍ ଦେଲି ନାହିଁ । ମୁଁ ଧରା ପଡ଼ିଗଲି ବୋଲି ମନକୁ ମନ ବିଚାରିଲି । ସେ କ’ଣ ବିଚାରିଲେ କେଜାଣି-? କିଛି ସମୟ ପରେ ମୁଁ ଗୋଟିଏ କାମର ବାହାନା କରି ଉଠିଗଲାବେଳକୁ ସେ ମୋତେ କହିଲେ, ‘ମୋର ଆଉ ଗୋଟିଏ ମାତ୍ର କଥା ଶୁଣିଯାଅ । ଦିଦି ମୋତେ କହିଛନ୍ତି, ତୁମର ଯଦି ଆପତ୍ତି ନ ଥାଏ, ତାଙ୍କର ଆଦୌ ଆପତ୍ତି ନାହିଁ । ଅପରନ୍ତୁ ସେ ଖୁବ୍ ଖୁସି ହେବେ ।’ ଏତକ ସେ କହିବାରେ ମୋତେ କେଜାଣି କାହିଁକି କାନ୍ଦ ମାଡ଼ିଲା । ମୁଁ ମୁହଁରେ ଲୁଗା ଦେଇ ବାହାରିଗଲି । ସେଇ ତାଙ୍କ ସଙ୍ଗେ ମୋର ଶେଷ ଦେଖା ।

 

ସେଦିନ ରାତିରେ ଆମେ ସବୁ ଖାଇ ସାରି ଶୋଇବା ପୂର୍ବରୁ ଦିଦି ମୋତେ ପାଖକୁ ଡାକିଲେ ଓ ମୋ ପିଠିରେ ହାତ ବୁଲାଉ ବୁଲାଉ କହିଲେ ‘ତାରା ! ଆଜି ଗୋଟିଏ ଗୁରୁତର ବିଷୟରେ ତୋ’ ସଙ୍ଗେ ପଦେ କଥାବାର୍ତ୍ତା ହେବାକୁ ବିଚାରୁଛି । ଭାବୀଙ୍କର ମତ ତୋତେ ପଚାରିବା ନିଷ୍ପ୍ରୟୋଜନ । ଆମେ ଦୁହେଁ ତୋର ହିତପାଇଁ ଯାହା କରିବାକୁ ଯାଉଛୁ ସେଥିରେ ତୋର ଅମତ ହେବାର କାରଣ ନାହିଁ ବୋଲି ସେ କହୁଛନ୍ତି । କିନ୍ତୁ ମୁଁ ବିଚାରୁଛି, ତୁ ଆମ ସଙ୍ଗେ ବିଚାରରେ ମିଶିଲେ ଭଲ ।’ ଭାବୀ ମୋ’ର ଏ ପାଖରେ ବସି ମୁଡ଼ୁକି ମୁଡ଼ୁକି ହସୁଥାନ୍ତି ।

 

ମୁଁ କିଛି କହିଲି ନାହିଁ କି ଶୁଣିବାକୁ ଉତ୍ସୁକ ବୋଲି ଭାବଭଙ୍ଗୀ ଦେଖାଇଲି ନାହିଁ । ସେ ଯେଉଁ ବିଷୟରେ କହିବେ ତା’ ତ ମୁଁ ଆଗରୁ ଜାଣିଥାଏଁ । ସେ କହିଲେ, ‘ଆମ ଦୁହିଁଙ୍କ ସଙ୍ଗେ ଚିରକାଳ ରହିଲେ ଭଲ ବୋଲି ତୁ ବିଚାରୁଛୁ, ମୁଁ ଜାଣେ । କିନ୍ତୁ ତୋତେ ସିନା ଭଲ ଆମକୁ ସେଇଟା ଭାରି ଅସୁନ୍ଦର ହେବ । ଜୀବନକୁ ଉପଭୋଗ କରିବାକୁ ଆମକୁ ଯେଉଁ ସୁଯୋଗ ମିଳିଥିଲା, ତାହା ଆମେ ହରାଇଛୁ । ଅତୀତକୁ ସ୍ମରଣ କରି ସାନ୍ତ୍ୱନା ପାଇ ଆମେ କାଳ କଟାଇଦେବୁ । କିନ୍ତୁ ତୁ ? ତୋର ଜୀବନଟା ଆଗରେ ପଡ଼ିଛି । ତୋପାଇଁ ଭଲ ଜାଗାଟିଏ ବାଛି ତୋତେ ତୋର ସଂସାର କରିବାକୁ ଛାଡ଼ିଦେବା ଆମ ପକ୍ଷରେ ଉଚିତ ହେବ ନାଇଁ କି ?

 

ମୁଁ ସକସକ ହୋଇ କହିଲି, ‘ତୁମରି ଦୁହିଁଙ୍କ ସେବା କରି ମୁଁ ଯେଉଁ ସୁଖ ପାଉଛି, ତୁମକୁ ଛାଡ଼ି ମୁଁ ସେ ସୁଖ କୁତ୍ରାପି ପାଇବି ନାହିଁ । ମୋତେ ନିଜ ପାଖରୁ ଘଉଡ଼ିବା କଥା ବିଚାର ନାହିଁ ।’

 

ଦିଦି ମାତେ କୁଣ୍ଢାଇ ପକାଇ କହିଲେ, ‘ଦୂର୍ ପାଗଳୀ ! ତୋତେ ପାଖରୁ ଘଉଡ଼ାଉଛି କିଏ ? ଆମେ ତ ଯାହା ବିଚାରୁଛୁ, ତାହାହେଲେ ବଞ୍ଚିଯିବା ଯାଏଁ ଆମେ ତୋତେ ଚାହିଁ ରହିଯିବୁ । ତୋରି ସୁଖ ଦୁଃଖରେ ଆମେ ଭାଗୀ ହେବୁ ।’ ଭାବୀ ମୋ ମୁଣ୍ଡରେ ହାତ ବୁଲାଇ କହିଲେ, ‘ଆଗ ସବୁ କଥା ଶୁଣିସାର, ତା’ପରେ ଭଲମନ୍ଦ ବାଛିବ ।’

 

ଦିଦି ପୁଣି କହିଲେ, ‘ତୋପାଇଁ ଗୋଟିଏ ସତ୍‌ପାତ୍ର ବାଛିବାକୁ ଭାବୀ ଡାକ୍ତରଖାନାରୁ ଆସିବା ଦିନୁଁ ଲଗାଇଛନ୍ତି । ଆଖି ବୁଲାଇବାକୁ ମୋତେ ତ ଅବସର ମିଳି ନଥିଲା । ମନକୁ ମନ ଭଲ ପିଲାଟିଏ ଆସି ଜୁଟିଛି । ଶିକ୍ଷକ, ଭଦ୍ର ବ୍ୟବହାର, କୁଳୀନ । ମୁଁ ଭଲରକମ ପ୍ରମାଣ ନେଇଛି, ସେ ଖାଲି ଉଚ୍ଚକୁଳରେ ଜାତ ନୁହଁନ୍ତି, ତାଙ୍କର ମନଟାବି ଉଚ୍ଚ । ସେ ରାଜି ହେଲେ ତୋର ଭାଗ୍ୟ ବୋଲି ଆମେ ଦୁହେଁ ବିଚାରିଲାବେଳକୁ ସେ ନିଜେ ତାଙ୍କ ଆଡ଼ୁ ପ୍ରସ୍ତାବ କଲେ; କହିଲେ, ତୁ ତାଙ୍କୁ କହିଲୁ ଏ ବିଷୟରେ ନିଷ୍ପତ୍ତି କରିବେ ଦିଦି ଓ ଭାବୀ । କହିଥିଲୁଟି’ ?

 

ମୋର ଆଖିରୁ ଦୁଇଟୋପା ଲୁହ ଦିଦିଙ୍କ ଲୁଗାରେ ପଡ଼ିଲା । ମନରେ ବିଚାରିଲି ମୋର ସବୁ ଯାଇଛି ବୋଲି ବେଳେବେଳେ ବିଚାରେ କାହିଁକି ? ଦିଦିଙ୍କଠାରେ ମୋ ପ୍ରତି ଯେଉଁ ବାତ୍ସଲ୍ୟ ଅଛି, ମୋ ବାପା ମା’ଙ୍କରବି ତହିଁରୁ ଅଧିକ କ’ଣ ରହିପାରିଥାନ୍ତା ? ମୋପାଇଁ ୟାଙ୍କର ଏତେ ମମତା ! ମୁଁ ୟାଙ୍କ କଥାରେ ଉଁଚୁ କରିବାକୁ କିଏ ? ମୁଣ୍ଡ ନାଡ଼ି ତାଙ୍କ ପ୍ରଶ୍ନର ଉତ୍ତର ଦେଲି । ଭାବୀ କହିଲେ, ‘ତୁମକୁ ମୁଁ କ’ଣ କହୁଥିଲି ଦିଦି ? ଦିଦି ଓ ଭାବୀ ନିଷ୍ପତ୍ତି କରିବେ ବୋଲି ତ ସେ କହି ସାରିଛନ୍ତି, ଆଉ ପଚାରିବା ଦରକାର କ’ଣ ?’

 

ଦିଦି ମୋତେ ପୁଣି ପଚାରିଲେ, ‘ଆମେ ନିଷ୍ପତ୍ତି କରିଛୁଁ, ଆଗାମୀ ତିଥିରେ ପ୍ରଦୀପବାବୁଙ୍କ ହାତରେ ତୋତେ ସମର୍ପଣ କରିଦେବୁଁ । ତୋର ମନ ମାନୁଛିଟି ? ତୁ ଯଦି ସାନ ପିଲା ହୋଇଥାନ୍ତୁ, ତୋ ମତ ନେବା କଥା ଉଠନ୍ତା ନାହିଁ, କିନ୍ତୁ ଭାବୀ କହୁଛନ୍ତି, ତୋତେ ଅଠର ଚାଲୁଛି । ସେ ତୁମ ଗାଁକୁ ଆସିଲାବେଳକୁ ତୋତେ ହୋଇଥିଲା ୫।୬ ବର୍ଷ । ଏବେ ସେ ବାରବର୍ଷରୁ ଅଧିକ ହେଲା ଆସିଲାଣି । ନୁହେଁ ? ବଢ଼ିଲା ଝିଅଙ୍କ ମତ ନ ନେଇ ବିଭାଘର ପ୍ରସ୍ତାବ କରିବା ଉଚିତ ନୁହେଁ । କ’ଣ କହୁଛୁ ?’ ମୁଁ ଆଉ କ’ଣ କହନ୍ତି ? ଉଠିପଡ଼ି ଦୁହିଁଙ୍କ ପାଦତଳେ ଯୋଡ଼ିଏ ମୁଣ୍ଡିଆ ମାଇଲି । ଦୁହେଁଯାକ ଠିଆହୋଇପଡ଼ି ଏକ ସଙ୍ଗେ ମୋତେ କୁଣ୍ଢାଇ ପକାଇଲେ ଓ ଏକସ୍ୱରରେ କହିଲା ପରି କହିଲେ, ‘ମା’ ! ତୁମର ଜୀବନ ସୁଖମୟ ହେଉ । ଭଗବାନ ଯେତେ ଦୁଃଖ ଦେଲେଣି ତା’ର ବିନିମୟରେ ତୁମକୁ ସୌଭାଗ୍ୟବତୀ କରନ୍ତୁ । ଦୁହେଁ ମୋତେ ବାସର ଘରକୁ ବାଟ କଢ଼େଇ ନେଲାପରି ମୋ ଶେଯ ପାଖକୁ ନେଇଗଲେ । ସମସ୍ତେ ଶୋଇଲୁଁ ।

 

ଦଶମିନିଟ୍ ଭିତରେ ବାରିଲି, ଭାବୀ ଓ ଦିଦି ଦୁହେଁ ନିଘୋଡ଼ ନିଦରେ ଶୋଇଛନ୍ତି । କିନ୍ତୁ ମୋତେ ନିଦ ହେଲା ନାହିଁ । ପ୍ରଦୀପବାବୁଙ୍କ ପାଖରୁ ଆଜି ସନ୍ଧ୍ୟାରେ ଯେପରି ଅଭଦ୍ରଭାବେ ଉଠି ଆସିଲି ତାହା ମନେ ପଡ଼ି ନିଜକୁ ଧିକ୍‌କାରିଲି । ମୋଠାରେ ଅଛି କ’ଣ ? ସର୍ବହରା ଅଜ୍ଞାତକୁଳଶୀଳା ବାଳିକାଟାଏ । ସେ କୁଳୀନ, ଉଚ୍ଚ ଶିକ୍ଷିତ, ସୌମ୍ୟ । ତାଙ୍କର ମୋ’ ପ୍ରତି ଏତେ ଅନୁଗ୍ରହ ଅଥଚ ତାଙ୍କୁ ମୁଁ ଗୋଡ଼ରେ ଫିଙ୍ଗି ଦେଲା ପରି ପଳାଇ ଆସିଲି । ସେ କ’ଣ ବିଚାରୁଥିବେ-? ଦିଦି ମୋତେ ପାଖରୁ ଅନ୍ତର କରିଦେବେ ବୋଲି ମୋତେ କାନ୍ଦ ମାଡ଼ିଲା । ଅଥଚ ସେ ଯଦି ବିଚାରିଥିବେ, ତାଙ୍କର ଦୁର୍ବ୍ୟବହାରରେ ମୁଁ ବ୍ୟଥିତ ହୋଇ କାନ୍ଦିଲି ବୋଲି ? ତାଙ୍କଠାରୁ କି ଭାଷାରେ କ୍ଷମା ମାଗିବି, ମନେମନେ ଭାବିଲି ।

 

ଭାବୀଙ୍କ ପ୍ରତି, ବିଶେଷ କରି ଦିଦିଙ୍କ ପ୍ରତି କୃତଜ୍ଞତାରେ ମନ ପୂରିଗଲା । ନିଜେ ସେ ଦୁହେଁ ରିକ୍ତା, ଅଥଚ ମୋତେ ସୁଖୀ କରିବାକୁ ଦୁହିଁଙ୍କର କେତେ ଆଗ୍ରହ ! ମୋ ଜୀବନ ତମାମ ସେମାନଙ୍କ ଋଣ ଶୁଝିବାକୁ ସଂକଳ୍ପ କଲି । ପ୍ରଦୀପବାବୁ ତ ଅଳ୍ପ ଦିନରେ ଏହ୍ଲାବାଦରେ ସ୍ଥାୟୀ ହୋଇ ରହିବେ, ତାହାହେଲେ ଏ ଦୁହିଁଙ୍କୁ ମଧ୍ୟ ସାଙ୍ଗରେ ଧରି ଯିବି । ଏହ୍ଲାବାଦରେ ରହିବାକୁ ଦିଦି ତ ଥରେ ଦି’ଥର କହିଛନ୍ତି । ସମସ୍ତେ ଏକ ସଙ୍ଗେ ରହିବୁ, ମୋର ମା’ ଓ ଶାଶୁଙ୍କୁ ଯେପରି ମାନ୍ୟ କରିବାର କଥା, ଏମାନଙ୍କୁ ସେଇପରି ମାନ୍ୟ କରିବି । ଦିନେବି ଏପରି କିଛି କରିବି ନାହିଁ, ଯହିଁରେ ତାଙ୍କ ମନରେ ଟିକିଏ ମାତ୍ର ଦୁଃଖ ହେବ ।

 

ପ୍ରବୀରବାବୁଙ୍କ କଥା ମନେ ପଡ଼ିଲା । ତାଙ୍କ ରୂପ ଦେଖି ତାଙ୍କ ପ୍ରତି ମନେମନେ ଆକୃଷ୍ଟ ହୋଇଥିଲି ସିନା ! ପ୍ରକୃତରେ କ’ଣ ସେ ୟାଙ୍କଠାରୁ ସୁନ୍ଦର ? ଛି, ତାଙ୍କର ଯେଉଁ ଗୁଣ ! ବ୍ୟଭିଚାରୀ ସେ, ଠକ ଜୁଆଚୋର ସିଏ ! ଦୈବାତ୍ ତାଙ୍କ ହାବୁଡ଼େ ପଡ଼ିଥିଲେ, ବଡ଼ ଦିଦିଙ୍କ ଦଶା ଭୋଗ କରିଥାନ୍ତି ସିନା ! ସାଙ୍ଗେ ସାଙ୍ଗେ ମନେ ପଡ଼ିଲା ସୂର୍ଯ୍ୟବାବୁଙ୍କ ଚରିତ୍ରରେ ପରିବର୍ତ୍ତନ କଥା-। ବଡ଼ ଦିଦି ଏବେ ଦୁଇଚାରି ଦିନ ତଳେ ଆସିଥିଲେ, ତାଙ୍କ ମନରେ ଆଉ ଲେଶମାତ୍ର ଅସନ୍ତୋଷ ନାହିଁ । ତାଙ୍କର ପୂର୍ବରୂପ ଫେରି ଆସୁଛି ବୋଲି ଦିଦି ମୋତେ ସେ ଦିନ ବଡ଼ଦିଦି ଯିବା ପରେ କହିଥିଲେ । ସୂର୍ଯ୍ୟବାବୁ ବର୍ତ୍ତମାନ ପୂରା ବଦଳି ଯାଇଛନ୍ତି ବୋଲି ବଡ଼ ଦିଦି କହୁଥିଲେ-। ପିଲାମାନଙ୍କର ଯତ୍ନ ନେଉଛନ୍ତି, ବଡ଼ ପୁଅଟିକୁ ପଢ଼ାଉଛନ୍ତି । ଟିକିଏ ବେଳ ମିଳିଲେ କ’ଣ ଗୋଟାଏ ଲେଖୁଛନ୍ତି, ଇଂରେଜୀ ଭାଷାରେ ଏମ୍.ଏ. ପାସ୍ କରିଛନ୍ତି, କଲେଜରେ ପତ୍ରିକାର ସମ୍ପାଦକ ହୋଇଥିଲେ । ଲେଖିପଢ଼ି ଜାଣୁଥିଲେ ଯେପରି, ବକ୍ତୃତା ଦେଇପାରୁଥିଲେ ସେପରି-। ନିଜର ଦୂରଭ୍ୟାସ ଓ କୁସଙ୍ଗ ଛାଡ଼ିପାରିଲେ ପୁଣି ସେ ମଣିଷ ପରି ମଣିଷ ହୋଇଯିବେ ।

 

ତାଙ୍କ କଥା ବିଚାରୁ ବିଚାରୁ ବିଚାରିଲି ପ୍ରବୀରବାବୁଙ୍କ କଥା । ତାଙ୍କରବି ପରିବର୍ତ୍ତନ ହୋଇପାରେ । ସେ ବି ଭଲ ମଣିଷ ହୋଇପାରନ୍ତି । ଏ କଥା ମନରେ ଆସିବାମାତ୍ରେ ଆପଣାକୁ ଦୋଷିଲି । ଛି ! ସେ ପରପୁରୁଷ, ତାଙ୍କ କଥା ମୁଁ ବିଚାରୁଛି କାହିଁକି ? ପ୍ରଦୀପବାବୁଙ୍କ କଥା ବିଚାରୁ ବିଚାରୁ କେତେବେଳେ ନିଦ ଲାଗିଗଲା । ନିଦରେ ମଧ୍ୟ ତାଙ୍କରି ସାଙ୍ଗରେ ସ୍ୱପ୍ନ ରାଜ୍ୟରେ ବୁଲିଲି, ପାଖରେ ପିଲା ଚାରୋଟି ଥାନ୍ତି, ଅଳ୍ପ ଦୂରରେ ଭାବୀ ଓ ଦିଦି ବସି କ’ଣ କଥାବାର୍ତ୍ତା କରୁଥାନ୍ତି । ସେତେବେଳକୁ ସେମାନଙ୍କ ମୁଣ୍ଡରେ ଦି’ ଗୋଛା ଝୋଟ ।

 

ମୋ ନିଦ ଭାଜିଲା ଆଗ । ମୋ ପଛେ ପଛେ ଭାବୀ ଉଠିଲେ । ତାଙ୍କର ଲମ୍ବା ଘଞ୍ଚ ବାଳ କେରାକ ବାନ୍ଧି ଶେଯରୁ ସେ ଉଠିଲା ବେଳକୁ ସ୍ୱପ୍ନରେ ବିଭୋର ହୋଇଥିବା ମୁଁ କହିଦେଲି, ‘ଭାବୀ, ମୁଁ ସ୍ୱପ୍ନ ଦେଖିଲି ଯେ, ତୁମ ମୁଣ୍ଡର ବାଳ ଝୋଟପରି ହୋଇଯାଇଛି ।’ ସାଙ୍ଗେ ସାଙ୍ଗେ ସେ ଉତ୍ତର ଦେଲେ, ‘ଆଉ ସେତେବେଳକୁ ତୁମର କୋଡ଼ରେ କାଖରେ ହୋଇ ଚାରିଟି ପିଲା ।’ ମୁଁ ବି ଚାରିଟା ପିଲା ସ୍ୱପ୍ନରେ ଦେଖିଥିଲି । ତେବେ କ’ଣ ଭାବୀବି ସେଇ ସ୍ୱପ୍ନ ଦେଖୁଥିଲେ ! ମୁଁ ଲାଜରେ ମୁହଁ ପୋତିଦେଲି । ଦିଦିଙ୍କର ନିଦ ଭାଜି ସାରିଥାଏ, ସେ ବିଛଣାରେ ଖାଲି ଗାମେଇ କରି ପଡ଼ିଥାନ୍ତି । ଆମ ବଚନିକା ଶୁଣି ସେ ଖେଁ କିନା ହସିଦେଲେ; ଓଃ କି ହସ ! ସେଇ ଦିନ ଆମ ସମସ୍ତଙ୍କର ହସ ଉଜୁଆଁ ହେଇଗଲା ।

 

ଆମ ଶୋଇବା ଘର ଚଞ୍ଚଳ ହୋଇଯିବାର ଇସାରା ପାଇ ସାଙ୍ଗେ ସାଙ୍ଗେ ନେପାଳୀ ଦରୁଆନ ଆସି ସଲାମ ଦେଇ କହିଲା, ‘ହଜୁର ! ସେ ପଡ଼ାର ଦିଦି ତାଙ୍କ ପିଲା ତିନୋଟି ଧରି ଆସିଛନ୍ତି; ଖୁବ୍ କାନ୍ଦୁଛନ୍ତି ।’

 

ଦିଦି ଉଠିପଡ଼ି ବିରକ୍ତ ହୋଇ କହିଲେ, ‘ତାଙ୍କୁ ଦୁଆରେ ନ ରୋକିବାକୁ ମୁଁ କେତେ ଥର କହିଲିଣି ?’ ଦରୁଆନ ବିଚରା ଦୋଷ କଲା ପରି କହିଲା, ଆପଣ ଉଠି ନାହାନ୍ତି ବୋଲି କହି ତାଙ୍କୁ ବୈଠକଖାନାରେ ବସାଇଛି ।’ କଥା ସରିବା ପୂର୍ବରୁ ସେ ତଳ ମହଲାକୁ ଚାଳି ଯାଇ ଦୁଇ ମିନିଟ୍ ଭିତରେ ବଡ଼ ଦିଦି ଓ ପିଲାମାନଙ୍କୁ ଧରି ଆସିଲା । ମତେ ପିଲାମାନଙ୍କ ଯତ୍ନ ନେବାକୁ ସଂକେତ ଦେଇ ଦିଦି, ବଡ଼ ଦିଦିଙ୍କୁ ଧରି ଗୋଟାଏ ଘରକୁ ପଶିଗଲେ ଓ ଦୁଇତିନି ମିନିଟ୍ ଭିତରେ ‘ରାମଲଗନ ରାମଲଗନ’ କହି ତଳକୁ ବଡ଼ ଦିଦିଙ୍କ ସାଙ୍ଗେ ଓହ୍ଲାଇଗଲେ । ତଳକୁ ଗଲାବେଳେ ମୋ ଉପରେ ନଜର ପଡ଼ିଯିବାରୁ କହିଲେ, ‘ତାରା ! ତୁ ଆମ ସାଙ୍ଗରେ ଆ, ଭାବୀ ପିଲାଙ୍କ କଥା ବୁଝିବେ ।’ ମୁଁ ତରତରରେ ଭାବୀଙ୍କଠାରୁ ଅନୁମତି ନେଇ ଓହ୍ଲାଇ ଆସିଲି । ସେତେବେଳକୁ ମଟର ବାହାରି ଷ୍ଟାର୍ଟ୍ ହୋଇଯାଇଥାଏ, ମୁଁ ବସିବା ସାଙ୍ଗେ ସାଙ୍ଗେ ଚାଲିଲା ।

 

କେଉଁଠିକୁ ଯିବାକୁ ହେବ ଆଗରୁ ବୋଧହୁଏ କୁହାଯାଇଥାଏ । ରାମଲଗନ୍ କିଛି ନ ପଚାରି ବଡ଼ ଥାନା ଦୁଆରେ ମଟର ରଖି ଓହ୍ଲାଇଗଲା ଓ ପଛ ସିଟ୍‌ର ବାଁ ପଟ ଦୁଆର ଫିଟାଇଲା । ଆମେ ତିନିହେଁ ତୁନି ହୋଇ ଥାନା ଭିତରେ ପଶିଲୁ । ଡିଉଟିରେ ଥିବା ଅଫିସରଙ୍କୁ ଦିଦି କହିଲେ, ‘ୟାଙ୍କ ଘରେ ଦୁଇ ଜଣ ଖୁନ୍ ହୋଇଛନ୍ତି, ଏତଲା ଦେବାକୁ ଆସିଲୁ । ସାଙ୍ଗେ ସାଙ୍ଗେ ଡାକ୍ତର ବ୍ୟବସ୍ଥା ନ କଲେ ଦୁହେଁଯାକ ମରିଯାଇପାରନ୍ତି ।’ ଆଚ୍ଛା ଆଚ୍ଛା ବୋଲି କହି ଅଫିସର ଡାକ୍ତରଖାନାକୁ ଓ ତାଙ୍କର ଉପରିସ୍ଥ ଅଫିସରଙ୍କୁ ଟେଲିଫୋନ୍ କରିଦେଇ ସେମାନଙ୍କୁ ଘଟଣାର ସ୍ଥାନ ଜଣାଇଦେଲେ । ଦୁଇ ଚାରି ଧାଡ଼ି ଏତଲା ଲେଖି ବଡ଼ ଦିଦିଙ୍କ ଦସ୍ତଖତ ନେଇ କହିଲେ, ‘ଭୋର ବେଳ । ଆମ ଡ୍ରାଇଭର ଆସିବାକୁ ଟିକିଏ ବିଳମ୍ବ ହେବ । ଆପଣଙ୍କର ଗାଡ଼ି ଅଧଘଣ୍ଟେ ବ୍ୟବହାର କରିବାକୁ ଦେଲେ ଭଲ ହୁଅନ୍ତା ।’ ଦିଦି ହଁ କଲେ । ତାଙ୍କ ସାଙ୍ଗରେ ଆସିବାକୁ ସେ ଦିଦିଙ୍କୁ ଡାକିବାରେ ଦିଦି କହିଲେ, ‘ମୋ ସାଙ୍ଗେ ଏ ପିଲାଟା ଅଛି, ୟାକୁ ବାଟରେ ଆମ ଘରେ ଛାଡ଼ିଦେଲେ ଭଲ ହୁଅନ୍ତା । ମୁଁ ଅମାନିଆ ହୋଇ ସାଙ୍ଗରେ ରହିବି ବୋଲି କହିଲି, କାହିଁକି କେଜାଣି-? ଆମେ ସମସ୍ତେ ଯାଇ ମଟରରେ ବସୁଛୁ, ଏଇ ସମୟରେ ଦୁଇଜଣ ସିପାଇ ପ୍ରବୀରବାବୁଙ୍କୁ ଚଲାଇ ଚଲାଇ ଆଣି ଥାନା ପାହାଚରେ ଉଠିଲେ । ବଡ଼ ସିପାହୀ ଅଫିସରଙ୍କୁ କୁର୍ଣିସ୍‌ କରି କହିଲା, ‘ହଜୁର ! ଏ ସାହେବ ଆକ୍‌ସିଡ଼େଣ୍ଟ କରି ଗୋଟାଏ ପିଲାକୁ ଜଖମ କରିଦେଇଛନ୍ତି’-। ଅଫିସର ପଚାରିଲେ, ‘ପିଲା ?’ ସିପାହୀ କହିଲା, ‘ସେ ବର୍ତ୍ତମାନ ଡାକ୍ତରଖାନାରେ ।’ ଏତିକିବେଳେ ପ୍ରବୀରବାବୁଙ୍କର ନଜର ଆମ ଉପରେ, ବିଶେଷକରି ବଡ଼ ଦିଦିଙ୍କ ଉପରେ ପଡ଼ିଗଲା, ତାଙ୍କ ଆଖି ଲାଲ ହୋଇଗଲା । ବଡ଼ଦିଦି ଶଙ୍କି ଯାଇ ଥଥମତ ହୋଇ କହିଲେ, ‘ହଜୁର ! ଏଇ ଖୁନୀ ଆସାମୀ, ଦେଖନ୍ତୁ, ୟାର ଡାହାଣ ହାତ କରଟି ମୁଁ କାମୁଡ଼ି ଦେଇଛି-। ତାକୁ ଘୋଡ଼ାଇବାକୁ ସେ କେମିତି ରୁମାଲ ବାନ୍ଧିଛି, ଦେଖନ୍ତୁ ।’

 

ଅଫିସର ମଟରକୁ ନ ଯାଇ ଅଫିସକୁ ଫେରିଲେ ଓ ଆକ୍‌ସିଡ଼େଣ୍ଟର ଏତଲା କାଟି ଆଉଥରେ ଟେଲିଫୋନ୍ କଲେ । ପାଞ୍ଚ ମିନିଟ ଭିତରେ ଦୁଇଟା ଗାଡ଼ି ଦୁଇ ଦିଗରୁ ଆସି ପହଞ୍ଚିଲା-। ଗୋଟିକରେ ଆସିଥାନ୍ତି ବଡ଼ ପୁଲିସ ଅଫିସର ଓ ଆଉ ଗୋଟିକରେ ଆସିଥାନ୍ତି ମଟର ପରୀକ୍ଷା କରିବା ହାକିମ । ବଡ଼ ଅଫିସର ଟେଲିଫୋନ୍ କରି ଖବର ନେଲେ ଯେ, ଆମ୍ବୁଲାନ୍‌ସ୍ ବଡ଼ ଦିଦିଙ୍କ ଘର ପାଖକୁ ଯିବାକୁ ପ୍ରସ୍ତୁତ ହେଲାଣି । ପୁଲିସ୍ ସାହେବ ହୁକୁମ ଦେଲେ, ଖୁନ୍ ହୋଇଥିବା ଲୋକଙ୍କୁ ଡାକ୍ତରଖାନା ଅଣାଯିବ । ସାହେବ ପ୍ରବୀରବାବୁଙ୍କୁ ହାଜତରେ ପୂରାଇବାକୁ ହୁକୁମ ଦେଲେ । ପ୍ରବୀରବାବୁ ଚିତ୍କାର କରି କହୁଥାନ୍ତି, ‘ଭଦ୍ରଲୋକକୁ ଏଭଳି ହାଜତରେ ପୂରାଇବାର ଫଳ ଭୋଗିବାକୁ ହେବ ।’ ଦୁଇ ଚାରିଥର ଏଭଳି ଚିତ୍କାର କରିବା ପରେ ବଡ଼ ସାହେବ ଜମାଦାରକୁ କହିଲେ, ‘ୟାର ପାଟି ବନ୍ଦ କର ।’ ସଙ୍ଗେ ସଙ୍ଗେ ମୋଟା ଜମାଦାର ଆମ ଆଡ଼କୁ ପଛ କରିଦେଲେ, ଠାଇକିନି ଗୋଟାଏ ଶବ୍ଦ ହେଲା । ପ୍ରବୀରବାବୁଙ୍କ ପାଟିରୁ ଶୁଣାଗଲା ‘ଉଃ’ ବୋଲି ଶବ୍ଦ ।

 

ବଡ଼ ସାହେବ ବଡ଼ ଦିଦିଙ୍କୁ କହିଲେ, ‘ଆପଣଙ୍କୁ ଆମ ସଙ୍ଗେ ଯିବାକୁ ହେବ ।’ ବଡ଼ ଦିଦିଙ୍କ ଘରଆଡ଼େ ତିନିଟା ମଟର ଚାଲିଲା, ଗୋଟାକରେ ବଡ଼ ପୁଲିସ ସାହେବ ଏବଂ ଆଉ ଦୁଇଜଣ ଅଫିସର । ମଝିରେ ଆମ ଗାଡ଼ିରେ ଆମେ ତିନିହେଁ, ପଛ ଜିପ୍‌ରେ ପ୍ରାୟ ଦଶଜଣ ଜମାଦାର ଓ ସିପାହୀ । ପୁଲିସ୍ ସାହେବ ବଡ଼ ଦିଦିଙ୍କ ଦୁଆର ପାଖେ ପହଞ୍ଚି ଫଟ୍‍କିନା ଓହ୍ଲାଇ ପଡ଼ିଲେ ଓ ଦୁଆର କଡ଼ା ପହରା ରଖି ବଡ଼ ଦିଦିଙ୍କ ସହିତ ଘର ଭିତରକୁ ଗଲେ । ଘର ଭିତରେ ପ୍ରାୟ ପାଞ୍ଚ ମିନିଟ ରହି ସେ ବାହାରକୁ ବାହାରି ଆସିଲେ । ସେତେବେଳକୁ ଡାକ୍ତରଖାନାରୁ ଆମ୍ବୁଲାନ୍‌ସ୍ ଆସି ପହଞ୍ଚିଥାଏ । ଡାକ୍ତରଖାନାକୁ ଦୁଇଟିଯାକ ଖୁନ୍ ହୋଇଥିବା ଲୋକଙ୍କୁ ନେଇଯିବାକୁ ହୁକୁମ ଦେଇ ସେ ବଡ଼ ଦିଦିଙ୍କୁ କହିଲେ, ‘ଏଠାରେ ବସିବାର ସୁବିଧା ନାହିଁ ଦେଖୁଛି । ଆପଣଙ୍କୁ କଷ୍ଟ କରି ପୁଣି ପୁଲିସ୍ ଥାନାକୁ ଯିବାକୁ ପଡ଼ିବ ।’ ଦିଦିଙ୍କୁ ଚାହିଁ କହିଲେ, ‘ଆପଣଙ୍କୁବି ଟିକିଏ କଷ୍ଟ ଦେବି ।’

 

ସିପାହୀଙ୍କ ସହିତ ଜଣେ ଅଫିସର ସେ ଘରଦୁଆରେ ରହିଲେ, ଆଉ ଜଣେ ଅଫିସରଙ୍କୁ ବରାଦ ହେଲା, ଆକ୍‌ସିଡ଼େଣ୍ଟ ଜାଗାରୁ ମଟର ଇନସପେକ୍‌ଟରଙ୍କ ସହିତ ଯିବାକୁ; ଆମେ ତିନିହେଁ ଓ ବଡ଼ ପୁଲିସ୍ ସାହେବ ଥାନାକୁ ଫେରିଲୁଁ । ଥାନାରେ ସମସ୍ତେ ବସିଲା ପରେ ପୁଲିସ୍ ସାହେବ ବଡ଼ ଦିଦିଙ୍କୁ କହିଲେ, ‘ମୁଁ ତ ଆପଣଙ୍କଠାରୁ ସବୁ ବିଷୟ ପ୍ରାୟ ଶୁଣି ସାରିଛି । ତଥାପି ସୁସ୍ଥ ଭାବରେ ବସି ସବୁ କଥା ଆପଣ ମୂଳରୁ ଶେଷ ଯାଏଁ ଥରେ କହନ୍ତୁ । ମୁଁ ଲେଖି ନେବି-।’

 

ବଡ଼ ଦିଦି କହିଲେ, “ରାତି ପ୍ରାୟ ନ’ଟା ହେବ । ଆସାମୀ ମୋ ସ୍ୱାମୀଙ୍କ ବ୍ୟତୀତ ଆଉ ଯେଉଁ ଜଣକୁ ଛୁରା ଭୁଷି ମାରିଛନ୍ତି (ସାହେବ ଆପତ୍ତି କଲେ, ‘ଛୁରା ଭୁଷିଛନ୍ତି, କିନ୍ତୁ ମାରିଛନ୍ତି ବୋଲି ତ ଜଣାଯାଇନାହିଁ’) ତାଙ୍କୁ ସାଙ୍ଗରେ ଧରି ଆମ ଘରକୁ ଆସିଲେ । ସେ ମଝିରେ ମଝିରେ ଅନେକ ଥର ଆମ ଘରକୁ ଆସନ୍ତି । ମୋର ସ୍ୱାମୀଙ୍କୁ ନିଜର ସାନଭାଇ ବୋଲି କହନ୍ତି । ସେ ଆସି କହିଲେ, ‘ସୂର୍ଯ୍ୟ ! ଆଜି ଦୁଇଜଣ ଅତିଥିଙ୍କୁ ସତ୍କାର କରିବାକୁ ପଡ଼ିବ । ମୋ ସଙ୍ଗୀଙ୍କର ଖାଲି ରହିବାକୁ ଘର ଦରକାର । ତାଙ୍କର ପେଟ ଖରାପ । ମୁଁ ପୁଞ୍ଜିଏ କିଛି ଖାଇବି । ପିଇବା ମଧ୍ୟ ଦରକାର । ତୋ ଘରେ ତ ଆଜିକାଲି ପିଇବାକୁ କିଛି ରହୁନାହିଁ; ବାହାରୁ ଆଣିବାକୁ ପଡ଼ିବ ।’ ମୋର ସ୍ୱାମୀ ବଜାରକୁ ଗଲେ, ପ୍ରବୀରବାବୁ ସାଙ୍ଗରେ ଆଣିଥିବା ଭଦ୍ରଲୋକଟିକୁ ଆମର ଭିତରଘରେ ବନ୍ଦ କରି ରଖିଲେ । ଆସିଲାବେଳେ ତାଙ୍କ ହାତ ଦୁଇଟି ପଛ ଆଡ଼ିଆ ହୋଇ ବନ୍ଧା ହୋଇଥାଏ, ଲକ୍ଷ୍ୟ କରିଛି । ତାଙ୍କୁ ଧକ୍କା ଦେଇ ଘରେ ପୂରାଇଲାବେଳେ କହିଲେ, ‘ବାବା ! କୃତ କର୍ମପାଇଁ ପଶ୍ଚାତ୍ତାପ କରୁଥାଅ । ଯଥାସମୟରେ ମୁଁ ଆସିବି ।’ ମୋ’ଠାରୁ ଗୋଟାଏ ଚାବି ନେଇ ସେ ଦୁଆରେ ପକାଇଲେ ଓ ଚାବିଟା ପକେଟରେ ରଖିଲେ ।”

 

ପୁଲିସ୍ ସାହେବ ଜଣେ ଜମାଦାରକୁ ଡାକି କହିଲେ, ‘ହାଜତର ହାତ ପଛ ଆଡ଼ିଆ ବାନ୍ଧି ଏଠାକୁ ଆଣ ।’ ପ୍ରବୀରବାବୁଙ୍କୁ ଆଣି ଖଣ୍ଡେ ଦୂରରେ ଠିଆ କରାଗଲା । ପୁଲିସ୍ ସାହେବ କହିଲେ, ‘ସ୍ଥିର ହୋଇ ନ ରହିଲେ ଗୋଡ଼ରେ ବେଡ଼ି ଦେବାକୁ ହେବ ।’ ତା’ପରେ ସେ ହୁକୁମ କଲେ, ‘ପକେଟରେ କ’ଣ ଅଛି ବାହାର କର । ଏହା ଆଗରୁ ହେବା ଉଚିତ ଥିଲା ।’ ପକେଟରୁ ଗୋଟିଏ ଛୋଟ ତାଲା ଓ ଚାବି ବାହାରିଲା । ବଡ଼ ଦିଦି କହିଲେ, ‘ୟେ ତ ମୋରି ତାଲା ଓ ଚାବି !’ ପୁଲିସ ସାହେବ କହିଲେ, ‘ୟାକୁ ଜିମା ନିଅ । ସାକ୍ଷୀ ଦସ୍ତଖତ କରାଅ ।’ ତୁନି ତୁନି କହିଲେ, ‘ଏ ବଚ୍ଚା ଫାଶୀ ଖୁଣ୍ଟରେ ଝୁଲିପାରିବ ।’ ତା’ପରେ ବଡ଼ ଦିଦିଙ୍କୁ ଚାହିଁ କହିଲେ, ‘ତା’ପରେ ?’

 

ବଡ଼ ଦିଦି କହିଲେ, ‘ମୋର ସ୍ୱାମୀ ରାତି ବାରଟା ବେଳକୁ ଫେରିଲେ । ପ୍ରବୀରବାବୁ ଖାଇ ବସିଲେ । ମୋର ସ୍ୱାମୀ ମୋତେ କହିଲେ, ‘ତୁମେ ଶୋଇବାକୁ ଯାଅ ।’ ମୁଁ ଶୋଇବାକୁ ଗଲି-। କିନ୍ତୁ ମୋତେ ଭଲ ନିଦ ହେଉନଥାଏ । ପଛ ଆଡ଼ିଆ ହାତ ବାନ୍ଧି ଭଦ୍ରଲୋକଟିକୁ କାହିଁକି ଏଭଳି ଘରେ ପୂରାଇଛନ୍ତି ବୋଲି ମୋ ମନରେ ଭୟ ହେଉଥାଏ । ତଥାପି କ୍ଳାନ୍ତିରେ ମୋତେ ଛାଇନିଦ ଲାଗିଯାଇଥିଲା ବୋଧହୁଏ । ହଠାତ୍ ଗୋଟାଏ ଗର୍ଜନ ଶୁଣି ମୁଁ ଉଠିପଡ଼ିଲି । ବାହାରକୁ ବାହାରି ଆସି ଦେଖିଲି, ପ୍ରବୀରବାବୁ ଗୋଟାଏ ଛୁରା ଧରି ଠିଆ ହୋଇଛନ୍ତି ଅଗଣାରେ । ଇଲେକ୍‌ଟ୍ରିକ୍ ଆଲୁଅରେ ତାଙ୍କର ମୁହଁ ଭୟାନକ ଦିଶୁଥାଏ । ସେ ବାରମ୍ବାର ଚିତ୍କାର କରୁଥାନ୍ତି, ‘ସୂର୍ଯ୍ୟ-! ତୋଠାରୁ ସାହାଯ୍ୟ ପାଇବାକୁ ଆସିଥିଲି । ସାହାଯ୍ୟ ନ କରିବୁ ନାହିଁ, କିନ୍ତୁ ବାଧା ଦେ’ନା କହୁଛି-। ଭଲ ହେବ ନାହିଁ । ତୋ’ର ସ୍ତ୍ରୀ ପିଲା ଅରକ୍ଷ ହୋଇଯିବେ’ ।

 

ମୋ ସ୍ଵାମୀ ଉତ୍ତେଜିତ ହୋଇ କହିଲେ, ‘ମୋ ଘରେ ମୁଁ ମଣିଷମାରୁ କରାଇ ଦେବି ନାହିଁ । ସେ ଲୋକଟିକୁ ମୁକ୍ତି ଦିଅ ମୁଁ କହୁଛି ।’ ପ୍ରବୀରବାବୁ ଆହୁରି ପାଟି କରି କହିଲେ, ‘ଗୋଟିଏ ମଣିଷମାରୁ କରାଇ ନ ଦେଲେ, ଦେଖୁଛି, ଦୁଇଟା ମାରିବାକୁ ହେବ ।’ ମୋର ସ୍ଵାମୀ କିଛି ନ କହି ପ୍ରବୀରବାବୁଙ୍କ ହାତରୁ ଛୁରାଟା ଛଡ଼ାଇ ନବାକୁ ଚେଷ୍ଟା କଲେ । ପ୍ରବୀରବାବୁ, ‘ମୋର କିଛି ଦୋଷ ନାହିଁ’ ବୋଲି କହି ଛୁରାଟା ୟାଙ୍କ ପେଟରେ ଭୁଷି ଦେଲେ । ମାରି ଦେଲାଲୋ ବୋଲି କହି ମୁଁ ତାଙ୍କ ହାତକୁ କାମୁଡ଼ି ଦେଲି । ପରେ ଜାଣିଲି, ମୋ ପାଟିରେ ରକ୍ତ ଲାଗିଥିଲା । ସେ ମୋତେ ଛତରଖାଇ ବୋଲି ଗାଳିଦେଇ ଠେଲି ଦେଲେ ଯେ, ମୁଁ କାଠ ଓ କୋଇଲା ଗଦା ଉପରେ ପଡ଼ିଲି । କିନ୍ତୁ ହୋସ୍ ହରାଇ ନ ଥାଏ । ତା’ପରେ ସେ ତାଲା ଫିଟାଇ ସେ ଘରେ ପଶିଲେ । ସେ ଘରେ ଧସ୍ତାଧସ୍ତି ଶୁଭୁଥାଏ । ଯାହାକୁ ମାଇଲେ ସେ ଶେଷରେ ପାଟି କରି କହିବାର ଶୁଣିଲି, ‘ଭଗବାନ୍ ଏହାର ଫଇସଲା କରିବେ ।’

 

ପୁଲିସ୍ ସାହେବ ପଚାରିଲେ, ‘ଯାହାଙ୍କୁ ଖୁଣି କରାଗଲା ତାଙ୍କୁ ଆପଣ ଚିହ୍ନନ୍ତି ? ଆପଣଙ୍କ ଘରକୁ କେବେ ଆସିଥିଲେ ?’

 

ବଡ଼ ଦିଦି କହିଲେ, ‘ମୋ ଘରକୁ ସେ କେବେ ଆସିନାହାନ୍ତି । କିନ୍ତୁ ମୋ ଭଉଣୀ ଘରେ ତାଙ୍କୁ ମୁଁ ଦେଖିଛି । ତାଙ୍କର ନାମ ପ୍ରଦୀପବାବୁ ବୋଲି ଶୁଣିଛି ।’ ମୁଁ ଯେଉଁଠାରେ ବସିଥିଲି, ସେଇଠି ବେହୋସ ହୋଇଗଲି । ଚେତା ପାଇଲି ଆମ ନିଜ ବସାରେ ।

 

(୧୬)

 

ପୁଲିସ୍ ଥାନାରୁ ବେହୋସ ହୋଇ ଆସିବାର ପ୍ରାୟ ଦୁଇମାସ ପରେ ମୁଁ ସାଧାରଣ ଅବସ୍ଥାକୁ ଫେରିଲି । ତା’ ମଧ୍ୟରେ ଦିଦି ଓ ଭାବୀଙ୍କୁ ମୁଁ କେତେ କଷ୍ଟ ଦେଇଥିବି ତାହା ଅନୁମାନ କରି ବଡ଼ ଦୁଃଖ ଲାଗୁଥାଏ । ସବୁ କଥା ୟେ ବା ସିଏ ମୋତେ ବିସ୍ତାରଭାବେ କହିନାହାନ୍ତି । ତାଙ୍କଠାରୁ ମଝିରେ ପଦେ ଦି’ପଦ ଲେଖାଏଁ ଶୁଣି, ଡ୍ରାଇଭର ରାମଲଗନ୍ ଓ ନେପାଳୀ ଦରୁଆନଠାରୁ ଯାହା ଆଦାୟ କଲି, ସେଥିରୁ ସେ ସମୟର ଗୋଟାଏ ଧାରଣା କରିଥିଲି ।

 

ପ୍ରାୟ ପାଞ୍ଚ ଦିନ ପର୍ଯ୍ୟନ୍ତ ମୋର ବେହୋସ ଅବସ୍ଥା ଲାଗି ରହିଲା । ହରିଦ୍ୱାରର ସବୁଠାରୁ ବଡ଼ ଡାକ୍ତର ଆସି ଚିକିତ୍ସା କଲେ । ମଝିରେ ଥରେ ସେ ମୋତେ ଡାକ୍ତରଖାନାକୁ ନେବାକୁ ପ୍ରସ୍ତାବ ଦେଇଥିଲେ । ଦିଦିଙ୍କ ଅପେକ୍ଷା ଭାବୀ ଏଥିରେ ବେଶି ଆପତ୍ତି କଲେ । ସେ କହିଲେ, ‘ରୋଗୀକୁ ଚିକିତ୍ସା କରିବାରେ ଔଷଧ ଓ ଚିକିତ୍ସା ଅପେକ୍ଷା ତା’ ପ୍ରତି ସ୍ନେହ ଓ ଶ୍ରଦ୍ଧା ବେଶି ଦରକାର । ତାହା ରୋଗୀ ଆମ ଘରେ ଯେତେ ପାଇବ, ଡାକ୍ତରଖାନାରେ ସେତେ ପାଇବ ନାହିଁ । ଡାକ୍ତରଖାନାଗୁଡ଼ିକ ଚିକିତ୍ସା କାରଖାନା । ସ୍ନେହ ଶ୍ରଦ୍ଧା କୁଆଡ଼ୁ ମିଳିବ ?’ ଡାକ୍ତରବି ଏଥିରେ ରାଜି ହେଲେ । ସେ କହିଲେ ଆପଣ ଯାହା କହୁଛନ୍ତି, ତାହା ଏକାବେଳକେ ମିଛ ବୋଲି ମୁଁ ଉଡ଼ାଇଦେଇ ପାରୁନାହିଁ । ବର୍ତ୍ତମାନ ପରିସ୍ଥିତିରେ ଡାକ୍ତରଙ୍କଠାରୁ ଆରମ୍ଭ କରି ନର୍ସ ଓ ବେହେରାଙ୍କର ପଇସା ଉପରେ ବେଶି ଦୃଷ୍ଟି ରହିବାରୁ ପଇସାରେ ଯେତିକି ସ୍ନେହ ଶ୍ରଦ୍ଧା କିଣିହେବ ସେତିକି ମାତ୍ର ମିଳୁଛି । ତେବେ କେତେବେଳେ କ’ଣ ଦରକାର ଡାକ୍ତରଖାନାରେ ଯେଡ଼େ ସହଜରେ ମିଳିପାରିବ, ଏଠାରେ ମିଳିବା ସେଡ଼େ ସହଜ ହେବ ନାଇଁ ।’

 

ଦିଦି କହିଲେ, ଯାହା ପଇସା ପଡ଼ିବ ଖର୍ଚ୍ଚ କରିବାକୁ ଆମେ ପ୍ରସ୍ତୁତ ଅଛୁ । ଆପଣ ପ୍ରତ୍ୟହ ଦୁଇଥର ଲେଖାଏଁ ଆସିଲେ ବୋଧହୁଏ ଚିକିତ୍ସାରେ କୌଣସି ଅସୁବିଧା ହେବ ନାହିଁ । ଆପଣଙ୍କଦ୍ୱାରା ପିଲାଟି ରକ୍ଷା ହୋଇଯିବ ବୋଲି ଭଗବାନ୍‌ଙ୍କର ଇଚ୍ଛା ଥିଲେ, ସେ ଭଲ ହେବ । ଆମ ଦୁହିଁଙ୍କ ଜୀବନ ତା’ରି ପାଖରେ ବନ୍ଧା ।’ ସେଇଆ ହେଲା । ଡାକ୍ତର ଥରକୁ ୩୨ଟଙ୍କା ଲେଖାଏଁ, ଦିନକୁ ୬୪ଟଙ୍କା ନେଉଥାନ୍ତି । ହପ୍ତାକ ପରେ ସେ କହିଲେ, ‘ମୁଁ ଆଉ ଫିସ୍ ନେବି ନାହିଁ-। ମୋର ଦରକାର ହେଲେ ଆପଣଙ୍କୁ କହିବି ।’ ତା’ର ହପ୍ତାକ ପରେ ଦିଦି ପୁଣି ପଇସା ଯାଚିଲେ-। ଡାକ୍ତରବାବୁ କହିଲେ, ‘ରୋଗୀର ଯାହା ଉପକାର ହେବାର ଲକ୍ଷ୍ୟ କରୁଛି ତାହା ମୋ ଚିକିତ୍ସା ଅପେକ୍ଷା, ଆପଣମାନଙ୍କ ସେବା ଓ ଯତ୍ନ ଯୋଗୁଁ ହୋଇଛି ବୋଲି ମୁଁ ଦେଖୁଛି । ଏଠାକୁ ଦିଓଳି ଆସିବାଦ୍ୱାରା ମୋର ନିଜର ବହୁତ ଉପକାର ହେଉଛି । ମୁଁ ଆପଙ୍କଠାରୁ ଫିସ୍ ନେବା ଅପେକ୍ଷା ଆପଣଙ୍କୁ ଫିସ୍ ଦେବା ଉଚିତ ।’ ୟା ପରେ ସେ ଆମ ପରିବାରର ଜଣେ ହୋଇଗଲେ । ମୁଁ ପୂରା ଭଲ ହୋଇଗଲା ପରେବି ସେ ଡାକ୍ତରଖାନାକୁ ଯିବା ଓ ଡାକ୍ତରଖାନାରୁ ଫେରିବା ବାଟରେ ଆମ ଘରେ ମୁହଁ ମାରି ଯା’ନ୍ତି । ଥରେ ଆସିଲେ ଗୋଟେ କପ ଚା’ ଓ ଆମ ଘର ତିଆରି ସିଙ୍ଗଡ଼ା ଗୋଟିଏହିଁ ତାଙ୍କର ଫିସ୍ ହୋଇଥାଏ । ଥରେ ସେ ଭାବୀଙ୍କୁ ରହସ୍ୟରେ କହିଲେ, ‘ତୁମେ ଏଠାରେ ବସି ତୁଳସୀରାମାୟଣ ପଢ଼ିବା ଅପେକ୍ଷା ଆମ ଡାକ୍ତରଖାନା ଗେଟ୍ ପାଖରେ ଗୋଟିଏ ଚା’ ଦୋକାନ ଖୋଲିଲେ ଲୋକଙ୍କର ବେଶି ଉପକାର ହୁଅନ୍ତା ।’ ଦିଦି କହିଲେ, ‘ମାନେ, କଷ୍ଟକରି ଏଠାକୁ ଆସିବାକୁ ଆଉ ପଡ଼ନ୍ତା ନାହିଁ, ସେଠାରୁ ଚା’ ପାଇଯାନ୍ତେ ।’ ଡାକ୍ତରବାବୁ ଦକ୍ଷିଣିଆ ଲୋକ-। କିନ୍ତୁ ବାହାର ଲୋକ ଦେଖିଲେ ବିଚାରିବ, ଦିଦି ଓ ଭାବୀ ତାଙ୍କର ଦୁଇ ବିଧବା ଭଉଣୀ-। କ୍ରମେ ଡାକ୍ତରାଣୀ ଓ ତାଙ୍କର ଝିଅ ଦୁଇଟି ମଧ୍ୟ ଆମ ପରିବାରରେ ସାମିଲ ହୋଇଗଲେ ।

 

ମୋର ସବୁଠାରୁ ଅଧିକ ସେବା କରୁଥାନ୍ତି ପ୍ରଦୀପବାବୁଙ୍କର ବିଧବା ମା’ । ତାଙ୍କରିଠାରୁ ପରେ ଶୁଣିଲି, ଦୁର୍ଘଟନାର ଦୁଇଦିନ ଭିତରେ ସେ ଆମ ଘରେ ଆସି ପହଞ୍ଚିଲେ । ଦିନେ ମୋର ସ୍ୱାସ୍ଥ୍ୟ ସାଧାରଣ ଅବସ୍ଥାକୁ ଫେରି ଆସିବାରେ ସେ ମୋତେ ସେ କଥା ସବୁ ବର୍ଣ୍ଣନା କରି କହିଲେ; ତାଙ୍କ ଆଖିରୁ ଅଜସ୍ର ଲୁହ ଗଡ଼ିବାର ଦେଖି ମୋରବି ଲୁହ ଗଡ଼ିଲା । ସେ ମୋ ମୁଣ୍ଡରେ ହାତ ବୁଲାଇ କହିଲେ, ‘କାନ୍ଦଲୋ ମା’, କାନ୍ଦ ! କାନ୍ଦରେ ମଣିଷର ମନରୁ କଳ୍‍ମଷ ଧୋଇ ହୋଇଯାଏ । ଦିନ ଆସିବ, ଆଖିର ପାଣି ଶୁଖିଯିବ, ସେତିକିବେଳେ ଆଉ ଦୁଃଖ ରହିବ ନାହିଁ । ଯାହା ବା ରହିବ, ତାହା ମନ ଭିତରେ କୋଉଠି ଚୋଚଡ଼ା ପଡ଼ି ରହିଯିବ, ଶୁଖିଲା ପତ୍ର ବହି ଭିତରେ ବହୁତ ଦିନ ଚିପି ହୋଇ ରହି ପାରୁ ହୋଇଗଲା ପରି–ବହି ଜାଣିବ ନାଇଁ କି ପତ୍ର ଜାଣିବ ନାଇଁ ।’

 

ସେ ତାଙ୍କ ପ୍ରୌଢ଼ାବସ୍ଥାରେ କବିତା ଲେଖୁଥିଲେ । ତାଙ୍କ ସ୍ଵାମୀ ଏହ୍ଲାବାଦରେ ବଡ଼ ଚାକିରି କରୁଥିଲେ । ଯୋଡ଼ିଏ ନାବାଳକ ପୁଅ ଛାଡ଼ି ସେ ଅକାଳରେ ମରିଯିବା ଦିନୁଁ ୟେ ସେଇ ପିଲାଟିମାନଙ୍କୁ ମଣିଷ କଲେ, ନିଜ ବହିମାନଙ୍କ ବିକ୍ରି ଧନରେ । ବଡ଼ପୁଅ ବିଭା ହେବାପରେ ଘର ଛାଡ଼ି ଚାଲିଗଲେ । ଏବେ ସେ ବମ୍ବେଇରେ ଅଛନ୍ତି, ଗୋଟିଏ କଲେଜରେ ବଡ଼ ଅଧ୍ୟାପକ । ବୁଢ଼ୀ ବେଳେବେଳେ କହନ୍ତି “ସୁଖରେ ରହୁ । ଏଡ଼େ ବଡ଼କଥା ହୋଇଗଲା । ଖଣ୍ତେ ଚିଠିବି ଦେଲା ନାହିଁ-। ନ ଦେଉ । ଭଗବାନ୍‍ଙ୍କୁ ଡାକେ, ସର୍ବଶୁଭରେ ଥାଉ, ମୋ ଶାଶୁଶଶୁରଙ୍କର ନାମ ଲିଭି ନ ଯାଉ-। ବଡ଼ ପଣ୍ଡିତ ହୋଇଛି ବୋଲି ବେଳେବେଳେ ଶୁଣେ । ଭଗବାନଙ୍କୁ ଖାଲି ଏତିକି ମାଗେ, ମା’କୁ ଯେପରି ହନ୍ତସନ୍ତ କଲା ସେଇତକ ପିଲାଙ୍କୁ ନ ଶିଖାଉ’ ।” ବୁଢ଼ୀଙ୍କର ଲୁହ ମରିନାଇଁ କି କାନ୍ଦ ସରିନାଇଁ ।

 

ସେ ମୋ ମୁଣ୍ଡରେ ହାତ ବୁଲାଇ ବୁଲାଇ କହିଲେ, “ତାରା ! ଟୋକା ତୋ କଥା ଚିଠିରେ ଲେଖିଥିଲା । ପ୍ରଥମ ଚିଠିପାଇଁ ବହୁତଗୁଡ଼ାଏ କାନ୍ଦିଲି । ବଡ଼ପୁଅ ଛାଡ଼ିଯିବା ପରେ, ୟାକୁଇ ଆଶ୍ରା କରିଥିଲି । ୟେ ବି ବିଦେଶୀ ବୋହୂଟିଏ ଆଣିଲେ ମୋତେ ତ ନିଶ୍ଚୟ ଛାଡ଼ିଯିବ । ମୋଠାରୁ ସେ ଉତ୍ତର ନ ପାଇ ଦିନେ ଆସି ପହଞ୍ଚିଲା । ତୁମ ଏଠାରେ ହାଲ୍ ହୈକତ ସବୁ କହିଲା-। ଗୁଡ଼ାଏ କାନ୍ଦିଲା । କହିଲା, ‘ମା’, ବିଦେଶୀ ମାଇକିନିଆଙ୍କ ପ୍ରତି ତୋ ମନରେ ଯେଉଁ ଘୃଣା ରହିଯାଇଛି, ତୋର ଏଇ ବୋହୂ ତାକୁ ପୋଛିଦେବ ।’ ସତ କହିଥିଲା, ମୁଁ ତ ପୋଡ଼ା-କପାଳୀ, ସେ ଭାଗ୍ୟ ମୋତେ ମିଳନ୍ତା କୁଆଡ଼ୁ ?”

 

ଦେହ ଭଲ ହେବା ଦିନୁଁ ମୁଁ ମୋ ଭାଗ୍ୟ କଥା ମନେମନେ ବିଚାରି ସ୍ଥିର କରିଥିଲି ଯେ, ମୁଁ ବିଧବା ହୋଇଛି । ବେଦିରେ ସିନା ବସି ନଥିଲି, କଥା ତ ସ୍ଥିର ହୋଇ ଯାଇଥିଲା, ମନେମନେ ତ ପ୍ରଦୀପବାବୁଙ୍କୁ ପତିରୂପେ ଗ୍ରହଣ କରି ସାରିଥିଲି । ବାସର ଘରେ ଶୋଇଲା ପରେ ସ୍ଵାମୀ-ସ୍ତ୍ରୀ ସମ୍ପର୍କ ଆସେ ବୋଲି ସାଧାରଣରେ ଯେଉଁ ରୀତି ପଡ଼ିଯାଇଛି, ତାହା ମୋ ମନକୁ ପାଏ ନାହିଁ । ମୋ ବାପା କହୁଥିଲେ, ଜେଠାବି କହନ୍ତି, ନିର୍ବଂଧ ସରିଲେ ବିଭା ସରିଲା । ମୋର ଜଣେ ପିଉସୀ, ବାଗ୍‌ଦତ୍ତା ହେବାପରେ ବର ମରିଯିବାରେ, ବିଧବା ପରି ରହି ଜୀବନ କଟାଇଦେଇଥିଲେ, ଶୁଣିଛି-। ଆମ ଘରର ସେଇ ପରମ୍ପରା ମୁଁ ପାଳିବି ବୋଲି ମନେମନେ ସ୍ଥିର କଲି । ଦିଦିଙ୍କ ଜିଦ୍ ସତ୍ତ୍ୱେ ମୋ ଦେହଯାକ ଭରି ହୋଇଥିବା ଅଳଙ୍କାର ଗୋଟି ଗୋଟି କରି କାଢ଼ି ରଖିଦେଲି । ମୁଣ୍ତବି କୁଣ୍ଡାଏ ନାହିଁ । ଭାବୀ ଦୁଇଚାରିଥର ମୋତେ ତିଆରିଲେ । ଶେଷରେ ଦିଦି କହିଲେ, “ତାକୁ ଆଉ ବଳାଅ ନାହିଁ । ବିଧବା ହେବା ଆଗରୁ ସେ ଯଦି ବୈଧବ୍ୟ କ୍ଳେଶ ସହିବାକୁ ଚାହୁଁଛି, ସହୁ । ରିଷ୍ଟ କଟିଗଲେ ହୁଏତ ସ୍ୱାମୀ-ସୁଖ ପାଇବ ।” ଭାବୀଙ୍କ ଜିଦ୍‍ରେ କେବଳ ଦୁଇ ହାତରେ କଳା ପାଣିକାଚ ପଟେ ପଟେ ରଖିଲି । ଦିଦି ଓ ଭାବୀଙ୍କ ପରି ବକ୍ତେ ବକ୍ତେ ମାତ୍ର ଖାଇଲି । କ୍ରମେ ଏଇପରି ଚଳଣି ମୋର ଦେହରେ ଚଳିଗଲା ।

 

ମୋର ଏ ସଂକଳ୍ପ ଦୃଢ଼ ହୋଇଗଲା, ପ୍ରଦୀପବାବୁଙ୍କ ମା’ଙ୍କ ଦୁଃଖର ସମବେଦନାରେ । ସେ ତ ମୋ ପାଖ କେତେବେଳେ ଛାଡ଼ୁ ନ ଥାନ୍ତି । ବୋହୂ ପରି ଝିଅ ପରି, ତାଙ୍କ ଜୀବନର ସର୍ବସ୍ୱ ପରି, ମୋତେ ମନେ କରୁଥାନ୍ତି । ମୋର ବିଧବା ପରି ଚଳିବା ତାଙ୍କୁ ସନ୍ତୋଷ ଦେବ ବୋଲି ମୋର ମନେ ହେଉଥାଏ । ତାଙ୍କ ମନ ରଖିବାକୁ ଥରେ ତାଙ୍କ ସଙ୍ଗେ ଆହ୍ଲାବାଦ ଯାଇ ତାଙ୍କ ଘରେ ପନ୍ଦର ଦିନ କାଳ ରହିଲି । ଦିଦି ଜିଦ୍ କରି ରାମଲଗନ୍‌କୁ ସାଙ୍ଗରେ ପଠାଇଲେ । କିନ୍ତୁ ମଟରରେ ଯିବାକୁ ମୁଁ ଏକବାରେ ରାଜି ହେଲି ନାହିଁ । ବସ୍‍ରେ ଗଲୁଁ ।

 

ମଟର ନେଇଥିଲେ ଭାରି ଅସୁବିଧା ହୋଇଥାନ୍ତା । ତାଙ୍କ ଘର ଗୋଟିଏ ଛୋଟ ଗଳିରେ । ଘର ବୋଇଲେ ମାତ୍ର ତିନି ବଖରା, କିନ୍ତୁ ପକ୍କା । କେତେ ବର୍ଷ ହେଲା ଓଳିଆ ପୋଳିଆ ହୋଇ ନ ଥାଏ କେଜାଣି ? ଘର ସଫା କରିବାରେ ମୁଁ ସେ ଘରେ ଗୋଡ଼ ଦେଲାବେଳୁ ଲାଗିଗଲି-। ରାମଲଗନ୍ ସାହାଯ୍ୟରେ ଘର ଧୁଲେଇବି ହୋଇଗଲା; ଛୋଟ ବଗିଚାଟିଏ ଆରମ୍ଭ ହୋଇଗଲା-। ମା’ ଆପତ୍ତି କରୁଥାନ୍ତି, କାନ୍ଦୁଥାନ୍ତି, କିନ୍ତୁ ମୋ ସଙ୍ଗେ କାମରେ ଲାଗିଯାଉଥାନ୍ତି । ବଡ଼ଘରର କାନ୍ଥରେ ସେ ପ୍ରଦୀପବାବୁଙ୍କର ଗୋଟିଏ ଫଟୋ ରାମଲଗନ୍‍ଙ୍କୁ କହି ଟଙ୍ଗାଇ ଦେଲେ; କହିଲେ, ପାଗଳୀ, ୟାକୁଇ ପୂଜା କରି ଶାନ୍ତି ପାଉ । ମୁଁ ନିର୍ଜନରେ ସେ ଫଟୋଟିକୁ ଟିକିଏ ଚାହିଁ ମୁଣ୍ଡିଆ ମାରେ । କାହା ଆଗରେ ସେ ଆଡ଼କୁ ଚାହିଁବାକୁ ଭାରି ଲାଜ ମାଡ଼େ ।

 

ମୋ ଲାଜ ବଢ଼ିଗଲା ସ୍ୱର୍ଣ୍ଣ ଅପାଙ୍କ ଯୋଗୁଁ । ଯେଉଁ ଖବରକାଗଜରେ ପ୍ରଦୀପବାବୁ କାମ କରୁଥିଲେ, ସେଇ ‘ଅଗ୍ରଦୂତ’ କାଗଜର ସମ୍ପାଦକ ବିଜୟ ଗୁପ୍ତଙ୍କର ସ୍ତ୍ରୀ ସ୍ୱର୍ଣ୍ଣ ଅପା । ଆମେ ଆସିବାର ଖବର ସେ କୁଆଡ଼ୁ ପାଇଲେ କେଜାଣି, ଆସିବାର ଦ୍ଵିତୀୟ ଦିନ ଦିପହରେ ଆସି ପହଞ୍ଚିଲେ । ମୋର ଆପଣାର ହେବାକୁ ତାଙ୍କୁ ଘଣ୍ଟେବି ଲାଗିଲା ନାହିଁ । କି ଗପୁଡ଼ି ! ସେ ଅନର୍ଗଳ ଗଫିବାର ଦେଖି ମୁଁ ଟିକିଏ ମୁଡ଼ୁକି ହସିଲି । ସେ ମୋର ମନର କଥା ଧରିପାରି କହିଲେ, “ଆଲୋ-! ମୋରି ଏଇ ଗପୁଡ଼ିପଣ ଦେଖି ତୋ ଦେଢ଼ଶୁର କହନ୍ତି, ସେ ଲେଖିବାକୁ ଯେମିତି, ମୁଁ ଗପିବାକୁ ସେମିତି ।” ତାଙ୍କ ଗପୁଡ଼ିପଣରେ ସେ ଦି’ଘଣ୍ଟାରେ ମୋତେ ଯେତେ ଖବର ଦେଇଦେଲେ, ‘ଅଗ୍ରଦୂତ’ କାଗଜ ସପ୍ତାହକେ ସେତେ ଖବର ଛାପିପାରୁନଥିବ । ପ୍ରଦୀପବାବୁ ୟାଙ୍କୁ ଭାଉଜ ମାନ୍ୟ କରୁଥିଲେ ଓ ନିଜର ସବୁ କଥା ୟାଙ୍କୁ ଶୁଣାଇ ଦେଇଛନ୍ତି । ସ୍ୱର୍ଣ୍ଣ ଅପା କହିଲେ, “ତୋରି ବିଷୟରେ ସେ ମୋତେ ପାଞ୍ଚ ଖଣ୍ଡ ଚିଠି ଲେଖିଥିଲେ, ସେ ସବୁ ମୋ ପାଖେ ଅଛି, ତୋତେ ଦେବି, ରଖିବୁ-। ୟା ଭିତରେ ଥରେ ମାତ୍ର ସେ ଆମ ଘରକୁ ଆସିଥିଲେ । ଆସିଲେ ତ ଆମ ଘରେ ଓଳିଏ ଦିଓଳି ରହନ୍ତି । ସେ ଦିନ ତୋ ନାଁରେ ଗୁଡ଼େ ଗପିଲେ । ମୁଁ କହିଲି, ମାଲୋ ! ୟେ ତ ପ୍ରେମବିଭା କଥା । ଉପନ୍ୟାସରେ ପଢ଼ୁଥିଲି, ଏବେ ତୁମଠାରୁ ଶୁଣିଲି । ହଉ ଯେ, ବେଦିକୁ ଯିବା ପୂର୍ବରୁ ତାକୁ ଛୁଆଁଛୁଇଁ କରୁନାହଁ ତ ? ଥରେ ଛୁଇଁଦେଲେ ଆଉ ବିଭାଘରର ସୁଖ ରହିବ ନାଇଁ । ସେ ମୋତେ କହିଥିଲେ–ଭାବୀ ! ସେ ବିଷୟରେ ନିଶ୍ଚିନ୍ତ ଥାଅ । ତୁମର ଯେ ଯା’ ହେବ ସେ ସାକ୍ଷାତ୍ ନାଗ ସାପ । ହାତ ଟିକିଏ ମାରିଦେଲେ, ଫଁ କିନି ବହନ ମାରିଦେବ । ଆହା କୁଆଡ଼େ ଗଲେ ।” ଆଖିରେ ପଣତ କାନି ବୁଲାଇ ସେ ମୋ ଗାଲରେ ହାତ ମାରି କହିଲେ, “କିଲୋ ପୋଡ଼ାମୁହିଁ ! ତୁ ତ କାଇଁ ସାପ ପରି ଦିଶୁନାଉଁ । ତତେ ତ ଛୁଇଁଦେଲେ ତୁ ତରଳି ଯାଇ ତାଙ୍କ ଉପରେ ବୋହିଯାଇଥାନ୍ତୁ ।” ମୁଁ କିଛି ନ କହି ଲୁହ ବୁହାଇଲି । ସେ ପୁଣି କହିଲେ, “ମୁଁ ସବୁ ଜାଣୁଚିମ-। ତୁ ଯଦି ଲୋତରୀ ହୋଇଥାନ୍ତୁ, ଏମିତି କ’ଣ ତାଙ୍କପାଇଁ ଜୀବନର ସବୁ ଦୁଃଖସୁଖ ମୂର୍ଚ୍ଛି ପାରୁଥାନ୍ତୁ-। ମହାପ୍ରଭୁ କରନ୍ତୁ, ତୋ’ର ୟେ ମନଟାଣ ରହୁ । ଇମିତି କେତେଟା ଟୋକୀ ବାହାରିଲେ ଆମ ଦେଶର ମାଇକିନିଆଙ୍କ ଇଜ୍ଜତ ରହିଯାନ୍ତା ।” ସ୍ୱର୍ଣ୍ଣ ଦିଦି କୁଆଡ଼େ ରହିଲେ ଖବର ରଖି ନାଇଁ-। ଏବେ ଦେଖା ହେଲେ କ’ଣ କହନ୍ତି ? ତାଙ୍କ ଆଶା କ’ଣ ମୁଁ ପୂର୍ଣ୍ଣ କରିପାରିଛି ? ଯାହା ହେଉ, ସେତେବେଳେ ତାଙ୍କ କଥାରେ ମନ ଖୁବ୍ ଟାଣ ହୋଇଥିଲା ।

 

ତାଙ୍କରିଠାରୁ ଶୁଣିଲି, ପ୍ରବୀରବାବୁଙ୍କୁ ୨୯ ବର୍ଷ ଜେଲ୍‍ଦଣ୍ଡ ହୋଇଛି । ସେ ଅପିଲ୍ କରିଛନ୍ତି । ସ୍ୱର୍ଣ୍ଣ ଦିଦି କହିଲେ, “ୟେ ଅପିଲ୍‍ର ଓଲଟା ଫଳ ହେବ ବୋଲି ତୋ ଦେଢ଼ଶୁରେ କହୁଥିଲେ । ଲୋକଟାକୁ ଫାଶୀକାଠରେ ଝୁଲାଇବାକୁ ୟାଙ୍କର ଏଡ଼େ ଜିଗର କାହିଁକି ଲାଗିଛି କେଜାଣି ? ଆମ ପୁଅ ତ ଗଲା । ଯେତେଟା ଫାଶୀ ଦେଲେ କ’ଣ ସେ ଆଉ ଫେରିବ ?”

 

ଏ କଥା ଶୁଣିବାକୁ ମୋର ଆଗ୍ରହ ନ ଥାଏ । କିନ୍ତୁ ମଣିଷ ମନରେ ଆଗ୍ରହ ଜାତ ନ କରାଇ ସେ କ’ଣ ଛାଡ଼ିବା ଲୋକ ? ଶୁଣିଲି, ଖବର ପାଇବା ସଙ୍ଗେ ସଙ୍ଗେ ବିଜୟବାବୁ ବାୟା ପରି ହୋଇଗଲେ । କାଗଜ ଚଳାଇବାର ଭାର ସେ ତାଙ୍କ ସହକାରୀକୁ ଦେଇ ନିଜେ ଚାଲିଗଲେ ହରିଦ୍ଵାର । ସେଠାରେ ହପ୍ତାଏ କାଳ ରହି ପୁଲିସ୍‍ଙ୍କୁ ସବୁ ପ୍ରମାଣ ଯୋଗାଇଲେ । ପ୍ରତିଦିନ କାଗଜରେ ମଧ୍ୟ ସବୁ କଥା ଛାପା ହେଉଥାଏ । ହପ୍ତାକ ପରେ ଦିଲ୍ଲୀରୁ ଅର୍ଡ଼ର୍ ଆସିଲା ମକଦ୍ଦମା ଚପାଇଦେବାକୁ । ୟା ଶୁଣି ବିଜୟବାବୁ ଦିଲ୍ଲୀ ଧାଇଁଲେ । ନିଜେ ସଂଗ୍ରହ କରିଥିବା ସବୁ ପ୍ରମାଣ ବଡ଼ବଡ଼ ଅଫିସରଙ୍କୁ ଯୋଗାଇଲେ, ପାର୍ଲିଆମେଣ୍ଟ୍ ମେମ୍ବରମାନଙ୍କୁ ଦେଖାଇଲେ; ପ୍ରଧାନମନ୍ତ୍ରୀଙ୍କ ସଙ୍ଗେବି ଦେଖା କଲେ । ସବୁ କଥା ପ୍ରତିଦିନ ‘ଅଗ୍ରଦୂତ’ରେ ବାହାରୁଥାଏ । ହିମାଚଳ ଠାରୁ କେରଳ ଯାଏଁ ଏ ବିଷୟରେ ଉତ୍ତେଜନା ବ୍ୟାପିଗଲା । ‘ନରହତ୍ୟାକାରୀ’ କ’ଣ ଏ ଦେଶ ଶାସନ କରିବେ ? ବୋଲି ଗୋଟିଏ ସମ୍ପାଦକୀୟ ବାହାରିଲା ଯେ, ତାକୁ ଭାରତର ସବୁ ଖବରକାଗଜ ଛାପିଲେ । ଶେଷରେ ଓପରବାଲାଙ୍କ ନିଦ ଭାଙ୍ଗିଲା । ତୁରନ୍ତ ପ୍ରମାଣ ସଜିଲ କରିବାକୁ ଦିଲ୍ଲୀରୁ ପୁଲିସ୍‌ବାଲା ଆସିଲେ । ପ୍ରଧାନମନ୍ତ୍ରୀଙ୍କର ଆଦେଶରେ ଏଇଥିପାଇଁ ଜଣେ ସ୍ୱତନ୍ତ୍ର ଜଜ୍ ନିଯୁକ୍ତି ହୋଇ ମକଦ୍ଦମା ବିଚାର ଚାଲିଲା, ଏକାଥରକେ ୪୫ଦିନ । ଜାଲ୍, ଜୁଆଚୋରି, ଟଙ୍କା ତୋଷରପାତ, ମଟର ଲାଇସେନ୍‌ସ୍ ନଥାଇ ମଟର ଚଳାଇବା ଏମିତି ଛୋଟ ଛୋଟ ଅପରାଧରେ ଚାରି ପାଞ୍ଚବର୍ଷ ଲେଖାଏଁ ଜେଲ୍ ଯାଇ ମଣିଷମାରୁରେ ୨୦ ବର୍ଷ ଜେଲ୍ ଦଣ୍ଡ ପାଇଲେ । ସବୁ ଦଣ୍ଡ ଏକ ସଙ୍ଗେ ଭୋଗ କରିବାକୁ ଆଦେଶ ହେବାରୁ, ବିଜୟବାବୁ ହିସାବ କଲେ ୧୩।୧୪ ବର୍ଷରେ ସେ ମୁକ୍ତ ପାଇବେ । ଜେଲ୍‍ଖାନାରେ ୨୦ବର୍ଷରୁ ୬।୭ ବର୍ଷ ପରା ରିହାତି ମିଳେ । ବିଜୟବାବୁଙ୍କର ଭୟ,୧୩।୧୪ ବର୍ଷ ପରେବି ପ୍ରବୀରବାବୁଙ୍କର ଅପରାଧ କରିବାର ବୟସ ଥିବ, ତେଣୁ ପ୍ରାଣଦଣ୍ଡ ୟାଙ୍କର ଉପଯୁକ୍ତ ଶାସ୍ତି । ନିଜର ସବୁ ସଞ୍ଚିତ ପଇସା ପାଣି ଛଡ଼ାଇ ସେ ସୁପ୍ରିମ କୋଟ୍‌ରେ ଟାଣୁଆ ଓକିଲ ଦେବାର ବନ୍ଦୋବସ୍ତ କରୁଥାନ୍ତି । ପ୍ରବୀରବାବୁଙ୍କ ଦଣ୍ଡ ଆହୁରି ଲଘୁ କରିବାକୁ ତାଙ୍କ ପକ୍ଷରେ ୨।୪ ଜଣ ବଡ଼ ନେତା ଉଦ୍ୟମ ଚଳାଇଥାନ୍ତି । ଏଥିସକାଶେ ପ୍ରଧାନମନ୍ତ୍ରୀ ଓ ତାଙ୍କ ସମ୍ପୃକ୍ତ ବହୁ ଲୋକଙ୍କ ବିରୁଦ୍ଧରେ ‘ଅଗ୍ରଦୂତ’ ଓ ଅନ୍ୟ ଅନେକ ବିଖ୍ୟାତ ଖବରକାଗଜରେ ସମାଲୋଚନା ବାହାରୁଥାଏ ।

 

ଏ ସବୁ ଖବର ଅପେକ୍ଷା, ପ୍ରଦୀପବାବୁ ମୋ ବିଷୟରେ ସ୍ୱର୍ଣ୍ଣ ଅପାଙ୍କ ପାଖକୁ ଦେଇଥିବା ଚିଠି ପଢ଼ିବାକୁ ମୋ ମନରେ ଅଧିକ ଆକାଂକ୍ଷା ହେଉଥାଏ, କିନ୍ତୁ ଲାଜରେ ମୁଁ ଏ ପ୍ରସଙ୍ଗ ଉତ୍ଥାପନ କରିପାରୁନଥାଏ । ଯେଉଁ ଦିନ ମୋର ହରିଦ୍ୱାର ଫେରିବା କଥା, ସେଇଦିନ ସକାଳ ଓଳି ସ୍ୱର୍ଣ୍ଣ ଅପା ତାଙ୍କ ପ୍ରେସ୍‌ର ଗୋଟିଏ ପୁଲିନ୍ଦା ମୋ ହାତକୁ ଦେଇ କାନ୍ଦି କାନ୍ଦି କହିଲେ, ‘‘ଭଉଣୀ ! ଆଉ ତୋ’ ସଙ୍ଗେ ଦେଖା ହେବ କି ନାଇଁ କେଜାଣି ? ତୁ ଯେଉଁ ବ୍ରତ ଧରିବାକୁ ବସିଛୁ ତାକୁ ପାଳିବୁ କି ନାଇଁ କେଜାଣି ? ଯେତେ ଦିନ ପାଳି ପାରିବୁ, ଏଇ ଚିଠିଗୁଡ଼ିକ ତୋତେ ବଳ ଦେବ । ଜଣେ ଲୋକ ତୋ’ ଉପରେ ଆସ୍ଥା ରଖି କେଡ଼େ ଆଶା ବାନ୍ଧିଥିଲା ଜାଣି, ତୁ’ ତା’ପାଇଁ ସର୍ବସ୍ୱ ତ୍ୟାଗ କରିବାରେ ସାନ୍ତ୍ୱନା ଘେନିବୁ ।” ତାଙ୍କ କଥା ମୁଁ ଭଲ କରି ବୁଝି ପରି ନଥିଲେହେଁ ମୋ ଦେବତାଙ୍କ ପ୍ରତୀକସ୍ୱରୂପ ଏ ଚିଠି ପୁଲିନ୍ଦାଟି ଗ୍ରହଣ କରିଥିଲି ଓ ଏକାନ୍ତରେ ୟାକୁ ପଢ଼ି ମନରେ ବଳ ପାଇଥିଲି । ଦିଦି ଯେଉଁ ପଇସା ଥଳି ମୋ ଜିମା ରଖିଥିଲେ ସେଇଥିରେ ଏ ଚିଠିଗୁଡ଼ିକ ରଖି ନଥିଲେ, ସେଗୁଡ଼ିକ ଏତେ ଶୀଘ୍ର ହରାଇ ନଥାନ୍ତି ବୋଧହୁଏ । ସେ ଚିଠିଗୁଡ଼ିକ ହରାଇ ନଥିଲେ ମୋର ଜୀବନର ଗତି କ’ଣ ହୋଇଥାନ୍ତା କେଜାଣି ?

 

ମୁଁ ହରିଦ୍ୱାରରେ ନ ଥିବା ଭିତରେ ଦିଦି ଓ ଭାବୀ ଗଙ୍ଗାକୂଳରେ ପ୍ରକାଣ୍ଡ ବରଗଛ ମୂଳେ ଆସ୍ଥାନ କରିଥିବା ମହାତ୍ମ୍ୟଙ୍କର ଶିଷ୍ୟ ହୋଇଯାଇଥାନ୍ତି । ଶିଷ୍ୟ ହେବାର ବିଧିବିଧାନ ହୋଇ ନଥିଲା, ମହାତ୍ମା ମଧ୍ୟ ଏ ଦୁହିଁଙ୍କୁ ଶିଷ୍ୟା କରିବାକୁ ରାଜି ହୋଇ ନଥିଲେ, କିନ୍ତୁ ଦିଦି ଓ ଭାବୀ ମନେମନେ ମହାତ୍ମାଙ୍କୁ ଗୁରୁ କରି ସାରିଥାନ୍ତି । ପ୍ରାୟ ପ୍ରତ୍ୟେକ ଦିନ ଓପରଓଳି ଏ ଦୁହେଁ ମହାତ୍ମାଙ୍କ ପାଖରେ ଯାଇ ବସନ୍ତି । ମୁଁ ଫେରିବା ପରେ, ମୁଁ ଓ ପ୍ରଦୀପବାବୁଙ୍କ ମା’ ମଧ୍ୟ ନିୟମିତ ମହାତ୍ମାଙ୍କ ପାଖକୁ ଗଲୁଁ । ମହାତ୍ମା ଖୁବ୍ ଅଳ୍ପ କଥା କହନ୍ତି । ଦିନେ ଦିନେ ଆମେ ତାଙ୍କ ପାଖରେ ଯେଉଁ ଘଣ୍ଟେ ଦେଢ଼ଘଣ୍ଟା ବସୁ, ତା’ ଭିତରେ ସେ କାହାକୁ ପଦେବି କହନ୍ତି ନାହିଁ । ଆମେ ଫେରିବାକୁ ଉଠି ତାଙ୍କୁ ନମସ୍କାର କଲେ ସେ ମୁଡ଼ୁକି ମୁଡ଼ୁକି ହସି ବିଦାୟ ଦିଅନ୍ତି । ଅନ୍ୟମାନଙ୍କ ମନର କଥା ମୁଁ ବୁଝିନାହିଁ; ତାଙ୍କ ମୁଡ଼ୁକି ହସାର ଅର୍ଥ କ’ଣ ଭାବି ହୋଇ ହୋଇ ମୁଁ ଫେରେ । ଆଉ ଦିନେ ଦିନେ ସେ ଅନ୍ୟମାନଙ୍କ ସଙ୍ଗେ ଆଲୋଚନା କରୁଥିବାର ଆମେ ଶୁଣୁ; ମହାତ୍ମା ଆମ ଆଡ଼େ ଥରେବି ଚାହାନ୍ତି ନାହିଁ । ତିନି ଚାରି ଦିନରେ ଦିନେ ମାତ୍ର ସେ ଆମକୁ ଗୋଟିଏ ପ୍ରଶ୍ନ ପଚାରନ୍ତି ଏବଂ ଆମ ଉତ୍ତର ଶୁଣି ତା’ ଉପରେ ତାଙ୍କର ମନ୍ତବ୍ୟ କହନ୍ତି ।

 

ମହାତ୍ମାଙ୍କ ନିଜ ମୁହଁରୁ ଶୁଣି ନାହିଁ, କିନ୍ତୁ ପରସ୍ପରରେ ଶୁଣିଛି, ସେ ଦିଲ୍ଲୀରେ କ’ଣ ଗୋଟାଏ ବଡ଼ ଚାକିରି କରୁଥିଲେ । ଚାକିରିରୁ ଅବସର ନେଇ, କି ଚାକିରି ଛାଡ଼ି ସେ ଏହି ହରିଦ୍ଵାରରେ ଜଣେ ମହାତ୍ମାଙ୍କ ଶିଷ୍ୟ ହୋଇ ରହୁ ରହୁ, ତାଙ୍କ ଦେହାନ୍ତ ପରେ ନିଜେ ସେ ଆଶ୍ରମର ଗୁରୁ ହୋଇଥାନ୍ତି । କିଏ କହନ୍ତି, ତାଙ୍କର ସ୍ତ୍ରୀ ପୁତ୍ର ଅଛନ୍ତି, କିଏ କହନ୍ତି, ସମସ୍ତେ ମରିଯାଇଛନ୍ତି । ଥରେ ଆମେ ଉପସ୍ଥିତ ଥିବାବେଳେ ଜଣେ ତାଙ୍କୁ ତାଙ୍କ ଅତୀତ ବିଷୟରେ ପ୍ରଶ୍ନ କରିଥିଲେ । ମହାତ୍ମା କିଛି ନକହି ତୁନି ହୋଇ ରହିଲେ, ତା’ର ଚାରି ପାଞ୍ଚ ଦିନ ପରେ ଆଉ ଜଣଙ୍କୁ ତାଙ୍କ ଆଡ଼ୁ କହିଲେ, “ମୁଁ କିଏ, ଚିହ୍ନିବାପାଇଁ ମୁଁ ଅତୀତରେ କ’ଣ ଥିଲି ଜାଣିବା କ’ଣ ଦରକାର ? ତୁମେ କିଏ ଚିହ୍ନିବାପାଇଁ ତୁମ ଅତୀତ ଅଣ୍ଡାଳି ହେବା ମୋର ନିଷ୍ପ୍ରୟୋଜନ । ମଣିଷ ଯେତେବେଳେ ଯାହା, ସେ କଥା ତା’ ମୁହଁରେ ଫଟୋ ଉଠିଲା ପରି ଉଠିଥାଏ । ଆମେ ଯେତେବେଳେ ଯାହା ସଙ୍ଗେ କଥାବାର୍ତ୍ତା ହେଉଥାଉ ସେତିକିବେଳେ ତା’ ମୁହଁରେ ଯେଉଁ ଫଟୋ ଉଠୁଛି ତାକୁଇ ଦେଖିଲେ ଯଥେଷ୍ଟ ।” ଏ କଥାର ମର୍ମ ମୁଁ ଭଲକରି ବୁଝି ପାରି ନଥିଲି; ଭାବୀ ଓ ଦିଦି ଏଇ କଥା ଉପରେ ପରେ ଆପଣା ଭିତରେ ଯାହା ଆଲୋଚନା କରିଥିଲେ ସେଇଥିରୁ ଏତିକି ବୁଝିଲି ଯେ, ଆଜି ଯଦି ଆମର ମନ ଭଲ ଦିଗରେ ଚାଲୁଛି ତେବେ ଅତୀତର ସବୁ ଦୋଷ ଓ ଅପରାଧ ତା’ ମନକୁ ଧୋଇ ହୋଇଯିବ ।

 

ଜଗନ୍ନାଥଙ୍କ ଦେଶରୁ ଜଣେ ଯୁବକ ଆସି ୟାଙ୍କ ପାଖରେ ମାସେ ଖଣ୍ଡେ ହେଲା ପରିଚାରକ ପରି ଥାନ୍ତି । ମଝିରେ ମଝିରେ ତାଙ୍କ ସଙ୍ଗେ ଆମର ଦେଖା ହୁଏ । ଦିଦି ତାଙ୍କୁ ପଦେ ଦି’ପଦ ପଚାରନ୍ତି । ତାଙ୍କଠାରୁ ଯାହା ଶୁଣନ୍ତି ସେଥିରେ ସେ ମୁଗ୍ଧ ହୋଇଯାନ୍ତି । କ୍ରମେ ତାଙ୍କ ସଙ୍ଗେ ପରିଚୟ ବଢ଼ିବାରେ ଦିନେ ଦିଦି ତାଙ୍କୁ ପଚାରିଲେ, ‘‘ମହାରାଜ ! ଆପଣଙ୍କ ଘର କେଉଁଠି ? ଆପଣ କ’ଣ ଗୃହ ସଂସାର ଛାଡ଼ି ସନ୍ନ୍ୟାସ ନେବାକୁ ଆସିଛନ୍ତି ?”

Unknown

 

ସେ ଉତ୍ତର ଦେଲେ, “ମୁଁ କିଛି ସ୍ଥିର କରି ଏଠାକୁ ଆସି ନାହିଁ । ଘରସଂସାର ଛାଡ଼ିଛି କି ନାହିଁ ଏପର୍ଯ୍ୟନ୍ତ ସ୍ଥିର କରିନାହିଁ । ସଂସାର ଛାଡ଼ିବା ଉଚିତ ନା ନୁହେଁ ସେଇ କଥା ଜାଣିବାକୁ ମୋର ମନ ଘାଣ୍ଟି ହେଉଛି । ୟାଙ୍କରିଠାରୁ ସେ କଥା ଜାଣିବି ବୋଲି ୟାଙ୍କର ଆଶ୍ରା ନେଇଛି । ହରିଦ୍ଵାର ଓ ଋଷିକେଶରେ ବହୁ ମହାତ୍ମାଙ୍କ ପାଖେ ଅନେକ ଦିନ କଟାଇଛି । କେହି ମୋ’ ମନର ସଂଶୟ ଦୂର କରିପାରିନାହାନ୍ତି ।”

 

ଦିଦି ପଚାରିଲେ, “ଏଠାରେ ଆପଣ ପ୍ରାୟ ମାସକରୁ ବେଶି ରହିଲେଣି । ୟାଙ୍କଠାରୁ କ’ଣ ସଂଶୟ ଦୂର ହୋଇ ନାହିଁ ?” ସେ କହିଲେ “ୟେ ତ ଅଲଗା କିସମର ସନ୍ନ୍ୟାସୀ । ୟା କର ତା’ କର ବୋଲି କହିବାବାଲା ଲୋକ ୟେ ନୁହନ୍ତି । ୟାଙ୍କ ସଙ୍ଗେ ମୁଁ ଯେତେ କଥାବାର୍ତ୍ତା କଲିଣି, ସେତେ କଥାବାର୍ତ୍ତା ଆଉ କାହା ସଙ୍ଗେ କେବେ କରି ନଥିଲି । କିନ୍ତୁ ୟାଙ୍କଠାରୁ ମୁଁ ପାଇଛି ପଦେ ମାତ୍ର କଥା–ସବୁ ଶୁଣ, ବୁଝ, ବିଚାର; ଯାହା ମନକୁ ପାଉଛି ତା’ କର, ୟା କର, ତା’ କର ବୋଲି ହୁକୁମ ଜାରି କରିବା ଆମ ଧର୍ମରେ ନାହିଁ । ମୁଁ ଏ କଥାରେ ଆପତ୍ତି କରି ଆମ ଧର୍ମର କେତେକ ବିଧିନିଷେଧ କଥା ଉଠାଇଥିଲି । ସେ ମୋତେ କହିଥିଲେ, ଆମ ଧର୍ମରେ ବିଧି ଅଛି, ନିଷେଧ ଅଛି, କିନ୍ତୁ ବିଧି ବା ନିଷେଧକୁ ମାନିବା ପ୍ରତ୍ୟେକ ଲୋକର ଇଚ୍ଛା ଉପରେ ନିର୍ଭର କରେ । ଧର, ଶ୍ରାଦ୍ଧ କରିବାର ବିଧି-ଅଛି, କିନ୍ତୁ ଯଦି ଜଣେ କୌଣସି କାରଣରୁ ଶ୍ରାଦ୍ଧ ନ କଲା, ତେବେ ତାକୁ ତୋଷିବାକୁ କେହି ନାହିଁ । ଶ୍ରାଦ୍ଧ କର ବୋଲି ବ୍ରାହ୍ମଣ ଯାଇ କାହାଦ୍ୱାରା ଅଡ଼ି ବସେ ନାହିଁ; ନ କଲେ କେହି ଜାତିରୁ ବାସନ୍ଦ କରେ ନାହିଁ । ଗୋରୁ ମାଇଲେ ପ୍ରାୟଶ୍ଚିତ୍ତ କରିବାର ବିଧି ଅଛି, କିନ୍ତୁ କେହି ଯଦି ଗୋରୁ ମାରିବା କଥା ଲୁଚାଇ ଦେଲା, ପ୍ରାୟଶ୍ଚିତ୍ତ ନ କଲା, ତେବେ କେହି କହିବାକୁ ନାଇଁ । ପରେ ଯେତେବେଳେ ମନକୁ ପାଇଲା, ସେତେବେଳେ ଲୋକ ନିଜର ପାପକୁ ପ୍ରକାଶ କରି ପ୍ରାୟଶ୍ଚିତ୍ତ ଘିନେ । ୟାଙ୍କଠାରୁ କଥା ଶୁଣି ଆମ ଧର୍ମ ବିଷୟରେ ମନରେ ନୂଆ ଧାରଣା ହେଉଛି । ଯାହାକୁ କୁସଂସ୍କାର ବୋଲି ଆମେ ଉଡ଼ାଇ ଦେଇଥିଲୁ, ସେ ସବୁ ସଦାଚାର ବୋଲି ମନେ ହେଉଛି-।”

 

ୟାଙ୍କର କଥା ଶୁଣି ଭାବି ଓ ଦିଦି ମୁଗ୍ଧ ହୁଅନ୍ତି । ମୋତେ ୟାଙ୍କର ଆଚରଣ ଓ କଥାବାର୍ତ୍ତା ବଡ଼ ସୁଖ ଲାଗୁଥାଏ । ଦିଦିଙ୍କ ଅନୁରୋଧରେ ୟେ ମଝିରେ ମଝିରେ ଆମ ଘରକୁ ଆସନ୍ତି । ସେ ଘରେ ପାଦ ଦେଲେ ଆମ ଘର ପବିତ୍ର ହୋଇଗଲା ପରି ମୋତେ ଲାଗେ । ଆମ ଧର୍ମ ବିଷୟରେ ଯେତେବେଳେ ସେ କିଛି କହି ବସନ୍ତି, ତାଙ୍କ ମୁହଁରୁ କିମିତି ଗୋଟାଏ ତେଜ ଫୁଟି ଉଠେ । କିନ୍ତୁ ତାଙ୍କ ପୋଷାକ ଦେଖି କେହି କହିବା ନାଇଁ ଯେ, ସେ ସାଧୁ ସନ୍ନ୍ୟାସୀ–ପିନ୍ଧା–ଆଣ୍ଠୁତଳକୁ ପଡ଼ିଥିବା ଖଣ୍ଡେ ଲୁଗା, ଦେହରେ ହାତକଟା କାମିଜ ଖଣ୍ଡେ, ତା’ ଉପରେ ଗୋଟିଆ ଛୋଟିଆ ଚାଦର–ସବୁ ଧୋବ । ପ୍ରତିଦିନ ଗଙ୍ଗାରେ ଗାଧୋଇବାବେଳେ ଲୁଗା ସଫା କରନ୍ତି ।

 

ଥରେ ଦିଦି ତାଙ୍କୁ କହିଲେ, “ବର୍ତ୍ତମାନ ଆମ ଦେଶରୁ ଧର୍ମ ଧାରଣା ଉଠି ଯାଉଛି; ଆପଣଙ୍କ ଭଳି ଲୋକ ଯଦି ଲୋକଙ୍କ ଭିତରେ ବୁଲି ଧର୍ମପ୍ରଚାର କରନ୍ତେ, ତେବେ ଲୋକ ପୁଣି ଧର୍ମମାର୍ଗକୁ ଫେରନ୍ତେ ।” ସେ କହିଲେ, “ମୁଁ ଧର୍ମପ୍ରଚାର କଲେ କିଛି ହେବ ନାହିଁ ଏକଥା ମୁଁ ଭଲ କରି ଜାଣେ । କିନ୍ତୁ ମୋର ମନେ ହୋଇଥିଲା, ଆମ୍ଭମାନଙ୍କ ଗୁରୁଦେବ ଧର୍ମପ୍ରଚାର କଲେ ଲୋକେ ପ୍ରଭାବିତ ହୁଅନ୍ତେ । ଆମେରିକାର ଜଣେ ପର୍ଯ୍ୟଟକ ତାଙ୍କ ସଙ୍ଗେ ଦୁଇ ଦିନ ଆଲୋଚନା କରି, ତାଙ୍କୁ ଡାକିଥିଲେ, ଆମେରିକା ବୁଲି ଯିବାକୁ । ଆନ୍ତର୍ଜାତିକ ଧର୍ମ ସମିତି ତାଙ୍କର ସବୁ ଖର୍ଚ୍ଚ ଦେଇଥାନ୍ତା ଓ ଆମେରିକାରେ ଠାଠା କରି ତାଙ୍କପାଇଁ ସଭା ଆୟୋଜନ କରିଥାନ୍ତା । କିନ୍ତୁ ଗୁରୁଦେବ କ’ଣ ଉତ୍ତର ଦେଲେ ଜାଣନ୍ତି ? ସେ କହିଲେ, ଧର୍ମ, ପ୍ରଚାରର ସାମଗ୍ରୀ ନୁହେଁ । ଏହା ଆଚରଣରେ ଆରମ୍ଭ ଓ ଶେଷ । ଯଦି ମୁଁ ଧର୍ମରେ ଅଛି ବୋଲି ଆପଣଙ୍କର ମନେ ହେଉଥାଏ, ତେବେ ଆପଣ ମୋତେ ଦେଖି ଆପଣଙ୍କ ନିଜ ଧର୍ମରେ ନିଷ୍ଠା ରଖିଲେ ଯଥେଷ୍ଟ । ମୁଁ ମୋ ଧର୍ମକୁ ଯଚେଇ କରି ବୁଲିଲେ ମୁଁ ଧର୍ମଭ୍ରଷ୍ଟ ହେବି ଓ ମୋ’ ଧର୍ମର ମଧ୍ୟ ମର୍ଯ୍ୟାଦା କ୍ଷୁଣ୍ଣ ହେବ’ ।”

 

ଗୁରୁଦେବଙ୍କ କଥା ଆମକୁ ଭଲ କରି ବୁଝାଇ ସେ କହିଲେ, “ମୁଁ ଯେତେ ବିଚାରୁଛି ଗୁରୁଦେବଙ୍କ କଥା ମୋତେ ସେତିକି ଯୁକ୍ତିଯୁକ୍ତ ମନେ ହେଉଛି । ତାଙ୍କରି ସେବା କରି ଜୀବନ କଟାଇଦେବାକୁ ମୋର ମନ । କିନ୍ତୁ ସେ ମୋତେ ଦି’ଥର କହିଲେଣି, ତୋ’ର ଯାହା ଜାଣିବାର କଥା ତୁ ଜାଣିଗଲୁଣି; ଏଥର ଯା, ତୋ କର୍ମକ୍ଷେତ୍ରରେ ତୁ ରହ । ମୋର ସେବା କରିବା ଆଉ ଦରକାର ନାହିଁ । ମୁଁ ତାଙ୍କର ଏ କଥା ଅମାନ୍ୟ ହୋଇ ରହିଛି । କିନ୍ତୁ କେତେ ଦିନ ? ଯେଉଁ ଦିନ ଟାଣ କରି ଯା ବୋଲି କହିବେ, ସେଦିନ ନିଶ୍ଚୟ ଯିବାକୁ ହେବ ।”

 

ମହାତ୍ମାଙ୍କ ସଙ୍ଗେ ୟେ ଆମର ଯୋଗସୂତ୍ର ହୋଇଥାନ୍ତି । ୟାଙ୍କ ଯିବା କଥା ଶୁଣି ଦିଦି ଓ ଭାବୀ ନିରାଶ ହେଲେ; ତୁଣ୍ଡରେ ତାହା ପ୍ରକାଶ କଲେ । ମୁଁ ବି ଦୁଃଖିତ ହୋଇଥିଲି, କିନ୍ତୁ କିଛି କହିଲି ନାହିଁ ।

 

ୟାର କେତେଦିନ ପରେ । ଆମେ ନିୟମିତ ମହାତ୍ମାଙ୍କ ପାଖକୁ ଯାଉଥାଉ ଓ ତାଙ୍କ ପାଖରେ ବସି ତାଙ୍କ ମୁହଁରୁ ପଦେ କଥା ଶୁଣିବାକୁ ଚାହୁଁଥାଉ । ଥରେ ସେ ଦିଦିଙ୍କ ଆଡ଼କୁ ଚାହିଁ ପଚାରିଲେ, “ଯାହା ପଚାରିବାକୁ ଚାହୁଁଛ, ଆଗାମୀ କୁମ୍ଭମେଳା ପରେ ଆସିଲେ ପଚାରିବ ଯେ, କହିବି ।” ପରେ ଜାଣିଲି, ଜୀବନର ଅବଶିଷ୍ଟ ସମୟତକ କ’ଣ କରି କଟାଇବେ ସେ ବିଷୟରେ ପରାମର୍ଶ ମାଗିବେ ବୋଲି ଦିଦି ବିଚାରୁଥିଲେ । ମହାତ୍ମା ପୁଣି କହିଲେ, “ଆଜି ଦିନକ କିମିତି କଟିବ ମଣିଷ ସେତିକି ମାତ୍ର ବିଚାରିବାକୁ ହକ୍‌ଦାର । କାଲି କଥା କାଲି ବୁଝିବ । ମଣିଷ ୟା କରିବି, ତା’ କରିବି ବୋଲି ଯେଉଁ ଯୋଜନା କରି ବସେ ତାହା ନିରର୍ଥକ । ଭଗବାନଙ୍କ କାମରେ ସେ ମିଛରେ ହାତ ପୂରାଏ ।”

 

ଆମର ପରିଚିତ, ତାଙ୍କ ଶିଷ୍ୟଙ୍କୁ ଡାକି କହିଲେ, “ବାବୁଜୀ ! କ’ଣ କରିବ ବୋଲି ପରା ଖୋଜି ହେଉଛ ? ଏ ସ୍ତ୍ରୀଲୋକଗୁଡ଼ିକଙ୍କର ଗୋଟିଏ ଅଭିଭାବକ ଦରକାର, ତୁମେ ସେ କାମ ତୁଲେଇଲେ କିପରି ହୁଅନ୍ତା ?” ବାବୁଜୀ ଆମ୍ଭମାନଙ୍କର ଅଭିଭାବକପରି ହୋଇଯାଇଥିଲେ । ମହାତ୍ମାଙ୍କ ନିର୍ଦ୍ଦେଶରେ ତାଙ୍କର ନିଯୁକ୍ତି ପକ୍କା ହେଲା ।

 

(୧୭)

 

ମହାତ୍ମାଙ୍କର ଯେଉଁ ଶିଷ୍ୟ ଆମର ଅଭିଭାବକ ନିଯୁକ୍ତ ହେଲେ ତାଙ୍କୁ ମହାତ୍ମା ‘ବାବୁଜୀ’ ବୋଲି ଡାକନ୍ତି । ଆମେ ମଧ୍ୟ ତାଙ୍କୁ ସେଇ ‘ବାବୁଜୀ’ ବୋଲି ଡାକିଲୁ ଓ ଚିହ୍ନିଲୁ । ଆଜିଯାଏଁ ତାଙ୍କର ମୁଁ ଆଉ କୌଣସି ପରିଚୟ ଜାଣିନାହିଁ । ମୋର ସମଗ୍ର ଇତିହାସ ତାଙ୍କୁ କେତେଥର କହିଛି, କିନ୍ତୁ ତାଙ୍କର ନାମଧାମ କେବେ ପଚାରିବା ଦରକାର ମନେ କରି ନାହିଁ । ଆଜି ମୋତେ ତାଙ୍କ ବିଷୟ ପଚାରିଲେ ସେଇ ‘ବାବୁଜୀ’ ପଦକ ବ୍ୟତୀତ ଆଉ କହିବାକୁ କିଛି ନାହିଁ । ଅଧିକ ଏତିକି ମାତ୍ର ଶୁଣିଛି ଯେ, ସେ ଏଇ ଜଗନ୍ନାଥଙ୍କ ଦେଶର ଲୋକ । ଶେଷ ଦିନ ତାଙ୍କ ସଙ୍ଗେ ମୋର ଦେଖା ହୋଇଥିଲା ଖଡ଼ଗପୁରରେ । ସେଠାରେ କୋଉ ଗୋଟାଏ ଅଫିସ୍‌ରେ ସେ ଚାକିରି କରୁଥିଲେ । କେଉଁ ଅଫିସ୍, କେତେ ଦରମା ପାଉଥିଲେ, ତା’ ମଧ୍ୟ କେବେ ପଚାରି ନାହିଁ । ପ୍ରତି ମାସର ପହିଲା ଦୁଇ ତାରିଖରେ ସେ ମୋ ହାତକୁ ବିଡ଼ାଏ ନୋଟ୍ ବଢ଼ାଇଦିଅନ୍ତି, ମୁଁ ତାକୁ ଆମର ଏକମାତ୍ର ଟ୍ରଙ୍କ୍‍ରେ ଥୋଇଦିଏ । ସେଇଥିରୁ ଖର୍ଚ୍ଚ ଚାଲିଥାଏ । ସବୁ ସରିଲା ବେଳକୁ ମାସ ସରିବାକୁ ଥାଏ ଆଉ ଦୁଇ ଚାରି ଦିନ । ପଇସା ରହିଥିବା ଜାଗାରେ ହାତ ମାରି ସବୁ ସରିଲାଣି ବୋଲି ସେ ଟିକିଏ ହସିଦିଅନ୍ତି । ବାକି ଦିନତକ କିମିତି ଚଳିବ ବୋଲି ମୁଁ ଚିନ୍ତିତ ହୋଇଗଲେ ସେ କହନ୍ତି, “ତାରା ! ମଣିଷ ଆଶାରେ ବଞ୍ଚେ । ଆଉ ମାତ୍ର ୪।୫ ଦିନ ଆମେ କ’ଣ ଆଶାରେ ବଞ୍ଚି ପାରିବା ନାଇଁ ? ‘ଦେଶରେ ତିନିଭାଗରୁ ଭାଗେ ଲୋକଙ୍କର ଆଶା କରିବାକୁବି କିଛି ନାଇଁ’ ମନେପକାଇଲେ ଅଭାବ ବାଧିବ ନାଇଁ ।’’ ମୁଁ ହସିଦିଏ, ଆଶାକୁ କିମିତି ରାନ୍ଧିବି ବୋଲି ବିଚାରି । ନିଜେ ସେ ନ ଖାଇ ହସ୍ତେ କାଳ ରହିଯାଇଥିଲେ, କ’ଣ ଗୋଟାଏ ସାଧନା କରିବାକୁ । କିନ୍ତୁ ମୋତେ ଓଳିଏବି ଓପାସ ରଖନ୍ତି ନାଇଁ । ଘରୁ ପଇସା ସରିଗଲେ, ପଡ଼ିଶାଘର ଦୋକାନରୁ ଚାଉଳ ଆଉ କାଠ ଆଣି ସାଇତିଦିଅନ୍ତି; କହନ୍ତି, “ଦରମା ମିଳିବା ପର୍ଯ୍ୟନ୍ତ ଖାଲି ଭାତ ଓ ଲୁଣ ଖାଇବା । ଦେଶରେ ବହୁ ଲୋକ ଏତକବି ପା’ନ୍ତି ନାହିଁ ।” ୟେ ସବୁ ପରର କଥା, ଯେଉଁଠି ଛାଡ଼ିଛି ସେଠାରୁ କହେଁ ।

 

ମହାତ୍ମା ବାବୁଜୀଙ୍କୁ ଆମର ଅଭିଭାବକ ନିଯୁକ୍ତ କଲା ପରେ ସେ ନିୟମିତ ସକାଳ ଓଳି ଆମ ଘରକୁ ଆସନ୍ତି, ଓ ଆମର ସୁବିଧା ଅସୁବିଧା କଥା ପଚାରି ବୁଝନ୍ତି । ଆମର ଅସୁବିଧା ବୋଲି କିଛି ନ ଥାଏ । ପାଖରେ ଯଥେଷ୍ଟ ପାଇସା ଥାଏ । ଦିଦି ଯେମିତି ଖର୍ଚ୍ଚ କରୁଥାନ୍ତି ସେଥିରେ, ଏ ଟଙ୍କା ସବୁଦିନକୁ ରହିବ ନାଇଁ ବୋଲି ସେ ଜାଣି ମଧ୍ୟ ଖର୍ଚ୍ଚରେ ସଂଯମ କରୁ ନ ଥାନ୍ତି । ଥରେ ଭାବୀ ଏ ବିଷୟରେ ତାଙ୍କୁ ସତର୍କ କରନ୍ତେ ସେ ହସି ହସି କହିଲେ, “ଭାବୀ ! ତୁମେ ଗୁରୁଙ୍କୁ ଅମାନ୍ୟ କରୁଛ । ସେ ପରା କହିଥିଲେ, ଆଜି ଦିନକ କିମିତି କଟିବ ମଣିଷ ସେତିକି ମାତ୍ର ବିଚାରିବାକୁ ହକ୍‌ଦାର ।” ବାବୁଜୀ ଏ ବଚନିକାବେଳେ ଉପସ୍ଥିତ ଥିଲେ । ସେ ମଧ୍ୟ ହସି ହସି ଦିଦିଙ୍କୁ ସମର୍ଥନ କରି କହିଲେ, “କାଲି କଥା କାଲି ବୁଝିବ ।”

 

ଆମ ଦୁଆରକୁ ଅଧିକରୁ ଅଧିକ ଭିକାରି ଆସୁଥାନ୍ତି । କାହାକୁ ବାହୁଡ଼ାଉନଥାଉଁ, କିନ୍ତୁ ଦରୁଆନ, ଭାବୀଙ୍କ କଥାରେ, ଦିନକୁ ନିର୍ଦ୍ଦିଷ୍ଟ ପରିମାଣ ଚାଉଳ ଓ ପଇସା ନେଇ ସମସ୍ତଙ୍କୁ କୌଣସିମତେ ବୋଧ ସୋଧ କରୁଥାଏ । ଦାଣ୍ଡଦୁଆରେ ପାଟିତୁଣ୍ଡ ହେଲେ ଦିଦି ନିଜେ ଆଉ କିଛି ଚାଉଳ ଓ ପଇସା ଦେଇ ଆସନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ, ବଡ଼ ଦିଦି ଆସି ଆମ ସଙ୍ଗେ ରହୁଥାନ୍ତି । ପ୍ରଥମେ ପ୍ରଥମେ ସେ ବଡ଼ ଉଦାସୀନ ହୋଇ ରହିଥିଲେ । ନିଜ ପିଲାଙ୍କ ଆଡ଼କୁବି ଦଣ୍ଡେ ଚାହୁଁନଥାନ୍ତି । ମୁଁ ସେମାନଙ୍କ ହେପାଜତ କରୁଥାଏ । କ୍ରମେ କ୍ରମେ ସେ ନିଜ ପିଲାଙ୍କ ହେପାଜତ ବ୍ୟତୀତ ଘରର ସବୁ ଭାର ହାତକୁ ନେଇଗଲେ ଓ ଦିଦିଙ୍କୁ ଆକଟ କରି ଖର୍ଚ୍ଚ ପତ୍ର ସୀମା ଭିତରେ ରଖିବାକୁ ବସିଲେ । ଦିଦି ତାଙ୍କ କଥାରେ ପ୍ରତିବାଦ ନ କରି କ୍ରମେ ଅଧିକ ଉଦାସୀନ ହେଲେ । ବାବୁଜୀଙ୍କ ସଙ୍ଗେ ଧର୍ମକର୍ମର ଆଲୋଚନାରେ ତାଙ୍କର ଅଧିକ ସମୟ କଟିଲା ।

 

ଓପରଓଳି ନିୟମିତ ମହାତ୍ମାଙ୍କ ପାଖକୁ ଯାଉଥାଉ । ତାଙ୍କ ଆଗରେ ଯାଇ ମୁଣ୍ଡିଆ ମାରି ବସିଲେ ସେ ଆମ ଆଡ଼କୁ ଟିକିଏ ପ୍ରସନ୍ନ ଦୃଷ୍ଟିରେ ଚାହିଁ ‘ବେଶ୍, ବେଶ୍’ ବୋଲି କହନ୍ତି । ତା’ପରେ ସତେ ଅବା ଆମକୁ ପାସୋରି ଦିଅନ୍ତି; କିଞ୍ଚିତ୍ ଓପରମୁହାଁ ହୋଇ ସେ ଏକାଥରକେ ଘଣ୍ଟେ ଦେଢ଼ ଘଣ୍ଟା ତୁନି ହୋଇ ବସିରହନ୍ତି । ଅନ୍ୟ କେହି ଆସି ମୁଣ୍ଡିଆ ମାଇଲେ କେତେବେଳେ ଟିକିଏ ଚାହାନ୍ତି, ନଇଲେ ନାଇଁ । ତିନି ଚାରି ଦିନରେ ଥରେ ଅବା ଆମକୁ, ବା ଆଉ କାହାକୁ ଦିପଦ କ’ଣ କହୁଥିବେ । ବେଳେବେଳେ ମୁଁ ମନରେ ଭାବେ, ୟେ ଏମିତି ବସି କ’ଣ ଭାବୁଛନ୍ତି, ନା ଖାଲି ମନରେ ବସୁଛନ୍ତି । ଏମିତି ବସି ରହିବାଦ୍ୱାରା ଲାଭ କ’ଣ ହେଉଛି ବୋଲି ଦିନେ ମୋ ମନରେ ସଂଶୟ ହେବାମାତ୍ରେ ସେ ହଠାତ୍ ମୋରି ଆଡ଼କୁ ଚାହିଁଲେ ଓ କହିଲେ, “କିଛି ନ ଭାବି ବସିପାରିଲେ ତ ଖୁବ୍ ଭଲ; ନ ପାରିଲେ ଭଗବାନ୍‌ଙ୍କ ବିଷୟରେ ଚିନ୍ତା କରାଯାଇପାରେ ।” ମୋ ମନର କଥା ସେ ଜାଣିପାରିଲେ ବୋଲି ମୋତେ ଭାରି ଡର ମାଡ଼ିଲା । ମୁଁ ତଳକୁ ମୁହଁ ପୋତି ବସିଲି ।

 

ଆଉ ଦିନେ ବଡ଼ ଦିଦିଙ୍କୁ ଚାହିଁ କହିଲେ, “ଗୁଡ଼ାଏ ଭାବି ହୋଇ ଘାଣ୍ଟି ହେବା ନିଷ୍ଫଳ । ଯାହାଙ୍କପାଇଁ ଚିନ୍ତା କରୁଛ, ତାଙ୍କ ବ୍ୟବସ୍ଥା ତ ଭଗବାନ୍ କରି ସାରିଛନ୍ତି । ଏଥର ନିଜ କଥା ଚିନ୍ତା କର । ନିଜ କଥା ଚିନ୍ତା କରିବାର ସର୍ବଶ୍ରେଷ୍ଠ ଉପାୟ ନିଶ୍ଚିନ୍ତ ହୋଇ ରହିବା ।” ଦିଦି ବଡ଼ ଦିଦିଙ୍କ ପିଲାଙ୍କପାଇଁ ଶେଠଜୀଙ୍କ ପାଖରେ ଟଙ୍କା ରଖିଥିବା କଥା ବୋଧହୁଏ ତାଙ୍କୁ ଜଣା ଥିଲା । ଦିଦି କେବେ କହିବାର ତ ଶୁଣି ନାହିଁ; ବାବୁଜୀ ଜାଣିଥିଲେ, ଅବା କହିଥିବେ ।

 

ପ୍ରାୟ ଦୁଇମାସ ପରେ ଦିନେ ଓପରଓଳି ଆମେ ଯାଇ ପହଞ୍ଚିଲା ବେଳକୁ ଆଶ୍ରମରେ ସମସ୍ତେ ଚଞ୍ଚଳ ଥିଲା ପରି ଲକ୍ଷ୍ୟ କଲୁଁ । ବାବୁଜୀ ଦିଦିଙ୍କୁ ତୁନି ତୁନି କହିଲେ, “ଆଜି ବାବା ତୀର୍ଥାଟନରେ ବାହାରିଛନ୍ତି ।” ଦିଦି ଚିନ୍ତିତ ହୋଇଗଲେ । ବାବା ତାଙ୍କ ଆଡ଼କୁ ଚାହିଁ କହିଲେ, “ହଁ, ବାବୁଜୀ ଯାହା କହୁଛନ୍ତି, ଠିକ୍ । କିଛିଦିନ ଏ ସ୍ଥାନ ଛାଡ଼ି ଯାଉଛି ।” କେତେଦିନ ବୋଲି ବୋଧହୁଏ ଦିଦିଙ୍କ ମନରେ ପ୍ରଶ୍ନ ହେଲା । ବାବା କହିଲେ, “କେତେ ଦିନ କିମିତି କହିବା ? ଏଠାରେ ତୁମମାନଙ୍କଠାରେ ମାୟା ଲାଗିଗଲାଣି । ତୁମେମାନେ ଆସିବାରେ ଟିକିଏ ଡେରି ହୋଇଗଲେ କାହିଁକି ଡେରି କରୁଛ ବୋଲି ମନରେ ଚିନ୍ତା ଆସୁଛି । ଏ ସ୍ଥାନ ଛାଡ଼ିବାର ପ୍ରଧାନ କାରଣ ସେଇ । ସନ୍ନ୍ୟାସୀ ପକ୍ଷରେ ଗୋଟାଏ ସ୍ଥାନରେ ରହି ଘରସଂସାର ପାତି ବସିବା ଅନୁଚିତ । ବିଚାରୁଛି, ଚାରିଧାମ କରି ସାରି ମନ ହେଲେ ଏଠାକୁ ଆସିବି । ଭଗବାନ୍‌ଙ୍କର ଯଦି ଏଠାକୁ ଫେରାଇବାର ଇଚ୍ଛା ନ ଥାଏ ତେବେ ନ ଆସିବି ପାରେ । କାଲି ରାତିରେ ଓ ଆଜି ସକାଳେ ବାବୁଜୀଙ୍କ ସମେତ ସବୁ ଆଶ୍ରମବାସୀଙ୍କୁ ଏକଥା କହିଦେଇଛି ଓ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ନିଜ ନିଜର କର୍ତ୍ତବ୍ୟର ସୂଚନା ଦେଇଦେଇଛି ।

 

ଟିକିଏ ସମୟ ଯିବା ପରେ ସେ ପୁଣି କହିଲେ, “ୟା କର, ତା’କର ବୋଲି କହିବାର ଅଧିକାର ମୋର ନାହିଁ । କ’ଣ କଲେ ଭଲ ହେବ ସେତିକି ମାତ୍ର ସୂଚାଇଦେଇଛି । ବାବୁଜୀଙ୍କୁ କହିଛି, ସେ ତୁମମାନଙ୍କର ହେପାଜତ ନେବେ, ଏବଂ ଏଠାରେ ରହିବା ପ୍ରୟୋଜନ ନହେଲେ ଏଠାରେ ନ ରହି ଅନ୍ୟତ୍ର ରହିବେ । ତାଙ୍କର କିଛିଦିନ ସଂସାର କରିବା ଉଚିତ ହେବ ବୋଲି ମୁଁ କହିଛି । ଏ ଆଶ୍ରମ ତାଙ୍କର ସ୍ଥାନ ନୁହେଁ ।”

 

ଆମ ଘରର ସମସ୍ତେ ବିଚଳିତ ହୋଇଗଲୁ । ବାବୁଜୀ ପାଖରେ ଥିଲେ ଆମର କିଛି ଅସୁବିଧା ହେବ ନାହିଁ ବୋଲି ଆମ ସମସ୍ତଙ୍କର ପୂରା ବିଶ୍ୱାସ ଥିଲା । କିନ୍ତୁ ବାବା ନଥିଲେ ଦେହ ଭିତରେ ପ୍ରାଣ ନଥିଲା ପରି ଲାଗିବ । ଦିଦିଙ୍କ ଆଖିରୁ ଲୁହ ଗଡ଼ିଲା । ବାବା ବାତ୍ସଲ୍ୟରେ ତାଙ୍କ ଆଡ଼କୁ ଚାହିଁ କହିଲେ, “ଛି’ମା’ ! ବହୁତ ଭୋଗ କରିଛୁ, ବହୁତ ସହିଛୁ, ଏଥର ଏଣିକି ନିଜର ସୁଖ ଦୁଃଖପାଇଁ କୌଣସି ଲୋକକୁ ଦାୟୀ ନ କରି ଭଗବାନଙ୍କଠାରେ ନିଘା ରଖ । ତୋ ଭାବୀର ସେ ନିଘା ହୋଇଗଲାଣି, ବୁଢ଼ୀମା’ଙ୍କର ହୋଇଗଲାଣି । ଆଉ ତମେ ତିନି ଜଣ–ତୁ, ତୋ ବଡ଼ ଦିଦି, ଆଉ ଏ ଟୋକୀ; ତୁମ ତିନିଜଣଙ୍କ ମନ ସ୍ଥିର ହୋଇ ନାହିଁ । (ମୋତେ ଦେଖାଇ) ୟାର ତ ସାଧନା ପୂର୍ଣ୍ଣ ହେବାକୁ ବହୁତ ଦିନ ବାକି ଅଛି । ୟେ ମଝିଦରିଆରେ ଆଉଟୁପାଉଟୁ ହୋଇ ଶେଷରେ କିନାରା ପାଇବ । ତୁମ ତିନିଙ୍କର ମୁକ୍ତି ପାଇବାରେ ବେଶି ବିଳମ୍ବ ନାହିଁ । ସବୁ ଠିକ୍ ହୋଇଯିବ । ଚିନ୍ତା କରନାହିଁ ।”

 

ଦିଦି ଆଖିରୁ ଲୁହ ପୋଛି ବାବାଙ୍କୁ ମୁଣ୍ଡିଆଟିଏ ମାଇଲେ; କହିଲେ, “ବାବା, ମୁଁ ତୀର୍ଥ କରି ଯିବାକୁ କ’ଣ ଅଧିକାରୀ ନୁହେଁ ?” ବାବା କହିଲେ, “ମୋ ସଙ୍ଗେ ବର୍ତ୍ତମାନ ଯିବାକୁ ଯଦି ବିଚାରୁଛୁ, ତେବେ ନୁହେଁ । ବେଳ ଆସିଲେ, ଯିବୁ । ସେ ବେଳ ଆସିପାରେ, ନ ଆସିବି ପାରେ । ଯେତେବେଳେ ଆଉ କାହାରିକୁ ସାଙ୍ଗ କରିବାର ପ୍ରବୃତ୍ତି ନ ରହିବ, ତୀର୍ଥାଟନ କରିବାର ବେଳ ସେତିକିବେଳେ ଆସିବ ବୋଲି ଜାଣିବୁ ।”

 

ପ୍ରତାପବାବୁଙ୍କ ବୋଉଙ୍କୁ ବାବା ‘ବୁଢ଼ୀମା ବୋଲି ଡାକନ୍ତି, ଏବଂ ତାଙ୍କ ସଙ୍ଗେ ରହସ୍ୟବି ବେଳେବେଳେ କରନ୍ତି । ବୁଢ଼ୀମା ତାଙ୍କ ସଙ୍ଗେ ନିଃସଙ୍କୋଚରେ କଥାବାର୍ତ୍ତା ହୁଅନ୍ତି । ଏଇଠାରେ ସେ ପଚାରିଦେଲେ, “ବାବା ସେଦିନ ପରା କହୁଥିଲେ ସମସ୍ତେ ମିଶି କୁମ୍ଭମେଳାକୁ ଯିବାକୁ ! ଆଜି ତ କହିଲେଣି ଏକୁଟିଆ ତୀର୍ଥ କରି ଯିବେ ବୋଲି !” ବାବା ହସି ଉତ୍ତର ଦେଲେ, “ଓଃ, ପିଲାଙ୍କୁ ସବୁ ନେଇ ନିଜ ଘରେ ଚର୍ଚ୍ଚା କରିବାକୁ ବୁଢ଼ୀମାଙ୍କର ଇଚ୍ଛାରେ ବାଧା ହେଉଛି ପରା ? ପ୍ରୟାଗରେ କୁମ୍ଭମେଳା ହେବାବେଳେ ତାକୁ ତୀର୍ଥ ନ କହି ମେଳାର ଆସ୍ଥାନ କହିଲେ ଚଳେ । ମେଳାକୁ ସମସ୍ତେ ମେଣ୍ଟ ହୋଇ ଯା’ନ୍ତି; ତୁମେ ଯିବ । କିନ୍ତୁ ମେଳାରେ ମଉଜ କରିବାକୁ ବିଚାରିଲେ ନ ହୋଇବି ପାରେ । ମେଳା ତ ଆଉ ଦୁଇ ମାସ ଅଛି । ସେତେବେଳେ ମନ ହେଲେ ବାବୁଜୀଙ୍କୁ ସାଙ୍ଗରେ ନେଇ ଯାଇପାର । ଆଜିଠାରୁ ସେ ଚିନ୍ତା କାହିଁକି ?”

 

ଆଉ ଟିକକ ପରେ ମହାତ୍ମାଙ୍କ ପ୍ରଧାନ ଶିଷ୍ୟ ‘ବଡ଼େ ମହାରାଜ’ ଆସି ପହଞ୍ଚିଲେ । ମହାତ୍ମା ତାଙ୍କୁ ପାଖକୁ ଲାଗି ବସିବାକୁ କହନ୍ତେ ସେ ମହାତ୍ମାଙ୍କ ବାଘଛାଲ କଡ଼ରେ ବସିଲେ । ସେ ବି ଚିନ୍ତାର୍ଥୀ ଜଣା ଯାଉଥାନ୍ତି । ମହାତ୍ମା କହିଲେ, “ତୁମେ ତ ଏମିତି ମୁହଁ କରୁଛ, ଅନ୍ୟମାନଙ୍କୁ କ’ଣ କହିବି ? ତା’ପରେ କହିଲେ, “ମୋ ସଙ୍ଗେ ଚାଲିଯିବାକୁ ତମର ମନ ମୁଁ ଜାଣୁଛି; କିନ୍ତୁ କିଛିଦିନ ଏ ଦାୟିତ୍ୱ ତୁଲାଇବାକୁ ପଡ଼ିବ ।” ଆଉ ଟିକକ ପରେ ପୁଣି କହିଲେ, “କେତେ ଦିନ ବୋଲି ପଚାରୁଛ-? ତା’ ଉତ୍ତର ତୁମ ନିଜଠାରୁ ମିଳିବ । ଗାଡ଼ି ଛାଡ଼ିବାକୁ ଆଉ ଘଣ୍ଟେ ଖଣ୍ଡେ ବାକି ଅଛି-। ମୁଁ ଅଧଘଣ୍ଟା ଭିତରେ ଏ ସ୍ଥାନ ଛାଡ଼ିବି । ତା’ପରେ ସବୁ ଦାୟିତ୍ୱ ତୁମର । ଆର ଗାଡ଼ିକୁ ତୁମେ ବାହାରିଲେବି ମନା କରିବାକୁ କେହି ନ ଥିବେ ।” ବଡ଼େ ମହାରାଜ ଅଭିମାନ କଲାପରି କହିଲେ, “ୟାର ଅର୍ଥ ମନା କରିବାକୁ ମୁଁ ନିଜେ ଥିବି ।” ବାବା ପିଲାଙ୍କ ପରି ହସି ଉତ୍ତର ଦେଲେ, ‘‘ଭଗବାନ୍‍ଙ୍କ ଇଚ୍ଛାରେ ଏଭଳି ଜଣେ କିଏ ଆଖିରେ ପଡ଼ିପାରେ ଯାହା ମୁଣ୍ଡରେ ନିଜ ମୁଣ୍ଡର ବୋଝ ଥୋଇ ଦେଇ ଯାଇପାରିବ ।”

 

ଚାହୁଁଚାହୁଁ ଅଧଘଣ୍ଟାକ ଚାଲିଗଲା । ବାବା ଆସନରୁ ଉଠି ଆଶ୍ରମ ଭିତରକୁ ଗଲେ ଓ ଦୁଇ ମିନିଟ ଭିତରେ ନିଜର ଗଣ୍ଠିଲିଟି କାନ୍ଧରେ ଓହଳାଇ ବାହାରିପଡ଼ିଲେ । ବଡ଼େ ମହାରାଜ ଗୋଟିଏ ଛୋଟ ଥଳି ତାଙ୍କ ହାତକୁ ବଢ଼ାଇ ଦେଇ କହିଲେ, “ଏକାଥରକେ ରାମେଶ୍ୱର ପର୍ଯ୍ୟନ୍ତ ଟିକଟ ଖଣ୍ଡେ କରିଦେବେ ବୋଲି ପଇସା ଦେଇଛି ।” ବାବା କହିଲେ, “କାଶୀ ଯାଏଁ ଟିକଟ ହେବ-। ଅଧିକା ପଇସା କାଢ଼ିନିଅ । ଥଳିଆଟିକବି ରଖ । ବାଟରେ ହଜିବା ଅପେକ୍ଷା ଏଇଠାରେ ଥାଉ, ଦାତାର ଦାନ ସାର୍ଥକ ହେବ ।” ଦିଦିଙ୍କ ଆଡ଼କୁ ଚାହିଁ କହିଲେ, ‘ତୁ ବିଚାରୁଛୁ, ବାଟ ଖର୍ଚ୍ଚପାଇଁ ଗୁଡ଼ାଏ ପଇସା ଦେଇଥାନ୍ତୁ । ଗତ ଶୀତ ଦିନରେ ତୁ ଦେଇଥିବା କମ୍ବଳଟା ନେଉଛି-। ଏ ପଇସାକୁବି ଚିହ୍ନି, ତୋ’ରି । କାଶୀରେ ଓହ୍ଲାଇଲା ବେଳକୁ ଏଠାରେ ପଇସା ମୋ ପାଖରେ ନ ଥିବା ଉଚିତ ।”

 

ଆଶ୍ରମର ଦୁଆରମୁହଁ ପର୍ଯ୍ୟନ୍ତ ସମସ୍ତେ ପଛେ ପଛେ ଗଲୁ । ବାବୁଜୀ ବାହାରିଲେ ଷ୍ଟେସନ୍‍ରେ ଗାଡ଼ିରେ ବସାଇ ଦେଇ ଆସିବାକୁ । ବାବା ମନା କଲେ; କହିଲେ, “ଗାଡ଼ିରେ ଯାଇ ବସାଇ ଦେବାକୁ ଯଦି ମଣିଷ ଦରକାର, ତେବେ ଓହ୍ଲାଇ ଦେବାକୁ କାଶୀରେ ମଣିଷ ପାଇବି କୁଆଡ଼ୁ ?” ବଡ଼େ ମହାରାଜା କହିଲେ, “କାଶୀ ବିଶ୍ୱନାଥଙ୍କ ପୂଜାରୀ ପାଖକୁ ଟେଲିଗ୍ରାମ୍ ଖଣ୍ଡେ କରିଦେଲେ ହୁଅନ୍ତା । ଯେ, ଆପଣ ଅସନ୍ତୁଷ୍ଟ ହେବେ ।” ବାବା କହିଲେ, “ବଡ଼େ ! ଏଥର ତୁମେ ନିରଙ୍କୁଶ । ସନ୍ନ୍ୟାସୀକୁ ବିବ୍ରତ କରିବାକୁ ଯଦି ମନ, ତେବେ ଟେଲିଗ୍ରାମ୍ କରିପାର । ମୁଁ ଜାଣୁଛି, ମୁଁ ସେଠାରେ ଷ୍ଟେସନ୍‍ରେ ଓହ୍ଲାଇବାର ଅଳ୍ପ ସମୟ ପରେ ଗହଳି ହୋଇଯିବ । ଅଜ୍ଞାତଭାବେ ଗଲେ ସେଇ ଟିକକ ଅବସର ତ ହେଲେ ପାଇଯିବି ।” ସମସ୍ତଙ୍କୁ ପ୍ରସନ୍ନ ମୁହଁ ଓ ଉଜ୍ଜ୍ୱଳ ଆଖିରେ ଆଶୀର୍ବାଦ କରି ବାବା ଷ୍ଟେସନ୍‍ ଆଡ଼େ ମୁହଁ ଫେରାଇଲେ । ବଡ଼େ ମହାରାଜ କହିଲେ, “ବାବା ଆଉ ଫେରିବାର ଆଶା ନାହିଁ । ଆମକୁ ଆମ କର୍ତ୍ତବ୍ୟ କରିବାକୁ ହେବ ।”

 

ସେ ଦିନ ରାତିରେ ଆମ ଘରେ କେହି ଖାଇଲେ ନାହିଁ । ପିଲାଗୁଡ଼ାକବି ଆମ କଥା ଶୁଣୁ ଶୁଣୁ ଶୋଇପଡ଼ିଲେ । ବଡ଼ ଦିଦି କହିଲେ, “ତାରା ! ସେଗୁଡ଼ାଙ୍କୁ ଶୁଆଇ ଦେ । ଅଜ୍ଞାନରେବି ମହାତ୍ମାଙ୍କ ପାଇଁ ଓପାସ ରହିଲେ ପୁଣ୍ୟ ହେବ ।” ଦିଦି କହିଲେ, “ମୁଁ ବିଚାରୁଛି ମୋ’ରି ମନରେ ଶାନ୍ତି ଓ ସନ୍ତୋଷ ଆଣିବା ନିମନ୍ତେଇ ମହାତ୍ମା ଏଠି ଆବିର୍ଭୂତ ହୋଇଥିଲେ ।” ବଡ଼ ଦିଦି କହିଲେ, “ତାଙ୍କୁ ଯେ ଥରେ ଦେଖିଛି ତା’ର ପୁଣ୍ୟ ହୋଇଛି । ମୋ ପରି ପାପିନୀ ପ୍ରତି ତାଙ୍କର କେତେ ଅନୁଗ୍ରହ ! ଆହା ! ଆଉ କେତେଟା ଦିନ ତାଙ୍କ ପାଦରେ ମୁଣ୍ଡିଆ ମାରିଥାନ୍ତି କି ?” ବୁଢ଼ୀମା କହିଲେ, “ଆଲୋ, ସେ ସମସ୍ତଙ୍କ ସମ୍ପତ୍ତି । ଯେଉଁଠିକି ଯିବେ ସେଠି ଶାନ୍ତି ଓ ସନ୍ତୋଷ ବିତରଣ କରିବେ । ତୁମରି ପାଖେ ସବୁ କାଳେ ରହିଥାନ୍ତେ କିମିତି ? ବିଦେଶରେ ଯେଉଁମାନେ ତାଙ୍କୁ ଦେଖି ପୁଣ୍ୟ ଅର୍ଜନ କରିବେ, ସେଇମାନଙ୍କ ଆନନ୍ଦ ମନେପକାଇ ନିଜର ଦୁଃଖ ଦୂର କର ।” ଭାବୀ କିଛି ନ କହି ବଡ଼ ଦିଦିଙ୍କର ସାନ ପୁଅଟିପାଇଁ କୁରୁତା ସିଲେଇ କରୁଥାନ୍ତି; ତାଙ୍କ ନିର୍ବେଦ ଭାବରୁ ଜଣାଯାଉଥାଏ ତାଙ୍କ ମନ ମହାତ୍ମାଙ୍କ ରେଳ ପଛରେ ଧାଇଁଛି ।

 

ପୂର୍ବ ପରି ପ୍ରତି ଓପରଓଳି ଆମର ଆଶ୍ରମକୁ ଯିବା ଚାଲିଲା । ମହାତ୍ମା ଯେଉଁ ଦିନ ଗଲେ ତହିଁ ଆରଦିନ ଆମେ ଯାଇ ବଡ଼େ ମହାରାଜଙ୍କୁ ମୁଣ୍ଡିଆ ମାରି ତାଙ୍କ ପାଖେ ବସିବାମାତ୍ରେ ଚକିତ ହୋଇଗଲୁ଼ଁ । କାଲିକୁ ଚାହିଁଲେ ୟାଙ୍କର କି ପରିବର୍ତ୍ତନ ! ଗୁରୁ ସତେ ଯେମିତି ସବୁତକ ବିଭୂତି ୟାଙ୍କୁ ଦେଇ ଯାଇଛନ୍ତି । ଆମ ମନର ଭାବନା ସେ ମଧ୍ୟ ଠଉରେଇ ପାରି ମୁଡ଼ୁକି ହସିଲେ । କହିଲେ, “ଆରେ, ମୁଁ କ’ଣ ମହାତ୍ମା ହୋଇଗଲି ବୋଲି ବିଚାରୁଛ ପରା । ବେକରୁ ଜୁଆଳି କଢ଼ା ହୋଇଗଲେ ବଳଦକୁ କେମିତି ଲାଗେ ଜାଣିଛଟି ? ସେଇମିତି ଲାଗିବାରୁ ମନ ପ୍ରସନ୍ନ ହୋଇଛି । ପାଖରେ କେତେ ଅଛି, ଆଜି ଅତିଥି ଅଭ୍ୟାଗତ କେତେ ଜଣ ଖାଇବେ, ଦାନ ଖଇରାତ ପାଇଁ ଘଡ଼ାରେ କେତେ ପଇସା ଅଛି ଭାବି ଭାବି ଭଗବାନଙ୍କୁ ପାସୋରି ଦେଇଥିଲି । ମହାରାଜ ମୋତେ ସେ ଜଞ୍ଜାଳରୁ ମୁକ୍ତି କରିଦେଇ ଯାଇଛନ୍ତି ।” ମୁହଁର ପ୍ରସନ୍ନତା ଉପରେ, ମହାରାଜଙ୍କ ନାମ ଉଚ୍ଚାରଣ କରିବା ସଙ୍ଗେ ସଙ୍ଗେ କେମିତି ଗୋଟାଏ ଛାଇ ଘୋଡ଼ାଇ ହୋଇଗଲା ପରି ସ୍ପଷ୍ଟ ଲକ୍ଷ୍ୟ କଲି । ବଡ଼େ ମହାରାଜ ତୁନି ହୋଇ ଉପରକୁ ଚାହିଁ ରହିଲେ । ବୁଢ଼ୀମାଙ୍କୁ ଥରେ ମହାତ୍ମା ହସି ହସି କହିଥିଲେ, “ମୁଁ ଓପରକୁ ଚାହିଁ କାହିଁକି ବସେ ବୋଲି ବିଚାରୁଛ ପରା ? ଓପରକୁ ଚାହିଁଲେ ଆଖିରୁ ଲୁହ ତଳକୁ ଗଡ଼ି ନ ପାରି, ପୁଣି ଯେଉଁଠୁ ବାହାରିଥିଲା ସେଇଠିକି ଚାଲିଯାଏ ।” ସେ ଦିନ ସମସ୍ତେ ହସିଥିଲୁ । ଆଜି ବଡ଼େ ମହାରାଜ ଓପରକୁ ଚାହିଁ ବସିବାରେ, ମହାତ୍ମା ସମସ୍ତଙ୍କ ମନରେ ଆସି ପହଞ୍ଚିଥିବାରୁ ସମସ୍ତଙ୍କ ଆଖି ଛଳଛଳ ହୋଇଗଲା ।

 

ସେତିକିବେଳେ ଆଶ୍ରମର ପରିଚାଳନା ଭାର ନେଇଥିବା ସନ୍ନ୍ୟାସୀ ଆସି ମହାରାଜଙ୍କ ଆଗରେ ଠିଆ ହେଲେ । ମହାରାଜଙ୍କର ପ୍ରଶ୍ନବାଚୀ ଦୃଷ୍ଟି ପଡ଼ିବାରେ ସେ କହିଲେ, “ମହାରାଜ ! ଅନାଥାଶ୍ରମକୁ ପାଞ୍ଚଶହ ଟଙ୍କା ଆଜି ଦେବେ ବୋଲି କହିଥିଲେ, ମେନେଜର ଆସିଛନ୍ତି । ଆଜି ଟଙ୍କା ନ ପାଇଲେ ଦୋକାନୀ ସଉଦା ଦେବନାହିଁ ।” ମହାରାଜ କହିଲେ, “ଯେ ଟଙ୍କା ଦେବ ବୋଲି କହିଥିଲା, ସେ ଆଜି ମୁଁ ନା ତମେ ? ନିଜ କଥା ନିଜେ ବୁଝ । ମୋତେ ତ ସେ ଜଞ୍ଜାଳରୁ ମୁକ୍ତି ମିଳିଛି ।” ପରିଚାଳକ କହିଲେ, “ମହାରାଜଙ୍କ ପରି କ’ଣ ମୁଁ ହୋଇଯିବି ? ଆପଣ ବିଚାରିଦେଲେ ଟଙ୍କା ଆସ୍‌ମାନରୁ ଆସି ପହଞ୍ଚିଯାଉଥିଲା । ମୁଁ ତ ଘଡ଼ା ଦରାଣ୍ଡୁଛି ।” ମହାରାଜ କହିଲେ, “ଆଜି ଯାହା ଅଛି ଦେଇଦିଅ ।” ପୁଣି ଟିକକ ପରେ କହିଲେ, “ଆଚ୍ଛା, ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ମେନେଜରଙ୍କୁ ରହିବାକୁ କହ । କୁଆଡ଼ୁ କିଛି ଆସିଯାଇପାରେ । ତାଙ୍କୁ ଏଠାକୁ ଡାକ ।”

 

ଅନାଥାଶ୍ରମର ମେନେଜର ଆସି ପହଞ୍ଚିବାରେ କୃତ୍ରିମ ବିରକ୍ତ ପ୍ରକାଶ କରି ମହାରାଜ କହିଲେ, “କିଓ ରାମ୍‌ଜୀ ! ତୁମେ ତୁମର କାମ ସଚ୍ଚାଭାବେ କରୁନାହଁ ବୋଧହୁଏ । ସଚ୍ଚାଭାବେ କରୁଥିଲେ, ଦୋକାନୀ ସଉଦା ଦେବ ନାହିଁ ବୋଲି କହନ୍ତା କାହିଁକି ? ଆଜିଠାରୁ ମାସେ ପର୍ଯ୍ୟନ୍ତ ତାକୁ ପଇସା ନ ଦେଲେ ସେ ସଉଦା ଦେବ କି ନାହିଁ ?” ରାମ୍‍ଜୀ ଜଡ଼ସଡ଼ ହୋଇ କହିଲେ, “ମୁଁ ଆସି ଟଙ୍କା ମାଗୁନାହିଁ ବୋଲି ସନ୍ଦେହ କରି ସେ ଏପରି କହିଛି ।” ମହାରାଜ କହିଲେ, “ସନ୍ଦେହ ଯାହା ଉପରେ ହୁଏ ସେ ଆଉ ସଚ୍ଚା ଲୋକ କ’ଣ ? ଆଚ୍ଛା ଏତିକିବେଳେ ଦିଦି କ’ଣ କହିବାକୁ ଆରମ୍ଭ କରିବାରେ ମହାରାଜ କହିଲେ, “ତୁ ଯାଇ ପଇସା ଆଣିବୁ ବୋଲି କହୁଛୁ ତ ? ରହ, ୟାର ଯଦି ପଇସା ପାଇବାର କଥା, ତେବେ ପଇସା ଆପେଆପେ ଆସି ପହଞ୍ଚିବ । ମହାରାଜ କହି ଯାଇଛନ୍ତି, ତୁ ଏ ଆଶ୍ରମକୁ ବହୁତ ଦେଲୁଣି । ଆଉ ଯାହା ଅଛି, ନିଜପାଇଁ ରଖ ।”

 

ଅଳ୍ପ ସମୟ ଯାଇଛି, ଜଣେ ଭଦ୍ରଲୋକ ନୋଟ୍ ବିଡ଼ାଏ ମହାରାଜଙ୍କ ଆସନ ପାଖେ ଥୋଇ ମୁଣ୍ଡିଆ ମାଇଲେ ଓ ବସିବାକୁ ସଂକେତ ନ ପାଇ ସନ୍ତର୍ପଣରେ ପୁଣି ମୁଣ୍ଡିଆ ମାରି ବିଦାୟ ନେଲେ । ମହାରାଜ ରାମ୍‍ଜୀଙ୍କୁ କହିଲେ, “ନିଅ ତୁମର ଟଙ୍କା ଗଣିକରି ନିଅ ।”

 

ରାମ୍‌ଜୀ ଡରି ଡରି ଟଙ୍କା ଗଣିଲେ–ପାଞ୍ଚଶହ ଏକ ଟଙ୍କା । ଟଙ୍କାଟି ଆଶ୍ରମରେ ଜମା ଦେଇ ପାଞ୍ଚଶହ ଟଙ୍କା ନେଇଯିବାକୁ ହୁକୁମ ହେଲା । ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲୁ । ମହାରାଜ କିଛି ନ ଜାଣିଲା ପରି ଓପରକୁ ଚାହିଁ ରହିଲେ । ଘରକୁ ଫେରିଲା ପରେ ଦିଦି କହିଲେ, “ମହାତ୍ମା ଏ ସ୍ଥାନଟିକୁ ପବିତ୍ର କରି ଯାଇଛନ୍ତି ।” ବୁଢ଼ୀମା କହିଲେ, “ଯେଉଁ ମହାତ୍ମା ଗଲେ ସେ, ନା ତାଙ୍କ ଗୁରୁ କି ତାଙ୍କ ଗୁରୁ କିଏ କହିବ ?’’ ଯେ ଯାହା ହେଉ ଏ ଘଟଣା । ପରେ ଆଶ୍ରମ ପ୍ରତି ଆମର ଆକର୍ଷଣ ବଢ଼ିଲା । ବଡ଼େ ମହାରାଜ ଆମ ସଙ୍ଗେ ପ୍ରାୟ ପ୍ରତିଦିନ କଥାବାର୍ତ୍ତା କରନ୍ତି । ଦିନେ ଦିଦିଙ୍କୁ କହିଲେ, “ଆଲୋ ମା’ ! ମଣିଷର ସ୍ଵଭାବ ଜନ୍ମଜନ୍ମର ସଂସ୍କାରରେ ଗଢ଼ି ଉଠୁଥାଏ । ସେ ଦିନ ଯେଉଁ ମହାତ୍ମା ଏଠାରେ ଆମକୁ ଛାଡ଼ିଗଲେ ତାଙ୍କର ଜନ୍ମ ସଂସ୍କାର ଆମମାନଙ୍କଠାରୁ ଢେର୍ ଉଚ୍ଚ ଦରର । ଆର ଜନ୍ମରେ ସେ ଯାହା ଥିଲେ ସେଇ ପର୍ଯ୍ୟନ୍ତ ବଞ୍ଚିବାକୁ ଆମର ଆଉ କେତେ ନା କେତେ ଜନ୍ମ ବିତିଯିବ । ତାଙ୍କ ପାଖରେ ବସିଲେ ମଣିଷର ଯେତେ ଲାଭ ହୁଏ, ଆମେ ଦିନରାତି ଗପିଲେବି ସେତେ ଲାଭ ହେବ ନାହିଁ ।’’ ଆମରି ପରି ଜଣେ ହୋଇ ସେ ଆମ ସଙ୍ଗେ ଚଳିବାକୁ ଯେତେ ଚେଷ୍ଟା କରୁଥାନ୍ତି ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଆମର ସେତିକି ବଢ଼ୁଥାଏ । କ୍ରମେ ଆଶ୍ରମରେ ଲୋକ ଗହଳି ମଧ୍ୟ ବଢ଼ୁଥାଏ । ଆଶ୍ରମ ତରଫରୁ ଗୋଟିଏ ଅନାଥାଶ୍ରମ ଚଳୁଥିଲା । ବଡ଼େ ମହାରାଜ ଆଶ୍ରମର ମୁଖ୍ୟ ହେବାର ମାସେ ଖଣ୍ଡେ ଭିତରେ ଗୋଟିଏ ବେଦ ବିଦ୍ୟାଳୟ ଆରମ୍ଭ ହେଲା । ଋଷିକେଶକୁ ତୀର୍ଥ କରି ଯାଉଥିବା ସନ୍ଥମାନଙ୍କୁ କମ୍ବଳ ପ୍ରଭୃତି ଯୋଗାଇବା ଆରମ୍ଭ ହେଲା, ନିଜେ ଆଶ୍ରମରେ ଦୀନଦରିଦ୍ରଙ୍କର ସେବାର ମାତ୍ରା ଖୁବ୍ ବଢ଼ିଗଲା । ଏ ଗହଳି ଭିତରେ ବଢ଼େ ମହାରାଜ ଟିକିଏବି ବିଚଳିତ ହେଉନଥାନ୍ତି । ସକାଳ ୯ଟା ଠାରୁ ନିତ୍ୟକର୍ମ ସାରି ସେ ଆଶ୍ରମର ଆମ୍ବଗଛ ମୂଳରେ ତାଙ୍କ ଧୁନି ପାଖେ ବସନ୍ତି ଯେ ଉଠନ୍ତି ସନ୍ଧ୍ୟା ବେଳକୁ । ବହୁ ଲୋକ ପ୍ରତ୍ୟହ ବହୁତ ଚାନ୍ଦା ଦେଉଥାନ୍ତି । ମିଳିବା ସାଙ୍ଗେ ସାଙ୍ଗେ ସେ ସବୁ ବିଚିତ୍ର ଭାବରେ ଶେଷ ହୋଇଯାଉଥାଏ । ଆଗକୁ କୌଣସି ଖର୍ଚ୍ଚର ଯୋଜନା କରି ଟଙ୍କା ସାଇତିବାକୁ ପରିଚାଳକ ପ୍ରସ୍ତାବ ଦେଲେ ମହାରାଜ ରହସ୍ୟ କରି କହନ୍ତି, “ଏମିତି କଲେ ତ ମାସେ ଖଣ୍ଡେ ଭିତରେ ଏଠାରେ ମହାଜନି କାରବାର ଆରମ୍ଭ ହୋଇଯିବ ।” ଏମିତି କହନ୍ତି ସିନା ପରିଚାଳକ ଘରତୋଳା ପ୍ରଭୃତି ଯେଉଁ ଯୋଜନା ବାଢ଼ି ବସନ୍ତି, ତାକୁ ମଞ୍ଜୁର କରି ସାଙ୍ଗେ ସାଙ୍ଗେ କାମ ଆରମ୍ଭ କରିଦେବାକୁ ହୁକୁମ ଦେଇଦିଅନ୍ତି । ମଝିରେ ମଝିରେ କହନ୍ତି, “ବାବା ଭଲ ଜଞ୍ଜାଳରେ ପକେଇଦେଇ ଗଲେ । ୟେ ସରିବ ନା ମୁଁ ଏଠାରୁ ମୁକ୍ତି ପାଇବି ।” କିନ୍ତୁ ଆଶ୍ରମର କୌଣସି ଜଞ୍ଜାଳ ତାଙ୍କ ମନ ଟିକିଏବି ଚଞ୍ଚଳ କଲା ପରି ମନେ ହୁଏ ନାହିଁ ! ଦିଦି କହନ୍ତି, “ୟେ ଆମ ସଙ୍ଗେ ଏମିତି ମିଶୁଛନ୍ତି ସିନା, ୟାଙ୍କ ମନ ଆମଠାରେ ନାହିଁ କି ଆଶ୍ରମର ୟେ ଜଞ୍ଜାଳରେ ନାଇଁ । ଖେଳ ପରି କେମିତି ସବୁ ଚାଲିଛି ଦେଖ ।”

 

ୟାରି ଭିତରେ ଦିନେ । ଆମେ ଆଶ୍ରମରୁ ଘରକୁ ଫେରିଲା ବେଳକୁ ଦେଖିଲୁ ବିଜୟବାବୁ କେତେବେଳୁ ଆସି ଆମକୁ ଅପେକ୍ଷା କରୁଥାନ୍ତି । ତାଙ୍କ ମୁହଁରୁ ଗୋଟାଏ କେମିତି ଦୀପ୍ତି ଫୁଟି ଉଠୁଥାଏ । ପ୍ରତାପବାବୁଙ୍କ ମା’ଙ୍କ ଗୋଡ଼ତଳେ ସେ ମୁଣ୍ଡିଆମାରି କହିଲେ, “ମା’, ମୋ କାମ ସରିଗଲା । ମୁଁ ବିଦାୟ ନେବାକୁ ଆସିଛି । ଆହ୍ଲାବାଦରେ ଆଉ ରହିବି ନାହିଁ । ‘ଅଗ୍ରଦୂତ’ କାଗଜରୁ ଆଜି ସକାଳେ ଇସ୍ତଫା ଦେଇଦେଇଛି । ଦିନେ ଦୁଇଦିନ ଭିତରେ ଯିବାକୁ ହେବ । ସ୍ଵର୍ଣ୍ଣ ଲଗେଇଥିଲା ମୋ ସଙ୍ଗେ ଆସି ତୁମକୁ ମୁଣ୍ଡିଆ ମାରି ଯିବ । ଏତେବେଳେ ଗୁଡ଼ାଏ ଖର୍ଚ୍ଚ କରିବା ଠିକ୍ ହେବ ନାହିଁ ବୋଲି ତାକୁ ନିବର୍ତ୍ତାଇ ମୁଁ କହିଲି, ତା’ପାଇଁ ମୁଁ ତୁମଠୁ ବିଦାୟ ନେଇ ଯିବି । ବମ୍ବେଇ ପାଖରେ ଗୋଟିଏ ନୂଆ କାମ ତା’ ମନକୁ ଆସି ଜୁଟିଛି, ସେଠାରେ ଏଇ ହପ୍ତା ଭିତରେ ଯୋଗ ଦେବାକୁ ହେବ ।”

 

ମା’ ତାଙ୍କ ମୁଣ୍ଡରେ ହାତ ବୁଲାଉ ବୁଲାଉ, ଦିଦି ବଡ଼ ଦିଦି ଓ ଭାବୀ ସଙ୍ଗେ ପରିଚୟ କରାଇଦେଲେ । ମୁଁ କବାଟ କୋଣରେ ଠିଆ ହୋଇଥାଏ । ମୋ ଆଡ଼କୁ ଦେଖାଇ କହିଲେ, “ତୋ ବୋହୂ ହେଇଟି ସିଠେଇ ତୋତେ ମୁଣ୍ଡିଆ ମାରୁଛି । ମିଛରେ ତା’ପାଇଁ ତୁ କେତେ ଦହଗଞ୍ଜ ହେଲୁ-! ସବୁତକ ପଇସା ଉଡ଼ାଇଦେଲୁ । ପ୍ରତାପପାଇଁ ମକଦ୍ଦମା ଲଢ଼ି ଆପଣା ପିଲା ମାଇପଙ୍କୁ ଚାହିଁଲୁ ନାହିଁ । ଏବେ କ’ଣ ସେଇତିପାଇଁ ଅଗ୍ରଦୂତର ମାଲିକମାନେ ତୋତେ କାଢ଼ି ଦେଉଛନ୍ତି ପରା-? ପ୍ରତାପ ତ କହେ, ତୁ ନ ରହିଲେ ଏ କାଗଜଟା ପନ୍ଦର ଦିନରେ ବନ୍ଦ ହୋଇଯିବ । କୁଆଡ଼େ ଯିବୁ, କେମିତି ଚଳିବୁ ଭଗବାନ୍ ଜାଣନ୍ତି ।”

 

ବିଜୟବାବୁ ମକଦ୍ଦମା ଚଲିଲାବେଳେ ଆମ ଘରେ ଆପଣାର ଲୋକ ପରି ଚଳୁଥିଲେ । ବଡ଼ ଦିଦି ହାକିମର ଇଜ୍‌ଲାସ୍‍ରେ ସାକ୍ଷୀ ଦେଇଥିଲେ ଲାଗଲାଗ ୭ଦିନ । ସେ ୭ଦିନଯାକ ବିଜୟବାବୁ ତାଙ୍କୁ ଆପେ କଚେରିକୁ ନିଅନ୍ତି ଓ ସନ୍ଧ୍ୟାବେଳେ ଆଣି ଛାଡ଼ି ଦେଇ ଯା’ନ୍ତି । ଥରେ ଦି’ଥର ଦିଦି ମଧ୍ୟ ଶୁଣିବାକୁ କଚେରିକୁ ତାଙ୍କ ସଙ୍ଗେ ଯାଇଛନ୍ତି । ଲାଜକୁଳା ମଣିଷ । ଦିଦି ନିଜେ ଯାଇ ତାଙ୍କପାଇଁ ଜଳଖିଆ ତିଆରି କରି ଆଣିଦେଲେ । ମା’ ତାଙ୍କୁ ବଳାଇ ଖୁଆଉ ଖୁଆଉ ସେ ପାଟିରେ ଲୁଚି ତରକାରୀ ପୂରାଇ ଅନର୍ଗଳ କହି ଚାଲିଥାନ୍ତି । ଅପିଲ୍ ମକଦ୍ଦମାରେ ସୁପ୍ରିମ୍ କୋଟ୍ ଓଲଟି ପଡ଼ି ପ୍ରବୀରବାବୁଙ୍କୁ ଫାଶୀ ହୁକୁମ କଲେ । ଏଇ କଥା କହିଲାବେଳେ ରାଜ୍ୟ ଜିଣିଲା ପରି ସେ ହେଉଥାନ୍ତି । ବଡ଼ ଦିଦି ଭାରି ଖୁସି ହେଲା ପରି ଜଣାପଡ଼ିଲା । ଭାବୀ ସବୁବେଳେ ତୁନି ରହିବାବାଲା; କିନ୍ତୁ ଏ ଖବର ପାଇ ସେ ଆହା ବୋଲି କହିପକାଇଲେ । ଦିଦିଙ୍କର କୌଣସି ଭାବାନ୍ତର ଦେଖିଲି ନାହିଁ । ପ୍ରବୀରବାବୁ ଜେଲ ଯା’ନ୍ତୁ କି ଫାଶୀ ପାନ୍ତୁ, ସେଥିରେ ମୋର ଯାଏଁ ଆସେ କେତେ ? ଖାଲି ବିଚାରିଲି, ଯାହା ହେଉ ତାଙ୍କର ପିଲା ମାଇପ ନାହାନ୍ତି କାନ୍ଦିବାକୁ । ମା’ କହିଲେ, “ବାପା ! ମୁଁ ତୋତେ କେତେ ଥର କହିଛି, ଶତ୍ରୁ ସାଙ୍ଗେ ଏତେ ସରି ହୋଇ ଲାଗିବା ଧର୍ମ ନୁହେଁ । ତୋତେ ତ କେମିତି ଗୋଟାଏ ନିଶା ଲାଗିଗଲା । ଏବେ ତୋତେ ‘ଅଗ୍ରଦୂତ’ରୁ କାହିଁକି କାଢ଼ିଲେ ଯେ ?”

 

ଏ ବିଷୟରେ ବେଶି କହିବାକୁ ବିଜୟବାବୁଙ୍କର ମନ ନ ଥାଏ ପରା । ସେ ଏ କଥା ଛାଡ଼ି, ଘୁଡ଼ୁତେଇ ଘୁଡ଼ୁତେଇ ଅପିଲ୍ ବିଚାରବେଳେ କୋଉ ଓକିଲ କ’ଣ କହିଲା, ଜଜ୍ କ’ଣ ରାୟ ଦେଲେ, ସେଇ କଥା ବଖାଣୁଥା’ନ୍ତି । ମା’ ବହୁତ କେଞ୍ଚିବାରେ ଜଣା ପଡ଼ିଲା, ଏ ମକଦ୍ଦମାରେ ଅଗ୍ରଦୂତ କାଗଜର ପ୍ରାୟ ଦଶହଜାର ଟଙ୍କା ଖର୍ଚ୍ଚ ହୋଇଗଲା । ମାଲିକମାନେ ଧରି ବସିଲେ, ଏ ଟଙ୍କା ବୃଥା ଖର୍ଚ୍ଚ । ବିଜୟବାବୁ କହିଲେ, “ମୁଁ ଯଦି ଆଜି ଚାକିରିରୁ ଚାଲିଯାଏ, ତେବେ ୧୫ ବର୍ଷ ଚାକିରି ଉପରେ ମୋତେ ପ୍ରାୟ ୧୨ ହଜାର ଟଙ୍କା କମ୍ପାନୀକୁ ଦେବାକୁ ପଡ଼ିବ । ସେଇଥିରୁ ଦୁଇ ହଜାର ମୋତେ ଦେଇ, ବାକି ଦଶହଜାର ମକଦ୍ଦମା ଖର୍ଚ୍ଚ ଆଡ଼କୁ ଭରଣା କରିଦିଅ ।” ସେଇଆ ହୋଇଛି ।

 

କିନ୍ତୁ ବିଜୟବାବୁ କହିଲେ, “ମୂଳକାରଣ ୟା ନୁହେଁ । ଆମ ବୋର୍ଡ଼ରେ ଦୁଇଚାରିଜଣ ପ୍ରଧାନମନ୍ତ୍ରୀଙ୍କ ଲୋକ । ପ୍ରଧାନମନ୍ତ୍ରୀଙ୍କର ତ ଇଚ୍ଛା ନଥିଲା ପ୍ରବୀର ବିରୁଦ୍ଧରେ ମକଦ୍ଦମା ହେବାକୁ-। ସେ ତାକୁ ମାନେ ମାନେ ଛାଡ଼ିଦେଇଥାନ୍ତେ । ମୁଁ ଏଥିରେ ଲାଗିବାରୁ ତାଙ୍କରି ପ୍ରରୋଚନାରେ ବୋର୍ଡ଼ର ଏଇ ମେମ୍ବରମାନେ ମୋତେ ନିବର୍ତ୍ତାଇବାକୁ ବହୁତ ଚେଷ୍ଟା କରି ନ ପାରିବାରୁ ମୋତେ ତଡ଼ିବା ଉପାୟ କଲେ । କିନ୍ତୁ ମୋର ସେଥିକୁ ଚିନ୍ତା ନାଇଁ ମା’ ! ତୁମ ଆଶୀର୍ବାଦରେ ମୁଁ ଯେଉଁଠିକୁ ଯାଉଛି ସେଠାରେ ନାଁ କରିବି ଓ ସ୍ୱର୍ଣ୍ଣର ପିଲେ ଆନନ୍ଦରେ ଚଳିପାରିବେ । ଖାଲି ତୁମମାନଙ୍କୁ ଛାଡ଼ି ଚାଲିଯିବାକୁ କଷ୍ଟ ହେଉଛି ।”

 

ମା’ ହସି ହସି କହିଲେ, “ଆମକୁ ତେବେ ସାଙ୍ଗରେ ନେଇ ଯାଉ ନାହୁଁ ?” ବିଜୟବାବୁ କହିଲେ, “ମୁଁ କହିଲେ କ’ଣ ୟାଙ୍କୁ ସମସ୍ତଙ୍କୁ ଧରି ମୋ ସାଙ୍ଗେ ଯିବ ?” ଦିଦି କହିଲେ, “ଆପଣଙ୍କର ବା ଏତେ ଗଳଗ୍ରହ କାହିଁକି ଦରକାର ? ଆପଣ ନ ଡାକିଲେବି ଆମେ ସମସ୍ତେ ଦିନେ ଯାଇ ଆପଣଙ୍କ ପାଖେ ପହଞ୍ଚିବୁ । ଚିଠି ଦେଉଥିବେ ।” ଆହା, ଖଣ୍ଡିଏବି ଚିଠି ପାଇବାକୁ କାଳ ସହିଲା ନାହିଁ ।

 

(୧୮)

 

କୁମ୍ଭମେଳା ଦିନ ପାଖେଇ ଆସୁଥାଏ । ପ୍ରତାପବାବୁଙ୍କ ମା’ ପ୍ରତିଦିନର ପ୍ରତି ମୁହୂର୍ତ୍ତରେ ଏ ମେଳା କଥା ଦିଦିଙ୍କର ମନେପକାଇ ଦେଉଥାନ୍ତି । ଦିଦି ଓ ଭାବୀଙ୍କର ତ ଆଗରୁ ମନରେ ଥାଏ, ଏଥର କୁମ୍ଭମେଳାକୁ ନିଶ୍ଚୟ ଯିବାକୁ । ଏଥର ପରା ମହାକୁମ୍ଭ ଯୋଗ ପଡ଼ିଥାଏ । କିନ୍ତୁ ମା’ଙ୍କ କଥାରୁ ମୁଁ ଜାଣିଥାଏ, ସମସ୍ତଙ୍କୁ ନିଜ ଘରକୁ ନେଇ ଚର୍ଚ୍ଚା କରିବେ, ଏଇଥିରେ ତାଙ୍କର ବେଶି ଆଗ୍ରହ । କୁମ୍ଭମେଳା ଗୋଟାଏ ଆଳ ମାତ୍ର । ଭାବୀ ତ ପ୍ରାୟ କଥା କହନ୍ତି ନାଇଁ । ତାଙ୍କ ଢଙ୍ଗଢ଼ାଙ୍ଗରୁ ଜାଣୁଥାଏ, କୁମ୍ଭମେଳାକୁ ଯାଇ ଗଙ୍ଗା ସାଗରରେ ବୁଡ଼ ପାରିଲେ ତାଙ୍କର ମୋକ୍ଷ ହେବ । ମା’ କୁମ୍ଭମେଳା କଥା ପକାଇଲେ ସେ ଆକାର ଇଙ୍ଗିତରେ ତାଙ୍କୁ ପୂର୍ଣ୍ଣ ସମର୍ଥନ କରୁଥାନ୍ତି-। ଦିଦିଙ୍କର କେବଳ ଗୋଟିଏ ମାତ୍ର ସର୍ତ୍ତ–ଆଶ୍ରମର ନୂତନ ବାବା ବଡ଼େ ମହାରାଜ ଅନୁମତି ଦେଲେ ସେ ଯିବେ । ମା’ ନିର୍ଭରଭାବେ କହୁଥାନ୍ତି, ବଡ଼େ ମହାରାଜ କେଭେଁ ନାହିଁ କରିବେ ନାହିଁ-। ଏଡ଼େ ବଡ଼ ମେଳା, ସେଥିରେ ଧର୍ମ କରିବାକୁ ଆମେ ବାହାରିଲେ ବଡ଼େ ମହାରାଜଙ୍କ ପରି ଧର୍ମାତ୍ମା ନାହିଁ କରିବେ କାହିଁକି ?

 

କିନ୍ତୁ ବାବୁଜୀଙ୍କଠାରୁ ଶୁଣିଥାଉଁ, ବଡ଼େ ମହାରାଜ କୁମ୍ଭମେଳାକୁ ଯିବା କଥା କେବେ କହି ନାହାନ୍ତି । ଓଲଟି, ଅନ୍ୟ କେହି ଯିବାକୁ କହିଲେ ସେ କହନ୍ତି, “ଆରେ ଏଡ଼େ ଗହଳିକୁ ଧର୍ମ ଆସିବ କୁଆଡ଼ୁ ଯେ ‘ସେଠାକୁ ବାହାରିଛ ଧର୍ମ ପାଇବାକୁ ? ମନ ଅନୁସାରେ ଫଳ । ଗଙ୍ଗା ଏଠେଇବି ଅଛନ୍ତି । କୁମ୍ଭ ଯୋଗରେ ଗଙ୍ଗାସ୍ନାନ କଲେ ତ ପୁଣ୍ୟ ମିଳିବ, ଏତେ ଗହଳିକୁ ଯିବ କାହିଁକି ?’’

 

ଦିଦି ଏ ବିଷୟରେ ମତ ପଚାରିବାରୁ ବାବୁଜୀ କହିଲେ, “ଅମୁକ ସ୍ଥାନକୁ ଗଲେ ଧର୍ମ ହେବ, ଅମୁକ ସ୍ଥାନରେ ରହିଲେ ଅଧର୍ମ ହେବ ଏଭଳି ବିଚାରିବା ଭୁଲ୍ ବୋଲି ମୋତେ ବାବା କେତେ ବାର କହିଛନ୍ତି । ସେ କହନ୍ତି, ‘ଧର୍ମ ଅଧର୍ମ ନିଜ ମନର କଥା । ଯେଉଁଠି ରହ ପଛେ, ମନକୁ ଶୁଦ୍ଧ ରଖିଲେ ହେଲା ।’ ଶୁଦ୍ଧ ବୋଇଲେ କ’ଣ ବୋଲି ମୁଁ ପଚାରିଥିଲି; ସେ କହିଲେ, ‘ପଚିଶ ଜଣ ଯାହାକୁ ଖରାପ ବୋଲି କହୁଛନ୍ତି ସେ କଥା କରି ମଧ୍ୟ ମନରେ ଯଦି ଅନୁଶୋଚନା ନ ରହୁଛି ତେବେ ତୁମପାଇଁ ସେ ଖରାପ କାମଟାବି ଭଲ ।’ ମୁଁ ତାଙ୍କ କଥା ଏପର୍ଯ୍ୟନ୍ତ ଭଲ କରି ବୁଝି ପାରି ନାହିଁ । ମୁଁ ଏତିକି ବୁଝିଛି, ଯାହା ସମସ୍ତଙ୍କୁ ଭଲ ତାହା ମୋତେବି ଭଲ । ଅନ୍ୟମାନଙ୍କଠାରୁ ଅଲଗା କାମ କରିବାକୁ ଗଲେ ସିନା, ମନରେ କଳୁଷ ରହୁଛି କି ନାଇଁ ଧନ୍ଦି ହେବାକୁ ହେବ । ସମସ୍ତଙ୍କ ସଙ୍ଗେ ଗଡ଼୍ଡଳିକା ପ୍ରବାହରେ ଭାସି ଚାଲିଲେ କାମ ଶେଷ । ବାବା ତ ମୋତେ ହୁକୁମ ଦେଇ ଯାଇଛନ୍ତି, ତମେମାନେ ଯୁଆଡ଼େ ମୁଁ ସିଆଡ଼େ, ମୋ ମତ ପଚାରୁଛ କାହିଁକି ? ତୁମ ମତ ଆଗ ଠିକଣା ହୋଇସାରୁ । ବଡ଼େ ମହାରାଜ ତୁମକୁ ଅନୁମତି ଦେଇ ମୋତେ ତୁମ ସଙ୍ଗେ ଯିବାକୁ କହିଲେ, ଯିବି ।”

 

ଦିଦି ହସି ହସି ପଚାରିଲେ, ଯଦି ଆମ ସଙ୍ଗେ ନ ଯିବାକୁ କହନ୍ତି ? ବାବୁଜୀ କହିଲେ ସେ କଥା ସେ କହନ୍ତୁ ଆଗ, ତା’ପରେ ଦେଖିବା । ବର୍ତ୍ତମାନ ସେ ଆମର ମୁରବି । ମୁରବି ଅବିଚାର କରିବେ ବୋଲି ବିଚାରୁଛ କାହିଁକି ? ବାବା ସିନା ତୁମ ଆମପାଇଁ ତୀର୍ଥ କରି ଯାଇଛନ୍ତି, ବଡ଼େ ମହାରାଜ ବିଚାରନ୍ତି, ସେ ଅଦ୍ୟାପି ତାଙ୍କରି ପାଖେପାଖେ ରହିଛନ୍ତି ଓ ଅଦୃଶ୍ୟ ରହି ପ୍ରତି କାର୍ଯ୍ୟରେ ତାଙ୍କୁ ପରାମର୍ଶ ଦେଉଛନ୍ତି । ବାବାଙ୍କ ଦେଇଥିବା ହୁକୁମ ୟେ ବଦଳାଇ ଦେବେ ବୋଲି ବିଚାର ହେଉନାହିଁ ।

 

ସେ ଦିନ ଆଶ୍ରମରେ ଉପନୟନ ଉତ୍ସବ । ବାବୁଜୀ ଆମକୁ ବେଗାବେଗି ଆଶ୍ରମକୁ ଯିବାକୁ କହୁଥାନ୍ତି । ଆମେ ଯାଇ ପହଞ୍ଚିଲୁ ସକାଳ ନ’ଟାବେଳେ । ସେତେବେଳକୁ ବହୁତ ଲୋକ ଆସି ସାରିଆନ୍ତି । ବହୁତ ବୋଇଲେ, ନେତାମାନେ କରୁଥିବା ସଭାମାନଙ୍କରେ ଯେତେ ଲୋକ ହୁଅନ୍ତି ସେତେ ନୁହେଁ । ଯେଉଁମାନେ ଆସିଥାନ୍ତି, ସମସ୍ତେ ଅଳ୍ପ ବହୁତେ ଆଶ୍ରମ ସହିତ ସଂପୃକ୍ତ । ସମସ୍ତେ ଆଶ୍ରମର ସନ୍ନ୍ୟାସୀମାନଙ୍କ ପ୍ରତି ଅନୁରକ୍ତ । ତେଣୁ ପ୍ରାୟ ହଜାରେ ଲୋକ ଏକାଠି ହୋଇଥିଲେ ମଧ୍ୟ ଟିକିଏ ପାଟିତୁଣ୍ଡ ହେଉ ନ ଥାଏ । ସମସ୍ତେ ନିଜନିଜର ମର୍ଯ୍ୟାଦା ରଖି ବୁଲାବୁଲି କରୁଥାନ୍ତି । ସବୁଠାରୁ ବେଶି ଗହଳି ହୋଇଥାଏ ଆଶ୍ରମର ବଗିଚାରେ । ୟା ଭିତରକୁ ଆମେ କେବେ ଆସି ନଥିଲୁ । ଆମେ ଆସି ବସୁ ବାବାଙ୍କ ପାଖରେ, ଏବେ ବଡ଼େ ମହାରାଜଙ୍କ ପାଖରେ–ଆଶ୍ରମର ସଦରରାସ୍ତା କଡ଼ରେ । ଭିତରେ ଏଡ଼େ ବଡ଼ ବଗିଚା ଅଛି ବୋଲି ଜାଣି ନଥିଲୁ । ବାବୁଜୀବି କେବେ କହି ନଥିଲେ । ପ୍ରକାଣ୍ଡ ବଗିଚା, ଉତ୍ତର ଦିଗରେ ଗଙ୍ଗାକୂଳ ପର୍ଯ୍ୟନ୍ତ ଲାଗିଛି । କେତେ ପ୍ରକାର ଗଛ ! ପିଜୁଳି ଫଳିବା ବେଳ । ଗଛରେ ଏତେ ପିଜୁଳି ମୁଁ କେବେ ଦେଖି ନଥିଲି । ଗାଁରେ ଆମର ଗୋଟିଏ ବଗିଚା ଥିଲା; ପିଜୁଳି ଗଛବି ଥିଲା; କିନ୍ତୁ ଏତେ ଫଳ ଆସିବାର କେବେ ଦେଖି ନଥିଲି । ମୋ’ର ମନେ ହେଲା, ଏ ଆଶ୍ରମର ମହତ୍ତ୍ଵ ଯୋଗୁଁ ଏଭଳି ଫଳ ଆସିଛି ।

 

ଆଶ୍ରମର ଗୋଟାଏ କଣରେ, ଗଙ୍ଗାମାତାଙ୍କ କୂଳରେ ଗୋଶାଳା । ପଚାଶରୁ ଅଧିକ ଗାଈ ! କେଡ଼େ ସୁନ୍ଦର ଦିଶୁଥାନ୍ତି । ପ୍ରତ୍ୟେକଙ୍କ ମୁହଁରେ ସନ୍ତୋଷ । କାହାରି ଦିହରେ ଟିକିଏବି ମଇଳା ନାହିଁ; କାହାରି ଗତିରେ ଚଞ୍ଚଳତା ନାହିଁ, ନିଶ୍ଚିନ୍ତଭାବେ ଠିଆ ହୋଇ ବା ଶୋଇ ପାଗୁଳି କରୁଥାନ୍ତି । ମୋର ମନ ହେଉଥାଏ, ଏଇମିତି ଗୋଟିଏ ବଗିଚାରେ ଏଇଭଳି ଗୋରୁଙ୍କ ସେବା କରି ମୋ ଜୀବନ କଟାଇଦିଅନ୍ତି ।

 

ଆମେ ଆସି ପହଞ୍ଚିଲା ବେଳକୁ ବଡ଼େ ମହାରାଜ ତାଙ୍କ ନିତ୍ୟକର୍ମ ସାରି, ସବୁଦିନ ବସିବା ଜାଗାରେ ବସିଥାନ୍ତି । ବାବୁଜୀ ତାଙ୍କୁ ମୁଣ୍ଡିଆ ମାରି ତାଙ୍କ ଅନୁମତି ନେଇ ଆମକୁ ଭିତରକୁ ଆଣିଥିଲେ । ଆଶ୍ରମ ଭିତରେ, ବା ବଗିଚାରେ ଶାନ୍ତିରକ୍ଷା କରିବାକୁ ବା ଗଛରେ ଫଳଫୁଲ ଜଗିବାକୁ କେହି ନ ଥାନ୍ତି । ତଥାପି ସମସ୍ତେ ସଂଯତଭାବେ ଯିବା ଆସିବା କରିବାର ଚାରିଆଡ଼େ ଲକ୍ଷ୍ୟ କଲି । ହାତ ପହଞ୍ଚରେ ଫଳ ଓହଳି ଥାଏ; ସାନ ପିଲାମାନେବି ଗୋଟାଏ ତୋଳି ପକାଉନଥାନ୍ତି । ଠାଏ ଜଣେ ସନ୍ନ୍ୟାସୀଗୁଡ଼ିଏ ପାଚିଲା ପିଜୁଳି ରଖି ସମସ୍ତଙ୍କୁ ନେବାକୁ ଯାଚୁଥାନ୍ତି । ପିଲେ ହାତ ବଢ଼ାଉଥାନ୍ତି, କିନ୍ତୁ ବଡ଼ମଣିଷ–ସ୍ତ୍ରୀ ପୁରୁଷ ବ୍ରତ ବେଦୀରେ ଭିକ୍ଷା ଦେବାଯାଏ କିଛି ଗ୍ରହଣ କରିବାର କଥା ନୁହେଁ ବୋଲି ଶୁଣିଥିଲି । ମୋତେ ଜଣେ ସନ୍ନ୍ୟାସୀ ଗୋଟିଏ ଫଳ ଯାଚିଲେ-। ମୁଁ କିଛି ନ କହି ମୁହଁ ପୋତି ଚାଲିଗଲି ।

 

ବାବୁଜୀଙ୍କଠାରୁ ଶୁଣିଥାଉଁ ଅନାଥାଶ୍ରମର କୋଡ଼ିଏଟି ପିଲାଙ୍କର ଆଜି ବ୍ରତଘର ହେବ । ଦିଦି ପଚାରିଥିଲେ, ଏ ସମସ୍ତ କ’ଣ ବ୍ରାହ୍ମଣ ପିଲା ? ବାବୁଜୀ କହିଲେ, “ଅନାଥ ବାଳକ କି ପିଲା, କିଏ କହିବ ? ସେମାନଙ୍କର ଆଚରଣ ଓ ମନୋବୃତ୍ତି ଦେଖି ମହାରାଜ ସେମାନଙ୍କୁ ବ୍ରତ କରି ବ୍ରାହ୍ମଣ ପିଲା କରିବାକୁ ଆଦେଶ ଦେଇଛନ୍ତି ।” ଦିଦି ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ବାବୁଜୀ କହିଲେ, “ମୋତେ ପ୍ରଥମେ ଏକଥା ଶୁଣି ଅପସନ୍ଦ ଲାଗିଥିଲା । ଆରବର୍ଷ ମୁଁ ଏଠାକୁ ଆସିଲା ବେଳକୁ ଏଇପରି ବ୍ରତଘରର ଆୟୋଜନ ହେଉଥାଏ । ବାବା ବୁଝାଇଦେଲେ, ଜନ୍ମ ଅନୁସାରେ ଜାତି ନିର୍ଣ୍ଣୟ କରିବା ଗତ ସିନା ପଡ଼ିଯାଇଛି, କିନ୍ତୁ ଦେଶରେ ଧର୍ମ ଯେତେବେଳେ ପ୍ରବଳ ଥିଲା ସେତେବେଳେ ପ୍ରତ୍ୟେକ ପିଲାର ଗୁଣ ବାରି ଜାତି ରଖାଯାଉଥିଲା । ପୁରାଣରୁ ଗୋଟିଏ ଉଦାହରଣ ଦେଇ ସେ କହିଥିଲେ, ୠଷଭ ରାଜାଙ୍କର ଶହେ ପୁଅ । ତାଙ୍କ ଭିତରୁ ଦଶଜଣ ରାଜା ହେଲେ, ନଅଜଣ ବୈରାଗୀ ହେଲେ, ଓ ବାକି ଏକାଅଶୀ ଜଣ ବ୍ରାହ୍ମଣ ହେଲେ ।”

 

ଦିଦି କହିଲେ, ଆଜିକାଲି ସେମିତି ହେଲେ ଭଲ ହୁଅନ୍ତା । ଆଜିକାଲି ଯେଉଁମାନେ ବ୍ରାହ୍ମଣ ବୋଲାଉଛନ୍ତି, ତାଙ୍କ ଭିତରୁ ଅନେକ ଶୁଣ୍ଢୀ, ତେଲି ହେବାର ଯୋଗ୍ୟ । ସେଇମାନଙ୍କ ଯୋଗୁଁ ଲୋକଙ୍କର ଆମ ସଂସ୍କୃତି ଓ ପରମ୍ପରାରୁ ବିଶ୍ୱାସ ତୁଟିଯାଉଛି । ବାବୁଜୀ କହିଥିଲେ, “ସେ କଥା ମଧ୍ୟ ବାବାଙ୍କୁ କହିଥିଲି । ସେ ଉତ୍ତର ଦେଲେ, ଠିକ୍ ତ ହୁଅନ୍ତା, କିନ୍ତୁ କରାଇବ କିଏ ? ଆମ ଦେଶରେ କାହା ବେକରେ ବାଉଁଶ ପକାଇ କିଛି କରାଯାଏ ନାହିଁ । ପ୍ରତ୍ୟେକେ ନିଜର ମନ ଓ ରୁଚି ଅନୁସାରେ ଚଳିବାକୁ ହକ୍‌ଦାର । କେହି କେହି ଲେଖିଯାଇଛନ୍ତି, ରାଜାଙ୍କ ନିର୍ଦ୍ଦେଶରେ ଆଗେ ଧର୍ମ ନିୟନ୍ତ୍ରିତ ହେଉଥିଲା । କିନ୍ତୁ ରାଜା ଯେଡ଼େ ସ୍ୱୈରାଚାରୀ ହେଲେବି ଲୋକମତକୁ ଧରି ରହିବାକୁ ବାଧ୍ୟ ହୁଅନ୍ତି । ଅବଶ୍ୟ ଲୋକନେତାମାନଙ୍କ ସହଯୋଗରେ ଲୋକମତ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି । ସେ ବେଳ ଯାଇଛି । ଆଜି ଯେ ରାଜା ସେ ଆମ ସଂସ୍କୃତିର ଧାର ଧରନ୍ତି ନାଇଁ କି, ଲୋକମତକୁ ଖାତିର କରନ୍ତି ନାହିଁ । ଏପରି ସ୍ଥଳେ କ’ଣ ହେବା ଉଚିତ, ନ ହେବା ଉଚିତ କିଏ କହୁଛି, କିଏ ଶୁଣୁଛି ? ଆମର ଏ କ୍ଷୁଦ୍ର ପରିସରରେ ଯେତିକି ପାରିବା ସେତିକି କରିବା ।”

 

ଦିଦି ପଚାରିଥିଲେ, “କିନ୍ତୁ ଏଠାରେ ଯାହାଙ୍କୁ ବ୍ରାହ୍ମଣ କରାଯାଉଛି ତାଙ୍କୁ ଯଦି ଲୋକେ ବ୍ରାହ୍ମଣ ବୋଲି ନ ମାନିବେ ?” ବାବୁଜୀ କହିଲେ, “ଏକଥା ମୁଁ ପଚାରିବା ପୂର୍ବରୁ ବାବା ତାଙ୍କଆଡ଼ୁ ଉଠାଇଥିଲେ । ବ୍ରାହ୍ମଣ ବୋଲି ମାନିବାକୁ କେହି କାହା ଉପରେ ଜୋର୍ ଜବରଦସ୍ତି କରେ ନାହିଁ । ମାନିଲେ ଦିଅଁ ନ ମାନିଲେ ପଥର । ବ୍ରାହ୍ମଣ ବୋଇଲେ ଲୋକନେତା । ଆମେ ଯାହାଙ୍କୁ ବ୍ରାହ୍ମଣ କରୁଥାଇଁ ସେମାନେ ଯଦି ସୁଗୁଣ ହାସଲ କରିବେ ତେବେ ଲୋକରେ ଆଦୃତ ହେବେ ଏବଂ ବ୍ରାହ୍ମଣର ପୂର୍ବଗୌରବ ଫେରି ପାଇବେ । ନହେଲେ ଆଜିକାଲିର ଭ୍ରଷ୍ଟ ସମାଜରେ ଲୀନ ହୋଇଯିବେ । କେହି କାହାର ଭବିଷ୍ୟତ ନିର୍ଣ୍ଣୟ କରିପାରିବ ନାହିଁ; ଆମକୁ ଯାହା ଭଲ ଦିଶୁଛି କରୁଥାଇଁ, ଫଳ କର୍ତ୍ତାଙ୍କ ହାତରେ ।”

 

ଦିପହରକୁ ଉପନୟନ କାର୍ଯ୍ୟ ଆରମ୍ଭ ହେଲା । ସାବିତ୍ରୀ ପ୍ରଦାନ କରିବାକୁ ମହାରାଜଙ୍କୁ ଯାଇ ଡାକିବାରେ ସେ ଆସିଲେ । ବିଧି ଶେଷରେ ସମସ୍ତଙ୍କୁ ଆଶୀର୍ବାଦ କରି ପୁଣି ତାଙ୍କ ଆସ୍ଥାନକୁ ଫେରିଗଲେ । ସେ ଦେଖନ୍ତୁ, ନ ଦେଖନ୍ତୁ ସବୁ କାମ ସୁରୁଖୁରୁରେ ସରିଗଲା । ବ୍ରତ ବେଦୀରେ ପିଲାଙ୍କୁ ଭିକ୍ଷା ଦେଲାବେଳେ ସମସ୍ତେ ନିଜ ନିଜ ସାମର୍ଥ୍ୟ ଅନୁସାରେ ଭିକ୍ଷା ଦେଲେ । ସମସ୍ତେ ଯେତେ ଦେଲେ ଏକୁଟିଆ ଦିଦି ଓ ଆମେ ସମସ୍ତେ ସେତିକି ଦେଲୁଁ ବୋଲି ମୋତେ ଲାଗିଲା ।

 

ସବୁ କାମ ସରିଲା । ସମସ୍ତେ ଫଳାହାର କରିବା ପରେ ଯେ ଯାହା ଘରକୁ ଗଲେ । ଆମେ ଆଶ୍ରମ ଭିତରୁ ବାହାରି ମହାରାଜଙ୍କ ପାଖରେ ଯାଇ ବସିଲୁଁ । ଅନାଥାଶ୍ରମର ପରିଚାଳକ ସନ୍ତର୍ପଣରେ ଆସି ବାବାଙ୍କୁ ଫଳାହାର କରିବାକୁ ନିବେଦନ କରନ୍ତେ ସେ କହିଲେ, ‘ରହ, ଆଉ ଡେରି ଅଛି । ସମସ୍ତଙ୍କର କାମ ସରୁ । ଅତିଥି ଅଭ୍ୟାଗତ ଆହୁରି ଆସିପାରନ୍ତି । ମୁଁ ଆଗରୁ ପେଟେ ଖାଇ ବସିଥିଲେ କ’ଣ ସୁନ୍ଦର ହେବ ? ତୁମର ଯଦି ସବୁ କାମ ସରିଲାଣି ତେବେ ତୁମେ ବସ, କାମ ଅଛି ।”

 

ବଡ଼ ଦିଦି ଏତିକିବେଳେ ମୁଣ୍ଡିଆ ମାରି କହିଲେ, “ମହାରାଜ ! ଆପଣ ତ ମୋ ମନ କଥା ଜାଣିପାରିଲେଣି । ମୁଁ ଆଉ କହିବି କ’ଣ ? ମୋତେ ଅନୁଗ୍ରହ ହେଉ । ଆମେ ସମସ୍ତେ ତ କୁମ୍ଭମେଳାକୁ ଯିବୁ । ପିଲାଟିମାନଙ୍କୁ ଆଶ୍ରା ଦିଅନ୍ତୁ ।” ଏହା କହି ସେ କୋଡ଼ପିଲାଟି ବାବାଙ୍କ ଗୋଡ଼ ତଳେ ପକାଇଦେଲେ ଓ ବଡ଼ ଦୁଇଟିଙ୍କୁ ବାବାଙ୍କ ପାଦତଳେ ମୁଣ୍ଡିଆ ମରାଇଲେ ।

 

ବାବା କହିଲେ, “ତୁ ୟା କହିବୁ ବୋଲି ମୁଁ ସକାଳେ ତୁ ମୁଣ୍ଡିଆ ମାରିବା ବେଳୁ ଜାଣିଲିଣି । କିନ୍ତୁ ଆଉ କେତେଦିନ ତୁମମାନଙ୍କ ହେପାଜତରେ ଏଗୁଡ଼ିକ ଥିଲେ ଭଲ ହୋଇଥାନ୍ତା-। ଆମେ ସିନା ଅନାଥଙ୍କୁ ନେଉଛୁଁ । ଏମାନେ ତ ଅନାଥ ନୁହନ୍ତି !”

 

ବଡ଼ ଦିଦି କହିଲେ, “ୟାଙ୍କର ଆଉ କିଏ ଅଛି ବାବା ! ୟାଙ୍କ ସାନ ମା’ ୟାଙ୍କପାଇଁ ସିନା ପଇସା ସାଇତି ଦେଇଛି । ଭାଗ୍ୟ ୟାଙ୍କର କାହିଁ ? ବାପା ୟାଙ୍କର ଥିଲେ ଯେ, ତାଙ୍କ ଯୋଗୁଁ ୟାଙ୍କର ମଙ୍ଗଳ ହୋଇଥାନ୍ତା କି ନାହିଁ କେଜାଣି ? ସେ ତ ଯାଇଛନ୍ତି, ମୁଁ ଇଲା ସାଙ୍ଗେ ବନ୍ଧାହେଲିଣି-। ତାକୁ ଛାଡ଼ି ମୁଁ ରହିପାରିବିନାହିଁ । (ଅନାଥାଶ୍ରମ ପରିଚାଳକଙ୍କୁ ଦେଖାଇ) ୟାଙ୍କର ହେପାଜତରେ ଏମାନେ ରହନ୍ତୁ ।”

 

ବାବା ପରିଚାଳକଙ୍କୁ ପଚାରିଲେ, ‘କିଓ ରାମ୍‍ଜୀ ! ଏ ପିଲା ତିନୋଟିଙ୍କୁ ରଖିବ ? ‘‘ରାମ୍‍ଜୀ କହିଲେ, ‘‘ବାବା ହୁକୁମ କଲେ ମୋର ଆପତ୍ତି କରିବାରେ ପ୍ରଶ୍ନ ନାହିଁ । ସାନ ପିଲାଟି ଯୋଗୁଁ ବଡ଼-ମା ଟିକିଏ ଘାଣ୍ଟିହେବେ ।’’ ବାବା କହିଲେ, ‘ସେ କହୁଛନ୍ତି ନା ତୁମେ କହୁଛ ? ଆଜି ଯେଉଁ ପିଲାମାନେ ବ୍ରତ ହେଲେ ତାଙ୍କ ଭିତରେ ଯେଉଁଟି ସବୁଠାରୁ ଗୁଣବାନ୍ ହରିରାମ, ତାକୁ ଜାଣ ତ ? ମୁଁ ଗଙ୍ଗାକୂଳରୁ ତାକୁ ଗୋଟାଇ ଆଣିଥିଲି–ଚାରି ପାଞ୍ଚ ଦିନର ଶିଶୁ । ତାକୁ ଏଇ ବଡ଼ମା ପାଳି ମଣିଷ କରିଛନ୍ତି ।”

 

ତା’ପରେ କିଛି ସମୟ ଉପରକୁ ଚାହିଁ ତୁନି ହୋଇ ବସି ସେ ଦିଦିଙ୍କ ଆଡ଼କୁ ଚାହିଁ କହିଲେ, ‘‘କୁମ୍ଭମେଳାକୁ ଯିବା ସ୍ଥିର କରିସାରିଲଣି ତାହାହେଲେ ?’’ ଦିଦି କହିଲେ, ‘‘ମହାରାଜ ହୁକୁମ ଦେଲେ ଯିବୁଁ । ‘‘ବାବା ହସି ହସି କହିଲେ, ‘‘ମନ ତ ଡାକୁଛି ମହାରାଜ କିମିତି ହୁକୁମ ଦିଅନ୍ତେ ହେଲେ, ଆଉ ମହାରାଜଙ୍କ ଉପରେ ନିର୍ଭର କାହିଁକି ?’’ ଏଥର ଗୁଡ଼ାଏ ସମୟ ଉପରକୁ ଚାହିଁ ରହିଲେ । ତା’ପରେ କହିଲେ ‘‘ହଉ ଯାଅ । ଭଗବାନଙ୍କ ଇଚ୍ଛା । ମୋ ହଁ ନାଇଁରେ କ’ଣ ହେବ ? ପ୍ରୟାଗ ପୁଣ୍ୟ ସ୍ଥାନ । ସେଠାକୁ ଯିବାକୁ ମୁଁ ମନା କରିବି କାହିଁକି ? ଭଗବାନଙ୍କ ଇଚ୍ଛା ପୂରଣ ହେଉ ।’’ ପୁଣି ଟିକିଏ ପରେ ବଡ଼ ଦିଦିଙ୍କୁ କହିଲେ, ‘‘ୟେମାନେ ତୋର ପାଖେ ଥାନ୍ତୁ । ଗଲା ଦିନ ମୋତେ ଦେଇ ଯିବୁ ।’’ ବଡ଼ପୁଅଟିକୁ ପାଖକୁ ଡାକି ତା’ ମୁଣ୍ଡରେ ହାତ ବୁଲେଇ କହିଲେ, ‘‘କିରେ ଟୋକା ! ମୋ ପାଖେ ରହିବୁ ?’’ ସେ ନିର୍ଭୟରେ ଉତ୍ତର ଦେଲା, “ହଁ, ମୁଁ ବଡ଼ ବାବା ହେବି ।’’ ସମସ୍ତେ ହସିଲୁଁ, ସମସ୍ତଙ୍କ ଆଖିରୁ ଲୁହ ବହିଯାଉଥାଏ । ବାବା ମୁଗ୍ଧ ହୋଇ ପଚାରିଲେ, “ଆରେ ! କ’ଣ ଆଜିଠାରୁ ବଡ଼ ବାବା ହେବୁ ନା ବଡ଼ ହେଲେ ?’’ ଦିପୁ ଟିକିଏ ବିଚାରିଲା ପରି ମୁହଁ କରି କହିଲା, “ମୁଁ ତ ବଡ଼ ।’’ ଏଥର ବାବାବି ହୋହୋ ହୋଇ ହସିଲେ, ବଡ଼ ଦିଦିଙ୍କୁ ଚାହିଁ କହିଲେ, “ଭଲ ପିଲା ଜନ୍ମ କରିଛୁ ! ଆଜିଠାରୁ ମୋତେ ଏଠାରୁ ହଟାଇବାକୁ କହିଲାଣି ।”

 

ବଡ଼ ଦିଦି ଉତ୍‌ଫୁଲ୍ଲ ହୋଇ ଫେରିଲେ । ଦିଦି ଚିନ୍ତିତ ହୋଇଥାନ୍ତି । ଘରକୁ ଫେରିବା ପୂର୍ବରୁ ସମସ୍ତେ ଶେଠଜୀ ଗଦିକୁ ଗଲୁଁ । ଶେଠଜୀ ପିଲାଙ୍କର ଆଶ୍ରମରେ ରହିବା ଶୁଣି ଖୁବ୍ ଖୁସି ହୋଇ କହିଲେ, “ପିଲାଗୁଡ଼ିକର ଭାଗ୍ୟ ଭଲ । ସେଠାରେ ରହିଲେ ସେମାନଙ୍କର ଜନ୍ମ ସାର୍ଥକ ହୋଇଯିବ । ଅନାଥାଶ୍ରମରେ ରଖିବାକୁ କହିଲେ ଆପଣମାନଙ୍କୁ କେଜାଣି ବାଧିବ ବୋଲି ମୁଁ କହି ନଥିଲି । ଆଜିକାଲି ଯେଉଁ ସ୍କୁଲ୍ ସବୁ ବସିଛି ସେଥିରେ ମଣିଷ ପଶୁ ହୋଇଯାଉଛନ୍ତି, ଆଶ୍ରମ କିନ୍ତୁ ପଶୁ ମଣିଷ ହେବାର ଦେଖୁଛୁଁ ।”

 

ରାତିରେ ମା’ ଧରି ବସିଲେ, ବାବା ଅନୁମତି ଦେଇଥିବା ସ୍ଥଳେ ଆଉ ମୁହୂର୍ତ୍ତେ ବିଳମ୍ବ କରିବାର ନୁହେଁ । କାଲି ଓପରଓଳି ବାହାରି ଯିବାକୁ ସେ କହିଲେ । ଦିଦି ବାବାଙ୍କ ଶେଷ କଥା ମନେପକାଇ କେମିତି ଚିନ୍ତିତ ରହିଥାନ୍ତି । ସେ ଅନୁମତି ଦେଇଛନ୍ତି ନା ବାରଣ କରିଛନ୍ତି ବୋଲି ସନ୍ଦେହ କରୁଥାନ୍ତି । କିନ୍ତୁ ବଡ଼ ଦିଦି ଭାବୀ ଓ ମା’ଙ୍କୁ ତେଢ଼ିନପାରି ସେ ଯିବାକୁ ରାଜି ହୋଇ କାଲି ପିଲାଙ୍କୁ ଆଶ୍ରମରେ ଛାଡ଼ି ପଅର ଦିନ ଆହ୍ଲାବାଦ ଯିବାକୁ କହିଲେ । ରାମଲଗନ୍ ଆମକୁ ସେଠାରେ ଛାଡ଼ିଦେଇ ଫେରିଆସିବ ବୋଲି କଥା ହେଲା ।

 

ତହିଁ ଆରଦିନ ଦିପହରେ ଆମେ ଆଶ୍ରମକୁ ଗଲୁଁ । ଶେଠଜୀ ମଧ୍ୟ ଯାଇ ପହଞ୍ଚିଥିଲେ । ପିଲାଙ୍କପାଇଁ ତାଙ୍କ ନାମରେ ଜମା ହୋଇଥିବା ଟଙ୍କାର କାଗଜପତ୍ର ସେ ବାବାଙ୍କ ହାତକୁ ବଢ଼ାଇ ଦେଇ କହିଲେ, “ମହାରାଜ ! ଦିଦିମାନେ ମୋ ମୁଣ୍ଡରେ ଯେଉଁ ଦାୟିତ୍ଵ ଲଦିଦେଇଥିଲେ ସେ ବୋଝ ମୋ’ ମୁଣ୍ଡରୁ ଗଲେ ମୁଁ ଆଶ୍ଵସ୍ତ ହେବି । ମୋ ପାଖେ ୪୦ ହଜାର ଟଙ୍କା ଦେଇଥିଲେ । ପାଞ୍ଚ ହଜାର ସୁଧ ହୋଇଗଲାଣି । ଏ ଟଙ୍କା ଆଶ୍ରମରେ ଜମା ରହୁ ।”

 

ମହାରାଜ କହିଲେ, “ସମସ୍ତେ ସବୁ ଦାୟିତ୍ଵ ମୋ ମୁଣ୍ଡରେ ଲଦିଦେଲେ ମୁଁ ସମ୍ଭାଳିବି କେତେକେ ? ଶେଠଜୀ, ତୁମର ଯେଉଁ ସାଥୀମାନେ ଏ ଟଙ୍କା ନ୍ୟାସରୂପେ ଗ୍ରହଣ କରିଛନ୍ତି, ସେ ସମସ୍ତଙ୍କୁ ଡାକ, ଏ କଥାର ଫଇସଲା କରିବା ।”

 

ଶେଠଜୀ ଘଣ୍ଟାକ ଭିତରେ ସମସ୍ତଙ୍କୁ ଡାକି ଆଣିଲେ । ମହାରାଜ ଶେଠଜୀଙ୍କ ହାତକୁ ଟଙ୍କାର ଜିମାଦାରୀ କାଗଜ ବଢ଼ାଇଦେଇ କହିଲେ, “ଏ ଟଙ୍କା ମୁଁ ଗ୍ରହଣ କରି ପୁଣି ଆପଣମାନଙ୍କ ଜିମା କରିଦେଲି । ୟାକୁ ସତ୍‌ବ୍ୟବସାୟରେ ଖଟାଇ ବଢ଼ାକୁଢ଼ା କରନ୍ତୁ । ଆପଣମାନେ ସ୍ୱେଚ୍ଛାରେ ଯେତେବେଳେ ଯେତିକି ପାରିବେ ଆଶ୍ରମକୁ ଦେଉଥିବେ । ମୂଳ ଟଙ୍କା ଏ ପିଲାଙ୍କର ହୋଇ ଥାଉ । କେତେବେଳେ ଦରକାର ହେଲେ ଆପଣଙ୍କଠାରୁ ଆସିବ ।” ସାଙ୍ଗେ ସାଙ୍ଗେ ସେଇ କଥା ଲେଖାପଢ଼ି ହୋଇଗଲା । ସମସ୍ତେ ଦସ୍ତଖତ କଲେ । କାଗଜ ଆଶ୍ରମର ଗନ୍ତାଘରକୁ ଗଲାବେଳେ ଶେଠଜୀ କହିଲେ, “ମହାରାଜ ! ମୋ ପିଲେ ଆଜି ଆଶ୍ରମରେ ଭର୍ତ୍ତି ହେବେ । ବାଳଲୀଳା ଓ ପୂଜାଦି କରିବାକୁ ମୋ ନିଜର ଏତକ ଗ୍ରହଣ କରନ୍ତୁ ।” ଆଚ୍ଛା ବୋଲି କହି ମହାରାଜ ଧୁନି ପାଖରେ କାଗଜ ଓ ଟଙ୍କା ଥୋଇଦେବାକୁ ନିର୍ଦ୍ଦେଶ ଦେଲେ ।

 

ଶେଠଜୀ ବିଦାୟ ନେଲା ପରେ ଦିଦି କହିଲେ, “ମହାରାଜ, ମୋର ଏତକ ମଧ୍ୟ ଏଠି ଜମା ରହୁ । ମୋର ଦରକାର ହେଲାବେଳେ ନେବି ।’’ ମହାରାଜ ଶୂନ୍ୟକୁ ଦଣ୍ଡେ ଚାହିଁ କହିଲେ, “ମା’ ! ତୋର କୋଉ କଥାକୁ ତ ମନା କରିନାହିଁ । ଖର୍ଚ୍ଚକୁ କିଛି ପାଖରେ ରଖୁଛୁ ତ ?”

 

ଆଜି ସକାଳେ ଦିଦି ସବୁ ପଇସା ଗଣତି କରାଇଥିଲେ । ମୋ ପଇସା ମିଶି ହେଲା ୨୨ ହଜାର । ଦୁଇ ହଜାର ଖର୍ଚ୍ଚକୁ ରଖି ମୋତେ କହିଥିଲେ, “ଏତକ ମହାରାଜଙ୍କ ପାଖେ ଥୋଇଦେଇ ଯିବା । ୟେ ସବୁ ତୋର ବୋଲି ମନରେ ବିଚାରିଛି । ଯଦି ସୁଦିନ ଆସିବ, ତେବେ ତୋର ହାତକୁ ଦୁଇ ହାତ କରାଇ ଏଥିରେ ତୁମର ଗୃହସ୍ଥଳୀ ସଜାଡ଼ିବି ।” ମୁଁ କିଛି ନ କହି କାନ୍ଦିଥିଲି‌, ମୋର ଭବିଷ୍ୟତ ଜୀବନ ଯେ ଏଇମିତି କଟିବ ଏକଥା ଦିଦି ବିଶ୍ୱାସ କରୁନାହାନ୍ତି ବୋଲି ଅଭିମାନ କରି ।

 

(୧୯)

 

ଦିପହରେ ଆହ୍ଲାବାଦ ଯାତ୍ରା କରିବାକୁ ହେବ ବୋଲି କାଲି ବାବୁଜୀ ପାଞ୍ଜି ଦେଖି ସ୍ଥିର କରିଥାନ୍ତି; ପୁଣି ବରାଦ କରିଥାନ୍ତି ଯେ, ସକାଳ ଦଶଟାବେଳେ ଜଣେ ବ୍ରାହ୍ମଣ ଆସି ତୀର୍ଥଯାତ୍ରା ପାଇଁ ସଂକଳ୍ପ କରାଇବେ । ବରୁଣ ପୂଜା ହୋଇ ରିଷ୍ଟଶାନ୍ତି ସକାଶ ଟିକିଏ ହୋମବି ହେବ । ବ୍ରାହ୍ମଣ ଆସିବା ପୂର୍ବରୁ ଶ୍ରୀମଦ୍ଭାଗବତଗୀତା ଆମୂଳଚୂଳ ପାରାୟଣ କରିବାକୁ ହେବ । ସୂର୍ଯ୍ୟୋଦୟ ସଙ୍ଗେ ସଙ୍ଗେ ବାବୁଜୀ ଆଶ୍ରମର ଜଣେ ସନ୍ନ୍ୟାସୀଙ୍କୁ ଧରି ଆସି ପହଞ୍ଚିଲେ । ସେତେବେଳକୁ ଆମେ ସମସ୍ତେ ଗାଧୁଆପାଧୁଆ କରିସାରି ଯେଉଁଠାରେ ଗୀତା-ପାରାୟଣ ହେବାର କଥା ସେଠାରେ ଏକାଠି ହୋଇଥାଉ । ସନ୍ନ୍ୟାସୀ ଗୀତା-ପାରାୟଣ ଆରମ୍ଭ କଲେ । ବାବୁଜୀଙ୍କ ନିର୍ଦ୍ଦେଶରେ ଆମ ଘରେ ପ୍ରତ୍ୟହ ଗୀତାର ପାରାୟଣ ହୁଏ ଏବଂ ବଡ଼ ଦିଦି ଓ ଦିଦି ଆମ ଭିତରେ ବେଶି ପାଠ ପଢ଼ିଥିବାରୁ ବେଳେବେଳେ ତାହାର ଅର୍ଥ ଆଲୋଚନା କରନ୍ତି । ମୁଁ ଶୁଣି ନ ଶୁଣିଲା ପରି ଏ ସବୁରେ ଯୋଗ ଦିଏ । ଆଜି କିନ୍ତୁ ସନ୍ନ୍ୟାସୀମହାରାଜଙ୍କ ଲଳିତ ସ୍ଵର ଓ ସ୍ପଷ୍ଟ ଉଚ୍ଚାରଣ ଯୋଗୁଁ ହେଉ ବା ତାଙ୍କ ସୌମ୍ୟ ଆକୃତି ଯୋଗୁଁ ହେଉ ମୁଁ ମୂଳରୁ ତନ୍ମୟ ହୋଇ ଶୁଣିଲି । ତାଙ୍କ ଆବୃତ୍ତି ଭଙ୍ଗୀରେ ମୋତେ ଶ୍ଳୋକଗୁଡ଼ିକ ବୁଝାପଡ଼ିଯାଉଥାଏ । ମଝିରେ ମଝିରେ ସନ୍ନ୍ୟାସୀ ପାରାୟଣ ବନ୍ଦ କରି ଗୋଟିଏ ଗୋଟିଏ କୂଟ-ଶ୍ଳୋକ ଉପରେ ଦି’ଚାରିପଦ କହୁଥାନ୍ତି । ଶରୀର ଉପରେ ମମତା ନ ରଖି ନିଜର ସଂପାଦନ କରିବାରେ ବ୍ରତୀ ହେବ, ଶରୀର ଜନ୍ମାନ୍ତରେ ପୁଣି ମିଳିବ, କିନ୍ତୁ କର୍ତ୍ତବ୍ୟବିମୁଖତା ଯୋଗୁଁ ଯଦି ଜୀବାତ୍ମା ପଥଭ୍ରଷ୍ଟ ହୁଏ ତେବେ ଆସନ୍ତା ଜନ୍ମରେ ଜୀବାତ୍ମାକୁ ମନୁଷ୍ୟ ଶରୀର ନ ମିଳି ବାଘ ବିରାଡ଼ିଙ୍କର ଶରୀର ମିଳିପାରେ ବୋଲି ସେ ଯେପରି ଭାବରେ ବୁଝାଇ ଦେଲେ ତା’ ଶୁଣି ମୋର ମନେ ହେଲା, ଆମ ଘରର ବିରାଡ଼ିଟି ପୂର୍ବଜନ୍ମର କୌଣସି ପଥଭ୍ରଷ୍ଟ ମଣିଷ । ସେ ସବୁବେଳେ ମୋର ଗୋଡ଼େ ଗୋଡ଼େ ଥାଏ । ମୋରି ପାଖରେ ବସି ଆଜି ପୁରାଣବି ଶୁଣୁଥାଏ । ମୁଁ ତାକୁ କୋଡ଼କୁ ନେଇ ଆହୁରି ତନ୍ମୟ ହୋଇ ଶୁଣିବାକୁ ଲାଗିଲି । ସନ୍ନ୍ୟାସୀ ମୋ ଆଡ଼କୁ ଚାହିଁ ଟିକିଏ ମୁଡ଼ୁକି ହସି କହିଚାଲିଲେ ‘ଯୋ ଯତ୍‌ଶ୍ରଦ୍ଧଃ ସ ଏବ ସଃ’ । ବିରାଡ଼ି ପ୍ରତି ଅତିମମତାରେ ଆର ଜନ୍ମରେ ବିରାଡ଼ି ହେବାର ଆଶଙ୍କାବି ଅଛି, ଯେପରି ଭରତଙ୍କର ହୋଇଥିଲା । ମୁଁ ବିରାଡ଼ିକୁ କୋଡ଼ରୁ ଆଡ଼େଇ ଦେବାର ଉପକ୍ରମ ବୋଧହୁଏ କଲି । ସେ କହିଲେ, ‘‘ବିରାଡ଼ି କୋଡ଼ରେ ପୂରାଇ ମଧ୍ୟ ତା’ ପ୍ରତି ମମତାହୀନ ହୋଇ ରହିହେବ । ନିୟମିତ ଆହାର ବିହାର କରି ଶରୀରର କୁଶଳ କରି ମଧ୍ୟ ସେହିପରି ଶରୀର ପ୍ରତି ମମତାହୀନ ହୋଇ ରହି ହେବ-।” ଏହିପରି ତନ୍ମୟ ପାରାୟଣ ଓ ସରସଭାବାର୍ଥ କରି କରି ସନ୍ନ୍ୟାସୀ ପାରାୟଣ କରି ଚାଲିଥାନ୍ତି-। ମୋର ସନ୍ଦେହ ହେଉଥିଲା, ଦଶଟା ବେଳକୁ ବୋଧହୁଏ ପାରାୟଣ ସରିବ ନାହିଁ । ବ୍ରାହ୍ମଣ ଆସି ମଣ୍ତଳ ପକାଇବାକୁ ଆରମ୍ଭ କରୁକରୁ ସନ୍ନ୍ୟାସୀ ପାରାୟନ ସାରି ପୂଜାସ୍ଥାନକୁ ଆମମାନଙ୍କ ସଙ୍ଗେ ବାହାରିଲେ ।

 

ସଂକ୍ଷେପରେ ପୂଜା ଓ ହୋମ ସାରି ତୀର୍ଥଯାତ୍ରା କରିବାପାଇଁ ଆମେମାନେ ସମସ୍ତେ ଦୀକ୍ଷିତ ହେଲୁ । ବହୁ ବ୍ରାହ୍ମଣ ଓ ଅଭ୍ୟାଗତଙ୍କୁ ଅନ୍ନ ଓ ବସ୍ତ୍ର ଦାନ କରି ଆମେ ପ୍ରସାଦ ପାଇଲୁଁ । ବାରଟା ବାଜିବା ବେଳକୁ ସମସ୍ତେ ଓହ୍ଲାଇ ମଟରରେ ଯାଇ ବସୁଛୁ, ଦିଦି କହିଲେ, “ବଡ଼େ ମହାରାଜଙ୍କୁ ମୁଣ୍ଡିଆ ମାରି ଯିବା ।” ଆମେ ଯାଇ ପହଞ୍ଚିଲା ବେଳକୁ ମହାରାଜ ସତେ ଯେମିତି ଅପେକ୍ଷା କରି ରହିଥାନ୍ତି । ଦିଦି ଆଗ ତାଙ୍କୁ ମୁଣ୍ଡିଆ ମାରି ଉଠି ହାତ ଯୋଡ଼ି ଠିଆ ହେଲେ । ମହାରାଜ ଆଶୀର୍ବାଦ କଲେ, “କର୍ତ୍ତାଙ୍କ ଇଚ୍ଛା ପୂର୍ଣ୍ଣ ହେଉ ।” ସମସ୍ତଙ୍କୁ ସେଇ ଏକା ଆଶୀର୍ବାଦ । ମହାରାଜଙ୍କ ମୁହଁରେ ପ୍ରଶାନ୍ତ ଅଥଚ ଗମ୍ଭୀର ଭାବ । ବଡ଼ ଦିଦି କହିଲେ, “ବାବା ! ମୋ ଅରକ୍ଷିତ ପିଲାଗୁଡ଼ିକ ଲାଗିଲେ ।” ବାବା ଗାମ୍ଭୀର୍ଯ୍ୟ ଭିତରେ ଟିକିଏ ରହସ୍ୟ କରି କହିଲେ, “ମୋର ବୋଲି ବିଚାରୁଥିବା ଯାଏଁ ପିଲେ ଅରକ୍ଷିତ ହେଲେ କେମିତି ? ନିଶ୍ଚିନ୍ତ ମନରେ ଯା । ବହୁ ଅରକ୍ଷିତଙ୍କ ଅପେକ୍ଷା ତୋ’ ପିଲାଙ୍କପାଇଁ ଯଥେଷ୍ଟ ଅଧିକ ସାଇତା ହୋଇ ରହିଛି ।” ମୁଁ ମୁଣ୍ଡିଆ ମାଇଲା ପରେ ବାବା ବାବୁଜୀଙ୍କ ଆଡ଼କୁ ଚାହିଁ କହିଲେ, “ୟାକୁ ବାବା ତୋଠି ନ୍ୟାସ କରି ଯାଇଛନ୍ତି । ୟା ଉପରେ ସବୁବେଳେ ନଜର ଦେଉଥିବୁ । ଆଜିକାଲିର ତୀର୍ଥ ସ୍ଥାନରେ ଧାର୍ମିକଙ୍କ ଅପେକ୍ଷା ଅଧାର୍ମିକ ବେଶି ରୁଣ୍ଡ ହେଉଛନ୍ତି ।” ମୋର ଶାଶୁ, ପ୍ରତାପବାବୁଙ୍କ ମା’ ମୁଣ୍ଡିଆ ମାରିବାରେ ମହାରାଜ ତାଙ୍କୁ କହିଲେ, “ଯାଅ, ଶୀଘ୍ର ମେଳାରୁ ପୁଣ୍ୟ ସଞ୍ଚୟ କରି ଏଠାକୁ ଫେରି ଆସ ।” ଏକଥା ମୋତେ କେମିତି ଅଡ଼ୁଆ ଲାଗିଲା । ସମସ୍ତଙ୍କ ପାଇଁ ଗୋଟିଏ ପଦ, ଭଗବାନଙ୍କ ଇଚ୍ଛା ପୂର୍ଣ୍ଣ ହେଉ”, ଆଉ ମା’ଙ୍କପାଇଁ ଫେରି ଆସିବାର ନିର୍ଦ୍ଦେଶ ! ତେବେ କ’ଣ ଆମେ, ବଡ଼ ଦିଦି, ଦିଦି, ଭାବୀ ଓ ମୁଁ–ମୋ କଥା ଅଲଗା ବିଚାରିବାର ନୁହେଁ, ମୁଁ ତ ଦିଦି ଓ ଭାବୀଙ୍କ ଗୋଡ଼ରେ ବନ୍ଧା–କୁମ୍ଭମେଳା ପରେ ଏଠାକୁ ନ ଫେରି ଆଉ କୁଆଡ଼େ ତୀର୍ଥ କରିବାକୁ ଯିବୁ ? କେଜାଣି ଆଉ କେଉଁଠାରୁ ଆଉ କୌଣସି ସନ୍ନ୍ୟାସୀ ଆସିଥାଇପାରନ୍ତି, ଯାହାଙ୍କର ପ୍ରଭାବ ଆମ ଉପରେ ଆହୁରି ଅଧିକଭାବେ ପଡ଼ିଯିବ ! ମୋତେ ଆଶ୍ଚର୍ଯ୍ୟ ଲାଗିଲା । କିନ୍ତୁ ଆଉ କେହି ମହାରାଜଙ୍କ କଥାକୁ ଲକ୍ଷ୍ୟ କରିଥିଲା ପରି ଜଣା ନ ପଡ଼ିବାରୁ ମୁଁ ତୁନି ହୋଇଗଲି ।

 

ଦୀପ ଲାଗିଲା ବେଳକୁ ଆମେ ଆହ୍ଲାବାଦରେ ମା’ଙ୍କ ଘର ପାଖେ ଯାଇ ପହଞ୍ଚିଲୁଁ । ଦିଦି ଭାବୀ ଘର ଭିତରକୁ ଯିବାକୁ ନାହିଁ କଲେ । ଦୁହେଁଯାକ ଏକ ସ୍ୱରରେ କହିଲେ, “ଆମେ ତ ତୀର୍ଥ କରିଯିବାକୁ ସଂକଳ୍ପ କରି ସାରିଥାଇଁ, ଘରେ କେମିତି ରହିବା ।” ବାବୁଜୀ ଯୁକ୍ତି କଲେ ଯେ, ନିଜ ଘରେ ରହିଲେ ସିନା ଦୋଷ, ଅନ୍ୟର ଘରେ ରହିବାରେ କ’ଣ ଅଛି ? ଯୁକ୍ତିତର୍କ ପରେ ସ୍ଥିର ହେଲା, କାଲି ମେଳାପଡ଼ିଆରେ ରହିବାର ବନ୍ଦୋବସ୍ତ ହେବ, ଆଜି ରାତିରେ ମା’ଙ୍କ ଘରେ ନାମକୁ ମାତ୍ର ଭଡ଼ା ଦେଇ ରହିବା । ଏ ଘରର ଯେଉଁ କୋଠରୀଟି ମୁଁ ଆରଥର ସଜାଇଥିଲି ସେଇଥିରେ ସମସ୍ତେ ରହିଲୁଁ ।

 

ତହିଁ ଆରଦିନ ରାମଲଗନ୍‌କୁ ହରିଦ୍ୱାର ଯିବାକୁ ବିଦାୟ ଦେଇ ଆମେ ସମସ୍ତେ ଗଲୁଁ କୁମ୍ଭମେଳାର ବିରାଟ ପଡ଼ିଆକୁ; ମା’ ରହିଲେ ଘରେ । ତିନି ଦିନ ପରେ ‘ବୁଡ଼’ । ସେ ଦିନ ସକାଳୁ ଆସି ମା’ଙ୍କୁ ନେଇଯିବେ ବୋଲି ବାବୁଜୀ ଜବାବ୍ ଦେବାରୁ ମା’ କୁନ୍ଥୁକୁନ୍ଥୁ ହୋଇ ରହିଲେ । ତାଙ୍କର ଇଚ୍ଛା ଥିଲା ଆମେ ଯେଉଁଠି ରହିବୁଁ ସେଇଠାରେ ସାଙ୍ଗ ହୋଇ ରହିଥାନ୍ତେ ।

 

କୁମ୍ଭମେଳା ଯେଉଁ ପଡ଼ିଆରେ ହୁଏ ତାହାର ଆୟତନ କଳନା କରିପାରିଲି ନାହିଁ । ଆମେ ଯାଇ ପହଞ୍ଚିଲା ବେଳକୁ ଟିକିଏ ସୁଦ୍ଧା ଜାଗା ଖାଲି ନ ଥାଏ । ଯେଉଁ ଆଡ଼େ ଚାହିଁବ ଲୋକ-। କେତେ ଲକ୍ଷ ଲୋକ ଜମିଥାନ୍ତି କେଜାଣି ? ଏତେ ହାତୀ ଘୋଡ଼ା ମୁଁ ଏକାଠି କେଭେଁ ଦେଖି ନଥିଲି । ଦିନ ତମାମ ଚାରିଆଡ଼େ ବୁଲି ଦେଖିଲୁଁ । ହାଲିଆ ଲାଗିଲେ କୌଣସି ଗୋଟାଏ ତାଟି ଦୋକାନରେ ଛାଇରେ ବସିଯାଉଥାଉଁ । ଭୋଖ ହେଲାରୁ ଖଣ୍ଡେ ଖଣ୍ଡେ ଶୁଖିଲା ରୋଟି ଚୋବାଇ ଦେଇ ଗଙ୍ଗାଜଳ ମୁନ୍ଦିଏ ମୁନ୍ଦିଏ ପିଇଲୁଁ ।

 

ମେଳାରେ ସାଧୁ ସନ୍ନ୍ୟାସୀଙ୍କର ସଂଖ୍ୟା ସବୁଠାରୁ ବେଶି । ଆମେ ସେଇମାନଙ୍କ ଶ୍ରୀମୁଖରୁ ପଦେ ଶୁଣି କୃତାର୍ଥ ହେଉଥାଉଁ । ଠାଏ ବହୁତ ଲୋକ ତୁନି ହୋଇ ବସି ଜଣେ ସାଧୁ ତୁଳସୀ ରାମାୟଣ ଅର୍ଥ କରିବାର ଶୁଣୁଥାନ୍ତି । ଆମେ ସେଇଠାରେ ବହୁତ ବେଳ ବସିଗଲୁଁ । ଛାଇ ଲେଉଟିଲା ବେଳକୁ ବାବୁଜୀ କହିଲେ, ରାତିରେ ରହିବାକୁ ବାସ ଠିକଣା ନ କଲେ ଭାରି ହଇରାଣ ହେବ । ରାତିରେ କାକର ପଡ଼ିବ; ସନ୍ଧ୍ୟା ପହରେ ପବନରେ ନାକକାନ ଧୂଳିରେ ଚୁଣ୍ଟି ହୋଇଯିବ । କେଉଁଠି ଜାଗା ପାଇବୁ ଖୋଜି ଖୋଜି ନାଗା ସନ୍ନ୍ୟାସୀମାନେ ବଧା କରିଥିବା ସ୍ଥାନକୁ ଗଲୁଁ । ଏମାନଙ୍କୁ ଦେଖି ମୋ ଆଖି ଖୋସି ହୋଇଗଲା । ସମସ୍ତେ ପଞ୍ଚହତା ମରଦ; କୁସ୍ତିକସରତ କରି ବଳି ଦେଲାପରି ହୋଇଥାନ୍ତି । ତାଙ୍କ ଆଡ଼୍‌ଡ଼ାର ଗୋଟାଏ କଣକୁ ୩୦ ଘର ହାତୀ ଓ ଶହେ ଖଣ୍ଡେ ଘୋଡ଼ା ରହିଥାନ୍ତି । ଏମାନଙ୍କର ସଇସ ସେଇ ନାଗା ସନ୍ନ୍ୟାସୀ କେତେଜଣ । ମହନ୍ତଙ୍କ ଆଶ୍ରମର ନିକଟବର୍ତ୍ତୀ ହେବାରେ ଜଣେ ସନ୍ନ୍ୟାସୀ-ଜଗୁଆଳ ଆସି ଆମକୁ ବାରଣ କଲେ, “ଏ ସ୍ଥାନର ତ୍ରିସୀମାରେ କୌଣସି ସ୍ତ୍ରୀଲୋକ ପଶିବାର ନୁହେଁ ।” ବାବୁଜୀ କହିଲେ, “ମହନ୍ତ ମହାରାଜଙ୍କ ପାଖକୁ ମୁଁ ଗୋଟାଏ ବାର୍ତ୍ତା ଆଣିଛି । ଆପଣ ଏମାନଙ୍କ ଉପରେ ଟିକିଏ ଦୃଷ୍ଟି ରଖିଲେ ମୁଁ ତାଙ୍କ ସଙ୍ଗେ ଦେଖା କରି ଆସିବି ।” ସାଙ୍ଗେ ସାଙ୍ଗେ ଜଣେ ସନ୍ନ୍ୟାସୀ ବାବୁଜୀଙ୍କୁ ଭିତରକୁ ନେଇଗଲେ ।

 

ପ୍ରାୟ ଅଧଘଣ୍ଟେ ପରେ ବାବୁଜୀ ଆସି କହିଲେ, “ମହନ୍ତଙ୍କ ଟୁଙ୍ଗୀର ଖଣ୍ଡେ ଦୂରରେ ଆମପାଇଁ ଜାଗା ଠିକଣା ହେଲା । ତାଟି ଘେରାଇବାକୁ ଲୋକ ବରାଦ ହୋଇ ଗଲେଣି । କିନ୍ତୁ ମହନ୍ତ ମହାରାଜଙ୍କଠାରୁ ଗୋଟାଏ ଦୁଃସମ୍ବାଦ ଶୁଣି କରି ଆସିଲି । କ’ଣ କରିବା କହ ।”

 

ଦିଦି ଟିକିଏବି ବିଚଳିତ ନ ହୋଇ, ଘଟଣା କ’ଣ ବୋଲି ପଚାରିଲେ । ବାବୁଜୀ କହିଲେ, “କୁମ୍ଭମେଳାରେ ସବୁଥର ନାଗା ସନ୍ନ୍ୟାସୀମାନେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି । ସେଥିପାଇଁ ପୁଲିସବାଲାଙ୍କର ପ୍ରୟୋଜନ ହୁଏ ନାହିଁ । କେତେଜଣ ସିପାହୀ ଓ ସବ୍‌ଇନ୍‌ସପେକ୍ଟର କେବଳ ବିଧି ରକ୍ଷା କରିବାକୁ ଏଠିସେଠି ଟହଲ ମାରୁଥାନ୍ତି । ଏ ବର୍ଷ ସେ ପରମ୍ପରା ଭାଙ୍ଗିବାରୁ ସରକାର ବିଚାର କରୁଛନ୍ତି । ମହନ୍ତ ମହାରାଜଙ୍କଠାରୁ ଶୁଣିଲି, ଏ ବର୍ଷ ପ୍ରଧାନମନ୍ତ୍ରୀ କୁଆଡ଼େ ବୁଡ଼ ପକାଇବାକୁ ଆସିବେ । ତାଙ୍କୁ ନିରାପଦ ରଖିବାକୁ ପ୍ରାୟ ହଜାରେ ବନ୍ଧୁକଧାରୀ ପୁଲିସ ଫୌଜ କୁମ୍ଭମେଳା ପଡ଼ିଆରେ ପହରା ଦେବେ ବୋଲି ବ୍ୟବସ୍ଥା ହେଉଛି । ଆଜି ଜିଲା ମାଜିଷ୍ଟ୍ରେଟ ଏଇକଥା ଜଣାଇବା ପାଇଁ ମହନ୍ତ ମହାରାଜଙ୍କ ପାଖକୁ ଆସିଥିଲେ ।”

 

ଦିଦି କହିଲେ, “ୟେ ଆଉ ଦୁଃସମ୍ବାଦ କ’ଣ ? ଅଧିକ ସଂଖ୍ୟାରେ ପୁଲିସ ଫୌଜ ରହିଲେ ତ ମେଳାରେ କୌଣସି ପ୍ରକାର ଅଶାନ୍ତି ଅଶୃଙ୍ଖଳା ହେବା ସମ୍ଭାବନା ରହିବ ନାହିଁ ।” ବାବୁଜୀ କହିଲେ, “ମୁଁ ତ ବିଚାରୁଛି, ପୁଲିସ ଅଳ୍ପ ରହନ୍ତୁ, ବେଶି ରହନ୍ତୁ, ସେଥିରେ କିଛି ଯାଏଁ ଆସେ ନାହିଁ । କିନ୍ତୁ ମହନ୍ତ ମହାରାଜ ସେପରି ବିଚାରୁନାହାନ୍ତି । ସେ କହୁଛନ୍ତି, ପୁଲିସଗୁଡ଼ାଏ ଆସି ପହଞ୍ଚିଲେ ଗଣ୍ଡଗୋଳ ଭିଆଇବେ । ସେ କହୁଛନ୍ତି, କୁମ୍ଭମେଳାକୁ ଯେଉଁମାନେ ଆସନ୍ତି ସେମାନେ ଧର୍ମ କରିବାକୁ ଆସନ୍ତି । ସେମାନଙ୍କ ପକ୍ଷରୁ କୌଣସି ଅପରାଧ ହେବାର ଆଶଙ୍କା ଖୁବ୍ କମ୍ । ପ୍ରତ୍ୟେକେ ନିଜ ନିଜର ସୁବିଧାରେ ରହି ନିଜ ସୁବିଧାରେ ବୁଡ଼ ପକାଇ ସବୁଥର ଯା’ନ୍ତି । ଏଥରବି ଯା’ନ୍ତେ । ପୁଲିସ ଯେ ଆସିବେ ସେମାନେ ତ ଧର୍ମ କରିବାକୁ ଆସିବେ ନାହିଁ । ସେମାନେ ଆସିବେ ପ୍ରଧାନମନ୍ତ୍ରୀଙ୍କୁ ଜଗିବାକୁ ଓ ଅପରାଧୀଙ୍କୁ ଜବତ୍ କରିବାକୁ । ପ୍ରଧାନମନ୍ତ୍ରୀଙ୍କୁ ନିରାପଦ ରଖିବା ନାମରେ ସେ ନାନାପ୍ରକାର କଟକଣା ଜାରି କରିବେ ଏବଂ ଅପରାଧୀଙ୍କୁ ଧରିବା ନାମରେ ଗୁଡ଼ାଏ ହଟ୍ଟଗୋଳ ଭିଆଇବେ । ଲୋକମାନଙ୍କର ଦୃଷ୍ଟି ସବୁବେଳେ ପୁଲିସଙ୍କ ଉପରେ ରହିବ । ଲୋକଙ୍କ ଗତିବିଧିରେ କଟକଣା ହେଲେ ଗଣ୍ଡଗୋଳ ହେବ–ଏ ଆଶଙ୍କା ଅକାରଣ ବୋଲି ମୋର ମନେ ହେଉଛି । କିନ୍ତୁ ମହନ୍ତ ମହାରାଜ ବିଚାରୁଛନ୍ତି ଯେ, ଅକାରଣ ହେଲେବି, ଏଭଳି ଆଶଙ୍କାପାଇଁ ବାଟ ରଖିବା ଉଚିତ ନୁହେଁ । ତେଣୁ ସେ ଆଜି ଜିଲା ମାଜିଷ୍ଟ୍ରେଟଙ୍କୁ ଜଣାଇଦେଇଛନ୍ତି, ପୁଲିସ ବା ହାକିମ ଶାନ୍ତି ରକ୍ଷା କରିବାପାଇଁ ଯଦି ଆସନ୍ତି ତେବେ ସେ ଓ ତାଙ୍କ ନାଗାମାନେ ବିରୋଧ କରିବେ ।”

 

ବାବୁଜୀ ପୁଣି କହିଲେ, “ମହନ୍ତ ମହାରାଜଙ୍କର ପ୍ରଧାନ ଆପତ୍ତି, ପ୍ରଧାନମନ୍ତ୍ରୀ ବୁଡ଼ ପକାଇବାକୁ ଆସିବାରେ । ତାଙ୍କ କାନକୁ ଆସିଛି ଯେ, ପ୍ରଧାନମନ୍ତ୍ରୀ ଏବେ ଗୋଟାଏ ସଭାରେ କହିଛନ୍ତି–ମହାକୁମ୍ଭ ଯୋଗରେ ବୁଡ଼ ପକାଇଲେ ପୁଣ୍ୟ ହୁଏ ବୋଲି ବିଚାରିବା କୁସଂସ୍କାର । ଗଙ୍ଗାର ଜଳ ଆଜି ଯେତିକି ପବିତ୍ର ମହାକୁମ୍ଭ ଯୋଗରେ ତହିଁରୁ ଅଧିକ ପବିତ୍ର ହୋଇ ନ ପାରେ–ଏଇ କଥା ଶୁଣି ମହନ୍ତ ମହାରାଜ ଚଟି ଯାଇଛନ୍ତି । ସେ କହୁଛନ୍ତି, ଯାହାର ଏଭଳି ଅବିଶ୍ୱାସ ସେ କୁମ୍ଭମେଳାକୁ ଆସିବ କାହିଁକି ? ଯଦି ଆସିବ, ଏତେ ସଲଟଣରେ ଆସିବ କାହିଁକି ? ଏ କ୍ଷେତ୍ରରେ ସବୁ ମଣିଷ ସମାନ–ରାଜା ପ୍ରଜା ଏକ ହୋଇ ବୁଡ଼ ପକାଇବେ ।”

 

ଦିଦି କହିଲେ, “ସେ ଯଦି ସମସ୍ତଙ୍କ ସଙ୍ଗେ ସମାନ ହୋଇ ନ ଆସନ୍ତି ତେବେ ଦୋଷ ତାଙ୍କର । ତାଙ୍କ ପାପ ତାଙ୍କୁ ଖାଇବ । ମହାରାଜ କାହିଁକି ବିରୋଧ କରିବେ ?”

 

ବାବୁଜୀ କହିଲେ, “ସେ କଥା ମୁଁ ଟିକିଏ ସୂଚାଇଲି । ମହନ୍ତ ମହାରାଜ କିନ୍ତୁ ଶୁଣିବାକୁ ନାରାଜ । ସେ କହୁଛନ୍ତି, ‘ମୋର ଗୁରୁଙ୍କ ସମୟରୁ, ତାଙ୍କ ଗୁରୁଙ୍କ ସମୟରୁ, ମୁଁ ଦେଖି ଆସିଛି ଏଠାରେ ସମସ୍ତ ସମାନ ଓ ସମସ୍ତଙ୍କ ତତ୍ତ୍ୱାବଧାନ ଆମେ ନାଗାମାନେ କରୁଁ । ଆମର ସେ ଅଧିକାରରେ ଆଞ୍ଚ ଆସିଲେ ଆମେ ବିରୋଧ କରିବୁଁ । ଅନ୍ତତଃ ଏ ସ୍ଥାନ ଛାଡ଼ି ଆମେ ଚାଲିଯିବୁଁ ।’ ମହାକୁମ୍ଭଯୋଗ ପଅର ଦିନ ପାହାନ୍ତିଆରୁ ଆରମ୍ଭ ହେବ । ମୋର ଆଶଙ୍କା, ନାଗାମାନେ ପଅର ପାହାନ୍ତିଆରେ ବୁଡ଼ ପାରି ବାହାରିଯିବେ । ସେମାନେ ବାହାରିଗଲେ ମେଳାରେ ଶୃଙ୍ଖଳା ରହିବ ନାହିଁ । ନାଗାମାନେ ଗଲାବେଳେ ସଦଳବଳେ ଯିବେ, କୁଦି ଚକଟି ଦେଇ ଯାଇ ପାରନ୍ତି, ସେମାନେ ପୁଲିସଙ୍କ ଯୋଗୁଁ ଚାଲି ଯାଉଛନ୍ତି ବୋଲି ଜନତା ଜାଣିଲେ, ସରକାର ଧର୍ମରେ ହସ୍ତକ୍ଷେପ କରୁଛି ବୋଲି ଉତ୍ତ୍ୟକ୍ତ ହୋଇପାରନ୍ତି । ଚାରି ପାଞ୍ଚ ଲକ୍ଷ ଲୋକଙ୍କ ଗହଳିରେ ଟିକିଏ ଗଣ୍ଡଗୋଳ ହୋଇଗଲେ ଅସମ୍ଭାଳ ହୋଇଯିବ । ସମସ୍ତେ ନିଜ ଦେହକୁ ଜଗି, ଧର୍ମକୁ ମାନି ରହିଲେ ସିନା, ପୁଲିସ ମିଛରେ ପଇଁତରା ମାରି ରକ୍ଷା କଲେ ବୋଲି ବହାଦୁରି ନିଅନ୍ତି । ପାଞ୍ଚ ଲକ୍ଷ ଲୋକଙ୍କୁ ହଜାରେ ପୁଲିସ କରିବେ କ’ଣ ?”

 

ଦିଦି କହିଲେ, “ଆଜିକାଲି ତ ଟିକକ କଥାରେ ପୁଲିସ ଗୁଳି ଫାଏର କରୁଛନ୍ତି, ଲୁହବୁହା ଗ୍ୟାସ୍ ଛାଡ଼ିଦେଉଛନ୍ତି, ନ ପାରିବେ କାହିଁକି ?” ବାବୁଜୀ କହିଲେ, “ସେ ତ ସବୁଠାରୁ ବଡ଼ ବିପଦ । ଲୋକେ ଉତ୍ତେଜିତ ନ ହୋଇ ଯଦି ଆତଙ୍କିତ ହୋଇଯାନ୍ତି ତେବେ ତ କୁଦି ଚକଟି ହୋଇ କେତେ ଲୋକ ମରିଯିବେ ।”

 

ଏଭଳି ଆଲୋଚନା କରୁକରୁ ଆମେ ସମସ୍ତେ ଆମପାଇଁ ପ୍ରସ୍ତୁତ ହୋଇଥିବା କୁଡ଼ିଆ ଆଡ଼କୁ ଗଲୁ । କୁଡ଼ିଆ ଭିତରେ ମସିଣା ଦି’ଚାରିଖଣ୍ଡ ପଡ଼ିଥାଏ । ଗୋଟିଏ କୋଣରେ ପିଇବା ପାଣି ମାଠିଆ ଓ ଗୋଟିଏ ମାଟି ଗ୍ଲାସ୍ ରଖାହୋଇଥାଏ । ଆମେ ସେ କୁଡ଼ିଆରେ ପଶନ୍ତେ ଜଣେ ନାଗା ସନ୍ନ୍ୟାସୀ ଆସି ବାବୁଜୀଙ୍କୁ କହିଲେ, “ଆଉ ଯଦି ଆପଣଙ୍କର କ’ଣ ଦରକାର ମୋତେ କହିବେ । ଆପଣମାନଙ୍କର ହେପାଜତ ବୁଝିବାକୁ ମହନ୍ତ ମହାରାଜ ମୋତେ ନିଯୁକ୍ତ କରିଛନ୍ତି ।” ବାବୁଜୀଙ୍କ ମନରୁ ମଧ୍ୟ ଚିନ୍ତା ଦୂର ହେଲା ପରି ମୋତେ ଲାଗିଲା । ସେ ଦିଦିଙ୍କୁ କହିଲେ, “ବଡ଼େ ମହାରାଜଙ୍କୁ ମହନ୍ତ ଖୁବ୍ ଖାତିର କରନ୍ତି । ମୁଁ ତାଙ୍କ ନାମ କହିବାମାତ୍ରେ ସେ ଆମର ସବୁ ସୁବିଧା କରିଦେଇଛନ୍ତି ।” ନାଗାମାନଙ୍କର ନେତା ଆମର ରକ୍ଷକ ଥିବା ସ୍ଥଳେ ଆଉ ଚିନ୍ତା କ’ଣ ? ଆମେ ସମସ୍ତେ ଖୁବ୍ ହାଲିଆ ହୋଇଥିଲୁଁ । କୁଡ଼ିଆ ଭିତରେ ପଶିବାମାତ୍ରେ ଚଟେଇ ପାରି ଶୋଇପଡ଼ିଲୁଁ । ବାବୁଜୀ କୁଡ଼ିଆରେ ଖଣ୍ଡେ ଚଟେଇ ପକାଇ ବିଶ୍ରାମ ନେଲେ ।

 

ରାତିଟି କେମିତି କଟିଗଲା କେହି ଜାଣିପାରିଲୁ ନାହିଁ । ଭୋରରୁ ଉଠି ଗଙ୍ଗା ତୀରରେ ପ୍ରାୟ ଦୁଇ ମାଇଲ ତଳକୁ ଯାଇ ଗାଧୁଆପାଧୁଆ ସାରି ଫେରିଲୁ । ଜଳଖିଆ କରି ମେଳା ପଡ଼ିଆରେ ବୁଲି ବୁଲି ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁ ସନ୍ନ୍ୟାସୀମାନଙ୍କର ଦର୍ଶନ କରିବାରେ ଲାଗିଲୁଁ । ସମଗ୍ର ଭାରତର ଲୋକେ ଏଠାରେ ଜମା ହେଲାପରି ଲାଗୁଥାଏ । କାଲିଠାରୁ ଆଜି ବେଶି ଲୋକ । ବାବୁଜୀ କହିଲେ, “ଆଜି ସନ୍ଧ୍ୟାକୁ ଆହୁରି ବେଶି ଲୋକ ହେବେ । ଭୋରରେ ବୁଡ଼ ପାରି ସାରିଲା ପରେ କିଣାବିକା ଲାଗିବ । ତା’ପରେ କ୍ରମେ କ୍ରମେ ଲୋକ ପତଳା ହେବେ ।” ହରକେ ରକମର ପସରା ମେଲା ହେଉଥାଏ । ହାତୀ, ଘୋଡ଼ା, ଗାଈଗୋରୁ, ବାସନବର୍ତ୍ତନ, ପନିପରିବା–ସବୁ ଭିନ୍ନ ଭିନ୍ନ ଜାଗାରେ ହାଟରେ ସଜଡ଼ା ହେଲା ପରି ରହିଥାନ୍ତି । ଯାତ୍ରୀମାନେ ବୁଲି ବୁଲି ସବୁ ଦେଖୁଥାନ୍ତି କିନ୍ତୁ କିଣାବିକା ଆଦୌ ହେଉନଥାଏ । ଗହଳି ହୋଇଥାଏ ବିଭିନ୍ନ ସ୍ଥାନରେ ଆସ୍ଥାନ ଜମାଇ ଧର୍ମଚର୍ଚ୍ଚା କରୁଥିବା ସାଧୁ ସନ୍ନ୍ୟାସୀଙ୍କ ଚାରିପଟେ ଓ ଭଜନ କୀର୍ତ୍ତନ ଲାଗିଥିବା ସ୍ଥାନରେ । ତୁଳସୀ ରାମାୟଣ ଅର୍ଥ କରୁଥିବା ସାଧୁଙ୍କ ଆସରରେ ଆମେ ଓପରଓଳି ଯାଏଁ ବସିଗଲୁ । ସାଧୁ ପାରାୟଣ ବନ୍ଦ କରି ଉଠିବାରେ ଆମେ ଉଠିଲୁ ଆମ କୁଡ଼ିଆକୁ ଯିବାକୁ । ସେଠାରେ ଯାଇ ଦେଖିଲୁ, ଆମ କୁଡ଼ିଆ ପଛପଟେ ଅନେକ ଲୋକ ଆସି ଆସ୍ଥାନ ପକାଇଲେଣି । ଆଉ କେତୋଟି କୁଡ଼ିଆ ଗଢ଼ି ଉଠିଥାଏ । ଅଧିକାଂଶ ଲୋକ କିନ୍ତୁ ବସିଥାନ୍ତି, ଶୋଇଥାନ୍ତି ବାଲି ଉପରେ ।

 

ଆମେ କୁଡ଼ିଆରେ ବିଶ୍ରାମ କରୁଛୁ, ଦୁଇ ଚାରି ଜଣ ପୁଲିସବାଲା ଆସି ଗୋଡ଼ରୁ ଜୋତା ନ କାଢ଼ି ମହନ୍ତ ମହାରାଜ ଯେଉଁ କୁଡ଼ିଆରେ ଥିଲେ ତା’ ମୁହଁରେ ଯାଇ ଠିଆ ହୋଇ ରୁକ୍ଷ ସ୍ୱରରେ ମହନ୍ତ ମହାରାଜଙ୍କୁ ଡାକିଲେ । ମହନ୍ତ ବାହାରକୁ ନ ଆସି ଭିତରୁ ନିର୍ଦ୍ଦେଶ ଦେଲେ, “ଏମାନଙ୍କୁ ହଟାଅ ।” ସାଙ୍ଗେ ସାଙ୍ଗେ ଆଠ ଦଶଜଣ ପଞ୍ଚହତା ନାଗା ଆସି ପୁଲିସବାଲାଙ୍କୁ ବାହାରିଯିବାକୁ ହୁକୁମ ଦେଲେ, କହିଲେ, “ଯଦି ମହନ୍ତ ମହାରାଜଙ୍କ ସଙ୍ଗେ କଥାବାର୍ତ୍ତା କରିବାକୁ ଆସିଛନ୍ତି ତେବେ ଗୋଡ଼ରୁ ଜୋତା ଓ କାନ୍ଧରୁ ଚମଡ଼ା ପଟି କାଢ଼ି ଆସନ୍ତୁ । ନହେଲେ ହତା ବାହାରକୁ ଯାଇ କ’ଣ କହିବାକୁ ଆସିଛନ୍ତି କହନ୍ତୁ ।” କ’ଣ ଗୋଟାଏ ଗଣ୍ଡଗୋଳ ହୋଇଯିବ ହୋଇଯିବ ବୋଲି ଆମେ, ଓ ପାଖଆଖରେ ଥିବା ସମସ୍ତେ ଆତଙ୍କିତ ହୋଇ ଚାହିଁ ରହିଲୁଁ । ଯାହା ହେଉ, କିଛି ହେଲା ନାହିଁ, ପୁଲିସବାଲା ମାନେ ମାନେ ଅପସରିଗଲେ । ମନରୁ ଆଶଙ୍କା ଛାଡ଼ି ଆମେ ଆରାମରେ ଶୋଇଲୁଁ ।

 

ଭୋର ଚାରିଟା ବେଳକୁ ବୁଡ଼ ବେଳ । ରାତି ପହରେ ଥାଇ ସମସ୍ତେ ଉଠି ପଡ଼ି କାଲି ଯୁଆଡ଼େ ଯାଇଥିଲୁ ସେଠାରେ ଯାଇ ନିତ୍ୟକର୍ମ ସାରି ସମସ୍ତେ ଯେଉଁ ତରଫରରେ ବୁଡ଼ ପାରୁଥିଲେ ସେଠାରେ ବୁଡ଼ ପକାଇଲୁଁ । କୁଡ଼ିଆକୁ ଫେରିଲା ବେଳକୁ ସୂର୍ଯ୍ୟ ବାହାରୁଥାନ୍ତି । ଆମ କୁଡ଼ିଆ ଆଗରେ ପୁଲିସଙ୍କର ବିରାଟ ସଜ୍ଜା ! ମଝିରେ ପାଞ୍ଚହାତ ଜାଗା ଛାଡ଼ି ଲମ୍ବହୋଇ ଦୁଇଧାଡ଼ିରେ କେତେ ନା କେତେ ପୁଲିସ ଠିଆ ହୋଇଛନ୍ତି । ସମସ୍ତଙ୍କ କାନ୍ଧରେ ବନ୍ଧୁକ; ସଙ୍ଗିନ୍ ସୂର୍ଯ୍ୟକିରଣରେ ସୁନାପରି ଦିଶୁଥାଏ । ପୁଲିସଙ୍କ ଧାଡ଼ି ମଝିରେ ଘୋଡ଼ା ଚଢ଼ି ଦୁଇ ଜଣ ଅଫିସର ଯିବା ଆସିବା କରୁଥାନ୍ତି; ପୁଲିସଙ୍କ ଧାଡ଼ିଠାରୁ ଦୂରରେ ରହିବାକୁ ଲୋକଙ୍କୁ ସତର୍କ କରୁଥାନ୍ତି । ବାବୁଜୀ ପରସ୍ପରରେ ଶୁଣିଲେ, ପ୍ରଧାନମନ୍ତ୍ରୀ ସାତଟାବେଳେ ଆସିବେ ବୋଲି ହୁକୁମ ଦେଇଛନ୍ତି । ତାଙ୍କରିପାଇଁ ଏ ଆୟୋଜନ ।

 

ନାଗାମାନଙ୍କ ଛାଉଣୀର ଠିକ୍ ସାମନାରେ ପୁଲିସଙ୍କ ଧାଡ଼ି । ତା’ଭିତରୁ ବାହାରିବାର ବାଟ ନ ଥାଏ । ଜଣେ ନାଗା ମହନ୍ତଙ୍କ କୁଡ଼ିଆ ସାମନାରୁ ଆସି ପୁଲିସ ଲାଇନ ଭିତରେ ପଶି ବାହାରକୁ ଆସିଲା ବେଳକୁ ଘୋଡ଼ାରେ ଚଢ଼ିଥିବା ପୁଲିସ ସାହେବ ତାଙ୍କ ଉପରେ କୋରଡ଼ାରେ ପାହାରେ ଦେଇ କହିଲେ, “ହଟିଯାଅ, ସାଢ଼େ ସାତ ପର୍ଯ୍ୟନ୍ତ ଏ ବାଟରେ କେହି ଆସି ପାରିବେ ନାହିଁ ।” ନାଗା ଜଣକ କିଛି ନ କହି ମହନ୍ତଙ୍କ କୁଡ଼ିଆ ଭିତରକୁ ପଶିଗଲେ । ଆଉ ଦି’ ଚାରିଜଣ ଡକା ହୋଇ ସେଇ କୁଡ଼ିଆକୁ ଗଲେ । ପାଞ୍ଚ ମିନିଟ୍ ପରେ ବଂଭୋଳା ବୋଲି ଗୋଟାଏ ରଡ଼ି ଶୁଭିଲା । ଶହ ଶହ କଣ୍ଠରୁ ପାଳି ଧରି ବାହାରିଲା ସେଇ ନାଦ ‘ବଂଭୋଳା’ । କୁଡ଼ିଆ ମୁହଁକୁ ବାହାରିପଡ଼ିଲେ ମହନ୍ତ ମହାରାଜ । ଏପର୍ଯ୍ୟନ୍ତ ତାଙ୍କୁ ଦେଖି ନଥିଲି । ବାପରେ, କି ଚେହେରା ! ଅନ୍ୟ ସବୁ ନାଗାଙ୍କଠାରୁ ୟେ ଚାରି ଛ’ ଆଙ୍ଗୁଳ ଉଚ୍ଚ, ଦେହ ବଳି ଦେଲାପରି, ମୁହଁରେ ସିଂହର ଠାଣି । କପାଳରେ ଓ କଣ୍ଠରେ ସିନ୍ଦୂର ବୋଳା ହୋଇଥାଏ, ଆଖି ସିନ୍ଦୂର ପରି ଲାଲ । ତାଙ୍କ ପାଖରେ ଥିବା ପରିଚାରକ ଗୋଟାଏ ଚୁଙ୍ଗାରେ ମୁହଁ ଦେଇ ଘୋଷଣା କଲେ, “କୁମ୍ଭମେଳାରେ ସରକାର ଅଦ୍ୱୈତି ଆରମ୍ଭ କରିଛନ୍ତି । ସାଧୁ ସନ୍ନ୍ୟାସୀଙ୍କୁ ମାଡ଼ ହୋଇଛି । ନାଗାମାନେ ଆଉ ଏ ସ୍ଥାନରେ ରହିବେ ନାହିଁ । ସମସ୍ତେ ଆଡ଼େଇ ହୁଅ । ମହାରାଜ ମେଳା ପଡ଼ିଆର ପଶ୍ଚିମ ତରଫରେ ଯାଇ ଆସ୍ଥାନ ଜମାଇବେ ।” ଏହା କହି ସେ ‘ବଂ ବଂ ଭୋଳା’ ବୋଲି ତିନିଥର ରଡ଼ି କଲେ ।

 

ମହନ୍ତ ମହାରାଜ ଆଗକୁ ପାଦ ବଢ଼ାଇବାମାତ୍ରେ ନାଗା ସନ୍ନ୍ୟାସୀ ସମସ୍ତେ ଆଗେଇଲେ । ସମସ୍ତଙ୍କ ହାତରେ ଗୋଟାଏ ଗୋଟାଏ ମସ୍ତବଡ଼ ଚିମୁଟା । ସେମାନଙ୍କ ପଛେ ପଛେ ତାଙ୍କ ଦଳର ହାତୀ ଓ ଘୋଡ଼ା ମଧ୍ୟ ସଲଟଣରେ ବାହାରିଲେ ନାଗାମାନଙ୍କ ଆଖି ଆଗକୁ । ଏପାଖ ସେପାଖକୁ କାହାରି ଦୃଷ୍ଟି ନ ଥାଏ । ମୁହଁରେ ରାଗ, ଆନନ୍ଦ ବା ଘୃଣା କିଛି ଜଣାପଡ଼ୁନଥାଏ-। ସେମାନଙ୍କ ଆଗରୁ ପୁଲିସବାଲା ଛତ୍ରଭଙ୍ଗ ଦେଲା ପରି ଆଡ଼େଇ ହୋଇଗଲେ ଏବଂ ଲାଠି ଓ ବନ୍ଧୁକ କୁନ୍ଦାରେ ଲୋକଙ୍କୁ ପଛକୁ ଠେଲିବାକୁ ଲାଗିଲେ ।

 

ନାଗା ଦଳର ଶେଷ ଓଟ ଆମ ଆଗରେ ଆଗେଇଯିବା ପରେ ହଠାତ୍ ‘ହୋ’ କରି ଗୋଟାଏ ଶବ୍ଦ ପଛରୁ ଶୁଣାଗଲା । ଅନୁଭବ କଲି ମୋ ଉପରେ ଗୁଡ଼ାଏ ଲୋକ କୁଦି ଚକଟି ପକାଉଛନ୍ତି ଓ ମୋତେ ଜଣେ କିଏ ଟେକିନେଇ କୁଆଡ଼େ ଧାଇଁଯାଉଛି ।

 

(୨୦)

 

ମୋର ଯେତେବେଳେ ହୋସ୍ ଆସିଲା ସେତେବେଳକୁ ସଞ୍ଜ ମାଡ଼ିଆସୁଥାଏ । ଚାରିଆଡ଼େ ଆଖି ବୁଲାଇ ଚାହିଁ ଆଶ୍ଚର୍ଯ୍ୟ ହେଲି । ମୁଁ ଡାକ୍ତରଖାନାର ଗୋଟାଏ ଖଟିଆରେ ପଡ଼ିଥାଏ । ଚାରିପାଖେ ଖଟିଆମାନଙ୍କରେ ଧାଡ଼ି ଧାଡ଼ି ରୋଗୀ ପଡ଼ିଥାନ୍ତି । ସମସ୍ତେ ସ୍ତ୍ରୀଲୋକ । ମୁଁ କେଉଁ ରୋଗରେ ପଡ଼ି ଏଠାରେ ଆସି ପହଞ୍ଚିଛି ଜାଣିପାରୁନଥାଏ । କୁମ୍ଭମେଳାର ଗୋଳମାଳ କଥା ମୋର ଝାପ୍‌ସାଭାବେ ମନେ ପଡ଼ୁଥାଏ । ଚିହ୍ନା ଲୋକ ଜଣେ ଦେଖିଲେ ମୁଁ କଥାବାର୍ତ୍ତା ହେବି ବୋଲି ଆଖି ବୁଲାଉଥାଏ ।

 

ଟିକକ ପରେ ଜଣେ ନର୍ସ ଆସି ମୋ ପାଖରେ ଠିଆ ହେଲେ । ଆନନ୍ଦରେ ତାଙ୍କ ମୁହଁ ଫାଟି ପଡ଼ୁଥାଏ । ଦୂରରୁ ତାଙ୍କୁ ଦେଖି ବିଚାରିଥିଲି, ୟେ ମୋର ଚିହ୍ନା ଲୋକ ଦିଲ୍ଲୀ ଡାକ୍ତରଖାନାରୁ ଏଠାକୁ ବଦଳି ହୋଇ ଆସିଛନ୍ତି । ପାଖରୁ ଚାହିଁବାରେ ଜାଣିଲି, ୟେ ସେ ନୁହନ୍ତି । ପୋଷାକ ସମାନ ଥିବାରୁ ଏକା ଲୋକ ଜଣାପଡ଼ୁଥିଲା । ସେ ମୋ ମୁଣ୍ଡରେ ହାତ ବୁଲାଇ କହିଲେ, “ଝିଅ ! ତୁ ଆଜି ଆଖି ମେଲେଇ ଚାହିଁବାରୁ ଆମ ସମସ୍ତଙ୍କର ଗୋଟାଏ ବଡ଼ ଚିନ୍ତା ଗଲା । ଡାକ୍ତରବାବୁ ତ ୪ ଦିନ ହେଲା କହୁଛନ୍ତି, ଖୁବ୍ ଶୀଘ୍ର ତୋର ଚେତା ଫେରିବ । ତୋ ବାବୁଜୀ ତ ଏଇ ଅଧଘଣ୍ଟା ପୂର୍ବେ ଡାକ୍ତରଙ୍କୁ କହୁଥିଲେ, ଆଉ କିଛି ଓଷୁଅ ଦେବାକୁ । ଡାକ୍ତରବାବୁ କହିଲେ, ‘ଓଷୁଅ ଆଉ ଦରକାର ନାହିଁ । ମସ୍ତିଷ୍କରେ କୌଣସି ଚୋଟ ଲାଗି ନାହିଁ । ଭୟାବହ ଘଟଣା ଦେଖି ମସ୍ତିଷ୍କ ଚହଲି ଯାଇଥିଲା । ବିଶ୍ରାମ ପାଇଲେ ତା’ ମନକୁ ମସ୍ତିଷ୍କର ଯନ୍ତ୍ର ସଜାଡ଼ି ହୋଇଯିବ ।’ ସେଇଆ ତ ହେଲା-। ପ୍ରଭୁ ଯିଶୁଙ୍କ ଇଚ୍ଛା ପୂର୍ଣ୍ଣ ହେଉ ।”

 

ବାବୁଜୀ ମୋ ପାଖରେ ଅଛନ୍ତି । ତାଙ୍କର କିଛି ହୋଇନାହିଁ, ସେ ଭଲ ଅଛନ୍ତି; ମୋର ହେପାଜତ ବୁଝୁଛନ୍ତି ଶୁଣି ମନ ଭାରି ଆନନ୍ଦ ହେଲା । କିନ୍ତୁ ନର୍ସଙ୍କୁ କିଛି ପଚାରିଲି ନାହିଁ । ସେ ନୂଆ ଲୋକ, କେଜାଣି କ’ଣ ବିଚାରିବେ ? ସେ ମୁଡ଼ୁକି ମୁଡ଼ୁକି ମୋ ଆଡ଼କୁ ଚାହିଁ କହିଲେ, “ତୋ ବାବୁଜୀ ବର୍ତ୍ତମାନ ଆସି ପହଞ୍ଚିବେ । ବିଚରା ଖାଇବା ଶୋଇବା ପାସୋରି ତୋ’ରି ପାଖରେ ବସିଛନ୍ତି । ଆଜି ତୁ ଆଖି ଖୋଲିବୁ ବୋଲି ଡାକ୍ତରବାବୁ ସକାଳେ ତୋର ଦେହ ପରୀକ୍ଷା କରି କହିଥିବାରୁ ଏତେବେଳଯାଏଁ ନ ଖାଇ ନ ପିଇ ଚାହିଁକରି ବସିଥିଲେ । ଚାହିଁବେ ନାହିଁ ? ଏଭଳି ମାଇପିଟିଏ ଯାହାକୁ ମିଳିଛି ତା’ ମନ କ’ଣ ହେଉଥିବ ସେ ଜାଣେ । ମୋତେ କହିକରି ଗଲେ, ମୁଁ ନ ଥିବାବେଳେ ଯଦି ଆଖି ଖୋଲିବ, କହିବେ ‘ବାବୁଜୀ’ ଏଇଲାଗେ ଆସିବେ । ତୁ ତାଙ୍କୁ ବାବୁଜୀ ବୋଲି ଡାକୁ, ନାଇଁ ? ତମ ହିନ୍ଦୁମାନେ ପରା ଗେରସ୍ତ ନାଁ ଧରନ୍ତି ନାଇଁ !”

 

ଏ ଗପୁଡ଼ି ମଣିଷକୁ କିଛି ଉତ୍ତର ଦେବାକୁ ମନ ହେଲା ନାଇଁ; ହାଲିଆବି ଲାଗୁଥାଏ । ନର୍ସ ପଚାରିଲେ, ଭୋଖ ହେଉଛି ? ମୁଁ ମୁଣ୍ଡ ହଲାଇଦେଲି । ସେ କହିଲେ, ଡାକ୍ତରବାବୁ କହିଛନ୍ତି ପେଟ ଯେତେ ଖାଲି ରହିବ ସେତେ ଭଲ । ଖାଇବାକୁ ଖୋଜିଲେ ଦେବ । ବର୍ତ୍ତମାନ ଝିଅ, ତୋର ପୁଣି ଶୋଇବା ଦରକାର ବୋଲି ସେ କହିଛନ୍ତି । ନ ଶୋଇ ଏଣୁତେଣୁ ଗୁଡ଼ାଏ ବିଚାରିଲେ, ମୁଣ୍ଡ ପୁଣି ବିଗିଡ଼ିଯିବ । ସାଙ୍ଗେ ସାଙ୍ଗେ ସେ ଗୋଟିଏ ଛୋଟ ଗ୍ଲାସ୍‍ରେ ନାଲିପାଣି ଟିକିଏ ଦେଲେ । ପାଞ୍ଚ ମିନିଟ ଭିତରେ ନିଦ ଘୋଟି ଆସିଲା । ବାବୁଜୀ ଆସି ମୋ ପାଖେ ବସିଲେ ଜାଣିଲି, କିନ୍ତୁ କିଛି କହିବା ପୂର୍ବରୁ ମୁଁ ପୁଣି ଶୋଇଗଲି ।

 

ନିଦ ଭାଜିଲା ବେଳକୁ ବୋଧହୁଏ ରାତି ଥାଏ । ଇଲେକ୍‍ଟ୍ରିକ୍ ଆଲୁଅ ଯୋଗୁଁ ଅନ୍ଧାର ନ ଥାଏ କିନ୍ତୁ ସବୁ ଆଡ଼ ନିଃଶବ୍ଦ ଜଣାପଡ଼ିବାରୁ ରାତି ବୋଲି ଜାଣିଲି । ମୋ ଖଟିଆ ପାଖରେ ଗୋଟାଏ ଟୁଲ୍ ଉପରେ ବାବୁଜୀ ମୋ ଆଡ଼କୁ ଚାହିଁ ବସିଥାନ୍ତି । ମୁଁ ତାଙ୍କ ଆଡ଼କୁ ଚାହିଁ ପଚାରିଲି, ଦିଦି, ଭାବି ଏଇଠାରେ ଅଛନ୍ତି ? ବାବୁଜୀ ଅନ୍ୟମନସ୍କଭାବେ ହୁଁ ବୋଲି କହିଲେ, ତା’ପରେ ପଚାରିଲେ, ‘‘ତୁମର କିଛି ଖାଇବାକୁ ମନ ହେଉଚି ? ନର୍ସ କହିଛି, ଭୋଖ ହେଲେ ଟିକିଏ କମଳାରସ ପିଇ ପୁଣି ନିଦ ଓଷୁଅ ଖାଇବ । ପୂରା ୨୪ ଘଣ୍ଟା ଶୋଇରହିବା ଦରକାର । ତା’ପରେ ସବୁ ଠିକ୍ ହୋଇଯିବ ।” ମୁଁ ପଚାରିଲି, ମୋର ହୋଇଚି କ’ଣ ? ସେ ବିରକ୍ତ ହେଲା ପରି କହିଲେ, “କିଛି ନ ହୋଇଥିଲେ ଏଠି ଥାନ୍ତ କାହିଁକି ? ଆଗ ଭୋଖ ହେଉଛି ନା ନାଇଁ କହ ।” ତାଙ୍କ ବିରକ୍ତି ଦେଖି ମୋତେ ହସ ମାଡ଼ିଲା । ଆଜିଯାଏଁ ସେ କାହା ଉପରେ ବିରକ୍ତି ହେବାର ଦେଖି ନଥିଲି । ହସକୁ ଚାପିରଖି ଭୋଖ ହେଉଛି ମୁଣ୍ଡ ଟୁଙ୍ଗାରିଲି । ମୋରି ଖଟିଆ ପାଖ ଛୋଟ ଆଲମାରିରେ କମଳାରସ ରଖାହୋଇଥିଲା । ସେଥିରୁ ୨।୩ ଚାମଚ ଖାଇଲା ପରେ ଆଉ ମନ ହେଲା ନାହିଁ । ତା’ପରେ ସେ ମୋ ମୁହଁରେ ପାଣି କନା ମାରି ରଖାହୋଇଥିବା ନିଦ ଓଷୁଅ ଖୁଆଇଦେଲେ । ଆଖିକୁ ଅନ୍ୟ ଆଡ଼କୁ କରି ତେରଛେଇ ତାଙ୍କ ଆଡ଼କୁ ଚାହୁଁଚାହୁଁ ନିଦ ହୋଇଗଲା ।

 

ତା’ପରେ ଯେତେବେଳେ ଉଠିଲି, ଆଉ ନିଦ ଓଷୁଆ ଖାଇବି ନାହିଁ ବୋଲି ଜିଦ୍ କଲି । ଡାକ୍ତରବାବୁ ଆସି ଟିକିଏ ଦେଖାଚାହାଁ କରି କହିଲେ, ଆଉ କୌଣସି ବିପଦର ଆଶଙ୍କା ନାହିଁ । ଆପଣ ଇଚ୍ଛାକଲେ ୟାଙ୍କୁ ଆଜି ଏଠାରୁ ନେଇଯାଇପାରନ୍ତି । କିନ୍ତୁ ଆଉ ୨୪ ଘଣ୍ଟା ରହିଲେ ଭଲ-। ଏଥର ଯାହା ଚାହିଁବେ, ଖାଇଲେ ଆପତ୍ତି ନାହିଁ । ଡାକ୍ତରବାବୁ ଯିବା ସାଙ୍ଗେ ସାଙ୍ଗେ ନର୍ସ ଆସି ପହଞ୍ଚି ମୋ’ ଖଟିଆର ଚାଦରକୁ ଟିକିଏ ସଜାଡ଼ିଦେଇ କହିଲେ, ‘ଏଥର ବାବୁଜୀ ! ଆମର ବକ୍ସିସ୍ ଦେଇ ଆପଣ ଘରକୁ ଫେରନ୍ତୁ ।’ ବାବୁଜୀ ଚିନ୍ତିତଭାବେ ହୁଁ ବୋଲି କହିଲେ ।

 

ତାଙ୍କର ଚିନ୍ତାକୁଳ ମୁହଁ ଦେଖି ମୁଁ ଚିନ୍ତିତ ହୋଇପଡ଼ିଲି । ୟାଙ୍କ ଭଳି ନିଶ୍ଚିନ୍ତମନା ଲୋକଙ୍କର ପୁଣି ଚିନ୍ତା କୋଉଥିକି ? ମୋରିପାଇଁ ନିଶ୍ଚୟ ବୋଲି ଭାବି କେଜାଣି କେମିତି ଗୋଟାଏ ଆନନ୍ଦ ଲାଗିଲା । ସଙ୍ଗେ ସଙ୍ଗେ କିନ୍ତୁ ସେ ଆନନ୍ଦ ଆଡ଼େଇ ହୋଇଗଲା, ଦିଦି, ଭାବି, ବଡ଼ ଦିଦି ଓ ବୁଢ଼ୀମାଙ୍କୁ ମନେପକାଇ । ଏମାନେ ଗଲେ କୁଆଡ଼େ ? ଭଲ ହେଲିଣି ଯେତେବେଳେ, ଏମାନଙ୍କ ପାଖକୁ ଯିବାରେ ଆଉ ବିଳମ୍ବ କରିବାର ନୁହେଁ । ବାବୁଜୀଙ୍କୁ ପଚାରିବାକୁ ତାଙ୍କ ମୁହଁକୁ ଚାହିଁଲି, କିନ୍ତୁ ତାଙ୍କର ଚିନ୍ତିତ ମୁହଁକୁ ଦେଖି ଆଖି ଫେରାଇନେଲି । ୟାଙ୍କର ମନ ଠିକ୍ ହେଉ, ଯଦି ତାଙ୍କ ଆଡ଼ୁ ମୋତେ କିଛି ନ କହିବେ, ତେବେ ପଚାରିବି ।

 

ପରେ ଜାଣିଲି ସବୁ କଥା ମୋତେ କେମିତି କହିବେ ସେଇଥିପାଇଁ ସେ ଚିନ୍ତିତ ଥିଲେ । ମୁଁ ସକାଳ ଓଳିର ଖିଆ ସାରି ଟିକିଏ ବିଶ୍ରାମ କଲା ପରେ ସେ ମୋତେ କହିଲେ, “ତାରା ଦେବୀ ! କାଲି ସକାଳୁ ଆମକୁ ଏ ଡାକ୍ତରଖାନା ଛାଡ଼ିବାକୁ ପଡ଼ିବ ।” ମୁଁ ଟିକିଏ ଉଷତ ହେବା ସ୍ଵାଭାବିକ, ପଚାରିଲି, “ବୁଢ଼ୀମାଙ୍କ ବସାରେ ଦିନେ ଖଣ୍ଡେ ରହି ହରିଦ୍ଵାର ଫେରିଗଲେ ଭଲ ହୁଅନ୍ତା ପରା ?” ସେ ହୁଁ କହି ଟିକିଏ ତୁନି ରହିଲେ । ତା’ପରେ କହିଲେ, “ତୁମର ଦେଖିବା ନିମନ୍ତେ ବଡ଼େ ମହାରାଜ ଏଠାକୁ ଆସିଥିଲେ; ଫେରିଲାବେଳେ ସେ ବୁଢ଼ୀମାଙ୍କୁ ଆଶ୍ରମକୁ ନେଇଯାଇଛନ୍ତି, ତାଙ୍କ ଘରଟି ଇତିମଧ୍ୟରେ ତାଙ୍କର ବଡ଼ପୁଅ ଗୋଟିଏ ସରକାରୀ ଅଫିସ୍‌କୁ ଭଡ଼ା ଲଗାଇଦେଲେଣି ।”

 

ଆପଣା ଛାଏଁ ଗୋଟାଏ ଦୀର୍ଘନିଃଶ୍ୱାସ ବାହାରିପଡ଼ିଲା । ପ୍ରତାପବାବୁଙ୍କ ଫଟୋଟି ଯେଉଁ ଘରେ ସଜାଇ କରି ରଖିଥିଲି ସେଠାକୁ ଯିବାକୁ ସକାଳୁ ମନ ହୋଇଥିଲା । ସେ ବାଟ ବନ୍ଦ । ମୋର ମନର ଆଶା ସବୁ ମୂଳରୁ ମରିଯାଉଥିବାରୁ ନିଃଶ୍ୱାସ ପକାଇଥିଲି । କିନ୍ତୁ ପଛରେ ଯାହା ଶୁଣିବାକୁ ଥିଲା, ତାହା ଜାଣିଥିଲେ, ବୁଢ଼ୀମାଙ୍କ ଘରକୁ ଯାଇନପାରିବାଟା ସେଡ଼େ ବଡ଼ ଲାଗିନଥାନ୍ତା ।

 

ମୋର ଦୀର୍ଘ ନିଃଶ୍ୱାସ ବାବୁଜୀ ତ ଶୁଣିଥିବେ ନିଶ୍ଚୟ । କିନ୍ତୁ ପ୍ରତାପବାବୁ ବା ତାଙ୍କ ମା’ଙ୍କ ସଙ୍ଗେ ମୋର ସମ୍ପର୍କ କଥା ତାଙ୍କୁ ଜଣାଥିଲା ବୋଲି ମୁଁ ମନେକରୁ ନଥିଲି । ତେଣୁ ତାଙ୍କ ମନରେ ସ୍ଥାୟୀ ବିରସ ଭାବ ଦେଖି ମୋତେ କେମିତି କେମିତି ଲାଗୁଥାଏ । ମୋ’ର ବ୍ୟବହାରରେ ତାଙ୍କ ମନରେ କୌଣସି ଆଘାତ ହୋଇନାହିଁ ତ ? ମୋ’ପାଇଁ ସେ ଏତେ ଦିନ ଏଠାରେ ପଡ଼ିଆ ହୋଇ ବସି ରହିବାରୁ ଆଶ୍ୱସ୍ତି ଅନୁଭବ କରୁନାହାନ୍ତି ତ ? ଏହିପରି ଗୁଡ଼ାଏ ବିଚାରି ମୁଁ ସଂକୋଚ ଛାଡ଼ି ତାଙ୍କୁ ପଚାରିଲି, “ବାବୁଜୀ ! ମୋ’ର ଚେତା ଆସିଲା ବେଳୁଁ ଆପଣଙ୍କ ମୁହଁରେ ବିରସଭାବ ଦେଖୁଛି । ସେଥିପାଇଁ ମୋତେ ଭାରି ଖରାପ ଲାଗୁଛି ।”

 

ବାବୁଜୀ ଈଷତ୍ ହସିଲେ; କହିଲେ, “ତାରା ଦେବୀ ! ସଂସାରର ଦୁଃଖସୁଖର ବିଚଳିତ ନ ହେବାପାଇଁ ମୋର ଗୁରୁଦେବ ମୋତେ ବହୁ ଉପଦେଶ ଦେଇଛନ୍ତି । ମୋର ବିଶ୍ୱାସ, ମୁଁ ମୋ’ପାଇଁ ଚିନ୍ତିତ ହେବା ଛାଡ଼ିଛି । ମୁଁ ବୁଝିଛି, ସଂସାରରେ ଯାହା ଘଟୁଛି, ଏପରିକି ଆମ ଜୀବନରେ ଯାହା ଘଟୁଛି, ତାକୁ ଏପଟ ସେପଟ କରିବାର କ୍ଷମତା ଆମର ନାହିଁ । ଗୋଟାଏ ବଡ଼ ଶକ୍ତିର କ୍ରୀଡ଼ାପୁତ୍ତଳିକା ହୋଇ ଆମେ ନାଚୁଥାଉଁ । ତୁମର ସେଇ ଭାବ ଆସିଲାଣି କି ନାହିଁ ସନ୍ଦେହ ହେବାରୁ ମୁଁ ଚିନ୍ତିତ । …ମୁଁ ତୁମ ଜୀବନର ଇତିହାସ ଅଳ୍ପ ବହୁତେ ଜାଣେ । ତୁମେ ସେଇ ସବୁ ମନେପକେଇ ଜାଣୁଥିବ, ତୁମେ ଯେ ଆଜି ପର୍ଯ୍ୟନ୍ତ ବଞ୍ଚିରହିଛ ସେଥିରେ ତୁମ ନିଜର କର୍ତ୍ତୃତ୍ୱ ନଥିଲା । ସେହି ଓପରବାଲାର ଅନୁଗ୍ରହ ବା ନିଗ୍ରହରେ ତୁମର ଭଲମନ୍ଦ ଯାହା ହୋଇଛି । ତୁମେ ଏହା ଭଲ କରି ହୃଦୟଙ୍ଗମ କରିଛ ବୋଲି ଜାଣିଲେ ମୋର ଦୁଶ୍ଚିନ୍ତା ଦୂର ହୁଅନ୍ତା ।”

 

ମୁଁ ତୁନି ରହି ତାଙ୍କ ଆଡ଼କୁ ଚାହିଁ ରହିଲି, କିନ୍ତୁ ମନେମନେ ମୋର ପିତାମାତାଙ୍କ ମରଣ ଦିନୁଁ ଆଜି ପର୍ଯ୍ୟନ୍ତର–ନା, କୁମ୍ଭମେଳା ଦିନ ପର୍ଯ୍ୟନ୍ତର ସବୁ ଘଟଣା ସ୍ମରଣ କରିବାରେ ଲାଗିଲି । ସେ ଜିଜ୍ଞାସୁ ହୋଇ ମୋ’ ଆଡ଼କୁ ଚାହିଁ ରହିଲେ । ମୁଁ କିଛି ନ କହିବାରୁ ସେ ପୁଣି କହିବାକୁ ଲାଗିଲେ, “ତୁମେ ଚେତା ପାଇବା ବେଳୁଁ ଖାଲି ସେତିକି ବିଚାରୁଛି–ତୁମକୁ ଭଗବାନ୍ ଏପର୍ଯ୍ୟନ୍ତ ଯେତେ ଦୁଃଖ କଷ୍ଟ ଓ ବିପଦ ଆପଦରେ ତାଲିମ ଦେଲେଣି ତାହାର ପୂର୍ଣ୍ଣ ଫଳ ତୁମଠାରେ ପ୍ରକାଶ ହୋଇଛି ନା ନାହିଁ । ପୁଣି ତୁମ ମସ୍ତିଷ୍କର ବର୍ତ୍ତମାନ ଯାହା ଅବସ୍ଥା ସେଥିରେ ତୁମ ପକ୍ଷେ ସବୁକଥା ସହିପାରିବା ସମ୍ଭବ ନା ନୁହେଁ ? ସେ ଦିନ ପୁଲିସଙ୍କର ଟିକିଏ ମୂର୍ଖାମି ବା ଅଧୀରତା ଯୋଗୁଁ ଯେଉଁ ଘଟଣା ଘଟିଗଲା ତା’ଫଳରେ ହଜାର ହଜାର ବର୍ଷ ହେଲା ଏ ମେଳାରେ ପୁଲିସ କାମ କରି ଆସୁଥିବା ନାଗା ସନ୍ନ୍ୟାସୀମାନେ ଅସହଯୋଗ କରି ଆଡ଼େଇ ହୋଇଗଲେ । ଏତେ ଲୋକଙ୍କୁ ସମ୍ଭାଳିବା ପାଇଁ ପୁଲିସଙ୍କ ବଳ, କୌଶଳ ବା ଆନ୍ତରିକତା ନଥିଲା । ସେମାନଙ୍କ ଅଯୋଗ୍ୟତା ଯୋଗୁଁ ଗୁଣ୍ଡାମାନଙ୍କର ବଳ ବଢ଼ିଗଲା । କୁମ୍ଭମେଳାକୁ କୌଣସି ବର୍ଷ ଏତେ ଦୁର୍ବୃତ୍ତ ଆସି ନଥିଲେ ବୋଲି ସମସ୍ତେ କହୁଛନ୍ତି । ଲୋକଙ୍କ ଭିତରେ ଆତଙ୍କ ଉପସ୍ଥିତ ହେବାମାତ୍ରେ ସେମାନେ ଅବଳାମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେ । ଏ ଡାକ୍ତରଖାନାରେ ଅନ୍ତତଃ ଶହେ ମହିଳା ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ଆମେ ଯେଉଁଠାରେ ଠିଆହୋଇଥିଲେ ଆଖି ପିଛୁଳାକେ ୫।୭ ଛତରା ଟୋକା ଆସି ଜୁଟିଗଲେ ଓ ମୁଁ ଦିଦିଙ୍କୁ ଉଠାଇ ନିରାପଦ ସ୍ଥାନରେ ବସାଇବାକୁ ବ୍ୟସ୍ତ ଥାଇ ପଛକୁ ଚାହିଁଦେବାବେଳକୁ ଦେଖିଲି ସେମାନଙ୍କ ଭିତରୁ ୪।୫ ଜଣ ତୁମକୁ ଟେକି ନେଇଯାଉଛନ୍ତି । ମୁଁ ଦିଦି ପ୍ରଭୃତିଙ୍କୁ ଛାଡ଼ି ତୁମକୁ ରକ୍ଷା କରିବାକୁ ଧାଇଁଲି । ଛତରା ଟୋକାଗୁଡ଼ାକଙ୍କ ଦେହରେ ବଳ ନଥିଲା ବୋଲି ତୁମେ ରକ୍ଷା ପାଇଲ । ସେମାନେ ମୋ ସଙ୍ଗେ ଲଢ଼ିବାକୁ ଲାଗିଲେ, କିନ୍ତୁ ଅଳ୍ପ ସମୟ ଭିତରେ ଯେ ଯୁଆଡ଼େ ଛିନ୍‌ଛତର ହୋଇ ପଳାଇଲେ । ତାଙ୍କ ଭିତରୁ କେତେଜଣ ଧରା ପଡ଼ିଛନ୍ତି କି ନାହିଁ ମୁଁ ଜାଣେ ନାହିଁ । ତୁମକୁ ହସ୍ତଗତ କଲାବେଳକୁ ତୁମେ ସଂଜ୍ଞାହୀନା; ଡାକ୍ତର କହୁଛନ୍ତି, ସେମାନେ ତୁମ ଦେହରେ ହାତ ଦେବା ସଙ୍ଗେ ସଙ୍ଗେ ତୁମର ସମ୍ଭବତଃ ସଂଜ୍ଞା ଲୋପ ହୋଇଥିଲା ।”

 

ମୋର ମନେ ପଡ଼ିଲା, ସେଦିନ ମୋତେ ଦଳେ ଲୋକ କୁଦିଚକଟି ପକାଉଥାନ୍ତି ଓ ଜଣେ କିଏ ମୋତେ ଟେକି କୁଆଡ଼େ ନେଇଯାଉଥାନ୍ତି । ସେତିକିବେଳେ ମୁଁ ବେହୋସ ହୋଇଥିଲି-। ବାବୁଜୀ ମୋତେ ଟେକି ଆଣୁଥିବାର ମନେ ଥିଲା, ନା ଗୁଣ୍ଡାମାନେ ମୋତେ ଟେକି ନେବାବେଳେ ମନେ ଥିଲା, ଠିକ୍ କରି ଜାଣି ପାରୁନଥାଏ । ମୁଁ ତାଟକା ହୋଇ ବାବୁଜୀଙ୍କ ଆଡ଼କୁ ଚାହିଁ ରହିଲି; ଭାବିଲି, ୟାଙ୍କର କେତେ ସାହସ, କେତେ ବଳ ! ଛର ମୋ’ପାଇଁ ଏତେଗୁଡ଼ାଏ ଲୋକଙ୍କ ସଙ୍ଗେ ଲଢ଼ି ନିଜ ଜୀବନକୁ କାହିଁକି ବିପନ୍ନ କଲେ ? ମନ କୃତଜ୍ଞତା ନା ଆଉ କୋଉ ଭାବରେ ପୂରିଗଲା କହିପାରୁନାହିଁ । ସେ ଯାହା ହେଉ, ଏ ଭାବ ରହିଲା ମୁହୂର୍ତ୍ତେ ମାତ୍ର । ସାଙ୍ଗେ ସାଙ୍ଗେ ବିଚାରିଲି, ମୋତେ ରକ୍ଷା କରିବାକୁ ଯାଇ ଦିଦି, ଭାବୀ ପ୍ରଭୃତିଙ୍କୁ ବିପଦ ମୁହଁରେ ଛାଡ଼ିଦେଇ ଯିବା ୟାଙ୍କର ଉଚିତ ହେଲା ନାହିଁ ପରା ! ସେମାନଙ୍କର ଅବସ୍ଥା କ’ଣ ହେଲା ?

 

ବାବୁଜୀ ମୋ’ ମନର କଥା ଠାଉରେଇ ନେଇ କହିଲେ, “ତାରା ! ସେ ବିଷୟ ମୁଁ ବହୁତ ଭାବିଛି । ଆଗ ନିଜକୁ ଦୋଷ ଦେଉଥିଲି । କିନ୍ତୁ ବଡ଼େ ମହାରାଜ ସବୁ ଶୁଣି କହିଲେ, ତୁମେ ଯାହା କରିଛ ଠିକ୍ କରିଛ । ତିନିଜଣ ସ୍ତ୍ରୀଲୋକଙ୍କୁ ମରଣ ମୁହଁକୁ ଠେଲିଦେଇ ମଧ୍ୟ ଜଣେ ସ୍ତ୍ରୀଲୋକର ଇଜ୍ଜତ ରକ୍ଷା କରିବା କର୍ତ୍ତବ୍ୟ । ସମସ୍ତେ ଦିନେ ନା ଦିନେ ମରିବେ । ବିଧବା ସ୍ତ୍ରୀଲୋକ ପକ୍ଷରେ ମୃତ୍ୟୁ ଅପେକ୍ଷା ଅଧିକ ଶ୍ରେୟସ୍କର କ’ଣ ହୋଇପାରେ, ପୁଣି କୁମ୍ଭ କ୍ଷେତ୍ରରେ ।” ମୁଁ ଏକଥାରେ ସନ୍ତୁଷ୍ଟ ନ ହେବାର ଲକ୍ଷ୍ୟ କରି ସେ କହିଲେ, “ପୁଣି, ଯେତେବେଳେ ତୁମେ ଏ ଟୋକୀକୁ ବିପଦରୁ ରକ୍ଷା କରିବାକୁ ଗଲ, ସେତେବେଳେ ତ ଜାଣି ନଥିଲ ସେମାନଙ୍କର କ’ଣ ହେବ ବୋଲି । ଜଣେ ଲୋକ ଗୁଡ଼ାଏ ଦାୟିତ୍ଵ ମୁଣ୍ଡକୁ ନେଇ ତୁଚ୍ଛାକୁ ଆତ୍ମା ପୀଡ଼ା ସହିବା ନିରର୍ଥକ ।”

 

ମୁଁ ତଟସ୍ଥ ହୋଇଗଲି । ତେବେ ତ ଦିଦି ଓ ଭାବୀ ହେରିକା ଆଉ ନାହାଁନ୍ତି ? ନିଃଶ୍ୱାସ ପେଟ ଭିତରକୁ ଟାଣି ହୋଇଗଲା ପରି ଲାଗିଲା । ବାବୁଜୀ ଉଠି ପଡ଼ି ଆଉ ଗୋଟିଏ ଖଟିଆ ପାଖରେ ଠିଆ ହୋଇଥିବା ଡାକ୍ତରଙ୍କ ପାଖକୁ ଧାଇଁଗଲେ । ଡାକ୍ତର ଆସି ପହଞ୍ଚିଲା ବେଳକୁ ମୋ’ର ଦୁଇ ଆଖିରୁ ଅଜସ୍ର ଲୁହଧାର ଚାଲିଥାଏ । ନର୍ସ ମୋ ମୁହଁ ଗୋଟିଏ ଓଦା ତଉଲିଆରେ ପୋଛିପକାଇଲେ; ଡାକ୍ତରବାବୁ ଯେଉଁଠାରୁ ଆସିଥିଲେ ସେଠାକୁ ଯାଉ ଯାଉ ବାବୁଜୀଙ୍କୁ କହିଲେ, “ମୁଁ ତ ଆପଣଙ୍କୁ ଆଗରୁ କହି ରଖିଥିଲି, ଯଦି କାନ୍ଦ ନହୁଏ ତେବେ ବିପଦ । କାନ୍ଦିପକାଇଲେ ମନର ବେଦନା ଅନେକ ଲଘୁ ହୋଇଯାଏ ।”

 

ଡାକ୍ତର ଓ ନର୍ସ ଚାଲିଯିବା ପରେ ବାବୁଜୀ କହିଲେ, “ସମସ୍ତ ବୃତ୍ତାନ୍ତ ତୁମକୁ କିମିତି କହିବି ସେ ବିଷୟରେ ଡାକ୍ତରଙ୍କୁ ଓ ବଡ଼େ ମହାରାଜଙ୍କୁ ପଚାରିଥିଲି । ମହାରାଜ କାଲି ସକାଳେ କହି କରି ଗଲେ, “ଯେତେବେଳେ ଦେଖିବ ଯେ କଥା ଛପାଇ ରଖିନହେଉଛି, ସେତେବେଳେ ସ୍ୱଚ୍ଛନ୍ଦରେ କହିଦେବ । ୟେ ମା’ଟି ଆମର ବହୁତ ସହିଛି, ଆଗକୁ ବହୁତ ସହିବ, ସହଜେ ତାଟକା ହେବ ନାହିଁ । କଥା ଲୁଚାଇ ରଖିଲେ ବରଂ ୟାର ଅଧିକ କଷ୍ଟ ହେବ ।”

 

ଏତକ କହି ବାବୁଜୀ ତୁନି ହୋଇଗଲେ । ତାଙ୍କ ନିଜ ମନର ଉଦ୍‌ବେଗ ଚାପିବାକୁ ତାଙ୍କୁ ଭାରି କଷ୍ଟ ହେଉଥାଏ । ମନେମନେ ଭଗବାନ୍‌ଙ୍କୁ ଦୋଷିଲି, ମଣିଷକୁ ଏତେ ଘାଣ୍ଟିବାରେ ତାଙ୍କର କେଉଁ ଉଦ୍ଦେଶ୍ୟ ସିଦ୍ଧ ହେଉଛି ? ବଡ଼େ ମହାରାଜଙ୍କ ଉପରେବି ଅଭିମାନ ହେଲା । ଆମେ କୁମ୍ଭମେଳାକୁ ଆସିବା ପୂର୍ବରୁ ସେ ଆମକୁ ଯାହା ସବୁ କହିଥିଲେ, ତାହା ଆଜି ମନେପକାଇବାରେ ପରିଷ୍କାର ବୁଝାପଡ଼ିଲା, ଆମର ଏଠାରେ ଦୁର୍ଗତି ହେବ ବୋଲି ତାଙ୍କୁ ଆଗରୁ ଜଣାପଡ଼ିଥିଲା । ସେ ସେତେବେଳେ ଆମକୁ ଟାଣ କରି ପଦେ ମନା କରିଦେଇଥିଲେ ତ ଆମ ଆସିବା ବନ୍ଦ ହୋଇଯାଇଥାନ୍ତା ? ସେତେବେଳେ ଉଦାସୀ ହୋଇ ସେ ରହିଯିବା ଯୋଗୁଁ ତାଙ୍କୁ କ’ଣ ପାପ ଲାଗିବ ନାହିଁ । ଟିକକ ପରେ ନିଜକୁ କାଇଲି କଲି, ମହାତ୍ମାଙ୍କଠାରେ ମୁଁ ଦ୍ରୋହୀ ହେଉଛି କାହିଁକି ?

 

ସନ୍ଧ୍ୟାବେଳଯାଏଁ ବାବୁଜୀ ଏ ବିଷୟରେ କିଛି ନ କହି ମୋତେ ଟିକିଏ କ’ଣ ଖାଇବାକୁ, ପାଣି ପଣା ଟିକିଏ ପିଇବାକୁ ଖାଲି ବଳାଉଥାନ୍ତି । ସନ୍ଧ୍ୟାବେଳେ ସେ ଘଣ୍ଟେ ଖଣ୍ଡେ ଡାକ୍ତରଖାନାର ଅନ୍ୟ ଖଟିଆମାନଙ୍କ ପାଖେ ବୁଲି ଆସି ଅନ୍ୟମାନଙ୍କର ଭଲମନ୍ଦ ବୁଝି ଓ ଆମେ କାଲି ସକାଳୁ ଯିବୁ ଭାରି ବୋଲି ବିଦାୟ ନେଇ ଫେରିଲା ପରେ ମୋତେ କହିଲେ, “ପନ୍ଦର ଦିନ କାଳ ଏ ଡାକ୍ତରଖାନାରେ ରହିବା ଫଳରେ ସମସ୍ତଙ୍କଠାରେ ମାୟା ଲାଗିଯାଇଛି । ଦିଦିଙ୍କର ତ ସେଇଠାରେ ପ୍ରାଣ ଯାଇଥିଲା; ବଡ଼ ଦିଦି ଓ ଭାବୀଙ୍କୁ ଏଇ ଡାକ୍ତରଖାନାକୁ ଆଣିଥିଲି । ଦିନକ ପରେ ଭାବୀଙ୍କର ପ୍ରାଣବାୟୁ ଉଡ଼ିଗଲା; ବଡ଼ ଦିଦି ୧୦ ଦିନ ବଞ୍ଚିଲେ । ସେଇଦିନ ତାଙ୍କ ଖଟିଆ ପାଖରେ ବଡ଼େ ମହାରାଜ ଠିଆ ହେବାମାତ୍ରେ ତାଙ୍କର ଚେତା ଆସିଲା । ମହାରାଜଙ୍କୁ ଛଳଛଳ ଆଖିରେ ଚାହିଁ ସେ କହିଦେଲେ, “ବାବା ! ମୋ ପିଲେ ଲାଗିଲେ ।” ବଡ଼ ମହାରାଜ କହିଲେ, ‘‘ସେମାନଙ୍କୁ ଭଗବାନଙ୍କଠାରେ ସମର୍ପି ଦିଅ ।’’ ବଡ଼ ଦିଦି କହିଲେ, “ଆପଣ ଭଗବାନ୍ !” ପାଗଳୀ ବୋଲି କହି ବଡ଼େ ମହାରାଜ ତାଙ୍କ ମୁଣ୍ଡରେ ହାତ ଦେଇଛନ୍ତି, ତାଙ୍କର ପ୍ରାଣ ଗଲା । ସେ ଦୁଇଜଣଙ୍କ ସମେତ ସାତଜଣ ଭଉଣୀଙ୍କୁ ଶ୍ମଶାନକୁ ନେଇଛି । ତୁମକୁ ନେବାରୁ ଭଗବାନ୍ ରକ୍ଷା କଲେ, ସେ ବଡ଼ଲୋକ-। ଆଉ ଯେଉଁମାନେ ଅଛନ୍ତି ସେମାନଙ୍କର ପ୍ରାଣସଂଶୟ ନାହିଁ ବୋଲି ଡାକ୍ତରଖାନାର ଦୃଢ଼ବିଶ୍ୱାସ-। ଆଜି ତ ଡାକ୍ତରବାବୁ କହୁଥିଲେ, ‘‘ତୁମ ବଡ଼େ ମହାରାଜ ଏ ଡାକ୍ତରଖାନାରେ ପାଦ ଦେବାବେଳୁଁ ସମସ୍ତଙ୍କର ରିଷ୍ଟ କଟିଛି ।” ମୁଁ ବିଚାରିଲି ମୋ ଦୁଃଖିନୀ ବଡ଼ଦିଦିଙ୍କ ମୁଣ୍ଡରେ ସମସ୍ତଙ୍କ ରିଷ୍ଟ ଥୋଇଦେଇ ମହାରାଜ ତାଙ୍କୁ ବିଦା କରିଦେଲେ ।

 

ଶୋଇବାକୁ ଯିବା ପୂର୍ବରୁ ବାବୁଜୀ କହିଲେ, “ବଡ଼ଦିଦିଙ୍କ ପିଲାଙ୍କର କିଛି ଅସୁବିଧା ହେବ ନାଇଁ ବୋଲି ତୁମକୁ କହିଦେବାକୁ ବାବା ଆଦେଶ ଦେଇଯାଇଛନ୍ତି ।” ମୁଁ କହିଲି, “କାଲି ତ ଆମେ ସିଧା ଆଶ୍ରମକୁ ଯିବା ।” ବାବୁଜୀ କହିଲେ, “ସେ ବିଷୟରେ ବାବାଙ୍କ ନିର୍ଦ୍ଦେଶ ଅଲଗା । ସେ ହୁକୁମ ଦେଇଛନ୍ତି, ତାରା ସଂସାରର ଅଭିଜ୍ଞତା ପାଇସାରିବା ପରେ ପ୍ରୌଢ଼ ବୟସରେ ଆଶ୍ରମକୁ ଫେରିବ । ଅନ୍ତତଃ ପାଞ୍ଚବର୍ଷ ପର୍ଯ୍ୟନ୍ତ ସେ ଆହ୍ଲାବାଦ ବା ହରିଦ୍ୱାରକୁ ଫେରିବ ନାହିଁ । ତା’ ସାଙ୍ଗେ ମୋତେବି ଦଣ୍ଡ ହୋଇଛି । ତୁମର କିନାରା ନ ହେବା ପର୍ଯ୍ୟନ୍ତ ମୁଁ ତୁମ ପାଖେପାଖେ ରହିବି ।”

 

ମୁଁ କିଛି ନ କହି ଆଖି ମୁଜି ମୋର ଭବିଷ୍ୟତ ଜୀବନ ବିଷୟ ଚିନ୍ତାକରି ବସିଲି । ମନେ ହେଲା, ସେଇଦିନ ସମସ୍ତଙ୍କ ସଙ୍ଗେ ହେଲେ ପ୍ରାଣ ଯାଇଥାନ୍ତା । ମହାରାଜ ତ ଭବିଷ୍ୟତ ବାଣୀ ଶୁଣାଇ ଯାଇଛନ୍ତି ଯେ ଭବିଷ୍ୟତରେ ଆଉ କେତେ ଦୁଃଖ ସହିବାକୁ ହେବ । ସେ ଦିନ ମରିଥିଲେ ଏ ଦୁଃଖରୁ ତ ରିହାତି ମିଳିଥାନ୍ତା । ଏଇପରି ଗୁଡ଼ାଏ ବିଚାରି ଆଖି ଫିଟାଇଲା ବେଳକୁ ଦେଖିଲି, ବାବୁଜୀ ମୋରି ଆଡ଼କୁ ଚାହିଁଛନ୍ତି । ବଡ଼ ଲାଜ ମାଡ଼ିଲା, ମନରେ ଦୁଃଖ ହେଲା, ଏ ମହାତ୍ମା ମଧ୍ୟ ମୋ ଯୋଗୁଁ କେତେ କ୍ଳେଶ ସହିବେ !

 

ବାବୁଜୀ କିନ୍ତୁ ମୋତେ କହିଲେ; “ମୋର ଦାୟିତ୍ଵରେ ତୁମେ ରହିବାକୁ ଚାହିଁବ କି ନାହିଁ ସେ ବିଷୟରେ ସନ୍ଦେହ ହେବାରୁ ବଡ଼େ ମହାରାଜଙ୍କୁ ପଚାରିଥିଲି । ଧେତ୍ ବୋଲି କହି ସେ ଆଗ ମୋର ସଂଶୟକୁ ଉଡ଼ାଇଦେଲେ । ତା’ପରେ କହିଲେ, ତାରା ଯଦି ଆପତ୍ତି କରିବ ତେବେ ତାକୁ ଡାକ୍ତରଖାନାରେ ଦିନଟିଏ ଅଧିକା ରଖି ମୋ ସଙ୍ଗେ ପରାମର୍ଶ କରିବାକୁ ଆସିବ ।”

 

ଅତି ନିରୀହଭାବେ ଏକଥା କହି ମୋତେ ସେ ବଲବଲ ହୋଇ ଚାହିଁ ରହିବାରୁ ସମସ୍ତ ଦୁଃଖ ସତ୍ତ୍ୱେ ତାଙ୍କୁ ପଦେ କହିଦେବାର ଦୁଷ୍ଟାମି ଦମନ କରିପାରିଲି ନାହିଁ; କହି ପକାଇଲି, “ମଣିଷର ମନ କଥା ଆପଣ ଖୁବ୍ ଠଉରେଇପାରନ୍ତି, ଜଣା ପଡ଼ିଲା !” ଏ କଥାବି ତାଙ୍କ ଦେହରେ ପଶିଲା ନାହିଁ; ପଚାରିଲି, “ରାତିରେ ଆପଣ କୋଉଠି ଶୋଉଛନ୍ତି ?” ସେ କହିଲେ, “ପାଖ ବାରଣ୍ଡାରେ ଠାଏ ଶୋଇପଡ଼େ । ମାଇକିନିଆ ଓ୍ୟାର୍ଡ଼ରେ ପୁରୁଷ ଲୋକ ରହିବାକୁ ମନା । ସୁପରିଟେଣ୍ଡେଣ୍ଟ୍ ମୋତେ ଟିକିଏ ଅନୁଗ୍ରହ ଦେଖାଇଛନ୍ତି ।” ମୁଁ କହିଲି, “ବହୁତ ଡେରି ହେଲାଣି ଯା’ନ୍ତୁ ଶୋଇବେ ।”

 

(୨୧)

 

ରେଳ ଆଗକୁ ଚାଲିଥାଏ, ମୋର ମନ ଚାଲିଥାଏ ପଛକୁ । ବାପା ମା’ଙ୍କୁ ହରାଇବା ଦିନୁଁ ମୁଁ ପୂର୍ବମୁହାଁ ହୋଇ ଚାଲିଛି । ଏଥର ଯାଉଥାଏ ଏକାଥରକେ ଆମ ଦେଶରେ ସବା ଶେଷ ପୂର୍ବ ମୁଣ୍ଡକୁ । ଆହ୍ଲାବାଦ ଷ୍ଟେସନ୍‌ରେ ଟିକଟ କଲାବେଳେ ବାବୁଜୀ ମୋତେ କହିଲେ, “ପୁରୀ ଜଗନ୍ନାଥଙ୍କ ପାଖକୁ ଟିକଟ କରୁଛି ।” ମୋର ସମ୍ମତ ସେ କାହିଁକି ପଚାରୁଛନ୍ତି ବୋଲି କହିଲି, କିନ୍ତୁ ମନେମନେ ସମ୍ମତ ହେଲି । ବାପା, ମା’ ଥରେ କଥାବାର୍ତ୍ତା ହେଉଥିଲେ, ପୁରୀ ଯାଇ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ । ଆମ ଉପରେ ଯେଉଁ ବର୍ଷ ବିପତ୍ତି ପଡ଼ିଲା ତା’ର ବୋଧହୁଏ ଦୁଇ ତିନିବର୍ଷ ପୂର୍ବର କଥା । ପୁରୀର ଜଣେ ପଣ୍ଡା ମହାରାଜ ଆମ ଗାଁକୁ ଆସି ପୁରୀ ଯିବାକୁ ଆମକୁ ଡାକିଥିଲେ । ସବୁ ଠିକ୍ ହୋଇଯାଇଥିଲା । ଆମ ଗାଁରୁ ପ୍ରାୟ ୪୦ ଜଣ ବାହାରିଥିଲେ । ଯିବାକୁ ଯୋଡ଼ିଏ କି ତିନୋଟି ଦିନ ଅଛି ପଣ୍ଡା ମହାରାଜଙ୍କୁ ହେଲା ଜର । ତାଙ୍କର ଗୋଡ଼ ଦୁଇଟା ଫୁଲି କାଠ ଗଡ଼ ପରି ହୋଇଗଲା । ପୁରୀ ଆଡ଼େ ଏଇମିତି ଜର ହୁଏ ବୋଲି ବାପା କହିଲେ । ପଣ୍ଡା ମହାରାଜ ଆମରି ଘରେ ଅଚେତା ହୋଇ ତିନି ଦିନ ପଡ଼ିଲେ । ପାଣି ଟିକିଏବି ପିଇଲେ ନାହିଁ । ତିନି ଦିନ ପରେ ଉଠି କଥାବାର୍ତ୍ତା ହେଲେ, ଉଷୁମ ପାଣିରେ ଗାଧୋଇ ନିର୍ମାଲ୍ୟ ଟିକିଏ ଖାଇ ମିଶ୍ରି ପଣା ମୁନ୍ଦିଏ ପିଇଲେ । ଭାରି ଦୁର୍ବଳ ହୋଇଥାନ୍ତି । ପନ୍ଦରଦିନ ବିଶ୍ରାମ ନେଲାପରେ ଯିବା ବୋଲି କହିଲେ । ସେଇ ପନ୍ଦର ଦିନ ଭିତରେ ବର୍ଷା ଦିନ ଆରମ୍ଭ ହୋଇଗଲା, କ୍ଷେତ ବାଡ଼ିର କାମ ଆରମ୍ଭ ହୋଇଗଲା । ସମସ୍ତେ ବିଲ ବାଡ଼ି କାମରେ ଲାଗିଗଲେ, ପଣ୍ଡା ମହାରାଜଙ୍କୁ କହିଲେ, ଏବର୍ଷ ଆଉ ଯାଇହେବନାହିଁ । ପଣ୍ଡା ମହାରାଜ ଆମ ଗାଁରୁ ବିଦାକି ନେଇ ପୁରୀ ଫେରିଗଲେ, ଆର ବର୍ଷ ଆସିବେ ବୋଲି ଯେ ଆଉ ଆସିଲେ ନାହିଁ ପରେ ଶୁଣିଲୁ, ତାଙ୍କର ପୁଣି ଆଉଥରେ ସେଇ ବାତଜ୍ୱର ହେଲା, ସେଇଥିରେ ତାଙ୍କ ଦେହାନ୍ତ ହୋଇଗଲା । ତା’ପରେ ଆମର ବିପତ୍ତି । ସେ ବର୍ଷ ଯେଉଁମାନେ ଜଗନ୍ନାଥ ଦର୍ଶନକୁ ବାହାରିଥିଲେ, ସେମାନେ ସମସ୍ତେ ପଠାଣଙ୍କ ଛୁରାରେ ପ୍ରାଣ ହରାଇଲେ । ମୋ ଜାଣିବାରେ ଆମ ଗାଁରୁ ମୁଁ ଏକମାତ୍ର ଜୀବନ ଧରି ରହିଲି ।

 

ରେଳ ପୁରୀ ଆଡ଼କୁ ଚାଲିଥିଲାବେଳେ ମୋର ମୁସଲମାନମାନଙ୍କ ଦୌରାତ୍ମ୍ୟ ପୂର୍ବର କଥା ମନେ ପଡ଼ି ପେଟଭିତରୁ କୋହ ଉଠୁଥାଏ । ପିଲାଦିନେ ଆମର କେଡ଼େ ସୁଖର ସଂସାର ନଥିଲା ସତେ ? ଗାଁର ସମସ୍ତେ ହିନ୍ଦୁ ମୁସଲମାନ ଓ ଶିଖ କେଡ଼େ ସୁଖରେ ମାଟିକୁ ଆଶ୍ରା କରି ପଡ଼ିଥାନ୍ତି । ମାଟିରୁ ଅନାଜ ଉତ୍ପନ୍ନ ହୁଏ, ଗାଈ ଓ ମଇଁଷି ପ୍ରଚୁର ଦୁଧ ଦେଉଥାନ୍ତି, ଆମେ ପିଲାମାନେ ଖାଇପିଇ କେଡ଼େ ସୁଖରେ ଥାଉଁ, ସାଙ୍ଗ ପିଲାଙ୍କ ସଙ୍ଗେ ମନ ଆନନ୍ଦରେ ଖେଳିବୁଲି ସମୟ କଟାଉଥାଉ । ମୋର ସବୁଠାରୁ ବେଶି ଆନନ୍ଦର ଜାଗା ଥାଏ ଅବ୍‌ଦୁଲା ଚାଚାଙ୍କ ଘର । ଚାଚି ତାଙ୍କ ଝିଅ ଓ ମୋ ଭିତରେ ଆଦୌ ପାତରଅନ୍ତର କରନ୍ତି ନାହିଁ । ତାଙ୍କ ଝିଅ ସଙ୍ଗେ ମୁଁ ସଙ୍ଗାତ ବସିଥାଏ । ଦୁହେଁଯାକ ତାଙ୍କ ଘରେ ଓ ଆମ ଘରେ ଏକା ସଙ୍ଗେ ଖାଉ, ଏକାଠି ବସାଉଠା କରୁ । ଥରେ ମା’ ବାପାଙ୍କୁ କହିଥିଲେ, “ପିଲାଟା ପଠାଣ ହୋଇଯାଉଛି, ଟିକିଏ ଆକଟ କରୁନାହଁ ତ ?” ବାପା କହିଲେ, “ଏ ରୀତି ଆମ ଗାଁରେ କୋଉ କାଳରୁ ଚଳୁଛି । ପିଲାଦିନେ ଅବ୍‌ଦୁଲାର ମୋର ଏଇପରି ସାଙ୍ଗ ହୋଇଥିଲୁ । ମୋର ବାପା, ଜେଠା ପ୍ରଭୃତି କେହି ଆମକୁ ରୋକି ନଥିଲେ-। ମୁଁ ଆଜି ରୋକିବି କେମିତି ? ତମେ ସିନା ଆସିଛ ହିନ୍ଦୁ ଗାଁରୁ, ଆମ ଗାଁ ତ ହିନ୍ଦୁ ମୁସଲମାନଙ୍କ ଗାଁ । ଆମ ବାପା କହୁଥିଲେ, ‘ଯେ ଆଲ୍ଲା, ସେଇ ଜଗନ୍ନାଥ ।’ ଆମ ଗାଁ ମୁସଲମାନଙ୍କର ଚଳଣି ଆମଠାରୁ କୌଣସି ଗୁଣରେ ଅଲଗା ନୁହେଁ ।” ମା’ ତୁନି ହେଲେ । ଗାଁର ଆଉ କେହି ଆମମାନଙ୍କ ଢଙ୍ଗ ରଙ୍ଗରେ କିଛି ବାଇଚ ବାରନ୍ତି ନାହିଁ ।

 

ଯେଉଁଠି ଆଲ୍ଲା ଓ ଜଗନ୍ନାଥ ଏତେକାଳ ଏକା ହୋଇ ରହିଥିଲେ, ହଠାତ୍ କ’ଣ ହେଲା ଯେ, ସେଠାରେ ହତ୍ୟାର ବିଭୀଷିକା ଲାଗିଲା ! ପଶୁଙ୍କୁ ତ ହେଲେ ମୁସଲମାନ ଆଦର କରନ୍ତି, ମଣିଷକୁ ଦୁସ୍‌ମନ୍‌ ବୋଲି ବିଚାରି ନିର୍ବିଚାରରେ ହାଣି ଦେଇଗଲେ ! ଧରି ବସିଲେ, ତାଙ୍କ ରାଜ୍ୟରେ ହିନ୍ଦୁ ବା ଶିଖଙ୍କୁ ରଖି ଦେବେ ନାହିଁ । ଥରେ ଏକଥା ଦିଦିଙ୍କୁ ପଚାରିଥିଲି । ସେତିକିବେଳେ ଦୈବାତ୍ ବାବୁଜୀ ଆସି ପହଞ୍ଚିଥିଲେ । ଦିଦି ମୋ ମନରେ ହେଉଥିବା ସଂଶୟ ବାବୁଜୀଙ୍କୁ ପଚାରିଲେ । ବାବୁଜୀ କହିଥିଲେ, “ମୋର ମନେ ହୁଏ, ଆମ ଦେଶର ନେତାମାନଙ୍କ କ୍ଷମତାଲୋଭ ଯୋଗୁଁ ଏ ହାଣକାଟ ହେଲା । ଜିନ୍ନା ମନେମନେ ଚାହିଁଲେ, ଭାରତର ପ୍ରଧାନମନ୍ତ୍ରୀ ହୁଅନ୍ତେ, ଜବାହାରଲାଲ ସେ ଅଧିକାର ଛାଡ଼ିବାକୁ ନାରାଜ । ଗାନ୍ଧୀ ମଧ୍ୟସ୍ଥିତା କରି କହିଲେ, ‘ପ୍ରଧାନମନ୍ତ୍ରୀ ପଦ ବ୍ୟତୀତ ଅନ୍ୟ ଯେ କୌଣସି ବଡ଼ ପାହିଆ ଜିନ୍ନାଙ୍କୁ ଦିଆଯିବ ।’ ଏଇଥିରୁ ସବୁ ଗୋଳମାଳ, ଏଇଥିରୁ ଭାରତ ହେଲା ଦୁଇ ଭାଗ–ଦୁଇ–ଜଣଯାକ କ୍ଷମତାଲାଳସୀ ନେତା ନିଜ ନିଜ ରାଜ୍ୟରେ ସର୍ବେସର୍ବା ହେବେ ବୋଲି । ମଣିଷ ଜୀବନ ପାଣିଫୋଟକା । ଯୋଡ଼ାଏ ପାଣି-ଫୋଟକାର ସଂଘର୍ଷରୁ ଏତେ ଉତ୍ପାତ ହୋଇଗଲା ! ଜିନ୍ନା ଗଲେଣି, ଜବାହାରଲାଲ ଯିବେ, କିନ୍ତୁ ଭାରତର ହିନ୍ଦୁ ମୁସଲମାନ କାଳ କାଳକୁ ପରସ୍ପରର ଶତ୍ରୁ ହୋଇ ରହିଯିବେ ।”

 

ରେଳରେ ମୋର ସେଇ କଥା ମନେ ପଡ଼ିଲା, ବାବୁଜୀଙ୍କୁ ସଂକୋଚରେ ପଚାରିଲି, “କିନ୍ତୁ ଗାନ୍ଧୀ ତ ହିନ୍ଦୁ ମୁସଲମାନଙ୍କ ଏକତାପାଇଁ ଏତେ ଚେଷ୍ଟା କରିଥିଲେ, ଫଳ ନ ହେଲା କାହିଁକି-?” ବାବୁଜୀ କହିଲେ, “ଏ କଥାଗୁଡ଼ାକ ମନେପକାଇ ମନକୁ କଷ୍ଟ ଦେଉଛ କାହିଁକି ? ଗାନ୍ଧୀ ଗଛର ମୂଳରେ ପାଣି ନ ଦେଇ, ଡାଳରେ ପାଣି ଦେଲେ । ନିଜର ଅନୁଚରମାନଙ୍କ କ୍ଷମତାଲାଳସା ରୋକି ପାରିଲେ ନାହିଁ । ମୁସଲମାନମାନଙ୍କ ସଙ୍ଗେ ସିଧାସଳଖ ମୁକାବିଲା ନ କରି ସେମାନଙ୍କୁ ଯାହା ଉତ୍ତ୍ୟକ୍ତ କରିବ ସେଇଆ କରିବସିଲେ । ସାଧାରଣ ସଭାରେ ଆପେ କୋରାନ୍ ପଢ଼ିଲେ, ଦଳେ ଗୋଡ଼ାଣିଆ ମୁସଲମାନଙ୍କୁ ହାତ କରି ସେଇମାନେ ଭାରତର ମୁସଲମାନଙ୍କ ମୁଖପାତ୍ର ବୋଲି ଦେଖାଇଦେଲେ । ପ୍ରଥମେ କେତେବର୍ଷ ମୁସଲମାନଙ୍କୁ ଏ ଦେଶର ପ୍ରଧାନମନ୍ତ୍ରୀତ୍ଵ ଦେଇପକାଇଥିଲେ ଭାରତ ଆରବ ବା ପାରସ୍ୟ ହୋଇଯାଇନଥାନ୍ତା । ଆକବର ବାଦଶାହା ମୁସଲମାନଙ୍କ ଅପେକ୍ଷା ହିନ୍ଦୁଙ୍କୁ ଅଧିକ ଆଦର କଲାପରି, ଏ ଦେଶର ମୁସଲମାନ ପ୍ରଧାନମନ୍ତ୍ରୀ ହିନ୍ଦୁ ଜନତାଙ୍କ ମନ ନେବାକୁ ଅଧିକ ଚେଷ୍ଟା କରିଥାନ୍ତେ । ସେ କଥାଗୁଡ଼ାକ ମନରୁ ପୋଛିପକାଅ । ଜଗନ୍ନାଥ ମହାପ୍ରଭୁଙ୍କଠାରେ ଧ୍ୟାନ ରଖ । ରାଜନୀତିଙ୍କ ବହୁ ଉତ୍ପାତ ସତ୍ତ୍ୱେ ଭାରତ ଭାରତ ହୋଇଛି । ବର୍ତ୍ତମାନ ଜବାହାରଲାଲ ନେହେରୁ ଧର୍ମନିରପେକ୍ଷ ବୋଲି ଦେଖାଇହେବାକୁ ହିନ୍ଦୁ ଧର୍ମ ଉପରେ ଯେଉଁ ଅତ୍ୟାଚାର ଆରମ୍ଭ କରିଛନ୍ତି, ତା’ ସତ୍ତ୍ୱେ ଏ ଦେଶ ରହିବ, ହିନ୍ଦୁ ଧର୍ମ ରହିବ । ଏହା ଲୋପ ହେବ ସେଇ ଦିନ, ଯେଉଁ ଦିନ ଏ ଦେଶର ଲୋକେ ଜଗନ୍ନାଥଙ୍କୁ ନ ମାନି ରାଜନୀତିକ ନେତାଙ୍କୁ ଜଗନ୍ନାଥ ବୋଲି ମାନିବେ ।”

 

ଆମେ ଦୁହେଁ ଗୋଟିଏ ଫାଷ୍ଟକ୍ଲାସ୍ ଡବାରେ ବସିଥାଉ । ବାବୁଜୀଙ୍କର ଇଚ୍ଛା, ଥାର୍ଡ଼ କ୍ଲାସ୍‍ରେ ଯାଇଥାନ୍ତେ । ସବୁବେଳେ ସେ ଥାର୍ଡ଼ କ୍ଲାସ୍‍ରେ ଯା-ଆସ କରନ୍ତି । ମୋର ଅସୁବିଧା ହେବ ବୋଲି ଫାଷ୍ଟକ୍ଲାସ୍ ଟିକଟ କରିଥାନ୍ତି । ମୋର କିଛି ଅସୁବିଧା ହେବ ନାହିଁ ବୋଲି ମୁଁ ମୁହଁରେ ସିନା କହିଥିଲି; ପ୍ରକୃତରେ ଦିଦିଙ୍କ ସଙ୍ଗେ ରହିବା ଦିନୁଁ ମୋର କିମିତି ଗୋଟାଏ ମଣିଷଗନ୍ଧ ପ୍ରକୃତି ହୋଇଯାଇଥାଏ; ଅପରିଚିତ ଲୋକଙ୍କ ପାଖରେ ବସିଲେ ମୋର ମନ ଲସିଯାଏ । ବାବୁଜୀ ଏକଥା ବାରିଥିଲେ । ସେ କହିଲେ, “ପାଖରେ ଯେଉଁ ପଇସାତକ ଅଛି, ସେ ବଡ଼ଲୋକଙ୍କ ପଇସା-। ତାକୁ ବଡ଼ଲୋକରେ ଉଡ଼ାଇଦେଲେ ଯାଇ ସ୍ଵାଭାବିକ ଜୀବନଯାତ୍ରା ସମ୍ଭବ ହେବ ।” ତାଙ୍କଠାରୁ ଶୁଣିଲି, ଡାକ୍ତରଖାନାରେ ମୋ ଅଣ୍ଟାରୁ ବାହାରିଥିବା ତିନି ହଜାର ଟଙ୍କା ଏବେ ଆମର ସମ୍ବଳ-। ମୋ ପାଖରେ ଅବଦୁଲା ଚାଚାଙ୍କର ଓ ଦିଦିଙ୍କର ହୋଇ ପ୍ରାୟ ୪୦ ହଜାର ଟଙ୍କା ଥିଲା । ୩୬ ହଜାର ଟଙ୍କା ବଡ଼େ ମହାରାଜଙ୍କ ପାଖେ ଜମା ଦେଇ ଚାରି ହଜାର ପାଖରେ ରଖିଥିଲି ଅଣ୍ଟାରେ ଗୋଟେ ପଟିରେ ଗୁଡ଼ାଇ । ସେଇଥିରୁ ଆମର ଆହ୍ଲାବାଦରେ ଯାହା କିଛି ଖର୍ଚ୍ଚ ହୋଇଥିଲା-। ବଡ଼େ ମହାରାଜ ବାକି ଟଙ୍କାତକ ପାଖରେ ରଖିବାପାଇଁ ବାବୁଜୀଙ୍କୁ ଲଗାଇଥିଲେ-। ବାବୁଜୀ କହିଲେ, ଦରକାର ହେଲେ ମଗାଇ ନେବେ; ମୋତେ କହିଲେ, “ବଡ଼େ ମହାରାଜଙ୍କୁ କହିଛି, ତାରାପାଇଁ ସତ୍‌ପାତ୍ରଟିଏ ଠିକ୍ କରି ସାରିଲେ ଟଙ୍କା ଆସି ନେଇଯିବ ।”

 

ବାବୁଜୀଙ୍କଠାରୁ ଏକଥା ଶୁଣି ମୋ ମନରେ ବିରକ୍ତି ହେଲା । ସେତେବେଳେ କିଛି କହିଲି ନାହିଁ । ପରେ ଦିନେ ରେଳଗାଡ଼ିରେ ପଚାରିଲି, “ପୁରୁଷମାନେ ଯେପରି ଆଜନ୍ମ‌ ସନ୍ନ୍ୟାସୀ ହୋଇ ରହିଯାଉଛନ୍ତି, ସ୍ତ୍ରୀର କ’ଣ ସେପରି ରହିବାର ଅଧିକାର ନାହିଁ ?” ବାବୁଜୀ କହିଲେ, “ଏ ବିଷୟ ବଡ଼େ ମହାରାଜଙ୍କୁ ପଚାରିଥିଲି । ମୋର ତ ଇଚ୍ଛା ଥିଲା ତୁମେ ଡାକ୍ତରଖାନାରୁ ଯାଇ ସଙ୍ଗେ ସଙ୍ଗେ ଆଶ୍ରମରେ ରହିଥାନ୍ତ । କିନ୍ତୁ ବଡ଼େ ମହାରାଜ ଆପତ୍ତି କଲେ, ସେ କହିଲେ, “ଅନୂଢ଼ା ଯୁବତୀ ସନ୍ନ୍ୟାସିନୀ ହେବାର ନୁହେଁ । ବିବାହ ହେଲେ ଯାଇ ନାରୀର ଶୁଦ୍ଧି ହୁଏ ।” ବଡ଼େ ମହାରାଜଙ୍କର ଏ ମତ ଶୁଣି ମନରୁ ସ୍ଵତଃ ଜାତ ହେଉଥିବାର ବିରୋଧକୁ ଚାପି ରଖିଲି । ବିଚାରିଲି, କେବେ ପୁଣି ତାଙ୍କ ସଙ୍ଗେ ଦେଖା ହେଲେ ନାରୀପ୍ରତି ଏଭଳି ପକ୍ଷପାତର କାରଣ କ’ଣ ପଚାରିବି । ଆହା, ସେ ଦିନ କ’ଣ ସତେ ଆସିବ ? ଆଉ କ’ଣ ଜୀବନରେ ତାଙ୍କ ସଙ୍ଗେ ଦେଖା ହେବ !

 

ଆହ୍ଲାବାଦଠାରେ ଆମେ ଫାଷ୍ଟ କ୍ଲାସ୍ ଗାଡ଼ିରେ ବସିବାର ଆଉ ଗୋଟିଏ ଗୁରୁତର କାରଣ ଥିଲା । ଡାକ୍ତରଖାନାରୁ ଆମେ ଆସି ଆହ୍ଲାବାଦ ଷ୍ଟେସନ୍‍ର ପ୍ଲାଟ୍‍ଫର୍ମ୍‍ରେ ଅପେକ୍ଷା କଲାବେଳେ ବାବୁଜୀ ଲକ୍ଷ୍ୟ କଲେ, ଚାରିଜଣ ଟୋକା ଆମର ପିଛା ଧରିଛନ୍ତି । ସେମାନେ ଆମେ ବସିଥିବା ଜାଗାକୁ ବାରମ୍ବାର ଆସି ଆମକୁ ଚାହୁଁଥାନ୍ତି । ବାବୁଜୀ ମୋତେ ଏମାନଙ୍କୁ ଦେଖାଇଦେଲେ, କହିଲେ, “କୁମ୍ଭମେଳାରେ ଏଇମାନେ ତୁମକୁ ନେଇଗଲା ପରି ମୋତେ ଅସ୍ପଷ୍ଟଭାବେ ଜଣାପଡ଼ୁଛି ।” ମୋ ଦେହ ଶୀତେଇଗଲା । ମୋର ମଧ୍ୟ ଅସ୍ପଷ୍ଟଭାବେ ମନେ ପଡ଼ିଲା, ୟାଙ୍କରି ଭିତରୁ ଜଣକୁ ମୁଁ, ପ୍ରବୀରବାବୁଙ୍କ ସାଙ୍ଗେ ଆମ ହରିଦ୍ୱାର ବସାର ସାମନାରେ ଲଡ଼ବଡ଼ ହେବାର ଦେଖିଥିଲି । ସେ କଥା ବାବୁଜୀଙ୍କୁ ନ କହି ଜଡ଼ସଡ଼ ହୋଇ ରହିଲି । ମନରେ ଭାରି ଡର ମାଡ଼ିଲା, ଏମାନେ ଯଦି ବାବୁଜୀଙ୍କଠାରୁ ମୋତେ ଛଡ଼ାଇ ନିଅନ୍ତି ? ବାବୁଜୀ ଏମାନଙ୍କ ଗତିବିଧି ଓଳିଏ କାଳ ଲକ୍ଷ୍ୟ କରି ମୋତେ ନେଇ ଫାଷ୍ଟକ୍ଲାସ୍ ବିଶ୍ରାମଗାରକୁ ଗଲେ । ସେଠାରେ ଜଣେ ଭଦ୍ରଲୋକ ସସ୍ତ୍ରୀକ ଅପେକ୍ଷା କରୁଥାନ୍ତି, ତୁଫାନ୍ ମେଲରେ କଲିକତା ଯିବାକୁ । ତାଙ୍କ ସଙ୍ଗେ ବାବୁଜୀଙ୍କର ଆଳାପ ହେଲା । ମୁଁ ଭଦ୍ର ମହିଳାଙ୍କ ସଙ୍ଗେ କଥାବାର୍ତ୍ତା ଆରମ୍ଭ କରିଦେଲି । ବାବୁଜୀ ୧୫ ମିନିଟ ଏମାନଙ୍କ ପାଖେ ମୋତେ ଛାଡ଼ି ଷ୍ଟେସନ୍ ମାଷ୍ଟରଙ୍କ ପାଖକୁ ଗଲେ ଓ ତାଙ୍କୁ ଏ ଚାରିଜଣ ଗୁଣ୍ଡାଙ୍କ ବିଷୟ କହିଲେ । ଷ୍ଟେସନ୍‍ ମାଷ୍ଟର ସାଙ୍ଗେ ସାଙ୍ଗେ ପୁଲିସକୁ ଖବର ଦେଲେ-। ପ୍ରାୟ ଘଣ୍ଟାକ ପରେ ଷ୍ଟେସନ୍‍ ମାଷ୍ଟର ଜଣେ ଧଳା ପୋଷାକ ପିନ୍ଧା ଭଦ୍ରଲୋକଙ୍କୁ ସାଙ୍ଗରେ ଧରି ଆମ ବିଶ୍ରାମଗାରକୁ ଆସିଲେ ଏବଂ ବାବୁଜୀଙ୍କୁ ଡାକି ନେଇ ତାଙ୍କ ସଙ୍ଗେ ବାବୁଜୀଙ୍କ ପରିଚୟ କରାଇଦେଲେ । ଆମ ସହଯାତ୍ରୀ ଭଦ୍ରଲୋକ ଏକଥା ଜାଣିଲେ ନାହିଁ, ମୁଁ ବି ଜାଣି ନଥିଲି । ପରେ ହାବଡ଼ା ଷ୍ଟେସନ୍‍ର ବିଶ୍ରାମଗାରରେ ଜାଣିଲେ ୟେ ଜଣେ ଗୁପ୍ତ ପୁଲିସ ଅଫିସର ଗୁଣ୍ଡାଙ୍କ ପିଛା ଧରି ଆମ ସଙ୍ଗେ ରେଲଯାତ୍ରୀ ହୋଇଥିଲେ ।

 

ମୁଁ ଏତିକିମାତ୍ର ଲକ୍ଷ୍ୟ କରୁଥାଏ ଯେ, ଚାରିଜଣଯାକ ଟୋକା, ମଝିରେ ମଝିରେ ଗାଡ଼ି ରହିଲେ, ଆମ କୋଠରୀ ପାଖେ ପଇଁତରା ମାରୁଥାନ୍ତି । ଆମ ସହଯାତ୍ରୀ ସସ୍ତ୍ରୀକ ଭଦ୍ରଲୋକ ମୋଠାରୁ ଅଧିକ ତୀକ୍ଷ୍ଣଭାବେ ଏମାନଙ୍କ ଗତିବିଧି ଲକ୍ଷ୍ୟ କରୁଥାନ୍ତି । ତାଙ୍କ ସ୍ତ୍ରୀଙ୍କ ଦେହରେ ବହୁତ ଗହଣା ଥାଏ । ମୋ ଦେହରେ ମଧ୍ୟ ପ୍ରାୟ ଦଶ ଭରି ସୁନା ଥାଏ; କିନ୍ତୁ ତାଙ୍କ ଦେହରେ ୩୦ ଭରିରୁ ବେଶି । ତାଙ୍କ ବେକରେ ତ ଗୋଟାଏ ସୁନାମାଳି ଥାଏ, ତାକୁ ଅଟକଳ କଲି, ଏକୁଟିଆ ଦଶଭରି ହେବ । ଭଦ୍ରଲୋକଙ୍କର ସନ୍ଦେହ ହେଉଥାଏ, ଏଇ ସୁନା ଲୋଭରେ ଗୁଣ୍ଡାମାନେ ତାଙ୍କ ପିଛା ଧରିଛନ୍ତି । ସେ ବାରମ୍ବାର ତାଙ୍କ ସ୍ତ୍ରୀଙ୍କୁ ସାବଧାନ କରିଦେଉଥାନ୍ତି । ଆମ କାମରାରେ ବସିଥିବା ସାଧା ପୋଷାକ-ପିନ୍ଧା ପୁଲିସ ଅଫିସର ଖୁବ୍ ମନ ଦେଇ ଗୋଟାଏ ବହି ପଢ଼ୁଥାନ୍ତି । ତାଙ୍କର କୁଆଡ଼କୁ ଦୃଷ୍ଟି ଥିବାର ଜଣାପଡ଼ୁନଥାଏ । କିନ୍ତୁ ପରେ ଜାଣିଲି, ବହି ଆଢ଼ୁଆଳରେ ସେ ଗୁଣ୍ଡାମାନଙ୍କ ଉପରେ ଓ ଆମ ଚାରିଜଣଙ୍କ ଗତିବିଧି ପ୍ରତି ତୀକ୍ଷ୍ଣଦୃଷ୍ଟି ରଖି ନିର୍ଲିପ୍ତଭାବେ ବସିଥାନ୍ତି ।

 

ଦେହରି ଜଙ୍କ୍‍ସନ୍‌ଠାରେ ଗାଡ଼ି ବହୁତ ବେଳ ରହିଲା । ଏଠାରେ ଆମ ସହଯାତ୍ରୀ ଭଦ୍ରଲୋକ ଏକାବେଳକେ ଉତ୍‌କ୍ଷିପ୍ତ ହୋଇ ରେଳବାଇ ପୁଲିସ ଅଫିସ୍‍କୁ ଯାଇ ଗୁଣ୍ଡାଙ୍କ ଉପଦ୍ରବ ବିଷୟରେ ଏତଲା ଦେଲେ ଓ ସେମାନଙ୍କୁ ଅଟକାଇ ରଖିବାକୁ ନିବେଦନ କଲେ । ଜଣେ ପୁଲିସ ଅଫିସର ଆମ ଡବାକୁ ଆସିଲେ ଏବଂ ଆମମାନଙ୍କ ପରିଚୟ ପଚାରିଲେ । ବାବୁଜୀ ମୋତେ ତାଙ୍କ ଭଉଣୀ ବୋଲି ପରିଚୟ ଦେଲେ । ଆମ ସହଯାତ୍ରୀ ଭଦ୍ରଲୋକଙ୍କର ତ ନାମଧାମ ଆଗରୁ ଲେଖି ନେଇଥିଲେ । ସେ ବଙ୍ଗସରକାରଙ୍କର ଜଣେ ବଡ଼ ଅଫିସର । ସରକାରୀ କାର୍ଯ୍ୟରେ ଦିଲ୍ଲୀ ଯାଇଥିଲେ । ଗୁପ୍ତ ପୁଲିସଙ୍କ ସଙ୍ଗେ ପଦେ ଦି’ପଦ କଥାବାର୍ତ୍ତା ହୋଇ ତାଙ୍କର ବୋଧହୁଏ ପରିଚୟ ବୁଝିନେଲେ । ଗାଡ଼ି ଛାଡ଼ିଲା ପରେ ଅଫିସର ଭଦ୍ରଲୋକ ନିଜର ଖୁବ୍ ପ୍ରୌଢ଼ି ଦେଖାଇ ଘୋଷଣା କଲେ ଯେ, ତାଙ୍କର ପରିଚୟ ପାଇବାରୁ ରେଲବାଇ ପୁଲିସ ଜଣେ ବଡ଼ ଅଫିସରଙ୍କୁ ଏଇ ଗାଡ଼ିରେ କଲିକତା ଯାଏଁ ପଠାଉଛନ୍ତି ।

 

ବାବୁଜୀ ମନେ କରିଥିଲେ, ଏ ଜଣକ ଆମର ସାଙ୍ଗରେ ଆହ୍ଲାବାଦରୁ ଆସୁଥିବା ଗୁପ୍ତ ପୁଲିସ । କିନ୍ତୁ ପର ଷ୍ଟେସନ୍‍ରେ ଜଣାପଡ଼ିଲା ଯେ, ବାସ୍ତବିକ ଆଉ ଜଣେ ପୁଲିସ ପୋଷାକ ପିନ୍ଧା ଅଫିସର ଦେହରିଠାରୁ ଚଢ଼ିଲେ । ସେ ମଝିରେ ମଝିରେ ଆମ କାମରାକୁ ଆସୁଥାନ୍ତି ଓ ଭଦ୍ରଲୋକ, ବାବୁଜୀ ଓ ଗୁପ୍ତ ପୁଲିସ ଅଫିସରଙ୍କ ସଙ୍ଗେ ଏଣୁତେଣୁ ଦିପଦ କଥାବାର୍ତ୍ତା ହୋଇ ଅନ୍ୟ କାମରାକୁ ଚାଲିଯାଉଥାନ୍ତି । ୟେ ଜଣଙ୍କ ଆସିବାର ଦେଖି ଆମ ପିଛା ଧରିଥିବା ଗୁଣ୍ଡା ଚାରିଜଣ ଆମ କାମରା ପାଖେ ପଇଁତରା ମାଇଲେ ନାହିଁ କିନ୍ତୁ ମୁଁ ଲକ୍ଷ୍ୟ କରୁଥାଏଁ, ସେମାନେ ପ୍ଲାଟ୍‍ଫର୍ମ୍‍ରେ ବୁଲୁଥାନ୍ତି ଓ ଆମ ଉପରେ ଆଖି ରଖିଥାନ୍ତି ।

 

ଧାନବାଦ ଷ୍ଟେସନ୍‍ରେ ଗାଡ଼ି ଯାଇ ପହଞ୍ଚିଲା ବେଳକୁ ବଡ଼ି ସକାଳ । ହଠାତ୍ ସେଠାରେ ହୋକିନି ତୁମୂଳ ଶବ୍ଦ ଶୁଣାଗଲା । ପରେ ଶୁଣିଲି, କୌଣସି କାରଖାନାରେ ଶ୍ରମିକମାନେ ଧର୍ମଘଟ କରିଥାନ୍ତି, ଅଧିକ ମଜୁରି ଦାବି କରି । ସେଇ ଦାବିକୁ ଟାଣ କରିବା ସକାଶେ ସେମାନେ ଧାନବାଦ ଷ୍ଟେସନ୍‍କୁ ଆଜି ପାହାନ୍ତିଆରୁ ଘେରାଉ କରିଥାନ୍ତି । ବହୁତ ଲୋକ ରେଲ ଲାଇନର ଏପାଖେ ସେପାଖେ ଲାଇନ ଉପରେ ବସି ରହିଥାନ୍ତି । ଆହୁରି ଗୁଡ଼ାଏ ଲୋକ ଷ୍ଟେସନ୍‍ ପ୍ଲାଟ୍‍ଫର୍ମ୍‍ରେ ଦଳ ବାନ୍ଧି ବୁଲି ‘ଆମର ଦାବି ପୂରଣ ହେଉ’ ବୋଲି ଧ୍ୱନି ଦେଉଥାନ୍ତି । କ’ଣ ହେଲା କେଜାଣି ଆମ ଗାଡ଼ି ଆସି ପହଞ୍ଚିବା ସଙ୍ଗେସଙ୍ଗେ ହାଉକିନି ଗୋଟାଏ ଶବ୍ଦରେ କାନ ଫାଟିଗଲା ଓ ହଠାତ୍ ଷ୍ଟେସନ୍‍ ଘରୁ ନିଆଁ ବାହାରିଲା । ସଶସ୍ତ୍ର ପୁଲିସ୍ ଆସି ପହଞ୍ଚିଯାଇଥାନ୍ତି । ଥରେ ଦୁଇଥର ଗୁଳି ଫୁଟିବାର ଶବ୍ଦ ହେଲା । ଲୁହବୁହା ଗ୍ୟାସ୍ ବୋମା ମଧ୍ୟ ଚାରି ପାଞ୍ଚଟା ଫୁଟିଲା ।

 

ସେତେବେଳକୁ ଆମ କାମରାର ଛଦ୍ମ ପୁଲିସ୍ ଅଫିସର ଆମ ଦୁଇଟାଯାକ ଦୁଆର ଭିତରପଟୁ କିଳିଦେଇ ଅନାସକ୍ତଭାବେ ତାଙ୍କ ବହି ପଢ଼ାରେ ଲାଗିଥାନ୍ତି । ଝରକାର କାଠ କିଲିଣୀ ବନ୍ଦ କରିଦେଇଥାନ୍ତି । ତଥାପି ଲୁହବୁହା ଗ୍ୟାସ୍ ଆମ ବଖରାରେ ପଶିବାରୁ ମୋର ଓ ସଙ୍ଗିନୀଙ୍କ ଆଖିରୁ ଲୁହ ବୋହୁଥାଏ । ମୋତେ ଜଣାଯାଉଥାଏ, ମୁଁ ଅନ୍ଧ ହୋଇଯାଇଛି । ମୁଁ ଗୋଟିଏ କଣରେ ଯାକିଯୁକି ହୋଇ ବସି ଆଖି ପୋଛୁଥାଏ । ଏଇ ସମୟରେ ଆମ କାମରାର ପଛପଟ ଦୁଆରରେ ଘୋର ଶବ୍ଦ ହେଲା । ଜଣେ ପାଟି କରୁଥାଏ, ମୋତେ ରକ୍ଷାକର, ମୋତେ ରକ୍ଷା କର । ଛଦ୍ମ ପୁଲିସ ସାବଧାନ ହୋଇ ରହିବାକୁ ଆମକୁ ଇସାରା ଦେଇ ଦୁଆର ଫିଟାଇଦେଇ ଦୁଆର ଆଗୁଳି ଠିଆ ହେଲେ ଏବଂ ପାଟି କରୁଥିବା ଲୋକଙ୍କ ସଙ୍ଗେ କଥାବାର୍ତ୍ତା ହେଲେ । ସେମାନେ କଲିକତା ଯିବାକୁ ଫାଷ୍ଟକ୍ଲାସ୍ ଟିକଟ କରିଥାନ୍ତି ବୋଲି କହିଲେ । ଷ୍ଟେସନ୍‍ ପଟୁ ପଶି ନ ପାରି ପଛବାଟେ ଆସିଛନ୍ତି । ଅନୁଗ୍ରହ କରି ବସିବାକୁ ଟିକିଏ ଜାଗା ଦେବାକୁ ସେମାନେ କାକୁତି ମିନତି କରୁଥାନ୍ତି । ଛଦ୍ମ ପୁଲିସ ଆପତ୍ତି ନ କରି ସେମାନଙ୍କୁ ଆସିବାକୁ ଦେଲେ । ବାବୁଜୀ ଯେଉଁ ଚାରିଜଣ ଗୁଣ୍ଡାଙ୍କ ଉପରେ ଆହ୍ଲାବାଦଠାରେ ସନ୍ଦେହ କରିଥିଲେ ଓ ଯେଉଁ ଚାରିଜଣଙ୍କ ନାମରେ ବଙ୍ଗ ସରକାରଙ୍କ ଅଫିସର ଏତଲା ଦେଇଥିଲେ, ସେମାନେ ସେଇ ଚାରିଜଣ । ବାବୁଜୀ ନିର୍ଲିପ୍ତଭାବେ ସେମାନଙ୍କ ଉପରେ ଦୃଷ୍ଟି ରଖି ବସିଥାନ୍ତି । ବାବୁଜୀ ଛ’ ଫୁଟ୍ ଉଚ୍ଚ ମର୍ଦ । ତାଙ୍କର କୃଷ୍ଣ ଶ୍ମଶ୍ରୁମଣ୍ଡିତ ମୁଖରୁ ଗୋଟାଏ କିମିତି ତେଜ ସବୁବେଳେ ବାହାରେ ଯେ, ମଣିଷ ତାଙ୍କୁ ଦେଖିଲେ ଶଙ୍କିଯାଏ । ତାଙ୍କ ମାଂସପେଶୀପୃଷ୍ଟ ବାହୁ ଦୁଇଟିରେ ସିଂହର ବଳ ବୋଲି ମୋର ଧାରଣା ହୋଇଥିଲା; ଏହାର ପ୍ରମାଣ ମୁଁ ତାଙ୍କର ମୁହଁରୁ ପାଇଥିଲି କୁମ୍ଭମେଳାରେ ସେ ମୋତେ ଉଦ୍ଧାର କରିଥିବା ଘଟଣାର ବିବରଣୀରୁ । ତାଙ୍କ ପ୍ରଶସ୍ତ ଲଲାଟରେ କୌଣସି ଭୟର ଛାପ କେତେବେଳେ ପଡ଼ିବାର ନୁହେଁ । ତାଙ୍କ ଆଖିରେ ଘୃଣା ବା ବିରକ୍ତିର ସଙ୍କେତବି ଦିଶୁନଥାଏ । କିନ୍ତୁ ବଙ୍ଗ ସରକାରଙ୍କ ଉଚ୍ଚ ଅଫିସରଙ୍କ ମୁହଁରେ ଘୃଣା, ଅସୂୟା, ଆଶଙ୍କା ଓ ଭୟ ଯୁଗପତ୍ ଖେଳିଯାଉଥାଏ । ସେ ଭୟ ଓ ଆତଙ୍କରେ ‘ଓରା’ ବୋଲି ଚିତ୍କାର କରି ବେହୋସ ହେଲା ପରି ତାଙ୍କ ବସିବା ସିଟ୍‌ରେ ଢଳିପଡ଼ିଲେ-। ବାବୁଜୀ ତାଙ୍କ ପାଖକୁ ଘୁଞ୍ଚିଯାଇ ତାଙ୍କୁ ଧରି ବସାଇଲେ ଓ ନିଶ୍ଚିନ୍ତ ହୋଇ ରହିବାକୁ କହିଲେ-। ସେ ଆଶ୍ୱାସନା ଦେଲେ ଯେ, ଏମାନେ ଯଦି ପ୍ରକୃତରେ ଗୁଣ୍ଡା ହୋଇଥାନ୍ତି, ତେବେ ତାଙ୍କର ଚାରିଜଣଙ୍କୁ ଆମେ ତିନିଜଣ ଥାଇଁ । ଗୁଣ୍ଡାମାନେ କିଛି କରିପାରିବେ ନାହିଁ । ଅଫିସରଙ୍କ ସ୍ତ୍ରୀ ମୋତେ ଜାବୁଡ଼ି ଧରି ବସିଲେ, କିନ୍ତୁ ସେ ନିଜ ସ୍ୱାମୀଙ୍କ ପରି ଏକାବେଳେକେ ଭାଜି ପଡ଼ି ନ ଥାନ୍ତି-। ଛଦ୍ମ ପୁଲିସ ଅଫିସର ଆମ ଆଡ଼େ ଆଦୌ ଦୃଷ୍ଟି ନ ଦେଲା ପରି ରହି ଚାରିଜଣଯାକ ଆଗନ୍ତୁକଙ୍କୁ ପଚାରିଲେ, “ଆପଣମାନେ କ’ଣ ଏଇ ଧାନବାଦଠାରୁ ଗାଡ଼ିରେ ଚଢ଼ିଲେ ?”

 

ଆଗନ୍ତୁକଙ୍କ ଭିତରୁ ଜଣେ କହିପକାଇଲେ, ହଁ; ଆଉ ଜଣେ ପ୍ରତିବାଦ କଲେ “ନା, ଆମେ ଦିଲ୍ଲୀରୁ ଆସୁଛୁ ।” ପୁଲିସ ଅଫିସର ଟିକିଏ ମୁଡ଼ୁକି ହସି କହିଲେ, “ମୁଁ ଜାଣେ, ଆପଣମାନେ ଆହ୍ଲାବାଦରୁ ଆସୁଛନ୍ତି । ଏ ଗାଡ଼ି ଆହ୍ଲାବାଦ ଷ୍ଟେସନ୍‍ରେ ପହଞ୍ଚିବା ପୂର୍ବରୁ ମୁଁ ଆପଣମାନଙ୍କୁ ଆହ୍ଲାବାଦ ଷ୍ଟେସନ୍‍ର ୫ ନମ୍ବର ପ୍ଲାଟ୍‍ଫର୍ମ୍‍ରେ ଦେଖିଛି । ଆଚ୍ଛା, ଆପଣଙ୍କ ଟିକଟ ମୋତେ ଦେଖାଇପାରିବେ କି ?” ଆଗନ୍ତୁକଙ୍କ ଭିତରୁ ଆଉ ଜଣେ ବାହାରିପଡ଼ିଲେ, “ଆପଣ କ’ଣ ରେଳବାଇ ଅଫିସର ? ଆମ ଟିକଟ ଦେଖିବାକୁ ଆପଣଙ୍କର କି ଅଧିକାର ?” ପୁଲିସ ଅଫିସର କହିଲେ, ‘ଆଚ୍ଛା, ସେ କଥା ତ ପରେ ବୁଝାଯିବ । ବର୍ତ୍ତମାନ ଆପଣମାନେ ପାଖରେ କିଛି ଅସ୍ତ୍ରଶସ୍ତ୍ର ରଖିଛନ୍ତି କି ନାହିଁ, ଦେଖାଯାଉ ।’ ଏହା କହି ସେ ସାଙ୍ଗେ ସାଙ୍ଗେ ଜଣକର ପ୍ୟାଣ୍ଟ ପକେଟରେ ହାତ ଦେବାମାତ୍ରେ, ଆର ତିନିଜଣ ଉଠିପଡ଼ି ପୁଲିସ ଅଫିସରଙ୍କୁ ଆକ୍ରମଣ କରିବାକୁ ବସନ୍ତେ, ଆଖି ପିଛୁଳାକେ ବାବୁଜୀ ଉଠି ପଡ଼ି ତିନିଜଣଯାକକୁ ଗୋଟାଏ ହାତରେ ସିଟ୍ ଉପରେ ବସାଇଦେଲେ । ବାବୁଜୀଙ୍କ ହାତର ବଳ କଷିନେଇ ବୋଧହୁଏ ଆଗନ୍ତୁକମାନେ ଦବିଗଲେ । ତୃତୀୟ ଜଣଙ୍କ ପ୍ୟାଣ୍ଟ ପକେଟ୍‌ରୁ ଖୋଳରେ ଥିବା ଗୋଟିଏ ଛୋଟ ଛୁରା ବାହାରିଲା । ଚାରିଜଣଯାକଙ୍କ ଖାନ୍‍ତଲାସ୍ ପରେ ପୁଲିସ ଅଫିସର ଛୁରାଟି ଫିଟାଇ ଦେଖି କହିଲେ, ‘ବେଶ୍ ଅସ୍ତ୍ରଟିଏ ତ ! ୟାକୁ କେତେଜଣଙ୍କ ଉପରେ ପରୀକ୍ଷା କଲେଣି ? ବୋଧହୁଏ ଏହାର ପରୀକ୍ଷା ହୋଇନାହିଁ; ହୋଇଥିଲେ ତ ସାଙ୍ଗେ ସାଙ୍ଗେ ମୋ ଉପରେ ପରୀକ୍ଷା କରିଦେଇଥାନ୍ତେ । ଆଚ୍ଛା, ଆପଣମାନେ ନିଶ୍ଚିନ୍ତ ହୋଇ ବସନ୍ତୁ । ମୋ ପାଖରେ ଯାହା ଅଛି ଦେଖିଲେ ବୋଧହୁଏ ଅଧିକ ପ୍ରକୃତିସ୍ଥ ହେବେ ।” ଏହା କହି ସେ ଛୁରାଟି ପକେଟରେ ପୂରାଇଲେ ଓ ନିଜ ପ୍ୟାଣ୍ଟ ପକେଟରୁ ଗୋଟିଏ ପିସ୍ତଲ କାଢ଼ି ଦେଖାଇ କହିଲେ, “ଟିକିଏ ଗୋଳମାଳ କଲେ ଏଇଟା ଚାଲିବ; ଛ’ଟା ଗୁଳି ଅଛି । ଆପଣମାନେ ମୋଟେ ଚାରିଜଣ ।” ଚାରିଜଣଯାକ ଯୁବକ ଯେଉଁ ପରିମାଣରେ ଦବିଗଲେ, ବଙ୍ଗ ସରକାରଙ୍କ ଉଚ୍ଚ ଅଫିସର ସେହି ପରିମାଣରେ ତେଜି ଗଲେ ଓ ପୂର୍ବ ପରି ବଡ଼ଲୋକି ଦେଖାଇ ଛଦ୍ମ ପୁଲିସ ଅଫିସରଙ୍କୁ କହିଲେ, “ଆପଣଙ୍କୁ ଧନ୍ୟବାଦ । ମୁଁ ଆପଣଙ୍କ ସାହାଯ୍ୟ ନିମନ୍ତେ ପୁରସ୍କାର ଦେବାକୁ ଚାହେଁ ।” ପୁଲିସ ଅଫିସର କହିଲେ, “ଧନ୍ୟବାଦ, ତାହା ପଛକୁ ରହୁ-।” ଏହା କହି ସେ ବାବୁଜୀଙ୍କ ଆଡ଼କୁ ଚାହିଁ ଟିକିଏ ମୁଡ଼ୁକି ହସିଲେ ।

 

ଏତେବେଳକୁ ଷ୍ଟେସନ୍‍ର ଗୋଳମାଳ ଥଣ୍ଡା ପଡ଼ିଯାଇଥାଏ । ଧର୍ମଘଟକାରୀମାନେ ପୁଲିସ ପ୍ରତାପରେ ଛତ୍ରଭଙ୍ଗ ଦେଇଥାନ୍ତି । ତାଙ୍କ ଭିତରୁ କେତେଜଣ ଗିରଫ୍‍ବି ହୋଇଥାନ୍ତି । ରେଲ ଲାଇନର ପ୍ରତିବନ୍ଧକ ଦୂର ହେବାପରେ ଆମ ଗାଡ଼ି ଛାଡ଼ିବାକୁ ଆରମ୍ଭ କଲା । ସାଙ୍ଗେ ସାଙ୍ଗେ ଚାରି ଜଣଯାକ ଗୁଣ୍ଡା ଠିଆ ହୋଇପଡ଼ିଲେ ଏବଂ ଚଳନ୍ତା ଗାଡ଼ିରୁ ଓହ୍ଲାଇ ପଡ଼ିବାକୁ ଉଦ୍ୟତ ହେଲେ । ସି.ଆଇ.ଡି. ଅଫିସର ତାଙ୍କୁ ଚେତାଇ ଦେଲେ ଯେ, ସେମାନେ ଜବରଦସ୍ତି ଯିବାକୁ ବାହାରିଲେ ସେ ବାଧ୍ୟ ହୋଇ ଗୁଳି କରି ସେମାନଙ୍କୁ ଅକର୍ମଣ୍ୟ କରିଦେବେ । ୟା ପରେ କେଉଁ ଷ୍ଟେସନ୍‍ରେ ଗାଡ଼ି ରହିବ ସେଇଠାରେ ସେମାନଙ୍କର ଟିକଟ ଚେକ୍ କରାଯିବ ଏବଂ ସେମାନେ ଆହ୍ଲାବାଦରୁ ଏପର୍ଯ୍ୟନ୍ତ କାହାର ପିଛା ଧରିଛନ୍ତି ଅନୁସନ୍ଧାନ ହେବ । ଚାରିଜଣଯାକ ତୁନି ହୋଇ ବସିଲେ ।

 

ୟା ପରେ ଯେଉଁ ଷ୍ଟେସନ୍‍ରେ ଗାଡ଼ି ଅଟକିଲା ସେଠାରେ ରେଳବାଇ ଅଫିସରଙ୍କୁ ଡକା ହେଲା । ରେଳବାଇ ଅଫିସର ଟିକଟ ମାଗିଲେ । ଅନଧିକାର ପ୍ରବେଶକାରୀ ଚାରିଜଣଯାକ ଜବାବ ଦେଲେ ଯେ, ସେମାନେ ଆହ୍ଲାବାଦରୁ ଫାଷ୍ଟକ୍ଲାସ୍ ଟିକଟ କରି କଲିକତା ଯାଉଥିଲେ । ଧାନବାଦ ଷ୍ଟେସନ୍‍ରେ ଗୋଳମାଳରେ ସେମାନଙ୍କ ଟଙ୍କାପଇସା ଓ ଟିକଟ ଲୁଟ ହୋଇଯାଇଛି । କଲିକତାରେ ସେମାନଙ୍କର ଜରୁର କାମ; ଯଦି ତାଙ୍କୁ ବାଟରେ ଅଟକାଇଦିଆଯାଏ ତେବେ ସେମାନେ କ୍ଷତିପୂରଣ ଦାବି କରିବେ । ସାଦା ପୋଷାକ ପିନ୍ଧିଥିବା ଆମ ସଙ୍ଗୀ, ପୁଲିସ ଅଫିସରଙ୍କୁ ନିଜର ଇଜହାର ଦେଲେ ଏବଂ ଅନୁରୋଧ କଲେ ଯେ ତାଙ୍କ ସଙ୍ଗେ ଚାରିଜଣଯାକଙ୍କୁ କଲିକତା ଯିବାକୁ ଦିଆଯାଉ । ସେଇଠାରେ ଏମାନଙ୍କର ବିନା ଟିକଟରେ ଯାତ୍ରା କରିବା ଅଭିଯୋଗ ଓ ଏମାନେ ମାରାତ୍ମକ ଅସ୍ତ୍ର ଧରି ଯାଉଥିବା ଅଭିଯୋଗ ମଧ୍ୟ କରାଯିବ । ସେଇଆ ହେଲା ପ୍ରାୟ ଦିନ ବାରଟାବେଳେ ଆମ ଗାଡ଼ି ହାବଡ଼ା ଷ୍ଟେସନ୍‍ରେ ପଶିଲା । ବଙ୍ଗ ସରକାରଙ୍କ ଅଫିସରଙ୍କୁ ଷ୍ଟେସନ୍‍ ଥାନାରେ ଟିକିଏ ଅପେକ୍ଷା କରିବାକୁ କୁହାଯିବାରେ ତାଙ୍କର ଅଫିସ୍‍ରେ ଜରୁର କାମ ଅଛି ବୋଲି ସେ ବାହାରୁଥିଲେ । ଦେହରିଠାରୁ ଆସିଥିବା ପୁଲିସ ଅଫିସରଙ୍କ ଯୋଗୁଁ ସେ ରହିଲେ । ସମସ୍ତଙ୍କଠାରୁ ଇଜହାର ନିଆଗଲା । ସେତେବେଳକୁ ଆହ୍ଲାବାଦ ଷ୍ଟେସନ୍‍ରୁ ଟେଲିଫୋନ୍ ଆସିଥାଏ ଯେ, ଆମ ଚାରିଜଣଙ୍କର ଚାରିଖଣ୍ଡ ଫାଷ୍ଟକ୍ଲାସ୍ ଟିକଟ ବ୍ୟତୀତ ଅନ୍ୟ କୌଣସି ଫାଷ୍ଟକ୍ଲାସ୍ ଟିକଟ ଏ ଗାଡ଼ିପାଇଁ କଟା ହୋଇନାହିଁ । ଆମ ସାଥିରେ ଆସିଥିବା ପୁଲିସ ଅଫିସର ଛୁରାଟି ଥାନାରେ ଜିମା ଦେଲେ । ଚାରିଜଣଯାକଙ୍କୁ ହାଜତରେ ରଖାଗଲା । ବାବୁଜୀ ଆମର ପୁରୀ ଯିବା କଥା କହିବାରେ, ପୁରୀରେ ପହଞ୍ଚି ଆମର ଠିକଣା କଲିକତା ପୁଲିସ ପାଖକୁ ପଠାଇ ଦେବା ନିମନ୍ତେ ତାଙ୍କଠାରୁ ଲିଖିତ ପ୍ରତିଶ୍ରୁତି ନେଇ, ଆମକୁ ଛାଡ଼ିଦିଆଗଲା ।

 

କଲିକତାର ପୁଲିସ ଷ୍ଟେସନ୍‍ରୁ ବାବୁଜୀ ଓ ମୁଁ ଆସି ହାବଡ଼ା ଷ୍ଟେସନ୍‍ରେ ପହଞ୍ଚିଲା ବେଳକୁ ବେଳ ଗଡ଼ିଯାଇଥାଏ । ସାମାନ୍ୟ ଫଳାହାର କରିବା ପରେ ସେ ମୋତେ କହିଲେ, ‘ତାରା-! ବର୍ତ୍ତମାନ ଗୋଟାଏ ପାସେଞ୍ଜର ଗାଡ଼ି ପୁରୀ ଆଡ଼କୁ ଯିବ । ଚାଲ, ଆମେ ସେଇଥିରେ ବସିପଡ଼ିବା । ଏଠାରେ ଅପେକ୍ଷା କରି ରହିବା ଅକାରଣ । ସନ୍ଧ୍ୟାବେଳର ଗାଡ଼ିରେ ଗଲେ ସକାଳ ୯ଟାରେ ପୁରୀରେ ପହଞ୍ଚିବା । ବର୍ତ୍ତମାନର ପାସେଞ୍ଜର ଗାଡ଼ିରେ ଗଲେ କାଲି ଓପରଓଳି ପହଞ୍ଚିବା-।’ ମୁଁ ମୁଣ୍ଡ ଟୁଙ୍ଗାରି ହଁ କଲି । ମୋର ବା ଉଛୁର ସଅଳରେ ଯାଏଁ ଆସେ କେତେ ? ତେବେ ଶୀଘ୍ର ହାବଡ଼ା ଷ୍ଟେସନ୍‍ ବିଶ୍ରାମାଗାରର ଗହଳିରୁ ଉଦ୍ଧାର ପାଇ ରେଳ ଡବାରେ ବିଶ୍ରାମ କରିବାକୁ ମନ ହେଉଥାଏ ।

 

ଆମକୁ ଭଲ ଡବାଟିଏ ମିଳିଗଲା । ଖୁବ୍ ଛୋଟ ଡବା, ଓପରେ ଗୋଟିଏ ବେଞ୍ଚ୍, ତଳେ ଗୋଟିଏ ବେଞ୍ଚ୍ । ମୁଁ ଗୋଟିଏ ପାଖକୁ ବସିଲି, ବାବୁଜୀ ମୋ’ ଠାରୁ ଦୂରରେ ଆର ପାଖେ ବସି ବାହାରକୁ ଚାହିଁ ରହିଥାନ୍ତି । ମୋ ସଙ୍ଗେ କଥାବାର୍ତ୍ତା କରିବାକୁ ଆଦୌ ଆଗ୍ରହୀ ହେଉନଥାନ୍ତି । ମୋର କିନ୍ତୁ ମନ ହେଉଥାଏ, ତାଙ୍କ ସଙ୍ଗେ କଥାବାର୍ତ୍ତା ହେବାକୁ । କ’ଣ କେଜାଣି ବିଚାରିବେ ବୋଲି ଶଙ୍କି ରହିଥାଏ । ପାସେଞ୍ଜର ଗାଡ଼ି ୧୦ ମିନିଟ୍‌ରେ ଗୋଟାଏ ଗୋଟାଏ ଷ୍ଟେସନ୍‌ରେ ଅଟକୁଥାଏ । ଦୁଇଟା ଷ୍ଟେସନ୍‍ରେ ଗାଡ଼ି ଅଟକି ଛାଡ଼ିବା ପରେ ମୁଁ ତୁନି ହୋଇ ରହି ନ ପାରି କଳି କଲା ପରି ପଚାରିଲି, “ମୁଁ ଆପଣଙ୍କର ଭଉଣୀ ବୋଲି ପୁଲିସ ଥାନାରେ କାହିଁକି ପରିଚୟ ଦେଲେ-?” ସେ ବିବ୍ରତ ହୋଇ ମୋ ଆଡ଼କୁ ଯେପରି ଚାହିଁଲେ ତାହା ଦେଖି ମୁଁ ମନେମନେ ହସିଲି-। ସେ ଦୋଷ କଲା ପରି କହିଲେ, “ତୁମେ କ’ଣ ସେଥିଯୋଗୁଁ ଦୁଃଖ କଲ ତାରା ? ମୁଁ ଜାଣେ, ତୁମେ ଛାତ୍ରୀ, ମୋର ଜାତି ତୁମ ତୁଳନାରେ ଛୋଟ । କିନ୍ତୁ ଜାତିଭେଦକୁ ମୁଁ ମାନେ ନାହିଁ, ମଣିଷ ଜାତିର ସମସ୍ତେ ସମାନ ବୋଲି ମୁଁ ମନେ କରେ । ସେଇଥିପାଇଁ ଭଉଣୀ ବୋଲି କହିଦେଲି-। ଏଥିରେ ଯଦି ତୁମର ଆପତ୍ତି, ତେବେ ଆଉ କ’ଣ ବୋଲି ପରିଚୟ ଦେବି ? ଏକ ଗୁରୁଙ୍କୁ ମାନୁଥିବା ସ୍ଥଳେ ଆମେ କ’ଣ ଗୁରୁଭାଇ ଗୁରୁଭଉଣୀ ନୁହେଁ ।”

 

ୟାଙ୍କର ଓଲଟା ବୁଝାମଣା ଶୁଣି ମୁଁ ଲଜ୍ଜିତ ହେଲି ଯେତିକି, ମନେମନେ ଆମୋଦିତ ହେଲି ସେତିକି ? ଅତି ସରଳ ଲୋକ । ମୁଁ କହିଲି କ’ଣ ସେ ବୁଝିଲେ କ’ଣ ? କ’ଣ ଉତ୍ତର ଦେବି, ବିଚାରୁଛି, ସେ ତାଙ୍କ ଆଡ଼ୁ ପୁଣି ଆରମ୍ଭ କଲେ, “ଯାହା ହେଉ, ତୁମର ଏ କଥା ଶୁଣି ମୋର ଗୋଟାଏ ବଡ଼ ଲାଭ ହେଲା । ଜାତି ଭେଦକୁ ତୁମେ ମାନ–ମାନିବାର କଥା–ସୁତରାଂ ଦେଖିବାକୁ ହେବ ତୁମର ନିଜ ଜାତିର ଗୋଟିଏ ଉପଯୁକ୍ତ ପାତ୍ର ଯେପରି ମିଳେ ।”

 

ଏଥର ମୁଁ କହିଲି, “ମୁଁ ଦେଖୁଛି ଆପଣ ସବୁବେଳେ ମୋର ବିବାହ ବିଷୟରେ ଭାବି ହେଉଛନ୍ତି । କିନ୍ତୁ ଏ ବିଷୟରେ ମୋର ନିଜ ମନକୁ ତ ବିଚାରକୁ ନିଆଯିବା ଉଚିତ ।” ଏହା କହି ମୁଁ ନ ଜାଣିଲା ପରି ତାଙ୍କ ଆଡ଼କୁ ଟିକିଏ ଘୁଞ୍ଚିଗଲି, ତଥାପି ଆମ ଦୁହିଁଙ୍କ ଭିତରେ ଦୁଇ ହାତରୁ ଅଧିକ ବ୍ୟବଧାନ ଥାଏ । ସେ ଯେପରି ଇତଃସ୍ତତଃ ହୋଇଗଲେ, ଆଉ ଜାଗା ଥିଲେ, ସେ ଆଉ ଟିକିଏ ଦୂରକୁ ଘୁଞ୍ଚିଯାଇଥାନ୍ତେ । ଜାଗା ତ ନଥିଲା, ମୋତେ ଘୁଞ୍ଚିକରି ବସ ବୋଲି କହିବାରବି ସାହସ ନ ଥାଏ । ସେ ସନ୍ତର୍ପଣରେ କହିଲେ, “ନିଶ୍ଚୟ, ଆଗ ଗୋଟିଏ ଯୋଡ଼ିଏ ପାତ୍ରଙ୍କ ଉପରେ ଆଖି ପକାଏ । ସେମାନଙ୍କର ପରିଚୟ ପାଇଁ ତୁମର ପସନ୍ଦ ଅନୁସାରେ ଜଣଙ୍କୁ ଠିକ୍ କରିବା । ମୁଁ ତରତର ହେଉନାହିଁ । କିନ୍ତୁ ଗୁରୁଦେବଙ୍କ ଆଜ୍ଞା, ତୁମକୁ ସତ୍‌ପାତ୍ରସ୍ଥା କରିବାକୁ ହେବ ।”

 

ମୁଁ ତୁନି ହେଲି । ସେତେବେଳକୁ ଆଉ ଗୋଟାଏ ଷ୍ଟେସନ୍‍ବି ହୋଇଯାଇଥାଏ । ଦୈବାତ୍ ଜଣେ ଲୋକ ଆମ ସେ ଡବାର ଦୁଆର ଫିଟାଇ ଭିତରକୁ ପଶିଲେ ଓ ବଙ୍ଗଳାରେ କହିଲେ, “ଆପଣଙ୍କର ରିଜର୍ଭ୍ ଅଛି ବୋଧହୁଏ । ଯାହାହେଉ ଆପଣଙ୍କର ଆପତ୍ତି ନଥିଲେ, ମୁଁ ଟିକିଏ ବସିପାରେ । ସନ୍ଧ୍ୟା ପୂର୍ବରୁ ମୁଁ ଓହ୍ଲାଇଯିବି । ରିଜର୍ଭେସନ୍ ତ ରାତିପାଇଁ ।” ଏହା କହି ସେ ସଂକୋଚରେ ମୋରି ପାଖରେ ଠିଆ ହୋଇ ରହିଲେ । ମୁଁ ଜାଣିଲି, ସେ ଚାହୁଁଛନ୍ତି, ମୁଁ ଟିକିଏ ଘୁଞ୍ଚିଗଲେ ସେ ବସିବେ । ବାବୁଜୀ ମଧ୍ୟ ସେଇ ଅନୁମାନ କରି ମୋତେ କହିଲେ, “ତାରା ! ଏ ଆଡ଼କୁ ଟିକିଏ ଘୁଞ୍ଚି ଆସ, ଭଦ୍ରଲୋକ ବସିବେ ।” ଆଗନ୍ତୁକ ବାସ୍ତବିକ ଭଦ୍ରଲୋକ, ଆମ ଆଡ଼କୁ ଟିକିଏ ଚାହିଁ ସେ ସିଟ୍ କଡ଼ରେ ଟିକିଏ ଲେସି ହେଲା ପରି ବସିଲେ । ମୁଁ ଲାଗିଗଲି ଏକାବେଳକେ ବାବୁଜୀଙ୍କ ପାଖକୁ ବାଜ୍‌ନବାଜ ହୋଇ । ବାବୁଜୀ ଠିଆ ହୋଇ ପଡ଼ି ମୋତେ କଡ଼କୁ ବସିବାକୁ କହିଲେ ଓ ମୋର ଓ ଆଗନ୍ତୁକଙ୍କ ମଝିରେ ନିଜେ ବସି ତାଙ୍କ ସଙ୍ଗେ ଆଳାପ ଆରମ୍ଭ କରିଦେଲେ-। ସେ ଏତେ ପ୍ରାଞ୍ଜଳଭାବେ ବଙ୍ଗଳା କହିପାରନ୍ତି ବୋଲି ମୁଁ ଜାଣି ନଥିଲି । ଉଭୟଙ୍କର ଆଳାପ ଖୁବ୍ ଘନିଷ୍ଠଭାବେ ଚାଲିଲା । ଆମ ଦେଶର ସଂସ୍କୃତି ବର୍ତ୍ତମାନର ରାଜନୀତିକ ଅବସ୍ଥା, କଲିକତାରେ ଲୋକଙ୍କର ସୁଖଦୁଃଖ ସବୁ ପଡ଼ିଥାଏ । ମୁଁ ଭଲକରି ବୁଝିପାରୁନଥାଏ; କେବଳ ମଝିରେ ମଝିରେ ବାବୁଜୀଙ୍କ ଆଡ଼କୁ ତାଙ୍କ ଅଜାଣତରେ ଚାହିଁ ମନେମନେ ଆନନ୍ଦ ଅନୁଭବ କରୁଥାଏ । ଆଗନ୍ତୁକ ଉଚ୍ଚ-ଶିକ୍ଷିତ ବୋଲି ପରିଷ୍କାର ଜଣାପଡ଼ୁଥାଏ, ଅଥଚ ୟେ କେତେ ସହଜରେ ତାଙ୍କୁ ପ୍ରଭାବିତ କରିପାରୁଛନ୍ତି । ତାଙ୍କର ବ୍ୟକ୍ତିତ୍ୱରେ ସତେ ଯେପରି ମୋର ଅଂଶ ଅଛି ବୋଲି ମୋର ମନେ ହେଉଥାଏ ।

 

ପ୍ରାୟ ଅଧଘଣ୍ଟାଏ ସମୟ ସେ ଆମ ଗାଡ଼ିରେ ରହି ଓହ୍ଲାଇଗଲେ । ତାଙ୍କର ଯେଉଁ ଷ୍ଟେସନ୍‍ରେ ଓହ୍ଲାଇବାର କଥା, ସେ ଷ୍ଟେସନ୍‍ ନିକଟ ହୋଇଯିବାରୁ ସେ କହିଲେ, “ଆପଣଙ୍କ ସଙ୍ଗେ ଦୁଇପଦ କଥା ହେବା ବେଳୁ ତ ମୁଁ ଆପଣଙ୍କୁ ଚିହ୍ନିନେଇଛି । ଆପଣ ଆମରି ପରି ସଂସାରୀ ହେଲେହେଁ ଆମଠାରୁ ଖୁବ୍ ଉଚ୍ଚରେ । ଏତେ ଅଳ୍ପବୟସ ଅଥଚ ଆପଣଙ୍କ ମୁହଁରୁ ସାତ୍ତ୍ଵିକତାର ଯେଉଁ ତେଜ ଦେଖୁଛି ତାହା ମୋତେ ମୁଗ୍ଧ କରୁଛି । ମୁଁ ଆପଣଙ୍କଠାରୁ ବୟସରେ ବଡ଼ ଓ ବ୍ରାହ୍ମଣ । ମୁଁ ଆଶୀର୍ବାଦ କରୁଛି ଆପଣ ଦୁହିଁଙ୍କର ଜୀବନ ସଦାନନ୍ଦମୟ ହେଉ । ଆପଣଙ୍କ ପତ୍ନୀଙ୍କ ବୟସର ଗୋଟିଏ ଝିଅ ମୋର ଘରେ ଅଛି । ମୁଁ ୟାଙ୍କୁ ସେଇ ଦୃଷ୍ଟିରେ ଦେଖି ଆଶୀର୍ବାଦ କରୁଛି; ୟେ ପୁତ୍ରବତୀ ଓ ସୌଭାଗ୍ୟବତୀ ହୁଅନ୍ତୁ ।” ଗାଡ଼ି ଷ୍ଟେସନ୍‍ରେ ଠିଆ ହେଉ ନ-ହେଉ ସେ ଓହ୍ଲାଇଗଲେ; ଘରକୁ ଯିବାକୁ ତାଙ୍କୁ କୋଶେ ବାଟ ଚାଲିବାକୁ ହେବ । ତାଙ୍କ କଥା ଶୁଣି ବାବୁଜୀଙ୍କ ମୁହଁରେ ଯେଉଁ ଭାବ ଖେଳିଗଲା ତାହା ସେ ଲକ୍ଷ୍ୟ କରିବାକୁ ସମୟ ପାଇଲେ ନାହିଁ । ମୁଁ କିନ୍ତୁ ପାଇଲି ଓ ଭିତରେ ଭିତରେ ଖୁବ୍ ଆମୋଦିତ ହେଲି । ମନେମନେ ବିଚାରିଲି, ଆଉ ସହଜରେ ମୋତେ ଭଉଣୀ ବୋଲି ଚିହ୍ନାଇବେ ନାହିଁ । ଆମେ ଏକୁଟିଆ ହେଲା ପରେ ସେ ପୁଣି ବେଞ୍ଚ୍‍ର ଗୋଟିଏ କଣକୁ ଘୁଞ୍ଚି ବସିଲେ, ମୁହଁ ଲଜ୍ଜା ଓ ସଂକୋଚରେ ରଙ୍ଗ ହୋଇଯାଇଥାଏ । ଇଲେକ୍‌ଟ୍ରିକ୍ ଆଲୁଅରେ ଖୁବ୍ ସୁନ୍ଦରବି ଦିଶୁଥାଏ । ତାଙ୍କ ମୁହଁକୁ ଦେଖି ମୋର ଅତୀତ କୁଆଡ଼େ ଆଡ଼େଇ ହୋଇଗଲା ଓ ଭବିଷ୍ୟତର ଯେଉଁ ଚାରାଟି ବଙ୍ଗାଳୀ ଭଦ୍ରଲୋକ ମୋର ହୃଦୟରେ ପୋତି ଦେଇଗଲେ ତାହା ନିମିଷମାତ୍ରରେ ମଞ୍ଜରି ଉଠିଲା । ମୋର ସେ ଭାବ ମୁଁ ଲୁଚାଇବାକୁ ଯଥାସମ୍ଭବ ଚେଷ୍ଟା କରି ମୁହଁକୁ ତଳକୁ ପୋତି ବସିଥାଏ ।

 

ଆଉ ଦୁଇ ଚାରିଟା ଷ୍ଟେସନ୍‍ ପରେ ଖଡ଼୍‌ଗପୁର ପଡ଼ିଲା । ସେ ପର୍ଯ୍ୟନ୍ତ ବାବୁଜୀ ଅନ୍ୟମନସ୍କ ହୋଇ ବସିଥାନ୍ତି । ମନେମନେ କ’ଣ ଭାବୁଥାନ୍ତି କେଜାଣି ? ମୁଁ ଭାବୁଥାଏ ତାଙ୍କରି କଥା । ଲଜ୍ଜାର କଥା, ସ୍ଵୀକାର କରୁଛି ଯେ ତାଙ୍କ କଥା ଭାବୁ ଭାବୁ ମୁଁ ମୋର ବାପ ମା’ ଓ ମା’ଙ୍କ ଠାରୁ ଅଧିକ ହିତାକାଂକ୍ଷୀ ଦିଦିଙ୍କୁ ପାସୋରିଦେଲି । ପ୍ରତାପବାବୁ ଓ ତାଙ୍କ ମା’ଙ୍କ ସ୍ମୃତି ତ ଆହ୍ଲାବାଦ ଛାଡ଼ିବାବେଳୁ ଯାଇଥାଏ । ଆଜି ମନେପକାଇ ସେମାନଙ୍କ କଥା ଉଲ୍ଲେଖ କରୁଛି । ତାହାବି ସମ୍ଭବ ହେଉଛି ବାବୁଜୀଙ୍କଠାରୁ ବିଚ୍ଛିନ୍ନ ହେବାରୁ । ତାଙ୍କ ସଙ୍ଗେ ଭଗବାନଙ୍କ ଅନୁଗ୍ରହରୁ ଯେଉଁ ବର୍ଷ ଚାରୋଟି କଟିଛି; ସେ ମଧ୍ୟରେ ମୁଁ ଖଣ୍ଡିଏ ଅନ୍ଧାରିଆ ମାଟିଘରେ ଥାଇ ମଧ୍ୟ ସ୍ୱର୍ଗରେ ଥିଲା ପରି ମନେ କରୁଥିଲି ଓ ସେ ସ୍ୱର୍ଗସୁଖରେ ମୋର ଦୁଃଖ ଶୋକ ସବୁ ପାସୋର ହୋଇଯାଇଥିଲା । ଆଜି ସେ ନାହାନ୍ତି; ବହୁତ ଦୁଃଖ କଷ୍ଟ ନୂଆ କରି ପୁଣି ଭୋଗିବାକୁ ପଡ଼ିଛି କିନ୍ତୁ ଦୁଃଖରେ ଭାଜି ପଡ଼ିଲାବେଳେ ସେ ଆସି ଆଗରେ ଠିଆ ହୋଇଯାଉଛନ୍ତି, ଦୁଃଖ ଦୁଃଖ ପରି ଲାଗୁନାହିଁ । ଛାଡ଼ ସେ କଥା । ବେଳେବେଳେ ବାଉଳି ହୋଇ କ’ଣ ଗୁଡ଼ାଏ ଲେଖିହୋଇଯାଉଛି ।......

 

ଖଡ଼୍‍ଗପୁରରେ ଆମେ ପହଞ୍ଚିଲାବେଳକୁ ରାତି ପ୍ରାୟ ଦି’ଘଡ଼ି । ପୂର୍ଣ୍ଣମୀ ଜହ୍ନ ସଙ୍ଗେ ଷ୍ଟେସନ୍‍ର ଇଲେକ୍‌ଟ୍ରିକ୍ ଆଲୁଅ ମିଶିଯାଇ ଚାରିଆଡ଼କୁ ଖୁବ୍ ସୁନ୍ଦର କରିଦେଇଥାଏ । ଗାଡ଼ି ଅଟକିବାରେ ବାବୁଜୀ ମୋ ଆଡ଼କୁ ଚାହିଁ–ବୋଧହୁଏ ବଙ୍ଗାଳୀ ଭଦ୍ରଲୋକଙ୍କ କଥାକୁ ପାଗୁଳି କରୁଥିବାରୁ ସିଧା ମୋ ମୁହଁକୁ ଚାହିଁ ପାରୁନଥାନ୍ତି–ପଚାରିଲେ, “ତୁମକୁ ଭୋକ ହେବଣି । ଏଇଠାରେ କ’ଣ ଖାଇଦେବା । ମୁଁ ଯାଇ ଆଣନ୍ତି ଯେ, ତୁମକୁ ଏକୁଟିଆ ଛାଡ଼ି ଯିବାକୁ ମନ ହେଉନାହିଁ ।” ମୁଁ ମଧ୍ୟ ତାଙ୍କ ମୁହଁକୁ ସିଧା ନ ଚାହିଁ ଦୁଷ୍ଟାମି କରି ଜବାବ୍ ଦେଲି, “ମୋତେ କୁଆଡ଼େ ଚିରକାଳ ପାଇଁ ଛାଡ଼ିଦେଲେ ରକ୍ଷା ପାଆନ୍ତେ ବୋଲି ଭାବୁଛନ୍ତି; ୧୦।୧୫ ମିନିଟ୍ କ’ଣ ମୁଁ ଏକୁଟିଆ ଏଠାରେ ରହିପାରିବି ନାହିଁ ।’ ସେ ବୋଧହୁଏ ଟିକିଏ ବିରକ୍ତ ହୋଇ ଚାହିଁ ଦୁଆର ପାଖେ ଠିଆ ହେଲେ ଓ ‘ହଉ ଯାଏଁ’ ବୋଲି କହି ଗଲେ ମାତ୍ର ଦୁଇ ତିନି ମିନିଟପାଇଁ । ଖାଲି ହାତରେ ଫେରି ଆସିଲେ । ମୁଁ ପଚାରିଲି, “ପାଖରେ କ’ଣ ଦୋକାନ ପତ୍ର ନାହିଁ ?” ସେ କହିଲେ, “ଖୁବ୍ ପାଖରେ ଗୋଟିଏ ହିନ୍ଦୁସ୍ଥାନୀ ବ୍ରାହ୍ମଣଙ୍କର ଜଳଖିଆ ଦୋକାନ ଦେଖିଲି, ବରାଦ କରିଦେଇ ଆସିଲି-।”

 

ଗାଡ଼ି ଛାଡ଼ିବା ପୂର୍ବରୁ ଗୋଟିଏ ପତ୍ର ଠୁଙ୍ଗାରେ ଗୁଡ଼ାଏ ପୁରି, ମିଠା କେତୋଟି, ଓ ଆଳୁଭଜା ଦୋକାନୀ ଦେଇଗଲା । ମୁଁ ଠୁଙ୍ଗା ଫିଟାଇ ତାଙ୍କ ଆଗରେ ଥୋଇଲି ଓ ଯେ ଜଳଖିଆ ଆଣିଥିଲା ତାଙ୍କ ହାତକୁ ଆମ ଢାଳ ବଢ଼ାଇଦେଲି ପିଇବା ପାଣିପାଇଁ । ବାବୁଜୀ କହିଲେ, ଦୁଇଭାଗ କରିଦିଅ । ମୁଁ କହିଲି, “ଆପଣ ଆଗେ ବସନ୍ତୁ ମୁଁ ପରେ ସେଇଥିରୁ ଖାଇବି ।” ସେ କହିଲେ, “ନା ନା, ଏତେଗୁଡ଼ିଏ ଜିନିଷ ଉଚ୍ଚିଷ୍ଟ କରିଦେବା ଠିକ୍ ହେବ ନାହିଁ ।” ମୁଁ କିଛି ନ କହି ଆଡ଼େଇ ହୋଇ ବସିଲି ଓ ଖୁବ୍ ତୁନି ତୁନି ମନକୁ ମନ କହିଦେଲା ପରି କହିପକାଇଲି, “ଭଉଣୀ ହେବାକୁବି ଦେବେ ନାହିଁ ।” ଶୁଭିଗଲା ନା କ’ଣ ! ସେ କିଛି ନ କହି ଗାଧୁଆଘରକୁ ଯାଇ ମୁହଁହାତ ଧୋଇଲେ ଓ ଦୁଇଚାରି ଖଣ୍ଡି ପୁରି କେତୋଟି ମିଠା ଓ ଆଳୁଭଜା ବାହାର କରି ଖାଇ ବସିଲେ । ତାଙ୍କର ସରିବା ପରେ ମୁଁ ସେହି ପତ୍ରକୁ କିଛି ଖାଦ୍ୟ ସାମଗ୍ରୀ ବାହାର କରି ଖାଇଲି । ଆଉ ଓଳିକର ସାମଗ୍ରୀ ବଳିଲା । ସେତକ ଭଲ କରି ବାନ୍ଧିବୁନ୍ଧି ସାଇତିଦେଲି । ବାବୁଜୀ କହିଲେ, “ଚାରୋଟି ଟଙ୍କାରେ, ଦେଖୁଛି ଆମର ଦୁଇଦିନ ଚଳିଯିବ ।”

 

ଖାଇପିଇ ସାରିବା ପରେ ସେ ଗୋଟିଏ ଛୋଟ ସତରଞ୍ଜି ଓ ଖଣ୍ଡିଏ ତକିଆ ଓପର ସିଟ୍‌କୁ ପକାଇଦେଇ କହିଲେ, “ମୁଁ ଓପରକୁ ଯାଉଛି, ଶୋଇବି, ତୁମେ ବିଛଣା ବିଛାଇ ଶୁଅ । ମୁଁ କହିଲି, “ରେଳ ବୋଲି କ’ଣ ସନ୍ଧ୍ୟାବେଳକୁ ନିଦ ମାଡ଼ିବ ।” ସେ ପ୍ରତିବାଦ ନକରି ପୂର୍ବପରି ବେଞ୍ଚ୍‍ରେ ବସିଲେ । ଟିକିଏ ବସିବା ପରେ ସେ କହିଲେ, “ତାରା ! ସେ ବଙ୍ଗାଳୀ ଭଦ୍ରଲୋକଙ୍କ କଥା ଶୁଣିଲ ତ ? ଏଇଥିପାଇଁ ମୁଁ ସବୁବେଳେ ଚିନ୍ତିତ ହେଉଛି, କିପରି ତୁମକୁ ସତ୍‌ପାତ୍ରସ୍ଥା କରିଦେଲେ, ନିଶ୍ଚିନ୍ତ ହେବା । ତୁମେ ବିଚାରୁଛ, ତୁମଠାରୁ ମୁକ୍ତି ପାଇବାକୁ ମୁଁ ଖୁବ୍ ବ୍ୟଗ୍ର । ମୋର ତ ଜୀବନରେ କୌଣସି ସଂକଳ୍ପ ନାହିଁ । ତୁମରି ଦାଣ୍ଡଘରେ କିଛିଦିନ କଟାଇଲେବି ମୋର କିଛି ଅସୁବିଧା ହେବନାହିଁ । ତୁମର ସଂସାରରେ ଚେର ଲାଗିଯିବା ପରେ ମୁଁ ମୋର ରାସ୍ତା ଧରିବି ।” ମୁଁ କିଛି ଉତ୍ତର ଦେଲିନାହିଁ । ଆଜି ଭାବୁଛି, ସେଇ ତା’ କଲେ ! ମୋ ସଂସାରରେ କୋଉ ଚେର ଲାଗିଗଲା ବୋଲି ଜାଣିଲେ ଯେ, ନିଃସଙ୍କୋଚରେ କୁଆଡ଼େ ଚାଲିଗଲେ । ଆଜି ଯେଉଁଠି ମୁଁ ଆଶ୍ରୟପାଇଛି, ଏଇ ସ୍ଥାନଟି ହେଲେ ଦେଖି ଯାଇଥାନ୍ତେ । ମୋ ବାପା ମା’ଙ୍କ ପାଖେ ମୁଁ ଅଲିଅଳଭାବେ ଚାଳିବାର ଦେଖି ଯାଇଥାନ୍ତେ କି, ମୋ’ପାଇଁ ମନରେ ଚିନ୍ତା ରହିନଥାନ୍ତା, ନିଜର ସାଧନାରେ ନିଶ୍ଚିନ୍ତ ମନରେ ଲାଗିଥାନ୍ତେ । ମୁଁ ଜଞ୍ଜାଳ ବଢ଼ାଇଲି ବୋଲି ସିନା ଚାଲିଗଲେ, କିନ୍ତୁ ମନରୁ ତ ମୂର୍ଚ୍ଛି ପାରୁନଥିବେ ।

 

Unknown

ମୁଁ କିଛି ଜବାବ ନ ଦେବାରୁ ସେ ପୁଣି କହିଲେ, “ତାରା ! ତୁମେ ତ କହୁଛ, ଏ ବିଷୟରେ ତୁମ ନିଜର ମତ ବୁଝିବାକୁ ହେବ, ବୁଝିବାବି ଉଚିତ । ମୁଁ ଜଗନ୍ନାଥ ମହାପ୍ରଭୁଙ୍କ ପାଖେ ତୁମପାଇଁ ଜଣାଇବା ପୂର୍ବରୁ ତୁମକୁ ପଚାରୁଛି, କହ । ପୁରୀ ଓ ଭୁବନେଶ୍ୱରରେ ତୁମ ଦେଶରୁ ବହୁ ଲୋକ ଆସି ରହିଲେଣି । ତାଙ୍କରି ଭିତରୁ ସଚ୍ଚରିତ୍ର ଯୁବକ ଜଣେ ବାଛି ତାଙ୍କର ହାତରେ ତୁମକୁ ସମର୍ପିଦେବା ମୋର କାମନା । ଗୁଡ଼ାଏ ଧଉଣ୍ଡି ହେବା ଉଚିତ ନୁହେଁ । ସର୍ବମଙ୍ଗଳ ଜଗନ୍ନାଥ ବୋଲି ଯାହାକୁ ଆଶ୍ରାକରିବା ସେ ନିଶ୍ଚୟ ଭଲହେବ ବୋଲି ମୋର ବିଶ୍ୱାସ । ମୁଁ ୟା ବି ଜାଣିପାରୁଛି, ତୁମ ପରି ସ୍ତ୍ରୀ-ରତ୍ନ ଯାହା ହାତ ଧରିବ ସେ ଅଯୋଗ୍ୟ ହୋଇଥିଲେବି ଯୋଗ୍ୟ ହୋଇଯିବ । ତୁମେ ସଂକୋଚ ନ କରି ତୁମ ମନର କଥା କହ, ମୋର ଗୁଡ଼ାଏ ଦୁଶ୍ଚିନ୍ତା ହେଉଛି ସେଥିରୁ ମୁଁ ଉଦ୍ଧାର ପାଇବି ।”

 

ମୁଁ ଆଉ ସମ୍ଭାଳି ପାରିଲିନାହିଁ । ତାଙ୍କରି ପାଦମୂଳେ ମୁଣ୍ଡିଆଟିଏ ମାରି ଠିଆହେଲି ଓ ଭିକ୍ଷା ମାଗିଲା ପରି ହାତ ଓ ମୁହଁ କରି କହିଲି–ଲାଜ କୁଆଡ଼େ ଚାଲିଯାଇଥାଏ, “ମୁଁ ସତ୍‌ପାତ୍ରସ୍ଥା ହୋଇସାରିଛି । ଆପଣ ଆଉ ଧଉଣ୍ଡି ହେବା ଦରକାର ନାହିଁ । ମୁଁ ଯାହାଙ୍କୁ ଆଶ୍ରା କରିଛି, ସେ ମୋର ଜଗନ୍ନାଥ । ମୋ’ପାଇଁ ଜଗନ୍ନାଥଙ୍କୁ କିଛି ମାଗିବା ଦରକାର ନାହିଁ । ଆପଣ ନିଜପାଇଁ ତାଙ୍କୁ ଜଣାନ୍ତୁ ।”

 

ସେ ଆକାଶରୁ ଖସିପଡ଼ିଲା ପରି ତଟସ୍ଥ ହୋଇଗଲେ, କହିଲେ, “ଏଁ, ତୁମେ ସତ୍‌ପାତ୍ରସ୍ଥା ହୋଇସାରିଛ ! ଏକଥା ମୋତେ ଆଗରୁ କହିଲନାହିଁ କାହିଁକି ? ମୁଁ ତୁମକୁ ସେଇଠାକୁ ନ ନେଇ, ପୁରୀ ଆସିଥାନ୍ତି କାହିଁକି ? ଯଦି ଆସିଥାନ୍ତି, ତାଙ୍କୁ ତ ସାଙ୍ଗରେ ଧରି ଆସିଥାନ୍ତେ । ଭଦ୍ରଲୋକ ସରଳ ଭାବରେ ଯେଉଁ ଲଜ୍ଜାଦେଇ ଚାଲିଗଲେ ସେଥିରୁ ତ ଆଗ ରକ୍ଷା ମିଳିଥାନ୍ତା ।” ଆଉ ଟିକିଏ ରହି ସେ କହିଲେ, “ହଁ, ସେ ଯେଉଁ ପ୍ରତାପବାବୁଙ୍କ ପାଇଁ ତୁମେ ପିଲାମି କରୁଥିଲ, ତାହା ଦିଦିଙ୍କଠାରୁ ଶୁଣିଛି । ବଡ଼େ ମହାରାଜଙ୍କଠାରୁ ଶୁଣିଛି । ତାଙ୍କ କଥା ଶୁଣି ମନେପକାଇ ମୋତେ ଭୁଆଁ ବୁଲାଉନାହଁ ତ ?”

 

ମୁଁ ମୁଡ଼ୁକି ମୁଡ଼ୁକି ହସିଲି । ପ୍ରତାପବାବୁଙ୍କ ପାଇଁ ମୋ ମନରେ ଯେଉଁ ଭାବ ହୋଇଥିଲା ତାହା ଏତେବେଳକୁ ମୋର ନିଜରବି ଉପହାସର ସାମଗ୍ରୀ ହୋଇଥାଏ । ମୁଁ ଲଜ୍ଜାକୁ ଚାପିରଖି କହିଲି, ‘‘ମୋର ଜଗନ୍ନାଥ ଯେଉଁଠି ମୁଁ ସେଇଠି ଅଛି । ଆପଣଙ୍କୁ ପଥଶ୍ରାନ୍ତ ହେବାକୁ ପଡ଼ିବନାହିଁ । ଆପଣଙ୍କର ଯୁଆଡ଼େ ମନ ନିଃସଙ୍କୋଚରେ ଯା’ନ୍ତୁ । ପୁରୀ ଗଲେ ମୋତେ ଯେତିକି, ନ ଗଲେବି ସେତିକି ?”

 

ବାବୁଜୀ ମୋ ଆଡ଼କୁ ଚିନ୍ତିତହୋଇ ଚାହିଁ କହିଲେ, “ଏ ତ ପ୍ରଳାପ ! ମୁଁ କିଛି ବୁଝିପାରୁନାହିଁ । ତାରା ! ତୁମର ଦେହ କିଛି ଖରାପ ଲାଗୁନାହିଁ ତ ? ତୁମକୁ ଡାକ୍ତରଖାନାରୁ ସାଙ୍ଗେ ସାଙ୍ଗେ ଏତେ ଲମ୍ବା ରେଳଯାତ୍ରାରେ ଆଣିବା ବୋଧହୁଏ ଭଲ ହେଲାନାହିଁ । ହଉ, ତୁମେ ଧୀରହୋଇ ଶୁଅ । ପୁରୀରେ ପହଞ୍ଚି ଜଗନ୍ନାଥଙ୍କୁ ମୁଣ୍ଡିଆଟେ ମାରିବା ସଙ୍ଗେ ସଙ୍ଗେ ଜଣେ ଭଲ ଡାକ୍ତରଙ୍କ ପାଖକୁ ନେବାକୁ ହେବ । ତୁମ ମସ୍ତିଷ୍କରେ ଯେଉଁ ବିକୃତି କୁମ୍ଭମେଳାର ଗଣ୍ଡଗୋଳ ଯୋଗୁଁ ଦେଖାଦେଇଥିଲା, ତାହା ବୋଧହୁଏ ଲେଉଟିଲା । ନହେଲେ ତୁମର କଥା ଏଭଳି ଅବୁଝା ହେଉଛି କାହିଁକି ?”

 

ଶୁଖିଲା କାଠ ବୋଲି ୟାଙ୍କୁ ହରିଦ୍ୱାରଠାରୁ ଜାଣିଥିଲି । କିନ୍ତୁ ଏତେ ଶୁଖିଲା ବୋଲି ଆଜିଯାଏଁ ଜଣା ପଡ଼ି ନଥିଲା । ୟାଙ୍କୁ ଆଉ କହିବି କ’ଣ ? ମାଇକିନିଆ ମୁହଁରୁ ଆଉ କେତେ ବା କଥା ବାହାରିପାରନ୍ତା ? ମନ ଭିତରର ସବୁ କଥା କହି ସାରିଲା ପରେବି ୟେ ଯେଇ ସେଇ । ତାଙ୍କ ମୁହଁକୁ ଚାହିଁ ଦୟାହେଲା; ଲାଜ ମନରୁ ଚାଲିଯାଇ ଦୁଷ୍ଟାମି ଉଙ୍କିମାଇଲା । ସିଧାସଳଖ ତାଙ୍କ ଆଖି ଯୋଡ଼ିକରେ ଆଖି ରଖି କହିଲି, “କଥା ଯାହାକୁ ବୁଝା ନ ପଡ଼େ ସେ ଚିକିତ୍ସା ହେବାକୁ ଡାକ୍ତରଖାନାକୁ ଯାନ୍ତି, ଯେ କଥା କହିଥାଏ ସେ ଯିବ କାହିଁକି ?”

 

ତଥାପି ଉତ୍ତର ମିଳିଲା, “ଏଁ, ପୁଣି ତ ପ୍ରଳାପ କରୁଛ ତାରା ? ମୁଁ କିଛି ବୁଝି ପାରୁନାହିଁ-।” ମୁଁ କାହିଁକି କେଜାଣି କାନ୍ଦି ପକାଇଲି ଓ କାନ୍ଦିପକାଇ କହିଲି, “ମୋର ସତ୍‍ପାତ୍ର ମୋ ଆଗରେ ବସିଛନ୍ତି, ଅଇଁଠାପତ୍ରରେ ଖାଇ ସାରିଲା ପରେ ତ ବୁଝାପଡ଼ୁ ନାହିଁ, ବୁଝାଇବି କେମିତି-? ଆଉ କିଏ ଯଦି ଶୁଣିବ, ଲାଜର ମୁଣ୍ଡ ଖାଇଚି ବୋଲି କହିବ । ଆପଣଙ୍କ ପାଖେ ବଳେ ପଶୁଛି ବୋଲି ଯଦି ବିଚାରୁଛନ୍ତି, ତେବେ ତଡ଼ିଦିଅନ୍ତୁ, ଏଇଠାରେ ଓହ୍ଲାଇଯିବି ।

 

ସେତିକିବେଳକୁ ଗାଡ଼ି ଯାଇ ଗୋଟାଏ ଷ୍ଟେସନ୍‍ରେ ଲାଗୁଥାଏ । ରାତି ୧୦ଟା ହୋଇଯାଇଥିଲେବି ପ୍ଲାଟ୍‌ଫର୍ମ୍‍ରେ ଲୋକ ଯିବା ଆସିବା କରୁଥାନ୍ତି । ବାବୁଜୀଙ୍କ ମୁହଁରେ ଗୋଟିଏ କିପରି ଦିବ୍ୟ ତେଜ ଦେଖାଦେଲା । ମୋତେ ‘ବସ’ ବୋଲି କହି ସେ ନିର୍ନିମେଷ ନୟନରେ ମୋତେ ଚାହିଁରହିଲେ । ଗାଡ଼ି ପ୍ଲାଟ୍‍ଫର୍ମ୍‍ରୁ ବାହାରି ଚନ୍ଦ୍ର କିରଣ ଭେଦି ଗହୀରରେ ଧାଇଁବାକୁ ଆରମ୍ଭ କରିବାରେ ସେ ମୋତେ କହିଲେ, “ତାରା ! ତଥାପି ମନା କରୁଛି ତୁମର ମସ୍ତିଷ୍କରେ ବିକୃତ ହୋଇଛି । ତୁମେ ମୋତେ ଚିହ୍ନନାହଁ, ଜାଣନାହଁ, ଏଭଳି ଅନ୍ଧକାରକୁ ଡେଇଁଲ କାହିଁକି ? ମୁଁ ସଂସାର କରିଥିଲି । ସେଥିକୁ ଅଯୋଗ୍ୟ ହେବାରୁ ନୂଆ ହୋଇ ଘରକୁ ଆସିଥିବା ସ୍ତ୍ରୀକୁ ଛାଡ଼ିଲି, ଘରବି ଛାଡ଼ି ବୈରାଗୀ ହେଲି । ଗାଁରେ ମୋତେ କହନ୍ତି ଅମନୁଷ୍ୟ । ସେଇ ଅମନୁଷ୍ୟଠାରେ ମନ ଦେଲ କାହିଁକି ? ସ୍ତ୍ରୀର କାମନା ପ୍ରତ୍ୟାଖ୍ୟାନ କରିବା ଅଧର୍ମ । କିନ୍ତୁ ଜୀବନଯାକ କଷ୍ଟ ପାଇବ । ଯୁବକ ସଙ୍ଗେ ଯୁବତୀ ଏକ ଆସନରେ ବସିଲେ ଏଭଳି ବିକୃତି ହୁଏ । ୟାକୁ ଛାଡ଼ । ମୋତେ ବଡ଼ଭାଇ ବୋଲି ବିଚାରିବାକୁ ଚେଷ୍ଟାକର ।”

 

ମୋତେ ସେ ଦୂରକୁ ଠେଲିଦେଲା ପରି ମନେହେବାରୁ କୋହ ଉଠିଲା । ମୁଁ କଇଁକଇଁ ହୋଇ କହିଲି, “ଯାହା ନ ପାରିବି ସେଥିପାଇଁ ପ୍ରବର୍ତ୍ତାନ୍ତୁ ନାହିଁ । ମୋତେ ପାଦରେ ସ୍ଥାନ ଦିଅନ୍ତୁ । ଶ୍ରୀ ରାମକୃଷ୍ଣ ତ ପୁଣି ସାରଦା ଦେବୀଙ୍କୁ ଥାନ ଦେଇଥିଲେ ?” ବାବୁଜୀ ହସିପକାଇଲେ ଓ ମୋ ଆଡ଼କୁ ହାତ ବଢ଼ାଇ ପୁଣି ଫେରାଇ ନେଇ କହିଲେ, “ତାରା ! ତୁମେ ସାରଦା ଦେବୀ ହୋଇପାରିବ, କିନ୍ତୁ ମୁଁ କିଏ, ରାମକୃଷ୍ଣ କିଏ ? ଅପାତ୍ରରେ ଏତେ ଅନୁଗ୍ରହ ! ହଉ, ଶୁଅ । ମୋର ମନ ଦୁର୍ବଳ ହୋଇଯାଇଥିଲା, ତୁମ ଦେହରେ ହାତ ଦେଇପକାଉଥିଲି । ଚାଲ, ଜଗନ୍ନାଥ ଆମର ଭାଗ୍ୟ ନିର୍ଣ୍ଣୟ କରିବେ ।” ଏତିକି କହି ସେ ଡବାର ଓପର ସିଟ୍‌କୁ ଉଠିଗଲେ ।

 

(୨୩)

 

ବାଲେଶ୍ୱର ଷ୍ଟେସନ୍‌ ଆଖପାଖରେ ରାତିପାଇଲା । ବାବୁଜୀ ପ୍ରାତଃକୃତ୍ୟ ସାରି, ଗାଧୋଇପାଧୋଇ, ନିଜର ନିତ୍ୟକର୍ମ ସଂକ୍ଷେପରେ ସାରିଦେଇ ପୁଣି ତଳ ବେଞ୍ଚ୍‍ରେ ଆସି ବସିଲେ । ତାଙ୍କ ପଛେ ପଛେ ମୁଁ ବି ସେଇ ରେଳ ଭିତରେ ମୋ କାମ ସାରିଦେଇଥାଏ । କାଲି ରାତିରେ ମୋର ଏକାବେଳକେ ନିଦ ହୋଇନଥାଏ କହିଲେ ଚଳେ । ମୁଁ ତାଙ୍କ ପାଖରେ ଯଚେଇ ହେଲି ବୋଲି ପ୍ରଥମେ ମୋ ମନ ଗୋଳିଆ ହୋଇଥିଲା । ପୁଣି ବିଚାରିଲି, ଯାହାଙ୍କୁ ମନ ଦେଇସାରିଛି ତାଙ୍କ ଆଗରେ ମନର କଥା ପ୍ରକାଶ କରିଦେବାରେ ଦୋଷ କ’ଣ ? ଡର ମାଡ଼ିଲା, ଯଦି ମୋ କଥା ଶୁଣି ସେ ମୋତେ ଚପଳମତି ବୋଲି ବିଚାରନ୍ତି ! ମନକୁ ବୁଝାଇଲି, ମୋ ବିଚାରରେ ଯେ ସବୁ ମଣିଷଠାରୁ ବଡ଼ ତାଙ୍କର ଭଲ ହେବ କାହିଁକି ? ଆଜି ସକାଳେ ସେ ମୋତେ କ’ଣ କହିବେ କି ନାହିଁ ବୋଲି ଉଦ୍‌ବିଗ୍ନ ହୋଇଥାଏ ।

 

ସେ ବୋଧହୁଏ ମୋ ମନର କଥା ଠଉରେଇଲେ; ଗୁରୁ ଶିଷ୍ୟକୁ ଉପଦେଶ ଦେବା ସ୍ୱରରେ କହିଲେ, “ତାରା ! ମୁଁ ମଧ୍ୟ ଏ ବିଷୟରେ କାଲି ରାତିରେ ଗୁଡ଼ାଏ ଚିନ୍ତା କରିଛି । ତୁମେ ଚାହଁ ବିବାହ; ମୁଁ ତ ତୁମକୁ ଆଗରୁ କହିସାରିଛି, ତୁମ ପରି ସ୍ତ୍ରୀରତ୍ନର ଯେ ହାତ ଧରିବ, ସେ ଅଧମ ହେଲେବି ପ୍ରତିଷ୍ଠା ପାଇପାରିବ । କିନ୍ତୁ ସେତିକିରେ କ’ଣ ସମସ୍ୟା ତୁଟିଗଲା ?”

 

ମୁଁ ଏଥିରୁ କିଛି ବୁଝିନପାରି ତାଙ୍କ ଆଡ଼କୁ ବାଲୁବାଲୁ କରି ଚାହିଁଲି । ମୋ ମନର ଲାଜ କୁଆଡ଼େ ଉଭେଇ ଗଲା । ସେ କହିଲେ, “ସବୁ ଦେଶରେ କହନ୍ତି ଯୁବକ ଯୁବତୀଙ୍କର ଯଦି ମନ ମାନିଗଲା ତେବେ ବିବାହରେ ଅନ୍ୟ ଅନ୍ତରାୟ ରହିବା ଉଚିତ ନୁହେଁ । କିନ୍ତୁ ଆମ ଦେଶର କଥା ଅଲଗା । ବର କନ୍ୟାଙ୍କର ମନର ମିଳନ ଗୋଟିଏ ସମସ୍ୟାର ଅଙ୍ଗ ମାତ୍ର । ବରପିତା ଓ କନ୍ୟାପିତା ଏଥିରେ ରାଜିହେଲେ ଯାଇ ବିବାହପ୍ରସଙ୍ଗ ସିଦ୍ଧ ହେବ । ସେଇ ଅଭିଭାବକମାନଙ୍କର ସମ୍ମତି ମିଳିଲେ ଯାଇ ସମାଜ ବିବାହକୁ ସ୍ଵୀକାର କରିବ । ଆଜିକାଲି ସରକାରଙ୍କ ସ୍ଵୀକୃତିରେ ସମାଜର ସ୍ଵୀକୃତି ବୋଲି ଧରିନିଆଯାଉଛି । କିନ୍ତୁ ଆମ ଦେଶର ସରକାର ଓ ସମାଜ ମଧ୍ୟରେ ଫାଙ୍କ ସବୁବେଳେ ଥାଏ, ଏବେ ତାହା ବଢ଼ୁଛି ପଛେ କମି ନାହିଁ ।”

 

ତଥାପି ମୁଁ ଉଲୁବୁଲୀ ପରି ଚାହିଁ ରହିଲି । ଆମର ପୁଣି ପିତା ମାତା କିଏ ? ବାବୁଜୀ କ’ଣ ତାଙ୍କ ପିତାଙ୍କ ସଙ୍ଗେ ସମ୍ପର୍କ ରଖିଛନ୍ତି ? ସେ କି ପ୍ରକାର ମଣିଷ ? ମୋତେ ହୁଏତ ବୋହୂ ବୋଲି ସ୍ଵୀକାର କରିବାକୁ ରାଜି ନ ହୋଇପାରନ୍ତି । ୟାଙ୍କରି ପରି ସୁଜନ ତ ଏଭଳି କଥାରେ ବାପାଙ୍କୁ ତେଢ଼ିବେ ନାହିଁ । ସେ ପୁଣି କହିଲେ, “ମୋର ଜନ୍ମକଲା ବାପା ଅଛନ୍ତି, କିନ୍ତୁ ତାଙ୍କ କଥା ବିଚାରକୁ ନେଉନାହିଁ । ନିଜ ଘରକୁ ଫେରିବାର କଳ୍ପନା ମୋର ନାହିଁ । ମୋର ବାପା ଆଗତଭବିଷ୍ୟତ କଥା ଜାଣିପାରନ୍ତି; ସେ ମୋତେ ସଫା କହିଛନ୍ତି, ତାଙ୍କ ସଙ୍ଗେ ମୋର ଆଉ ଦେଖା ହେବନାହିଁ । କିନ୍ତୁ ବର୍ତ୍ତମାନ ବଡ଼େ ମହାରାଜଙ୍କୁ ବାପା ବୋଲି ମାନେ; ଅବଶ୍ୟ ବାବାଙ୍କୁବି ସେତିକି ମାନେ, କିନ୍ତୁ ବାବା ପ୍ରବ୍ରଜ୍ୟା କରିଛନ୍ତି, ତାଙ୍କ ସଙ୍ଗେ ଦେଖାହେବାର ଭାଗ୍ୟ ମିଳିବ ବୋଲି ଆଶା ହେଉନାହିଁ । ଅବସ୍ଥାଚକ୍ରରେ ତୁମରବି ସେଇ ବାବା ଓ ବଡ଼େ ମହାରାଜ ଅଭିଭାବକ । ତୁମର ମନର କଥା ସେ ଜାଣିବା ଉଚିତ, ତା’ ଉପରେ ତାଙ୍କର ରାୟ ମିଳିବା ଦରକାର ।”

 

ନିରାଟ କଥା । କିନ୍ତୁ ମୋର ବିବାହ ବିଷୟରେ ବଡ଼େ ମହାରାଜ ତ ବାବୁଜୀଙ୍କୁ ଭାର ଦେଇସାରିଛନ୍ତି । ଅବଶ୍ୟ ୟାଙ୍କ ମନରେ ସଂକୋଚ ହେବାର କଥା । ମୋତେ ସତ୍‌ପାତ୍ରସ୍ଥ କରିବାକୁ କୁହୁମ ପାଇ ନିଜେ ସତ୍‍ପାତ୍ର ହୋଇଯିବାକୁ ବାବୁଜୀଙ୍କ ମନରେ ଦୋଦୋପାଞ୍ଚ ହେଉଥିବ । ଏ କଥାରେ ପ୍ରତିବାଦ କରିବାର କୌଣସି କାରଣ ପାଇଲିନାହିଁ । ବଡ଼େ ମହାରାଜଙ୍କ ଆଶୀର୍ବାଦ ମିଳି ସାରିଲା ପରେ ବିବାହ ହେଲେ ଆମର ମଙ୍ଗଳ ବୋଲି ଦୃଢ଼ବିଶ୍ଵାସ ଥାଏ; ଆହୁରି ଅଧ୍ୟ ବିଶ୍ୱାସ ଥାଏ ଯେ, ଏ ପ୍ରସ୍ତାବ ଶୁଣିବାମାତ୍ରେ ସେ ରାଜି ହେବେ । ଭାବୀ ଓ ଦିଦି ଥିଲେ ମଧ୍ୟ ରାଜି ହୋଇଥାନ୍ତେ ବୋଲି ମୁଁ ସଂକେତ ପାଇସାରିଥାଏ । କାଲି ରାତିରେ ମୋତେ ଛାଇନିଦ ଲାଗିଗଲା; ଦେଖିଲି, ମୋ ସିଟ୍ ପାଖରେ, ଡବାର ଗାଧୁଆଘର ପଟେ ଦିଦି ଓ ଭାବୀ ଆସି ଠିଆହେଲେ । ଦୁହେଁଯାକ ହସହସ ହୋଇ ମୋତେ ଆଶୀର୍ବାଦ କଲେ । କିନ୍ତୁ ମନରେ ଗୋଟାଏ ଆଘାତ ଲାଗିଲା; ବାବୁଜୀ କହିଲେ, ମୋ ମନର କଥା ବଡ଼େ ମହାରାଜ ଜାଣିବା ଉଚିତ । ଆମ ମନର କଥା କହିଥିଲେ ମୋତେ ସୁଖ ଲାଗିଥାନ୍ତା । ତେବେ କ’ଣ ମୋର ଇଚ୍ଛା ଯୋଗୁଁ ସେ ମୋତେ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି ? ମୋ ମାଇପି ମନରେ ଗୋଟେ ବଡ଼ ଆଘାତ ହେଲା-। କିଛି ନ କହି ତାଙ୍କରି ଢଙ୍ଗରଙ୍ଗ ଓ କଥାବାର୍ତ୍ତାକୁ ଲକ୍ଷ୍ୟ ରଖି, ତୁନି ଥାଏ ।

 

ଟିକକ ପରେ ବାବୁଜୀ ପଚାରିଲେ, “କାଲିରୁ ଯାହା ବଳିଛି ସେଇଥିରେ ଚଳିଯିବ, ନା ଆଉ କ’ଣ ଆଣିବା ?” ଗୃହକର୍ତ୍ତ୍ରୀ ପରି ମୁଁ ଉତ୍ତର ଦେଲି, “ଆଜି ଭଜା ହୋଇଥିବା ପୁରି ହେରିକା ମିଳିଲେ ଭଲ ହୁଅନ୍ତା ।” ସେ ଭଦ୍ରଖ ଷ୍ଟେସନ୍‍ରୁ ଗରମ ପୁରି, ଆଳୁସିଝା ଓ ମିଠା ଆଣିଲେ । ସେତକ ତାଙ୍କୁ ବାଢ଼ି ଦେବାରେ ସେ କହିଲେ, “ତୁମପାଇଁ ଦି’ଟା ରଖ, ଖାଲି ବାସି ପୁରିରେ ତୁମର ଚଳିଯିବ ବୋଲି ବିଚାରୁଛ ପରା ?”

 

ମୁଁ ନ ଶୁଣିଲା ପରି ରହିଗଲି । ସେ ମଧ୍ୟ ଆଉ କିଛି ନ କହି ଖଣ୍ଡେ ଦି’ଖଣ୍ଡ ପତ୍ରରେ ଛାଡ଼ି ଉଠିଗଲେ । ମୁଁ ତାଙ୍କ ଅଇଁଠାପତ୍ରରେ ବାସି ଜିନିଷରୁ କିଛି ପକାଇ ମୁହଁ ପୋତି ଖାଇବସିଲି । ସେ ମୋ ଆଡ଼କୁ ଚାହିଁ ପରୋକ୍ଷଭାବେ କହିଲେ, ‘କାହାରି ଅଇଁଠାରେ କେହି ଖାଇବାକୁ ଆଜିକାଲିର ଲୋକେ ପସନ୍ଦ କରନ୍ତିନାହିଁ ।’ ଆହ୍ଲାବାଦ୍ ଷ୍ଟେସନ୍‌ର ବିଶ୍ରାମଗାର–ନାଁ, ଆହ୍ଲାବାଦ ଡାକ୍ତରଖାନାର ଖଟିଆ ପାଖେ ୟାଙ୍କୁ ଚାହିଁଲା ବେଳୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ମୋ ବିଚାରରେ ଗୋଳିଆ ପୋଳିଆ ହୋଇଯାଇଥାଏ ।

 

ପୁରୀ ଷ୍ଟେସନ୍‌ରେ ଓହ୍ଲାଇ ଆମେ ଜଣେ ପଣ୍ଡାଗୁମାସ୍ତାଙ୍କର ହେପାଜତରେ ଯାଇ ଦର୍ଶନ କଲୁଁ ଓ ରାତିରେ ଗୋଟିଏ ଧର୍ମଶାଳାରେ ରହିଲୁଁ । ଧର୍ମଶାଳାର ଖାତାରେ ସେ କ’ଣ ଲେଖାଇଲେ କେଜାଣି, କିନ୍ତୁ ଧର୍ମଶାଳାର ଲୋକେ ବାବୁଜୀଙ୍କୁ ବାବୁଜୀ ଓ ମୋତେ ମା’ଜୀ ବୋଲି ଡାକିବାକୁ ଲାଗିଲେ । ବାବୁଜୀ ଏଥିରେ ଆପତ୍ତି କରୁନଥାନ୍ତି କି ବିବ୍ରତ ହେଉ ନଥାନ୍ତି ।

 

ଧର୍ମଶାଳାରେ ରହିବାର ଦୁଇତିନିଦିନ ଭିତରେ ଧର୍ମଶାଳା ମେନେଜର ବାବୁଜୀଙ୍କର ଭକ୍ତ ହୋଇଗଲେ । ପ୍ରତିଦିନ ସନ୍ଧ୍ୟାରେ ବାବୁଜୀ ଶ୍ରୀମଦ୍ଭାଗବତ ବ୍ୟାଖ୍ୟା କରିବାକୁ ଆରମ୍ଭ କଲେ; ଦିନକୁଦିନ ଶ୍ରୋତାମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା । ଧର୍ମଶାଳାରେ ସାତଦିନରୁ ବେଶି ରହିବାର ନିୟମ ନଥିଲେବି, ମେନେଜର କହୁଥାନ୍ତି, “ଆପଣ ଏଠାରେ ଶ୍ରୀମଦ୍ଭାଗବତ ଶେଷ ହେବାଯାଏଁ ରହନ୍ତୁ ।” ବାବୁଜୀଙ୍କ ସମ୍ପର୍କରେ ଯେଉଁମାନେ ଆସୁଥାନ୍ତି ସେମାନେ ତାଙ୍କର ଅତି ପ୍ରିୟ ହୋଇଯାଉଥାନ୍ତି । ମୋତେ ଭାରି ସୁଖ ଲାଗୁଥାଏ । ପ୍ରତିଦିନ ତାଙ୍କ ସଙ୍ଗେ ମୁଁ ବଡ଼ଦେଉଳକୁ ଦର୍ଶନକୁ ଯାଏଁ, ପ୍ରତିଦିନ ସେ ନିଜ ବନ୍ଧୁମାନଙ୍କର ସଂଖ୍ୟା ବଢ଼ାଇବାରେ ଲାଗିଥାନ୍ତି । ସେ ସମସ୍ତଙ୍କ ସଙ୍ଗେ ଖୁବ୍ ମେଳାପୀ ବ୍ୟବହାର କରୁଥିଲେହେଁ ବନ୍ଧୁମାନେ ତାଙ୍କୁ ଶଙ୍କି ରହିଲା ପରି ବ୍ୟବହାର କରୁଥାନ୍ତି । ମୁଁ ମଧ୍ୟ କ୍ରମେ କ୍ରମେ ତାଙ୍କ ସଙ୍ଗେ ଅଧିକରୁ ଅଧିକ ସଂକୋଚରେ ଚଳୁଥାଏ । ଧର୍ମଶାଳା କୋଠରୀର ଖଟ ଖଣ୍ଡିକରେ ସେ ଶୁଅନ୍ତି, ମୁଁ ଖଟପାଖେ ତଳେ ଖଣ୍ଡିଏ ସତରଞ୍ଜି ପାରି ଶୁଏ; କିନ୍ତୁ ଭୁଲ୍‍ରେବି ସେ ମତେ ଥରେ ଛୁଉଁନଥାନ୍ତି ।

 

ବଡ଼େ ମହାରାଜଙ୍କ ପାଖକୁ ଚିଠି ଯାଇଥାଏ; ଉତ୍ତରକୁ ତାଙ୍କ ଅପେକ୍ଷା ମୁଁ ଅଧିକ ଅପେକ୍ଷା କରୁଥାଏ, ଏଇ ସମୟରେ ଧର୍ମଶାଳାର ମେନେଜରବାବୁ ଆସି କହିଲେ, “ବାବୁଜୀ ! ପୁରୀକୁ ଜଣେ ମହାତ୍ମା ଆସିଛନ୍ତି । ସେ ସୋନାର ଗୌରାଙ୍ଗଙ୍କ ପାଖେ ରହୁଛନ୍ତି । ଆପଣ ଆଜି ଭାଗବତ ପାଠ ଟିକିଏ ସଂକ୍ଷିପ୍ତ କଲେ, ତାଙ୍କୁ ଯାଇ ଦର୍ଶନ କରିଆସନ୍ତେ ।” ବାବୁଜୀ ହଁ କଲେ ଓ ମୋତେ ସାଙ୍ଗରେ ନେଇଗଲେ ।

 

ମହାତ୍ମାଙ୍କ ପାଖରେ ଯାଇ ମୁଣ୍ଡିଆ ମାରିବା ପୂର୍ବରୁ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ୟେ ତ ଆମରି ବାବା । ୟାଙ୍କ ବିଷୟରେ ଆମେ ମଝିରେ ମଝିରେ କଥାବାର୍ତ୍ତା ହୋଇଥାଉ । ବାବୁଜୀ ସବୁବେଳେ କହନ୍ତି, ଭାଗ୍ୟରେ ଥିଲେ ତାଙ୍କ ସଙ୍ଗେ ଦେଖାହବ । ବାବା ବାବୁଜୀଙ୍କୁ ଦେଖିଲାମାତ୍ରେ ଆସି ପାଖରେ ବସିବାକୁ କହିଲେ ଓ ଟିକିଏ ଛାଡ଼ିକରି ବସିବାକୁ ମୋତେ ସଂକେତ ଦେଲେ । ରାତି ପ୍ରାୟ ଦଶଟା ପର୍ଯ୍ୟନ୍ତ ଆମେ ତାଙ୍କ ପାଖେ ରହିଲୁଁ । ଯେ ଯାହା ପଚାରୁଥାନ୍ତି ବାବା ତା’ର ଉତ୍ତର ଦେଉଥାନ୍ତି, ତାଙ୍କ କଥା ଶୁଣି ସମସ୍ତଙ୍କ ସନ୍ତୋଷ ହେଉଥିବାର ଲକ୍ଷ୍ୟ କରୁଥାଏ । ବାବୁଜୀ କିଛି ନ କହି ମୂକହୋଇ ବସିଥାନ୍ତି । ଶେଷକୁ ରହିଲୁଁ ଆମେ ଦୁହେଁ ଓ ଆମ ମେନେଜରବାବୁ । ବାବା ତାଙ୍କୁ କହିଲେ, “ଆପଣ ଯାଇପାରନ୍ତି । ୟାଙ୍କ ସାଙ୍ଗେ ମୋର ଟିକିଏ କଥାବାର୍ତ୍ତା ଅଛି ।” ମେନେଜରବାବୁ ବାବୁଜୀଙ୍କଠାରୁ ବିଦାୟନେଇ ଚାଲିଗଲେ । ବାବା ମୋତେ ପାଖକୁ ଡାକିଲେ ଓ ପଚାରିଲେ, “ଆଚ୍ଛା, ତାରା, ତୋ’ର କଥା ଏଥର କହ ।” ମୁଁ ଆହୁରିଥରେ ମୁଣ୍ଡିଆ ମାରି କହିଲି, ‘ବାବା କ’ଣ ନ ଜାଣନ୍ତି ଯେ ମୁଁ କହିବି ।’ ସେ ବାବୁଜୀଙ୍କ ଆଡ଼କୁ ଚାହିଁଲେ, ପଦେଅଧେ କ’ଣ ପଚାରିଲେ ଓ ତା’ପରେ କହିଲେ, “ବଡ଼େଠାରୁ କଲି ଚିଠି ଆସିବ । ୩ଟା ଠାରୁ ୫ଟା ଭିତରେ ବେଶ୍ ଫୁରୁସତ୍ ମିଳୁଛି । ଏଠାରେ ଲୋକେ ଯେପରି ଭିଡ଼ ଆରମ୍ଭ କଲେଣି, ଶୀଘ୍ର ସ୍ଥାନ ତ୍ୟାଗକଲେ ଯାଇ ରକ୍ଷା । କିନ୍ତୁ ତୁମ ଦୁହିଁଙ୍କର କାର୍ଯ୍ୟ ନିର୍ବାହ କରିବାକୁ ପଡ଼ିଗଲାଣି ଦେଖୁଛି ।”

 

ଫେରିବାବେଳେ ଆମେ ଦୁହେଁ ଗୋଟାଏ ରିକ୍ସାରେ ବସି ଆସିଲୁଁ । ଆଜି ଆଉ ବାବୁଜୀ ମୋ ଠାରୁ ଘୁଞ୍ଚିକରି ବସିବାକୁ ଚେଷ୍ଟାକଲେନାହିଁ । ମୁଁ କିନ୍ତୁ ଯଥାସମ୍ଭବ ଆଡ଼େଇ ହୋଇ ବସିବାକୁ ଚେଷ୍ଟା କରୁଥାଏ । ବାଟରେ ପଚାରିଲି, “ଦିଦି ହେରିକାଙ୍କ କଥା କହିଥିଲେ ଭଲ ହୋଇଥାନ୍ତା ।” ବାବୁଜୀ ହସିଦେଇ କହିଲେ, “ମୁଁ କହିବା କ’ଣ ଦରକାର ଥିଲା ? ବାବାଙ୍କ କଥାରୁ ମୁଁ ଆଗରୁ ଜାଣିଥିଲି ଯେ, କୁମ୍ଭମେଳାରୁ ଦିଦି ଓ ଭାବୀ ଆଉ ଫେରିବେନାହିଁ । ତଥାପି ଖୁବ୍ ନିରାପଦ ସ୍ଥାନ ବାଛି ନାଗାମାନଙ୍କ ଛାଉଣୀ ପାଖରେ ଯାଇ ବସା ବାନ୍ଧିଥିଲେ । ଆଜିତ ତାଙ୍କଆଡ଼ୁ ସେ କହିଲେ, ତାରାକୁ ବଞ୍ଚାଇବାକୁ ଖୁବ୍ ପରିଶ୍ରମ କଲୁ । ପୁଣି କହିଲେ, ଦ୍ୱନ୍ଦ୍ୱରେ ନ ପଡ଼ି ତାକୁ ଗ୍ରହଣ କର । ତୁମକୁ ଶୁଣାଇ ତ କହିଲେ, କାଲି ବଡ଼େ ମହାରାଜଙ୍କଠାରୁ ଚିଠି ଆସିବ । ମୁଁ ଆଶ୍ଚର୍ଯ୍ୟ ହୁଏ, ସବୁକଥା ତାଙ୍କୁ ଦିଶିଯାଉଛି କିପରି ?”

 

ମୁଁ ପଚାରିଦେଲି, “ତୁମ ମନରେ ଦ୍ଵନ୍ଦ୍ୱ ଥିଲା ତାହାହେଲେ ?” ସଙ୍ଗେ ସଙ୍ଗେ ଜିଭ କାମୁଡ଼ିପକାଇଲି । ବାବୁଜୀଙ୍କୁ ଆଗରୁ କେବେ ତୁମେ ବୋଲି ଡାକି ନଥିଲି ସେ ହସି ହସି ମୋ ଆଡ଼କୁ ଚାହିଁ କହିଲେ, “ଆପଣ ନ କହି ତୁମେ କହିଲେ ତ ବେଶ୍ ଚଳିବ ।” ମୋତେ ସ୍ୱର୍ଗର ଚାନ୍ଦ ପାଇଲା ପରି ଲାଗିଲା ।

 

ପୁଣି ପଚାରିଲି, “ବାବାଙ୍କୁ ସବୁ କଥା ଜଣା ପଡ଼ୁଛି କେମିତି ?” ବାବୁଜୀ ଗମ୍ଭୀର ହୋଇ ଉତ୍ତର ଦେଲେ, “ଯେଉଁ ପନ୍ଥା ଧଇଲେ ମଣିଷକୁ ସେ ଶକ୍ତି ମିଳେ, ଆମେ ତା’ର ବିପରୀତ ଆଚରଣ କରିବାକୁ ଯାଉଛେଁ ।” ଏ କଥା ଶୁଣି ମୁଁ ବାବୁଜୀଙ୍କ ପାଖରୁ ଟିକିଏ ଘୁଞ୍ଚିଯାଇ ରିକ୍ସାରେ ଲସିଗଲି । ତାଙ୍କ କଥାରେ ମୋ ମନ ଖରାପ ହେଲା । ୟାଙ୍କୁ ମୁଁ ଟାଣିଓଟାରି ମୋର କରିବାକୁ ଲାଗିଛି କାହିଁକି ? ସବୁ ତ ହରାଇ ସାରିଛି, ୟାଙ୍କୁ ଧରି ରଖିବାକୁ ଏବେ ମନରେ ଏମିତି ମୋହଟାଏ ଆସିଛି କାହିଁକି ? ବିଚାରିଲି, ଆଜି ରାତିରେ ଧର୍ମଶାଳାରେ ଏକଥା ପକାଇବି ଏବଂ ତାଙ୍କୁ ତାଙ୍କ ବାଟରେ ଯିବାକୁ ଛାଡ଼ିଦେବି । ମୋର ବାଟ ତ ଏକରକମ ବନ୍ଦ । ବାବୁଜୀ ଚାହାନ୍ତି, ବଡ଼େ ମହାରାଜଙ୍କର ତ ନିର୍ଦ୍ଦେଶ ଅଛି, ମୋତେ ବିଭା ହେବାକୁ ପଡ଼ିବ । ମୋର ମନ ଥିଲା, ବିଭା ନ ହୋଇ ମୁଁ ହରିଦ୍ଵାରର ଆଶ୍ରମରେ ରହନ୍ତି । ବାବୁଜୀଙ୍କ ବ୍ୟତୀତ ଆଉ କାହାର ହାତ ନ ଧରିବାକୁ ସଂକଳ୍ପ କରିଥାଏ । ସେ ଯଦି ଆଡ଼େଇ ଦିଅନ୍ତି, ତେବେ କ’ଣ କରିବି ? ବାବାଙ୍କୁ ଦେଖିବା ପରେ ଆଶା ହୋଇଥାଏ, ସେ ମୋର କିନାରା କରିବେ । ଆଜି ତ ସେ ପରିଷ୍କାର କହି ଦେଇଛନ୍ତି, ଆମ କାମ ନିର୍ଭା ହେଲା ଯାଏଁ ସେ ପୁରୀରେ ରହିବେ । କାମ ନିର୍ଭର ମୁଁ ଯାହା ଅର୍ଥ ବୁଝିଥିଲି, ସେ ବିଷୟରେ ତ ବାବୁଜୀ ଏତେ ମୋଡ଼ି ଭିଡ଼ି ହେଉଛନ୍ତି । ଯାହା ହେବାର ଥିବ ହେବ ବୋଲି ବିଚାରି ମନକୁ ନିଶ୍ଚୟ କଲି ।

 

ଧର୍ମଶାଳାକୁ ଆସି ମହାପ୍ରସାଦ ସେବା କଲୁ । ଏଠାକୁ ଆସିବା ଦିନଠାରୁ ମହାପ୍ରସାଦ ବ୍ୟତୀତ ଆଉ କିଛି ଖାଉନଥାଉଁ । ମୁଁ ଶୋଇବାକୁ ତଳେ ସତରଞ୍ଜି ପକାଉଛି, ବାବୁଜୀ ମୋତେ କହିଲେ, “ତାରା ! ସିଦ୍ଧିର ବିପରୀତ ମାର୍ଗ ଆମେ ଧରିବାକୁ ଯାଉଛେଁ ବୋଲି, ମୁଁ କହିବା ବେଳୁଁ ତୁମେ ତ ଗୁଡ଼ାଏ କ’ଣ ବିଚାରିବାରେ ଲାଗିଛ । ଅନୁକୂଳ ହେଉ ବା ପ୍ରତିକୂଳ ହେଉ, ଯେଉଁ ମାର୍ଗ ଧରିବା ତାହା ତ ସ୍ଥିର ହୋଇ ସାରିଲାଣି । ଆଜି ବାବା ଯାହା କହିଲେ, ତା’ ତ ଶୁଣିଲ । ଆଉ ଚିନ୍ତା କାହିଁକି ? ମୁଁ ତ ମନେ କରୁଛି ଆଜି ଆମର ବିଭାଘର ଗୁରୁଆଦେଶରେ ହୋଇଗଲା । ଆଉ କେବଳ ବାକି ବୈଦିକ କର୍ମ ।” ଏହା କହି ସେ ସତରଞ୍ଜିକୁ ଆସି ମୋ ପାଖେ ବସିଲେ ଓ ମୋର ମୁଣ୍ଡରେ ହାତ ବୁଲାଇ କହିଲେ, “ସଂସାର କରି ସିଦ୍ଧିମାର୍ଗରେ ଗତି କରିବା ବଡ଼ ଗହନ । ତୁମେ ସାହାଯ୍ୟ କଲେ ସଂସାର କରି ମଧ୍ୟ ଆମେ ବାଟ ହୁଡ଼ିବା ନାହିଁ । ଗୁରୁଙ୍କର ତ ଆଶୀର୍ବାଦ ରହିଛି ।’’ ମୁଁ ତାଙ୍କ ଛାତିରେ ମୁଣ୍ଡ ଗୁଞ୍ଜି ଗୁଡ଼ାଏ କାନ୍ଦିଲି । ଲୁହ ସାଙ୍ଗେ ମନର ସବୁ କିଳ୍‌ବିଷ ଧୋଇ ହୋଇଗଲା ।

 

ସତକୁସତ ତହିଁ ଆରଦିନ ବଡ଼େ ମହାରାଜଙ୍କଠାରୁ ଚିଠି ଆସିଲା । ଆମର ପ୍ରସ୍ତାବରେ ସେ ରାଜି ହୋଇ ଲେଖିଛନ୍ତି, ଏଇଆ ହେବ ବୋଲି ସେ ଆଗରୁ କଳ୍ପନା କରିଥିଲେ, କେବଳ ଆଗରୁ କହିଲେ, ବାଧ୍ୟବାଧକତା ହେବ ବୋଲି କହି ନଥିଲେ । ବାବୁଜୀଙ୍କ ଆଡ଼ୁ କଥା ଉକୁ ନ ହୋଇ ମୋ ଆଡ଼ୁ ହୋଇଥିବାରୁ ସେ ସନ୍ତୁଷ୍ଟ ହୋଇଥାନ୍ତି ଓ ବିଭାଘର ତାରିକ ମଧ୍ୟ କରିଦେଇଥାନ୍ତି-। ଆଉ ମାତ୍ର ତିନିଦିନ ବାକି । ଆମ ପାଖରେ ଟଙ୍କା ଥିବାର ସେ ଜାଣିଥିଲେ; ଆଉ ଦରକାର ହେଲେ ଲେଖିବାକୁ କହିଥାନ୍ତି ଓ କିଭଳି ସୁଗୃହିଣୀ ହେବାକୁ ହେବ ସେ ବିଷୟରେ ମୋ ପାଖକୁ ମଧ୍ୟ ଲମ୍ବା ପରାମର୍ଶ ଦେଇଥାନ୍ତି । ଚିଠି ଖଣ୍ଡି ପଢ଼ି ନିଜକୁ ଭାଗ୍ୟବତୀ ବୋଲି ମନେ କଲି-। ଓପରଓଳି ୟାକୁ ଧରି ବାବାଙ୍କ ପାଖକୁ ଯିବାକୁ ହେବ, ଲାଜ ମାଡ଼ୁଥାଏ । ସେଦିନ ସକାଳଯାକ ମୋ ଆଡ଼େ କେହି ଚାହିଁଲେ ମୋତେ ଭାରି ସଂକୋଚ ଲାଗୁଥାଏ । ବାବୁଜୀ କିନ୍ତୁ ନିର୍ବିକାର-। ସବୁଦିନ ପରି ଆମେ ମନ୍ଦିର ଗଲୁଁ; ସେଠାରେ ବହୁତ ସମୟ ରହିଲୁଁ । ବାବୁଜୀ ମୋତେ ରତ୍ନ ସିଂହାସନ ପାଖକୁ ନେଲେ ଓ ମୋ ସଙ୍ଗେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାଇଲେ ।

 

ଓପରଓଳି ବାବାଙ୍କ ପାଖକୁ ଯାଇ ମୁଣ୍ଡିଆ ମାରି ବାବୁଜୀ ଚିଠି ଖଣ୍ଡିକ ତାଙ୍କ ପାଦ ପାଖେ ଥୋଇଦେଲେ । ବାବା ଚିଠିକୁ ନ ଫିଟାଇ କହିଲେ, “ବେଶ୍, ଚିଠି ତ ଆସିଗଲା । ବିଭାଘର ତିନି ଦିନରେ । ସାତମଙ୍ଗଳା ଏଇଠାରେ ସାରି, ଦଶମଙ୍ଗଳା ଦିନଠାରୁ ନିଜର କାର୍ଯ୍ୟକ୍ଷେତ୍ରକୁ ଯିବାକୁ ହେବ ।” ବାବୁଜୀ ବିସ୍ମିତ ହୋଇ ଚାହାନ୍ତେ ସେ କହିଲେ, “ଆଜି ସକାଳେ ଦୈବାତ୍ କଲିକତାରୁ ଜଣେ ଭକ୍ତ ଆସି ପହଞ୍ଚିଛନ୍ତି । ତାଙ୍କର କଲିକତା ପାଖରେ ଗୋଟାଏ ଚଟକଳ । ପ୍ରାୟ ୩ ହଜାର ଶ୍ରମିକ କାମ କରୁଛନ୍ତି । ତାଙ୍କୁ ସେ ସମ୍ଭାଳି ପାରୁନାହାନ୍ତି । ତୁମେ ସେଠାରେ ଶ୍ରମିକ ତତ୍ତ୍ୱାବଧାରକ ହୋଇ କାମ କରିବ । ହାବଡ଼ାଠାରୁ ଚାରି ପାଞ୍ଚଟି ଷ୍ଟେସନ୍ ଏପଟକୁ ବାଗନାନ୍ ବୋଲି ଗୋଟାଏ ଜାଗାରେ ତାଙ୍କର ଖଣ୍ଡେ ଘର ଅଛି । ସେଇଠାରେ ତୁମେ ରହି ପ୍ରତିଦିନ ଯିବା ଆସିବା କରିବ । ଦିନ ତମାମ ତାରାର ଭଲମନ୍ଦ ବୁଝିବାକୁ ଭଲ ସାଇପଡ଼ିଶା ମିଳିବେ ବୋଲି ଦିଶୁଛି । ଆଜି ସକାଳେ ତାଙ୍କ ସଙ୍ଗେ ସବୁ କଥାବାର୍ତ୍ତା ପକ୍କା ହୋଇଯାଇଛି । ତାଙ୍କର ଶୀଘ୍ର କଲିକତା ଫେରିବାର କଥା । ମୁଁ କହିବାରୁ ସେ ବିଭାଘରକୁ ରହିବେ ଓ ତୁମକୁ ବାଗନାନ୍ ବାଡ଼ିକୁ ନେବାପାଇଁ ତାଙ୍କର ଜଣେ କର୍ମଚାରୀଙ୍କୁ ଡକାଇ ସାରିଲେଣି । ସେ ବି ସେଇ ବାଗନାନ୍‌ରେ ରହନ୍ତି, ତୁମେ ଯେଉଁ ଘରେ ରହିବ ତା’ର ପଡ଼ିଶାରେ ।” ମୁଁ ଏସବୁ ଶୁଣି ତାଜୁବ ହେଉଥାଏ-। କୋଉ ବାପ ଝିଅପାଇଁ ଆଉ ଅଧିକ ଯତ୍ନ କରିଥାନ୍ତେ ? ଲାଜରେ ମୁଁ ଭୂଇଁରେ ମୁହଁ ପୋତି ବସିଥାଏ । ଏବେ ବେଳେବେଳେ ବିଚାରୁଛି, ବାବା କ’ଣ ଆଉ ମୋ ଆଡ଼େ କୃପାଦୃଷ୍ଟି ଦେଉନାହାନ୍ତି ? ମନକୁ ବୋଧ ଦେଉଛି, ଯଦି ନ ଦେଉଥାନ୍ତେ, ତେବେ ମୋତେ ଏମିତି ଆଶ୍ରା ମିଳିଲା କେମିତି ?

 

ଆମେ ବାବାଙ୍କ ପାଖରେ ବସିଛୁ, ଚଟକଳ ମାଲିକ ଆସି ବାବାଙ୍କୁ ମୁଣ୍ଡିଆ ମାଇଲେ । ବାବା ପଚାରିଲାପରି ତାଙ୍କ ଆଡ଼କୁ ଚାହିଁବାରେ ସେ କହିଲେ, “ମହାରାଜ ! ହେଇଟି ଆମର ୟେ ପଣ୍ଡା । ୟାଙ୍କରି ଲଜିଂହାଉସ୍‍ରେ ୟେ ଆୟୋଜନ ଆରମ୍ଭ କରିଦେଲେଣି । ମୁଁ ମୋର ମୁନିମ୍‌ଙ୍କୁ ଟେଲିଫୋନ୍ କରିଦେଲିଣି । ସେ କାଲି ସକାଳ ଏକ୍‍ସପ୍ରେସ୍‌ରେ ଆସି ପହଞ୍ଚିବେ ।” ବାବା ବାବୁଜୀଙ୍କୁ ଦେଖାଇ କହିଲେ, “ଏଇ ତମର ସହକର୍ମୀ । ମୋ’ ପକ୍ଷରୁ ୟେ ତୁମ ପାଖରେ ରହିଲେ ବୋଲି ଜାଣିବ । ମୋର ଆଶା, ୟେ ତୁମ ପାଖେ ଥିବା ପର୍ଯ୍ୟନ୍ତ ତୁମ ଚଟକଳରେ କୌଣସି ଗୋଳମାଳ ହେବ ନାଇଁ, ୟାଙ୍କର ସୁଖସ୍ଵାଚ୍ଛନ୍ଦ୍ୟ ପ୍ରତି ଦୃଷ୍ଟି ଦେବ ଏବଂ ୟେ ଯାହା ପରାମର୍ଶ ଦେବେ ନିର୍ବିଚାରରେ ଗ୍ରହଣ କରିବ । ପଇସାକୁ ମୋଡ଼ି ଭିଡ଼ି ହେବ ନାହିଁ । ପଚାଶ ଷାଠିଏବର୍ଷ ତୁମେମାନେ ଲୋକଙ୍କୁ ଚିପୁଡ଼ିଲ, ଏଥର ଏଣିକି ଶ୍ରମିକ ତୁମକୁ ଚିପୁଡ଼ିବେ । ଯେତିକି ମୋଡ଼ି ଭିଡ଼ି ହେବ ଚିପୁଡ଼ା ସେତିକି କାଟିବ । ମା’ର ସ୍ତନରୁ କ୍ଷୀର ବାହାରିଲା ପରି ତୁମର ଧନ ଶ୍ରମିକଙ୍କ ପାଖକୁ ଯିବା ଦରକାର । ତା’ ନକରି ଛେଳି ପରି ଯଦି ଚୋରେଇବ, ତେବେ ଗୁଡ଼ାଏ ମୁଥ ଖାଇବାକୁ ପଡ଼ିବ ।” ଚଟକଳ ମାଲିକ ଜଣେ ପ୍ରୌଢ଼ ମାରୁଆଡ଼ି ବାବାଙ୍କ ପାଖେ ପିଲାଟି ପରି ବସି ସବୁ ଶୁଣୁଥାନ୍ତି । ପରେ ବାବୁଜୀଙ୍କଠାରୁ ଶୁଣିଲି, ବାବା ଦିଲ୍ଲୀରେ ଚାକିରି କଲାବେଳୁ ୟେ ତାଙ୍କୁ ଚିହ୍ନିଥିଲେ । ଆଜି ସକାଳେ ଦୈବାତ୍ ବଡ଼ଦେଉଳ ବେଢ଼ାରେ ବାବାଙ୍କୁ ଦେଖିଲେ, ବର୍ଷେ ଖଣ୍ଡେ ପରେ । ଚଟକଳରେ ଧର୍ମଘଟ ଓ ଘେରାଉ ଲାଗି ରହିବାରୁ ସେ ବିବ୍ରତ ହୋଇ ଜଗନ୍ନାଥ ମହାପ୍ରଭୁଙ୍କ ପାଖକୁ ଚାଲିଆସିଥିଲେ । ବେଢ଼ାରେ ବାବାଙ୍କୁ ଦେଖି ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଦେଖିଲେ ବୋଲି କହି ନିଜର ସବୁ ସମସ୍ୟା ପାସୋରି ବାବାଙ୍କ ପିଛା ଧରିଛନ୍ତି । ତାଙ୍କର ଅଳି, ବାବା ଟିକିଏ କଲିକତା ଯା’ନ୍ତେ । ବାବା ଜବାବ୍ ଦେଇଥିଲେ, “ମୋତେ କୌଣସି ଜଞ୍ଜାଳକୁ ଟାଣେନା । ମୁଁ ମୋର ପ୍ରତିନିଧି ଜଣେ ତୋତେ ଦେବି । ଆଉ ଚାରିଦିନ ପରେ ମୋତେ ଏଠା ଛାଡ଼ି ଅଜ୍ଞାତବାସ କରିବାକୁ ହେବ ।” ତା’ପରେ ଚାରିବର୍ଷ ଚାଲିଗଲାଣି । ମୁଁ ବାବୁଜୀଙ୍କୁ ହରାଇବାର ହୋଇଗଲାଣି ସାତମାସ । ସେ ପର୍ଯ୍ୟନ୍ତ ବାବାଙ୍କର କୌଣସି ସନ୍ଧାନ ଚଟକଳ ମାଲିକ ପାଇନଥାନ୍ତି । ସେ ପ୍ରତିବର୍ଷ ଆମ ଦେଶର ପ୍ରାୟ ପ୍ରତ୍ୟେକ ତୀର୍ଥକୁ ଯା’ନ୍ତି ଓ ତାଙ୍କର ଲୋକଙ୍କୁବି ବାବାଙ୍କୁ ଖୋଜିବାକୁ ଚାରିଆଡ଼େ ବୁଲନ୍ତି । ସେ ଥରେ ବାବୁଜୀଙ୍କୁ କହିଥିଲେ, ବାବା ବୋଧହୁଏ କୌଣସି ଅଜ୍ଞାତ ପାହାଡ଼ ପର୍ବତରେ ଚିହ୍ନା ନ ଦେଇ ରହିଛନ୍ତି ।

 

ତହିଁ ଆରଦିନ ଦିପହରେ ଚଟକଳ ମାଲିକଙ୍କର ଯେଉଁ କର୍ମଚାରୀ ଜଣକ ଆମ ପାଖେ ଆସି ପହଞ୍ଚିଲେ ତାଙ୍କୁ ଦେଖି ବାବୁଜୀ ଓ ମୁଁ ଦୁହେଁଯାକ ଆଶ୍ଚର୍ଯ୍ୟ ହୋଇଗଲୁଁ । ସେ ସେଇ ବଙ୍ଗାଳୀ ଭଦ୍ରଲୋକ, ଯାହାଙ୍କୁ ଆମେ ପୁରୀ ଆସିବାବେଳେ ରେଳରେ ଦେଖିଥିଲୁଁ । ସେ ଆମକୁ ଦେଖି ଯେତିକି ବିସ୍ମିତ ହେଲେ ତହିଁରୁ ଅଧିକ ଆନନ୍ଦିତ ହେଲେ । ମୋ ମୁଣ୍ଡରେ ହାତ ରଖି ସେ କହିଲେ, “ମା’, ସୁଲକ୍ଷଣୀ ହୋଇଥାଆ । ବାବା ମୋତେ ହୁକୁମ କରି ସାରିଲେଣି ମୁଁ କନ୍ୟାଦାନ କରିବି । ବଡ଼ ଆନନ୍ଦ ଲାଗୁଛି । ତୋରି ବୟସର ଝିଅଟିଏ ମୋର ଅଛି । ଆଉ ମାସକରେ ତା’ର ବିଭାଘର । ଶେଠଜୀ ଯଦି ଏକଥା ଆଗରୁ କହିଥାନ୍ତେ, ତେବେ ତାକୁ ଏଇଠିକୁ ଆଣି ତୋରି ସାଙ୍ଗେ ବିଭା ଦେଇଦେଇଥାନ୍ତି । ହଉ, ହଉ, ହୁକୁମ ତ ହେଲାଣି ତୁମେ ଦୁହେଁ ଯାଇ ମୋର ବସା ପାଖ କୋଠାରେ ରହିବ । ଘର ପରିଷ୍କାର କରି ପ୍ରସ୍ତୁତ ରଖିବାକୁ ହୁକୁମ ପଠାହୋଇଗଲାଣି ।” ଟିକିଏ ରହି ବଡ଼ପାଟିରେ ହସି ସେ କହିଲେ, “ଶୁଣିଲଣିଟି ? ମୁଁ ହେବି ବାବାଙ୍କ ସମ୍ବନ୍ଧୀ । ସେ ହେବେ ବରପିତା । ଯୋଗ୍ୟଂ ଯୋଗ୍ୟେନ ଯୋଜୟେତ୍ । ଏଭଳି ବରର ପିତା ବାବା ନହୋଇ କିଏ ହେବ ? ମୁଁ କହିଲି, ମୋ କନ୍ୟାକୁ ମୁଁ ବ୍ରାହ୍ମଣ ହାତରେ ଦେବି । ବାବା ହୁକୁମ କଲେ, କିଛି ଚିନ୍ତା ନାହିଁ । ବିବାହ ପୂର୍ବରୁ ଆମେ ପୁଅକୁ ଯଜ୍ଞୋପବୀତ ଦେଇ ଦେବା । ସଂସ୍କାରାଦ୍ ଦ୍ଵିଜମୁଚ୍ୟତେ । ବାବୁଜୀର ସଂସ୍କାର ହୋଇସାରିଛି । ଖାଲି ପଇତାଟାଏ ଦେଇଦେବାର କଥା । ମୁଁ ଟିକିଏ ମୋଡ଼ି ଭିଡ଼ି ହେଉଥିଲି । ତାଙ୍କ ଆଗରେ ମୁଁ କିଏ ? ଦିପଦ କଥାରେ ମନ ବୁଝିଗଲା । ମା’-! ସେ ହେଉଛନ୍ତି ସାକ୍ଷାତ ଭଗବାନଙ୍କର ଅବତାର ।”

 

ବିଭାଘର ଆଡ଼ମ୍ବରେ ହେଲା । ବାବୁଜୀଙ୍କର ଇଚ୍ଛା ଖୁବ୍ ସାମାନ୍ୟରେ ହୁଅନ୍ତା । ବାବା କହିଲେ, “ସାମାନ୍ୟରେ ତ ହେବ । ଲୁଗାପଟା ଅଳଙ୍କାର ନାଁ ଧରିବା ନାହିଁ । ଖାଲି ପୁଞ୍ଜିଏ ପଞ୍ଜିଏ ମହାପ୍ରସାଦ ସେବା କରାଇବାକୁ ତ ପଡ଼ିବ ।” ପ୍ରାୟ ପାଞ୍ଚହଜାର ଲୋକ ଆବ୍ରାହ୍ମଣଚାଣ୍ଡାଳ ମହାପ୍ରସାଦ ସେବା କଲେ ଏବଂ ପ୍ରତ୍ୟେକେ ଖଣ୍ଡିଏ ଖଣ୍ଡିଏ ଲୁଗା ଓ ଗାମୁଛା ପାଇଲେ । ବାବୁଜୀ ଆମ ପାଖରେ ଥିବା ଟଙ୍କା କଥା ବାବାଙ୍କୁ କହିବାରେ ସେ କହିଲେ, କନ୍ୟାପକ୍ଷରୁ ସବୁ ଖର୍ଚ୍ଚ ହେବ-। ତୋ ପାଖରେ ଯାହା ଅଛି ତାକୁ ରଖିଆ । ତାଙ୍କ ପାଖରେ ଯାହା ଅଛି ସେ ତ ସେଇ ତାରାର ବୋଲି ବାବୁଜୀ କହିବାରେ ବାବା ପଦେ କଥାରେ ଉଡ଼ାଇଦେଲେ, ‘ସ୍ତ୍ରୀଧନ’ ।

 

ଚଉଠି କର୍ମ ସରିଲା ରାତି ୧୨ଟା ବେଳକୁ । ଅତିଥି ଅଭ୍ୟାଗତ ବିଦା ହେଲାପରେ ଆମ ଶୋଇବାଘରେ ମୋର ସତରଞ୍ଜିଟି ମୁଁ ତାଙ୍କ ଖଟତଳେ ପକାଉଛି, ବାବୁଜୀ କହିଲେ, “ଏ ଖଟକୁ ଆସ । ଆଜି ପୃଥକ୍‌ଶଯ୍ୟା ବିଧିସମ୍ମତ ନୁହେଁ । ମୁଁ ସନ୍ତର୍ପଣରେ ତାଙ୍କ ଖଟର ଗୋଟିଏ କଣରେ ବସିବାରେ ସେ ମୋତେ ପାଖକୁ ଟାଣି ନେଇ ପ୍ରେମାର୍ଦ୍ଦ୍ର ସ୍ଵରରେ କହିଲେ, “ତାରା ଆମେ ଦୁହେଁ ବର୍ତ୍ତମାନ ବିଷମ ପରୀକ୍ଷାର ସମ୍ମୁଖୀନ ହେବା । ତୁମର ସାହାଯ୍ୟ ପାଇଲେ ମୋର ବ୍ରତ ମୁଁ ପାଳନ କରିବି । ଆମ ପରମ୍ପରାରେ ସ୍ଵାମୀ ସ୍ତ୍ରୀର ଆଚରଣ ଯେପରି ପ୍ରତିଷ୍ଠିତ ହୋଇଛି, ତୁମେ ରାଜି ହେଲେ ଆମେ ସେହିପରି ଚଳିବା । ସ୍ତ୍ରୀର ଇଚ୍ଛା ପୂରଣ କରିବା ସ୍ୱାମୀର ଧର୍ମ, କିନ୍ତୁ ପୁତ୍ରପ୍ରାପ୍ତି ଉଦ୍ଦେଶ୍ୟରେ ମାତ୍ର ସ୍ତ୍ରୀ ପତିସଙ୍ଗମ କାମନା କରେ । ଏତିକି ସବୁବେଳେ ମନେରଖିଥିବ-।” ତାଙ୍କ ସଙ୍ଗ ପାଇଲି, ତାଙ୍କ ଗୋଡ଼ରେ ହାତ ମାରିବାର ଅଧିକାର ପାଇଲି, ତାଙ୍କୁ ମୋର ବୋଲି କହିବାର ସୌଭାଗ୍ୟ ପାଇଲି, ଏହାଠାରୁ ଅଧିକ ମୋର କୌଣସି କାମନା ନଥିଲା । ତାଙ୍କରି ଗୋଡ଼ରେ ହାତ ବୁଲାଉ ବୁଲାଉ ତାଙ୍କରି ଗୋଡ଼ତଳେ ମୋତେ ନିଦ ହୋଇଗଲା । ପାହାନ୍ତିଆରେ ନିଦ ଭାଜିଲା ବେଳକୁ ଦେଖିଲି, ମୁଁ ତାଙ୍କ କୋଡ଼ରେ ସ୍ଥାନ ପାଇଛି ।

 

ଦଶମଙ୍ଗଳା ଦିନ ଠାକୁର ଦର୍ଶନ କରି ବ୍ରାହ୍ମଣ, ଅତିଥି ଓ ଦୀନ ଦୁଃଖୀଙ୍କୁ ଭୋଜନ ଓ ଦକ୍ଷିଣା ଦେଇ ଆମେ ବାନୁର୍ଜିବାବୁଙ୍କ ସଙ୍ଗେ ବାଗନାନ୍ ଗଲୁଁ । ତା’ ଆରଦିନ ସକାଳେ ଆମପାଇଁ ନିର୍ଦ୍ଦିଷ୍ଟ ଘରେ ପଶିଲାବେଳେ ବାନୁର୍ଜିବାବୁଙ୍କୁ ସ୍ତ୍ରୀ ଓ ଝିଅ ଦୁଇଟା ଶଙ୍ଖ ଫୁଙ୍କି ମୋତେ ସ୍ଵାଗତ କଲେ । ବାନୁର୍ଜିବାବୁ ମୋର ପିତା ହେବାର ଖବର ପାଇ ତାଙ୍କ ଧର୍ମପତ୍ନୀ ମୋର ମା’ ହୋଇ ସାରିଥିଲେ । ତାଙ୍କ ଝିଅଟି ତ ମୋର ଛାଇ ପରି ସାଙ୍ଗେ ସାଙ୍ଗେ ଥାଏ । ବିଭାହୋଇ ସାରିଲାପରେ ମଧ୍ୟ ୧୦।୧୫ ଦିନରେ ବାପଘରକୁ ପଳାଇ ଆସେ, ‘ଦିଦି’ ସାଙ୍ଗେ ରହିବ ବୋଲି । ତା’ର ସ୍ଵାମୀ ମୁଖାର୍ଜିବାବୁ ମଧ୍ୟ ମୋତେ ଦେଢ଼ଶାଶୁ ମାନ୍ୟ କରୁଥାନ୍ତି । ଏମାନଙ୍କ ସଙ୍ଗେ ମୁଁ ପ୍ରାୟ ଚାରିବର୍ଷ ରହିଲି । ସମୟ ସେମାନଙ୍କ ସ୍ନେହକୁ ଊଣା କରିବା ପରିବର୍ତ୍ତେ, ବଢ଼ାଉଥାଏ ।

 

ଶେଠଜୀ ମଧ୍ୟ ବାବୁଜୀଙ୍କଠାରେ ଖୁବ୍ ବିଶ୍ଵାସ ରଖିଥାନ୍ତି । ବାବୁଜୀ ସକାଳ ୮ଟାରେ ଖାଇ କାମକୁ ଯାନ୍ତି ରେଳରେ, ରାତି ୧୨ଟାରେ ମଟରରେ ଘରକୁ ଫେରନ୍ତି । ଶେଠଜୀଙ୍କର ମନ, ମଟରଟା ଆମ ପାଖେ ରହନ୍ତା । ବାବୁଜୀ ନାହିଁକରନ୍ତି । ମଟର ରାତିରେ ଯାଇ ମିଲ୍ ଭିତରେ ରହିବା ଉଚିତ । ରାତିରେ କାମ ଥିବାରୁ ସିନା ମଟର ଦରକାର; ସକାଳେ ଲୋକାଲ ଗାଡ଼ିରେ ଗଲେ ତ ଅଧଘଣ୍ଟାରେ ମିଲ୍‍ରେ ପହଞ୍ଚିବେ । ବାନୁର୍ଜିବାବା କହନ୍ତି, “ବାବୁଜୀ ନିଜ ଇଚ୍ଛାରେ ରାତିଅଧଯାଏଁ ରହୁଛନ୍ତି । ୬ଟାବେଳେ ସମସ୍ତେ କାମରୁ ଛୁଟି ପାଉଛନ୍ତି । ୟାଙ୍କ କାମ ପୂର୍ବେ ଯେ କରୁଥିଲେ ସେ ଏ ଓଳି ଘଣ୍ଟେ ସେ ଓଳି ଘଣ୍ଟେ ମୁହଁ ଦେଖାଇ ଛୁ ମାରନ୍ତି ।

 

ବାବୁଜୀଙ୍କୁ ମୁଁ ଏକଥା ଥରେ କହିଥିଲି । ସେ କହିଲେ, “ବାନୁର୍ଜି ମହାଶୟ ହିସାବରକ୍ଷକ-। ଛୁଟି ବାଜିଲେ ତାଙ୍କ କାମ ଶେଷ । ରାତି କାମରେ ଅଫିସ୍‍ବାଲା ପ୍ରାୟ ରହନ୍ତିନାହିଁ-। କିନ୍ତୁ ମୋର କାମ ଅଲଗା । ଶ୍ରମିକମାନେ ଯେଉଁଠି ବସା କରି ରହନ୍ତି ମୋର ସେଠାକୁ ଯିବା ଦରକାର-। ଓଡ଼ିଆ ଶ୍ରମିକମାନେ ଯେଉଁଠି ରହନ୍ତି ସେଠାରେ ଓଡ଼ିଆ ଭାଗବତ ଲଗାଇଛି; ମୁସଲମାନ ଶ୍ରମିକମାନକୁ କୋରାନ୍ ପଢ଼ାଇବାର ବ୍ୟବସ୍ଥା କରିଛି; ବିହାରୀମାନେ ତୁଳସୀ ରାମାୟଣ ଲଗାଇଛନ୍ତି; ବଙ୍ଗାଳୀମାନେ କାଶିରାମଙ୍କ ମହାଭାରତ । ସେମାନଙ୍କ ପରିବାରବର୍ଗଙ୍କ ଦେହପା କଥା ବୁଝିବାକୁ ପଡ଼େ । ଯେଉଁମାନେ କାବୁଲିଙ୍କ ହାବୁଡ଼େ ପଡ଼ିଛନ୍ତି ସେମାନଙ୍କୁ ତାଙ୍କଠାରୁ ଉଦ୍ଧାର କରିବାକୁ ପଡ଼େ ।”

 

ମୁଁ ପଚାରିଲି, “ବହୁତ ଖର୍ଚ୍ଚ ହେଉଥିବ ?” ସେ କହିଲେ, “କିଛି ଖର୍ଚ୍ଚ ତ ହେବାର କଥା । ଶେଠଜୀ ଏ ବିଷୟରେ ମୁକ୍ତହସ୍ତ । ସେ ଦେଖୁଛନ୍ତି, ୟା ଫଳରେ ଶ୍ରମିକମାନେ ମନ ଦେଇ କାମ କରୁଛନ୍ତି । ଜଣେ ଶ୍ରମିକ ଘଣ୍ଟେ ମନ ଦେଇ କାମ କଲେ ଶେଠଜୀଙ୍କର ଯେତେ ଲାଭ, ମାସକୁ ସେତିକି ଦେଲେ ମୋର କାର୍ଯ୍ୟକ୍ରମ ସବୁ ସୁରୁଖୁରୁରେ ଚାଲିବ । ମୋତେ ସେ ମାସକୁ ୬ଶହ ଟଙ୍କା ଦେବାକୁ କହୁଥିଲେ । ମୁଁ କହିଲି, ଚାରିଶହ ଟଙ୍କା ମୋର ଯଥେଷ୍ଟ । ମୋର ଇଚ୍ଛା, ୟେ ଦୁଇଶହ ଶ୍ରମିକଙ୍କ ପିଛା ଖର୍ଚ୍ଚ ହେଉ । କିନ୍ତୁ ଶେଠଜୀଙ୍କର ଏକା ଜିଦ୍, ତାହା ତୁମ ନାମରେ ଭବିଷ୍ୟତ ପାଇଁ ପୋଷ୍ଟ୍ ଅଫିସ୍‍ରେ ଜମା ରହିବ । ମୋତେ ତିନି ଚାରିଥର କହିଲେଣି, ତୁମର ଗୋଟାଏ ଦସ୍ତଖତ ନେବାକୁ ।”

 

ସମୟ ବଡ଼ ଆନନ୍ଦରେ କଟୁଥିଲା । କିନ୍ତୁ ମୋ ପରି ଅଭାଗୀନି ଏତେ ସୁଖ ଓ ସନ୍ତୋଷର ଅଧିକାରିଣୀ ହୁଅନ୍ତା କିପରି ?’

 

(୨୪)

 

ଅପରାହ୍‍ଣ ୪ଟା ବେଳକୁ ପଶ୍ଚିମକବାଟେ ଆସିଲା ବେଳକୁ ଦାସେ ଦାଣ୍ଡ ଚାନ୍ଦିନୀକୁ ବାହାରିଥାନ୍ତି । ଜେଜେ ହୋଇ ପଶ୍ଚିମକବାଟେ କହିଲେ, “କାଲି ଆପଣଙ୍କ ପାଖୁ ରାତି ଏଗାରଟାରେ ଯିବା ବେଳୁଁ ଭାବୁଛି ସେଇ ତାରା କଥା । ଏଡ଼େ ଆଡ଼ମ୍ବରରେ ବିଭାଘର ହେଲା, ଏଡ଼େ ସୁଖରେ ଯାଇ ବର ସାଙ୍ଗେ ବାଗନାନ୍‍ରେ ରହିଲା, ପୁଣି କ’ଣ ହେଲା ଯେ, ନିରକ୍ଷ ହୋଇ ଆମ ଏଠାରେ ଆସି ପହଞ୍ଚିଛି ! –ଏଇକଥା ଶୁଣିବାକୁ ଉତ୍କଣ୍ଠା ହେବାରୁ ଦିପହରୁ ବିଚାରୁଛି କିମିତି ଆସିବି । ବେଗେ ଆସିଗଲି ପରା ? କାହିଁ କେହି ତ ନାହାନ୍ତି !”

 

ଦାସେ କହିଲେ, “ସମସ୍ତେ ଅଛନ୍ତି, ଏଇଲାଗେ ମୋତେ ଦାଣ୍ଡଦୁଆରେ ଦେଖି ଆସି ପହଞ୍ଚିବେ । ନାହାନ୍ତି କେବଳ ବାରିବାବୁ । ତାରାକୁ ନେଇ ତା’ ବୋଉ ଯାଇଛି ଡାକ୍ତରଖାନାକୁ; ବାରିବାବୁ ସାଙ୍ଗରେ ଯାଇଛନ୍ତି । ଏତେବେଳକୁ ତ ଫେରିବାର କଥା, କାହିଁକି ଡେରି ହେଉଛି କେଜାଣି ?”

 

ଦୁହେଁ ବସି କଥାବାର୍ତ୍ତା ହେଉଛନ୍ତି, ମହାପାତ୍ରେ, ନାୟକେ ଓ ବାହିନୀପତି ପ୍ରମୁଖ ଜଣ ଜଣ ହୋଇ ଆସି ପହଞ୍ଚିଲେ । ମହାପାତ୍ରେ କହିଲେ, “ଜାଣିଲ ଦାସେ, ଏଇ ତାରାର ବୃତ୍ତାନ୍ତ ଶୁଣିବା ବୋଲି ଗୁଡ଼ାଏ ଦିନ ଅଳସୁଆ ହୋଇ ବସିଲେଣି । ମୁଁ ବିଚାରୁଛି ଥରେ ପୁରୀ ଯାଇ ଧର୍ମଶାଳାରୁ ତାରା ବରର ନାମଟା ଜାଣି ଆସନ୍ତି । ବାଗନାନ୍ ଗଲେ, ବାନୁର୍ଜିବାବୁଙ୍କଠାରୁ ଓ ଚଟକଳ ମାଲିକଙ୍କଠାରୁ ଗୁଡ଼ାଏ ଖବର ମିଳନ୍ତା ।”

 

ଦାସେ କହିଲେ, “ମୁଁ ବି ସେଇ କଥା ଭାବୁଛି ଯେ, ତାରା ନିରାପଦରେ ଖଲାସ ହେବାର ଜାଣିଗଲେ ଶାନ୍ତିରେ ଯିବ । ଏକାଥରକେ ପୁରୀ ଓ କଲିକତା ହୋଇ ଫେରିବ । ତା’ପରେ ଆଉ ଯାହା । ବାରିବାବୁ ଏତେବେଳଯାଏଁ ଡାକ୍ତରଖାନାରୁ ନ ଫେରିଲେ କିଆଁ ? ସକାଳ ୯ଟାରୁ ଗଲେଣି !”

 

ତାଙ୍କ ତୁଣ୍ଡରୁ କଥା ସରିନାଇଁ ବାରିବାବୁ ଅଡ଼ଙ୍ଗ କଡ଼ରେ ସାଇକଲ୍ ଡେରିଲେ ଓ ଚାନ୍ଦିନୀକୁ ଉଠୁ ଉଠୁ କହିଲେ, “ଏମାନେ ରିକ୍ସାରେ ଆସୁଛନ୍ତି ।” ଡାକ୍ତରାଣୀ କହିଲେ, କୌଣସି ଭୟ ନାହିଁ । ପିଲାଟା ଭଲ ଅଛି, ମା’ରବି ସ୍ୱାସ୍ଥ୍ୟ ଭଲ । କିନ୍ତୁ ଆଉ ୧୫।୨୦ ଦିନ ଯିବ । ଏଇଠାରେ ପ୍ରସୂତି ହେବ; ଖବର ଦେଲାମାତ୍ରେ ଡାକ୍ତରାଣୀ ଆସି ଦେଖିଯିବେ ଏବଂ ଜଣେ ଧାଈ ମୁକରିର କରିଦେବେ ।” ପଶ୍ଚିମକବାଟଙ୍କୁ ଚାହିଁ ବାରିବାବୁ କହିଲେ, “ଆପଣ ଆସି କେତେବେଳୁ ଅପେକ୍ଷା କରି ବସିଲେଣି ! ମୁଁ ଗୋଡ଼ ଧୋଇ କରି ଆସେ, ତାରାର ବୃତ୍ତାନ୍ତ ସାରିଦେବା । ଆଉ ଅଳ୍ପ ଟିକିଏ ଅଛି ।”

 

ଟିକକ ପରେ ବାରିବାବୁ ଚାନ୍ଦିନୀକୁ ଆସିଲେ ଓ ତାରାର ବୃତ୍ତାନ୍ତ ପଢ଼ିବାକୁ ଆରମ୍ଭ କଲେ :

 

ବାଗନାନ୍‌ରେ ମୋର ଦିନଟିମାନ ବଡ଼ ଆନନ୍ଦରେ କଟିଯାଉଥାଏ । ବାବୁଜୀ ସକାଳ ୯ଟା, ସାଢ଼େ ୯ଟାରେ ଯାନ୍ତି ଯେ ଫେରନ୍ତି ରାତିଅଧକୁ । ବାନୁର୍ଜିବାବୁ ସନ୍ଧ୍ୟାରେ ଆସିଲା ପରେ ମୋତେ ଇଂରାଜୀ ପଢ଼ାନ୍ତି । ଏକୁଟିଆବେଳେ ମୁଁ ଓଡ଼ିଆ ଓ ବଙ୍ଗଳା ବହି ପଢ଼େ । ବାନୁର୍ଜିବାବୁଆଣୀ କହନ୍ତି, “ତୋ’ ହାତରେ କେଡ଼େ ବେଗେ ପାଠ ହେଉଛିମ ତାରା ? ତୁ କେଡ଼େ ସୁନ୍ଦର ବଙ୍ଗଳା କହିପାରୁଛୁ । ଗଡ଼ଗଡ଼ କରି ରବିନ୍ଦ୍ରନାଥଙ୍କ ଗୀତାଞ୍ଜଳି ପଢ଼ିଦେଉଛୁ ।” ଟିକିଏ ଫୁରୁସତ୍ ପାଇଲେ ସେ ମୋ ପାଖେ ଆସି ବସନ୍ତି; ମୁଁ ଶରତଚନ୍ଦ୍ରଙ୍କର ଉପନ୍ୟାସ ପଢ଼ି ଶୁଣାଏ । ଓଡ଼ିଆରେ ଫକୀରମୋହନଙ୍କର ଛ’ମାଣ ଆଠଗୁଣ୍ଠ, ଲଛମା ଓ ମାମୁ ପଢ଼ି ବୁଝାଇଦିଏ । ଦୁଇବର୍ଷରେ ମୁଁ ବେଶ୍ ଇଂରାଜୀ ପଢ଼ିପାରିଲି । ବାନୁର୍ଜିବାବୁ ଖୁସିହୋଇ କହନ୍ତି, “ତୁମେ ଘରୋଇ ଛାତ୍ରୀଭାବେ ମାଟ୍ରିକୁଲେଶନଟା ପାସ୍ କରିଦେଲେ, ବେଥୁନ୍ କଲେଜରେ ତୁମର ନାମ ଲେଖାଇଦେବା । ଶେଠଜୀଙ୍କୁ କହିଲେ ସେ ଆଗ୍ରହରେ ଯିବା ଆସିବାକୁ ମଟର ଯୋଗାଇଦେବେ-।” ବାବୁଜୀ ଏ କଥା ଶୁଣି କହନ୍ତି, “ଏମାନଙ୍କର ପାଠ ବିଷୟରେ ବିଚିତ୍ର ଧାରଣା-! ମୁଁ ମନେକରେ, ତୁମେ ବେଥୁନ୍ କଲେଜରେ ବି.ଏ. ପାସ୍ କରିବା ଅପେକ୍ଷା ଢେର୍ ଅଧିକ ଜାଣିଲଣି । ସ୍ତ୍ରୀମାନଙ୍କର କଲେଜ ଗୃହସ୍ଥଳୀ ।”

 

କଲେଜରେ ଯାଇ ପାଠ ପଢ଼ିବାର ଆକାଂକ୍ଷା ମୋର ନ ଥାଏ । ବେଳେବେଳେ ମନେ ହୁଏ, କୋଡ଼ରେ ପିଲାଟିଏ ଥିଲେ, ମୋର ସୁଖ ସମ୍ପୂର୍ଣ୍ଣ ହୁଅନ୍ତା । କୋଡ଼ରେ ପିଲାର ଅଭାବ ପୂରଣ କରିବାକୁ ମୁଁ ସାଇପଡ଼ିଶାର ପିଲାଙ୍କୁ ଆଦର କରି ଘରକୁ ଆଣେ । ବାବୁଜୀ ତାଙ୍କପାଇଁ ମିଠେଇ ଓ ଖେଳଣା ଆଣିଦିଅନ୍ତି । ତାଙ୍କୁ ପଢ଼ାଇବା ପାଇଁ ଛୋଟ ଛୋଟ ବଙ୍ଗଳା ବହି ମଧ୍ୟ ଆଣନ୍ତି । ତାଙ୍କର ଅସଲ ଉଦ୍ଦେଶ୍ୟ, ମୋ ମନରେ କିମିତି ସବୁବେଳେ ଶାନ୍ତି ଓ ତୃପ୍ତି ରହିବ ।

 

ସେ କିନ୍ତୁ ସମସ୍ତ ଅଶାନ୍ତି ଭିତରେ ଶାନ୍ତ ଓ ନିରୁଦ୍‌ବିଗ୍ନ ହୋଇ ରହିଥାନ୍ତି । ସେ ଚଟକଳରେ ରହିବାର ବର୍ଷେ ଖଣ୍ଡେ ପରେ କଲିକତାର ଆଖପାଖ ସବୁ ଚଟକଳରେ ଶ୍ରମିକମାନେ ଧର୍ମଘଟ କଲେ । ଆମ ଚଟକଳର ଶ୍ରମିକଙ୍କ ପ୍ରତିନିଧି ବାବୁଜୀଙ୍କ ପରାମର୍ଶ ଲୋଡ଼ିଲେ, ଏ ପରିସ୍ଥିତିରେ କ’ଣ କରିବେ । ଅନ୍ୟ ଚଟକଳର ଶ୍ରମିକମାନେ ଯେଉଁ ସୁବିଧା ଓ ସୁଯୋଗ ଦାବି କରିଥାନ୍ତି ଆମ ଚଟକଳରେ ଶ୍ରମିକମାନଙ୍କୁ ସେ ସବୁ ମିଳିଥାଏ । ତଥାପି ବାବୁଜୀ କହିଲେ, ତୁମେମାନେ ଗୋଠଖଣ୍ଡିଆ ହୋଇ ରହ ବୋଲି ମୁଁ କହିବିନାହିଁ । ଅନ୍ୟ ଚଟକଳ ମାଲିକମାନେ ହାତବାନ୍ଧି ବସିଥିବାବେଳେ ଆମେ କଳ ଚାଲୁ କରି ଗୁଡ଼ାଏ ମାଲ୍ ବଜାରକୁ ଯୋଗାଇ ଅଧିକା ସୁବିଧା ମାରିନେବା ମଧ୍ୟ ଅନ୍ୟାୟ । ଅନ୍ୟମାନଙ୍କୁ ସହାନୁଭୂତି ଦେଖାଇ ତୁମେମାନେ ହପ୍ତେ ଖଣ୍ଡେ ଷ୍ଟ୍ରାଇକ୍ କର । ତା’ପରେ ଟିକିଏ ମନ ଲଗାଇ କାମ କରିଦେଲେ ଆମର କ୍ଷତି ଭରଣା ହୋଇଯିବ-। ତାହାର ଆଶା ଦେଖିଲେ, ଶେଠଜୀ ମଧ୍ୟ ଧର୍ମଘଟ ସମୟରେ ଦରମା ଦେବାକୁ ରାଜି ହେବେ-।” ଶ୍ରମିକ ପ୍ରତିନିଧି ଏକଥା ଶୁଣି ବିସ୍ମିତ ହେଲେ ।

 

ବାବୁଜୀ ଆହୁରି କହିଲେ, “ତୁମେମାନେ ଏ ଧର୍ମଘଟରେ ଯୋଗ ଦେଇ ଶ୍ରମିକମାନଙ୍କର ଗୋଟିଏ ସାମୂହିକ କଲ୍ୟାଣ କରିବ ବୋଲି ମୋର ଆଶା । ତୁମେ ଶ୍ରମିକ ଭାଇମାନଙ୍କୁ ବୁଝାଇବ ଯେ ଗୁଡ଼ାଏ ଦିନ କାମ ବନ୍ଦ କରି ରଖିଲେ ତୁମର କ୍ଷତି, ମାଲିକର କ୍ଷତି ଓ ଦେଶର କ୍ଷତି । ଝୋଟ ଆସୁଛି ପାକିସ୍ଥାନରୁ, ଏଠାରେ ବୁରା ତିଆରି ହୋଇ ବିଦେଶକୁ ରପ୍ତାନି ହେଉଛି । ତୁମେମାନେ ଘନଘନ ଦୀର୍ଘ ଧର୍ମଘଟ କଲେ ପାକିସ୍ଥାନରେ ଅଧିକ ସଂଖ୍ୟାରେ ଚଟକଳ ବସି ଆମ ହାତରୁ ରପାନ୍ତି ବାଣିଜ୍ୟ ଚାଲିଯିବ । ବିନା ଧର୍ମଘଟରେ ଆମ ଚଟକଳ ଯେପରି ତୁମମାନଙ୍କର ଦାବି ପୂରଣ କରିଛି, ଅନ୍ୟ ଚଟକଳମାନେ ସେଇପରି କରିବା ଦିଗରେ ଚେଷ୍ଟା କରିବା । ତୁମ ଶ୍ରମିକ ସଂସ୍ଥା ସହଯୋଗ କଲେ ଆମ ଶେଠଜୀ ଓ ମୁଁ ସେ ଦିଗରେ ଉଦ୍ୟମ କରିବୁଁ-।”

 

ସେଇକଥା ହେଲା । ମୋଟେ ପାଞ୍ଚଦିନ ହେବାପରେ ଧର୍ମଘଟ ବନ୍ଦ ହେଲା । ଶ୍ରମିକ ଓ ମାଲିକ ବସି ସାଲିସ୍ କରିଦେଲେ । ଅନ୍ୟ ଚଟକଳର ଶ୍ରମିକ ତତ୍ତ୍ଵାବଧାରକମାନେ ବାବୁଜୀଙ୍କ ପାଖକୁ ଆସି ଶ୍ରମିକମାନଙ୍କୁ ସନ୍ତୁଷ୍ଟ ରଖିବାର ଉପାୟ ଶିଖିଲେ । ଏ କାର୍ଯ୍ୟପାଇଁ ବାବୁଜୀଙ୍କୁ ଅଧିକ ସମୟ ଦେବା ନିମନ୍ତେ, ଶେଠଜୀ ବାବୁଜୀଙ୍କୁ ଜଣେ ସହକାରୀ ତତ୍ତ୍ଵାବଧାରକ ଦେଲେ । ଆଗେ ଆଗେ ୟେ ବାବୁଜୀଙ୍କର ଭାରି ଅନୁଗତ ହୋଇଥିଲେ । ଚାରି ଛ’ମାସରେ କିନ୍ତୁ ୟେ ଭିତରେ ଭିତରେ ବାବୁଜୀଙ୍କର ଅନିଷ୍ଟ କରିବାକୁ ଉଦ୍ୟମ କରିବାକୁ ଆରମ୍ଭ କଲେ ।

 

ବାନୁର୍ଜିବାବୁଙ୍କଠାରୁ ଏହା ଶୁଣି ମୁଁ ବାବୁଜୀଙ୍କୁ ସାବଧାନ କଲି । ସେ ହସି ହସି କହିଲେ, “ମଣିଷ ମଣିଷର ଅନିଷ୍ଟ ବା ଇଷ୍ଟ କରିପାରେ ବୋଲି କାହିଁକି ଭାବୁଛ ? ଯାହା କରିବେ ଭଗବାନ୍-। ଦୋଷ ଦେଖିଲେ ଯାଇ ଭଗବାନ୍ ଦଣ୍ଡ ଦିଅନ୍ତି । ଆମେ ଦୋଷ କରିବାକୁ ନାଇଁ କି ଦଣ୍ଡ ପାଇବାକୁ ନାଇଁ ।” ମୁଁ ପଚାରିଲି, “ନିର୍ଦ୍ଦୋଷକୁ କ’ଣ ଦଣ୍ଡ ହୁଏ ନାହିଁ ?” ସେ କହିଲେ “ଦଣ୍ଡ ହୁଏ ନାଇଁ ଯେ, ଟ୍ରେନିଙ୍ଗ୍ ଦିଆଯାଏ । ଭଗବାନଙ୍କର ଯଦି ଇଚ୍ଛା ଥିବ ଆମକୁ ଆଉ କୌଣସି ବଡ଼ କାମରେ ଲଗାଇବାକୁ, ତେବେ ଏଠାରୁ ବାହାରିଯିବାର ଉପାୟ ସେ କରିଦେବେ-। ଏଠାରୁ ବାହାରିଗଲାବେଳେ ମନେ ହେବ, ବିନା ଦୋଷରେ ଭଗବାନ୍ ଦଣ୍ଡ ଦେଲେ-। ପରେ ଯେତେବେଳେ ବଡ଼ କାମ ମିଳିବ, ସେତେବେଳେ ଜଣାପଡ଼ିବ, ଯେଉଁ ଆପାତ ଦଣ୍ଡ ହୋଇଥିଲା, ତାହା ଥିଲା ଉପରକୁ ଉଠିବାର ସିଡ଼ି ।”

 

ଏହିପରି ମୋତେ ଶିକ୍ଷାଦେବା ସଙ୍ଗେ ସଙ୍ଗେ ସେ ଠିକଣା ସାଧନାରେ ଲାଗିଥାନ୍ତି । ବାଗନାନ୍‌ଠାରୁ ହାବଡ଼ା ଭିତରେ ଯା-ଆସ କରୁଥିବା ସବୁ ଶ୍ରମିକ ତାଙ୍କୁ ଚିହ୍ନିଥାନ୍ତି ଓ ନେତା ବୋଲି ମାନୁଥାନ୍ତି । ଅନ୍ୟ ଚଟକଳ ମାଲିକଙ୍କଠାରୁ ମଧ୍ୟ ଅଧିକ ଦରମାର ପ୍ରଲୋଭନ ମିଳୁଥାଏ । କିନ୍ତୁ ବାବୁଜୀ କହୁଥାନ୍ତି, “ମୋ ଗୁରୁଦେବ ମୋତେ ଏଠାରେ ରଖିଦେଇ ଯାଇଛନ୍ତି, ତାଙ୍କର ବିନା ଆଦେଶରେ ମୁଁ ଏଠା ଛାଡ଼ି ଯାଇପାରିବି ନାହିଁ ।” ଏପରି ସ୍ଥଳେ ସେ ଅଚାନକଭାବେ କୁଆଡ଼େ ଉଭାନ ହୋଇଗଲେ, ମୋତେ ତାଜୁବ ଲାଗୁଛି । ଏତେ ଆଦର କରୁଥିଲେ, ଏତେ ଆପଣାର କରିଥିଲେ, ଗଲେ ଯେ ମୋତେ ଟିକିଏ ଖବରବି ଦେଲେନାହିଁ; ଜୀବନ ତମାମ ହନ୍ତସନ୍ତ ହେବାକୁ ମୋତେ ଯେଉଁ ଦଣ୍ଡ ଦେଇଗଲେ, ତାହା କ’ଣ ନିର୍ଦ୍ଦୋଷର ଦଣ୍ଡ ନୁହେଁ ? ତାଙ୍କଠାରୁ ଅଲଗା ହୋଇ ମୋର କେଉଁ ଉନ୍ନତିଟା ହୋଇଯିବ ବୋଲି ମୋତେ ୟା କଲେ !

 

ଯେଉଁ ଦିନ ସକାଳେ ସେ ମୋତେ ଚିରକାଳ ପାଇଁ ଛାଡ଼ି ଚାଲିଗଲେ ତା’ରି ପୂର୍ବ ରାତିରେ ମୋର ମନକାମନା ପୂରଣ ହୋଇଥିଲା । ରାତି ଦଶଟାରେ ଘରକୁ ଫେରି, ବେଗେବେଗେ ଖିଆପିଆ ସାରି ସେ ମୋତେ ତାଙ୍କ ଶେଯକୁ ଡାକିଲେ ଓ ମୋତେ ଆଦରରେ ପାଖରେ ବସାଇ କହିଲେ, “ତାରା ! ମୁଁ ବହୁତ ଦିନ ହେଲା ଲକ୍ଷ୍ୟ କଲିଣି, ତୁମ ମନରେ ପୁତ୍ର କାମନା ହୋଇଛି । ଅନ୍ୟର ପିଲାମାନଙ୍କୁ ତୁମେ ଯେଉଁ ଆଦର କରୁଛ, ତାହା ତା’ରି ପ୍ରତିକିୟା । ସନ୍ତାନ-ହୀନ ଦମ୍ପତି ସାଧାରଣତଃ ପାଳିତପୁତ୍ରଦ୍ୱାରା ପୁତ୍ରଭାବ ପୂରଣ କରନ୍ତି । କିନ୍ତୁ ମୁଁ ଜାଣେ, ତୁମେ ଚାହୁଁଛ ମୋ’ରି ପୁତ୍ର । ମୋର ନିଜ ଉପରେ ସନ୍ଦେହ, ପୁଣି ପୁତ୍ର ହେବା ନ ହେବା ଭଗବାନଙ୍କ ହାତରେ । ତୁମର କାମନା ପୂରଣ କରିବାକୁ ମୁଁ ଲକ୍ଷେ ପୁତ୍ରେଷ୍ଟି ମନ୍ତ୍ର ପୁରଶ୍ଚରଣ କରିବାକୁ ସଂକଳ୍ପ କରିଥିଲି । ଆଜି କାଳୀ ମନ୍ଦିରରେ ତାହା ପୂରଣ ହେଲା । ନିଅ କାଳୀଙ୍କ ପ୍ରସାଦ ଗ୍ରହଣ କର । ସକାଳେ ମନେପଡ଼ିଲା ନାହିଁ, ନହେଲେ ଆଜି ଉପବାସ ରହିବାକୁ କହିଯାଇଥାନ୍ତି ।”

 

ମୁଁ ହସି ହସି କହିଲି, “ମୁଁ ତ ଆଜି ଉପବାସ କରିଛି । ଆଜି ଖାଲି ପୁରି ଓ କ୍ଷୀରୀ ହୋଇଛି ଦେଖିଲ ନାହିଁ କି ? ଆମ ଏଠାର କାଳୀ ମା’ଙ୍କର ଭୋଗ । ଆଜି ସକାଳୁ କାହିଁକି କେଜାଣି ମନେହେଲା, ଦିନଯାକ ଉପବାସ ରହି ତୁମେ ଫେରିଲେ କାଳୀଙ୍କ ଭୋଗ ଖାଇବାକୁ ।” କାହିଁକି କେଜାଣି ନୁହେଁ, ଆଜି ସକାଳୁ ମୋର ପୁତ୍ରକାମନା ପ୍ରବଳ ହୋଇଥିଲା, କିନ୍ତୁ ବାବୁଜୀଙ୍କୁ ଏହାର ସୁରାକ ଦେବାକୁ ଭାରି ଲାଜ ମାଡ଼ିବାରୁ କାଳୀମା’ଙ୍କଠାରେ ଗୁହାରି କରିଥିଲି । ସେଇ ରାତିରେ ଏ ପୋଡ଼ାପେଟରେ ପିଲା ରହିଲା । ବାବୁଜୀ କହିଥିଲେ, “ଜାଣିଲ ତାରା ! ପୂର୍ବାଚାର୍ଯ୍ୟମାନେ କହିଯାଇଛନ୍ତି, ପିଲା ନ ହେବା ପର୍ଯ୍ୟନ୍ତ ସ୍ତ୍ରୀ, ପୁରୁଷର । କିନ୍ତୁ ପିଲାଟିଏ ହେଲାପରେ ସେ ପତିଠାରୁ ଦୃଷ୍ଟି ଫେରାଇନିଏ ପିଲା ଉପରକୁ । ମୋତେ ସେଇ ଦଶା ନ ହେଉ-।” ମନର ଆନନ୍ଦରେ ତାଙ୍କ ଛାତିରେ ମୁହଁ ରଖି କାନ୍ଦିଥିଲି । ଆଜି କିଏ କାହାଠାରୁ ଦୃଷ୍ଟି ଫେରାଇଲା ସେ ଜାଣୁଥିବେ ।

 

ସେ ଦିନ ସକାଳୁ ସେ ଗଲେ ଯେ ଆଉ ଫେରିଲେ ନାହିଁ । ରାତିତମାମ ଚେଇଁ ରହିଲି, ଦାଣ୍ଡଦୁଆର ଠକ୍ ଠକ୍ ହେଲାନାହିଁ । ସକାଳେ ବାନୁର୍ଜିବାବୁଙ୍କୁ ପଚାରିଲି । ସେ କହିଲେ, “ଆଲୋ ମା’ ! କାଲି ବାବୁଜୀଙ୍କୁ ଅଫିସ୍‍ରେ ନ ଦେଖି କୁଆଡ଼େ ଗଲେ ବୋଲି ମୁଁ ସନ୍ଦିହାନ ହୋଇଛି । ଆଜି ଭଲକରି ବୁଝି ଆସି କହିବି । ସେ କ’ଣ ଶେଠଜୀଙ୍କ ସଙ୍ଗେ କୁଆଡ଼େ ଯାଇଛନ୍ତି ! ତୁମକୁ ତ ଖବର ଦେଇଥାନ୍ତେ ! ସେ କାଲି ଆଗ ଟ୍ରେନ୍‍ରେ ଗଲେ ମୁଁ ଗଲି ପଛ ଟ୍ରେନ୍‍ରେ । ଶୁଣିଲି ରାମରାଜତାଲାଠାରେ ଯାତ୍ରୀମାନେ ଲାଇନ ଉପରେ ବସି ଗାଡ଼ି ଅଟକାଇଥିଲେ । ମୁଁ ଗଲାବେଳକୁ କିନ୍ତୁ ଅଟକ ଉଠିଯାଇଥିଲା । ୧୦।୧୫ ଜଣ ଗିରଫ୍ ହୋଇଛନ୍ତି, କିନ୍ତୁ ୟେ ତ ତା’ ଭିତରେ ରହିବା ସମ୍ଭବ ନୁହେଁ । କଲିକତାରେ ସବୁ ବଡ଼ବଡ଼ ସମ୍ବାଦଦାତା ୟାଙ୍କୁ ଚିହ୍ନନ୍ତି, ୟେ ଗିରଫ୍ ହୋଇଥିଲେ ସଞ୍ଜ-କାଗଜରେ ବାହାରି ସାରିଥାନ୍ତା । ତୁମେ ଥିରହୋଇ ରହ, ମୁଁ ସବୁ ଖବର ବୁଝି ଆସିବି ।”

 

ସେ ଦିନ ଗଲା, ଆଉ ୩-୪ ଦିନବି ଗଲା, କିଛି ଖବର ପାଇଲିନାହିଁ । ବାନୁର୍ଜିବାବୁଙ୍କୁ ଖୁବ୍ କୋହରି ମୋହରି ହୋଇ ପଚାରିବାରେ ସେ କହିଲେ, “ଆଲୋ ମା’ ! ଏକଥା ତୋତେ ମୁଁ କିମିତି କହିବି ବୋଲି ଲୁଚାଇଥିଲି । ସହକାରୀ ଶ୍ରମ ଅଫିସର ଶେଠଜୀଙ୍କୁ ରିପୋଟ ଦେଇଛନ୍ତି ଯେ, ଶ୍ରମିକ ମଙ୍ଗଳପାଇଁ ଦିଆହୋଇଥିବା ଦଶହଜାର ଟଙ୍କା ନେଇ ବାବୁଜୀ କୁଆଡ଼େ ଫେରାର ହୋଇଯାଇଛନ୍ତି । ଦିନେ ଦୁଇ ଦିନ ଭିତରେ ପୁଲିସ୍ ଆସି ତୁମର ଘର ଖାନ୍‍ତଲାସ୍ କରିବାର ସନ୍ଦେହ ହେଉଛି । ତୋ ପାଖରେ ଯଦି କିଛି କାଗଜପତ୍ର ଅଛି ତେବେ ମୋତେ ଦେ, ମୁଁ ରଖିଥିବି । ପୁଲିସ୍ ଗଲା ପରେ ତୋତେ ଦେଇଦେବି ।”

 

ତାଙ୍କ ପାଖରୁ ଘରକୁ ଚାଲିଆସିଲି । ୟାଙ୍କୁ ପୁଣି ମୁଁ ବାପ ବୋଲି ମାନୁଥିଲି । ବେଆଇନ କାମ କରିବାକୁ ୟେ ମୋତେ ପ୍ରବର୍ତ୍ତାଇବାରୁ ୟାଙ୍କ ଉପରେ ମନ ଛି ହୋଇଗଲା । ଆଉ ଘରୁ ବାହାରିଲି ନାହିଁ କି ବାବୁଜୀଙ୍କ କାଗଜପତ୍ରରେ ହାତ ଦେଲିନାହିଁ । ପୁଲିସ୍ ଆସିବେ ଯଦି ଆସନ୍ତୁ, ସବୁ କାଗଜପତ୍ର ଦେଖନ୍ତୁ । ମୋ ମନରେ ଆଦୌ ସନ୍ଦେହ ହେଉ ନ ଥାଏ ଯେ, ବାବୁଜୀ ଦଶହଜାର ମାତ୍ର ଟଙ୍କା ନେଇ କୁଆଡ଼େ ଫେରାର ହୋଇଛନ୍ତି । ମୋର ହୋଇ ୨୨ ହଜାର ଟଙ୍କା ବଡ଼େମହାରାଜଙ୍କ ପାଖେ ଅଛି । ସେ ଦି’ଥର ଲେଖିଲେଣି, ଟଙ୍କା ଯଦି ଦରକାର ଲେଖ, ନହେଲେ ଛୁଟିନେଇ ଆସି ନେଇଯାଅ । ବାବୁଜୀ ଉତ୍ତର ଦେଇଥାନ୍ତି, ମୋର ଟଙ୍କା ଦରକାର ନାହିଁ । ଆସନ୍ତା ଦଶହରା ଛୁଟିରେ ମୁଁ ତାରା ସହିତ ଯାଇ ଆପଣଙ୍କର ଶ୍ରୀଚରଣରେ ମୁଣ୍ଡିଆମାରି ଆସିବି । ବର୍ଷକତଳେ ଆମେ ଦୁହେଁ ଥରେ ଯାଇ ବଡ଼େମହାରାଜା ବଡ଼ମା ଓ ବଡ଼ ଦିଦିଙ୍କ ପିଲାମାନଙ୍କୁ ଦେଖି ଆସିଥିଲୁ । ପ୍ରତିବର୍ଷ ଥରେ ଯିବାକୁ ବାବୁଜୀ ଜବାବ କରି ଆସିଥାନ୍ତି । ଆମ ପାଖରେ ମଧ୍ୟ ଟଙ୍କାର ଅଭାବ ନ ଥାଏ । ମୋ ଟଙ୍କାରେ ହାତ ବାଜିନଥାଏ; ବାବୁଜୀଙ୍କର ଦରମାରୁ ବଳାଇ ମୁଁ ଆଉ ପ୍ରାୟ ପାଞ୍ଚ ହଜାର ଟଙ୍କା ସେଥିରେ ମିଶାଇଥାଏ । ପାଖରେ ଟଙ୍କା ନଥିଲେବି ବାବୁଜୀ ଟଙ୍କା ଲୋଭରେ ଅନ୍ୟାୟ କରିବା ଅସମ୍ଭବ । ଖାନ୍‍ତଲାସ୍ ହେବାକୁ ଅପେକ୍ଷା କରି ରହିଲି ।

 

ପୁଲିସ ଆସିଲେ ନାହିଁ । କିନ୍ତୁ ଦୁଇ ଚାରି ଦିନ ପରେ ଚଟକଳର ବଡ଼ ମେନେଜର ଜଣେ ବଙ୍ଗାଳୀବାବୁଙ୍କୁ ସାଙ୍ଗରେ ଧରି ଆସିଲେ । ଶେଠଜୀଙ୍କୁ ମୁଁ ଚିହ୍ନେ, ତାଙ୍କ ବ୍ୟତୀତ ଆଉ କାହାକୁ କାଗଜପତ୍ର ଦେବିନାହିଁ ବୋଲି ଆଗ କହିଲି । ମେନେଜରବାବୁ କହିଲେ, “ବାବୁଜୀ ନିରୁଦ୍ଦେଶ ହୋଇଛନ୍ତି ଶୁଣିଲାମାତ୍ରେ ଶେଠଜୀ ଆପଣଙ୍କୁ ସଙ୍ଖୋଳିବାକୁ ଆସିଥାନ୍ତେ । କିନ୍ତୁ ସେ ମାସେ ଦୁଇମାସ ପୂର୍ବରୁ ଆସିବାର ସମ୍ଭାବନା ନାହିଁ । ସେ ତୀର୍ଥ କରିବେ ଏବଂ ଜନ୍ମସ୍ଥାନରେ ପିତୃଶ୍ରାଦ୍ଧ କରିବା ପରେ ଆଶ୍ୱିନ ମାସ ଶେଷରେ ଆସିବେ; ଆଉ ପ୍ରାୟ ଦୁଇମାସ ପରେ । କମ୍ପାନୀର ଦଶହଜାର ଟଙ୍କାର ହିସାବ ବାବୁଜୀଙ୍କ ପାଖରେ ଅଛି । ତାଙ୍କ ସହକାରୀ କହନ୍ତି, ସେ ଟଙ୍କା ଖର୍ଚ୍ଚ ହୋଇନାହିଁ । ମୋର ଏ କଥାରେ ବିଶ୍ଵାସ ହେଉନାହିଁ । ତେଣୁ ମୁଁ ନିଜେ ବାବୁଜୀଙ୍କ କାଗଜପତ୍ର ଦେଖିବାକୁ ଆସିଛି । ବାବୁଜୀଙ୍କ ସହକାରୀ ଅଫିସରଙ୍କ ସାଧୁତା ବିଷୟରେ ମୋର ସନ୍ଦେହ; ମୁଁ ଜାଣେ ସେ ଆପଣଙ୍କ ପଡ଼ୋଶୀ ବାନୁର୍ଜିବାବୁଙ୍କର ଆତ୍ମୀୟ । ୟାଙ୍କ ସାହାଯ୍ୟରେ ସେ ଆପଣଙ୍କ ଘରୁ କାଗଜପତ୍ର ହରଣଚାଳ କରିନେବାର ସନ୍ଦେହ ହେଉଛି । ଆପଣ ମୋତେ ବିଶ୍ଵାସ କରନ୍ତୁ । ମୁଁ ଶେଠଜୀଙ୍କର ନିଜ ଭଣଜା; ବାବୁଜୀ ମୋର ପ୍ରିୟବନ୍ଧୁ । ମୁଁ ତାଙ୍କ ସୁନାମପାଇଁ ଉଦ୍‌ବିଘ୍ନ, ଟଙ୍କାପାଇଁ ନୁହେଁ ।”

 

ମୁଁ ଆପତ୍ତି ନ କରି ବାବୁଜୀଙ୍କ ଅଫିସ୍ ଘର ଖୋଲିଦେଲି ଓ ତାଙ୍କର ଅନୁରୋଧରେ ମୁଁ ବି ସେ ଘରେ ବସିରହିଲି । ୧୫ ମିନିଟ୍ ଭିତରେ ମେନେଜରବାବୁ ପାଟିକରି ଉଠିଲେ “ହେଇଟି ! ଯାହା ବିଚାରିଥିଲି, ଠିକ୍ ସେଇଆ । ନୂଆ ପଇସାଟିକ ପର୍ଯ୍ୟନ୍ତ ଦଶହଜାର ଟଙ୍କାର ହିସାବ ଏଇ ଫାଇଲ୍‍ରେ ଅଛି । ଏଥିରୁ ଦୁଇହଜାର ଟଙ୍କା ସହକାରୀ-ଶ୍ରମିକ ତତ୍ଵାବଧାରକ ରସିଦ ଦେଇ ନେଇଛନ୍ତି, ଖର୍ଚ୍ଚକରି ପକ୍କା ହିସାବ ଦେବାକୁ । ଏଇ ଦୁଇହଜାର ଟଙ୍କା ଫାଙ୍କିଦେବା ସକାଶ ତାଙ୍କର ଏ ଫିସାଦ । ଆଉ କିଛି ମୋର ଦେଖିବା ଦରକାର ନାହିଁ । ମୁଁ କେବଳ ଏଇ ଫାଇଲ୍‍ଟା ନେବି । ଚାହାନ୍ତି ତ ରସିତ ଦେଇ ନେବି ।”

 

ମୋର ମନ ଉଶ୍ୱାସ ହୋଇଗଲା । ଜାଣିଲି, ବାବୁଜୀ କୁଆଡ଼େ ଚାଲିଯିବାରୁ ମୋ ମନରେ ଯେତେ ଦୁଃଖ ହୋଇଥିଲା ତହିଁରୁ ଢେର୍ ଅଧିକ ଦୁଃଖ ହୋଇଥିଲା ତାଙ୍କର ଦୁର୍ନାମ ଶୁଣି । ଆପଣଙ୍କର ଯାହା ଇଚ୍ଛା ନିଅନ୍ତୁ, ମୋର ରସିଦ ଦରକାର ନାହିଁ ବୋଲି ମେନେଜରବାବୁଙ୍କୁ କହିଲି-। ଯିବାକୁ ବାହାରି ସେ କହିଲେ, “ଆପଣ ଏ ଘରେ ଯେତେ ଦିନ ଇଚ୍ଛା ରହିପାରନ୍ତି-। ଆପଣ ଏକୁଟିଆ, ବାନୁର୍ଜିବାବୁଙ୍କ ଉପରେ ମୋର ସନ୍ଦେହ । ତେଣୁ ଜଣେ ନେପାଳୀ ଦରୁଆନ ଏଠାରେ ରହିବାର ବ୍ୟବସ୍ଥା କରୁଛି । ସେ ଆଜି ସନ୍ଧ୍ୟା ପୂର୍ବରୁ ଆସିବ । ଆଉ ଆପଣଙ୍କର ଗୁଡ଼ାଏ ଟଙ୍କା ଆମ ପାଖେ ଡିପୋଜିଟ୍ ରହିଛି । ଯେତେବେଳେ ଯାହା ଦରକାର ମଗାଇନେବେ-।” ମୁଁ କିଛି ଉତ୍ତର ନ ଦେଇ ତାଙ୍କୁ ପ୍ରତିନମସ୍କାର କଲି ।

 

ବାବୁଜୀଙ୍କ ଦୁର୍ନାମ ଦୂର ହେବାପରେ ତାଙ୍କପାଇଁ ମନ କାଉଳି ହେଲା । ବାନୁର୍ଜିବାବୁ ଓ ତାଙ୍କ ସ୍ତ୍ରୀ ଥରକୁଥର ଶଙ୍ଖୁଳି ଆସି ଆପଣେଇତି କରୁଥାନ୍ତି । ମୁଁ ଓପର ମନରେ ତାଙ୍କ ସଙ୍ଗେ କଥାବାର୍ତ୍ତା ହେଉଥାଏ । ତାଙ୍କ ଉପରେ ମୋର ଏତେ ଅବିଶ୍ୱାସ ହୋଇଯାଇଥାଏ ଯେ, ମୋର ଦୃଢ଼ ଧାରଣା ହୋଇଥାଏ ସେ ମୋର କୌଣସି ଅନିଷ୍ଟ ପାଞ୍ଚୁଛନ୍ତି । କେବଳ ବାବୁଜୀଙ୍କ ଯୋଗୁଁ ସେ ଆମକୁ ଶଙ୍କି କରି ଥିଲେ । ବାବୁଜୀ ଯିବା ପରେ ତାଙ୍କର ଆମ ପ୍ରତି ଆଦର, ଶ୍ରଦ୍ଧା ବା ଭୟ କିଛି ନାହିଁ ବୋଲି ମୋ ଅନ୍ତରରେ କେହି ଚୁପ୍‌ଚୁପ୍‌ କରି କହୁଥାଏ ।

 

ନେପାଳୀ ଦରୁଆନଟି ଭାରି ନିମକସଚ୍ଚା । ସେ ଦାଣ୍ଡଦୁଆରୁ ଟିକିଏ କୁଆଡ଼େ ଗୋଡ଼ କାଢ଼େନାହିଁ । ମୋର ଅନୁମତି ନେଇ ସେ ଆମ ଦାଣ୍ଡଘରେ ଭାତ ପୁଞ୍ଜେ ଫୁଟାଏ । ସେ ନାହିଁ କରିବା ସତ୍ତ୍ୱେ ମୁଁ ତା’ର ସଉଦାପତ୍ର ପାଇଁ ପଇସା ଦେଉଥାଏ । ଦିନେ ଦୁଇ ଦିନରେ ଥରେ ଲେଖାଏଁ ସେ ପାଖ ବଜାରରୁ ମୋ’ପାଇଁ ସଉଦା କରିଆଣେ ।

 

ଏଇପରି ଅନିର୍ଦ୍ଦିଷ୍ଟ କାଳପାଇଁ ମୁଁ ସେଠାରେ ବାବୁଜୀଙ୍କୁ ଚାହିଁ ରହିଯାଇଥାନ୍ତି, ଯଦି ସେଦିନ ମୋର ମନ୍ଦଗ୍ରହ ଦୁହିଁଙ୍କ ସଙ୍ଗେ ଦେଖାହୋଇନଥାନ୍ତା । ବେଳ ରତରତ ହେଉଥାଏ । ଓପର ମହଲାର ଝରକାବାଟେ କାହିଁକି କେଜାଣି ଦାଣ୍ଡକୁ ଚାହିଁଦେଲା ବେଳକୁ ଦେଖିଲି, ସେଇଥିରୁ ଦି’ଜଣ, ଯେଉଁମାନେ ହରିଦ୍ୱାରଠାରେ ଆମ ଦୁଆରେ ଲଙ୍ଗରପଙ୍ଗର ହେବାର ଲକ୍ଷ୍ୟ କରିଥିଲି, ଯେଉଁମାନେ କୁମ୍ଭମେଳାରେ ମୋତେ ନେଇ ପଳାଉଥିଲେ ଓ ରେଳରେ ମୋ’ ପିଛା ଧରିଥିଲେ । ସେ ଦୁହେଁ ବାନୁର୍ଜିବାବୁଙ୍କ ସ୍ତ୍ରୀଙ୍କ ସଙ୍ଗେ କ’ଣ କଥାବାର୍ତ୍ତା ହେଉଥାନ୍ତି । ମୋ ଦେହ ଶୀତେଇଗଲା । ଏଥର ଆଉ ୟାଙ୍କଠାରୁ ରକ୍ଷାନାହିଁ ବୋଲି ଦୃଢ଼ ଧାରଣା ହୋଇଗଲା । ମୋର ତ ଆଉ କେହି ସାହା ନାହାନ୍ତି । ଯେଉଁ ବାନୁର୍ଜିବାବୁଙ୍କୁ ବାପ ବୋଲି ମାନୁଥିଲି ସେ ତାଙ୍କ ଆତ୍ମୀୟଙ୍କ ପାଇଁ ମୋର ଘରୁ କାଗଜପତ୍ର ଚୋରାଇପାରନ୍ତି ବୋଲି ମେନେଜରବାବୁ କହିଲା ଦିନୁଁ ତାଙ୍କୁ ତ ମୁଁ ସାପପରି ଡରୁଥାଏ । ବାବୁଜୀ ନାହାନ୍ତି ବୋଲି ଶୁଣି ଗୁଣ୍ଡାମାନେ ଆସି ଜୁଟିଲେଣି । ୟାଙ୍କଠାରୁ ଉଦ୍ଧାର ପାଇବାର ଏକମାତ୍ର ଉପାୟ ଭଗବାନଙ୍କୁ ଭରସା କରି ଏଠାରୁ ପଳାଇଯିବା ।

 

ଏ କଥା ମନରେ ଆସନ୍ତେ ସାଙ୍ଗେ ସାଙ୍ଗେ ତିଆର ହୋଇଗଲି । ବଗିଚାରୁ ମେଞ୍ଚାଏ ଚିକିଟା ମାଟି ଆଣିଲି । ବହୁ ଦିନରୁ ପିନ୍ଧିନଥିବା ଖଣ୍ଡେ ଚିରା ମୋଟା ଧଳା ଶାଢ଼ି ରଖିଥିଲି କନା କରିବାକୁ, ସେଇଖଣ୍ଡ ବାହାରକଲି । ଦେହରେ ଦୁଇ ଚାରି ଜାଗା ଗୁଡ଼ ବୋଳିଦେଲି, ଦିନବେଳେ ମାଛି ବସିବେ ବୋଲି । ଦେହରୁ ସବୁତକ ଅଳଙ୍କାର କାଢ଼ି ଟଙ୍କାସଙ୍ଗେ ବାକ୍ସରେ ରଖିଦେଲେ । ଟଙ୍କା ପାଞ୍ଚଟାର ସଉଦା ପାଖ ଦୋକାନରୁ ଆଣିବାକୁ ଦରୁଆନକୁ ପଠାଇଦେଲି ମୁଁ ଅନ୍ଧାର ରାତିରେ ବାହାରିପଡ଼ିଲି । ବିଚାରିଥାଏ, ଦକ୍ଷିଣ ଦିଗକୁ ମାଡ଼ି ମାଡ଼ି ଚାଲିଲେ ବଳେ ପୁରୀରେ ଯାଇ ପହଞ୍ଚିବି । ଜଗନ୍ନାଥ ମହାପ୍ରଭୁ ସେଇଠାରେ ମୋ ଗୁହାରି ଶୁଣିଥିଲେ, ଏଥର ଶୁଣିବେ ।

 

ସେ ଦିନକୁ ବାବୁଜୀ ଅନ୍ତର୍ଦ୍ଧାନ ହେବାର ଠିକ୍ ଦେଢ଼ ମାସ । ତଥାପି ସେ ସାଙ୍ଗରେ ଅଛନ୍ତି ବୋଲି ମନରେ ବଳ ଆସୁଥାଏ । ମୋର ଗର୍ଭ ରହିବାର ସେତେବେଳକୁ ମୋତେ ଜଣାପଡ଼ିସାରିଥାଏ । ପେଟ ଭିତରର ସେଇ ମହାତ୍ମାକୁ କହିଲି, “ମୋର ଆଉ ଚାରା ନାହିଁ, ତୁ ତୋତେ ରକ୍ଷା କର ।” ପ୍ରାୟ ଦୁଇମାଇଲ ଆସି ଗୋଟିଏ ପୋଖରୀକୂଳରେ ମୋର ପିନ୍ଧିଥିବା ଲୁଗା ବ୍ଲାଉଜ୍ କାଢ଼ି ଛିଣ୍ଡା ଶାଢ଼ି ଖଣ୍ଡ ପିନ୍ଧିଲି । ଚିକିଟା ମାଟି ବାଳରେ ଓ ଦେହରେ ଆବୁଡ଼ା ଆବୁଡ଼ା କରି ବୋଳିହୋଇପଡ଼ିଲି । ସୂର୍ଯ୍ୟ ଉଦୟ ହେଲା ବେଳକୁ, ମୋତେବି ମୁଁ ଚିହ୍ନିବା କଷ୍ଟ । ମାଛି ଗୁଡ଼ ଲାଗିଥିବା ଜାଗାରେ ବେଢ଼ିଯାଉଥାନ୍ତି । ଖଣ୍ଡେ ବାଟ ଚାଲିଯାଉଥାଏ, ଠାଏ ବସି ମାଛି ଉଡ଼ାଇ, ସଡ଼କରୁ ନାଲି ମାଟି ଆଣି ଦିହରେ ବୋଳି ପକାଏ । ବାୟାଣୀ ପରି ଅବଲୟ କରୁଥାଏ ।

 

ଦିନେ ଦି’ ଦିନରେ ଥରେ କୌଣସି ଗାଁ ଭିତରକୁ ପଶି, ମୋତେ ଯାହା ଘର ଭଲ ମନେହୁଏ ତା’ରି ପାହାଚ ତଳକୁ ବସେ । ସେ ମୁଠାଏ ଯାହା ଖାଇବାକୁ ଦିଅନ୍ତି, ସେଇଥିରୁ ଭାଗେ ଖାଏ, ଭାଗେ ଫୋପାଡ଼େ । ମାଇପେ ଦେଖିଲେ ଆହା ବୋଲି କହନ୍ତି, ଏଡ଼େ ପିଲା ବୟସରେ କେମିତି ବାୟାଣୀ ହୋଇଗଲା ବୋଲି ଦୁଃଖ କରନ୍ତି । ପିଲାମାନେ ପଛରେ ଗୋଡ଼ାନ୍ତି, ଗୋଡ଼ି ବାଲି ଫୋପାଡ଼ନ୍ତି । କେତେବେଳେ କେମିତି କୃତ୍ରିମ କ୍ରୋଧରେ ତାଙ୍କୁ ଗୋଡ଼େଇଯାଏ, ମନେମନେ ଖୁସି ହୁଏ ଯେ ମୁଁ ବାୟାଣୀ ଅଭିନୟ ପୂରାପୂରି କରିପାରିଛି । ଖଡ଼୍‍ଗପୁର ସହରତଳିରେ ଦୁଇଚାରିଟା ଟୋକା ଅଶ୍ଳୀଳ ସଂକେତ ଦେଇଥିଲେ; ସେ ଦିନଠାରୁ ଆଉ କେହି ମୋ ପ୍ରତି ଦୁର୍ବ୍ୟବହାର କରିନାହାନ୍ତି ।

 

ମଝିରେ ଥରେ ଯାତ୍ରୀଙ୍କ ମେଳରେ ମିଶିଥିଲି । ସେମାନେ ଦିନକୁ ପ୍ରାୟ ଦଶକୋଶ ଚାଲୁଥାନ୍ତି । ଦୁଇଟା ଦିନ ତାଙ୍କ ସାଙ୍ଗ ଧଇଲି । ଆଉ ପାରିହେଲା ନାହିଁ । ମୁଁ ଚାଲେ ଦିନକୁ ପ୍ରାୟ ୫।୬ ମାଇଲ । ଏଇପରି ଆସି ଆସି ଅଢ଼େଇ ମାସରେ, ଏଠି ମୋ ବୋଉ ପାଖେ ଆସି ପହଞ୍ଚିଲି-। ଏଇଠି ମୋର ସବୁ ଦୁଃଖ କଷ୍ଟ ଗଲା । ପେଟର ପିଲାଟି ଭଲଲୋକ ହାବୁଡ଼େ ପଡ଼ିବ ବୋଲି ଆଶା ହେଲା । ସ୍ନେହ ମିଳିଲା, ସହାନୁଭୂତି ମିଳିଲା । ଖାଲି ଏତିକି ଆକାଂକ୍ଷା ବାବୁଜୀ କୁଆଡ଼େ ଗଲେ, ତାଙ୍କୁ ଥରେ ଦେଖନ୍ତି । ମୋର ମନେ ହେଉଛି ସେ ଯାଇ ବୁଡ଼େ ମହାରାଜଙ୍କ ପାଖରେ ଥିବେ । ବୋଉ କହୁଛନ୍ତି, କୁନିକୁ ମାସେ ଦି’ମାସ ହେବାପରେ ସେ ମୋତେ ନେଇ ବାପାଙ୍କ ସଙ୍ଗେ ହରିଦ୍ୱାର ଯିବେ । ମୁଁ କହୁଛି, ତା’ ଆଗରୁ ପୁରୀ ଯିବା, ସେ କହୁଛନ୍ତି, ତୀର୍ଥରୁ ଫେରିଲେ ପୁରୀ ଆସିବାକୁ । ସେ ତ କାହିଁ କେତେ ଦୂରର କଥା ।

 

(୨୫)

 

ସେ ଦିନ କୁମାରପୂର୍ଣ୍ଣିମା । ଏ ଦିନ ସକାଳୁ ରାତିଅଧ ଯାଏଁ ଦାସଙ୍କ ଦୁଆରେ ପିଲାଙ୍କର ଗହଳି ଲାଗିଥାଏ । କୁମାରପୂର୍ଣ୍ଣିମା କାର୍ତ୍ତିକେୟଙ୍କ ଜୟନ୍ତୀ ବୋଲି ଆଜିକାଲି ସହରମାନଙ୍କରେ ଦୁର୍ଗାପୂଜାର ଆଡ଼ମ୍ବରରେ କାର୍ତ୍ତିକେୟଙ୍କ ମେଢ଼ ତିଆରି ହୋଇ ଉତ୍ସବ ପାଳିତ ହେଉଛି । ଗାଁ ଗହଳିରେ ଏ ଦିନ ଲକ୍ଷ୍ମୀପୂଜାର ଦିନ ବୋଲି ଲୋକେ ମାନିବାର ଦେଖାଯାଏ । କେହି କେହି ଏ ଦିନ ଇନ୍ଦ୍ରପୂଜାବି କରନ୍ତି । ଦାସଙ୍କ ଦୁଆରେ ଏ ଦିନ ତମାମ ପୂଜାର ପାତ୍ର ଗାଁଯାକର କୁମାର ଓ କୁମାରୀ; ବିଶେଷତଃ ଯେଉଁମାନେ ଦରିଦ୍ର, ନିଜ ପିଲାଙ୍କପାଇଁ ନୂଆ ଲୁଗାପଟା କରିନପାରନ୍ତି ସେଇମାନଙ୍କ ପିଲାମାନଙ୍କୁ ଆଦର କରିବାକୁ, ଲୁଗାପଟା ଦେବାକୁ ଦାସେ ଓ ଦାସିଆଣୀ ଏ ଦିନଟିକୁ ବହୁବର୍ଷ ହେଲା ବ୍ରତ କରି ଧରିଛନ୍ତି । ମହାପାତ୍ରେ, ସବୁ ବିଷୟରେ ଯେପରି, ଏ ବିଷୟରେ ସେହିପରି ଦାସଙ୍କର ସହକାରୀ । ତାଙ୍କରି ଉଦ୍ୟମରେ, ଦାସଙ୍କର ପୁଅ ବୋହୂ, ଝିଅ ଜ୍ଵାଇଁ ଓ ନିଜର ପୁଅବୋହୂଙ୍କଠାରୁ ପିଲାଙ୍କର ପୁରୁଣା ଜାମା ପ୍ୟାଣ୍ଟ୍ ସଂଗୃହୀତ ହୋଇ ଆସିଥାଏ । ବାହାରେ ଚାକିରି କରୁଥିବା ଗାଁର ଟୋକାମାନେ ବର୍ଷକୁ ବର୍ଷ ଅଧିକରୁ ଅଧିକ ସଂଖ୍ୟାରେ ମହାପାତ୍ରଙ୍କ ସଙ୍ଗେ ଏ କାର୍ଯ୍ୟରେ ସହଯୋଗ କରୁଛନ୍ତି । ଆଜିକାଲି ସହରର ବାବୁଭାୟା କାହିଁକି, ମଫସଲର ସ୍ୱଚ୍ଛଳ ଲୋକେ ପିଲା ଜନ୍ମ ହେଲା ଦିନୁଁ ତାଙ୍କପାଇଁ ଜାମା ପ୍ୟାଣ୍ଟ୍ କରୁଛନ୍ତି । ପିଲେ ତ ମାସକୁ ମାସ ବଢ଼ନ୍ତି । ଆଜି କିଣିଥିବା ପ୍ୟାଣ୍ଟ୍ କୁରୁତା ଆରମାସକୁ କଷ ହୋଇଯାଏ । ମାସେ ଦୁଇ ମାସେ ପିନ୍ଧିବା ପରେ ଜାମା ପ୍ୟାଣ୍ଟ୍, ଖୁବ୍ ଦଢ଼ ଅବସ୍ଥାରେ ଅଦରକାରୀ ହୋଇ ରହିଯାଏ । ମହାପାତ୍ରେ ସେଇଗୁଡ଼ିକ ସଂଗ୍ରହ କରାଇ ନିଅନ୍ତି । ଗାଁର ସାନ ପିଲାଙ୍କ ମାପ ଅନୁସାରେ ସେଗୁଡ଼ିକ ବଣ୍ଟା ହେବାକୁ ବଛା ହୋଇ ରହେ । ସକାଳୁ ଗାଁର ଏକମାତ୍ର ଦରଜି ସାଧୁନାୟକ ଦାସଙ୍କ ଦୁଆରେ ତା’ ପୁରୁଣା ସିଲେଇ କଳଟି ଧରି ବସି ପୁରୁଣା ପ୍ୟାଣ୍ଟ୍ କୁରୁତାର ମରାମତି ଓ କାଟଛାଟ କରିବାର ଲାଗିଥାଏ । ଏ ବର୍ଷ ଦାସେ ଥାନେ ନୂଆ କନା ଆଣି ତା’ ଆଗରେ ପକାଇଛନ୍ତି–ଯେଉଁମାନଙ୍କର ମାପରେ ପୁରୁଣା ଜାମା ପ୍ୟାଣ୍ଟ୍ ସଂଗୃହୀତ ହୋଇନପାରିଛି ତାଙ୍କପାଇଁ ନୂଆ ଜାମା ପ୍ୟାଣ୍ଟ୍ ତିଆରି ଲାଗିଥାଏ । ପୁରୁଣାଗୁଡ଼ିକ ପ୍ରାୟଶଃ ଦାମିକା ଓ ସୁନ୍ଦର ହୋଇଥିବାରୁ ଶସ୍ତା କନାରେ ତିଆରି ନୂଆ ଜିନିଷକୁ, ପୁରୁଣା ଜିନିଷ ପାଉଥିବା ପିଲେ ହିଂସା କରନ୍ତିନାହିଁ । ଯାହାଙ୍କ ମନ ଟିକିଏ ବିରସ ଜଣାଯାଏ ସେମାନଙ୍କୁ ଦାସେ କଥା ଛଳରେ ଆମୋଦିତ କରିଦିଅନ୍ତି । ବଡ଼ ପିଲାମାନେ ଏବେ କେତେବର୍ଷ ହେଲା ନାୟକଙ୍କ ତତ୍ତ୍ଵାବଧାନରେ ଗୋଟିଏ କୁମାର ସଂଘ ଗଢ଼ି ସାନ ପିଲାଙ୍କୁ ଜୁଟାଇବାରେ, ବୋଧସୋଧ କରିବାରେ ଖୁବ୍ ସାହାଯ୍ୟ କରୁଛନ୍ତି-। ବିଶେଷତଃ କୁମାରପୂର୍ଣ୍ଣିମା ସକାଳୁ ଅଗାଧୁଆରେ ଏକାଠି ହୋଇ ଦାଣ୍ଡ ଘାଟ ଚଞ୍ଛାଚଞ୍ଛି ହୋଇ ସଫାସୁତୁରା କରିବାରେ ଖୁବ୍ ଲାଗୁଛନ୍ତି । ନାୟକେ ସେମାନଙ୍କୁ ବୁଝାଇଦେଇଛନ୍ତି, ସନ୍ଧ୍ୟାବେଳେ ନୂଆ ଲୁଗା ପିନ୍ଧିବାକୁ ଯୋଗ୍ୟ ହେବା ସକାଶେ, ଦିନତମାମ ସମସ୍ତଙ୍କର ହିତ ହେବା କାର୍ଯ୍ୟରେ ସହଯୋଗ କରିବା ଉଚିତ ।

ତାରାର ପ୍ରସବ କଷ୍ଟ ବେଳ ଦି’ ଘଡ଼ିଠାରୁ ଆରମ୍ଭ ହେବାରୁ ଦାସିଆଣୀଙ୍କ ଉଦ୍‌ବେଗ ବଢ଼ିଯାଇଛି । ଯନ୍ତ୍ରଚାଳିତ ପରି କୁମାରପୂର୍ଣ୍ଣିମା ବିଧିବିଧାନ ଚାଲିଥିବା ଭିତରେ ତାଙ୍କର ଧ୍ୟାନ ଯାଇ ରହିଛି, ତାରା ଯେଉଁ ଘରେ କଷ୍ଟପାଉଛି ସେଇ ଘରେ । ହଠାତ୍ ଶୂଳ ଆସିବାରୁ ଖୋର୍ଦ୍ଧାରୁ ନର୍ସ ଅଣାଇବାକୁ ତର ସହିଲାନାହିଁ । ଗାଁର ପୁରୁଖା ପ୍ରୌଢ଼ା ସ୍ତ୍ରୀଲୋକ ଦୁଇଜଣ ଆସି ଧାଈର କାର୍ଯ୍ୟ କରୁଛନ୍ତି ।

ଦାଣ୍ଡଦୁଆରେ ମରଦଙ୍କ ମହଲରେ ଏ ସମ୍ବାଦ ପହଞ୍ଚିବାରେ ବାରିବାବୁ କହିଲେ, “ଆମେ ତାରାକୁ ନେଇ ଡାକ୍ତରଖାନାରେ ଯିବାର ଆଜିକୁ ହେଲା ମୋଟେ ଛଅଦିନ । ଡାକ୍ତରାଣୀ ନିର୍ଭରଭାବେ କହିଥିଲେ, ୧୫।୨୦ ଦିନ ପୂର୍ବରୁ ପ୍ରସବର କୌଣସି ସମ୍ଭାବନା ନାହିଁ ।”

 

ବାହିନୀପତି ସମାଲୋଚନା କଲେ, “ଏ ଡାକ୍ତର, ଡାକ୍ତରାଣୀଗୁଡ଼ାକ କିଛି ଜାଣନ୍ତି ନାହିଁ-। ୟାଙ୍କ ଡାକ୍ତରୀଟା ବିଦ୍ୟା ନୁହେଁ, ଗୋଟାଏ ବେଉସା । ଟିକିଏ ଚାହିଁଲେ କି ନାହିଁ, ବରାଳବାଲୁକେଶ୍ୱରଙ୍କ ଦୀକ୍ଷିତ ପରି ହୁକୁମ ଓଷୁଅ ଦି’ଟା ବଢ଼ାଇଦେଇ, ହାତ ପତେଇବେ ନିଜର ପାଉଣା ପାଇବାକୁ ।”

 

ନାୟକେ କହିଲେ, “ଡାକ୍ତର ହୁଅନ୍ତୁ, ବୈଦ୍ୟ ହୁଅନ୍ତୁ ବା ଜ୍ୟୋତିଷ ହୁଅନ୍ତୁ, ପିଲା କେବେ ଜନ୍ମହେବ କେହି କହିପାରିବେ ନାହିଁ । କଥାରେ ଅଛି, ‘ଜନ୍ମ ମରଣ ବରଷା, କହି ନ ପାରଇ ପୁରୁଷା’ । ଜନ୍ମ ବିଷୟରେ ମାସ ପୂରିଛି କି ନାହିଁ ଅଟକଳ କରି ୧୫ଦିନ ଏପାଖ ସେପାଖରେ ଲାଖ ବଜେଇ ହେବ, ବରଷା ବିଷୟରେବି ସେହିପରି ସମୁଦ୍ରର କେଉଁ ଅଞ୍ଚଳରେ ଲଘୁଚାପ ହୋଇଛି ବାରି, କେଉଁ ଅଞ୍ଚଳରେ ବର୍ଷାହେବାର ସମ୍ଭାବନା କେତେକ ପରିମାଣରେ କହି ହେବ; ଯଦିଓ ଏ ଦୁଇଟିଯାକ ବିଷୟରେ ଦୃଢ଼ଭାବରେ କିଛି କହିବା ମୂର୍ଖାମି । କିନ୍ତୁ ମରଣ ବିଷୟ ଆଦୌ କିଛି କହିହେବନାହିଁ । ଆକସ୍ମିକ ମରଣ କଥା ତ ମିନିଟକ ଆଗରୁବି ଜାଣିହେବନାହିଁ । ରକ୍ତଚାପ ପ୍ରଭୃତି ରୋଗରେବି ମଣିଷ ବଞ୍ଚିବ କି ମରିବ କହିବା ଅସମ୍ଭବ । ନିଶ୍ଚୟ ମରିବ ବୋଲି ଡାକ୍ତର ଯାହାଙ୍କୁ କହିଥିଲେ ସେ ସେଦିନଠାରୁ ୧୫ ବର୍ଷ ବଞ୍ଚିବାର ଦେଖିଛି; ଭଲ ହୋଇଗଲା ବୋଲି ଯାହାକୁ କହିଲେ ସେ ତିନି ଦିନ ଭିତରେ ଶେଷ ।”

 

ବାହିନୀପତି କହିଲେ, “ନେଉଳ ଧାଉଡ଼ି କିଆବାଡ଼ ଯାଏଁ । ଆମେ ତ ସେଇ ଡାକ୍ତରଙ୍କ ମୂର୍ଖତା ବିଷୟ କହିଥିଲୁଁ । ନାୟକେ ଆଉ ଅଧିକା କ’ଣଟା କହିଲ ? ଖାଲି ବର୍ଷା ମରଣ କଥା ଅବାନ୍ତରଭାବେ ଯୋଡ଼ିଲ । ବର୍ତ୍ତମାନ ପ୍ରଶ୍ନ, ଡାକ୍ତର ତ କହିଥିଲେ ୨୦ ଦିନ ପୂର୍ବରୁ ତାରାର ପିଲା ଜନ୍ମ ହେବାର କୌଣସି ସମ୍ଭାବନା ନାହିଁ, ଏବେ ସେ ଶୂଳ ଖାଉଛି କେମିତି ?”

 

ଦାସେ ସମାଧାନ କଲେ, “ଡାକ୍ତର ଯେତେବେଳେ ପରୀକ୍ଷା କରିଥିଲେ ସେତେବେଳର କଥା କହିଲେ । ମଣିଷ ଶରୀରରେ ଘଡ଼ିକୁ ଘୋଡ଼ା ଛୁଟୁଛି । ମନ ହେଉଛି ଶରୀରର ଚାଳକ । ମନରେ ଉଦ୍‌ବେଗ ହେଲେ ୨୦ ଦିନ ପରେ ଘଟିବାକୁ ଥିବା ଘଟଣା ଦିନକରେ ଘଟିପାରେ । ଦେହର ଡାକ୍ତର ମନର ଡାକ୍ତର ହେବା ଦରକାର । ମନ ଦୁର୍ନିବାର ଓ ସର୍ବଦା ଚଞ୍ଚଳ । ତା’ର ଚିକିତ୍ସା ବୈଜ୍ଞାନିକ ରୀତିରେ ଏପର୍ଯ୍ୟନ୍ତ ସମ୍ଭବ ହୋଇନଥିବାରୁ ମନକୁ ଶାନ୍ତ ରଖିବାକୁ ସ୍ୱସ୍ତ୍ୟୟନ-କର୍ମର ବିଧାନ ରହିଛି ।”

 

ମହାପାତ୍ରେ କହିଲେ, “ତହିଁର ବ୍ୟବସ୍ଥା ମୁଁ କରିସାରିଛି । ଗାଁର ଦୁଇଜଣ ବ୍ରାହ୍ମଣ ବର୍ତ୍ତମାନ ମହାଦେବ ମନ୍ଦିରରେ ମଧୁସୂଦନ କୀର୍ତ୍ତନ କରୁଛନ୍ତି ।”

 

ଦାସେ କହିଲେ, “ଆଉ ତୁମ ଭାଉଜ ମଧ୍ୟ ତାଙ୍କ ପାରମ୍ପରିକ ସ୍ୱସ୍ତ୍ୟୟନ ଆରମ୍ଭ କରିସାରିଛନ୍ତି । ଆମ ଠାକୁରାଣୀଙ୍କ ଆଗରେ ସେ ଭୋରବେଳୁ ଗୋଟିଏ ଘିଅଦୀପ ବସାଇଛନ୍ତି । ତାରାର ସୁଖପ୍ରସବ ହେଲେ ସେଇ ଦୀପ ଯୋଗୁଁହିଁ ହେବ ବୋଲି ତାଙ୍କର ଦୃଢ଼ ଧାରଣା । ମୋର କୋଡ଼ିଏବର୍ଷ ପୂର୍ବେ ଯେଉଁ ପେଟ ବେମାରି ହୋଇଥିଲା ତାହା ଡାକ୍ତର ଓ କବିରାଜ ଭଲ କଲେ ବୋଲି ଆମେ ସିନା ବୁଝିଲେ, ସେ ଅଦ୍ୟାପି କହୁଛନ୍ତି ଠାକୁରାଣୀଙ୍କ ଆଗେ ଘିଅଦୀପ ଯୋଗୁଁହିଁ ମୋର ଆରୋଗ୍ୟ ହେଲା । କେଉଁ କଥାଟା ଠିକ୍ ସ୍ଥିର କରିନପାରି ମୁଁ ଉଭୟ ପକ୍ଷରେ ଭୋଟ ଦିଏ-।”

 

କୁମାରପୂର୍ଣ୍ଣିମା ଓପରଓଳି ପ୍ରତିବର୍ଷ ମହାଦେବଙ୍କ ପାଖେ ଦାସଙ୍କର ଭୋଗରାଗ ହୁଏ–କୋଡ଼ିଏ ଗଉଣି ଧାନର ଚୁଡ଼ାଘଷା ହୁଏ, ପ୍ରଚୁର ନଡ଼ିଆ ପଡ଼େ । ଗାଁଯାକର ଆବାଳ ବୃଦ୍ଧ ସେଥିରୁ ଆଞ୍ଜୁଳେ ଆଞ୍ଜୁଳେ ପା’ନ୍ତି । ସେ ଦିନର ଭୋଗ ମହାଦେବଙ୍କ ମନ୍ଦିରରୁ ଆସି ଚାନ୍ଦିନୀରେ ଥୁଆ ହୋଇଛି, ପିଲାଙ୍କୁ ଲୁଗାପଟା ବାଣ୍ଟିବାକୁ ମହାପାତ୍ରେ ଆରମ୍ଭ କରୁଛନ୍ତି, ଏଇ ସମୟରେ ଭିତର ଆଡ଼ୁ ଖବରଆସିଲା ‘ପୁଅଟିଏ’ । ସମସ୍ତେ ହରିବୋଲ ଦେଲେ । ପଶ୍ଚିମକବାଟେ ପାଟିକରି କହିଲେ, “ଦାସଙ୍କର ତ ଏ ଭୋଗ ସବୁ ବର୍ଷ ହେଉଛି । ତାରାର ପୁଅପାଇଁ ଠାକୁରାଣୀଙ୍କ ପାଖେ ଆଉ ଗୋଟାଏ ଭୋଗ ହେଉ । ମୁଁ ଯାଉଛି ଦୁଇଟାଯାକ ଗୁଡ଼ିଆ ଦୋକାନରେ ଯାହା ଜିନିଷ ଅଛି ସବୁ ବୋହିଆଣିବି ।”

 

ଦାସେ କହିଲେ, “ଆଣିବା ଦରକାର ନାହିଁ । ସେଇ ଦୋକାନ ଉପରେ ହରିଲୁଟ୍ କରାଇଦିଅ । ସାଇକଲ୍‍ରେ ଜଣଙ୍କୁ କାହାକୁ କହ, ପଦିଆ ଅବଧାନକୁ ଡାକି ଆଣିବ । ସାଙ୍ଗେ ସାଙ୍ଗେ ପିଲାଟିର ଜାତକ ଜାଧିଦେବା ।”

 

ଏତିକିବେଳେ ଦାସିଆଣୀ ଦାଣ୍ଡଦୁଆର କବାଟକୋଣକୁ ଆସି ବାରିବାବୁଙ୍କୁ ଡାକି କହିଲେ, “ପିଲାଟିକୁ ଇଛାରି ସାରିଲେଣି । ଦେଖିବ ଯେବେ ଆସ । ମୁଁ କେତେ ପିଲା ଜନ୍ମବେଳେ ଦେଖିଛି । ଏମିତି ତେଜୀୟାନ ପିଲାଟିଏ ଆଜିଯାଏଁ ଦେଖି ନଥିଲି ।”

 

ଦାସେ କହିଲେ, “ଆଉ ଟିକିଏ ଯାଉ, ଏଠାରେ କାର୍ଯ୍ୟ ସରିଗଲେ ଏକାଥରକେ ସମସ୍ତେ ଯାଇ ଦେଖିବା । ପିଲା ଓ ମା’ର ହେପାଜତ କରୁଥାଅ । ପଦିଆକୁ ଡାକିଛି, ସେ ଆସିଲେ ଜାତକ ତିଆରି କରିବ ।”

 

ଗୃହିଣୀ–ଜାତକ ତିଆରିପାଇଁ ତର ସହୁନାହିଁ କାହିଁକି ? ପିଲା ଜନ୍ମର ସମୟ ମୁଁ କାନ୍ଥରେ ଟିପିଦେଇଛି, ଜନ୍ମବେଳେ ଯେଉଁମାନେ ଯେଉଁଠି ଥିଲେ ମନେରଖିଛି । ଆଜି ନ କରି ଅନ୍ନପ୍ରାଶନ ସମୟରେ ଜାତକ କଲେବି ହେବ । ସେ ବିଚରାକୁ ଏପରା ଦିନେ ଘୋଷାରୁଛ କାହିଁକି-? ଏହା କହି ଗୃହିଣୀ ଘର ଭିତରକୁ ଗଲେ ।

 

ସେ ଦିନ ଦାସଙ୍କ ଦୁଆରେ ଯେମିତି ଉତ୍ସବ ହେଲା ସେଭଳି ଉତ୍ସବ ଆଉ କେବେ ହୋଇ ନଥିଲା ବୋଲି ଲୋକେ କୁହାକୁହି ହେଉଥାନ୍ତି । ପଶ୍ଚିମକବାଟେ ଗୁଡ଼ିଆ ଦୋକାନୀକୁ ଯାଇ ହରିଲୁଟ୍ କଥା କହିବାମାତ୍ରେ ଦୁଇଜଣଯାକ ଦୋକାନୀ ଆଗ୍ରହରେ ସମ୍ମତ ହେଲେ, କିନ୍ତୁ ଦାସଙ୍କ ଦୁଆରେ ସମସ୍ତେ ଜମିଥିବାରୁ ମିଠେଇ ଖାଇବାକୁ ଦୋକାନକୁ କିଏ ଆସିବ ବୋଲି କହି ପସରା ଧରି ଦାସଙ୍କ ଦୁଆରକୁ ଚାଲିଆସିଲେ । ହାଡ଼ି ଆସିଲେ ବଜାଇବାକୁ । ରାମଲୀଳାବାଲା ଦଶହରା ପରେ ଲୀଳା ନେଇ ଗାଁ ଗାଁରେ ମାଗୁଣି କରୁଥିଲେ । ଦାସଙ୍କ ଦୁଆରେ ଦଶହରା ଦିନ ଲୀଳା ହୋଇଥିଲା । ସେମାନେ ଆଉ ଗୋଟିଏ ଜାଗାକୁ ଯିବାକୁ ପିଲାଙ୍କୁ ବେଶ କଲାବେଳେ ଦାସଙ୍କର ନାତି ହେବା କଥା ଶୁଣି, ସିଧା ତାଙ୍କ ଦୁଆରେ ଆସି ଗୀତ ଆରମ୍ଭ କରିଦେଲେ । ପ୍ରସାଦ ବଣ୍ଟନ, ଲୁଗାପଟା ବଣ୍ଟନ, ରାମଲୀଳା, କୀର୍ତ୍ତନ ମଣ୍ଡଳୀଙ୍କ ଗହଳିରେ ଦ୍ୱାର ଜନାକୀର୍ଣ୍ଣ ହୋଇଯାଇଥାଏ । ସମସ୍ତେ ଆନନ୍ଦରେ ବିଭୋର । କେବଳ ପଡ଼ିଶା ଘର ଦାଣ୍ଡପିଣ୍ଡାରେ ବସିଥିବା ଦାସଙ୍କ କୁଟୁମ୍ବର ଭାଇନା ନାରଣ ଦାସେ ଏ ସବୁ ଗହଳିର ପ୍ରତିବାଦ କରି, ଦାସଙ୍କୁ ଶୁଣାଇ କହୁଥାନ୍ତି, “ବୁଢ଼ାଟିଏ ହେଲାଣି, ବୁଦ୍ଧି ହେଉନାହିଁ । ଭିକାରୁଣୀ ଟୋକୀଟାକୁ ଝିଅ କଲୁ ତ କଲୁ, ତା’ର ପିଲାଟେ ହେଲା ବୋଲି ଏତେ ବଦଖର୍ଚ୍ଚ । ସେ ଦୁଆରମୁହଁରେ ଆସି ମୁହଁ ଦେଖାଉଛନ୍ତି ସେ ତ ନ ଖାଇଲେ, ପଇସା ନ ନେଲେ ଯିବେନାହିଁ । ପିଲାଗୁଡ଼ାକ ୟାରି ପରି ବଦଖର୍ଚ୍ଚୀ ହୋଇଛନ୍ତି ଯେ, ମୁଠାଏ ଲେଖାଏଁ ଟଙ୍କା ଦରମା ପାଉଛନ୍ତି, ଘରକୁ ପଠାଇବେ କ’ଣ ଘରୁ ଟଙ୍କା ନେଲେ ଚଳୁଛନ୍ତି ! ଖର୍ଚ୍ଚ କଲାବେଳେ ଇନ୍ଦ୍ର ଚନ୍ଦ୍ର ଦିଶୁନାହାନ୍ତି, କାଲିକି ଭାଳିହେବ ପଇସା ଆସିବ କୁଆଡ଼ୁ ?”

 

ୟାଙ୍କ କଥା ଦାସେ ପିଲା ଦିନୁଁ ଶୁଣୁଛନ୍ତି । ପ୍ରତିବାଦ ପଦେ କରନ୍ତି ନାହିଁ କି ତାଙ୍କ କଥା ମାନି ନିଜର ଆଚରଣ ବଦଳାନ୍ତି ନାହିଁ । ପଚାରିଲେ କହନ୍ତି, ଭାଇନା ମୁହଁରେ ସିନା ସେପରି କହୁଛନ୍ତି, ମୋ କାର୍ଯ୍ୟ ସେ ଅନ୍ତରରେ ପସନ୍ଦ କରନ୍ତି । ଏକଥା ଭାଇନା ଶୁଣିଲେ କହନ୍ତି, ଅନ୍ତରରେ ତ ବିଚାରୁଛି ୟାକୁ ମୁଣ୍ଡେଇ କରି ବୁଲନ୍ତି ? ଏ ଦୁଇ ଜଣଙ୍କ କଥା ମାଇପି ମହଲରେବି ବ୍ୟଙ୍ଗ ବିଦ୍ରୂପର ବିଷୟ ହୁଏ । ଦାସିଆଣୀ ତ ପ୍ରତିଦିନ ଦେଢ଼ଶୁରଙ୍କ ପାଇଁ ତିଅଣ ଶାଗ ନ ପଠେଇଲେ ଦାସଙ୍କପାଇଁ ଠା କରନ୍ତି ନାହିଁ ।

 

ଦୁଆରମୁହଁରୁ ଗହଳି ଭାଜିଲା ବେଳକୁ ରାତି ପ୍ରାୟ ଛ’ ଘଡ଼ି । ଲୋକ ପତଳା ପଡ଼ିଯିବାରୁ ପଦିଆ ନାୟକେ ଦାସଙ୍କୁ ଆଗକୁ ଆସି ଜେଜେ କଲେ । ଦାସେ କହିଲେ, “କିଓ ପଦ୍ମନାଭ ! ତୁମକୁ ମୁଁ ଚାହିଁ କରି ବସିଛି । ତୁମେ କେତେବେଳୁ ଆସିଲଣି ଯେ ? ପିଲାଟିର ଜାତକ ଖଣ୍ଡେ କରିବା ପରା ।”

 

ପଦିଆ ନାୟକେ କହିଲେ, “ଆପଣେ, ଆସିବାକୁ ହୁକୁମ ପହଞ୍ଚିବାମାତ୍ରେ ଆସିଛି । ଚାରି ପାଞ୍ଚଦିନ ହେଲା ବାଧକା ପଡ଼ିଥିଲି, ଘରୁ ବାହାରି ନଥିଲି । ଆଜି ଆସିଲି ଯେ ଆପଣଙ୍କ ଗାଁମୁଣ୍ଡେ ଟିକିଏ ହାଲିଆ ଲାଗିଲା । ଚାନ୍ଦିନୀରେ ଆସି ଘଣ୍ଟେ ଖଣ୍ଡେ ବସିଲା ପରେ ଟିକିଏ ଭଲ ଲାଗୁଛି । ବିଚାରିଲି, ଆପଣଙ୍କ ସଙ୍ଗେ ଟିକିଏ କଥାବାର୍ତ୍ତା ହୋଇ ବାହାରିଯିବି । କିନ୍ତୁ ୟେ ଭିଡ଼ ଭିତରେ ଆପଣଙ୍କ ନଜର ପଡ଼ୁଛି କେତେକେ ?”

 

ମହାପାତ୍ରେ କହିଲେ, “କିରେ ପଦିଆ, ଦି’ ଚାରିଦିନ ହେଲା ତ ଘରୁ ବାହାରିନାଉଁ, ଖର୍ଚ୍ଚ ଚଳୁଛି କିମିତି ? ଆଜି ତ ପୁନିଅଁ ଖର୍ଚ୍ଚ ହୋଇନଥିବ ? ଯିବା ଆସିବା କରିପାରିଲୁ ନାଇଁ ବୋଲି ଖବରଟାଏ ପଠାଇଲୁନାଇଁ କାହିଁକି ? ମାଇପ କଥା ଛାଡ଼, ତୋ’ର ପରା ସାନନ୍ଦିଆ ତଳେ ପୁଅ ଝିଅ ଯୋଡ଼ିଏ ? ତାଙ୍କପାଇଁ ଲୁଗା ଫ୍ରକ୍ ଖଣ୍ଡେ ଖଣ୍ଡେ କରିନାହୁଁ ?”

 

ଜ୍ୟୋତିଷ ନାୟକେ କିଛି ନ କହି ମୁଡ଼ୁକି ମୁଡ଼ୁକି ହସିଲେ । ମହାପାତ୍ରେ ପୁଣି ପଚାରିବାରୁ କହିଲେ, “ଆଜ୍ଞା, ପିଲାଙ୍କ ଲୁଗାପଟା କଥା କିଏ ପଚାରୁଛି, ଗଲା ଚାରିଦିନ ଭିତରେ ଦିନକର ଅଫିମବି ପୂରା ମିଳିନାହିଁ । ପଅରଦିନଠାରୁ ମନଟାକୁ ଟାଣ କରିଦେଇଛି, ଅଫିମ ଖାଇବି ନାହିଁ ।”

 

ମହାପାତ୍ରେ କହିଲେ, “ଆରେ, ସେ ଟାଣ ଛାଡ଼ । ପିଲାଦିନୁଁ ତ ଅଫିମ ହାବୁଡ଼େ ପଡ଼ିଯାଇଛୁ । ଏତେବେଳେ ଛାଡ଼ିଦେଲେ ଆପେ ମରିବୁ, ପିଲାଟିମାନେବି ଭୋଖ ଓପାସରେ ମରିବେ । କଳାକୃଷ୍ଣ ପ୍ରସାଦରେ ସିନା ଅଣ୍ଟାରୁ ଖଡ଼ି ଗୋଟାଳି ବାହାର କରି ଅନର୍ଗଳ ଗପିଯାଉଛୁ । ଆଜି ଆଗ ଟିକିଏ ସେବା କର, ତା’ପରେ ଏ ପିଲାର କୋଷ୍ଠୀ କାଟି ମୋଟାମୋଟି ଦିପଦ କହିଦେଇ ଯା’ । ସଇଥଲିଆରେ ଜାତକ ଲେଖିଦେଇ ଯିବୁ ।”

 

ସାଙ୍ଗେ ସାଙ୍ଗେ ଅଫିମ ଆସିଲା; ଜଳଖିଆ ମିଳିଲା । ନାୟକଙ୍କ ମନ ପ୍ରସନ୍ନ ହୋଇଯାନ୍ତେ, ଦାସେ ଘର ଭିତରକୁ ଯାଇ ଜନ୍ମ ସମୟ ଓ ସୂତିକାଗୃହର ବିବରଣୀ ଆଣି ଯୋଗାଇ ଦେଲେ ।

 

ପଦିଆ ନାୟକେ ଖଡ଼ି ଗୋଟାଳିଟି କାଢ଼ି ଗାର କାଟୁ କାଟୁ କହିଲେ, “ଆଜ୍ଞା, କହିଲେ ପରା ୩ଟା ବାଜି ୪୦ମିନିଟ୍; ୟେ ହୋଇଥିବ ରେଡ଼ିଓ ଟାଇମ୍ । ଏଥିରୁ ୧୨ ମିନିଟ୍ କାଟିବାକୁ ପଡ଼ିବ । ହଉ... ।”

ଦଶ ପନ୍ଦର ମିନିଟ୍ ଚାଲିଗଲା; ନାୟକେ ଖଡ଼ି ଗୋଟାଳିଟି ଗୋଟିଏ ମୁଣ୍ଡଳା ମଧ୍ୟରେ ଥୋଇଦେଇ ମହାପାତ୍ରଙ୍କ ଆଡ଼କୁ ହସହସ ମୁହଁରେ ଚାହିଁ କହିଲେ, “ଆଜ୍ଞା, ୟେ ପିଲା ବିଷୟରେ କହିବି କ’ଣ ? ଆଜି କୁମାରପୂର୍ଣ୍ଣିମା, ବାର ମଧ୍ୟ ଭଲ, ବଡ଼ ବଳୁଆ ନକ୍ଷତ୍ର ପିଲାଟି ପାଇଛି । ବୃହସ୍ପତି ପଞ୍ଚମରେ ଅଛନ୍ତି । ଖାଲି ପୂର୍ଣ୍ଣିମାରେ ଜନ୍ମକୁ ଲେଖୁଛି;

କନ୍ଦର୍ପତୁଲ୍ୟୋ ଯୁବତୀ ପ୍ରିୟଶ୍ଚ

ନ୍ୟାୟାପ୍ତବିତ୍ତଃ ସତତଂ ସହର୍ଷଃ

ଶୂରୋ ବଳୀ ଶାସ୍ତ୍ରବିଚାରଦକ୍ଷ–

ଶ୍ଚେତ୍ ପୂର୍ଣ୍ଣିମା ଜନ୍ମନି ଯସ୍ୟ ଜନ୍ତୋଃ ।

ଦେଖିବାକୁ ସୁନ୍ଦର ହେବ, ସହର୍ଷ ମୁହଁ ହେବ, ଚାହିଁଦେଲେ ଲୋକଙ୍କୁ କିଣିନେବ, ନ୍ୟାୟମାର୍ଗରେ ପଇସା ରୋଜଗାର କରି ସଦ୍‌ବ୍ୟୟ କରିବ । ଶାସ୍ତ୍ର ବିଚାର କରିବ । ଜନ୍ମତିଥିରେ ୟେ ଫଳ, ୟା ସାଙ୍ଗକୁ ବୃହସ୍ପତି କେନ୍ଦ୍ରରେ, କିଂ କୁର୍ବନ୍ତି ଗ୍ରହାଃ ସର୍ବେ, ଯଦି କେନ୍ଦ୍ରେ ବୃହସ୍ପତିଃ । ଖାଲି ଏତିକି, ୟେ ଜାତକ ତା’ ପିତୃକୁଳର ମଙ୍ଗଳକାରକ ନୁହେଁ । ୟେ ଗର୍ଭସ୍ଥ ହେବା ଦିନୁଁ ବାପା ୟାର ବଇଷମ ହୋଇ ବୁଲୁଛି । ୟାର ହେତୁ ପାଇବା ପୂର୍ବରୁ ୟେ ଗୋସିଁବାପକୁ ଖାଇବ । ହେଲେ କ’ଣ ହେଲା, ୟେ ବାପ ଗୋସିଁବାପଙ୍କ ନାଁ ରଖିବ । ଭଲ ପିଲାଟି ଆଜ୍ଞା ଆପଣଙ୍କ ଘରେ ଜନ୍ମ ହୋଇଛି ଆପଣଙ୍କର ୟେ ଉପକାରୀ ହେବ ।”

 

ଶେଷ ପଦଟି ଦାସଙ୍କ ଆଡ଼କୁ ଚାହିଁ କହି, ନାୟକେ ଖଡ଼ି ଗୋଟାଳିଟି ଅଣ୍ଟାରେ ମାରି ବିଦାୟ ନେବାର ମୁଖଭଙ୍ଗୀ କଲେ । ମହାପାତ୍ରଙ୍କ ଅନୁଗ୍ରହରେ ଅଧଭରିରୁ ଟିକିଏ କମ୍ ଅଫିମ ଗାମୁଛାକାନିରେ ବନ୍ଧା ହୋଇଥାଏ ଓ ବାକି ଟିକିଏ ପେଟରେ ପଡ଼ି ତା’ର କରାମତି ଆରମ୍ଭ କରିଥାଏ ବୋଲି ଏ ମୁଖଭଙ୍ଗୀରୁ ଜଣାପଡ଼ୁଥାଏ ।

 

ଦାସେ କହିଲେ, “ହଉ, ତୁମକୁ ଆଜି ଆଉ ଅଟକାଇବା ନାହିଁ । ଏଠାରୁ ଉଠିଲେ ଆମେ ସମସ୍ତେ ସେ ପିଲାଟିକୁ ଦେଖିବୁ । ତା’ପରେ ଜଳଖିଆ କରିବୁଁ । ତୁମର ତ ଜଳଖିଆ ହୋଇଗଲାଣି । କୋଶେ ବାଟ ଯିବ । ହଉ, ଟିକିଏ ରହ, ମୁଁ ଆସେ ।”

 

ଦାସେ ୧୦ ମିନିଟ୍ ଭିତରେ ଘରୁ ଖଣ୍ଡିଏ ଶାଢ଼ି ଓ ଦଶୋଟି ଟଙ୍କା ଆଣି ପଦିଆ ନାହାକ ହାତରେ ଦେଇ କହିଲେ, “ଜାଣିଲେ ପଦ୍ମନାଭ ! ଘରେ ନୂଆ ଶାଢ଼ି ନଥିଲା ।

 

ସାଆନ୍ତାଣୀ ଏ ଶାଢ଼ି ଦିନେ ମାତ୍ର ପିନ୍ଧି ସାଇତି ଦେଇଥିଲେ, ଏଭଳି ଶାଢ଼ି ପିନ୍ଧିବାକୁ ମୋର ବୟସ ନାଇଁ ବୋଲି କହି । ମୁଁ ଶାଢ଼ି ଖୋଜିବାରେ କହିଲେ, ‘ଏଉଟା ନେଇ ସାନନ୍ଦିଆ ବୋଉକୁ କହିବ, ସାଆନ୍ତାଣୀ ଦେଇଛନ୍ତି ବୋଲି । ସେ ଅସୁକ ପାଇବ ନାହିଁ’ ।”

 

ନାୟକେ କୃତକୃତ୍ୟ ହୋଇ କହିଲେ, “ଆମ ଘରେ ସିଏ ସାଆନ୍ତାଣୀପାଲଟା ଶାଢ଼ିକୁ ଅସୁକେଇବ ବୋଲି ବିଚାରୁଛନ୍ତି କାହିଁକି ? ୟେ ତ ହେବ ତା’ର ପେଡ଼ିଲୁଗା । ହଉ ଆଜ୍ଞା, ମୁଁ ଯାଉଛି” ବୋଲି କହି ନାହାକେ ବିଦାୟ ନେଲେ ।

 

ଦାସେ ବନ୍ଧୁମାନଙ୍କୁ ନେଇ ଘରେ ପଶନ୍ତେ ସାଆନ୍ତାଣୀ ପିଲାଟିକୁ ଧରି କବାଟ ଆଢ଼ୁଆଳରୁ ସମସ୍ତଙ୍କୁ ଦେଖାଇଦେଲେ ଓ କହିଲେ, “ଟିକିଏ ବସ । ମୁଁ ବାଡ଼ିଆଡ଼େ ପାଣି ମୁନ୍ଦେ ଅଜାଡ଼ି ହୋଇ ଆସେ ତୁମମାନଙ୍କ ପାଇଁ ବାଢ଼ିଦେବି । ନିଜ ହାତରେ ପିଲାଟି ଦେଖାଇବି ବୋଲି ସେଇ ପହରୁ ଛୁଆଁ ଲୁଗା ପିନ୍ଧି ବସିଛି ।”

 

ବାରଯାତ୍ରା ଅତୀତ ହେଲା । ତାରା ସୁସ୍ଥ ହୋଇ ମନା ନ ମାନି ବାହାର ପାଇଟିରେ ଲାଗିଗଲାଣି । ଦାସଙ୍କର ଦି’ ପୁଅ ଓ ଦି’ ବୋହୂ ଛୁଟି ନେଇ ଆସି ‘ଭଣଜା’କୁ ଦେଖି କରି ଗଲେଣି-। ସାଆନ୍ତାଣୀ ପିଲାକୁ ମାସେ ହେବାରେ ହରିଦ୍ୱାର ଯିବେ ବୋଲି ସଜବାଜ ଆରମ୍ଭ କଲେଣି-। ସାଙ୍ଗରେ ମହାପାତ୍ରେ ଯିବେ ବୋଲି ରାଜି ହେବା ସାଙ୍ଗେ ସାଙ୍ଗେ ଆପତ୍ତି ଉଠାଇଲେ, “ଆଗରୁ କିଛି ଖୋଜ୍‍ଖବର ନ ଦେଇ ହରିଦ୍ୱାରକୁ ଯିବାକୁ ମୁଁ ପସନ୍ଦ କରୁନାହିଁ । ମୁଁ କାଲି ରାତିଗାଡ଼ିରେ ଯାଉଛି, ଆଗ ବାଗନାନ୍‌ରେ ପହଞ୍ଚିବି; ବାନୁର୍ଜିବାବୁଙ୍କଠାରୁ ବାବୁଜୀଙ୍କ ଖବର ଅନ୍ତର ବୁଝିବି, ତାଙ୍କ ସାଙ୍ଗରେ ଯାଇ ଶେଠଜୀଙ୍କ ସଙ୍ଗେବି ସାକ୍ଷାତ୍ କରିବି । ଶେଷରେ ଯିବି ପୁରୀ । ପୁରୀରୁ ଫେରିଲେ ତୁମମାନଙ୍କ ଯିବା କଥା ପଡ଼ିବ ।” ଦାସେ ଏ ପ୍ରସ୍ତାବରେ ରାଜି ହେବାର କଥା । ମହାପାତ୍ରଙ୍କର ପରାମର୍ଶ ସେ ପ୍ରାୟଶଃ ମାନିଥାନ୍ତି । ଏ ଦୁହିଁଙ୍କ ସିଦ୍ଧାନ୍ତରେ ଦାସିଆଣୀ ବା ଆପତ୍ତି କରନ୍ତେ କିମିତି-?

 

ମହାପାତ୍ରେ ଫେରିବାକୁ ପ୍ରାୟ ପନ୍ଦର ଦିନ ଲାଗିଗଲା । ସେ ଫେରିବାରେ ଜଣାପଡ଼ିଲା, ବାବୁଜୀଙ୍କର ନାମ ଶ୍ରୀ ସାନନ୍ଦ ନାୟକ, ତାଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲାର ଖୋର୍ଦ୍ଧା ସବ୍‌ଡ଼ିଭିଜିନରେ ବୋଲି ସେ ଚଟକଳର ଜଣେ ଓଡ଼ିଆ କର୍ମଚାରୀଙ୍କୁ କହିଥିବା କଥା ମହାପାତ୍ରେ ଅନୁସନ୍ଧାନ କରି ଜାଣିପାରିଲେ । କିନ୍ତୁ ଗାଁ ନାମ ବା ବାପା ନାମ କମ୍ପାନୀର ରେଜିଷ୍ଟ୍ରିରେ ମିଳିଲା ନାହିଁ । ତାଙ୍କର ଠିକଣା ଲେଖାଅଛି: ହାଲ ସାକିନ୍ ଋଷିକୁଳ ଆଶ୍ରମ, ହରିଦ୍ୱାର । ତାଙ୍କ ବିଷୟରେ ମହାପାତ୍ରେ ଶେଠଜୀଙ୍କ ସହିତ ବହୁତ ଆଲୋଚନା କଲେ । ଶେଠଜୀଙ୍କ ପାଖେ ବାବୁଜୀଙ୍କର ପ୍ରାୟ ଦଶହଜାର ଟଙ୍କା ଜମା ଅଛି । ଶେଠଜୀ କହିଲେ, ତାରା ଦେବୀଙ୍କ ଦସ୍ତଖତ ଖୋର୍ଦ୍ଧା ସବ୍‌ଡ଼ିଭିଜନ ଅଫିସରଙ୍କଦ୍ୱାରା ଚିହ୍ନଟ କରାଇ ପଠାଇଦେଲେ ସେ ଟଙ୍କାଟା ଦେଇଦେବେ, କିବା ତାରାଦେବୀ ନିଜେ ଆସି ପହଞ୍ଚିଲେ ଟଙ୍କା ନେଇଯାଇ ପାରିବେ । ମହାପାତ୍ରେ ଶେଠଜୀଙ୍କୁ କହିଲେ, “ମୁଁ ଟଙ୍କାପାଇଁ ଆସିନାହିଁ । ଟଙ୍କା ପ୍ରୟୋଜନ ହେଲେ ମୁଁ ଆପଣଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରିବି । ବର୍ତ୍ତମାନ ମୁଁ ଆପଣଙ୍କଠାରୁ ଏତିକି ମାତ୍ର ବୁଝିବାକୁ ଚାହୁଁଛି, ଆପଣଙ୍କର ଜଣେ ବିଶ୍ଵସ୍ତ ଓ ପ୍ରିୟ କର୍ମଚାରୀ ହଠାତ୍ ନିରୁଦ୍ଦିଷ୍ଟ ହୋଇଯିବାରେ ଆପଣଙ୍କର ଯାହା କରିବାର କଥା ଆପଣ ତାହା କରିଛନ୍ତି ନା ନାହିଁ । ଆପଣ କହୁଛନ୍ତି, ସେ ଦିନ ସାନନ୍ଦବାବୁ ଯେଉଁ ରେଳରେ ଆସୁଥିଲେ ତାକୁ ଗଣ୍ଡଗୋଳକାରୀମାନେ ରାମରାଜତାଲାରେ ଅଟକାଇଦେଲେ । ସାନନ୍ଦବାବୁ ସେଇଠାରୁ ନିଖୋଜ । ସେ ଡାକ୍ତରଖାନାରେ ଘାଉଡ଼ ହୋଇ ପଡ଼ିଲେ ବା ଗଣ୍ଡଗୋଳକାରୀ ବୋଲି ହାଜତକୁ ଗଲେ ଆପଣଙ୍କର ଅନୁମାନ । ଆପଣ ସେଇ ସମୟରେ ଏଇ ଅନୁମାନ ଉପରେ ଅନୁସନ୍ଧାନ କରିଥିଲେ ଭଲ ହୋଇନଥାନ୍ତା କି ?”

 

ଶେଠଜୀଙ୍କ କଥାରୁ ଜଣାପଡ଼ିଲା, ସେ ସାନନ୍ଦବାବୁଙ୍କ ସହକାରୀ ଅଫିସରଙ୍କୁ ପ୍ରତି ପୁଲିସ ଥାନା ଓ ଡାକ୍ତରଖାନାରେ ବୁଲାଇଥିଲେ, କେଉଁଠି କିଛି ସନ୍ଧାନ ମିଳିଲା ନାହିଁ । ପ୍ରାୟ ଛ’ମାସ ପରେ ସାନନ୍ଦବାବୁ ନିଜେ ଆସି ଶେଠଜୀଙ୍କ ସଙ୍ଗେ ସାକ୍ଷାତ କଲେ । ତାଙ୍କଠାରୁ ଜଣାଗଲା, ସେ ରାମରାଜତାଲାରେ ଗଣ୍ଡଗୋଳ ରୋକିବାକୁ ଯାଇ ମୁଣ୍ଡରେ ମାଡ଼ ଖାଇଲେ । ଫଳରେ ସେ ବେହୋସ୍ ହୋଇଯାଇଥିଲେ । ଛ’ମାସ ପରେ ତାଙ୍କର ସଂଜ୍ଞା ଆସିଲା । ସାଙ୍ଗେ ସାଙ୍ଗେ ସେ ବାଗନାନ୍ ଯାଇ ତାଙ୍କ ସ୍ତ୍ରୀଙ୍କର ସନ୍ଧାନ କଲେ । ଯାହା ଖବର ପାଇଲେ ସେଥିରୁ ତାଙ୍କର ଧାରଣା ହେଲା ଯେ, ତାଙ୍କ ସ୍ତ୍ରୀ ଆଉ ଇହଜଗତରେ ନାହାନ୍ତି । ତା’ପରେ ସେ ଶେଠଜୀଙ୍କଠାରୁ ବିଦାୟ ନେଇ ନିରୁଦ୍ଦିଷ୍ଟ ହୋଇଗଲେ ।

 

ଏହିପରି କଥାବାର୍ତ୍ତା ପରେ ଶେଠଜୀ କହିଲେ, “ସାନନ୍ଦବାବୁ କେଉଁଠି ଅଛନ୍ତି ଖୋଜି, ତାଙ୍କ ସ୍ତ୍ରୀ ଓ ପୁତ୍ରଙ୍କ ସମ୍ବାଦ ତାଙ୍କ ପାଖେ ପହଞ୍ଚାଇବା ପାଇଁ ମୁଁ ଯତ୍‌ପରୋନାସ୍ତି ଚେଷ୍ଟା କରିବି । ସେ ମୋର ପୁଅଠାରୁ ପ୍ରିୟ ହୋଇଥିଲେ । ତାଙ୍କପାଇଁ ଯାହା ଖର୍ଚ୍ଚ ଓ ପରିଶ୍ରମ ଦରକାର ତାହା ମୁଁ ଅକୁଣ୍ଠିତଭାବେ କରିବି ।”

 

ମହାପାତ୍ରେ ଗାଁକୁ ଫେରିଲେ ଓ ଶେଠଜୀ ସେଇ ଦିନ ହରିଦ୍ଵାର ଗଲେ, ବାବାଜୀଙ୍କ ସନ୍ଧାନ କରିବା ବିଷୟରେ ବଡ଼େ ମହାରାଜଙ୍କ ପରାମର୍ଶ ନେବାପାଇଁ ।

 

(୨୬)

 

ମହାପାତ୍ରେ କଲିକତାରୁ ପୁରୀବାଟେ ଗାଁକୁ ଫେରିବାର ୧୫ ଦିନ ଭିତରେ କଲିକତାରୁ ପ୍ରକାଶିତ ଦୁଇଟି ଇଂରେଜୀ କାଗଜରେ ଓ ଓଡ଼ିଶାର ପ୍ରତ୍ୟେକ ଦୈନିକରେ ସାନନ୍ଦବାବୁଙ୍କ ଖୋଜ୍‍ଖବର ପାଇବାପାଇଁ ବିଜ୍ଞାପନ ବାହାରିଲା । ପ୍ରତ୍ୟେକରେ ସାନନ୍ଦବାବୁଙ୍କର ଫଟୋ ଥାଏ । ଦେହରେ ଖଣ୍ଡିଏ ଖଦଡ଼ ହାତକଟା କାମିଜ, ପିନ୍ଧା ଖଣ୍ଡିଏ ଖଦଡ଼ ଲୁଗା, କାନ୍ଧରେ ଖଣ୍ଡିଏ ଖଦଡ଼ର ଧଳା ଗାମୁଛା, ମୁହଁରେ ଦାଢ଼ି ଓ ମୁଣ୍ଡରେ ବାବୁରିବାଳ । ତାରାଦେବୀଙ୍କ ପାଖରେ ଯେଉଁ ଫଟୋଟି ଥିଲା ଏହା ତାହାରି ଅବିକଳ ନକଲ–ବୋଧହୁଏ ଶେଠଜୀଙ୍କ ଅଫିସ୍‍ରେ ଏଇ ଫଟୋରୁ ଗୋଟିଏ ଥିଲା; ତାହାର ବ୍ଲକ୍ କରାଇ ସେ ଖବରକାଗଜମାନଙ୍କୁ ପଠାଇଥାନ୍ତି । ଶେଠଜୀ ବିଜ୍ଞାପନରେ ଜଣାଇଥାନ୍ତି, ଯେ ସାନନ୍ଦବାବୁ ହାଲ୍ ଠିକଣା ଜଣାଇବେ, ତାଙ୍କୁ ତାଙ୍କର ଚାହିଦା ମୁତାବକ ପୁରସ୍କାର ମିଳିବ; ସାନନ୍ଦବାବୁଙ୍କ ଖବର ଶେଠଜୀଙ୍କ ପାଖକୁ, ଋଷିକୁଳ ଆଶ୍ରମର ବଡ଼େ ମହାରାଜଙ୍କ ପାଖକୁ ବା ଦାସଙ୍କ ପାଖକୁ ପଠାଇବା ପାଇଁ ଲେଖା ହୋଇଥାଏ । ଶେଠଜୀ ମହାପାତ୍ରଙ୍କ ପାଖକୁ ଚିଠି ଲେଖି ଜଣାଇଥାନ୍ତି ଯେ, ଖାଲି ବିଜ୍ଞାପନ ଦେଇ ତୁନି ରହିନାହାନ୍ତି; ଭାରତର ପ୍ରତ୍ୟେକ ପ୍ରାନ୍ତକୁ ସେ ନିଜର ଲୋକଙ୍କୁ ପଠାଇଛନ୍ତି, ସେମାନେ ପ୍ରତ୍ୟେକ ଧର୍ମପୀଠ, ମଠ ଓ ଆଶ୍ରମରେ ତଲାସ କରିବେ; ସାନନ୍ଦବାବୁ ନିଶ୍ଚୟ କୌଣସି ଧର୍ମପୀଠରେ ଅଛନ୍ତି ଓ ଅଳ୍ପ ଦିନରେ ତାଙ୍କର ସନ୍ଧାନ ମିଳିବ ବୋଲି ବଡ଼େ ମହାରାଜ କହିଥିବାର ଶେଠଜୀ ମହାପାତ୍ରଙ୍କୁ ଜଣାଇଥାନ୍ତି ।

 

ଦାସଙ୍କ ଘରେ ଠାକୁରାଣୀଙ୍କ ଆଗରେ ଅଖଣ୍ଡ ଦୀପ ଜଳୁଥାଏ । ସାଆନ୍ତାଣୀଙ୍କର ଦୃଢ଼ବିଶ୍ୱାସ, ଏଇ ଦୀପ ତାରା-ବରଙ୍କୁ ନିଶ୍ଚୟ ବାଟ କଢ଼ାଇ ଘେନି ଆସିବ । ସେଇ ବିଶ୍ୱାସରେ ସେ ସାନନ୍ଦବାବୁଙ୍କ ପାଇଁ କୌଣସି ଚିନ୍ତା ନ କରି ପିଲାଟିର ହେପାଜତ ବୁଝିବାକୁ ତାରାଙ୍କୁ ତାଗିଦ୍ କରୁଥାନ୍ତି । ମଝିରେ ଥରେ ବଡ଼େ ମହାରାଜଙ୍କଠାରୁ ଖଣ୍ଡେ ଚିଠି ମିଳିଥିଲା–ମାତ୍ର ଚାରି ଧାଡ଼ି; ସେଥିରେ ତାରାଦେବୀଙ୍କୁ ନିଦେଶ ଥିଲା, ଫାଲ୍‌ଗୁନ ପୂର୍ଣ୍ଣିମା ଦିନ ନିଜର ପତି ଓ ପୁତ୍ରଙ୍କୁ ସାଙ୍ଗରେ ଧରି, ଦାସେ ଦାସିଆଣୀ ଓ ସେମାନଙ୍କ ପ୍ରିୟାପ୍ରୀତି ଲୋକଙ୍କ ସହିତ ଆଶ୍ରମରେ ଆସି ହାଜର ହେବ । ସାଆନ୍ତାଣୀଙ୍କ ଅଖଣ୍ଡ ଦୀପ ଓ ଏ ନିଦେଶରୁ ତାରା ଦେବୀଙ୍କର ପୂରା ବିଶ୍ୱାସ ହୋଇଥାଏ, ଦୋଳପୂର୍ଣ୍ଣିମା ପୂର୍ବରୁ ତାଙ୍କର ଦୁଶ୍ଚିନ୍ତା ନିଶ୍ଚୟ ଦୂର ହେବ । ମାଘମାସ ସରିଗଲାବେଳକୁ ତାଙ୍କ ମନର ଉଚ୍ଛନ୍ନଭାବ ବଢ଼ିବାକୁ ଲାଗିଲା; ବେଳେବେଳେ ସଂଶୟ ଜାତ ହେଉଥାଏ । ବଡ଼େ ମହାରାଜ ତ ‘ଏ ବର୍ଷ’ର ଦୋଳପୂର୍ଣ୍ଣିମା ବୋଲି ଲେଖିନାହାନ୍ତି ! ତେବେ କ’ଣ ଆର ବର୍ଷ ନା ଆଉ କୋଉ ବର୍ଷ !

 

ଦାସଙ୍କ ଚଉପାଢ଼ିରେ ଖବରକାଗଜର ବିଜ୍ଞାପନ ଦି’ଚାରିଖଣ୍ଡ ସବୁବେଳେ ପଡ଼ିଥାଏ; ଯେ ଆସନ୍ତି ତାକୁ ଚାହାନ୍ତି ଓ ସାନନ୍ଦବାବୁଙ୍କ ବିଷୟରେ ନାନା କଳ୍ପନାଜଳ୍ପନା କରନ୍ତି । ଦିନେ ଜ୍ୟୋତିଷ ପଦ୍ମନାଭ ନାୟକ ଆସି ପହଞ୍ଚିବାରେ ମହାପାତ୍ରେ ବିଜ୍ଞାପନ ଖଣ୍ଡି ତାଙ୍କ ହାତକୁ ବଢ଼ାଇଦେଇ କହିଲେ, “ଆରେ ପଦିଆ ! ଦେଖିଲୁ, ସାନନ୍ଦ ନାୟକ ବୋଲି ତ ଲେଖାହୋଇଛି; ୟେ କ’ଣ ତୋ’ରି ସାନନ୍ଦିଆ ?’’ ସମସ୍ତେ ଅବିଶ୍ୱାସ ଓ ପରିହାସରେ ହସିଦେଲେ । ପଦିଆ ନାୟକେ ଖୁବ୍ ତନ୍ନତନ୍ନ କରି ଫଟୋଟିକୁ ଚାହିଁ କହିଲେ, “ମୋ ପୁଅର କପାଳରେ ଏଇମିତି ଗୋଟାଏ ଦାଗ ଥାଏ । କିନ୍ତୁ ୟେ ତ ଜଣେ ମହାତ୍ମାଙ୍କର ଛବି ମୋ ପୁଅ ମୁହଁରେ ଏମିତି ଜ୍ୟୋତି କୁଆଡ଼େ ଆସିବ ! ଖାଲି ନାମଟା ସମାନ ବୋଲି କ’ଣ ୟେ ମୋ ପୁଅ ହୋଇଯିବେ ? ଡାହାଣ ପାପୁଲିରେ ଚିତ୍ର ଥା’ନ୍ତା କି, ଚିହ୍ନିଦିଅନ୍ତି ।”

 

ମହାପାତ୍ରେ କହିଲେ ‘‘ତୁ ପରା କହୁଥିଲୁ ତୋ ନାତିର ମୁହଁ ଦେଖିଲେ ତୁ ମରିବୁ ? ତାରାର ପୁଅକୁ ଆଣିବା, ତାକୁ ଚାହାଁ, ଯଦି ମରିବୁ, ଜଣାପଡ଼ିବ, ଏଇ ସାନନ୍ଦ ତୋ ପୁଅ ।” ସମସ୍ତେ ହସିଲେ । ପଦିଆ କହିଲା, ‘‘ହଁ, ସେ ଗୋଟାଏ ପ୍ରମାଣ । ମୁଁ ପୁଅର କୋଷ୍ଠୀ ଭଲ କରି ସାଧିଛି । ତା’ ପୁଅକୁ ମୁଁ କୋଳରେ ଧରିବାମାତ୍ରେ ମୋର ନିଶ୍ଚୟ ମରଣ ହେବ ।”

 

ଦାସେ କହିଲେ, “ଭଲ କରି କୋଷ୍ଠୀ ସାଧିଥାଅ ବା ନ ଥାଅ, ଏକଥା ଯେତେବେଳେ କହୁଛ, ଜାଣି ଜାଣି ତାରା ପୁଅକୁ ତୁମ କୋଡ଼ରେ ଦେବ କିଏ ?’’

 

ପଦିଆ କହିଲା, “ଆଜ୍ଞା, ସେକଥା ଯେଉଁଦିନ ହେବାର କଥା ହେବ । ଆପଣ କ’ଣ କରିବେ, ମୁଁ ବା କ’ଣ କରିବି ?

 

ଏଆଡ଼େ ଏସବୁ ଘଟିବାର ପ୍ରାୟ ୪।୫ ମାସ ପୂର୍ବେ ଦିନେ ସକାଳେ ମହାନଦୀକୂଳର ବିମଳାପୀଠରେ, ବାବା ମନ୍ଦିରରୁ ବାହାରି ତାଙ୍କର କାମଦାମ ବୁଝୁଥିବା ଯୋଗୀ ମାଷ୍ଟ୍ରଙ୍କୁ କହିଲେ, “ଯୋଗୀ ! ଆଜି ଜଣେ ମହାତ୍ମା ଆମ ଏଠାକୁ ଆସୁଛନ୍ତି । ସେ ଆମ ଏଠାରେ ମୋର ଉତ୍ତରାଧିକାରୀ ହୋଇ ରହିବେ ବୋଲି ଠାକୁରାଣୀଙ୍କର ନିର୍ଦ୍ଦେଶ; ତାଙ୍କର ରହିବାପାଇଁ ଗୋଟିଏ ବଖରା ସଜାଡ଼ିଦିଅ; ଦୁଧ ମୁନ୍ଦିଏ ଓ ପାଣି ସୁରେଇଟିଏ ରଖିଥାଅ । ସେ ଏଇଓଳି ଆସି ପହଞ୍ଚିପାରନ୍ତି ତାଙ୍କୁ ଟିକିଏ ଅପେକ୍ଷା କର ।”

 

ଯୋଗୀ ମାଷ୍ଟ୍ରେ ଆଜ୍ଞା ବୋଲି କହି ବରାଦ ଅନୁସାରେ କାର୍ଯ୍ୟ କରିବାକୁ ସନ୍ତର୍ପଣରେ ଗଲେ । ଆଜି ୟେ କଥା କ’ଣ ? ବାବାଙ୍କର ଅଦ୍ଭୁତ ଶକ୍ତି । ବିମଳା ମନ୍ଦିରରେ ପୂଜାପାଠ ସାରି ସେ ଆସିଲାବେଳେ ଯାହା କହନ୍ତି ତାହା ନିଶ୍ଚୟ ଘଟେ । ଆଗେ ଯୋଗୀ ମାଷ୍ଟ୍ରେ ବିଚାରୁଥିଲେ ୟେ ସବୁ ଅନୁମାନ କିନ୍ତୁ ବାରମ୍ବାର ପରୀକ୍ଷା କରି ସେ ଦେଖିଲେଣି, ଏହା ଅନୁମାନଠାରୁ ବଡ଼ ଆଉ କିଛି । ତେବେ କ’ଣ ଠାକୁରାଣୀଙ୍କର ଇଚ୍ଛା, ଏ ପୀଠର ମାହାତ୍ମ୍ୟର ଏଇଠାରେ ଇତି ହୋଇଯିବ ?

 

ଯୋଗୀମାଷ୍ଟ୍ରେ ଘର ଖଣ୍ଡେ ସଫାସୁତୁରା କରି ଦୁର୍ଗାଦେବୀ ପ୍ରଭୃତି ସମସ୍ତଙ୍କ ଆଗେ ବାବାଙ୍କ କଥା ଚିତ୍ର କରି, ବାବାଙ୍କ ବରାଦ ଅନୁସାରେ ଘର ସଫାସୁତୁରା କରି, ଜିନିଷପତ୍ର ସଜାଡ଼ି ରଖି ପୁଣି ବାବାଙ୍କ ମଣ୍ଡପ ପାଖକୁ ଆସିଲାବେଳକୁ ତାଙ୍କ ପାଖେ ଜଣେ ତରୁଣ ସନ୍ନ୍ୟାସୀ ବସିଛନ୍ତି-! ସନ୍ନ୍ୟାସୀର ଭେକ ନାହିଁ, କିନ୍ତୁ ମୁହଁରେ ସନ୍ନ୍ୟାସର ଦୀପ୍ତି; ଗୌରକାନ୍ତିରେ ଚିକ୍କଣ କୃଷ୍ଣ ନିଶ ଦାଢ଼ି ଓ ବାବୁରି ବାଳ ବଡ଼ ସୁନ୍ଦର ଦିଶୁଥାଏ । ଯୋଗୀ ମାଷ୍ଟ୍ରେ ତାଙ୍କ ପ୍ରତି ଆକୃଷ୍ଟ ହେଲେ ଓ ତାଙ୍କ ନିକଟରେ ସାଷ୍ଟାଙ୍ଗ ପ୍ରଣିପାତ କଲେ । ଆଗନ୍ତୁକ ଟିକିଏ ହଡ଼ବଡ଼େଇ ଯାଇ ଯେପରି ବିନୀତଭାବେ ତାଙ୍କ ଆଡ଼କୁ ଚାହିଁଲେ, ସେଥିରେ ଯୋଗୀମାଷ୍ଟ୍ରେ ଆହୁରି କିଣିହୋଇଗଲେ । ବାବାଙ୍କ ଚାହାଣିରେ ଥାଏ ଅନୁଗ୍ରହ, ୟାଙ୍କ ଚାହାଣିରେ ଅନୁଗ୍ରହର ପ୍ରାର୍ଥନା । ଯୋଗୀମାଷ୍ଟ୍ରେ ଉଭୟଙ୍କଠାରୁ ଖଣ୍ଡେ ଦୂରରେ ତୁନି ହୋଇ ବସିରହିଲେ ।

 

ବାବା ଆଗନ୍ତୁକଙ୍କୁ ପଚାରିଲେ, “ଟିକିଏ ବିଶ୍ରାମ କରିବେ ? ଗୁଡ଼ାଏ ବାଟ ତ ଚାଲି କରି ଆସିଲେଣି । ମନଟିବି ଚିନ୍ତାକ୍ଳିଷ୍ଟ ବୋଧହେଉଛି ।”

 

ଆଗନ୍ତୁକ କହିଲେ, “ପଥଶ୍ରାନ୍ତି ବିଶେଷ କିଛି ନୁହେଁ, ଆପଣଙ୍କ ଏ ଆଶ୍ରମର ହତା ପାଖେ ଥିବା ଜଳାଶୟର ପବିତ୍ର ଜଳରେ ଆଚମନାଦି କରିବା ସଙ୍ଗେ ସଙ୍ଗେ ମୋର କ୍ଳାନ୍ତି ଦୂର ହୋଇଛି । କିନ୍ତୁ ମନର କ୍ଳାନ୍ତି ବଢ଼ିଛି ବୋଲି କହିଲେ ଚଳେ । ମୁଁ ଦୁଇଦିନ ପୂର୍ବେ ସ୍ୱପ୍ନରେ ଦେଖିଲି, ଏଇ ଜଳାଶୟର ପାହାଚରେ ବସି ମୋତେ କହୁଛନ୍ତି, “ଏଇଠାରେ ରହ । ନିରୁଦ୍ଦେଶଭାବେ ଏଣେତେଣେ ବୁଲିବା ଅପେକ୍ଷା ଏଇଠାରେ ସ୍ଥାୟୀଭାବେ ରହିଲେ ମନର ସମସ୍ତ ସଂଶୟ ଦୂରହେବ । ଏ ପୀଠର ମହାତ୍ମାଙ୍କ ଅନୁଗ୍ରହରେ ତୋର ଅପୂର୍ଣ୍ଣତା ପୂର୍ଣ୍ଣହେବ ।” ଏହା କହି ମୁଁ ସେଦିନ ଯେଉଁଠାରେ ଥିଲି ସେଠାରୁ ଏଠାକୁ ବାଟ ବତାଇଦେଲେ । ପୁଣି ଦେଖିଲି, ଆପଣ ଆଶ୍ରମଦ୍ୱାରେ ମୋତେ ଅଭିବାଦନ କରି ଗ୍ରହଣ କରୁଛନ୍ତି; ଠିକ୍ ଆଜି ଯେପରି ହେଲା । ଆପଣଙ୍କ ରୂପ ମଧ୍ୟ ମୁଁ ସ୍ୱପ୍ନରେ ଯେପରି ଦେଖିଲି ଠିକ୍ ସେହିପରି । ବଡ଼ ତାଜୁବ କଥା ।”

 

ବାବା ହସି ହସି କହିଲେ, “ବିଚାରିଲେ ତାଜୁବ କଥା, ପୁଣି ବିଚାରିଲେ ଅତି ମାମୁଲି । ସବୁର ମୂଳରେ ବିଚାରର ପାର୍ଥକ୍ୟ । ଧର, ଆଶ୍ରମ ଦ୍ୱାର ପାଖେ ଆପଣଙ୍କର ମୋର ସାକ୍ଷାତ୍ ହେବାର କଥା, ମୁଁ ବେଳେବେଳେ ଏଠାରୁ ଉଠି ଆଶ୍ରମର ଚାରିପାଖେ ବୁଲି ଆସେ କେଜାଣି କାହାର କୌଣସି ଅସୁବିଧା ହେଉଥିବ ଦେଖିବାକୁ । ଆଜି ସେଇମିତି ବୁଲୁ ବୁଲୁ ଦୁଆରମୁହଁକୁ ଗଲି, ଦୂରରୁ ଆପଣ ଆସୁଥିବାର ଦେଖି ଟିକିଏ ଅପେକ୍ଷା କଲି । ଏତିକି ତ, ମାମୁଲି କଥା ନୁହେଁ ଆଉ କ’ଣ ?”

 

ଯୋଗୀମାଷ୍ଟ୍ରେ ସନ୍ତର୍ପଣରେ ଠିଆ ହୋଇ ହାତ ଯୋଡ଼ି କହିଲେ, “ଆଜି ନୂଆ ବାବା ଆସିବାରୁ ଏକଥା ପଡ଼ିଲା ବୋଲି ଭରସି କରି କହୁଛି । ମୋ ମନରେ ମଧ୍ୟ ଏଇ ସଂଶୟ ସବୁବେଳେ ହେଉଛି; ସାହସ କରି ପଚାରେ ନାହିଁ, କେଜାଣି ଶୁଣିବାର ଅଧିକାରୀ ହୋଇ ନଥିବି, ବାବା ବାଆଁରେଇ ଦେବେ । ହେଇଟି ଏଇଲାଗେ ତ ମୁଁ ବସିଛି ବୋଲି ବାବା ବାଆଁରେଇ ଦେଉଛନ୍ତି ! ମୋତେ ଘର ସଫା କରିବାକୁ କହିଲେ । ଦୁଧ ରଖିବାକୁ କହିଲେ, ପାଣି ସୁରେଇ କଥା କହିଲେ; ପୁଣି ତ କହିଲେ, ଯେ ଆସିବେ ସେ ଆପଣଙ୍କର ଉତ୍ତରାଧିକାରୀ । ବିମଳବାବୁଙ୍କଠାରେ ଆପଣଙ୍କର ଏତେ ଶ୍ରଦ୍ଧା, ତାଙ୍କୁ ତ ଉତ୍ତରାଧିକାରୀ ବୋଲି କେବେ କହିନାହାନ୍ତି ?”

 

ବାବା ମୃଦୁହାସ୍ୟ କରି ରହିଲେ; ଆଗନ୍ତୁକ ଓ ଯୋଗୀମାଷ୍ଟ୍ରେ ଉଭୟ ବାବାଙ୍କ ମୁହଁକୁ ଚାହିଁ ରହିଥାନ୍ତି । ଆଗନ୍ତୁକଙ୍କ ଦୃଷ୍ଟି ସ୍ଥିର, ଯୋଗୀ ମାଷ୍ଟ୍ରଙ୍କର ଚଞ୍ଚଳ । କିଛି ସମୟ ପରେ ବାବା ଆଗନ୍ତୁକଙ୍କ ଆଡ଼କୁ ଚାହିଁ ହସି ହସି କହିଲେ, ‘ୟେ ଯୋଗୀ ମାଷ୍ଟ୍ରେ ଖଟୁଳି ସାଙ୍ଗେ ଦିଅଁଙ୍କୁବି ଗର୍ଭସ୍ଥ କରିବାକୁ ଚାହାନ୍ତି । ଆଜକୁ ବାରବର୍ଷ ହେଲା ସେ ୟେ ଆଶ୍ରମର ଦାୟିତ୍ୱ ନେଲେଣି । ସରକାରଙ୍କ ଦେବୋତ୍ତର ବିଭାଗ ପରି ଠାକୁରଙ୍କ ସମ୍ପତ୍ତି ଉପରେ ୟାଙ୍କର ଦୃଷ୍ଟି, ଠାକୁରଙ୍କ ଭଲମନ୍ଦ ବୁଝିବାରେ ଦିନେ ମନ ଦେଇନାହାନ୍ତି; ଅଥଚ ଠାକୁରଙ୍କର ବୁନିଆଦ ସବୁ ଜାଣିବାକୁ ଇଚ୍ଛା ।

 

(ମାଷ୍ଟ୍ରଙ୍କ ଆଡ଼କୁ ଚାହିଁ) ହଉ, ହଉ, ପଚାରିଲଣି ଯେତେବେଳେ, ଶହେ ଥର ଠାକୁରଙ୍କ ଆଗରେ ଚଣ୍ଡୀ କି ଭଗବଦ୍‌ଗୀତା ଗୁଣି ସାର, ଏ ପ୍ରଶ୍ନର ପୁନରାବୃତ୍ତି କରିବ । ହଉ ଯାଅ, ୟାଙ୍କପାଇଁ କ’ଣ ପ୍ରୟୋଜନ କର ।’

 

ଯୋଗୀମାଷ୍ଟ୍ରେ ବିଦାୟ ନେବାକୁ ଠିଆ ହେବାରୁ ଆଗନ୍ତୁକ କହିଲେ, ‘ମୋର ସନ୍ଧ୍ୟାପୂର୍ବରୁ କପେ ମାତ୍ର ଦୁଧ ଦରକାର, ଅବଶ୍ୟ ମିଳିଲେ ।’ ଯୋଗୀମାଷ୍ଟ୍ରେ ଯିବା ପରେ ବାବା କହିଲେ, ‘ଯୋଗୀର ଉଦ୍ୟମରେ ଏଠାରେ ଦୁଧର ଅଭାବ ନାହିଁ । ଆମର ପ୍ରୟୋଜନ ଅପେକ୍ଷା ଢେର୍ ଅଧିକା ଦୁଧ ମିଳୁଛି । ପ୍ରତ୍ୟହ ଠାକୁରାଣୀଙ୍କୁ ପାଞ୍ଚସେର ଭୋଗ ହୁଏ, ମହାଦେବଙ୍କଠି ୫ ସେର ଅଭିଷେକ ହୁଏ, କିନ୍ତୁ ଆମର ଆଦାୟ ପ୍ରାୟ ୧୫ ସେର । ଆମ ଭିତରୁ ଅଧିକାଂଶ ପାଳୁଅ ଓ ପ୍ରସାଦ ପିଇ ରହିଯାନ୍ତି, ପିଲାଙ୍କପାଇଁ ଭାତ ରନ୍ଧା ହୁଏ । ଏଠାରେ ଅନ୍ନ ଭୋଗର ବ୍ୟବସ୍ଥା ମୂଳରୁ ନାହିଁ ।

 

ଆଗନ୍ତୁକଙ୍କର ଏ ସବୁ କଥାରେ ଆଗ୍ରହ ନଥାଏ । ତାଙ୍କର ଧ୍ୟାନ ରହିଥାଏ ସେଇ ଗୋଟିକ କଥା ଉପରେ, ତାଙ୍କ ସ୍ୱପ୍ନ କିପରି ସତ୍ୟ ହେଲା ଓ ତାଙ୍କର ଆଗମନବାର୍ତ୍ତା ୟାଙ୍କୁ କେମିତି ମିଳିଲା ? ଯୋଗୀମାଷ୍ଟ୍ରେ କହିଲା ପରି ହୁଏତ ବାବା ତାଙ୍କୁବି ବାଆଁରଉଛନ୍ତି ବୋଲି ବିଚାରି ସେ କଥା ଉଠାଇବାକୁ ଭରସୁ ନ ଥାନ୍ତି ।

 

କିଛି ସମୟ ପରେ ବାବା କହିଲେ, ‘ସମ୍ପତ୍ତି ପାଇବାକୁ ଅଭିଳାଷ କରିବା ଯେପରି ଅନିଷ୍ଟକର, କୌଣସି ବିଷୟ ଜାଣିବାକୁ ଇଚ୍ଛା କରିବା ସେହିପରି ବେକାର ବୋଲି ପୂର୍ବାଚାର୍ଯ୍ୟମାନେ କହି ଯାଇଛନ୍ତି । ଶୁଦ୍ଧ ଜୀବନଯାପନ କଲେ ବୈଷୟିକ ଓ ଆଧ୍ୟାତ୍ମିକ ଅଭାବ ସବୁ ଭଗବାନଙ୍କ ଅନୁଗ୍ରହରେ ପୂରଣ ହୋଇଯାଏ । ଦୁର୍ଗା, ମାଧବ, ମହାଦେବ ସବୁ ଦେବତାଙ୍କଠାରେ ଭଗବତ୍ତା ଆରୋପିତ ହୋଇଛି । ସମସ୍ତଙ୍କର ଉପରେ ପୁଣି ପରଂବ୍ରହ୍ମ; ତାହାର ପ୍ରତିବିମ୍ବ ନିଜ ଅନ୍ତରରେ । ଏପରି ସ୍ଥଳେ, ଠିକ୍ ଭଗବତ୍-ଅନୁଗ୍ରହଟା କ’ଣ ଜାଣିବା ମୁସ୍କିଲ୍; ଠାକୁର ଠାକୁରାଣୀଙ୍କ ଆଶ୍ରୟ ନ ନେଇ ଆତ୍ମ-ସାଧନାଦ୍ୱାରାବି ଫଳ ପ୍ରାପ୍ତି ହୁଏ ବୋଲି କହନ୍ତି । ‘ଯାହାର ମନ ଯେଡ଼େ ତା’ର ପ୍ରଭୁ ତେଡ଼େ ।’ ମନଟା ନିର୍ମଳ ଥିଲେ ଯେତେବେଳେ ଯାହା ଦରକାର ତା’ର ଫଟୋଗ୍ରାଫ୍ ମନରେ ଉଠିଯାଏ । ଆପଣଙ୍କ ମନରେ ଏ ସ୍ଥାନର ଫଟୋ ଉଠିଗଲା, ମୋ ମନରେ ମଧ୍ୟ ଆପଣଙ୍କର ଫଟୋ ଉଠିଗଲା ।’

 

ଆଗନ୍ତୁକ କହିଲେ, ‘ମୋ ଆଗରେ କିନ୍ତୁ ଯାହା ଦିଶିଲା ତାହା ସ୍ୱପ୍ନରେ । ସ୍ୱପ୍ନରେ ଦେଖିଲି, ମୋର ଗୁରୁଦେବ ମୋତେ ଆପଣଙ୍କ ଜଳାଶୟକୂଳରୁ ଡାକି ଏ ମନ୍ଦିର ଭିତରକୁ ନେଲେ ଓ ମୋ’ପାଇଁ ଏଠାରେ ସ୍ଥାନ ଟିକିଏ ଦେବାକୁ ଠାକୁରାଣୀଙ୍କୁ ମାଗିଲେ; ଠାକୁରାଣୀ ଆପଣଙ୍କୁ ସଂକେତ ଦେଲେ । ମୁଁ ଏ ସ୍ଥାନକୁ ଆସି ମୋର ପରିଚିତ ସ୍ଥାନକୁ ଆସିଛି ବୋଲି ମନେ କରୁଛି; ଆପଣଙ୍କର ଏଇ ରୂପ ମଧ୍ୟ ମୁଁ ପରିଷ୍କାର ମନେ ରଖିଛି ।’

 

ବାବା କହିଲେ, ‘ହୁଏତ ଜାଗ୍ରତ ଅବସ୍ଥାରେ ଆପଣଙ୍କ ମନରେ ଯେଉଁ ଆବିଳ ଅବସ୍ଥାଟିକ ଥିଲା ସ୍ୱପ୍ନବେଳେ ତାହା ଦୂର ହୋଇଗଲା; ପୁଣି ଜାଗ୍ରତ ଅବସ୍ଥାରେ ସେଇ ଆବିଳତା ଫେରି ଆସିବାରୁ ସ୍ୱପ୍ନରେ ଦେଖିଥିବା କଥା ଅଦ୍ଭୁତ ଲାଗୁଛି । ମନରେ ଯେଉଁ ଜଞ୍ଜାଳଟିକ ରହିଛି ତାକୁ ଛାଡ଼ିଦେଲେ ଚଳେ ।’

 

ଆଗନ୍ତୁକ କହିଲେ, ‘ଛାଡ଼ି ହେଉନାହିଁ; ଅବଶ୍ୟ ଚେଷ୍ଟା କରୁଛି । ଆପଣଙ୍କ ଅନୁଗ୍ରହରେ ତାହା ଦୂର ହେବ ବୋଲି ଆଶା କରୁଛି ।’

 

ବାବା କହିଲେ, ‘ଆଗରୁ ଯାହା କହିଗଲି ସେଥିରୁ ତ କହିହେବ, ମୋ ଅନୁଗ୍ରହ, ଆପଣଙ୍କ ଅନୁଗ୍ରହ ଓ ଠାକୁର ଠାକୁରାଣୀଙ୍କ ଅନୁଗ୍ରହ–ସମସ୍ତେ ସମାନ । ଆଜି ଏ କଥା ଏତିକିରେ ଥାଉ, ପରେ ପୁଣି ସୁବିଧା ଦେଖି ଆଲୋଚନା କରିବା ।’

 

ଆଗନ୍ତୁକ ପଚାରିଲେ, ‘ମୋର ଆଉ ଗୋଟିଏ ପ୍ରଶ୍ନ । ଆପଣ କହିଲେ, ଶହେ ଥର ଚଣ୍ଡୀ ଗୁଣିବାକୁ । ମୋର ସେ ଅଧିକାର ଅଛି ତ ? ମୁଁ ଅବ୍ରାହ୍ମଣ ।’

 

ବାବା ହସିଦେଲେ, ‘ମୁଁ ତ ଜାଣୁଛି, ଆପଣ ଏ ଜାତି-ବନ୍ଧନରୁ ଉପରକୁ ଉଠିଗଲେଣି । ମୁଁ ଚଣ୍ଡୀ ଗୁଣିବାକୁ କହିଥିଲି ଯୋଗୀ ମାଷ୍ଟ୍ରଙ୍କୁ । ସେ ବି ଅବ୍ରାହ୍ମଣ । ଚଣ୍ଡୀ ଗୁଣିବାକୁ ଯେତିକି ସମୟ ପଡ଼ିଆ ହେବାକୁ ପଡ଼େ ସେଥିପାଇଁ ଯେ ତିଆର, ଚଣ୍ଡୀ ଗୁଣିବାର ଅଧିକାର ତା’ର ତ ଅଛି-! ଯେ ସବୁବେଳେ ବୈଷୟିକ ବା ପାରିବାରିକ ଅଭାବ ପୂରଣରେ ବ୍ୟସ୍ତ ତା’ର ସେ ଅଧିକାର ଆସିବ କୁଆଡ଼ୁ ? ଆମ ଏଠାରେ ଠାକୁରାଣୀଙ୍କ ପାଖକୁ ଯିବାକୁ କାହାକୁ ମନା ନାହିଁ; କୌଣସିଠାରେବି ମନା ହେବାର କୌଣସି କାରଣ ନାହିଁ । ବ୍ରାହ୍ମଣ ଅବ୍ରାହ୍ମଣ ଭେଦ, ନିଜର ଯୋଗ୍ୟତା ଓ ମନୋବୃତ୍ତି ନେଇ, ମା’ ଅନୁସାରେ ନୁହେଁ । ଆପଣ ବୋଧହୁଏ ଜାଣନ୍ତି, ପୂର୍ବେ ଅନେକ ଅବ୍ରାହ୍ମଣ ବ୍ରାହ୍ମଣ ହୋଇଛନ୍ତି ଓ ଅନେକ ବ୍ରାହ୍ମଣ ଚଷା ହେଇଛନ୍ତି । ଆପଣଙ୍କର କ’ଣ ବ୍ରାହ୍ମଣ ହେବାକୁ ମନ ? ମୁଁ ଯେତିକି ଜାଣୁଛି; ଆପଣ ମୋଠାରୁ ଢେର୍ ଉଚ୍ଚକୋଟୀର ବ୍ରାହ୍ମଣ ହୋଇ ସାରିଛନ୍ତି । ଆଜି ତ ଖାଇ ନାହାନ୍ତି, ଆପଣଙ୍କୁ ଠାକୁରାଣୀଙ୍କ ଆଗରେ ପଇତା ଦେବି-। ଘିନନ୍ତୁ ।’

 

ଆଗନ୍ତୁକ ବାବାଙ୍କ ଆଗରେ ସାଷ୍ଟାଙ୍ଗ ପ୍ରଣିପାତ କରି ପୁଣି ନମସ୍କାର ହେଲେ; ଉଠି ବସି କହିଲେ, ‘ଗୁରୁଦେବ ! ମୁଁ କୃତାର୍ଥ ହେଲି । ମୋର ସ୍ଵପ୍ନ ସତ୍ୟ ହୋଇଛି । ମୋତେ ଏତିକି ଅନୁଗ୍ରହ କରନ୍ତୁ, ମୋ ମନରେ ଥିବା ଦୁଶ୍ଚିନ୍ତା ଦୂର ହେଉ ।’

 

ବାବା ହସି ହସି କହିଲେ, ‘ଆପଣ ଦୁଶ୍ଚିନ୍ତା କଥା ବର୍ତ୍ତମାନ କହିବେ ତ କହନ୍ତୁ । ମୋର ବିମଳବାବୁ ବୋଲି ଜଣେ ସହକର୍ମୀ ଅଛନ୍ତି; ସେ କାଲି ଆସିବେ । ତାଙ୍କରି ସାଙ୍ଗେ ବସି ଆପଣଙ୍କ ବିଷୟ ଆଲୋଚନା କରିବା । ତେବେ ମୁଁ ଯେତେ ଦୂର ଜାଣୁଛି, ଆପଣଙ୍କ ଦୁଶ୍ଚିନ୍ତାର କାରଣ ଅଳ୍ପ ଦିନରେ ଦୂର ହୋଇଯିବ । ଆପଣ ଯାହାଙ୍କପାଇଁ ଚିନ୍ତିତ ତାଙ୍କର ସନ୍ଧାନ ତା’ ମନକୁ ଆସି ମିଳିଯିବ-। ବର୍ତ୍ତମାନ ଆପଣ ଯା’ନ୍ତୁ ବିଶ୍ରାମ କରନ୍ତୁ ।’

 

ଆଗନ୍ତୁକ ଆମ ତାରାର ସ୍ୱାମୀ, ବାବୁଜୀ ଓରଫ୍ ଶ୍ରୀ ସାନନ୍ଦ ନାୟକ । ବିମଳବାବୁଙ୍କ ସଙ୍ଗେ ତାଙ୍କର ଇତିମଧ୍ୟରେ ଖୁବ୍ ଘନିଷ୍ଠତା ହୋଇଯାଇଛି । ଟିକିଏ ସମୟ ପାଇଲେ, ଦୁହେଁ ଏକାଠି ବସି ଦେଶର ହାଲ୍‍ଚାଲ୍ ବିଷୟରେ ଆଲୋଚନା କରନ୍ତି । ସାନନ୍ଦବାବୁଙ୍କ ମତରେ, ଲୋକଙ୍କର ଚାରିତ୍ରିକ ଉତ୍କର୍ଷ ହେଲେ ବୈଷୟିକ ଅଭ୍ୟୁଦୟ ନିଶ୍ଚୟ ହେବ । ବିମଳବାବୁଙ୍କ ମତରେ ଚାରିତ୍ରିକ ଉତ୍କର୍ଷପାଇଁ ପ୍ରଚେଷ୍ଟା ସଙ୍ଗେ ସଙ୍ଗେ ବୈଷୟିକ ଅଭ୍ୟୁଦୟର ଯୋଜନା କରିବାକୁ ପଡ଼ିବ–ସେପରି ନ କଲେ ଚାରିତ୍ରିକ ଉତ୍କର୍ଷ ଯୋଜନା ଅତି ଆଦର୍ଶବାଦୀ ହୋଇ ଲୋକଙ୍କୁ ଆକୃଷ୍ଟ କରି ପାରିବନାହିଁ । ବାବା ଏକଥା ଶୁଣି କହନ୍ତି, ଏ ତର୍କରେ ତତ୍ତ୍ୱ ବିଶେଷ ନାହିଁ । ବୈଷୟିକ ଅଭ୍ୟୁଦୟ ଯୋଜନା ସଫଳ ହେବାକୁ ହେଲେ ଧର୍ମସମ୍ମତ ହେବା ଦରକାର ଏବଂ ଯଥାର୍ଥ ଧର୍ମର ଲକ୍ଷ୍ୟ ନିଃଶ୍ରେୟସ ଓ ଅଭ୍ୟୁଦୟ ଉଭୟ ହେବଇ ହେବ ।’ କ୍ରମେ ତର୍କକୁ ପଛରେ ପକାଇ ଦୁଇବନ୍ଧୁ ଗାଁଗହଳିରେ ନିଜର କାର୍ଯ୍ୟ ଆରମ୍ଭ କରିଦେଇଥାନ୍ତି ।

Unknown

 

ବିମଳବାବୁଙ୍କୁ ଉଦ୍ୟମରେ ଆଡ଼ଦୀର୍ଘ ପାଞ୍ଚମାଇଲ ଭିତରେ ପ୍ରାୟ କୋଡ଼ିଏଟି ଶାଖା ଆଶ୍ରମ ସ୍ଥାପିତ ହୋଇଥାଏ । ପ୍ରତ୍ୟେକରେ ଗୋପାଳନ ଏବଂ ଖାଦ୍ୟଶସ୍ୟ ଓ ଫଳ ଉତ୍ପାଦନ ଉପରେ ଜୋର ଦିଆହୋଇଥାଏ । ସାନନ୍ଦବାବୁ ପ୍ରତି ଶାଖା-ଆଶ୍ରମରେ ରାତିଏ ରାତିଏ ରହି ଜନସାଧାରଙ୍କୁ ସତ୍‌ପଥରେ ଚାଲିବାକୁ ପ୍ରବର୍ତ୍ତାନ୍ତି ଓ ସ୍ଥାନୀୟ ଯୁବକମାନଙ୍କୁ ଘେନି ସତ୍‌ସଂଘ ଗଠନମୂଳକ କାର୍ଯ୍ୟରେ ଲାଗିବାକୁ ପ୍ରେରଣା ଦେଉଥାନ୍ତି ।

 

ଏହି କାର୍ଯ୍ୟଭିତରେ ସାନନ୍ଦବାବୁଙ୍କ ମନର ଖୁବ୍ ଗଭୀର ପ୍ରଦେଶକୁ ତାରାର ଚିନ୍ତା ଚାଲିଯାଇଥାଏ । ସେ ଆତ୍ମହତ୍ୟା କରିଛି ବୋଲି ତାଙ୍କର ବିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ଏକରକମ ନିଶ୍ଚିନ୍ତ ଥିଲେ । ବାବାଙ୍କ କଥାରୁ, ସେ ବଞ୍ଚିଛି ବୋଲି ସୂଚନା ମିଳିବାରୁ ତାଙ୍କ ମନରେ ଆକାଂକ୍ଷା ହେଉଥାଏ ତାକୁ ଦେଖିବାକୁ, ତା’ର ପୁତ୍ରସନ୍ତାନଟିଏ ହୋଇଛି କି ନାହିଁ, ଜାଣିବାକୁ । ଦିନେ ସେ ବିମଳବାବୁଙ୍କ ସଙ୍ଗେ ଏ ବିଷୟରେ ଆଲୋଚନା କରି ତାଙ୍କ ସାଙ୍ଗେ ବାବାଙ୍କ ପାଖକୁ ଗଲେ । ବାବା ବିମଳବାବୁଙ୍କ ପ୍ରସ୍ତାବ ଶୁଣି କହିଲେ, ‘ଖବରକାଗଜରେ ଗୋଟିଏ ନୋଟିସ୍ ଦେବ ଯେବେ ଦିଅ । ତା’ଠାରୁ ଭଲ ହେବ ଯଦି ଖବରକାଗଜ ଉପରେ ଦୃଷ୍ଟି ଦେବ । ଆମ ଏଠାକୁ ବୋଧହୁଏ ସବୁ ଖବରକାଗଜ ଆସେ, କିନ୍ତୁ କେହି ତାକୁ ଯତ୍ନକରି ରଖିବା ବା ପଢ଼ିବାରେ ଲକ୍ଷ୍ୟ କରୁନାହିଁ ।’

 

ଏହାପରେ ପନ୍ଦରଦିନ ଯାଇଛି କି ନାହିଁ, ତିନିଟାଯାକ ଓଡ଼ିଆ କାଗଜରେ ସାନନ୍ଦବାବୁଙ୍କ ଫଟୋ ସହିତ ବିଜ୍ଞାପନ ବାହାରିଲା । ସେଦିନ ସାନନ୍ଦବାବୁ ଓ ବିମଳବାବୁ ଦୁହେଁ ବାହାରକୁ ଯାଇଥାନ୍ତି । ଯୋଗୀମାଷ୍ଟ୍ରେ ଖବରକାଗଜଗୁଡ଼ିକ ଧରି ବାବାଙ୍କ ପାଖକୁ ଆସିଲେ । ଶେଠଜୀ, ୠଷିକୁଳ ଆଶ୍ରମ ଓ ଦାସଙ୍କ ଠିକଣାରେ ତିନିଖଣ୍ଡ ଚିଠି ଲେଖିଦେବାକୁ ବରାଦ କରି ବାବା ପରାମର୍ଶ ଦେଲେ, ମାଘପୂର୍ଣ୍ଣିମାର ମହୋତ୍ସବ ହିସାବନିକାଶ କରିସାରି ଯୋଗୀମାଷ୍ଟ୍ରେ ଯାଇ ଦାସଙ୍କ ଘରେ ପହଞ୍ଚି ସେଠାରେ ସବୁ ଖବର କହିବେ ଓ ଦାସଙ୍କୁ ସକୁଟୁମ୍ବେ ଆମ ଗୁରୁପଞ୍ଚମୀ ଉତ୍ସବକୁ ନିମନ୍ତ୍ରଣ କରିବେ ।

 

(୨୭)

 

ଆଜି ଦାସଙ୍କ ଘରେ ମହୋତ୍ସବ । ଆଜି ସକାଳୁ ଦାସଙ୍କ ବରାଦରେ ପାଖଆଖ ସବୁ ଠାକୁର ଠାକୁରାଣୀଙ୍କର ମାଜଣା ହୋଇଥାଏ । ପ୍ରତ୍ୟେକ ଦେବପୀଠରେ ପ୍ରଚୁର ପ୍ରସାଦ ଭୋଗ ହୋଇ ଉପସ୍ଥିତ ଜନତାକୁ ବଣ୍ଟା ହୋଇଥାଏ ଓ ଅବଶେଷ ଆସି ଉପରଓଳି ଦାସଙ୍କ ଚାନ୍ଦିନୀରେ ବିତରଣ କରାହେଉଥାଏ । ଚାନ୍ଦିନୀରେ ପଦିଆ ଅବଧାନ ଖୁଣ୍ଟିକୁ ଆଉଜି ବସିଥାନ୍ତି । ନୂଆ ଲୁଗା ଖଣ୍ଡେ ସେ ପିନ୍ଧିଥାନ୍ତି । ନୂଆ ପାଛୋଡ଼ା ଖଣ୍ଡେ ଦେହରେ ପକାଇଥାନ୍ତି ଓ ନୂଆ ରଙ୍ଗିନ ଗାମୁଛା ଖଣ୍ଡେ ପାଖରେ ଥୁଆ ହୋଇଥାଏ । ପଚିଶଟି ଟଙ୍କାବି ସେ ଅଣ୍ଟାରେ ମାରିଥାନ୍ତି । ଏ ଦକ୍ଷିଣାରୁ ପନ୍ଦର ଟଙ୍କା ମହାପାତ୍ରଙ୍କର ।

 

ବିମଳା ମନ୍ଦିରରୁ ଯେଉଁଦିନ ଚିଠି ଆସି ପହଞ୍ଚିଲା ଦାସଙ୍କ ପାଖେ, ସେ ଦିନବି ଏହିପରି ଉତ୍ସବର ଉପକ୍ରମ ହୋଇଥିଲା କିନ୍ତୁ ଉପକ୍ରମ ହେଉ ହେଉ ସମସ୍ତଙ୍କର ମୁହଁରେ ବିଷାଦ ଖେଳିଯାଇଥିଲା । ଭୋଗରାଗ ହେଲା କିନ୍ତୁ କାହାରି ମୁହଁରେ ସରସତା ଆସିଲା ନାହିଁ । ତାରାର ଅବସ୍ଥା ଯୋଗୁଁ ସମସ୍ତେ ଚିନ୍ତିତ ହୋଇଗଲେ । ଘର ଠାକୁରାଣୀଙ୍କ ପାଖେ ଘିଅଦୀପ ଜଳୁଥାଏ, ନିକଟବର୍ତ୍ତୀ ମହାଦେବ ମନ୍ଦିରରେ ମଧୁସୂଦନ କୀର୍ତ୍ତନ ହେଲା । କିନ୍ତୁ ତାରାର ଅବସ୍ଥାକୁ କୌଣସି ପରିବର୍ତ୍ତନ ନ ଦେଖି, ମନ୍ତ୍ରୌଷଧୀରୁ ଦାସଙ୍କରବି ବିଶ୍ୱାସ ତୁଟି ଯିବା ଉପରେ ପହଞ୍ଚିଥାଏ ।

 

ବିମଳା ମନ୍ଦିରର ଚିଠି ଖଣ୍ଡିପାଇଁ ଦାସଙ୍କ ଚାନ୍ଦିନୀରେ ମହାନନ୍ଦ ଖେଳିଯାଇଥିଲା । ଦାଣ୍ଡରେ ପାଟିତୁଣ୍ଡ ଶୁଣି ସାଆନ୍ତାଣୀ ଦାଣ୍ଡଦୁଆର କବାଟକୁଣେ ଆସି ଠିଆ ହୋଇଗଲେ । ମହାପାତ୍ରେ ଚିଠିଖଣ୍ଡି ଆଦ୍ୟପ୍ରାନ୍ତ ତାଙ୍କୁ ଶୁଣାଇ ପଢ଼ିଦେଲେ; ସେତେବେଳକୁ ସେ ୧୦।୧୨ ଥର ଚିଠି ପଢ଼ିସାରିଥାନ୍ତି । ଦାଣ୍ଡଦୁଆରକୁ ଯେ ଆସି ପହୁଞ୍ଚନ୍ତି ସେ ଚିଠିଖଣ୍ଡି ଶୁଣିବାକୁ ଚାହୁଁଥାନ୍ତି । ସାଆନ୍ତାଣୀ ଚିଠି ଖଣ୍ଡେ ପଢ଼ି ସାରିବା ପରେ ମହାନନ୍ଦରେ ତାକୁ ନେଇ ତାରା ହାତରେ ବଢ଼ାଇଦେଲେ । ତାରା ସେ ଚିଠିର ଦୁଇ ତିନି ଧାଡ଼ି ପଢ଼ିବା ପରେ ବିଷଣ୍ଣ ହୋଇଗଲା । ଚିଠି ସରିଲା ବେଳକୁ ସେ ଏକାବେଳେକେ ବେହୋସ । ସଂଜ୍ଞା ତ ଲୋପ ହୋଇଥିଲା, ପିଣ୍ଡରେ ପ୍ରାଣ ଅଛି କି ନାହିଁ ବୋଲି ସଂଶୟ ହେଲା । ପିଲାଟି ତା’ ଛାତିରେ ମୁହଁ ମାଡ଼ି ରହିଥିଲା; ସେ ବେହୋସ ହୋଇ ପଡ଼ିବା ପରେ ପିଲାଟି ମୁହଁ କାଢ଼ି ମା’ଠାରୁ ଦୂରକୁ ପେଟେଇ ପେଟେଇ ଚାଲିଗଲା । ସାଆନ୍ତାଣୀ ତାକୁ କୋଡ଼ରେ ଧରି ଦାଣ୍ଡଦୁଆରୁ ସମସ୍ତଙ୍କୁ ଘର ଭିତରକୁ ଡାକି ଆଣିଲେ ।

 

ତାରାର ଅବସ୍ଥା ଦେଖି କାହାର କିଛି ବୁଦ୍ଧି ସ୍ଫୁରିଲା ନାହିଁ । ବାହିନୀପତି କହିଲେ, ମନର ଦୁଶ୍ଚିନ୍ତା ହଠାତ୍ ଦୂର ହୋଇଗଲେ ଏପରି ହେବାର କଥା । ଯାହାର ଦୁଶ୍ଚିନ୍ତା ଅପେକ୍ଷାକୃତ କମ୍ ସେ କାନ୍ଦିଥାନ୍ତା । ୟାର ଦୁଶ୍ଚିନ୍ତାର ମାତ୍ରା ଅତି ବେଶି ହୋଇଥିବାରୁ, ତାହା ଦୂର ହେବାମାତ୍ରେ ୟାର ସଂଜ୍ଞା ଲୋପ ହୋଇଛି । ଆନନ୍ଦରେ ଲୋତକ ବହେ । ଅତି ଆନନ୍ଦରେ ସବୁ ଇନ୍ଦ୍ରିୟ ଏତେ ବିକ୍ଷୁବ୍ଧ ହୋଇଯାଇଛନ୍ତି ଯେ, ଏକାବେଳକେ ଅଚଳ ହୋଇ ପଡ଼ିଛନ୍ତି ।’

 

ପାଞ୍ଚ ମାଇଲ ଦୂରରୁ ଡାକ୍ତର ଡକା ହୋଇ ଆସିଲେ । ସେ ପରୀକ୍ଷା କରି ଦେଖିଲେ ନାଡ଼ି ଓ ହୃତ୍‌ପିଣ୍ଡର ଗତି ମନ୍ଦ ନୁହେଁ । ସେ ବାହିନୀପତିଙ୍କ ମତକୁ ସମର୍ଥନ କରି ସୁଦ୍ଧା କହିଲେ, ‘ଆନନ୍ଦରୁ ଏପରି ହୋଇଥାଇପାରେ; କିମ୍ବା ମନରେ ଯେତିକି ଦୁଶ୍ଚିନ୍ତା ଥିଲା ତାହା ହଠାତ୍ ଅତିମାତ୍ରାରେ ବଢ଼ିଯାଇ ଏପରି ହୋଇପାରିଥାଏ । ସେ ଯାହାହେଉ ରୋଗିଣୀଙ୍କୁ ଶାନ୍ତିରେ ଶୋଇବାକୁ ଦିଅନ୍ତୁ । ମୋର ବିଶ୍ଵାସ, ୫।୭ ଘଣ୍ଟା ପରେ ଚେତା ଆସିବ ।’

 

ସତକୁସତ ସେଇ ରାତିଅଧକୁ ତାରାର ଚେତା ଆସିଲା । ଚେତା ଆସିଲା ସିନା, ସେ ବାଉଳି ଚାଉଳି ହେଲା । ସଙ୍ଗତିହୀନ କଥା ସବୁ ସେ ଯାହା କହିଲା, ତା’ରି ଭିତରୁ ସାଆନ୍ତାଣୀ ଅର୍ଥ ବାହାର କଲେ, ସେ କହୁଛି, ମୁଁ ପୋଡ଼ାମୁହିଁ ବସା ଛାଡ଼ି ପଳାଇ ଆସିବାରୁ ସିନା ତୁମେ ଏତେ ସରି ହେଲ । ମୁଁ ବସାରେ ନ ରହିଲି କାହିଁକି ? ରହିଥିଲେ ତ ତୁମେ ଭଲ ହେବାମାତ୍ରେ ଘରକୁ ଫେରି ମୋତେ ଦେଖିଥାନ୍ତ ।

 

ଏଇପରି ବାଉଳିଚାଉଳି ହୋଇ ସେ ଶୋଇଲା ଯେ, ଏକାଦିକ୍ରମେ କୋଡ଼ିଏ ଘଣ୍ଟା । ସେଥର ନିଦ ଭାଜିଲା ବେଳକୁ ସେ ଏକାବେଳକେ ବାୟାଣି । ବାରମ୍ବାର ତାକୁ ଲୁଗା ପିନ୍ଧାଇବାକୁ ପଡ଼ୁଥାଏ । ପିଲାଟିକୁ ତା’ କୋଡ଼ରେ ଦେଲେ ସେ ତାକୁ ତଳକୁ ପକାଇଦେଉଥାଏ ।

 

ଦଶଟି ଦିନ ଏ ରୀତି ଚାଲିବାର ଦାସଙ୍କ ଘରର ଶୃଙ୍ଖଳା ଏକାବେଳକେ ଭାଜିଯାଇଥିଲା-। ଦୂରରୁ ବଡ଼ ଡାକ୍ତର ଆସିଲେ । କେତେ ଜଣ ଗୁଣିଆବି ଆସିଲେ । କିନ୍ତୁ କେଉଁଥିରେ କିଛି ଫଳ ହେଲା ନାହିଁ ।

 

ବଡ଼ ଡାକ୍ତର ବହୁତ ଫିସ୍‌ ନେଇ ଦୁଇ ଦିନ କାଳ ପାଖରେ ରହିଲେ; ନାଡ଼ି, ମଳ, ମୂତ୍ର ଓ ରକ୍ତପରୀକ୍ଷା କରାଇ ଆଣିଲେ ଓ ତାକୁ ତନ୍ନତନ୍ନ କରି ଦେଖି ସବାଶେଷରେ କହିଲେ, ‘କୌଣସି ରୋଗର ଲକ୍ଷଣ ଦେଖୁନାହିଁ; ସ୍ୱସ୍ତ୍ୟୟନ କରାଯାଉ ।’

 

ସେତେବେଳକୁ ମହାପାତ୍ରଙ୍କର ଧୈର୍ଯ୍ୟଚ୍ୟୁତି ହୋଇଥାଏ । ଗତ ଦୁଇଦିନ ଭିତରେ ରୋଗିଣୀଅପେକ୍ଷା ଡାକ୍ତର ତାଙ୍କୁ ଢେର୍ ଅଧିକ ବ୍ୟସ୍ତ ବିବ୍ରତ କରିସାରିଥାନ୍ତି । ଦିନକୁ ଦେଢ଼ ଶ’ ଟଙ୍କା ଫିସ୍ ପାଇଲେ ସେ ରହିବେ ବୋଲି ରାଜି ହେଲେ । ଦାସଙ୍କର ପଇସା ବିଷୟରେ ଚିନ୍ତା ନ ଥାଏ; ପାଖରେ ପଇସା ନ ଥାଏ, କିନ୍ତୁ ଏଭଳି ସମୟରେ ସେ ଗାଁରେ ଯେକୌଣସି ଲୋକ ପାଖରେ ଥିବା ଟଙ୍କା ତାଙ୍କର ବୋଲି ମନେ କରନ୍ତି ଏବଂ ଟଙ୍କା ମିଳିଯାଉଥାଏ ମଧ୍ୟ । ସାଙ୍ଗୋପାଙ୍ଗଙ୍କ ଭିତରେ ଉଦ୍‌ବୃତ୍ତି ପଇସା ଥାଏ ମହାପାତ୍ରଙ୍କ ପାଖେ । ସେ ଅକାତରରେ ଦିଅନ୍ତି ଏବଂ ଫେରସ୍ତ ନେବାକୁ ଏକାବେଳକେ ରାଜି ହୁଅନ୍ତି ନାହିଁ । ମହାପାତ୍ରେ ଦୁଇଦିନର ଫିସ୍, କଥା ପଡ଼ିବାମାତ୍ରେ ଆଣି ଥୋଇଦେଲେ, କିନ୍ତୁ ତା’ପରେ ପୁଣି ସମସ୍ୟା–ଡାକ୍ତରବାବୁ ରହିବେ କେଉଁଠି ଖାଇବେ କ’ଣ ? କୁହାପୋଛା କରି ଦାସେ ବୁଝାଇଲେ ଯେ, ଡାକ୍ତର ସାହେବ ଯାହା ଖାଇବେ ବରାଦ କଲେ ତାହା ତାଙ୍କ ଘରେ ଶୁଦ୍ଧପୂତଭାବେ କରାଯାଇପାରିବ । ଡାକ୍ତରବାବୁ ଆପତ୍ତି କଲେ, ‘ଶୁଦ୍ଧପୂତ’ ଓ ‘ପରିଷ୍କାର ପରିଚ୍ଛନ୍ନ’ ଭିତରେ ଆକାଶ ପାତାଳ ପ୍ରଭେଦ । ମହାପାତ୍ରେ ଏଥିରେ ଚିଡ଼ି ଉଠୁଥିଲେ, ଦାସେ ତାଙ୍କୁ ନିବର୍ତ୍ତାଇ ଡାକ୍ତରଙ୍କୁ ବୋଧ କରିଦେଲେ ଯେ ଡାକ୍ତରଙ୍କ ଖାଦ୍ୟ ସାମଗ୍ରୀ ପରିଷ୍କାର ପରିଚ୍ଛନ୍ନଭାବେ ରନ୍ଧା ହେବ ।

 

ଖାଇବା କଥା ସିନା ତୁଟିଲା, କିନ୍ତୁ ଡାକ୍ତରବାବୁ ମଫସଲ ଗାଁରେ କଦାପି ରହି ପାରିବେ ନାହିଁ । ତାଙ୍କର ଗାଧୁଆଘର ଅର୍ଥାତ୍ ଆଧୁନିକ ପାଇଖାନା ଦରକାର; ଓ ଶୋଇବାକୁ ଇଲେକ୍‌ଟ୍ରିକ୍ ପଙ୍ଖା ନହେଲେ ନ ଚଳେ । ମଫସଲର ମଶା ମଶାରିକୁ ଭେଦି ପଶନ୍ତି; ମଣିଷ କେଭେଁ ମଫସଲ ଗାଁରେ ରହିପାରିବ ନାହିଁ ।

 

ବାହିନୀପତି ଏଥିରେ ତୁନି ରହି ନ ପାରି କହି ଉଠିଲେ, ‘ଆମେ ତ ମଫସଲରେ ରହୁଛୁ, ଆମେ କ’ଣ ତାହାହେଲେ ଚତୁଷ୍ପଦ ।’

 

ଦାସେ ଟିକିଏ ବିରକ୍ତ ହୋଇ କହିଲେ, ‘ତୁମେ ଚତୁଷ୍ପଦ କି ଦ୍ଵିପଦ ତା’ ତ ଏଠାରେ ବିଚାର୍ଯ୍ୟ ବିଷୟ ନୁହେଁ । ଆମର ଆକଟ ପଡ଼ିଛି ବୋଲି ଆମେ ଡାକ୍ତରବାବୁଙ୍କୁ ଡାକିଥାଇଁ । ତାଙ୍କର ସୁବିଧା ଅସୁବିଧା ଆମର ବୁଝିବାର କଥା । ସେ ଯଦି ଏଠାରେ ରହି ନ ପାରିବେ, ତେବେ ରାତିରେ ଯାଇ ଖୋର୍ଦ୍ଧା ଡାକବଙ୍ଗଳାରେ ରହନ୍ତୁ । ରାତିରେ ଯଦି ଦରକାର ହେବ, ତେବେ ଆମେ ଯାଇ ଡାକି ଆଣିବା । ସେଥିସକାଶେ ଦୁଇଦିନ, ଏଠାରେ ଖଣ୍ଡେ ଟ୍ୟାକ୍ସି ରଖିଲେ ଚଳିବ ।’ ନାୟକେ ଗୁଣୁଗୁଣୁ ହୋଇ କହିଲେ, ରାତିରେ ଡାକ୍ତରବାବୁଙ୍କ ନିଦ ଭାଜିବ କି ନାହିଁ ତ ବୁଝିବା ଦରକାର ।’ ଏକଥା ସମସ୍ତଙ୍କୁ ଶୁଣାଗଲା କିନ୍ତୁ କେହି ଶୁଣିଲା ପରି ଆକାର ଇଙ୍ଗିତ ଦେଖାଇଲେ ନାହିଁ । –ଡାକ୍ତରବାବୁବି ।

 

ଡାକ୍ତରବାବୁ ରାତି ୮ଟାରେ ଖାଇପିଇ ଖୋର୍ଦ୍ଧା ଡାକବଙ୍ଗଳାରେ ବିଶ୍ରାମ କରିବାକୁ ବାହାରିଲା ବେଳକୁ ଦୁଇଜଣ ଆମେରିକାନ୍ ଯୁବକ ଯୁବତୀ ଚାନ୍ଦିନୀ ଉପରକୁ ଚଢ଼ିଲେ । ଅପୂର୍ବ ମଣିଷକୁ ଦେଖି ସମସ୍ତେ ବିସ୍ମିତ ହୋଇଗଲେ । ଦୁଇଜଣଯାକଙ୍କର ଏକ ପ୍ରକାର ପୋଷାକ; ମୁହଁ ଓ ଅବୟବକୁ ନିରେଖି କରି ନ ଚାହିଁଲେ କିଏ ପୁରୁଷ କିଏ ସ୍ତ୍ରୀ ବାରି ହେଉନଥାଏ । ସ୍ତ୍ରୀ ଜଣକ କହିଲେ, ଆମେ ଦାସେ ମହାଶୟଙ୍କ ପାଖକୁ ଆସିଛୁ । ଦାସେ ଚିହ୍ନା ଦେବାରୁ ସେ କହିଲେ, ଆପଣଙ୍କ ଏ ବାରଣ୍ଡାରେ ଆମେ ଆଜି ରାତିଟା ରହିବାକୁ ଚାହୁଁ, ଆପଣଙ୍କ ବାରଣ୍ଡା ପ୍ରଶସ୍ତ ଓ ଆପଣ ଏ ଗାଁର ବିଶିଷ୍ଟ ଲୋକ ବୋଲି ଶୁଣିଲୁ । ଦାସେ ଆଗ୍ରହରେ ସେମାନଙ୍କୁ ସ୍ୱାଗତ କରି କହିଲେ, ‘ଆପଣ ରାତ୍ରିଭୋଜନ କ’ଣ କରିବେ ଜାଣିଲେ ତା’ର ଆୟୋଜନ କରିବି’ । ଦୁହେଁଯାକ ଏକ ସ୍ୱରରେ କହିଲେ, ଆଜି ତାଙ୍କର ଖାଇବାର ପ୍ରୟୋଜନ ନାହିଁ । ସେମାନଙ୍କ ପଛରେ ଗୋଡ଼ାଇବା ପିଲାଙ୍କ ଭିତରୁ ଜଣେ କହିଲେ, ଏମାନେ ବନା ଦୋକାନରେ ବସି ମୁଢ଼ି ଓ ପିଆଜି ଖାଉଥିଲେ । ଆମେରିକାନ୍ ଯୁବକଜଣକ କହିଲେ, ‘ଗ୍ଲାସେ ପାଣି ଆମକୁ ଦେଇପାରନ୍ତି ।’

 

ମହାପାତ୍ରେ ଅଲଗା ହୋଇ ଚଉକିରେ ବସିଥିବା ଡାକ୍ତରଙ୍କ ଆଡ଼କୁ ଚାହିଁ ପଚାରିଲେ, ‘ଆପଣମାନଙ୍କୁ ଏଭଳି ଖାଇବା, ଚାଲି ଚାଲି ବୁଲିବା ଓ ଯତ୍ରେକତ୍ରେ ଶୋଇବା ବଡ଼ ଅସୁବିଧାଜନକ ହେଉଥିବ ?’ ଯୁବକ କହିଲେ, ‘ସୁବିଧା ଅସୁବିଧା ମନର କଥା । ତହିଁର ବାସ୍ତବ ପ୍ରଭାବ ମନ ଉପରେ ପଡ଼େ ନାହିଁ କି ଦେହ ଉପରେ ପଡ଼େନାହିଁ । ପଚାଷବର୍ଷ ପୂର୍ବେ ଆମ ଦେଶର ଲୋକେ ବୈଷୟିକ ବିଭବ ଓ ରହିବା ଖାଇବାର ସୁବିଧା ଅସୁବିଧା ବିଷୟରେ ବେଶି ମୁଣ୍ଡ ଘୂରାଇଲେ ମଣିଷର ଜୀବନ ବୃଥାରେ କଟିଯାଏ । ଆପଣମାନଙ୍କୁ ଚିହ୍ନିବାକୁ, ଆପଣଙ୍କର ସେବା କରିବାକୁ ଆମେ ଆସିଛୁଁ, ନିଜର ସୁଖସ୍ୱାଚ୍ଛନ୍ଦ୍ୟ ବିଷୟରେ ଭାବି ହେଲେ ତ ଆପଣଙ୍କଠାରୁ ଆଡ଼େଇ ହୋଇଯିବୁଁ, ଚିହ୍ନିବୁ କ’ଣ, ସେବା କରିବୁ କେମିତି ?’

 

କଥାବାର୍ତ୍ତା ଯେଉଁ ଢଙ୍ଗରେ ଚାଲିଲା ସେଥିରେ ଡାକ୍ତରବାବୁ ଆଉ ବେଶି ବେଳ ବସିପାରିଲେ ନାହିଁ, ଡେରି ହୋଇଯାଉଛି ବୋଲି କହି ଯିବାକୁ ଉଠି ଠିଆ ହେଲେ । ବାରିବାବୁ ତାଙ୍କୁ ସାଙ୍ଗରେ ନେଇ ଖୋର୍ଦ୍ଧା ଗଲେ । ଆମେରିକୀୟ ଦମ୍ପତିଙ୍କ ସଙ୍ଗେ କଥାବାର୍ତ୍ତାରୁ ଜଣାପଡ଼ିଲା, ଯୁବକ ଜଣେ ଉଚ୍ଚଶିକ୍ଷିତ ଡାକ୍ତର ଓ ଯୁବତୀ ଅର୍ଥଶାସ୍ତ୍ରରେ ଏମ.ଏ. ପାସ୍ କରିଛନ୍ତି । ଡାକ୍ତର ବୋଲି ଶୁଣି ମହାପାତ୍ରେ ତାରା କଥା ଉଠାଇଲେ । ଯୁବକ କହିଲେ, ‘ଜଣେ ଡାକ୍ତର ତାଙ୍କୁ ଦେଖୁଛନ୍ତି । ସେ ରୋଗୀକୁ ଛାଡ଼ି ଯିବା ପରେ ମୁଁ ଦେଖିପାରେ; କିମ୍ବା ସେ ଆପତ୍ତି ନ କଲେ ସେ ଓ ମୁଁ ଦୁହେଁ ମିଶି ଦେଖିପାରୁଁ । ବର୍ତ୍ତମାନ ମୁଁ ଦେଖିବା ଠିକ୍ ହେବନାହିଁ । ତା’ପରେ ଆପଣ ଯେଉଁ ଡାକ୍ତରଙ୍କୁ ନିଯୁକ୍ତି କରିଛନ୍ତି, ସେ ମୋଠାରୁ ବୟସ୍କ; ତେଣୁ ଅଭିଜ୍ଞ ବୋଲି ମୁଁ ମନେ କରୁଛି । ତେବେ, ମୋର ସ୍ତ୍ରୀ ଗତ ୫ ବର୍ଷ ହେଲା ମୋ ସଙ୍ଗେ ରହିବା ଫଳରେ ମୋଠାରୁ କିଛି ଡାକ୍ତରୀ ଶିଖିଛନ୍ତି, ମୁଁ ବି ତାଙ୍କଠାରୁ କିଛି ଅର୍ଥଶାସ୍ତ୍ର ଶିଖିଛି । ଆପଣଙ୍କର ଆପତ୍ତି ନଥିଲେ ସେ ଯାଇ ରୋଗିଣୀକୁ ଟିକିଏ ସେବା କରି ଆସନ୍ତୁ ।’

 

ଆମେରିକାନ୍ ଦମ୍ପତ୍ତିଙ୍କୁ ମହାପାତ୍ରଙ୍କ ଘରେ ରହିବାକୁ ଦିଆଗଲା । ତାଙ୍କପାଇଁ ନୂଆ ଶେଯ, ମାଣ୍ଡି, ଦିଆଯିବାରେ, ସେମାନେ ଆନନ୍ଦିତ ହେବା ସଙ୍ଗେ ସଙ୍ଗେ ଆପତ୍ତି କଲେ, ‘ଆମେ ଏଭଳି ବିଳାସରେ ରହିବାକୁ ପ୍ରସ୍ତୁତ ନୁହେଁ । ପ୍ରଶସ୍ତ ଘର, ବାଡ଼ିଆଡ଼େ ସୁନ୍ଦର ବଗିଚା ଦେଖି ସେମାନେ କହିଲେ, ବଡ଼ ଲୋଭନୀୟ ହୋଇଛି । ଆମେ ନିଉୟର୍କରେ ଯେଉଁ ଫ୍ଲାଟ୍‍ରେ ଥିଲୁଁ ତାହାଠାରୁ ଏହା କେଡ଼େ ମୁକ୍ତ, ପ୍ରଶସ୍ତ ଓ ସୁନ୍ଦର ।’ ଯୁବତୀ କହିଲେ, ‘ଆମେରିକାରେ ଆମ ଦୁଆରୁ ଗୋଡ଼ କାଢ଼ିବାମାତ୍ରେ ଆମେ ଘରୁ ନିର୍ବାସିତ ହେଲାପରି ଲାଗେ । ଏ ଘରର ହତା କେତେ ବଡ଼ ।’ ଦୁହେଁ ତହିଁ ଆରଦିନ ସକାଳେ ବଗିଚାରେ ବୁଲି କୂଅମୂଳେ ନିଜେ ପାଣି କାଢ଼ି ଗାଧୋଇଲେ, ମହାପାତ୍ରଙ୍କ ସଙ୍ଗେ ଗୋରୁ ମୋହିଁବାରେ ସାହାଯ୍ୟ କଲେ । ୟାଙ୍କ ଢଙ୍ଗରଙ୍ଗ ଦେଖି ମହାପାତ୍ରେ ଦେଶୀସାହେବ ଡାକ୍ତରଙ୍କ ଉପରେ ରକ୍ତ ଚାଉଳ ଚୋବାଉଥାନ୍ତି ।

 

ରାତିରେ ଯୁବତୀ ତାରା ପାଖକୁ ଯାଇ ତା’ ଶେଯ ପାଖେ ବହୁତ ବେଳ ବସିଲେ; ଓଡ଼ିଆ, ଇଂରେଜୀ ଓ ହିନ୍ଦୀରେ କଥାବାର୍ତ୍ତା କରିବାକୁ ଚେଷ୍ଟା କଲେ । ତାଙ୍କ ଉପସ୍ଥିତ ତାରାକୁ ଟିକିଏ ଆନନ୍ଦ ଦେବାର ଲକ୍ଷ୍ୟ କରି, କଥାର ଉତ୍ତର ନ ପାଇଲେ ମଧ୍ୟ ରାତିଅଧ ପର୍ଯ୍ୟନ୍ତ ସେ ତା’ ଖଟ ପାଖ ଛାଡ଼ିଲା ନାହିଁ । ତହିଁ ଆରଦିନ ସକାଳେ ଯୁବକ ଏକୁଟିଆ ପାଖର ଗୋଟିଏ ଗାଁକୁ ବୁଲିଗଲେ ଓ ଯୁବତୀଟି ତାରାର ସେବା କରିବାକୁ ରହିଲେ । ମହାପାତ୍ରେ ଦିହିଁଙ୍କଯାକୁ ତାଗିଦ କରିଥାନ୍ତି, ଦୁହେଁ ତାଙ୍କର ଘରେ ତିନି ବକତଯାକ ଖାଇବେ ଏବଂ ଏ ଅଞ୍ଚଳରେ ଯେତେ ଦିନ ରହିବେ ତାଙ୍କ ଘରକୁ ନିଜର ବୋଲି ମନେ କରିବେ ।

 

ବାରିବାବୁ ସକାଳେ ଡାକ୍ତରବାବୁଙ୍କୁ ଘେନି ଖୋର୍ଦ୍ଧାରୁ ଆସିଲେ । ଡାକ୍ତରବାବୁ ରୋଗିଣୀର ଝାଡ଼ା, ପରିସ୍ରା ଓ ରକ୍ତପରୀକ୍ଷା କରି ଆସିଛନ୍ତି । ରୋଗିଣୀ ପାଖକୁ ଯିବାର ପାଞ୍ଚମିନିଟ୍ ଭିତରେ ଟିକିଏ ଷ୍ଟେଥୋସ୍କୋପ୍ ତା’ ଛାତିରେ ଛୁଆଁଛୋଇଁ କରିସାରି କହିଲେ, ‘ଏ ରୋଗକୁ ଡାକ୍ତର କିଛି କରିପାରିବେ ନାହିଁ । ଆପଣ ସ୍ୱସ୍ତ୍ୟୟନ କରନ୍ତୁ ।’

 

ମହାପାତ୍ରେ ଟିକିଏ ଉତ୍ତେଜିତ ହେଲାପରି କହିଲେ, ‘ଆପଣଙ୍କ ପାଠରେ ସ୍ୱସ୍ତ୍ୟୟନ ପୁଣି କ’ଣ ? ଦେବଦେବୀଙ୍କୁ ଆଶ୍ରା କରିବା; ମଧୁସୂଦନ କୀର୍ତ୍ତନ, ଝଡ଼ାଝଡ଼ି କରିବା ସକାଶେ ଆପଣଙ୍କ ଭଳି ଉଚ୍ଚଶିକ୍ଷିତ ଡାକ୍ତରଙ୍କ ଅପେକ୍ଷା ଆମେ ବୃଦ୍ଧ ଓ ବ୍ରାହ୍ମଣଙ୍କ ପରାମର୍ଶକୁ ଅଧିକ ପସନ୍ଦ କରୁଁ । ଏତେ ପଇସା ଖର୍ଚ୍ଚ କରି, ଆପଣଙ୍କ ପରାମର୍ଶ ଆମ ଅଶିକ୍ଷିତ ମଫସଲିଙ୍କ ଅପେକ୍ଷା କିଛି ଅଧିକ ହେବା ଦରକାର ।’

 

ଡାକ୍ତର ଟିକିଏ କ୍ଷୁଣ୍ଣ ହେଲେ, କିନ୍ତୁ ବିରକ୍ତ ନ ହୋଇ ଉତ୍ତର ଦେଲେ, ‘ପଇସା ନେଲି, ଏ ବୃତ୍ତି କରିଛି ବୋଲି । କିନ୍ତୁ ସବୁ ରୋଗକୁ କ’ଣ ମୁଁ ପାରିବି । ମୋର ମନେ ହେଉଛି ରୋଗିଣୀର ଶରୀରରେ କୌଣସି ବିକାର ନାହିଁ । ଶରୀରର ବ୍ୟାଧି ଅପେକ୍ଷା ଅଧିକ କିଛି ମୁଁ ଚିକିତ୍ସା କରିପାରିବି ନାହିଁ ।’ ମହାପାତ୍ରଙ୍କୁ ତୁନି ହେବାକୁ କହି ଦାସେ ସୌଜନ୍ୟରେ ଡାକ୍ତରଙ୍କୁ ବିଦାୟ ଦେଲେ ।

 

ନାୟକେ ଡାକ୍ତର ମଟରକୁ ଯାଉ ଯାଉ ଶୁଣାଇଦେଲେ, ‘ସେ ତ ତାଙ୍କ ମନକୁ କହିଲେ, ପଇସା ରୋଜଗାର କରିବାକୁ ଡାକ୍ତର ଭେକ ଧରିଛନ୍ତି, ତାଙ୍କ ଉପରେ ବିରକ୍ତ ହେଲେ ଫଳ କ’ଣ-? ତାଙ୍କ ପଇସାଟି ତାଙ୍କୁ ମିଳିଲା ତ ଭଲ । ରୋଗ ଭଲ ହେବା ନ ହେବା ତମ ଭାଗ୍ୟ ଉପର କଥା-।’ ଡାକ୍ତର ଅବଜ୍ଞାରେ ଟିକିଏ ହସିଦେଇ ବିଦାୟ ନେଲେ ।

 

ଏଥର ଆମେରିକୀୟ ଯୁବକ ଡାକ୍ତରଙ୍କର ଚିକିତ୍ସା ଚାଲିଲା । ସାମାନ୍ୟ କେତୋଟି ଔଷଧର ବ୍ୟବସ୍ଥା ଦେଇ ଦିନେ ଖଣ୍ଡେ ରୋଗୀର ଗତିରୀତି ଦେଖି ସେ କହିଲେ, ‘ୟା’ଙ୍କ ମନରେ ଗୋଟିଏ କିଛି ଆଘାତ ଲାଗିଛି । ମନସ୍ତାତ୍ତ୍ୱିକ ଚିକିତ୍ସକ ୟାଙ୍କର ଚିକିତ୍ସା କରିପାରନ୍ତେ । ଆମେରିକାରେ ବର୍ତ୍ତମାନ ଚିକିତ୍ସକମାନଙ୍କର ବିଶ୍ୱାସ, ମନର ବିକାରରୁ ରୋଗ ହେଉଛି । ତେଣୁ ସେମାନେ ରୋଗର ଚିକିତ୍ସା ଅପେକ୍ଷା ମନର ଚିକିତ୍ସାରେ ଅଧିକ ଜୋର ଦେଉଛନ୍ତି । ମୁଁ କିନ୍ତୁ ସେ ବିଷୟରେ ବିଶେଷ କିଛି ଜାଣେ ନାହିଁ । ମୋର ଜଣେ ବନ୍ଧୁ ବର୍ତ୍ତମାନ ବିହାର ରାଜ୍ୟର ଗାଁ ଗହଳିରେ ବୁଲୁଛନ୍ତି, ସେ ମନସ୍ତାତ୍ତ୍ୱିକ ଚିକିତ୍ସକ । ମୁଁ ତାଙ୍କ ପାଖକୁ ଖଣ୍ଡିଏ ଚିଠି ଦେଉଛି; ସେ ଆସିବା ପର୍ଯ୍ୟନ୍ତ ୟାଙ୍କୁ ଏଇପରି ହେପାଜତରେ ରଖାଯାଉ ।’

 

ଆହୁରି ହପ୍ତେ ଖଣ୍ଡେ ଚାଲିଗଲା । ହେପାଜତ ଚାଲିଥାଏ । ଠାକୁର ଠାକୁରାଣୀଙ୍କ ପାଖେ ମଧୁସୂଦନ କୀର୍ତ୍ତନ, ଚଣ୍ଡୀ, ବଗଳାମୁଖୀ ଚାଲିଥାଏ । ସାଆନ୍ତାଣୀ ତାରାର ପିଲାଟିକୁ ନିଜେ କୋଳେଇ, କାଖେଇ, ଛେଳିଦୁଧ ଖୋଇ ପାଳୁଥାନ୍ତି; ବେଳେବେଳେ ମନଦୁଃଖରେ କହୁଥାନ୍ତି, ଗାଁଯାକର ବୁଢ଼ାଟିମାନେ ଏ ଟୋକୀର ଭଲ ଦେଖିବେ ବୋଲି ଚାହିଁଥିଲେ ଯେ, ୟା କପାଳରେ ନାଇଁ କି ତାଙ୍କ କପାଳରେ ନାଇଁ । ଦାଣ୍ଡଦୁଆରେ କେତେ ଗହଳି ଲାଗିଥିଲା । ଥରକୁଥର ଚା’ ପଠାଇ ପଠାଇ ଚିଡ଼ା ଲାଗିଯାଏ । ଏବେ କାହାରି ମୁହଁରୁ କଥା ବାହାରୁ ନାଇଁ । ସମସ୍ତେ ଆସୁଛନ୍ତି, ତୁନି ହୋଇ ବସି ବସି ଯାଉଛନ୍ତି ।

 

କିନ୍ତୁ ମହାପାତ୍ରେ ତୁନିହୋଇ ବସି ନ ଥାନ୍ତି ।

 

ପାଖରେ ଆଖରେ ଯେତେକ ଗୁଣିଆ ସମସ୍ତଙ୍କୁ ସେ ତଲାସିଥାନ୍ତି । ଦୁଇଜଣ ଇତିମଧ୍ୟରେ ଆସି ତାଙ୍କ ବିଦ୍ୟା ଦେଖାଇ ଗଲେ । କିନ୍ତୁ ଫଳ କିଛି ନାହିଁ । ଦିନେ ସକାଳେ ମହାପାତ୍ରେ ଦାସଙ୍କ ଚାନ୍ଦିନୀକୁ ଆସୁ ଆସୁ ରଘୁ ବାରିକକୁ ଡାକି କହିଲେ, ‘ରଘୁଆ ! ଟିକିଏ ଧାଇଁ ଯା’ କି ପଦିଆ ନାହାକକୁ କହିବୁ, ଯୋଉ ସଜରେ ଥିବ ଆସିବ ।’ ଅଧଘଣ୍ଟାକ ଭିତରେ । ନାହାକେ ଆସି ହାଜର । ମହାପାତ୍ରେ ପଚାରିଲେ, ‘ଆରେ ପଦିଆ ଗୋଟାଏ ପ୍ରଶ୍ନ କଲୁ ।” ପଦିଆ ‘ଆଜ୍ଞା’ କହି ମୁଡ଼ୁକି ମୁଡ଼ୁକି ହସି ଚାହିଁବାରେ ମହାପାତ୍ରେ ଟିକିଏ ବିରକ୍ତ ହୋଇ ପଡ଼ନ୍ତେ ନାହାକେ କହିଲେ, ‘ଆଜ୍ଞା, ରଘୁ ଯାଇ ମୋତେ ଡାକିଲା ବେଳୁଁ ପ୍ରଶ୍ନ କରି ସାରିଛି । ଭଲ ଡାକିଲା । ଆପଣଙ୍କ ମନରେ ଯାହା ଅଛି ତାହା ଆଜି ଛାଡ଼ି କାଲି ପାହାନ୍ତିଆକୁ ପୂରଣ ହୋଇଯିବ । ମହାପାତ୍ରେ କହିଲେ, ତୋତେ କ’ଣ କିଏ ପଚାରିଲା ଯେ ତୁ ପ୍ରଶ୍ନ ସାଧିଦେଲୁ ? ନାହାକେ କହିଲେ, “ଆଜ୍ଞା, ରଘୁ ମୋତେ ଯେମିତି ଯାଇ ଡାକିଲା ସେଥିରୁ ଜାଣିଲି ମହାପାତ୍ରେ ଆପଣେ ପ୍ରଶ୍ନ କରିବେ । ସେତିକିବେଳର ଲଗ୍ନ ଧରି ସାଧିଲି । ଜୀବଚିନ୍ତା । କେହି ଆପଣାର ଲୋକଙ୍କ ବିଷୟରେ ଚିନ୍ତା କରୁଛନ୍ତି । ବଡ଼ ଭାବିତ ହେଉଥିଲେ । ଯାହାହେଉ ରିଷ୍ଟ କଟିଗଲାଣି । ଆଉ ଦିନ ଯୋଡ଼ାଏ ଯାଇଥିବ କି ନାଇଁ ଜାଣିବେ ।’

 

ତାରାର ରୋଗ ବିଷୟରେ ପ୍ରଶ୍ନ କରିଥିଲେ ବୋଲି ମହାପାତ୍ରେ ସମସ୍ତଙ୍କୁ ଶୁଣାଇ ପଦ୍ମନାଭ ନାୟକଙ୍କୁ କହିଲେ, ‘ଜାଣିଲୁ ପଦିଆ, ଯାଦି ତୋ କଥା ସତ ହୁଏ ତେବେ ତ ବହୁ ମାନ ପାଇବୁ; ଆଉ ଯଦି ସତ ନହୁଏ ପଅରଦିନ ସକାଳୁ ତୋ ନାହାକପଣିଆ ଛଡ଼ାଇଦେବି ।’

 

ପଦିଆ ନାହାକଙ୍କ କଥା ସତ ହୋଇଥାଏ । ଅଧ୍ୟାୟର ପ୍ରଥମରେ ଯେଉଁ ମେଳାମଉଛବ କଥା ଉଲ୍ଲେଖ କରିଛୁ ତାହା ହେଉଥାଏ ତାଙ୍କରି କଥା ସତ ହେବାରୁ । ଗତକାଲି ରାତି ପାହାନ୍ତିଆରେ ତାରାର ମସ୍ତିଷ୍କବିକୃତି ଏକାବେଳେ ଛାଡ଼ିଯାଇଥାଏ, ଗୋଟିଏ ସ୍ୱପ୍ନ ଦେଖି । କାଲି ରାତି ଶେଷରେ ସେ ହଠାତ୍ ଏଁ ବୋଲି କହି ଚେହେଁକି ପଡ଼ିଲା ! ଆମେରିକୀୟ ମହିଳା ତା’ ପାଖରେ ଶୋଇଥିଲେ; ତାଙ୍କର ନିଦ ଭାଜିଗଲା । ସେ ତାରା ଆଡ଼କୁ ଚାହିଁଲେ । ତାରା ଓପରକୁ ମୁହଁ କରି ଶୋଇଥାଏ । ତା’ର ମୁହଁରେ ସମ୍ଭ୍ରମ, ନିଦରେ ହାତ ଯୋଡ଼ିକ ନମସ୍କାର କଲାପରି ଯୋଡ଼ି ହୋଇଗଲା; ଟିକକ ପରେ ମୁହଁରେ ଗୋଟାଏ କିପରି ଦିବ୍ୟ ଆଲୋକ ଖେଳିଗଲା; ସେ ଉଠି ପଡ଼ିଲା ଓ ଆମେରିକୀୟ ସଙ୍ଗିନୀଙ୍କୁ କହିଲା, ‘ଭଉଣୀ ! ଆଜି ଗୋଟିଏ ବିଚିତ୍ର ସ୍ୱପ୍ନ ଦେଖିଲି-।’

 

ପ୍ରାୟ ୭ ଦିନ ହେଲା ଆମେରିକୀୟ ମହିଳା ପ୍ରାୟ ସବୁ ସମୟରେ ତାରା ପାଖରେ ରହୁଥାନ୍ତି । ଦାସେ ଆପଣେ ଓ ସାଆନ୍ତାଣୀ ବାରମ୍ବାର ତାଙ୍କୁ ବାରଣ କରିଥାନ୍ତି, ତାରାପାଇଁ ଏତେ କଷ୍ଟ ନ ସହିବାକୁ । ଦାସେ କହନ୍ତି, ‘ମା’ ! ତାରାର ଯାହା ହେବାର କଥା ତା’ ହେବ । ଆମ ହାତରେ ନାଇଁ, କି ତୁମ ହାତରେ ନାଇଁ । ତୁମେ ତୁମ ଧନ୍ଦାରେ ନ ରହି ତା’ପାଇଁ ଏତେ କାହିଁକି ଧନ୍ଦି ହେଉଛ ?’ ସାଆନ୍ତାଣୀ କହନ୍ତି, ‘ଆଲୋ ମା’ ! ତୁ ତୋ ଗେରସ୍ତର ଭଲମନ୍ଦ ନ ବୁଝି ଏ ହୀନକପାଳୀ ସାଙ୍ଗେ କାହିଁକି ଲାଗିଛୁ ?” ମହିଳାଙ୍କର ଏକମାତ୍ର କୈଫିୟତ୍, ‘ମୁଁ ପାଖରେ ରହିଲେ ତାକୁ ସୁଖ ଲାଗୁଛି ବୋଲି ମୋତେ ଜଣାପଡ଼ୁଛି । ଜଣେ ମଣିଷର ସୁଖର କାରଣ ହେବାଠାରୁ ବଡ଼ କାମ ଆଉ କ’ଣ ?’ ଏ କଥାକୁ ଆଉ ଉତ୍ତର କ’ଣ ?

 

କିନ୍ତୁ ଏତେ ସମୟ ପାଖରେ ଥିଲେ ମଧ୍ୟ ତାରା ଏଇ ପାହାନ୍ତିଆରେ ତାଙ୍କୁ ଭଉଣୀ ବୋଲି ସମ୍ବୋଧନ କରିବା ପୂର୍ବରୁ ପଦେବି କିଛି କହି ନଥିଲା । ଆମେରିକୀୟ ମହିଳା ପଚାରିଲେ, ‘ଭଲ ସ୍ୱପ୍ନଟିଏ ନିଶ୍ଚୟ’ ? ତାରା କହିଲା, ‘ହଁ, ଖୁବ୍ ଭଲ ସ୍ୱପ୍ନ । ଠାକୁର ମୋ ମନର ସବୁ ଦୁଶ୍ଚିନ୍ତା ଦୂର କରିଛନ୍ତି । ରହ, ମୁଁ ଗାଧୋଇପାଧୋଇ ଠାକୁରାଣୀଙ୍କୁ ମୁଣ୍ଡିଆ ମାରି ଆସିଲେ ସବୁ କହିବି ।’

 

ମତି ବିକୃତି ହେବା ଦିନୁଁ ଗାଧୁଆପାଧୁଆ ବିଷୟରେ ତାରାର ନିଘା ନଥିଲା । ସେ ତରତରରେ ବାଡ଼ିଆଡ଼କୁ ଗଲା । ଦାନ୍ତ ଘଷି, ଗାଧୋଇପାଧୋଇ, ଭଲ ଲୁଗା ଖଣ୍ଡେ ପିନ୍ଧି ଦିଅଁଙ୍କ ଘରକୁ ଗଲା ଓ ସେଠାରେ ଅଧଘଣ୍ଟାରୁ ବେଶି ସମୟ ରହିଲା । ଏ ରୀତି ଦେଖି ଘରଯାକ ସମସ୍ତେ ବିସ୍ମିତ ହୋଇଯାଇଥାନ୍ତି । ସାଆନ୍ତାଣୀ କହୁଥାନ୍ତି, ‘କେହି ତାକୁ କିଛି କହ ନାହିଁ, ବାଇଆଣୀଟା ଯାହା କରୁଛି କରୁ । ଆଜି ସକାଳୁ ତ କାହିଁକି ଦିଅଁ ମନେ ପଡ଼ିଗଲେ ।’

 

ତାରା ଦିଅଁଙ୍କ ଘରୁ ବାହାରିବାମାତ୍ରେ ସାଆନ୍ତାଣୀଙ୍କ ପାଖରେ ବସି ମୁଣ୍ଡିଆ ମାରିବାକୁ ଲଇଁପଡ଼ିଲା ବେଳକୁ ସାଆନ୍ତାଣୀ ତା’ର ଉଜ୍ଜ୍ୱଳ ମୁହଁକୁ ଦେଖି ତାକୁ କୁଣ୍ଢାଇ ପକାଇ କଇଁକଇଁ ହୋଇ କହିଲେ, ‘ଆଲୋ ! ସତେ କ’ଣ ମୋ ମା’ର ରିଷ୍ଟ କଟିଗଲା କିଲୋ ? ଆରେ କିଏ ଅଛ ? ସାଆନ୍ତଙ୍କୁ କହିଦିଅ । ସାଆନ୍ତଙ୍କ ସଙ୍ଗେ ମହାପାତ୍ରେବି ପଶିଆସିଲେ । ପଦିଆ ଅବଧାନର ଭାଗ୍ୟ ନିର୍ଣ୍ଣୟ କରିବାକୁ ତାଙ୍କ ନିଦ ଭୋରରୁ ଭାଜିଯାଇଥାଏ । ଆମେରିକୀୟ ଯୁବକ ଯୁବତୀ ଦୁହେଁବି ଆସିଲେ । ମେରୀ ତାରା ପାଖରୁ ଉଠି ନିତ୍ୟକର୍ମ କରିବାକୁ ଆପଣା ବସାକୁ ଯାଇଥାନ୍ତିଭାରି । ମହାପାତ୍ରଙ୍କ ଘରେ ଅତିଥି ହେବା ଦିନୁଁ ସେ ଦୁହେଁ ସମସ୍ତଙ୍କ ପରି ପ୍ରାତଃସ୍ନାନ କରୁଥାନ୍ତି ।

 

ସମସ୍ତେ କାମଦାମ ସାରି ଆସି ବସିଲାରୁ ମେରୀ ପଚାରିଲେ, ‘ନାନୀ ! କାଲି କ’ଣ ସ୍ୱପ୍ନ ଦେଖିଲୁ କହିବୁଟି ?’ ତାରା ସଲଜ୍ଜ ହୋଇ କହିଲା; ତା’ର ସଲଜ୍ଜ ଭାବ ଦେଖି ସମସ୍ତେ ଆଶ୍ୱସ୍ତ ହେଲେ ଯେ ତା’ର ମାନସିକ ବିକୃତି ଦୂର ହୋଇଛି ।

 

ତାରା କହିଲା : ରାତିରେ ମୁଁ ଶୋଇଛି, ମୋତେ ଲାଗିଲା କିଏ ଜଣେ ମୋତେ ଶୂନ୍ୟେ ଶୂନ୍ୟେ ଟେକି ନେଇ ଯାଉଛି । ମୁଁ ନିଦରେ ଏଁ ବୋଲି କହି ଚମକି ପଡ଼ିଲି । ତା’ପରେ ସେ ମୋତେ ନେଇ ରଖିଦେଲା ଗୋଟାଏ କାଳିଆ ପଥରର ବଡ଼ ଚାନ୍ଦିନୀ ଉପରେ । ୟେ କୁ’ଠା ବୋଲି ମୁଁ ତାଟକା ହୋଇ ଚାହିଁଲା ବେଳକୁ ସେଇ ଚାନ୍ଦିନୀ ପାଖ ଘର ଭିତରୁ ଜଣେ ମହାପୁରୁଷ ବାହାରି ଆସି ମୋତେ ଗମ୍ଭୀରଭାବେ ଚାହିଁଲେ । ଘର ଭିତରେ ଜଣେ ସ୍ତ୍ରୀଲୋକ ଚକାମାଣ୍ଡି ପକାଇ ବସିଥାନ୍ତି, ଆମ ଘରର ଭୁବନେଶ୍ଵରୀ ମୂର୍ତ୍ତିଙ୍କ ପରି । ସେ ମୋ ଆଡ଼କୁ ଚାହିଁ ମୋତେ ଅଭୟ ଦେଉଥାନ୍ତି । ସେଥିଯୋଗୁଁ ମୁଁ ନ ଡରି ମହାପୁରୁଷଙ୍କ ଆଡ଼କୁ ଚାହିଁପାରିଲି । ସମ୍ଭ୍ରମରେ ମୁଁ ତାଙ୍କୁ ହାତ ଯୋଡ଼ିଲି । ସେ କଠୋର ସ୍ୱରରେ ମୋତେ କହିଲେ, ‘ତୁ ନିଜକୁ ଖୁବ୍ ବଡ଼ ମନେ କରୁଛୁ, ନା-? ତୁ ବିଚାରିଛୁ, ତୁ ତୋ ଭାଗ୍ୟର ବିଧାତା । ଏ ସଂସାର ତୋ ନିର୍ଦ୍ଦେଶରେ ଚାଲୁନାହିଁ-। ତୋ ଭାଗ୍ୟରେ ଯାହା ଘଟୁଛି ସେଥିରେ ତୋର ହାତ ନାହିଁ । ଏକଥା ଜାଣିରଖ । ଦୈବ ଆମର ନାକରେ ଦଉଡ଼ି ଲଗାଇ ଟାଣୁଛି, ଏକଥା ଭଲ କରି ବୁଝ । ସଂସାରର ସୁଅରେ ମଣିଷ ଅସହାୟଭାବେ ଭାସି ଚାଲିଛି, ବାଟରେ ଭଉଁରୀ ପଡ଼ିଲେ ସେଥିରେ ମଣିଷ ପଡ଼ୁଛି, ସେଥିରୁ ଉଦ୍ଧାର ପାଇବାକୁ ସାଧ୍ୟମତେ ଚେଷ୍ଟା କରୁଛି; କିନ୍ତୁ ଚେଷ୍ଟାର ଫଳ ଦୈବ ହାତରେ-। ସେ ନ ବିଚାରିଲେ, ଯେତେ ଚେଷ୍ଟା କଲେବି, ଭଉଁରୀ ମଣିଷକୁ ତଳେ ମାଡ଼ିଦେବ-। ଗୋଟାଏ ଭଉଁରୀରୁ ଉଦ୍ଧାର ହୋଇ ହେଣ୍ଡି ମାଇଲା ବେଳକୁ ଆର ଭଉଁରୀରେ ମଣିଷ ମାଡ଼ିହୋଇ ମରିବ । ତେଣୁ ସବୁବେଳେ ଦୈବଠାରେ ନିଜକୁ ସମର୍ପି ଦିଆଯାଏ ।

 

ଭଲକାମ କଲି ବୋଲି ଗର୍ବ କରିବା ଯେମିତି ଖରାପ, ମନ୍ଦ ହେଲା ବୋଲି ବ୍ୟସ୍ତ ହେବା ସେମିତି ଖରାପ । ଏତେ ସହିଲୁଣି, ଏଡ଼ୁଟିଏ ହେଲୁଣି, ଏତିକି ବୁଝି ପାରୁନାହୁଁ ?’

 

ମୁଁ କିଛି ବୁଝି ନପାରି ତାଟକା ହୋଇ ଚାହିଁ ରହିଲି । ଘର ଭିତରେ ବସିଥିବା ଠାକୁରାଣୀ ପ୍ରସନ୍ନ ଦୃଷ୍ଟିରେ ମୋତେ ଚାହିଁଲେ । ବାବାଙ୍କର ମୁହଁରେ ମଧ୍ୟ ପ୍ରସନ୍ନତା ଦେଖିଲି । ତାଙ୍କର ଗୌରବର୍ଣ୍ଣ, ବଳିଷ୍ଠ, ଦୀର୍ଘ ଆକୃତି ଓ ମୁହଁରେ ଲମ୍ବ କଳାଧଳା ଦାଢ଼ି ମୁଛ ଦେଖି ଆଗ ମୋତେ ଡର ମାଡ଼ୁଥିଲା । ଏଥର ମୋତେ ତାହା ବାତ୍ସଲ୍ୟ-ପୂର୍ଣ୍ଣ ବୋଧହେଲା । ମୁଁ ଉତ୍ସୁକ ହୋଇ ତାଙ୍କୁ ଚାହିଁବାରେ ସେ କହିଲେ, ‘ତୁ ଭାବୁଛୁ ତୁ ତୋ ପତିଙ୍କ ପ୍ରତି ବିଶ୍ଵାସଘାତକତା କରିଛୁ । ପାଗଲୀ ତୁ, ତୁ ତାଙ୍କର ମଙ୍ଗଳ କରିଛୁ । ତୁ ତାଙ୍କୁ ଅପେକ୍ଷା କରି ଯଦି ୬ ମାସ କାଳ ବାଗନାନ୍‌ରେ ରହିଥାନ୍ତୁ ତେବେ ତୋ’ପ୍ରତି ଘୋର ଅତ୍ୟାଚାର ହୋଇଥାନ୍ତା । ତୋ’ ସ୍ୱାମୀ ଫେରି ଆସି କିମିତି ଭାଙ୍ଗିପଡ଼ିଥାନ୍ତେ ବିଚାର କର । ତୁ ପୋଖରୀକୂଳରେ ଲୁଗାପଟା ରଖି ଚାଲି ଆସିବା ଫଳରେ ତୋ’ର ସ୍ଵାମୀ ତୋ’ର ମୃତ୍ୟୁ ହୋଇଛି ବୋଲି ଭାବି ଆତ୍ମଜ୍ଞାନ ପାଇବାକୁ ସାଧନା କରି ସିଦ୍ଧି ପାଇଛନ୍ତି । ସେପରି ନ କରି ତୋତେ ଖୋଜି ଖୋଜି ବୁଲିଥିଲେ ସେ ପାଗଳ ହୋଇଯାଇନଥାନ୍ତେ କି ? ତୁ ନିଜର ବାପା ମା’ ପରିବର୍ତ୍ତେ ଏବେ ଯେଉଁ ବାପା ମା’ଙ୍କୁ ପାଇଛୁ ସେମାନେ କେଡ଼େ ସ୍ନେହଶୀଳ ! ତାଙ୍କ ପ୍ରତି କୃତଜ୍ଞ ନ ହୋଇ ତୁ ତାଙ୍କୁ ସାଧୁଛୁ କାହିଁକି ? ଉଠୁ, ଉଠୁ, ମନର ଚିନ୍ତା ଛାଡ଼ିଦେ । ତୋ’ପାଇଁ ବହୁତ କାମ ରଖିଛି । ସେଥିପାଇଁ ପ୍ରସ୍ତୁତ ହୁଅ ।’ ଏହା କହି ସେ ମୋ ମୁଣ୍ଡରେ ହାତ ବୁଲାଇଦେଲେ; ମୋ ମୁଣ୍ଡ ଉଶ୍ୱାସ ହୋଇଗଲା ।

 

ସମସ୍ତଙ୍କ ମୁଣ୍ଡ ଉଶ୍ୱାସ ହୋଇଗଲା । ମହାପାତ୍ରେ ପଦିଆ ନାହାକକୁ ଡାକି ସତ୍‌କୃତ କଲେ ଓ ଦାସଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ଦେବଦେବୀ ମନ୍ଦିରରେ ଭୋଗରାଗ କଲେ । ବେଳ ଟିକିଏ ଟିକିଏ ଥାଏ, ସବୁ କାର୍ଯ୍ୟ ସାରି ସମସ୍ତେ ଚାନ୍ଦିନୀରେ ଆରାମ କରି ବସିଛନ୍ତି, ପଦିଆ ନାହାକେ ସମସ୍ତଙ୍କୁ ଜେଜେ ହୋଇ ବିଦାୟ ନେଉଛନ୍ତି ଏଇ ସମୟରେ ଯୋଗୀ ମାଷ୍ଟ୍ରେ ଓପରଓଳି ଗାଡ଼ିରୁ ଓହ୍ଲାଇ ଦାସଙ୍କ ଘର ପଚାରି ପଚାରି ଆସି ପହଞ୍ଚିଲେ ।

 

ଯୋଗୀମାଷ୍ଟ୍ରେ ଦାସଙ୍କ ଘରେ ଆସି ଅତିଥି ହେବାର ତିନି ଦିନ ହୋଇଗଲାଣି । ଫେରିବାକୁ ତରତର ହେବାପାଇଁ, ଦାସେ ଆପଣେ ଓ ତାଙ୍କ ସଙ୍ଗୀମାନେ ମାଷ୍ଟ୍ରଙ୍କୁ ସମୟ ଦେଉନଥାନ୍ତି । ସେମାନେ ପ୍ରତିଦିନ, ଖାଇବା, ଶୋଇବା ସମୟତକ ଛାଡ଼ିଦେଲେ ବାକି ସବୁବେଳେ ତାଙ୍କ ପାଖେ ରୁଣ୍ଡ ହୋଇ ‘ବିମଳା ମନ୍ଦିର’ ବିଷୟରେ ନାନା କଥା ପଚାରୁଥାନ୍ତି । ଯୋଗୀମାଷ୍ଟ୍ରଙ୍କ କଥାରେ ସମସ୍ତେ ମୁଗ୍ଧ ହେଉଥାନ୍ତି । ରାତିରେ ବୈଠକ ଭାଜିଲାବେଳକୁ ମହାପାତ୍ରେ ଏପରି ଗୋଟିଏ ପ୍ରସଙ୍ଗ ଉତ୍ଥାପନ କରିଦିଅନ୍ତି, ଯାହା ଫଳରେ ତହିଁ ଆରଦିନ ଯୋଗୀମାଷ୍ଟ୍ରଙ୍କୁ ଫେରିବା କଥା ଉଠାଇବାକୁ ଅବସର ମିଳୁନଥାଏ । ଯୋଗୀମାଷ୍ଟ୍ରେ ମଝିରେ କହୁଥାନ୍ତି, ଏଠାରେ ପାଞ୍ଚ ଛ’ ଦିନ ରହିବାକୁ ପଡ଼ିବ ବୋଲି ବାବା କହୁଥିଲେ, କିନ୍ତୁ ମୁଁ ତ ଦେଖୁଛି ଆପଣମାନେ ମୋତେ ମାସକରେବି ମୁକ୍ତି ଦେବେନାହିଁ । ଦାସେ ଆପଣେ କହନ୍ତି, ‘ଆପଣଙ୍କର ଯେଉଁଦିନ ଇଚ୍ଛା ଆପଣ ଯାଇପାରନ୍ତି, ଆମେ ପରା ଆପଣଙ୍କ ସଙ୍ଗେ ଯିବୁ । ଆପଣଙ୍କୁ ଅଟକାଇବା ପ୍ରୟୋଜନ କ’ଣ ? ବାବାଙ୍କ ଚରଣଧୂଳି ନ ନେଲା ପର୍ଯ୍ୟନ୍ତ କ’ଣ ମନରେ ତୃପ୍ତି ଆସିବ ?’ ମହାପାତ୍ରେ କହନ୍ତି, ‘ମାଷ୍ଟ୍ରେ ତ ଯେଉଁ ପଦକ କହୁଛନ୍ତି, ସେଥିରେ ଶୀଘ୍ର ଯାଇ ପୀଠରେ ପହଞ୍ଚିବାକୁ ମନ ଅଥୟ ହେଉଛି ।’

 

ପଶ୍ଚିମକବାଟେ ମାଷ୍ଟ୍ରଙ୍କ କଥା ଏକାବେଳକେ ପିଇଯାଉଥାନ୍ତି, ମଝିରେ ମଝିରେ ସେ କହୁଥାନ୍ତି, ‘ଯୋଗୀମାଷ୍ଟ୍ର’ ନାଁଟା ୟାଙ୍କଠାରେ ସାର୍ଥକ ହୋଇଛି ଏକା । ୟେ ଯୋଗୀ ଯେମିତି ମାଷ୍ଟ୍ରେ ସେମିତି ।’ ଏ ସାର୍ଟିଫିକେଟ୍ ଶୁଣିଲେ ଯୋଗୀମାଷ୍ଟ୍ରେ ସ୍ମିତ ହାସ୍ୟ କରି ତୁନି ରହୁଥାନ୍ତି ।

 

ଚତୁର୍ଥ ଦିନ ସକାଳେ ପଶ୍ଚିମକବାଟେ ସେଇ କଥାର ପୁନରାବୃତ୍ତି କରନ୍ତେ ବାହିନୀପତି କହିଲେ, ‘ମାଷ୍ଟ୍ରେ ! ପଶ୍ଚିମକବାଟଙ୍କ କଥାଟା ଅପସନ୍ଦ କଲାପରି କାହିଁକି ମୁହଁ କରୁଛ ? ପ୍ରକୃତରେ ତୁମ କଥାରୁ ତ ଜଣା ପଡ଼ୁଛି, ତୁମେ ଯୋଗୀ ଓ ତୁମ କଥା ମାଷ୍ଟରଙ୍କ ପାଠ ପରି ମନରେ ପଶିଯାଉଛି ।’

 

ଯୋଗୀମାଷ୍ଟ୍ରେ ଉତ୍ତର ଦେଲେ, ‘ଆଜ୍ଞା, ବାବାଙ୍କ ପାଖରେ ପହଞ୍ଚିଲେ ଆପଣ ଜାଣିବେ, ପ୍ରକୃତ ଯୋଗୀ କିଏ ଓ ମାଷ୍ଟ୍ର କିଏ ? ଏ ଅଧମ ବାରବର୍ଷ ପୂର୍ବେ ବାବାଙ୍କର ବଡ଼ ଶତ୍ରୁ ଥିଲା । ତାଙ୍କର ସବୁ କଥାକୁ ମୁଁ ଖୁଣୁଥିଲି ।’ ମହାପାତ୍ରେ କହିଲେ ଏଁ ? ଆଜି ଆପଣଙ୍କ କଥା ଶୁଣି ତ ମନେ ହେଉଛି ଆପଣ ଆଜନ୍ମ ବାବାଙ୍କର ଭକ୍ତ !’

 

ଯୋଗୀମାଷ୍ଟ୍ରେ କହିଲେ, ‘ଆଜ୍ଞା, ତାହା ସେଇ ବାବାଙ୍କ ଅନୁଗ୍ରହରୁ । ସେ କହନ୍ତି, “ମଣିଷର ମନ ଥରେ ବଦଳିଗଲେ ଅତୀତର ସମସ୍ତ ସଂସ୍କାର ସାଙ୍ଗେ ସାଙ୍ଗେ ଦୂର ହୋଇଯାଏ । ମଣିଷର ଏକରକମ ପୁନର୍ଜନ୍ମ ହୁଏ” ?

 

ବାହିନୀପତି କହିଲେ, ‘ଆମ ପାଠ ତ କହୁଛି, ପୁନର୍ଜନ୍ମ ଓ ଏ ଜନ୍ମର ସାମାନ୍ୟ ଟିକିଏ କାର୍ଯ୍ୟବି ବୃଥା ହେବ ନାହିଁ । ପ୍ରତ୍ୟେକପାଇଁ ଭବିଷ୍ୟତରେ ପୁରସ୍କାର ବା ପ୍ରାୟଶ୍ଚିତ୍ତ ଥୁଆ । ଜଡ଼ଭରତ ଗୋଟିଏ ମୃଗପ୍ରତି ଆସକ୍ତ ହୋଇଥିଲେ ବୋଲି ତାଙ୍କୁ ମୃଗ ଜନ୍ମ ଗ୍ରହଣ କରିବାକୁ ପଡ଼ିଥିଲା । ଅତୀତର ସଂସାର ଯିବ କୁଆଡ଼େ ?’

 

ମାଷ୍ଟ୍ରେ କହିଲେ, ‘ଆଜ୍ଞା, ଏ ବିଷୟର ସମାଧାନ ଆପଣ ତାଙ୍କରି ମୁହଁରୁ ଶୁଣିବେ । ସେ କହନ୍ତି, ‘‘ଜଡ଼ଭରତ ଉପାଖ୍ୟାନ ଯେଉଁ ପାଠରେ ଅଛି, ଅଜାମିଳ ଉପାଖ୍ୟାନବି ସେଇ ପାଠରେ ଅଛି,” ମୁଁ ତାଙ୍କ ମୁହଁରୁ ଏ କଥା ଶୁଣିଛି କିନ୍ତୁ ଏହାର ବ୍ୟାଖ୍ୟାନ କରି ଆପଣଙ୍କ ମନରୁ ସଂଶୟ ଦୂର କରିପାରିବି ନାହିଁ । ମୁଁ ୧୫ ଦିନ କହିଲେ ଆପଣଙ୍କ ମନରୁ ସଂଶୟ ଯିବ ନାହିଁ, କିନ୍ତୁ ତାଙ୍କୁ ଦେଖିବାମାନେ ଆପଣଙ୍କର ସଂଶୟ ଏକାବେଳକେ ଲୋପ ହେଇଯିବ ।’

 

ଏ ସବୁ ଆଲୋଚନାବେଳେ ଆମେରିକାନ ଦମ୍ପତି କାନ ଡେରି ବସିଥାନ୍ତି । ଓଡ଼ିଆ ଭାଷା ସେମାନେ ବେଶ୍ କହୁଥାନ୍ତି, କିନ୍ତୁ ଆଲୋଚନାକୁ ସବୁବେଳେ ଠିକ୍ ଧରିପାରୁନଥାନ୍ତି । ବାରିବାବୁ ସେ ଦୁହିଁଙ୍କୁ ସବୁ କଥା ଯଥାସାଧ୍ୟ ବୁଝାଇଦେଉଥାନ୍ତି । ବାବାଙ୍କ ବ୍ୟକ୍ତିତ୍ଵ ବିଷୟରେ ଶୁଣି ସେ ଦୁହେଁବି ବାହାରିଲେ ଯିବାକୁ । ବିହାରରେ ଥିବା ତାଙ୍କ ସହକର୍ମୀ ମଧ୍ୟ ଲେଖିଥାନ୍ତି, ନିକଟରେ ପୁରୀ ଓ କୋଣାର୍କ ଦେଖିବାକୁ ଆସିବେ ଏବଂ ସୁଯୋଗ ପାଇଲେ ବିମଳାପୀଠ ଦେଖି ଆସିବେ । ଯୋଗୀମାଷ୍ଟ୍ରେ କହିଲେ, ‘ସୁବିଧାଟା ଆପଣଙ୍କର । ଆପଣଙ୍କର ସୁବିଧା ହେଲେ ବିମଳାପୀଠରେ ଆପଣ ସବୁବେଳେ ସ୍ୱାଗତ ।’

 

ସାହେବ ପଚାରିଲେ ‘ପୀଠର ଠାକୁରାଣୀକୁ ଦେଖିବାକୁ ମଧ୍ୟ ?’ ଯୋଗୀମାଷ୍ଟ୍ରେ କହିଲେ, ‘ଆପଣଙ୍କର ଇଚ୍ଛା ହେଲେ, ସେଥିପାଇଁ କେହି ଆପତ୍ତି କରିବେନାହିଁ । କିନ୍ତୁ ଆମେ ଯେଉଁମାନେ ଦିବାରାତ୍ର ସେଇ ପୀଠରେ ରହିଛୁ, ସେମାନେବି ଠାକୁରାଣୀଙ୍କ ପାଖକୁ ଯିବାକୁ ଭରସିପାରୁନାହୁଁ । ଆପଣ ସେଠାକୁ ଗଲେ ସବୁ ବୁଝିପାରିବେ ।’ ସେମାନେ ଏସବୁ ଶୁଣି ଏକାବେଳକେ ଗୋଡ଼ ଟେକି ବସିଥାନ୍ତି । ତାଙ୍କର ଏ ଅଞ୍ଚଳରେ ଆରମ୍ଭ ହୋଇଥିବା କାମ ଛାଡ଼ିପାରିବେ ତ ବୋଲି ମହାପାତ୍ରେ ପଚାରିବାରେ ସାହେବ ଉତ୍ତର ଦେଲେ, ‘ଆମର ଏପରି କିଛି ଧରାବନ୍ଧା କାମ ନାହିଁ । ଆମର ଏକମାତ୍ର ଉଦ୍ଦେଶ୍ୟ ଭାରତକୁ ଚିହ୍ନିବା ।’

 

ବାରିବାବୁ କହିଲେ, ‘ଭାରତ ବିଷୟରେ ଆପଣଙ୍କ ଦେଶର ବହୁ କୃତବିଦ୍ୟ ଲୋକ ବହୁ ଗ୍ରନ୍ଥ ରଚନା କରିଛନ୍ତି; ଜର୍ମାନୀ, ଇଂଲଣ୍ଡ ଏବଂ ଏବେ ରୁସ୍ ପ୍ରଭୃତି ଦେଶର ଲୋକେବି ବହୁ କଥା ଲେଖିଛନ୍ତି । ଆପଣମାନେ ସେ ସବୁ ପଢ଼ିବା ପରେ, ପୁଣି କ’ଣ ଜ୍ଞାତବ୍ୟ ରହିଛି ?’ ସାହେବ ଖୁବ୍ ହସିଲେ; କହିଲେ, ‘ମୁଁ ଅଳ୍ପଦିନ ଏଠାରେ ରହିଛି । ଏଠାକୁ ଆସିବା ପର୍ଯ୍ୟନ୍ତ ମୋର ଧାରଣା ଥିଲା, ଭାରତକୁ ମୁଁ ଜାଣିକରି ଆସିଛି । ସମ୍ପ୍ରତି ମୁଁ ମନେ କରୁଛି, ଏଠାରେ ଶହେବର୍ଷ ରହିଲେବି ଏ ଦେଶକୁ ଜାଣିପାରିବି ନାହିଁ । ଯେଉଁ ବୈଦେଶିକମାନେ ଭାରତ ବିଷୟରେ ଲେଖିଛନ୍ତି ସେଥିରେ ସେମାନେ ଭାରତର ବିଶିଷ୍ଟତା ଦେଖାଇ ନାହାନ୍ତି ଯେ, ନିଜ ପାଣ୍ଡିତ୍ୟ ଯୋଗୁଁ ଭାରତକୁ ଆହୁରି ରହସ୍ୟାବୃତ କରିଦେଇଛନ୍ତି । ଆପଣ ବୋଧହୁଏ ଜାଣନ୍ତି, ଏଲିଆନର୍ ରୁଜ୍ ଭେଲ୍‍ଟଙ୍କ ପରି ଅଧିକାଂଶ ଭାରତର ଉଡ଼ାଜାହାଜ କେନ୍ଦ୍ରରୁ, ଦିଲ୍ଲୀର ରାଷ୍ଟ୍ରପତି ଭବନରୁ ଭାରତକୁ ଦେଖିଛନ୍ତି । କିନ୍ତୁ ଭାରତ କ’ଣ ସେଠାରେ ଅଛି ? ଯୋଗୀ ମାଷ୍ଟ୍ରଙ୍କ କଥାରୁ ଜଣାଯାଉଛି ବିମଳାପୀଠରେ ମୁଁ ଭାରତର ଅନ୍ତରକୁ ଦେଖିପାରିବି ।’

 

ଏହିପରି ପ୍ରତ୍ୟେକ ବିମଳାପୀଠକୁ ଯିବାକୁ ଉତ୍‍ପିଚ୍ଛ ହୋଇ ରହିବାର ସ୍ଥିର ହୋଇଥିଲା, ଯୋଗୀମାଷ୍ଟ୍ରେ ଆସିବାର ସେଇ ଚତୁର୍ଥଦିନର ଓପରଓଳି, ସମସ୍ତେ ଯାତ୍ରା କରିବେ । କିନ୍ତୁ ସକାଳଓଳି ସାଆନ୍ତାଣୀଙ୍କଠାରୁ ଖବର ଆସିଲା, ‘ଆହୁରି ତିନିଦିନ ରହିବାକୁ ପଡ଼ିବ । କାଲି ଝିଅର ଲୁଗା ପଡ଼ିଛି, ଶୁକ୍ରବାର ସକାଳେ ଗାଧୋଇବା ପରେ ଯିବା । ସେଦିନବି ଶୁଭଦିନ ।’

 

ନାୟକେ କହିଲେ, ପ୍ରୟୋଜନ ପଡ଼ିଲେ ସଦ୍ୟସ୍ନାନବି କରାଯାଇପାରେ ।’ ଏ ଯୁକ୍ତି କିନ୍ତୁ ସାଆନ୍ତାଣୀ ଶୁଣିବାକୁ ନାରାଜ । ସେ ପ୍ରତିବାଦ କଲେ, ‘କି ଅଭାଗ୍ୟ କଥା । ମୁଁ ମା’ରୁ ଝିଅଟାକୁ ଗାଧୋଇ ପକାଇ ଶଶୁରଘରକୁ ପଠାଇବି ? ଏଥିରେ ଝିଅର ଦୋଷ, ଜ୍ୱାଇଁର ଦୋଷ । ଏଡ଼େ ବଡ଼ ମହାପୁରୁଷ ଏକଥା ଜାଣିଲେ ତମ ସମସ୍ତଙ୍କୁ ଦିକଡ଼ାର କରିଦେବେ ନାହିଁ ?’ ସମସ୍ତେ ତୁନି ହେଲେ-। ଦାସେ କହିଲେ, ‘ହଁ, ସ୍ତ୍ରୀମୂଳ ତ ସଂସାର ! ମାଇକିନିଆଙ୍କ ପଣତକାନିରେ ବନ୍ଧାହୋଇ ସମସ୍ତଙ୍କୁ ଚଳିବାକୁ ହେବଇ ହେବ ।’ ମହାପାତ୍ରେ ଟିପ୍ପଣୀ କଲେ, ‘ମୋତେବି ?’ ତାଙ୍କର ପ୍ରାୟ କୋଡ଼ିଏବର୍ଷ ହେଲା ସ୍ତ୍ରୀବିୟୋଗ ହୋଇଥାଏ । ‘ମୋ’ର ତ ଆଉ ସ୍ଵତନ୍ତ୍ର ପଣତକାନି ସଂଗ୍ରହକରିବା ସମ୍ଭବ ନୁହେଁ । ଭାଉଜ ତାଙ୍କ କାନିରୁ କେତେକାଂଶ ମୋତେ ଦେଲେ ହେଲା ।’ ସାଆନ୍ତାଣୀ କବାଟକୁଣରୁ ଅନ୍ଦରମହଲକୁ ଯିବାବେଳେ କହିଲେ, ‘କେଡ଼େ ଖବିସମ ଏ ବୁଢ଼ାଟା !’ ସମସ୍ତଙ୍କର ହସ ଲାଗିଲା-

 

ଆମେରିକାନ୍ ଯୁବକ କଥାଟା ବୁଝି କହିଲେ, ସାଆନ୍ତାଣୀ ଯାହା କହୁଛନ୍ତି, ତାହା ଡାକ୍ତରୀ ବିଦ୍ୟାଦୃଷ୍ଟିରୁ ମଧ୍ୟ ଠିକ୍ ବୋଲି ଆମ ଦେଶରେ ଗବେଷିତ ହୋଇଛି ।’ ଯୋଗୀମାଷ୍ଟ୍ରେ କହିଲେ, ‘ମୁଁ ଆସିଲାବେଳେ ବାବା କହିଛନ୍ତି, ନିତାନ୍ତ ପ୍ରତିବନ୍ଧକ ନ ପଡ଼ିଲେ, ଶୁକ୍ରବାରର ଦିପହର ଗାଡ଼ିରେ ଯିବାକୁ ହେବ । ଆମ ଷ୍ଟେସନ୍‍କୁ ବିମଳବାବୁ ଆସିଥିବେ, ଆପଣମାନଙ୍କୁ ନେବା ସକାଶେ ।’ ଶୁକ୍ରବାର ଦିନ ଯିବା କଥା ବାବା ଆଗରୁ ସ୍ଥିର କରିଥିବାର ଶୁଣି ସମସ୍ତେ ବିସ୍ମିତ ହେଲେ । ଜଗତ୍‍ପୁର ଷ୍ଟେସନ୍‍ରେ ବିମଳବାବୁ ତିନିଖଣ୍ଡ ଟ୍ୟାକ୍‌ସି କରି ଅପେକ୍ଷା କରୁଥିବାର ଦେଖି ସମସ୍ତଙ୍କର ବିସ୍ମୟ ଆହୁରି ବଢ଼ିଲା ।

 

ଦାସେ ଓ ତାଙ୍କ ବନ୍ଧୁମାନେ ବିମଳାପୀଠରେ ଆସି ପହଞ୍ଚିବାର ସାତଦିନ ହୋଇଗଲାଣି-। ଆଉ ୩ଦିନରେ ଫଗୁଦଶମୀ । ସେ ଦିନଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ବିମଳାପୀଠରେ ମହୋତ୍ସବ ହୁଏ-। ଆଡ଼େ ଦୀର୍ଘେ ପାଞ୍ଚକୋଶରେ ପ୍ରତ୍ୟେକ ଗ୍ରାମର ପ୍ରାୟ ପ୍ରତ୍ୟେକ ଲୋକ ଆସି ଠାକୁରାଣୀଙ୍କୁ ମୁଣ୍ଡିଆ ମାରନ୍ତି, ବାବାଙ୍କଠାରୁ ଆଶୀର୍ବାଦ ଘେନନ୍ତି ଓ ମନ୍ଦିରରେ ପ୍ରସାଦ ପାଇ ଘରକୁ ଫେରନ୍ତି, ବର୍ଷକପାଇଁ ନିଜ ନିଜ ଧନ୍ଦାରେ ଲାଗିବାକୁ । ୟାଙ୍କଭିତରେ ଅନେକେ ନବମୀ ଦିନରୁ ଆସନ୍ତି ଯେ ପୂର୍ଣ୍ଣିମାବାସି ଘରକୁ ଫେରନ୍ତି । କାହାରିକୁ ଆସିବାକୁ ନିମନ୍ତ୍ରଣ ଦିଆଯାଏ ନାହିଁ କି, କେହି ଦିନକୁ ପାଞ୍ଚଦିନ ବା ପାଞ୍ଚମାସ ରହିଲେ କେହି ମନା କରନ୍ତି ନାହିଁ । ଯୋଗୀମାଷ୍ଟ୍ରେ ଏ ମହୋତ୍ସବର ଆୟୋଜନ ଭାର ଯେଉଁ ବର୍ଷ ପ୍ରଥମେ ପାଇଲେ ସେ ବର୍ଷ ସେ ମହୋତ୍ସବର ପନ୍ଦର ଦିନ ଆଗରୁ ରାତି ଅନିଦ୍ରା ହୋଇଥାନ୍ତି । ଦିନେ ବାବାଙ୍କୁ ଯାଇ ପଚାରିଥିଲେ, ‘ବାବା ! କେତେ ଚାଉଳ, ଡାଲି ଓ ପରିବାପତ୍ର ଯୋଗାଡ଼ କରିବି ?’ ବାବା ଉତ୍ତରରେ ପଚାରିଲେ, ‘ଏ ମହୋତ୍ସବ ତୁମେ କରାଉଛ ପରା ? ଯଦି ନିଜେ କରାଇବ ତେବେ ତୁମର ସାମଗ୍ରୀ ବଳିଯାଇପାରେ, ବା କମ୍ ହୋଇଯାଇପାରେ । କିନ୍ତୁ ଠାକୁରାଣୀ କରାଉଛି ବୋଲି ଯଦି ଦୃଢ଼ ଧାରଣା ରଖିପାରିବ ତେବେ ସବୁ ନିର୍ବିଘ୍ନରେ ସମାଧାନ ହୋଇଯିବ ।’ ସେ ବର୍ଷ ମାଷ୍ଟ୍ରେ ସନ୍ତର୍ପଣରେ ସବୁ କରିଥିଲେ । ସେ ଦିନଠାରୁ ତାଙ୍କର ଦୃଢ଼ବିଶ୍ୱାସ ହୋଇଛି, ଠାକୁରାଣୀ ତା’ କଥା ନିଜେ ବୁଝିଛି ।

 

ପ୍ରତିବର୍ଷ ପାଖଆଖ ଗାଁର ଲୋକେ ଯାହା ପାରନ୍ତି ତାହା ଆଣି ଜମା ଦିଅନ୍ତି । ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପଙ୍ଗତ ଲାଗିଥାଏ, ରୋଷେଇ ଚାଲିଥାଏ । ଗତବର୍ଷ ଦ୍ଵାଦଶୀ ଦିନ ସକାଳେ ଯୋଗୀମାଷ୍ଟ୍ରେ ବାୟା ପରି ଆସି ବାବାଙ୍କ ପାଖରେ ଠିଆହେଲେ । ବାବା ମୁଡ଼ୁକି ମୁଡ଼ୁକି ହସି ତାଙ୍କଆଡ଼କୁ ଚାହିଁ ପଚାରିଲେ, ‘କିଓ ମାଷ୍ଟ୍ରେ ! ଆଜି ଠାକୁରାଣୀଙ୍କଠାରୁ ବିଶ୍ୱାସ ଦୂର ହୋଇଗଲା ପରା ?’ ଯୋଗୀମାଷ୍ଟ୍ରେଙ୍କ ପାଟିରୁ କଥା ବାହାରିଲା ନାହିଁ । ପ୍ରଥମ କିସ୍ତିରେ ୧୦ହଣ୍ଡା ଭାତ ବସିବାର କଥା । ସରଘରେ ଥାଏ ମାତ୍ର ଦୁଇହଣ୍ଡା ପାଇଁ ଚାଉଳ । ତାଙ୍କ ଅଭିଯୋଗ ଶୁଣି ବାବା କହିଲେ, ‘ଚାଉଳ ନାହିଁ ବୋଲି କ’ଣ ପାଣିର ଅଭାବ ହୋଇଗଲା, ନା କାଠର ଅଭାବ ହୋଇଗଲା ? ପାଣି ଫୁଟୁଥାଉ । ଚାଉଳ ନ ଆସିଲେ ସମସ୍ତଙ୍କୁ ତିଅଣ ତରକାରୀ ସାଙ୍ଗରେ ଗ୍ଲାସେ ଗ୍ଲାସେ ଗରମ ପାଣି ଦେଇଦେବ । ଗରମ ପାଣିଟା ଶରୀର ପକ୍ଷରେ ଉପକାରୀ ।’ ସେତିକିବେଳେ ଯୋଗୀମାଷ୍ଟ୍ରେଙ୍କୁ ଜଣେ ଟହଲିଆ ଆସି ଡାକିଲା, ‘ସରଘରକୁ ଆସ । ତିନିଟା ଚାଉଳ ଶଗଡ଼ ଦୁଆରେ ଫିଟିଛି ।’ ତିନୋଟି ଗାଁର ଲୋକେ ଚାଉଳ ଚାନ୍ଦା କରି ଖଣ୍ଡିଏ ଖଣ୍ଡିଏ ଶଗଡ଼ରେ ଆଣିଥାନ୍ତି ।

 

ଆମେରିକାନ୍ ସାହେବ ଦୁଇଜଣ ସରଘରୁ ଖଞ୍ଜାଶାଳ, ଖଞ୍ଜାଶାଳରୁ ଖାଇବା ଜାଗା ବୁଲି ବୁଲି ଦେଖୁଥାନ୍ତି । ସେଥିରୁ ଜଣେ ଆମର ପରିଚିତ ଡାକ୍ତର ଓ ଅନ୍ୟଜଣେ ତାଙ୍କର ବନ୍ଧୁ, ମନସ୍ତତ୍ତ୍ୱ ପଣ୍ଡିତ, ବିହାରରୁ ଆସିଥାନ୍ତି । ସେ ସବୁ ତନ୍ନତନ୍ନ କରି ଦେଖି ମନ୍ତବ୍ୟ ଦେଲେ, ‘ମନ ପ୍ରଭାବିତ ହୋଇଗଲେ, ରାଜନୀତି ଓ ଅର୍ଥନୀତିର ଦୋକାନଦାରି ପ୍ରୟୋଜନ ହୁଏନାହିଁ ।’

 

ଦୁହେଁଯାକ ଯାଇ ବାବାଙ୍କ ମଣ୍ଡପପାଖେ ପହଞ୍ଚିବାରେ ବାବା କହିଲେ, ‘କି ? ପ୍ରଥମ ଦିନ ସାକ୍ଷାତ୍ ପରେ ତ ଆଉ ଏଠାକୁ ଆସୁନାହଁ ?’ ମନସ୍ତତ୍ତ୍ୱଜ୍ଞ କହିଲେ, ‘ସବୁବେଳେ ତ ଆପଣଙ୍କୁ ଦେଖୁଛୁ ଆପଣଙ୍କ କାମରୁ । ଦରକାର ହେଲେ ସିନା ଆସିବୁଁ ?’

 

ବାବା ହସି ହସି ପଚାରିଲେ, ‘ଆଜି ତାହାହେଲେ ଦରକାର ହୋଇଛି ? ମନରେ ସନ୍ଦେହ ହୋଇଛି, ଯଦି ଏ ଆରବା କୌଣସି କାରଣରୁ ଚଳି ନପାରିବ ତେବେ– ?’ ମନସ୍ତତ୍ତ୍ଵଜ୍ଞ କହିଲେ, ‘ମୋର ନୁହେଁ, ମୋ ବନ୍ଧୁଙ୍କର ଏ ସନ୍ଦେହ ହୋଇଛି ।’

 

ବାବା ପଚାରିଲେ, ‘ଆପଣଙ୍କର ସନ୍ଦେହ ନ ହେଉଛି କାହିଁକି ? ତାଙ୍କର ବା ହେଉଛି କାହିଁକି ?

 

ସାହେବ ଉତ୍ତର ଦେଲେ, ‘ମୋର ବନ୍ଧୁ ଡାକ୍ତର; ଶରୀରରେ ଆବଦ୍ଧ; ଶରୀର ଭିତରୁ ପୁଣି କାନ, ନାକ, ଓ ତୋଟି ବିଷୟରେ ସେ ବିଶେଷଜ୍ଞ । ମୁଁ ମନେକରୁଛି, ମନ ଉପରେ ଯଦି ପ୍ରଭାବ ପଡ଼ିଲା, ତେବେ ଯେ କୌଣସି ଯୋଜନା ଦୈବାତ୍ ନିଷ୍ଫଳ ହୋଇଗଲେ, ନିଷ୍ଫଳତାକୁ ସହିଯିବା ସକାଶ ମନର ବଳ ସ୍ଵତଃ ଜାଗ୍ରତ ହୋଇଯିବ ।’

 

ବାବା କହିଲେ, ‘ଠିକ୍ ବୁଝିଛନ୍ତି । ମନର ବଳ ପୁଷ୍ଟ କରିବାକୁହିଁ ଏ ଦେବଦେବୀଙ୍କର ସୃଷ୍ଟି । ୟାଙ୍କୁ ଛାଡ଼ି ମଧ୍ୟ ମନକୁ ସଜାଡ଼ି ହେବ ଯେ, ଚିତ୍ର ସାହାଯ୍ୟରେ ବୁଝିବା ଓ ଶିଖିବା ସହଜ ହୁଏ ।’ ପିତୁଳା ପୂଜାକୁ ଏଡ଼େ ସହଜରେ ବୁଝାଇ ଦେବାରେ ମନସ୍ତତ୍ତ୍ଵଜ୍ଞବି ମୁଗ୍ଧ ହେଲେ ।

 

ସେ ପୁଣି ପଚାରିଲେ, ‘ଠାକୁରାଣୀଙ୍କର ୟା ଇଚ୍ଛା, ତା’ ଇଚ୍ଛା ବୋଲି ଆପଣ କିପରି ଆଗରୁ ଜାଣିପାରୁଛନ୍ତି, ମୁଁ ବୁଝିପାରୁନାହିଁ ।’

 

ବାବା କହିଲେ, ‘ଆଉ ଟିକିଏ ଭଲ କରି ଚିନ୍ତାକଲେ ଜଣା ପଡ଼ିଯିବ l ଠାକୁରାଣୀଙ୍କର ଅନୁଗ୍ରହ ହେଲେ ବୁଦ୍ଧିର ପ୍ରଖରତା ଆସେ । ବୁଦ୍ଧିବିଚାରରେ ଏଭଳି ଅନେକ କଥା ଜଣାପଡ଼ିଯାଏ, ଯାହାକୁ ସାଧାରଣ ଲୋକେ ଭବିଷ୍ୟତ ଜ୍ଞାନ, ଦୈବୀଶକ୍ତି ବୋଲି ଧରିନିଅନ୍ତି । ଟିକିଏ ତଳେଇ କରି ବିଚାରିଲେ, ଭବିଷ୍ୟତ ଜ୍ଞାନ, ବର୍ତ୍ତମାନ ଉପରେ ଗଢ଼ା ହୋଇଥିବା ସମ୍ଭାବନା ବୋଲି ଜାଣିପାରିବ ।’

 

ପାଖରେ ଦାସେ ଓ ମହାପାତ୍ରେ ବସିଥିଲେ । ଆସିଲା ଦିନୁଁ ଏ ଦୁହେଁ ବାବାଙ୍କ ପାଖରେ ଦିନରାତି ବସୁଛନ୍ତି ଓ ଏଇ ମଣ୍ଡପରେ ରାତିରେବି ଶୋଉଛନ୍ତି । ବାହିନୀପତିଙ୍କର ଲାଗିଛି ଅଖଣ୍ଡ ଚଣ୍ଡୀପାଠ । ନାୟକେ ବୁଲି ବୁଲି ଆଞ୍ଚଳିକ ଜ୍ଞାନ ଆହରଣ କରୁଛନ୍ତି । ସାହେବଙ୍କୁ ବାବା କହିଥିବା କଥା ଉପରେ ମହାପାତ୍ରେ କହିଲେ, ‘ବାବା, ଅନୁମତି ପାଇଲେ ଗୋଟିଏ କଥା ପଚାରନ୍ତି ?’

 

ବାବା କହିଲେ, ‘ସେ ଅନୁମତି ତ ମୂଳରୁ ଦିଆହୋଇଛି, ତୁମେ କିଛି ନପଚାରିବାରୁ ଧରିନେଇଛି, ସବୁକଥା ତୁମ ଦୁହିଁଙ୍କୁ ଆପେଆପେ ଜଣା ପଡ଼ିଯାଉଛି । ଆଜି ଅବୁଝା ରହିଲା କ’ଣ-?’

 

ମହାପାତ୍ରେ କହିଲେ, ‘ଆଜି ଯେ ଆପଣ ସାନନ୍ଦକୁ ଷ୍ଟେସନ୍‍କୁ ପଠାଇଲେ, ବଡ଼େମହାରାଜ ଆସିବେ ବୋଲି ଜାଣିଲେ କେମିତି ।’

 

ବାବା ଦାସଙ୍କ ଆଡ଼କୁ ଚାହିଁ କହିଲେ, ‘ମନୁଆ ବଳଦ ଥାନ୍ତି ଯେ ଅବଲୀଳାକ୍ରମେ ବଡ଼ବଡ଼ ଉଠାଣି ଉଠିଯାନ୍ତି, କିନ୍ତୁ ବେଳେବେଳେ ଛୋଟ ବୁଡ଼ା ହିଡ଼ବି ଲଙ୍ଘି ନ ପାରି ଠିଆ ହୋଇ ରହନ୍ତି । ମହାପାତ୍ରେ ସେଇମିତି କଥା କହୁଛନ୍ତି । ବଡ଼େ ମହାରାଜ ସାନନ୍ଦଙ୍କଠାରୁ ଚିଠି ପାଇବା ପରେ ପୁରୀ ଆସିଛନ୍ତି । ତାଙ୍କରି ବାଟରେ ଆମ ଏ ସ୍ଥାନ । ଦିନେ ଓଳିଏ ଏଠାରେ କଟାଇବାକୁ ତାଙ୍କର ଆଗ୍ରହ ହେବାର ସମ୍ଭାବନା । ଯଦି ଆସନ୍ତି ତେବେ ଆଜି ଆସିବେ ବୋଲି ମନେ ହେଲା, ତାଙ୍କୁ ସ୍ୱାଗତ କରିବାକୁ ଲୋକ ପଠାଇଦେଲି । ଏଥିରେ ଆଉ ବିସ୍ମିତ ହେବାର କ’ଣ ଅଛି ?’

 

ବିସ୍ମୟ ବହୁତ ବଢ଼ିଗଲା, ଯେତେବେଳେ ବାବା ଯାଇ ବିମଳା ମନ୍ଦିରରେ ସିଂହଦ୍ୱାରେ ଠିଆ ହେବାର ପାଞ୍ଚମିନିଟ୍ ମଧ୍ୟରେ ସାନନ୍ଦବାବୁ ଦୁଇଟା ଟ୍ୟାକ୍ସିରେ ବଡ଼େ ମହାରାଜଙ୍କ ଗହଣରେ ଆସିଥିବା ସମସ୍ତଙ୍କୁ ଧରି ପହଞ୍ଚିଲେ । ଆହୁରି ବିଚିତ୍ର କଥା, ପ୍ରଥମ ଟ୍ୟାକ୍ସିରୁ ପ୍ରଥମେ ଓହ୍ଲାଇଲେ ସାନନ୍ଦବାବୁଙ୍କର ପ୍ରଥମ ଗୁରୁ ‘ବାବା’ ଯେ କି ଅଲକ୍ଷିତଭାବେ ଏବେ କେତେ ବର୍ଷ ହେଲା ପ୍ରବ୍ରଜ୍ୟା କରୁଥିଲେ । ବିମଳାପୀଠରେ ବାବା ତାଙ୍କୁ କୁଣ୍ଢେଇ ପକାଇଲାବେଳେ ମନେ ହେଲା, ସତେ ଯେମିତି ଦୁଇଜଣ ବହୁଦିନର ପରିଚିତ ବନ୍ଧୁଙ୍କର ସାକ୍ଷାତ ହେଉଛି । ଆଗନ୍ତୁକ କହିଲେ, ‘କିଛିଦିନ ଥୟ ହୋଇ ଠାଏ ରହିବି ବୋଲି ଇଚ୍ଛା ହେବାରୁ ଆସି ପଡ଼ିଲି । ଦୈବାତ୍ ବାଟରେ ‘ବଡ଼େ’ ସଙ୍ଗେ ଦେଖା ହୋଇଗଲା ।’ ସ୍ୱାଗତକାରୀ ବାବା କହିଲେ, ‘ସବୁ ଠାକୁରାଣୀର ଇଚ୍ଛା । ମୋର ଭାଗ୍ୟ, ମୋତେ ମୋର ଗୁରୁ ମିଳିଗଲେ । ମନଶ୍ଚକ୍ଷୁରେ ଆପଣଙ୍କୁ ବହୁକାଳରୁ ଦେଖିଛି । ସାନନ୍ଦଠାରୁ ଶୁଣିଛି, ଆପଣ ଚାରିବର୍ଷ ତଳେ ଏ ଦିଗକୁ ଆସିଥିଲେ । ଆଉଥରେ କେବେ ଏପଟର ଭାଗ ପଡ଼ିବ ବୋଲି ଚାହିଁ ରହିଥିଲି । କାଲି ପାହାନ୍ତିଆରୁ ମନେ ହେଉଥିଲା ମୋର ପ୍ରତୀକ୍ଷା ସାଙ୍ଗ ହେବ ।’ ଏ ସବୁ ମହାପାତ୍ରେ ପ୍ରମୁଖଙ୍କୁ ତାଜୁବ ଲାଗୁଥିଲା । ଆମେରିକାନ୍ ସାହେବ ଦୁହେଁ କହିଲେ, ‘ବିଚିତ୍ର ଏ ଭାରତ ଭୂମି ! ଏ ଶତାବ୍ଦୀରେ ଏଭଳି ଲୋକେ ଅଛନ୍ତି ବୋଲି କେହି ବିଶ୍ୱାସ କରିବା ସହଜ ନୁହେଁ-। ଆମର ଏ ଆବିଷ୍କାର ଚନ୍ଦ୍ରମଣ୍ଡଳର ଆବିଷ୍କାରଠାରୁ ମଧ୍ୟ ମହତ୍ତର ।’

 

ଦାସେ ଆପଣେ ଓ ମହାପାତ୍ରେ ଆସିବାର ପ୍ରଥମ ଦିନ, ଠାକୁରାଣୀ ଓ ବାବାଙ୍କୁ ଦର୍ଶନ କରିସାରି ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ବସାଘରେ ଆରାମ କଲାବେଳକୁ ସାନନ୍ଦବାବୁ ଆସି ସମସ୍ତଙ୍କୁ ମୁଣ୍ଡିଆ ମାରି ଠିଆ ହେବାର ମହାପାତ୍ରେ ତାଙ୍କ ମୁହଁକୁ ବଲବଲ କରି ଚାହିଁ କହିଲେ, ‘ଏଁ ! ୟେ ତ ଆମର ପରିଚିତ । ହଇଏ ବାବା ! ତୁମ ଘର କେଉଁଠି କହିଲ ?’

 

ଦାସେ କହିଲେ, ସନ୍ନ୍ୟାସୀମାନଙ୍କୁ ଘର କେଉଁଠି ବୋଲି ପଚାରନ୍ତି ଯେ ପଚାରୁଛ ?’

 

ମହାପାତ୍ରେ କହିଲେ, ‘ଆଉ କ’ଣ ? ଆପଣା ପିଲାକୁ ଦେଖିଲେ ଚିହ୍ନିବ ନାଇଁ, ପଚାରିବ ନାଇଁ କେମିତି ଯେ ? ତମେ ୟାକୁ ଚିହ୍ନିପାରୁନାହଁ ? ୟେ ପରା ଆମ ପଦିଆ ପୁଅ ବୁଢ଼ା-। ୟା ଭଲ ନାଁ ସାନନ୍ଦିଆ ନା କ’ଣ ? ପିଲା ଦିନଯାକ ମୋ ଘରେ ମୁରବି ହୋଇଥିଲା, ଚିହ୍ନି ପାରିବି ନାଇଁ ? ୟାର ତ କପାଳରେ ଥିଲା ୟା ହେବ ବୋଲି, ୟେ ଆମ ପାଖରେ କେମିତି ରହନ୍ତା କହିଲ-? ଆଗରୁ ଟିକିଏ ଜାଣିଥିଲେ ୟା ବାପଟାକୁ ସାଙ୍ଗରେ ଘେନିଆସିଥାନ୍ତେ । ଆଜି ଚିଠି ଦେବି, ସେ ଆସୁ । ପୁଅଟା ବାଳୁଙ୍ଗା ହୋଇଗଲା ବୋଲି କହୁଥିଲା । ଦେଖୁ ।’

 

ଦାସେ ଆପଣେ କହିଲେ, ‘ମୁଁ ୟାଙ୍କର ଦାଢ଼ି ନିଶ, ବାବୁରି ବାଳକୁ ଦେଖି ଚିହ୍ନି ପାରିଲି ନାହିଁ । ସାତ୍ତ୍ଵିକ ଜୀବନ ମନ ଓ ଶରୀର ଉଭୟରେ ଅଦ୍ଭୁତ ପରିବର୍ତ୍ତନ ଅଣାଇ ଦିଏ । ହଉ, ହଉ, ବାପା ! ଆମ ଅଞ୍ଚଳର ତୁମେ ଆଲୁଅ । ଚାଲ, ଗାଁକୁ ଯିବା; ଗାଁ ଆଉ ଗାଁ ହୋଇ ନାହିଁ । ତୁମେ ଯାଇ ସେଠାରେ ରହିଲେ ଲୋକଙ୍କର ଆଖି ଖୋଲିବ ।’

 

ଦାସିଆଣୀ ମହାପାତ୍ରେଙ୍କୁ ନ ଲୁଚି ଆସି ପହଞ୍ଚିଗଲେ; କାଖରେ ସାନନ୍ଦଙ୍କ ପୁଅ । ସାନନ୍ଦବାବୁ ତାଙ୍କୁ ମୁଣ୍ଡିଆ ମାରି ଠିଆ ହେବାରେ ସେ କହିଲେ, ‘ହଇଏ ପୁଅ ! ତମେ ଏଠେଇ ଅଛ, ଆମଠାରୁ ଓଳିକର ବାଟରେ, ଆଉ ମୁଁ ତୁମ ପିଲା ମାଇପକୁ ଧରି ଏତିକି ଘାଣ୍ଟି ହେଲିଣି ? ତମ ଲଟରା ତମେ ସମ୍ଭାଳ । ମୁଁ ଆଉ ଏଠା ଛାଡ଼ି ଯିବି ନାଇଁ । ସତେ ସ୍ୱର୍ଗପୁରୀ ପରି ଲାଗୁଛି ।’ ସାଆନ୍ତାଣୀ ସାନନ୍ଦବାବୁଙ୍କ ହାତକୁ ପିଲାଟିକୁ ବଢ଼ାଇ ଦେବାବେଳେ ସାନନ୍ଦବାବୁଙ୍କ ଆଗ୍ରହ ତ ବାହାରକୁ ଜଣାପଡ଼ିଲା ନାହିଁ, ପିଲାଟା ବାପାଙ୍କର ଦାଢ଼ି ନିଶ ଦେଖି ତାଙ୍କ ମୁହଁକୁ ତାଟକା ହୋଇ ଚାହୁଁ ଥିଲା, ଆଈ ତାଙ୍କ ଆଡ଼କୁ ତାକୁ ବଢ଼େଇ ଦେଲା ବେଳକୁ ଚିହିଁକି କରି ରଡ଼ି ଛାଡ଼ିଲା । ମହାପାତ୍ରେ କହିଲେ, ‘ଦାସେ ! ତମରି ପରି, ଏ ଟୋକାର ତା’ ଦାଢ଼ି ଉପରେ ଦୃଷ୍ଟି ।’

 

ଦାସେ ପଚାରିଲେ, ‘ତମେ ହଠାତ୍ ୟାଙ୍କୁ ଚିହ୍ନିଲ କେମିତି ?’

 

ମହାପାତ୍ରେ କହିଲେ, ‘ଚିହ୍ନିଲି, ତା’ ଢେଗା ଆଖି ଯୋଡ଼ାକରୁ । ପିଲାଦିନେ ଦୁଷ୍ଟାମି କଲେ, ତାକୁ ଟିକିଏ ରାଗ ହେଲେ ସେ ଯେମିତି ଚାହେଁ ସେ କଥା ମୋର ଆଜି ଯାଏଁ ମନେ ଅଛି । ତା’ ବାପ ପଛେ ଚିହ୍ନି ନ ପାରିବ, ମୁଁ ଚିହ୍ନିବି ନାଇଁ ? ୟାକୁ ପାଞ୍ଚବର୍ଷ ହୋଇଥାଏ, ତମର ମନେ ନାହିଁ ? ୟା ବାପ ଆଣି ୟାକୁ ତମ ଚାନ୍ଦିନୀରେ ବସାଇ କହିଲା, ୟେ ମା’-ଖିଆ ପିଲାଟାକୁ କ’ଣ କରିବି ? ସେଇ ଦିନ ପରା ତୁମେ କହିଥିଲ, ମହାପାତ୍ରାଣୀଙ୍କ ପାଖରେ ପିଲାଟିଏ ନାହିଁ । ତାଙ୍କରି ପାଖେ ରହିବ । ସେଇ ଦିନଠାରୁ ପରା ୟାକୁ ଷୋଳବର୍ଷ ହେଲା ଯାଏଁ ୟେ ଛାଇ ପରି ମୋରି ସାଙ୍ଗେ ରହିଲା, ମ୍ୟାଟ୍ରିକ ପାସ୍ କରିବା ପର୍ଯ୍ୟନ୍ତ । ନୂଆ ମା’କୁ ଖାଇବା ପରେ ମୁଁ ପରା ହୋଇଥିଲି ୟା’ର ବାପ ଓ ମା’ ? କିରେ ସାନନ୍ଦିଆ, ଆମ ଦିଦିଙ୍କ ହାତ ରୋଷେଇ ମନେ ଅଛି ?’

 

ସାନନ୍ଦବାବୁ କହିଲେ, ‘ଜେଜେ ! ସେ ବେଳ କଥା କ’ଣ ପାସୋରି ହେବ ?’

 

ସାଆନ୍ତାଣୀ ପଚାରିଲେ, ‘ଏବେ, ଆମେ ଫେରିବାବେଳେ ୟାଙ୍କୁ ସାଙ୍ଗରେ ନେବାଟି ?

 

ସାନନ୍ଦବାବୁ କହିଲେ, ‘ଏଠାରେ କାହାରି ଇଚ୍ଛା ବା ଆକାଂକ୍ଷା ତ ରହି ପାରିବ ନାହିଁ । ବାବା ଯାହା କହିବେ ସେଇଆ ହେବ । ପୁଣି ତାଙ୍କର ସବୁ କଥାକୁ “ଠାକୁରାଣୀଙ୍କ ଇଚ୍ଛା” !’

 

ମହାପାତ୍ରେ ପଚାରିଲେ, ‘ହଇରେ, ଏ ବାବା କିଏ ? ୟେ ତ ମୋତେ ସାକ୍ଷାତ ମହାଦେବଙ୍କ ପରି ଦିଶୁଛନ୍ତି ! ୟାଙ୍କ ବିଷୟରେ କିଛି କ’ଣ ଜାଣିଛୁ ?’

 

ସାନନ୍ଦବାବୁ କହିଲେ, ‘ମୁଁ ତ ମୋଟେ ଚାରି ମାସ ହେଲା ୟାଙ୍କୁ ଦେଖୁଛି । ବିମଳ ଭାଇ ଏଠାରେ ରହିଲେଣି ୧୫।୧୬ ବର୍ଷ ହେଲା । ସେ କହନ୍ତି ୟାଙ୍କୁ ଦିନେ ଦେଖିଲେ ଯେତିକି ଜାଣିବ, ୧୫ ବର୍ଷରେବି ସେତିକି ? ନେତମା ବୋଲି ମାଇପିଟିଏ ଏଠି ଅଛି; ବାବା ପ୍ରଥମେ ଆସିବା ଦିନ ତା’ର ମନେ ଅଛି । ସେତେବେଳେ ସେ ପହିଲିପାଳି ଆସିଥିଲା । ନେତମା ଏକାବେଳକେ ବୁଢ଼ୀ ହୋଇଗଲାଣି । ସେ କହେ, ବାବା ପ୍ରଥମେ ଆସିଲାବେଳେ ଯେମିତି ଦିଶୁଥିଲେ, ଏବେବି ଠିକ୍ ସେଇମିତି ଦିଶୁଛନ୍ତି, ଏବେ ଖାଲି ବାଳ କେତୋଟି ପାଚିଯାଇଛି ।’

 

ମହାପାତ୍ରେ ପଚାରିଲେ, ‘ୟେ ବିମଳବାବୁଟି କିଏ ?’

 

ସାନନ୍ଦବାବୁ–ସେ ଥିଲେ ଜଣେ ଅଧ୍ୟାପକ । କ’ଣ ବୋଲି ବିଚାରି ଆସିଥିଲେ ଓ ଏବେ କ’ଣ କରୁଛନ୍ତି ସେଥିରେ ସେ ନିଜେ ଆଶ୍ଚର୍ଯ୍ୟ ହୁଅନ୍ତି । ଏ ସମଗ୍ର ଅନୁଷ୍ଠାନର ପରିଚାଳକ ସେ । କିନ୍ତୁ ଦେଖିଲେ ମନେହେବ, ଅତି ସରଳ ନିରୀହ ଲୋକ; ମାଛିକି ମ’ ବୋଲି କହିପାରନ୍ତି ନାହିଁ । ଏତେବେଳକୁ ସେ ଆସି ସାରନ୍ତେଣି । ଆମେରିକାନ୍‍ଙ୍କ ପାଖରେ ଅଟକି ଯାଇଛନ୍ତି । ସେମାନେ ଏକାଥରକେ ସବୁ ଜାଣିଯିବାକୁ ବଡ଼ ବ୍ୟଗ୍ର । ଏ ପୀଠ ଉପରେ ଆସୁ ଆସୁ ଗୋଟେ ବହି ଲେଖିବାକୁ ଆରମ୍ଭ କରିଦେଲେଣି । ଦୁର୍ଗାଦେବୀ କିନ୍ତୁ ସାବଧାନ କରି ଦେଇଛନ୍ତି, ବାବାଙ୍କର ଇଚ୍ଛା ନହେଲେ ପୁସ୍ତକ ଛାପାହୋଇ ପାରିବ ନାହିଁ ।

 

ଦାସେ ଆପଣେ ପଚାରିଲେ, ସେ ପୁଣି କିଏ ?

 

ଦାସିଆଣୀ ବାହାରିପଡ଼ିଲେ, ‘ସେଇ ତ ଏଠେଇ ସବୁ । ସେଇ ଚଳନ୍ତି ଠାକୁରାଣୀ । ସବୁଠି ଅଛି, କେଉଁଠି ନାଇଁ । ଏଠେଇ ଯେତେ ମଣିଷ ଅଛନ୍ତି ସମସ୍ତଙ୍କର ଆଖି ତା’ରି ଉପରେ–ଏମିତି ଚଳିବେ ଯେମିତି ଦୁର୍ଗା ଦେବୀଙ୍କର ମନରେ କଷ୍ଟ ନ ହେବ । ବାଳବିଧବାଟିଏ, ମହାନଦୀର ବଢ଼ିରୁ ତାକୁ ବାବା ଉଦ୍ଧାର କରି ଆଣିଛନ୍ତି ଆପେ, ଆଉ ତା’ରି ହାତରେ ସବୁ ସମର୍ପି ଦେଇଛନ୍ତି । ବିମଳବାବୁଙ୍କ ଭାର୍ଯ୍ୟା, ଯୋଗୀମାଷ୍ଟରଙ୍କ ଭାର୍ଯ୍ୟା ଓ ନେତମା ବୁଢ଼ୀ ସମସ୍ତେ ତା’ରି ବଚସ୍କର । ଖାଲି ବିମଳବାବୁ କାହିଁକି, ବାବାବି ଦୁର୍ଗା ଦେବୀଙ୍କୁ ମାନନ୍ତି ବୋଲି ନେତ-ମା କହୁଛି । ଆମ ତାରା ଏଇ ଓଳିକ ଭିତରେ ତା’ରି ହୋଇଗଲାଣି । କିନ୍ତୁ ମଣିଷଟିକୁ ଦେଖିଲେ ବିଚାରିବ ଅଭିଆଡ଼ୀ ବାଲୁରିଟିଏ । ଆଉ ଦି’ବର୍ଷରେ ତାକୁ ଦି’ କୋଡ଼ି ପୂରିବ । ଆମ ମେରୀ ତ ତା’ର ଛାଇ ପରି ସାଙ୍ଗେ ଲାଗିଛି । (ଦାସଙ୍କୁ) ତମେ ଯାଅ ଗାଁ କଥା ବୁଝିବ, ମୁଁ ବର୍ଷେ ଖଣ୍ଡେ ରହିବି ।’

 

ଦାସେ କହିଲେ, ମୁଁ କୋଉଦିନ ଗାଁ କଥା ବୁଝିଥିଲି ଯେ ଆଜି ବୁଝି ପକାଇବି ? ତମେ ବୁଝୁଥିଲ, ତୁମେ ଗାଁକୁ ଫେର । ପିଲାମାନେ କେବେ କେମିତି ଘରକୁ ଆସିଲେ ତୁମକୁ ନ ଦେଖିଲେ କ’ଣ ହେବ ଜାଣୁଛଟି ? ମୁଁ ମଝିରେ ମଝିରେ ଗାଁକୁ ଯିବି, ତମେବି ମଝିରେ ମଝିରେ ଏଠାକୁ ଆସିବ ।’

 

ସାଆନ୍ତାଣୀ ତୁନି ହୋଇଗଲେ । ଝଗଡ଼ାର ଉପକ୍ରମ ହେଲେ ସେ ଏଇମିତି ତୁନି ହୋଇଯାନ୍ତି । ସମୟ ଉଣ୍ଡି ଦାସଙ୍କୁ ମଙ୍ଗେଇ ନିଅନ୍ତି ।

 

ଦାସେ ଦାସିଆଣୀଙ୍କ କଥାବାର୍ତ୍ତା ଆରମ୍ଭ ହେବାର ଉପକ୍ରମରେହିଁ ମହାପାତ୍ରେ ବୋଲିଦେଲେ, ‘ଅଜା ଯୁଦ୍ଧେ, ୠଷିଶ୍ରାଦ୍ଧେ ଦାମ୍ପତ୍ୟ କଳହେ ତୁ ଚ….ବହ୍ୱାରମ୍ଭେ ଲଘୁକ୍ରିୟା ।’

 

ପରଦେଶୀ ବାବା ଆସି ପହଞ୍ଚିଲାବେଳୁ ବିମଳାପୀଠର ବାବା ନିଜ ଦାୟିତ୍ୱରୁ ଅପସରି ଯାଇ ତାଙ୍କର ଅନୁଗତ ଶିଷ୍ୟ ପରି ଚାଲିବାକୁ ଆରମ୍ଭ କରିବାରେ ଆଗନ୍ତୁକ କହିଲେ, ‘ଅଚିହ୍ନା ଲୋକଙ୍କୁ ଏପରି ସର୍ବସ୍ୱ ସମର୍ପିଦେବାକୁ ଆଜିକାଲି ଯୁଗର ଅନୁକୂଳ ନୁହେଁ ।’

 

ବିମଳାପୀଠର ବାବା କହିଲେ, ‘ଆପଣ ବା ମୁଁ କିଏ ଆଧୁନିକ ଯୁଗରେ ଅଛେଁ ଯେ ସେକଥା ବୁଝିବା ? ଆମେ ଉଭୟେ ତ ଏ ଯୁଗଦୃଷ୍ଟିରେ ତମାଦି ।’ ଆଗନ୍ତୁକ ହସିଦେଲେ । ଏହିପରି ବାକ୍ୟାଳାପ ଓ ଖୁସିବାସିରେ ଦୁଇଜଣଯାକ ବାବା ଚଳୁଥାନ୍ତି; ତାଙ୍କ ପାଖରେ ଥିଲେ ମଧ୍ୟ ବଡ଼େ ମହାରାଜ ତୁନି ହୋଇ ଦୁଇଜଣଯାକ ମହାପୁରୁଷଙ୍କର କଥାବାର୍ତ୍ତା ଶୁଣୁଥାନ୍ତି । ବେଳେବେଳେ ସଂଶୟ ହେଲେ ସେ ଯାହା ପଚାରନ୍ତି ତାହାର ଉତ୍ତର ବଡ଼ବାବାଙ୍କ ନିଦେଶରେ ବିମଳାପୀଠର ବାବା ଦିଅନ୍ତି । ଆହୁରି ଟିକିଏ ଆଡ଼େଇ ହୋଇ କିନ୍ତୁ ନିକଟରେ ଥାନ୍ତି ଦାସେ ଓ ମହାପାତ୍ରେ । ଅନ୍ୟ ସମସ୍ତେ ଏମାନଙ୍କ ମେଣ୍ଟରୁ ବାହାରେ ରହି ନିଜ ନିଜର କାର୍ଯ୍ୟରେ ଲାଗିଥାନ୍ତି-। ସାଆନ୍ତାଣୀ ମାଇପିମେଳରେ ଥାନ୍ତି, ଓ ଦୁର୍ଗାଦେବୀଙ୍କ ସଙ୍ଗେ କଥାବାର୍ତ୍ତାରେ ସମୟ କଟାଉଥାନ୍ତି-

 

ଆମେରିକାନ୍ ସାହେବ ଦୁଇଜଣ ଓ ମହିଳାଟି ଏ ଶୃଙ୍ଖଳାକୁ ମାନି ଚଳୁ ନ ଥାନ୍ତି । ଯେଉଁ ସାହେବ ଜଣକ ବହିଲେଖା ଆରମ୍ଭ କରି ଦେଇଥାନ୍ତି ସେ କାହାରି ସମୟ ଅସମୟକୁ ଖାତିର ନକରି ଜ୍ଞାତବ୍ୟ ବିଷୟ ସଂଗ୍ରହ କରିବାରେ ଲାଗିଥାନ୍ତି । ବାବା ଦୁହିଁଙ୍କ ପାଖରେ ଯେତେବେଳେ ନାଇଁ ସେତେବେଳେ ପହଞ୍ଚିଯାଇ ନାନାପ୍ରକାର ପ୍ରଶ୍ନ ପଚାରୁଥାନ୍ତି । ମେରୀ ମାଇପି ମହଲରେ ସେହିପରି ଇଆଡ଼ୁସିଆଡ଼ୁ ପ୍ରଶ୍ନ ପଚାରୁଥାନ୍ତି ଓ ତୃତୀୟ ଜଣକ ନିଜର ସଂଶୟ ଦୂର କରିବାପାଇଁ ପାଖଆଖର ଅଞ୍ଚଳମାନ ବୁଲି, ସାଧାରଣ ଲୋକଙ୍କ ଜୀବନ-ପ୍ରଣାଳୀ ବିଷୟରେ ଖୁଣ୍ଟିନାଟି ଟିପୁଥାନ୍ତି ।

 

ଦିନେ ସନ୍ଧ୍ୟାରେ ଠାକୁରାଣୀଙ୍କ ଆଳତି ପରେ ତିନିଜଣଯାକ ଏକାଠି ହୋଇ ମଣ୍ଡପରେ ବାବାଙ୍କ ଆସନ ପାଖରେ ଯାଇ ବସିଲେ । ବଡ଼ବାବା ସେମାନଙ୍କ ରୀତିଗତି ଦେଖି ମୁଡ଼ୁକି ମୁଡ଼ୁକି ହସି କହିଲେ, ‘ଆଜି ତ ଯୁଦ୍ଧଡ଼ାକରା ପରି ବୋଧହେଉଛି !’

 

ବହି ଲେଖୁଥିବା ସାହେବ ଜଣକ ପଚାରିଲେ, ‘ଆପଣଙ୍କ ଜୀବନଦର୍ଶନ ବିଷୟରେ ମୁଁ ଜାଣିବାକୁ ଚାହେଁ । ଜୀବର ଲକ୍ଷ୍ୟ କ’ଣ ହେବା ଉଚିତ ବୋଲି ଆପଣମାନେ ମନେ କରନ୍ତି ?’

 

ବଡ଼ବାବାଙ୍କ ନିର୍ଦ୍ଦେଶରେ ବିମଳାପୀଠର ବାବା ଉତ୍ତରଦେଲେ, ‘ଜୀବନଟା ଏପରି କୋଉ ବଡ଼କଥା ଯେ ତାହାର ଗୋଟାଏ ନିର୍ଦ୍ଦିଷ୍ଟ ଗତିପଥ ରହିବ ? ଅବସ୍ଥାଚତ୍ର ମଣିଷକୁ ଯେପରି ଚଳାଉଛି, ସେ ସେପରି ଚଳୁଛି । ଅନନ୍ତକାଳର ତୁଳନାରେ ମଣିଷର ଜୀବନ ଅତି ଅଳ୍ପକ୍ଷଣ ସ୍ଥାୟୀ-। ପୁଣି ଦୁର୍ବଳ ମଣିଷ ଅବସ୍ଥାଚତ୍ରର ମୁକାବିଲା କରିବାକୁ ନିତାନ୍ତ ଅକ୍ଷମ । ଏପରି ସ୍ଥଳେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରହିବା ଅବାନ୍ତର ନୁହେଁ କି ?’

 

ସାହେବ ଆପତ୍ତି କଲେ, ‘ମଣିଷର ମସ୍ତିଷ୍କ ଅଛି, ବିଚାରବୁଦ୍ଧି ଅଛି, କ’ଣ ଠିକ୍ କ’ଣ ଭୁଲ୍ ସେ ବିଷୟରେ ତା’ର ନିର୍ଦ୍ଦିଷ୍ଟ ଚିନ୍ତାଧାରା ରହିବା କ’ଣ ଉଚିତ ନୁହେଁ । ମୁଁ ତାକୁଇ ଜୀବନ-ଦର୍ଶନ କହୁଛି ।’

 

ବାବା କହିଲେ, ‘ମୁଁ ଯାହା କହିଛି, ତାହା ଏକଥା ବୁଝି କହିଛି । ପ୍ରଥମ କଥା ପ୍ରତ୍ୟେକର ଜୀବନଦର୍ଶନ ଏକ ହୋଇ ନ ପାରେ; ତା’ର କାରଣ ପ୍ରତ୍ୟେକର ପରିବେଶ ଅଲଗା, ଓ ପୂର୍ବ-ସଂସ୍କାର ମଧ୍ୟ ସମାନ ନୁହେଁ । ଗୋଟାଏ ପ୍ରକାର ଚିନ୍ତାଧାରା ସମସ୍ତଙ୍କ ଉପରେ ଲଦି ଦେବାକୁ ବସିଲେ, ମନୁଷ୍ୟଜାତି ବ୍ୟକ୍ତିବିଶେଷ ବା ଗୋଷ୍ଠୀବିଶେଷର ଦାସତ୍ୱ ସ୍ଵୀକାର କରିବାକୁ ବାଧ୍ୟ ହେବ-। ତେଣୁ ସାମୂହିକଭାବେ ଜୀବନଦର୍ଶନ କଥା ବିଚାର ନ କରି, ବ୍ୟକ୍ତିଗତଭାବେ ବିଚାର କରାଯାଏ-।’

 

ସାହେବ କହିଲେ, ‘ମୁଁ ଏକଥା ବୁଝି ପାରୁନାହିଁ । ଧରନ୍ତୁ ଖାଦ୍ୟପେୟ । ଏହା ତ ସମସ୍ତଙ୍କ ପାଇଁ ସମାନଭାବେ ପ୍ରୟୋଜନ ! ଏ ବିଷୟରେ ସମଗ୍ର ଜାତିପାଇଁ ସମାନ ବିଚାରଧାରା ରହିବା ଦରକାର ନୁହେଁ କି ?’

 

ବାବା କହିଲେ, ‘ଏଇଥିରେ ତ ସବୁଠାରୁ ବେଶି ପାର୍ଥକ୍ୟ ଲକ୍ଷିତ ହୁଏ । ଆପଣଙ୍କ ନିଜ ଦେଶର ବୈଜ୍ଞାନିକମାନେ ଏବେ ଆବିଷ୍କାର କରିଛନ୍ତି, କୌଣସି ଦୁଇ ଲୋକର ଶରୀରାଭ୍ୟନ୍ତର ଯନ୍ତ୍ରପାତି ନୁହେଁ । ବାହ୍ୟ ସାଦୃଶ୍ୟରେ ଯେପରି ଦୁଇଜଣ ସମାନ ନୁହଁନ୍ତି ସେଇପରି ଦୁଇଜଣଙ୍କର ପରିପାକ ଯନ୍ତ୍ରବି ସମାନ ନୁହେଁ । ଦୁହିଁଙ୍କର ଖାଇବାକୁ ସମାନ ଇଚ୍ଛା ଥିଲେବି ଜଣେ ଦୁଇଗୁଣ୍ଡା ଖାଇ ପେଟପୂରିଲା ବୋଲି କହୁଛନ୍ତି; ଆଉ ଜଣକୁ ସେରେ ଚାଉଳ ଅଣ୍ଟୁନାହିଁ । ୟେ ତ ଗଲା ଦେହ କଥା । ମନବି ଫରକ ଫରକ । ଜଣଙ୍କର ଖାଲି ପେଟରେ ଏକାଗ୍ରତା ଆସୁଚି, ଆଉ ଜଣଙ୍କର ପୂର୍ଣ୍ଣପେଟରେ । ଏପରିସ୍ଥଳେ କୌଣସି ଗୋଟାଏ ଧାରାରେ ସମସ୍ତେ ଚଳିବେ ବୋଲି କହିଲେ ଠିକ୍ ହେବ ନାହିଁ । ପ୍ରତ୍ୟେକର ମନକୁ ଚାହିଁ ସେ ଚଳୁ, ଏହାହିଁ ଆମ ଦେଶର ପୂର୍ବାଚାର୍ଯ୍ୟମାନେ କହିଯାଇଥିଲା ପରି ଜଣା ପଡ଼ୁଛି ।

 

ସାହେବ ଆପତ୍ତି କଲେ, ‘କିନ୍ତୁ ମୁଁ ଶୁଣିଛି, ଶ୍ରାଦ୍ଧ ଓ ବ୍ରତ ବିବାହାଦିରେ କର୍ତ୍ତା ଉପବାସ ରହିବାର ବ୍ୟବସ୍ଥା ଆପଣମାନଙ୍କର ସ୍ମୃତିରେ ଅଛି ?’

 

ବାବା କହିଲେ, ‘ଏ ସାଧାରଣ ବିଧିର ପୁଣି ନିପାତନ ଅଛି । ସ୍ମୃତିରେ ଅଛି, “ସ୍ୱସ୍ଥଃ ଧର୍ମ ସମାଚରେତ୍” । ନ ଖାଇଲେ ଯାହାର ନ ଚଳେ ତାକୁ ଲଘୁ ଆହାର ଦିଆଯିବାର ଆପତ୍ତି ହୋଇନପାରେ; ତେଣୁ ପ୍ରତ୍ୟେକର ନିଜ ନିଜର ଚାହିଦା ଅନୁସାରେ କର୍ମ କରିବା ଉଚିତ । ଯାହାର ଏ ବିଷୟରେ ପରାମର୍ଶ ବା ସାହାଯ୍ୟ ଦରକାର ସେ ଗୁରୁ କରିପାରେ । ଅବଶ୍ୟ ଗୁରୁ କରିବାକୁ କେହି ବାଧ୍ୟ ନୁହନ୍ତି, କି ଗୁରୁଙ୍କର ପରାମର୍ଶ ଲଙ୍ଘିଲେ ଦଣ୍ଡର ବ୍ୟବସ୍ଥା ନାହିଁ ।

 

ସାହେବ–ତେବେ ତ ଆପଣ ଅରାଜକତାର ପକ୍ଷପାତୀ !

 

ବଡ଼ବାବା ଏଇଠାରେ ବାହାରି ପଡ଼ି କହିଲେ, ‘ଆପଣଙ୍କ ଦେଶରେ ଆପଣମାନେ କ’ଣ ଅରାଜକତା ପକ୍ଷପାତୀ ନୁହନ୍ତି ? ସରକାରର ବିରୋଧ କରିବା, ପ୍ରତିଷ୍ଠିତ ସରକାର ଓ ଆଇନକାନୁନର ପରିବର୍ତ୍ତନ ଦାବିକରିବା ମୂଳରେ ଅଛି କ’ଣ ? ରାଜାଙ୍କୁ ସ୍ୱୀକାର କଲେ ଅରାଜକତାକୁ ସ୍ୱୀକାର କରିବାକୁ ପଡ଼ିବ । ଆମେ ପାର୍ଥିବ ରାଜାଙ୍କ କର୍ତ୍ତୃତ୍ୱ ସ୍ୱୀକାର କରୁନାହିଁ, ତେଣୁ ଅରାଜକତାର ପ୍ରଶ୍ନ ନାହିଁ । ଆମର ରାମ ରାଜା, ରାମ ପରଜା, ରାମ ସାହୁକାର ।’ ରାମରାଜାଙ୍କର ଆମେ ଯେପରି ପ୍ରଜା, ଆମ ରାଜାବି ସେହିପରି ପ୍ରଜା । ସେ ଘରର ମୁରବି ମାତ୍ର-।’

 

ସାହେବ ସନ୍ଦିଗ୍‌ଧ ହେଇ ଆଉ କ’ଣ ପଚାରିଲା ବେଳକୁ ବଡ଼େ ମହାରାଜ ବାଧା ଦେଲେ, ‘ପରେ ଏ ବିଷୟରେ ଆପଣଙ୍କର ମୋର କଥାବାର୍ତ୍ତା ହେବା, ତା’ପରେ ବୁଝିବାକୁ କିଛି ବାକି ରହିଲେ, ଏଠାକୁ ଆସିବା ।’

 

ସାହେବ ଦୁଗୁଣେଇ ହୋଇ ପଚାରିଲେ, ‘କିନ୍ତୁ ମୋର ପ୍ରଥମ ପ୍ରଶ୍ନର ଉତ୍ତର ମୁଁ ଏପର୍ଯ୍ୟନ୍ତ ପାଇନାହିଁ । ଜୀବନଟା କ’ଣ ବୋଲି ବାବା ମନେ କରନ୍ତି ?’

 

ବଡ଼ବାବା କହିଲେ, ‘ଜୀବନଟା ତ ଜୀବନ ଆଉ କ’ଣ ? ଅନନ୍ତ କାଳ ପାରାବାରରେ ଗୋଟିଏ ପାଣିଫୋଟକା ମାତ୍ର । ପାଣି-ଫୋଟକା ଫାଟିବା ପରି ୟେ ଆଖି ପିଛୁଳାକେ ଯାଏଁ, ୟାପାଇଁ ଗୁଡ଼ାଏ ମୁଣ୍ଡ ଘୂରାଇବା କାହିଁକି ?’

 

ବିମଳା ମନ୍ଦିରରେ ବାବା ଯୋଗ କଲେ, ‘ଆପଣ ପଚାରୁଛନ୍ତି ଏ ଜୀବନଟା ଯେତେ ଦିନ ଅଛି, ତାକୁ କଟାଇବା କିପରି ? ନା ?’ ସାହେବ ସୋତ୍ସାହେ ମୁଣ୍ଡ ଟୁଙ୍ଗାରିବାରେ ବାବା କହିଲେ, ‘ମୋର ଗୁରୁଦେବ କହିଲା ପରି ଏ ତୁଚ୍ଛ ଜୀବନପାଇଁ ବିଶେଷ ମମତା ରଖିବ ନାହିଁ ।

 

‘ନାଭିନନ୍ଦେତ ମରଣଂ ନାଭିନନ୍ଦେତ ଜୀବିତଂ

ସଦା କାଳଂ ପ୍ରତୀକ୍ଷେତ ସ୍ୱାମିନଂ ଭୃତକୋ ଯଥା ।

 

ଆତ୍ମହତ୍ୟା କରିବ ନାହିଁ କି ‘ମରଣ ହେଉ’ ବୋଲି ଜୀବନ ପ୍ରତି ବିରକ୍ତ ହେବନାହିଁ । ଚପରାସି ଯେପରି ହାକିମଙ୍କ ଘଣ୍ଟିର ଆବାଜକୁ କାନ ଡେରି ରହିଥାଏ ସେହିପରି କାଳର ଡାକରାକୁ ଅପେକ୍ଷା କରି ରହିଥିବ । କିପରି ଅପେକ୍ଷା କରିବ ସେଇତକ ବିଚାର୍ଯ୍ୟ । ଏଥିପାଇଁ ଆମର ଋଷିମୁନିମାନେ ବହୁ ପରାମର୍ଶ ଦେଇଛନ୍ତି, ବହୁ ସୋପାନ ଦେଖାଇଛନ୍ତି । ସେ ସବୁର ମୂଳକଥା, ନିଜକୁ ଏ ସଂସାରର ନିମ୍ନତମ ପ୍ରାଣୀର ସ୍ତରରେ ରଖ । ନିଜର ସୁଖପାଇଁ ଯେତିକି ଧ୍ୟାନ ରଖିଛ, ଦେଶର ଅକିଞ୍ଚନଙ୍କ ପ୍ରତି ଅନ୍ତତଃ ସେତିକି ଧ୍ୟାନ ରଖ । ଭୋଖ ତୁମକୁ ଲାଗେ, କ୍ରୂରତା ତୁମକୁ ଆଘାତ ଦିଏ, ଅନ୍ୟକୁ ସେହିପରି ହେଉଥିବ ବୋଲି ସର୍ବଦା ମନେରଖ । ଏଇ ଆମର ଧର୍ମ, ଏତିକି ମାନିଲେ ହେଲା । ସ୍ମୃତିରେ ଅଛି :

 

ଶ୍ରୁୟତାଂ ଧର୍ମସର୍ବସ୍ୱଂ ଶ୍ରୁତ୍ୱା ଚାପ୍ୟବଧାର୍ଯ୍ୟତାଂ

ଆତ୍ମନଃ ପ୍ରତିକୂଳାନି ପରେଷାଂ ନ ସମାଚରେତ୍ ।

 

‘ଅର୍ଥାତ୍–ଧର୍ମର ଗୋଟିଏ ମାତ୍ର ମୂଳ କଥା । ଏହା ଜାଣି ଏହାର ଅନ୍ତର୍ନିହିତ ଅର୍ଥ ବୁଝିପାରିଲେ ଜୀବନଦର୍ଶନ ମିଳିବ । ସେ କଥାଟି ହେଲା–ଯାହାକୁ ଯା ଅସୁଖ ଲାଗୁଛି ତାହା ଅନ୍ୟକୁ ମଧ୍ୟ ଅସୁଖ ଲାଗୁଛି ବୋଲି ମନେରଖ ।’

 

ଦୁଇଜଣଯାକ ସାହେବ ଏକ ସ୍ୱରରେ କହିଲେ, ‘ଏ ତ ସାର୍ବଜନୀନ ଧର୍ମ । ଏପର୍ଯ୍ୟନ୍ତ ଧର୍ମମାର୍ଗକୁ ଏଭଳି ସରଳଭାବେ ଆମକୁ କେହି ବୁଝାଇ ନଥିଲେ । କିନ୍ତୁ ଲୋକେ ଯେ ଏ କଥାର ମର୍ମ ବୁଝୁନାହାନ୍ତି, ଏ ଧର୍ମ ମାନୁନାହାନ୍ତି । ଯେ ବୁଝୁଛି ତା’ର ଏ ଦିଗରେ କର୍ତ୍ତବ୍ୟ କ’ଣ ?’

 

ବାବା ଉତ୍ତର ଦେଲେ, ‘ମାନେ, ଆପଣ କହୁଛନ୍ତି ଆମେ ଲୋକଙ୍କୁ ମନେଇବାକୁ ପ୍ରଯତ୍ନ କରିବା ଉଚିତ । ସେପରି ବିଚାରିଲେ ତ ଆମେ ନିଜକୁ ଆଉ ଜଳ ବୁଦ୍‍ ବୁଦ୍ ବୋଲି ନ ବିଚାରି ମେରୁ ବୋଲି ବିଚାରିବା । ଧର୍ମପ୍ରଚାର କରିବାକୁ ଯାଇ ଘୋର ଅଧର୍ମରେ ଭାଗୀ ହେବା । ତେଣୁ ନିଜର ଆଚରଣ ଧର୍ମସମ୍ମତ ହେଉଛି କି ନାହିଁ ସବୁବେଳେ ସମୀକ୍ଷା କରି ସନ୍ତୁଷ୍ଟ ରହିଲେ ହେଲା । ତହିଁରୁ ଅଧିକ କର୍ତ୍ତାଙ୍କ ହାତରେ । ତାଙ୍କ କାମ ତାଙ୍କ ବେଳରେ ସେ କରିବେ ।’

 

ବିମଳା ମନ୍ଦିରରେ ରହିବାର ୧୦ଦିନ ହେବାରେ ବଡ଼ବାବା, ଦାସେ ଓ ମହାପାତ୍ରଙ୍କୁ ଡକାଇ କହିଲେ, ‘ମୋତେ ଜଣାଯାଉଛି ତୁମେମାନେ ଏଠାରେ ରହି ଘରଧନ୍ଦା ସବୁ ପାସୋରି ଦେଉଛ । ସେ କାମ କରିବ କିଏ ? ସବୁ କାମ ସମଅନୁପାତରେ ଚଳିଲେ ଯାଇ ଧର୍ମ ପୋଷଣ ହେବ । ବଡ଼େକୁ କହିଛି ସେ ଆଜି ତା’ ଆଶ୍ରମକୁ ଚାଲିଯିବ । ତୁମେମାନେ ମଧ୍ୟ ତୁମ ଆଶ୍ରମକୁ ଯାଅ । ମୁଁ ବି ଏଠାରୁ ଯିବାକୁ ବସିଲିଣି । ଠାକୁରାଣୀ ଆଉ ଦିନ କେତୋଟା ମୋତେ ଏଠାରେ ରଖିବେ ବୋଲି ଜଣାଯାଉଛି । ବାବାଙ୍କ ମନ, ମୋ ସାଙ୍ଗେ ସେ ଯା’ନ୍ତେ । ସେ ତ ଏଠାରେ ସବୁ ତୀର୍ଥକୁ ପାଇଛନ୍ତି । ତାଙ୍କର ଯିବା ପ୍ରୟୋଜନ କ’ଣ ? ତାଙ୍କ ସଙ୍ଗେ ମୁଁ ଏଠାରେ କିଛିଦିନ ରହିବି ।’

 

ଦାସେ ଓ ମହାପାତ୍ରେ ଉଭୟଙ୍କର ମୁହଁ ଶୁଖିଗଲା । କିନ୍ତୁ ଯୁକ୍ତିତର୍କ ଏଠାରେ ଚଳିବ ନାହିଁ ବୋଲି ଜାଣି କିଛି ସମୟ ପରେ ଦାସେ କହିଲେ, ‘ମୁଁ ବିଚାରୁଛି ଆମ ଗାଁରେ ଏପରି ଗୋଟିଏ ଆଶ୍ରମ କରନ୍ତୁ । ସାନନ୍ଦ ସେଠାରେ ରହନ୍ତେ, ଆପଣ, ବାବା ଓ ବଡ଼େ ମହାରାଜଙ୍କ ପାଦଧୂଳି ଦିନେ ପଡ଼ିଲେ ସେ ସ୍ଥାନର ଶୁଭ ଦିଆହୁଅନ୍ତା ।’

 

ବିମଳା ମନ୍ଦିରର ବାବା କହିଲେ, ‘ଦାସେ ଆପଣେ ! ଆପଣ ତ ସରକାରୀ ଯୋଜନା ପରି ଲମ୍ବା ଫର୍ଦ୍ଦ ଆରମ୍ଭ କଲେଣି । ଅପେକ୍ଷା କରନ୍ତୁ । ମା’ ନ ବିଚାରିଲା ଯାଏଁ କିଛି ହେବ ନାହିଁ । ତେବେ ସାନନ୍ଦର ଯିବା ନ ଯିବା ବିଷୟ ତା’ ସାଙ୍ଗେ ଆଲୋଚନା କରାଯାଇପାରେ ।’

 

ମହାପାତ୍ରେ କହିଲେ, ‘ସେ ତ କହୁଛି ଆପଣଙ୍କ ହୁକୁମ ସେ ତାଲିମ କରିବ । ତା’ର ନିଜ ଇଚ୍ଛା ଅନିଚ୍ଛା ସେ ବହୁତ ଦିନୁ ଛାଡ଼ି ସାରିଲାଣି ।’

 

ବାବା କହିଲେ, ‘ମୁଁ ତ କାହାକୁ କିଛି ହୁକୁମ ଦେବା ବହୁତ ଦିନୁ ଛାଡ଼ିଦେଲିଣି । ସ୍ଵେଚ୍ଛାରେ ସମସ୍ତଙ୍କୁ କାମ କରିବାକୁ ପଡ଼ିବ; ଯେ ସେତକ ଛାଡ଼ିବ ସେ ମା’ଙ୍କ ଇଚ୍ଛାକୁ ଚାହିଁ ରହିବ-। ମୋର ଇଚ୍ଛା ଏଠାରୁ ମୁକ୍ତି ପା’ନ୍ତି । କିନ୍ତୁ ମା’ଙ୍କ ହୁକୁମକୁ ପ୍ରତୀକ୍ଷା କରୁଛି । ମା’ଙ୍କଠାରୁ ହୁକୁମ ମିଳୁଛି, ଏ ଅନୁଷ୍ଠାନର ଦାୟିତ୍ୱ ନେବ ସାନନ୍ଦ, କିନ୍ତୁ ମୋତେ ଛାଡ଼ିବାକୁ ହୁକୁମ ମିଳୁନାହିଁ-। ତା’ ଇଚ୍ଛା ।’

 

ଏତିକିବେଳେ ବଡ଼େ ମହାରାଜ କହିଲେ, ‘ବାବା, ମୋତେ ଏଠାରୁ ତଡ଼ାଗଲା । ତାରାର ଓ ବଡ଼ ଦିଦିର ଯେଉଁ ବିସ୍ତର ଟଙ୍କା ମୋ ପାଖେ ଜମା ଅଛି ସେତକ ଏଠାକୁ ପଠାଇଦେବା ପାଇଁ ହୁକୁମ ମିଳୁ । ବଡ଼ ଦିଦିର ପିଲାଟିମାନେ ମଧ୍ୟ ଏଠାକୁ ଆସନ୍ତୁ । ଏ ପରିବେଶରେ ସେମାନଙ୍କ ଶିକ୍ଷା ପୂର୍ଣ୍ଣାଙ୍ଗ ହେବ ।’

 

ବିମଳା ମନ୍ଦିରର ବାବା କହିଲେ, ‘ପିଲା ତ ଆମର ଦରକାର । ଏଠାରେ ଯେତେଜଣ ବିବାହିତ କର୍ମୀ ଅଛନ୍ତି ସେ ସମସ୍ତଙ୍କର ଗୋଟିଏ ଲେଖାଏଁ ପିଲା । ଗୋଟିଏ ପିଲା ହେବାପରେ ସେମାନଙ୍କ ଗାର୍ହସ୍ଥ୍ୟ ଧର୍ମ ସାଙ୍ଗ କରି ଦେଇଛନ୍ତି । ପିଲାଙ୍କୁ ପଠାଇଦିଅନ୍ତୁ; ମହାପାତ୍ରେ ଯାଇ ସେମାନଙ୍କୁ ଘେନି ଆସିବେ । କିନ୍ତୁ ଟଙ୍କାପାଇଁ ଟିକିଏ ଅପେକ୍ଷା କରିବାକୁ ପଡ଼ିବ । ଆମର ଅର୍ଥମନ୍ତ୍ରୀ ବିମଳବାବୁ, ତାଙ୍କର ନିଅଣ୍ଟିଆ ବଜେଟରେ ବିଶ୍ୱାସ । ସେ କହନ୍ତି, ଟଙ୍କା ପାଖରେ ଥିଲେ କର୍ମପ୍ରେରଣା ଲୋପ ହୋଇଯିବ । ତେଣୁ ଯେତେ ଟଙ୍କା ଦେବେ ସେତକ ଖର୍ଚ୍ଚ ନ ହେଲା ପର୍ଯ୍ୟନ୍ତ ସେ ଥୟ ହୋଇ ବସିବେ ନାହିଁ । ଗୁଡ଼ାଏ କାମ କରି ତାଙ୍କର ସ୍ୱାସ୍ଥ୍ୟହାନି ହେବାର ଲକ୍ଷ୍ୟ କରୁଛି । କିଛିଦିନ ଯାଉ, ତାଙ୍କର ସୁବିଧା ଓ ଯୋଜନା ଦେଖି ଏଠାରୁ ଟଙ୍କାପାଇଁ ଚିଠି ଯିବ । ଆପଣଙ୍କଠାରେ ଟଙ୍କା ଅଛି ବୋଲି ଶୁଣିବାବେଳୁ ତ ବିମଳ ଓ ଦୁର୍ଗିଙ୍କ ମୁଣ୍ଡରେ କେତେ ଯୋଜନା ଖେଳିବଣି ।

 

ପଅରଦିନ ଯେ ବାହୁଡ଼ିବାର ବାହୁଡ଼ିବା କଥା । ସାହେବ ସାହେବାଣୀ ତିନିଜଣଯାକ ଆସି ଜିଦ୍ କଲେ ସମସ୍ତଙ୍କର ଗୋଟିଏ ଫଟୋ ଉଠିବ । ବାବା କହିଲେ, ଏ ତ ଏଠାରେ ନୂଆକଥା-। ବଡ଼ବାବା କହିଲେ, ସାହେବ ଆସି ରହିବାବି ନୂଆ । ଫଟୋ ଉଠା ସରିବା ପରେ ଜଣେ ସାହେବ ପ୍ରାର୍ଥୀ ହେଲେ, ସେମାନଙ୍କୁ ହିନ୍ଦୁଧର୍ମରେ ଦୀକ୍ଷିତ କରାଯାଉ । ଆମେରିକାରେ କେତେ ସାହେବ ହିନ୍ଦୁ ହୋଇଛନ୍ତି ବୋଲି ସେ ନଜିର ଦେଖାଇଲେ । ବଡ଼ବାବା କହିଲେ, ‘ହିନ୍ଦୁଧର୍ମରେ ଦୀକ୍ଷିତ କରିବାର ବିଧି ଶାସ୍ତ୍ରସମ୍ମତ ନୁହେଁ । ଆପଣମାନେ ଖ୍ରୀଷ୍ଟିଆନ ଧର୍ମରେ ଥାଇ ହିନ୍ଦୁର ଆଚାରବିଚାର ଗ୍ରହଣ କରିବାରେ ବାଧା ନାହିଁ । ମହାତ୍ମା ଗାନ୍ଧୀ ଧର୍ମରେ ଆଧୁନିକ ରାଜନୀତି ପୂରାଇବା ପୂର୍ବେ ଏ ଦେଶର ଅନେକ ମୁସଲମାନ ମଧ୍ୟ ହିନ୍ଦୁଙ୍କ ଆଚାର ଗ୍ରହଣ କରିଥିଲେ ।’

 

ସାହେବମାନେ ଶେଷରେ ପ୍ରାର୍ଥନା କଲେ, ଏଠାରେ ଆଉ କିଛିଦିନ ରହିବାକୁ ସେମାନଙ୍କୁ ଅନୁମତି ମିଳୁ । ବିମଳାମନ୍ଦିରର ବାବା କହିଲେ, ‘ଆପଣଙ୍କୁ ଏଠାରେ ରହିବାର ଯେଉଁ ଅନୁମତି ମିଳିସାରିଛି, ତାହା ତ ଚିରସ୍ଥାୟୀ । ଯେତେଦିନ ଇଚ୍ଛା ରହିପାରନ୍ତି, ସବୁଦିନ ରହିପାରନ୍ତି, ଯିବା ଆସିବା କରିପାରନ୍ତି ।’

 

ଯିବାକୁ ଅଳ୍ପ ସମୟ ବାକି । ସାଆନ୍ତାଣୀ ପ୍ରାର୍ଥୀ ହେଲେ, ‘ପୁଅ ବୋହୂଙ୍କୁ ସାଙ୍ଗରେ ଯିବାକୁ ଡାକୁଛି ଯେ ଦୁହେଁଯାକ ମୋତେ ଏଠାରେ ରହିବାକୁ କହୁଛନ୍ତି । ମାସେ ପନ୍ଦରଦିନ ବୁଲି ଆସିଲେ କ’ଣ ହୁଅନ୍ତା ନାହିଁ ?’ ବାବା ପ୍ରଶ୍ନବାଚକ ଦୃଷ୍ଟି ଦୁର୍ଗାଙ୍କ ଉପରେ ପକାଇବାରେ ସେ କହିଲେ, ‘ସାନନ୍ଦ ବାବାଙ୍କର ତ ଦୈନନ୍ଦିନ କାମ ଲାଗିଛି । କଲିକତାର ଶେଠଜୀ ତିରିଶ ହଜାର ଟଙ୍କା ପଠାଇଦେଇଛନ୍ତି, ତାହାର ଖର୍ଚ୍ଚ ନସରିବା ପର୍ଯ୍ୟନ୍ତ ତାଙ୍କୁ ଓ ବିମଳଦାଦାଙ୍କୁ ଫୁରୁସତ୍ ନାହିଁ । ତାରା ଯା’ନ୍ତା ଯେ ତା’ ପିଲା ମୋତେ ଛାଡ଼ିବାକୁ ନାରାଜ । ତାରାର ପୁଅ ଦୁର୍ଗାଦେବୀଙ୍କ କୋଳରେ ଜକଟମକଟ କରି ଲାଗିଥାଏ ।

 

ବାବା ହସି ହସି କହିଲେ, ‘ତାଙ୍କ ନାତି ତୋତେ ନ ଛାଡ଼ୁଛି ବୋଲି ତାରାର ଯିବା ବନ୍ଦ ହେବ କାହିଁକି ? ତାରା ତା’ କଥା କହୁ । ସେ ଯଦି ଯିବାକୁ ବାହାରିବେ ତେବେ ତୁ ତା’ ପିଲା ଧରିବାକୁ ସାଙ୍ଗରେ ଯାଆ ।’

 

ତାରା ବାବାଙ୍କ ଆଗକୁ ଏପର୍ଯ୍ୟନ୍ତ ଭରସି ଆସି ନଥିଲା । ଡକରା ଏଡ଼ିବାରୁ ସେ ସନ୍ତର୍ପଣରେ ଆସି ଦୁର୍ଗାଦେବୀଙ୍କ ଆଢ଼ୁଆଳରେ ଠିଆ ହୋଇ କହିଲା, ‘ବାବା ! ମୋର ନିଜର ହୋଇ ମତ କିଛି ନାହିଁ । ଯାହାଙ୍କ ନିଦେଶରେ ମୁଁ ଚଳିବାର କଥା ସେ ତ କହୁଛନ୍ତି, ତାଙ୍କ ଇଚ୍ଛା ଅନିଚ୍ଛା ସେ ବାବାଙ୍କ ପାଦରେ ସମର୍ପଣ କରିଛନ୍ତି । ବାବା ଯୁଆଡ଼େ ଯିବାକୁ କହିବେ ଯିବେ ।’

 

ବାବା ଟିକିଏ ଠାକୁରାଣୀଙ୍କ ଆଡ଼କୁ ଚାହିଁ ସାଆନ୍ତାଣୀଙ୍କୁ କହିଲେ, ‘ଆପଣଙ୍କ ଝିଅକୁ ସାଙ୍ଗରେ ନେବାକୁ କହୁଥିଲେ ପରା । ଗୋଟିକ ଜାଗାରେ ଦୁଇଟି ଝିଅ ନିଅନ୍ତୁ । ଦୁର୍ଗା ଓ ତାରା ପନ୍ଦର ଦିନ ଖଣ୍ତେ ସେଠାରେ ରହନ୍ତୁ । ଦୁର୍ଗା ଯେଉଁଠିକି ଯାଏଁ ଗୋଟିଏ କିଛି କାମ ଆରମ୍ଭ କରି ବସେ । ସାନନ୍ଦ ଯାଇ ଦେଖି ଆସିଲେ ଯାହା କରିବା ।’

 

ସମସ୍ତେ ଖୁସି ମନରେ ଯେଝା କାମକୁ ଫେରିଲା ବେଳକୁ ଭୂତପରି ପଦିଆ ନାହାକେ ଜ୍ୟୋତିଷ ଧୂଳି ଧୂସରିତ ଦେହରେ ପଶି ଆସି ଦୁଇ ବାବାଙ୍କ ଆଗରେ ସାଷ୍ଟାଙ୍ଗ ପ୍ରଣିପାତ ହୋଇ ଭୋଭୋ ଡକାଛାଡ଼ି କହିଲେ, ‘ଆପଣ ଦୁହେଁଯାକ ସନ୍ଥ । ସନ୍ଥଙ୍କ ଅନୁଗ୍ରହରେ କାଳଦଣ୍ଡ ଅପସରିଯାଏ । ନାତିକୁ କୋଡ଼ରେ ଧରିଲେ ମୋ ପ୍ରାଣ ଯିବା ବୋଲି ଖଡ଼ି ଡାକୁଛି । ମୁଁ ଆଜି ତାକୁ ନିଶ୍ଚେ କୋଡ଼ରେ ଧରିବି, ଆପଣଙ୍କ ଆଗରେ ଏଇଠି ପ୍ରାଣ ଯାଉ ।’ ଏହା କହି ମହାପାତ୍ରଙ୍କ ନିବାରଣ କରିବା ସତ୍ତ୍ୱେ ସେ ତାରା ଦେବୀଙ୍କ କୋଡ଼ରୁ ନାତିକୁ ଟାଣି ନେଲେ ଓ ବାବାଙ୍କ ସାମନାରେ ମଣ୍ଡପରେ ତାକୁ କୋଡ଼ରେ ଧରି ବସିପଡ଼ିଲେ । ବାବା ହସି ହସି କହିଲେ, ‘ନାୟକେ, ଗଣନାରେ ଭୁଲ୍ କରିଛ । ତାକୁଇ କୋଡ଼ରେ ଧରି ପ୍ରାଣ ତ ଦିନେ ନିଶ୍ଚୟ ଯିବ; ସାଙ୍ଗେ ସାଙ୍ଗେ ବୋଲି ଯାହା ଗଣନା କରିଥିଲ ସେତକ ଭୁଲ୍ ।’ ମହାପାତ୍ରେ କହିଲେ, ‘କିରେ ପଦିଆ, ତୋ ନାହାକପଣ ଗଲା କୁଆଡ଼େ ? “ଷାଠିଏ ଶ୍ଳୋକ ପଢ଼େ ଶୁଆ ବିରାଡ଼ି ଦେଖିଲେ ଅଚାବୁଆ” ।’

 

ଦାସେ ଓ ମହାପାତ୍ରେ ପ୍ରଭୃତି ଗାଡ଼ିରେ ବସି ସାରିଲା ପରେ ପଶ୍ଚିମକବାଟେ ସେମାନଙ୍କ ଗାଡ଼ିର କବାଟ ବାହାରୁ ବନ୍ଦ କରି ଦେଇ ପ୍ରଣାମ କରିବାରେ ଦାସେ କହିଲେ, ‘ଏଥର ତ ଜାଗା ଥିଲା ବସିଲ ନାହିଁ ? ପଛ ଗାଡ଼ିଲେ ଯିବ ?’

 

ପଶ୍ଚିମକବାଟେ କହିଲେ, ‘ଆପଣେ, ଏଠେଇ ଘରଦ୍ୱାର ଓଳାଇବାର ନୌକରି ଯୋଗାଡ଼ କରିଦେଇଛି । ମୋର ତ ଲଟରା ନାହିଁ, ଯିବି କାହିଁକି ? ବାବା ଯେଉଁଦିନ ଯା’ ବୋଲି କହିବେ ସେ ଦିନଯାଏଁ ଏଠାରେ ରହୁଛି ପୁଅକୁ କହିଦେବେ ।’

Image